ମାଳବିକାର ସ୍ୱପ୍ନ

 

 

 

 

 

 

 

 

 

 

 

ମାଳବିକାର ସ୍ଵପ୍ନ

ଶ୍ରୀ ଯମେଶ୍ୱର ତ୍ରିପାଠୀ

 

ଲବ୍‌ଧପ୍ରତିଷ୍ଠ ଔପନ୍ୟାସିକ ଶ୍ରୀଯୁକ୍ତ ରାଜକିଶୋର ପଟ୍ଟନାୟକ

ଆଡ଼ଭୋକେଟ, ପୁରୀଘାଟ ରୋଡ଼, କଟକ

 

ମାନନୀୟେଷୁ,

 

ଆପଣଙ୍କର ସମସ୍ତ ଉପନ୍ୟାସ, ଗଳ୍ପ ସଂଗ୍ରହ ଓ ସମାଲୋଚନା ସାହିତ୍ୟ ମୁଁ ମନଦେଇ ପଢ଼ିଛି । ଆପଣଙ୍କର ଉନ୍ନତ ରୁଚିର ଶିନ୍ତାଧାରା ମୋ ପ୍ରାଣକୁ ସ୍ପର୍ଶ କରିଛି । ସମାଜରେ ଯେଉଁମାନେ ହେୟ, ଅକିଞ୍ଚନ ଆଉ ଦୟନୀୟ ସେମାନଙ୍କ ଜୀବନକୁ ନେଇ ଆପଣ ଯେଉଁ ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରନ୍ତି, ସେଥିପାଇଁ ଓଡ଼ିଆ ସାହିତ୍ୟରେ ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର ।

 

ସେଥିପାଇଁ ମୁଁ କେତେ ଥର ମୋର ବନ୍ଧୁମାନଙ୍କୁ କହିଛି–ଆପଣଙ୍କର ଲେଖା ପଢ଼ିବାକୁ ହେଲେ ଏକ ସ୍ୱତନ୍ତ୍ର ମନ ଆଉ ଧୈର୍ଯ୍ୟ ଆବଶ୍ୟକ ।

 

ବ୍ୟକ୍ତିଗତ ଜୀବନରେ ଆପଣଙ୍କ ସଂସ୍ପର୍ଶରେ ଆସି ଆପଣଙ୍କୁ ଯେତିକି ନିର୍ଭୀକ ବୋଲି ଜାଣିଛି, ସାହିତ୍ୟ କ୍ଷେତ୍ରରେ ଆପଣ ତା’ଠାରୁ କିଛି କମ୍ ସ୍ପଷ୍ଟବାଦୀ ନୁହନ୍ତି । ସମାଜ ସହିତ ସାହିତ୍ୟର ଏବଂ ସାହିତ୍ୟ ସହିତ ରାଜନୀତିକ ସମ୍ପର୍କ ଅତି ନିବିଡ଼ । ପରସ୍ପର ପରସ୍ପରଠାରୁ ଯେ ଅଭିନ୍ନ, ଏ ମତ କେବଳ ମୋର ନୁହେଁ–

 

ମୋଠାରୁ ବହୁ ଅଧିକ ବିଜ୍ଞ, ଜ୍ଞାନୀ ଓ ସାହିତ୍ୟିକମାନଙ୍କର ମତ । ସମସାମୟିକ ସାହିତ୍ୟ ପଢ଼ିଲେ ଆମେ ସେଥିରୁ ସେତେବେଳର ସାମାଜିକ ଚିତ୍ର, ରାଜନୈତିକ ଚେତନା କଥା ଜାଣିପାରୁ; ଯେପରି ରାମାୟଣ ପଢ଼ିଲେ ଆମେ ସୁଖ, ଶାନ୍ତି, ସତ୍ୟ ସର୍ବୋପରି ଏକ କଥାରେ ରାମରାଜ୍ୟର ଚିତ୍ର ଦେଖିବାକୁ ପାଉ । ରାମରାଜ୍ୟରେ ଲୋକମାନେ ସୁଖଶାନ୍ତିରେ ଥିଲେ ବୋଲି ବାପୁଜୀ ଆମ ଦେଶରେ ରାଜ୍ୟ ପ୍ରତିଷ୍ଠାର ସ୍ୱପ୍ନ ଦିନେ ଦେଖୁଥିଲେ–କିନ୍ତୁ ହାୟ ! ମୁଁ ତ ରାମରାଜ୍ୟରେ ଜନ୍ମ ହୋଇ ନାହିଁ ଯେ ରାମାୟଣ ଲେଖିପାରିବି ? ମୁଁ ଯେଉଁ ସମାଜରେ ଜନ୍ମ ହୋଇଛି, ହେତୁ ପାଇଲା ବେଳୁ ସମାଜରେ ଯାହା ଦୈନନ୍ଦିନ ଦେଖିପାରୁଛି, ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ ଯାହା ଅନୁଭବ କରିପାରୁଛି ଏବଂ ପ୍ରତିଦିନର ଖବରକାଗଜର ପୃଷ୍ଠା ଲେଉଟାଇ ଯାହା ପଢ଼ୁଛି, ସେଇଥିରୁ କେଇ ପଦ ଏ ଉପନ୍ୟାସରେ ରୂପାୟିତ କରିଛି ମାତ୍ର ।

 

ମୋ ଦେଶର ଜନତା ଆଜି ବଭୁକ୍ଷୁ, ନିରନ୍ନ, କାଙ୍ଗାଳ । ଦାରିଦ୍ର୍ୟର ନିଷ୍ପେଷଣରେ ସେ ଆଜି ବ୍ୟଥିତ । ଅଭାବ ଓ ଅନାଟନର ଆଘାତରେ ଆଜିକାର ପ୍ରତିଟି ମଣିଷ ଅଣନିଶ୍ୱାସୀ ହୋଇଉଠିଥିବା ବେଳେ ମୋର କଲମ ସେଇମାନଙ୍କ ପାଇଁ ଦରଦୀ ହୋଇଉଠି କିଛି ଅନ୍ୟାୟ କରି ନାହିଁ ବୋଧହୁଏ !

 

ଆପଣ କେବଳ ରସଗ୍ରାହୀ ନୁହନ୍ତି–ସମାଜରେ ଥିବା ଅନ୍ୟାୟ, ଅତ୍ୟାଚାର ଏବଂ ଦୁର୍ନୀତି ବିରୁଦ୍ଧରେ ଏକ ଜାଗ୍ରତ ପ୍ରହରୀ । ଏଣୁ ମୋର ଏ ନୂତନ ପ୍ରଚେଷ୍ଟାଟିକୁ ଆଜି ଆପଣଙ୍କ ହାତରେ ଟେକିଦେଲା ବେଳେ ଭାବୁଚି, ଆପଣ ହିଁ ଏକମାତ୍ର ଉପଯୁକ୍ତ ମଣିଷ, ଯିଏ କି ମୋର ଏହି କାଳ୍ପନିକ ଚରିତ୍ରଗୁଡ଼ିକ ମଧ୍ୟରୁ ଧନଞ୍ଜୟର ଦୁର୍ନୀତି, ଚନ୍ଦ୍ରକାନ୍ତର ଖିଆଲ, ସୁବ୍ରତର ନିର୍ଭୀକତା, ସୁଜାତାର ନାରୀତ୍ୱ ଓ ସର୍ବୋପରି ମାଳବିକାର ସାଧନାକୁ ପ୍ରକୃତ ମନଦେଇ ଅନୁଭବ କରିପାରିବେ-

 

ପରିଶେଷରେ ଆପଣଙ୍କର ପ୍ରତିଭା ପ୍ରତି ଆନ୍ତରିକ ଭକ୍ତି ଜଣାଉଛି ।

 

କଳାପଥର

ତା ୨୮ ।୧୦ । ୭୨

ମମତାନୁବଦ୍ଧ

ଯମେଶ୍ୱର

Image

 

ପୁସ୍ତକ ଡାକି କହେ ହେ ପାଠକ, ଗ୍ରାହକ ମୋର

ଭିତର ଖୋଲ

ଲେଖନୀମୁନର କର କି ମୂଲ !

ପଇସା ଦେଲ ।୧।

 

ଶସ୍ତା ଆଜି ଏ ଛାପାଖାନା ତଳେ ବେପାର ଚାଲେ

ଦୋକାନ ତଳେ

ଭାଷାର ତୁଲେ ଛନ୍ଦ ନାହିଁ ମିଳେ

ଭାବନା ଭୁଲେ ।୨।

 

ସଭ୍ୟତା ଆଜି ମଲାଟ ଉପରେ ଚାଲିଚି ଖାଲି

ଯାଉଚ ଭୁଲି

ରଙ୍ଗୀନ ଛବି କାଗଜ ମେଲି

ଦେଖୁଛ ବୋଲି ।୩।

 

ଭୂଷଣ ପ୍ରଧାନ, ବେଶ ପରିଧାନ, ସନ୍ଥ ଜନ

ଯାହାର ମଣ

ଭିତରୁ କି ତା’ର ବଚନ ଶୁଣ

ଉଖାରି ଗୁଣ ? ।୪।

 

X X X

 

ସଭ୍ୟତା ଆଜି ଚାଲିଚି ଦେଶରେ ବେଶରେ ସାଜି

ପକାଇ ବାଜି

ନୀତି, ସମ୍ମାନ ଯାଉଚି ଭାଜି

କାଲି କି ଆଜି ।୫।

 

ସ୍ୱାଦ ଗନ୍ଧର ନକଲି ବେମାର ଏଇଠି ଚଳେ

ମଲାଟ ତଳେ

ଦେଖି ପାରୁଥିବ ଏ ଉତ୍କଳେ

ବାହାରେ ଘରେ ।୭।

 

X X X

 

ଗୋଦାବରୀଶ ମହାପାତ୍ର

Image

 

ଜନତା ହୋଟେଲ୍........

କଟକ ସହରର ଛାତିରେ ଜନତାର ସେବା ପାଇଁ ମୁଣ୍ଡ ତୋଳି ଠିଆ ହୋଇଛି ଜନତା ହୋଟେଲ । ସକଳ ପ୍ରକାର ମନଲାଖି ଜିନିଷ ନେଇ କଟକ ସହରରେ ବିପଣୀ ମେଲାଇ ବସିଛି ଜନତା ହୋଟେଲ ।

ସହରର ସର୍ବଶ୍ରେଷ୍ଠ ଆଭିଜାତ୍ୟ ସମ୍ପନ୍ନ ଭୋଜନାଳୟ । ରହିବାର ଓ ଖାଇବାର ସୁବନ୍ଦୋବସ୍ତ ଏଠାରେ ଥାଏ ।

ସନ୍ଧ୍ୟା ହେଲେ ନୀଳ ନିଅନ୍‌ ଆଲୋକରେ ହୋଟେଲର ପ୍ରକୋଷ୍ଠ ସବୁ ଉଦ୍ଭାସିତ ହୋଇ ଉଠେ, ବିଭିନ୍ନ ରଙ୍ଗର ଚିତ୍ରିତ ପରଦା ଝରକା ଓ ଦ୍ୱାରରେ ଝୁଲେ, ସୁମଧୁର ସୁରରେ ରେଡ଼ିଓରୁ ଲଳିତ କଣ୍ଠ ମାଇକ୍ ଦେଇ ପ୍ରସାରିତ ହୁଏ ।

ଜନତା ହୋଟେଲ ନିଜକୁ ନାଗରୀ ଭଳି ସଜାଇ ବସେ ।

ସେଇ ହୋଟେଲର ଗୋଟିଏ ସୁସଜ୍ଜିତ ପ୍ରକୋଷ୍ଠରେ ବସି ଚନ୍ଦ୍ରକାନ୍ତ ସାମ୍ପେନରୁ କିଛି ଢାଳୁଥିଲା । ପେଗ୍‌ ଭିତରେ ଫେନାୟିତ ପାନୀୟ ଚନ୍ଦ୍ରକାନ୍ତ ମନରେ ଅପୂର୍ବ ପୁଲକ ଜଗାଇ ଦେଲା-

ପେଗ୍‌ଟାକୁ କେତେ ସେକେଣ୍ଡ ଭିତରେ ନିଃଶେଷ କରି ଦେଇ ସେ ପୁଣି ଗୋଟାଏ ପେଗ୍‌ ଢାଳିଲା । ଅବଲୀଳାକ୍ରମେ ପେଗ୍‌ ପରେ ପେଗ୍‌ ପିଇବା ପରେ ବୋତଲଟା ଶୂନ୍ୟ ହୋଇ ଉଠିଲା ।

ବେପଥୁ ହାତରୁ ତା’ର ବୋତଲଟା ଖସି ପଡ଼ିଲା ।

 

ପ୍ରକୋଷ୍ଠର ଚଟାଣ ଉପରେ ଖାଲି ବୋତଲଟା ପଡ଼ି ଟୁଂ କରି ଶବ୍ଦ କରି ଗଡ଼ିଗଲା ।

 

ବିଦେଶୀ ସାମ୍ପେନର ମାଦକତାରେ ଚନ୍ଦ୍ରକାନ୍ତର ଆଖି ଦୁଇଟା କୃଷ୍ଣଚୂଡ଼ା ପରି ଲାଲ ହୋଇ ଉଠିଲାଣି । ଶରୀର ତା’ର ଭାରସାମ୍ୟ ହରାଇ ବସିଲାଣି ।

 

ଖାଲି ବୋତଲର ଟୁଂ-ଟାଂ ଶବ୍ଦ ଶୁଣି ହୋଟେଲର ବୟ ଆସି ପରଦା ଉହାଡ଼ରେ ଉଙ୍କି ମାରି ଆଦେଶକୁ ଅପେକ୍ଷା କଲା ।

 

ଖାଇବା ମେନୁ ପଢ଼ି ଚନ୍ଦ୍ରକାନ୍ତ ଖାଦ୍ୟ ବରାଦ୍ କଲା ।

 

ସଲାମ ଠୁଙ୍କି ବୟ ଚାଲିଗଲା ।

 

ଚନ୍ଦ୍ରକାନ୍ତ ପକେଟରୁ ସିଗାରେଟ୍ କାଢ଼ି ସେଥିରେ ନିଆଁ ଧରାଇଲା ।

 

କିଛି ସମୟ ପରେ ଖାଇବାର ସମସ୍ତ ଆବଶ୍ୟକୀୟ ସରଞ୍ଜାମ ସହିତ ବୟ ଟେବୁଲ ଉପରେ ଖାଦ୍ୟ ପରିବେଷଣ କରି ଦେଇ ଚାଲିଗଲା ।

 

ସିଗାରେଟ୍ ଖଣ୍ଡ ଫିଙ୍ଗିଦେଇ ଖୁବ ଶୀଘ୍ର ଚନ୍ଦ୍ରକାନ୍ତ ଖାଇବା ଆରମ୍ଭ କରିଦେଲା । ବହୁତ ଦିନରୁ କ୍ଷୁଧିତ ଥିଲାପରି ସେ ଶୀଘ୍ର ଖାଦ୍ୟତକ ନିଃଶେଷ କରି ଦେଇ ପୁଣି ଏକ ପ୍ଲେଟ ମାଂସ ବରାଦ୍‌ କଲା ।

 

ହୋଟେଲର ବୟ ଅର୍ଡ଼ର ସର୍ଭ କରିବା ପାଇଁ ଚାଲିଗଲା ।

 

ଆଉ ଗୋଟିଏ ସାମ୍ପେନ୍‌ ବୋତଲର ଠିପି ଖୋଲି ପେଗ୍‌ରେ ପାତ୍ର ପୂର୍ଣ୍ଣ କରି ଢାଳିଲା–ପେଗ୍‌ଟା ମୁହଁ ପାଖକୁ ନେଇ ମୃଦୁ ଚୁମ୍ବନ ଦେଲା । ପେଗ୍‌ରୁ ସାମ୍ପେନ୍‌ତକ ସରିନାହିଁ ନିଶାରେ ତା’ର ମୁଣ୍ଡଟା ଭାରୀ ହୋଇ ଉଠିଲା । ଟେବୁଲ ଉପରେ ସେ ଝୁଙ୍କି ପଡ଼ିଲା ।

 

ହାତରୁ ପେଗ୍‌ଟା ଖସି ପଡ଼ିଲା । ଘର ସାରା ବିଦେଶୀ ପାନୀୟ ଢାଳିଗଲା । ପେଗ୍‌ଟା ଭାଙ୍ଗି ଟୁକୁରା ଟୁକୁରା କାଚ ଇତଃସ୍ତତଃ ପଡ଼ି ରହିଲା ।

 

ବରାଦ ପ୍ଲେଟଧରି ହୋଟେଲର ବୟ ଆସି ବାବୁଙ୍କର ଏ ଅବସ୍ଥା ଦେଖି ଫେରିଗଲା । ମୁହଁରେ ତା’ର ଘୃଣାର ବ୍ୟଞ୍ଜନା ଫୁଟି ଉଠିଲା ।

 

ପ୍ଲେଟ ରଖିଦେଇ ଆଉଜଣେ ସହକର୍ମୀକୁ ସଙ୍ଗରେ ଧରି ବୟ ଫେରି ଆସିଲା । ଚନ୍ଦ୍ରକାନ୍ତର ଅବଶ୍ୟ ଦେହଟାକୁ ହୋଟେଲର ଆଉ ଏକ ପ୍ରକୋଷ୍ଠକୁ ସେମାନେ ତୋଳିନେଲେ ।

 

ନିଶାରେ ନିଜତ୍ୱ ହରାଇ ଚନ୍ଦ୍ରକାନ୍ତ ସେହିଠାରେ ଶୋଇରହିଲା ।

 

ଚନ୍ଦ୍ରକାନ୍ତର ପରିଣତ ବୟସ ହୋଇଛି । କୈଶୋରର ଚପଳତା ଅନେକ ଦିନୁ ତାଠାରୁ ବିଦାୟ ମାଗି ନେଇଛି । ଆଧୁନିକ ସମାଜର ସେ ଏକ ସୁସ୍ଥ ପ୍ରତିନିଧି । ସୁସ୍ଥ ପ୍ରତିନିଧି କହିଲେ ଯାହା ବୁଝାଏ ସେସବୁ ତା’ର ଅଛି–ଏଶ୍ୱର୍ଯ୍ୟ, ସାମାଜିକ ପ୍ରତିଷ୍ଠା, ବିଶ୍ୱବିଦ୍ୟାଳୟର ଉପାଧି ।

 

ବିଶ୍ୱ ବିଦ୍ୟାଳୟର ଉପାଧି ମଣିଷ ମନରେ ଜ୍ଞାନର ଆଲୋକ ଆଣେ । ସାମାଜିକ ପ୍ରତିଷ୍ଠା ଆଭିଜାତ୍ୟ ଆଣେ । ପାଠ କହେ “ନମ୍ରନ୍ତି ଫଳିନୋ ବୃକ୍ଷାଃ ।’’ ଜ୍ଞାନଦ୍ୱାରା ମଣିଷ ନିଜକୁ ଚିହ୍ନେ, ଆତ୍ମାକୁ ଚିହ୍ନେ, ପରକୁ ଚିହ୍ନେ ଆଉ ପରମାତ୍ମାଙ୍କୁ ବି ଚିହ୍ନିପାରେ ।

 

ଅଭିଜାତ ଥିବା ବ୍ୟକ୍ତି ଭଦ୍ର ହୁଏ, ଶ୍ଳୀଳ ହୁଏ ।

 

ମଣିଷ କ’ଣ ଐଶ୍ଚର୍ଯ୍ୟର ପ୍ରାଚୁର୍ଯ୍ୟରେ ଅଶ୍ଳୀଳ ହୁଏ ? ଅସାମାଜିକ ହୁଏ ?

 

ସମସ୍ତଙ୍କ ମନରେ ଆଜିକାଲି ଏଇ ପ୍ରଶ୍ନ ।

 

କିଏ ତା’ର ଉତ୍ତର ଦେବ ?

 

ଚନ୍ଦ୍ରକାନ୍ତର ସବୁଥାଇ ତଥାପି ତା’ର ଏ ସ୍ଫଳନ କାହିଁକି ?

 

ସବୁ ପ୍ରଶ୍ନର ସମାଧାନ କ’ଣ ଜନତା ହୋଟେଲର ଏଇ ପାନଶାଳା କରିଦିଏ !

 

ବ୍ୟବସାୟ କରି ଦିନ ଦ୍ୱିପହରରେ ଲୋକଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ମଦନଲାଲ ଅଟାରେ ଚକ୍‌ଖଡ଼ି ଗୁଣ୍ଡ ମିଶାଇ, ତେଲରେ ଅଗରା ମିଶାଇ, ମୋଟା ପୁଞ୍ଜି ସଂଗ୍ରହ କଲାପରେ ସେ ବି ଏ ପାନଶାଳାକୁ ଆସୁଛି । ଆଇନ୍‌ ବ୍ୟବସାୟରେ ଧଳାକୁ କଳା କରି, ସମସ୍ତ ଫିସାଦି ଓ ମିଥ୍ୟାର ଜୀବନ୍ତ ମୂର୍ତ୍ତିମନ୍ତ ପରିଗ୍ରହ ରୂପେ ଅକଳନ୍ତି ଐଶ୍ଵର୍ଯ୍ୟର ପ୍ରାଚୁର୍ଯ୍ୟ ଭିତରେ ଡୁବିରହି ଆଡ଼ଭୋକେଟ ଶଶାଙ୍କଶେଖର ବାବୁ ବି ଏ ପାନଶାଳାକୁ ଆସୁଛନ୍ତି । ସହରର ଛାତି ଉପରେ ଏଇ ନିଷିଦ୍ଧ ଅଞ୍ଚଳରେ ଦିନ ଆଲୋକରେ ଜାରି ହୋଇଥିବା ସରକାରଙ୍କର ନିଶାନିବାରଣ ନୀତି, ଆକାଶରେ ଚନ୍ଦ୍ରମାର ପରିପ୍ରକାଶ ପରେ ସଂପୂର୍ଣ୍ଣ ଅକାମୀ ହୋଇପଡ଼େ । ଯେଉଁମାନେ ସରକାରଙ୍କର ଏ ନୀତିର ଖସଡ଼ା ତିଆରି କରନ୍ତି, ଯେଉଁମାନେ ସଭାସମିତିରେ ନିଶା ବିରୁଦ୍ଧରେ ସ୍ଲୋଗାନ ଦିଅନ୍ତି, ଯେଉଁ ମାନେ ନିଶାନିବାରଣ ନୀତିକୁ ସମାଜରେ କଠିନ ଭାବରେ ପାଳନ କରିବା ପାଇଁ ହାତରେ ଆଇନର ଶୃଙ୍ଖଳଧରି କ୍ରସ ବେଲ୍‌ଟ ତଳେ ନିଜକୁ ଏ ଯୁଗର ସର୍ବଶ୍ରେଷ୍ଠ ଅହଂକାରୀ ବ୍ୟକ୍ତି ବୋଲି ଭାବନ୍ତି, ଯେଉଁମାନେ ନ୍ୟାୟ ଦଣ୍ଡଧରି ବିଚାରପତି ଆସନରେ ବସି ମଦ୍ୟପକୁ ଦଣ୍ଡ ଦିଅନ୍ତି, ଯେଉଁମାନେ ମଦ୍ୟପକୁ ପରୀକ୍ଷା କରି ମଦ୍ୟପର ସାର୍ଟିଫିକେଟ ଦିଅନ୍ତି ସେମାନେ କାହିଁକି ରାତିରେ ଏ ପାନଶାଳାକୁ ଆସନ୍ତି ?

 

ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟ କ’ଣ ଏଇ ସ୍ଫଳନ ପାଇଁ ଦାୟୀ ?

 

ଏହିପରି କାହିଁକି ପ୍ରଶ୍ନରେ ଶରବ୍ୟ ଚନ୍ଦ୍ରକାନ୍ତ ହୋଇଛି । ପାନଶାଳାରେ ସେ ଆଜି ନୂତନ ଅତିଥି ।

 

ଆଇନ ପରାକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସେ ଉତ୍ତୀର୍ଣ୍ଣ ହୋଇଥିଲା । ବିଶ୍ୱ ବିଦ୍ୟାଳୟର ପୂର୍ବ ବର୍ଷର ରେକର୍ଡ଼ ଭାଙ୍ଗିଥିବାରୁ ସେ କୃତୀ ଛାତ୍ରରୂପେ ପ୍ରଶଂସା ଅର୍ଜନ କରିଥିଲା । ଅଳ୍ପ କେତେଟାଦିନ ବ୍ୟବସାୟ ପରେ ସେ କଟକ ସହରରେ ପ୍ରତିଷ୍ଠିତ ଆଡ଼ଭୋକେଟମାନଙ୍କ ଭିତରୁ ଜଣେ ହୋଇପାରିଥିଲା । ଦେଶର ବିଭ୍ରାନ୍ତ ଜନତାକୁ ନ୍ୟାୟ ଆଉ ଅନ୍ୟାୟର ପନ୍ଥା ଦେଖାଇବାର ବ୍ରତକୁ ସେ ବରଣ କରିନେଇ ଥିଲା । ଆଜିପର୍ଯ୍ୟନ୍ତ ନିଷ୍ଠାର ସହିତ ତା’ର କର୍ତ୍ତବ୍ୟ ପାଳନ କରି ଆସିଛି । ବହୁ ଜଟିଳ ମକଦ୍ଦମାରେ ବିଚାର ଶକ୍ତି ଖଟାଇ ଜୟଯୁକ୍ତ ହୋଇଛି ।

 

ପ୍ରଚୁର ଅର୍ଥ ପାଇଛି । ସୁନାମ ପାଇଛି । ସମାଜରେ ଜଣେ ଜଣାଶୁଣା ବ୍ୟକ୍ତି ରୂପେ ପରିଗଣିତ ହୋଇଛି ।

 

ଆଜି ଚନ୍ଦ୍ରକାନ୍ତର ଏତେ ଦିନର ତପସ୍ୟା ବ୍ୟର୍ଥ ହୋଇଗଲା । ସମାଜରେ ଥାଇ ସୁଦ୍ଧା ସେ ଅସାମାଜିକ ହୋଇଉଠିଲା । ଅଶ୍ଳୀଳ ହୋଇ ଉଠିଲା । ଆଦର, ଅଭ୍ୟର୍ଥନା ଓ ଭକ୍ତି ବଦଳରେ ସେ ଏଣିକି ଘୃଣା, ଅନାଦର ପାଇବ । ତୀବ୍ର ମର୍ମ୍ମଫଟା ସମାଲୋଚନା ଶୁଣିବ ।

 

ଉଦୟ ପଥର ଯାତ୍ରୀ ସେ ଥିଲା । ସମାଜର ବାୟୁମଣ୍ଡଳକୁ ତା’ର କର୍ମର ନବାରୁଣରେ ସେ ଉଦ୍ଭାସିତ କରିଥାନ୍ତା । ଆଇନ ବିଭାଗରେ ତା’ର ଅବଦାନ ଇତିହାସରେ ଅକ୍ଷୟ ହୋଇ ରହିଥାନ୍ତା ।

 

କିନ୍ତୁ ହାୟ ! କଟକର ଜନପ୍ରିୟ ଆଡ଼ଭୋକେଟ ଚନ୍ଦ୍ରକାନ୍ତ ଚୌଧୁରୀ ଆଜି ଜନତା ହୋଟେଲର ପାନଶାଳାର ଅତିଥି । ଥର ଥର ପାଦରେ ସେ ବି ଅଜିଠାରୁ ରାସ୍ତାରେ ଝୁଲିଝୁଲି ଚାଲିବ । ଯେଉଁ ଅସହାୟ ମହକିଲମାନେ ଦିନେ ତା’ର ଚେମ୍ବର୍‌କୁ ଆଶ୍ରୟ ପାଇଁ ଦୌଡ଼ିଥିଲେ, ସେମାନେ କାଲି ତାକୁ ଦେଖି ଦାନ୍ତ ଦେଖାଇ ହସି ଉଠିବେ । କହିବେ–ଯାଃ ତା ଦୁଆରକୁ କ’ଣ କେଶ୍ ନେଇଯିବ ? ସେଟା ମଦ୍ୟପ । ତା ମୁଣ୍ଡର କ’ଣ ଠିକ୍ ଠିକଣା ଥିବ ଯେ ତୁମ କେଶ୍‌ ନେଇ ସେ ମୁଣ୍ଡ ଖେଳାଇବ ! ଏ ଓକିଲାତି ପାଠ ଟି–ଥଣ୍ଡା ମିଜାଜ୍ ଦରକାର ।

 

ଆଜି ପାନଶାଳାର ସ୍ଖଳିତ ପଥକୁ ପାଦ ବଢ଼ାଇବା ପୂର୍ବରୁ ଆଡ଼୍‍ଭୋକେଟ ଚନ୍ଦ୍ରକାନ୍ତ ଚୌଧୁରୀ କାଲି ସୂର୍ଯ୍ୟୋଦୟ ପରେ ତା’ର ଅବସ୍ଥା କିପରି ତିକ୍ତ ହୋଇ ଉଠିବ ନିଶ୍ଚୟ ବିବେଚନା କରିଥିବ ।

 

ସେ କାଲି କଚେରୀରେ ଆତ୍ମହତ୍ୟା ସଂକ୍ରାନ୍ତୀୟ ଏକ ମକଦ୍ଦମା ଲଢ଼ୁଥିଲା ବେଳେ ଭାବୁଥିଲା ଟିକେ ଭଲ ମନ୍ଦର ବିଚାର କରି ପାରିଥିଲେ, ଧୈର୍ଯ୍ୟ ବା ସହିଷ୍ଣୁତାର ସୀମା ସାମାନ୍ୟ ବଢ଼ାଇଦେଇ ପାରିଥିଲେ କିମ୍ବା କ୍ଷଣିକ ଉତ୍ତେଜନାକୁ ପ୍ରଶମିତ କରି ପାରିଥିଲେ ସେ ବୋଧହୁଏ ଏ ଅମୂଲ୍ୟ ଜୀବନଟା ନଷ୍ଟ କରିଦେଇ ନଥାନ୍ତା ! ଏଇ ସୁନ୍ଦର ଧରାରେ ଉପଭୋଗ କରିବାପାଇଁ, ଦେଖିବାପାଇଁ ତା’ର ବହୁତ କିଛି ଥିଲା । ନିତ୍ୟ ପରିବର୍ତ୍ତନଶୀଳ ପୃଥିବୀରେ ନୂତନତ୍ୱରେ ବିସ୍ମିତ ହେବାପାଇଁ ଯେଉଁ ଚେତନାଶକ୍ତିର ଆବଶ୍ୟକ, ଯେଉଁ ଅନିସନ୍ଧିତ୍ସୁ ମନ ଆବଶ୍ୟକ ଆଜି ଚନ୍ଦ୍ରକାନ୍ତର କ’ଣ ସେ ସବୁ ଅଛି ?

 

ସେଦିନ କୋର୍ଟରେ ସେ ଆତ୍ମଘାତୀର ପକ୍ଷନେଇ ଯେତିକି ଭାବୁଥିଲା, ସେତିକି ତା’ର ବିଚାର ବୁଦ୍ଧିର ବିଭ୍ରାଟ ଦେଖି ପାରୁଥିଲା । ସେତିକି ବିଚାର ସେ ନିଜପାଇଁ କରି ପାରିଥିଲେ ବୋଧହୁଏ ନିଶା ନିଷିଦ୍ଧ ଏଇ ସହରର ଛାତି ଉପରେ ବସି ସେ ବିଦ୍ୟୁତାଲୋକରେ ପେଗ୍‌ ପରେ ପେଗ୍‌ ବିଦେଶୀ ସାମ୍ପେନ ପିଇବାକୁ ଆରମ୍ଭ କରି ନଥାନ୍ତା ।
 

ଜୀବନର ସମସ୍ତ ଅଶାନ୍ତି ଓ ଅସନ୍ତୋଷକୁ ଭୁଲିଯିବା ପାଇଁ ଲୋକମାନେ ମଦ୍ୟପ ହୁଅନ୍ତି । ମଦ୍ୟପାନ ପରେ ସୁସୁପ୍ତି ଆସେ ।

 

ମଦର ରଙ୍ଗୀନ ନିଶା ସ୍ନାୟୁକୋଷରୁ ବିଦାୟ ନେଲାପରେ ଆଉ କ’ଣ ଅସନ୍ତୋଷ, ଅଶାନ୍ତି ଆସେନା ?

 

ସେଇ କଥା ସେଦିନ ଚନ୍ଦ୍ରକାନ୍ତ ଜନତା ହୋଟେଲର ପାଞ୍ଚ ନମ୍ବର ରୁମ୍‌ରେ ବସି ଭାବୁଥିଲା । ଗତ କାଲି ସମ୍ପୂର୍ଣ୍ଣ ରାତ୍ରିଟା ସେ ଏଇ ହୋଟେଲରେ ଅଚେତ ହୋଇ କଟାଇ ଦେଇଛି ।

 

ଏତେବଡ଼ ରାତ୍ରିଟାରେ ତା’ର ସଂସାରରେ କେହି ଜଣେ ହେଲେ ତାକୁ ଅପେକ୍ଷା କରିଥିବ.......।

 

ତାକୁ ଅପେକ୍ଷାକରି ପୁଜାରୀ ଚାହିଁ ବସିଥିବ । ଚାକର ଲୋକ ! ପେଟ ଖଣ୍ଡକ ପାଇଁ ଚାକିରୀ କରିଛି । ହୁଏତ କିଛି ସମୟପରେ ସେ ଖାଇ ଶୋଇ ପଡ଼ିବ । କିନ୍ତୁ....

 

ହୃଦୟର ସୂକ୍ଷ୍ମ ତନ୍ତ୍ରୀରେ ସେ ଯେପରି ଆଘାତ ପାଇଲା । ତା’ର ପ୍ରାଣପ୍ରତିମ ଆତ୍ମିକ ମୁନ୍ନା, ସେ କ’ଣ ଶୋଇଯାଇଥିବ ? ପୂଜାରୀ ଦାମାନାର ରୁକ୍ଷ ଛାତି ଉପରେ ସେ କ’ଣ ସୁସୁପ୍ତିର ନିଶ୍ୱାସ ଟାଣି ପାରିଥିବ ?

 

କେବେ ନୁହେଁ–କଦାପିନୁହେଁ–ମୁନ୍ନା ତା’ର ନିଶ୍ଚୟ କାନ୍ଦି କାନ୍ଦି ତାରି ପାଇଁ ଅଥୟ ହୋଇ ଉଠିଥିବ ।

 

ଚନ୍ଦ୍ରକାନ୍ତ ସଂସାରୀ । ସଂସାରୀ ହେବାର ସମସ୍ତ ଉପାଦାନ ତା’ର ଅଛି । କିନ୍ତୁ ଏଇ ସଂସାରକୁ ତା’ର ନିୟନ୍ତ୍ରିତ କରିବାର ଅଧିକାର ଯାହାର ଥିଲା ସେ ନାହିଁ । ମୁନ୍ନା ମା ଛେଉଣ୍ଡ ନୁହେଁ-। କିନ୍ତୁ ମାତୃତ୍ୱର ବାତ୍ସଲ୍ୟରୁ ସେ ବଞ୍ଚିତ ।

 

ସାମାନ୍ୟ ଗଣ୍ଡଗୋଳରେ ସୁଜାତା ତା ସହିତ ସମସ୍ତ ସାଂସାରିକ ସର୍ମ୍ପକ ଛିନ୍ନକରି ଅଭିମାନ କରି ଚାଲିଯାଇଛି ।

 

ହିନ୍ଦୁକୋର୍ଡ଼ ବିଲର ସଂଶୋଧିତ ଉପଧାରାନେଇ ସେ ନାରୀ ହିସାବରେ ତା’ର ସମ୍ମାନ ଦାବୀ କରିଛି ।

 

ହାତ ପାପୁଲି ଉପରେ ମୁହଁକୁ ରଖି ଚନ୍ଦ୍ରକାନ୍ତ ଭାବୁଥିଲା ସୁଜାତାର ଶେଷ କଥା । ସେ ପ୍ରଥମେ ନାରୀ–ତା ପରେ ଜାୟା ଆଉ ଜନନୀ ।

 

ସୁଜାତା ଚାଲିଯିବାର ଦୁଇଦିନ ହେବ । ବିଚଳିତ ମନ, ବ୍ୟଥିତ ହୃଦୟ ଆଉ ବିଷାଦିତ ପ୍ରାଣରେ ଆଡ଼ଭୋକେଟ ଚନ୍ଦ୍ରକାନ୍ତ ଚୌଧୁରୀକୁ ଦୁଇଟା ଦିନ, ଦୁଇଟି ଯୁଗଭଳି ଲାଗୁଥିଲା । ଯେତେ ପ୍ରକାର ସେଡ଼ାଟିଭ ଖାଇଲେ ସୁଦ୍ଧା ତନ୍ଦ୍ରା ତାକୁ କ୍ଷଣକପାଇଁ ତା’ର ପଣତ କୋଳକୁ ଆଉଜାଇ ନେଇ ପାରିଲା ନାହିଁ । ଘଣ୍ଟା ଘଣ୍ଟା ଧରି ମହକିଲ ମାନେ ଚେମ୍ବର୍‌ରେ ଅପେକ୍ଷାକରି ବସି ରହିଲେ । ସଦାବେଳେ ଶୁଣିବାକୁ ପାଇଲେ ବାବୁଙ୍କ ଦେହ ଭଲନାହିଁ ମନ ଭଲନାହିଁ କାଲିକି ଆସ ।

 

କେତେଦିନ ଏପରି ଚନ୍ଦ୍ରକାନ୍ତ ମହକିଲମାନଙ୍କୁ ଫେରାଇବ ?

 

ରୁମ୍‌ର କାଚ ଝରକାରେ ସକାଳର ଖରା ଫୁଲେଇ ଶଙ୍ଖି ବିଲେଇ ପରି ଘସି ହେଉଥିଲା-

 

ଝରକାର କବାଟ ଦୁଇଟା ଫିଟାଇଦେଲା ଚନ୍ଦ୍ରକାନ୍ତ । ରୁମ୍‌ ଭିତରକୁ ସକାଳର ପ୍ରଚୁର ସୂର୍ଯ୍ୟକିରଣ ପଶି ଆସିଲା ।

 

ଆଖି ଆଗରେ ନାଚି ଉଠିଲା ମାତୃସ୍ନେହ ବଞ୍ଚିତ ମୁନ୍ନାର ଶୁଖିଲା ମୁହଁ ।

 

ମନତଳେ ନାଚି ଉଠିଲା ସୁଜାତାର ଶେଷକଥା । ସେ ପ୍ରଥମେ ନାରୀ ତା ପରେ ଜାୟା ଆଉ ଜନନୀ ।

 

ଚନ୍ଦ୍ରକାନ୍ତ ଭାବୁଥିଲା ସେ ଯଦି ପିତୃତ୍ୱ ହାସଲ କଲାପରେ କହେ–ମୁଁ ପ୍ରଥମେ ପୁରୁଷ ତା ପରେ ପିତା, ତେବେ ବିଚରା ମୁନ୍ନା କେଉଁ କୂଳରେ ଲାଗିବ ?

 

ପାଦରେ ସ୍ଲିପର ହଳକ ପୂରାଇ ଚନ୍ଦ୍ରକାନ୍ତ ହୋଟେଲ ମ୍ୟାନେଜରଙ୍କ ଅଫିସ୍ ରୁମକୁ ପାଦ ବଢ଼ାଇଲା ।

 

ସୁଜାତା ଚିଠି ଲେଖିଛି ।

 

ପଢ଼ୁଥିଲା ଚନ୍ଦ୍ରକାନ୍ତ ।

 

ନାରୀ ଓ ପୁରୁଷ ଦୁହେଁ ଦୁହିଁଙ୍କର ପରିପୂରକ । ସେଦିନ କିନ୍ତୁ ତୁମେ ଯେଉଁଭଳି ହୁକୁମ ମୋ ଉପରେ ଜାହିର କରିବାକୁ ବସିଲ ସେଥିରେ ମୁଁ ଭାବିଲି ମୁଁ ତୁମର ସହଯାତ୍ରିଣୀ ନ ହୋଇ ବୋଧହୁଏ ତୁମ ଘରର ଚାକିରୀଆଣୀ । ତୁମ ଘରର ଚାକିରୀଆଣୀ ମଲ୍ଲୀ ମାଆ ଠାରୁ ମୋର ସ୍ଵାତନ୍ତ୍ର୍ୟ ଥିଲା ଭଳି ମୁଁ ଉପଲବ୍ଧି କରିପାରିଲି ନାହିଁ ।

 

ମଲ୍ଲୀ ମାଆ ଘର ପାଇଁ ଖଟେ । ଗଣ୍ଡେ ଖାଏ । ଖଣ୍ଡେ ପିନ୍ଧେ । ରାତି ହେଲେ ଶୁଏ । ସେହିପରି ମୁଁ ତୁମର ଆଉ ତୁମର ପିଲାର ପରିଚର୍ଯ୍ୟା କରେ । ଗଣ୍ଡେ ଖାଏ । ଖଣ୍ଡେ ପିନ୍ଧେ । କେବଳ ତୁମ ପାଖରେ ଶୁଏ । ତୁମରି ଉପଭୋଗ ପାଇଁ ନିଜର ଦେହକୁ ତୁମପାଖରେ ସଁପିଦିଏ । ତଫାତ ମାତ୍ର ଏତିକି । ମଣିଷ ତୁମେ । କେବେ ମୋ ମନର ବାସନାକୁ ବିଶ୍ଳେଷଣ କରିବାକୁ ସମୟ ଦେଇଛି କି । ତୁମ ପାଖରେ ମୋ ପରି ଯେଉଁ ଜନ୍ତୁଟା ଥାଏ, ସେ କ’ଣ କେବଳ ଆହାର, ନିଦ୍ରା, ମୈଥୁନ ପାଇଁ ତୁମର ହାତ ଧରିଥିଲା ? ତା’ର କ’ଣ ତୁମ ମନ ଭଳି ଗୋଟିଏ ମନ ନ ଥିଲା-? ତୁମ ମନର ସ୍ୱାଧୀନତା ଦେଖିଲେ ତା ମନ ଡେଣା ପିଟି କ’ଣ ଛାଟିପିଟି ହେଉ ନ ଥିଲା ?

 

ଶିକ୍ଷା ଦୀକ୍ଷା ଥିଲେ ମଣିଷ ବିଶେଷ ସଚେତନ ହୁଏ ବୋଲି ମୋର ଆତ୍ମବିଶ୍ୱାସ ଥିଲା । କିନ୍ତୁ ଆଜି ସେ ଅନ୍ଧପୁଟୁଳି ମୋର ଖୋଲି ଯାଇଛି । ମୁଁ ଜାଣିଲି ପୋଥି ବାଇଗଣ ଆଉ ବାରି ବାଇଗଣ ଭିତରେ ତଫାତ୍ ବହୁତ । ଆକାଶ ପାତାଳ ବ୍ୟବଧାନ । ମୁଁ ଏତେଦିନ ଧରି ଗୋଟିଏ ଶିକ୍ଷିତ ଯୁବକର ହାତ ସଙ୍ଗେ ହାତ ମିଳାଇ ଦେଖିବାକୁ ପାଇଲି ମଣିଷ ଶିକ୍ଷା ପାଇଲେ, ସମ୍ମାନ ପାଇଲେ, ପ୍ରତିପତ୍ତି ପାଇଲେ ଏବଂ ଐଶ୍ୱର୍ଯ୍ୟ ପାଇଲେ ଆତ୍ମକେନ୍ଦ୍ରିକ ହୋଇପଡ଼େ । ତା ମନରେ ଧନର ତୃଷ୍ଣା ଦେଖାଦିଏ । ବ୍ୟାଙ୍କ୍‌ରେ ଟଙ୍କାର ଡାହାଣ ପାଖରେ ଶୂନ ଯୋଗକରି ସୁଦ୍ଧା ତା’ର ଶୋଷ ମରେ ନାହିଁ । ତା ପଛରେ ଯେ ଗୋଟାଏ ସଂସାର ଅଛି ତାହା ସେ ସମ୍ପୂର୍ଣ୍ଣ ଭୁଲିଯାଏ । ଯାହ କି ତୁମର ହୋଇଛି ।

 

ଛାତିରେ ହାତ ଦେଇ ଏ କଥା ଅସ୍ୱୀକାର କରିପାରିବ କି ?

 

ତୁମେ ଅସ୍ୱୀକାର କରିପାରିବ ଏ ବିଶ୍ୱାସ ମୋର ଅଛି । ତୁମ ପୁରୁଷ କିନା ? ସବୁ କଥାରେ ତୁମକୁ ଚାରିଖୁଣ ମାଫ୍‌ । ତାପରେ ତୁମେ ପୁଣି ଆଡ଼ଭୋକେଟ । ସତ ବିରୁଦ୍ଧରେ ମିଛକୁ ଲଗାଇ ସତର ପରାଜୟ କରାଇବା ତୁମର ଧର୍ମ । ତୁମର ବ୍ୟବସାୟ । ମିଛ କହିବା ତୁମର ବୃତ୍ତି । ମିଛ ନ କହିଲେ ତୁମେ ବିଞ୍ଚି ପାରିବ ନାହିଁ । କଚେରୀର କାଠଗଡ଼ା ଭିତରେ ଠିଆହୋଇ ଯେଉଁ ସାକ୍ଷୀ ତା’ର ପବିତ୍ର ପୁରାଣ–ସେ ଗୀତା ହେଉ, ବାଇବେଲ ହେଉ କିମ୍ବା କୋରାନ୍ ହେଉ–ତାକୁ ଛୁଇଁ ସତ କହିବାର ଶପଥ ନେଇ ଅନର୍ଗଳ ମିଛ କହିଚାଲେ ତାକୁ ଏ ପାପରେ ଭାଗୀ କରିବାକୁ ତୁମେ ତ ପୁଣି ଟ୍ରେନିଙ୍ଗ ଦିଅ ? ତେଣୁ ମିଛ କହିବାଟା ତୁମ ପକ୍ଷରେ ନୂଆ ନୁହେଁ । ଖରାପ ବାଟରେ ନ ଯାଇଥିବା ଲୋକ ଥରେ ଭୁଲ କଲାପରି ତୁମକୁ ଖାପଛଡ଼ା ଲଗିବ ନାହିଁ ।

 

ତୁମେ ଅନର୍ଗଳ ମିଛ କହି ପାରିବ, ଫଙ୍କିଦେଇ ପାରିବ । ଏଥିରେ ମୋର ତିଳେହେଲେ ଅବିଶ୍ୱାସ ନାହିଁ ।

 

ଭଲପାଇବାର ସଂଜ୍ଞା ତୁମ ପାଖରେ କ'ଣ ମୁଁ ଜାଣିନି । ମୋ ପକ୍ଷରେ କିନ୍ତୁ ଭଲପାଇବା ଗଙ୍ଗାଜଳ ପରି ପବିତ୍ର, ଆଉ ସକାଳର ସୂର୍ଯ୍ୟ ପରି ଚିରଜାଜୁଲ୍ୟମାନ ।

 

ତୁମ ପାଖରେ ଭଲପାଇବାର ଅର୍ଥ କେତେପଦ ନରମ ଆଉ କଅଁଳ ମନରଖା କଥା । ଅଭିନୟ କରା ସହାନୁଭୂତି ଦେଖାଇ ସମ୍ବେଦନଶୀଳ ହୋଇ ନାରୀର ସର୍ବସ୍ୱ ଲୁଣ୍ଠନ କରିବା । ତୁମେ ଆସିଲାବେଳେ କ୍ଳାନ୍ତହୋଇ ଆସ ଆଉ ଗଲାବେଳେ ରାକ୍ଷସହୋଇ ଚାଲିଯାଅ । କେବଳ ତୁମମାନଙ୍କର ଏଇ ପ୍ରକୃତି ନେଇ କେତେ ନାରୀ ଆତ୍ମହତ୍ୟା କରନ୍ତି, କେତେ ବା ଗଣିକା ସାଜନ୍ତି । ସମସ୍ତେ ଅତୀତକୁ ଭୁଲିଯିବାକୁ ଚେଷ୍ଟା କରନ୍ତି । କୃତକର୍ମ ପାଇଁ ଜୀବନ ସାରା ଅଶ୍ରୁ, ଢାଳନ୍ତି ।

 

ଏୟା ନାଁ କ’ଣ ଭଲପାଇବା ?

 

ଏୟା ନାଁ କ’ଣ ବନ୍ଧନ ?

 

ମଣିଷ ସମାଜକୁ ସୃଷ୍ଟି କରିଛି କିନ୍ତୁ ସମାଜ ତ ମଣିଷକୁ ସୃଷ୍ଟି କରିନାହିଁ । ତେଣୁ ବନ୍ଧନର ଶୃଙ୍ଖଳକୁ ମଜବୁତ୍ କରିବା ପାଇଁ ସଂସାରକୁ ପ୍ରଶୟଦେବା ଉଚିତ ନୁହେଁ କି ?

 

ତୁମକୁ ବିଶେଷଗୁଡ଼ାଏ ଲେଖିବା ମୋ ପକ୍ଷରେ ଅନ୍ୟାୟ ହେବ । ଦୀର୍ଘ ଚାରିବର୍ଷ ଧରି ଆମେ ସଂସାର କରି ଆସିଛେ । ଏତେ ଦୀର୍ଘ ଦିନ ଧରି ତୁମ ସଙ୍ଗରେ ମିଳାମିଶା କରିବା ପରେ ଆଉ ପରସ୍ପରକୁ ଚିହ୍ନିବାରେ ବୋଧହୁଏ ଆମ ଭିତରେ ଭୁଲ ହେଉ ନଥିବ । ମହକିଲମାନେ ତୁମର ଆସିବେଣି । ଚେମ୍ବର୍‌ରେ ପୁଣି ମହୁମାଛି ଭଳି ଭିଡ଼ ଜମି ଯିବଣି । ଜୁନିଅରମାନେ ତୁମର ଡିଟେକ୍‌ସନ୍‌କୁ ଅପେକ୍ଷା କରି ବସିଥିବେ । ଉପାର୍ଜ୍ଜନପାଇଁ ତୁମର ମନ ବର୍ତ୍ତମାନ ବ୍ୟାକୁଳ ହେଉଥିବ । ତୁମ ବୁଦ୍ଧିର ଜୟ ହେଉ ।

 

କେବଳ ମୁନ୍ନା କଥା ମନେପଡ଼େ । ତାକୁ ମୋ ପାଖରୁ ଛଡ଼ାଇ ରଖି ନଥିଲେ ବୋଧହୁଏ ଭଲ ହୋଇଥାନ୍ତା । ତୁମର ଜଞ୍ଜାଳ ଲାଘବ ହୋଇଥାନ୍ତା । ଆଉ ମଧ୍ୟ ସେ ମାତୃସ୍ନେହ ପାଇପାରି ଥାଆନ୍ତା । ସେ ଯାହାହେଉ ତୁମେ ତ ଆଇନଜ୍ଞ; ତେଣୁ ଆଇନ ଅନୁସାରେ ସନ୍ତାନ ଉପରେ ପିତାର ଅଧିକାରକୁ ଜାହିର କଲ । ଭଲ କଲ । କିନ୍ତୁ ସନ୍ତାନ ପ୍ରତି ତୁମର କିଛି ତ୍ୟାଗ ଥିଲା କି ?

 

ଗତ ରାତିର ଦୁଃସ୍ୱପ୍ନ ଭଳି ତୁମ ଓ ମୋର ମିଳାମିଶାଟାକୁ ମୁଁ ଭୁଲିଯିବାକୁ ଚେଷ୍ଟାକରୁଛି-। ସ୍ଵାବଲମ୍ବୀ ହେବାପାଇଁ ମନସ୍ଥ କରିଛି ।

 

ଆତ୍ମନିର୍ଭରଶୀଳ ହୋଇ ପାରିବି ଏ ଆତ୍ମବିଶ୍ୱାସ ମୋର ଅଛି ।

 

ତୁମ ସହିତ ମୋର ଦାମ୍ପତ୍ୟ ସମ୍ପର୍କ ଛିନ୍ନ କରିବା ପାଇଁ ମୁଁ ନିକଟ–ଭବିଷ୍ୟତରେ ଆଇନର ଆଶ୍ରୟ ନେବି । ଆଶାକରେ ସେତେବେଳେ ତୁମେ ମୋତେ ସାହାଯ୍ୟ କରିବ । ତୁମର ସହଯୋଗ ଉଭୟଙ୍କର ମଙ୍ଗଳ କରିବ । ତୁମେ ଖୁସି ହେବ ଆଉ ମୁଁ ଶାନ୍ତିରେ ନିଶ୍ୱାସ ମାରିପାରିବି-

 

ଗୋଟାଏ ପ୍ରଳୟଙ୍କରୀ ଝଡ଼ ବହିଯିବା ପରେ ଚନ୍ଦ୍ରକାନ୍ତ ଆଶା କରିଥିଲା ହୁଏତ ସୁଜାତା କିଛିଦିନ ପରେ ଏ ସବୁ ଭୁଲିଯିବ । ଅଭିମାନରେ ତା ପାଖକୁ ପତ୍ର ଦେବ ନାହିଁ । କିନ୍ତୁ ତା’ର ପତ୍ରଟି ପଢ଼ିସାରିଲା ପରେ ଚନ୍ଦ୍ରକାନ୍ତ ଭାବୁଥିଲା ପ୍ରତିକ୍ରିୟାଶୀଳ ମନୋବୃତ୍ତି ନେଇ ସୁଜାତା ତାକୁ ବେଶ୍ ତ ଆକ୍ରମଣ କରି ପାରିଛି ! ସମସ୍ତ ପ୍ରକାର ଧମକ, ଚମକ ଦେଖାଇ ସାରିବା ପରେ ତାକୁ ଡାଇଭର୍ସ କରିବାକୁ ଲେଖିବାକୁ ପଶ୍ଚାତ୍‌ପଦ ହୋଇନାହିଁ । ଉପହାସ କଲାପରି ଡାଇଭର୍ସ ବିଷୟରେ କୋର୍ଟରେ ତାକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛି । ସତେ ଯେପରି ଚନ୍ଦ୍ରକାନ୍ତର ସାହାଯ୍ୟକୁ ସେ ଅପେକ୍ଷା କରି ବସିଛି ?

 

ମନେ ମନେ ହସି ଉଠିଲା ଚନ୍ଦ୍ରକାନ୍ତ । ସୁଜାତାର ଏ ପ୍ରକାର ବ୍ୟବହାରକୁ ସେ ଅଭିନୟ ବା ଅଭିମାନ କ’ଣ ଭାବିବ କିଛି ସ୍ଥିର କରିପାରୁ ନଥିଲା ।

 

ମୁନ୍ନା ପାଇଁ ମାତୃତ୍ୱ ତା’ର ବିକଳରେ ହା ହା କାର କରି ଉଠୁଛି–ଏଣେ ମୁନ୍ନାର ବାପା ପାଇଁ ମନରେ ଘୃଣା ଆସୁଛି । ଭଲ ପାଇବାର କେତେ ନୀତି ଆଉ ଦାର୍ଶନିକ ତତ୍ତ୍ୱ ବାଢ଼ି ବସିଛି । କି ଦରକାର ଥିଲା ଏ ସବୁ ତା ପାଖକୁ ଲେଖିବା ? ଭଲପାଇବା ତା ପକ୍ଷରେ ଗଙ୍ଗାଜଳ ପରି ପୂତ, ପବିତ୍ର ଏ ପଦକ ଲେଖି ନଥିଲେ ବୋଧହୁଏ ‘ଭଲ ପାଇବା’ ଏଇ ଶବ୍ଦଟାକୁ ସେ ଯଥେଷ୍ଟ ସମ୍ମାନ ଦେଖାଇ ପାରିଥାନ୍ତା । ଘରସଂସାର କଲେ ସ୍ଵାମୀ, ସ୍ତ୍ରୀ ଭିତରେ ବହୁତ ସଂଘର୍ଷ ହୁଏ । ବହୁତ ମତାନ୍ତର ହୁଏ । ବହୁ ମନାନ୍ତର ବି ହୁଏ । କିନ୍ତୁ ପତି ପତ୍ନୀ ଦୁହେଁ କ’ଣ କେବେ କାହାକୁ ତ୍ୟାଗ କରିପାରନ୍ତି ?

 

ଚନ୍ଦ୍ରକାନ୍ତ ଭାବୁଥିଲା । ସୁଜାତା ଯଦି ଉଚ୍ଚଶିକ୍ଷିତା ନ ହୋଇଥାନ୍ତା ତେବେ ଭଲ ହୋଇଥାନ୍ତା । ପତିର ସେବା କ’ଣ, ସଂସାରର ଧର୍ମ କ’ଣ, ସେ ବୁଝିପାରି ଥାଆନ୍ତା । ସନ୍ତାନ ପ୍ରତି ସ୍ନେହ ବତ୍ସଳତା ତା ପକ୍ଷରେ କଦାପି ତୁଚ୍ଛ ହୋଇପାରି ନଥାନ୍ତା ।

 

ପୁଣି ମନରେ ତା’ର ଚେତନାପୁରୁଷ ଚିତ୍କାର କରି ଉଠିଲା । ଉଚ୍ଚ ଶିକ୍ଷାର ଦୋଷ ନାହିଁ-। ପାଠ ପଢ଼ିଲେ ମଣିଷର ଦୃଷ୍ଟିଭଙ୍ଗୀ ଉଦାର ହୁଏ, ମନ ତା’ର ସଂକୀର୍ଣ୍ଣତାଠାରୁ ଦୂରରେ ରହେ-। ମନୁଷ୍ୟତ୍ୱ ସେ ଫେରିପାଏ । ଅଶିକ୍ଷା, ଅଜ୍ଞାନତା ପଶୁତ୍ୱର ଭୂଷଣ କିନ୍ତୁ ଧନୀ ପିତାଙ୍କର ଅଲିଅଳୀ ଦୁଲାଳୀ ବୋଲି ଯେଉଁ ଆତ୍ମଅଭିମାନ ତା’ର ଥିଲା, ସେଇ ତାକୁ ଚୂରମାର କରି ଖାଇଲା-

 

ଅତୀତର କୁହୁଡ଼ିଘେରା ସ୍ମୃତି ମନରେ ତା’ର ଉଙ୍କି ମାରିଲା ।

 

ଯୌବନ ତା’ର ପ୍ରଥମ ପରଶ ତା ଦେହରେ ଦେଇଯିବା ପରେ ମନବଗିଚାରେ ତା’ର ସୁଲିର ରୂପ ମହକ, ପୁଲକ ଭରି ଦେଇଥିଲା । ନିଜ ଗାଁର ଝିଅ । ଏକା ଗାଁରେ ଏନ୍ତୁଡ଼ି ନିଆଁ ଜଳି ଉଠିଥିଲା । ଏକା ଗାଁରେ ଦାଣ୍ଡଧୂଳିରେ କୁଲେଇ ଧରି ଖେଳିଥିଲେ । ବୟସର ତାରତମ୍ୟ ଦୁହିଁଙ୍କ ଭିତରେ କମ୍‌ ଥିଲା ।

 

କଲେଜ ପଢ଼ୁଆ ଗଜାଟୋକା ଚନ୍ଦ୍ରକାନ୍ତ । ରୂପ ଓ କଣ୍ଠରେ ପରିବର୍ତ୍ତନ ଆସିଥାଏ । ଦୁନିଆଁର ବୁକୁ ଉପରେ ଅନୁତାପ, ଦୁଃଖ, ଦୈନ୍ୟ, କଷ୍ଟ କିଛି ଅଛି ଏ ସବୁ ତା’ର କଳ୍ପନାର ବାହାରେ ଥିଲା । ସେ ଭାବୁଥିଲା ଏ ସଂସାର ସବୁଜ । ଏ ଧରିତ୍ରୀରେ ଚିରଶ୍ୟାମଳିମା ବିରାଜିତ । ପକ୍ଷୀ କହିଲେ ସେ ବୁଝୁଥିଲା କୋଇଲି, ଯାହା କଣ୍ଠରେ ପଞ୍ଚମ ସ୍ଵର ଅଛି । ପବନ ବହିଲେ ସେ ଜାଣିପାରୁଥିଲା ମଳୟ, ଯହିଁରେ ସୁବାସ ଅଛି, ଶୀତଳତା ଅଛି, ପ୍ରାଣ ଉଲୁସା ପରଶ ଅଛି । ଶରତ୍‌ ଆକାଶରେ ଅଶ୍ୱିନପୂର୍ଣ୍ଣିମାର ସମାରୋହ ତା ଆଖିରେ ଦିଶୁଥିଲା । ଜୀବନଟା ତା ପକ୍ଷରେ ହସନ୍ତ, ମନମତାଣିଆ ଆଉ ଉପଭୋଗ୍ୟ ଥିଲା ।

 

ଚପଳ ଛନ୍ଦ ରଚି ବାଧାହୀନ ଭାବରେ ସେ ପ୍ରଗଲ୍‌ଭ ହୋଇ ଉଠିଥିଲା । ନିଜର ବିବେଚନାକୁ ଠିକ୍‌ ମନେ କରୁଥିଲା । ଅପରର ଭୁଲ ଆଖିକୁ ଆଗ ଦିଶୁଥିଲା । ପରକୁ ସମାଲୋଚନା କରିବାରେ ଅପାର ଆନନ୍ଦ ମିଳୁଥିଲା । ବିଶେଷତଃ ଯେଉଁମାନେ ତାଠାରୁ ବୟସ୍କ ଓ ଶିକ୍ଷିତ ସେମାନଙ୍କୁ ସମାଲୋଚନା କରିବାରେ ସେ ବିପୁଳ ଆନନ୍ଦ ପାଉଥିଲା । ମନେମନେ ନିଜକୁ ଖୁବ ବଡ଼ ବୋଲି ଭାବୁଥିଲା । ଭଲ ମନ୍ଦ ବିଚାର କରିବାର ଶକ୍ତି ତା’ର ବି ଆସି ଯାଇଛି ବୋଲି ମନେ କରୁଥିଲା ।

 

ପରେ ଯେତେବେଳେ ଦୁନିଆଁରେ ପାଦ ଦେଇ ଏ ଦୁନିଆଁର ପିଚ୍ଛଳି ପଥରେ ଥରକୁ ଥର ଝୁଣ୍ଟିଲା, ଠୋକର ଖାଇଲା, ପାଦରେ ବିବେଚନାହୀନ ବୃଦ୍ଧି ପାଇଁ କଣ୍ଟା ଫୁଟିଲା, ସେତେବେଳେ ସେ ଜାଣି ପାରିଲା ଯେ ଯାହା ସେ ଭାବୁଥିଲା ସେ ଗୁଡ଼ାକ ଭୁଲ । ବିରାଟ ମୁର୍ଖାମି-

ତାକୁ କହନ୍ତି ବଅସର ଦୋଷ ବା ଆଦ୍ୟ ଯୌବନର ଧର୍ମ ।

ସେଇ ବୟସରେ ତା’ର ସୁଲି ପ୍ରତି ମମତା ଜାଗି ଉଠିଥିଲା; ଯାହାକୁ କେତେକ ତରଳ ପ୍ରାଣ ଔପନ୍ୟାସିକ ଭଲପାଇବା ବୋଲି କହନ୍ତି ।

ସୁଲି ପାଇଁ ସେ ରାତିରେ ଜାଗି ଜାଗି ଭାବିଛି । ସ୍ୱପ୍ନରେ ତା’ର ଫୁଟନ୍ତା ତନୁକୁ ଦେଖିଛି-। ହାତ ଧରାଧରି ହୋଇ ଏକାଠି ବୁଲିବାର କଳ୍ପନା କରିଛି । ଆଶା କିନ୍ତୁ ଆଶାରେ ରହିଲା-। ତା’ର କର୍ତ୍ତବ୍ୟ ସେତେବେଳକୁ ସରି ନଥିଲା ।

ସୁଲିର ହାତକୁ ନିଜ ହାତମୁଠା ଭିତରକୁ ଟାଣି ଆଣିବାର ଦୁଃସାହସ ତା’ର ନଥିଲା । ତା’ର ଭାବନା ତଣ୍ଟି ପାଖରେ ଅଠା ଅଠା ହୋଇ ଜମି ରହୁଥିଲା–ପାଟିଚିର ବାହାରକୁ ଆସି ପାରୁନଥିଲା ।

ସୁଲି ବା ତାକୁ ଅପେକ୍ଷା କରିପାରିଲା ନାହିଁ । ତା’ର ସମୟ ଅଳ୍ପ । ଚନ୍ଦ୍ରକାନ୍ତର ଦୀର୍ଘଦିନ ଧରି ସଂସାରୀ ତପସ୍ୟାର ଫଳକୁ ସେ ଅପେକ୍ଷା କରିବାକୁ ଚାହୁଁ ନ ଥିଲା ।

ସୁଲି ବାହା ହୋଇଗଲା ।

ଚନ୍ଦ୍ରକାନ୍ତର ପାଠ ପଢ଼ୁଥିଲା । ପୁଣି ପଢ଼ିଲା ।

ବରଷ ଦୁଇଟା ପରେ ଘରେ ବୋହୂ ହେଲା ପରେ ସୁଲି ତା ଆଗରେ ବୁଢ଼ୀ ହୋଇଗଲା । କେବଳ ପରଘରର ବୋହୂ ତ ହୋଇ ନଥିଲା ମା ବି ହୋଇଥିଲା । ଅଳ୍ପ ଦିନର ଘରକରଣାର ଅନୁଭୂତି ନେଇ ସେ ତା ଆଗରେ ବୁଢ଼ୀ ଖୁଣ୍ଟ ଭଳି ବକୃତା ଝାଡ଼ିବାକୁ ଲାଗିଲା ।

 

ସେଥିର ସେ ଗାଁକୁ ଆସିଥିଲା । କୋଳରେ ତା’ର ବରଷକର ପୁଅ । ଥାକୁଲା ଥାକୁଲିଟିଏ । ପୁଚୁକା ପୁଚୁକା ଗାଲ । ପାକୁଆ ପାଟିରେ ପାଟିଏ ହସ । ମା ଛାତିରେ ମୁହଁ ଗୁଞ୍ଜି ଅମୃତର ସନ୍ଧାନ କରୁଥିଲା । ଅଝଟିଆ ପୁଅକୁ ବୁଝାଉ ବୁଝାଉ ସୁଲି କହୁଥିଲା । ଚନ୍ଦ୍ରଭାଇ ତୁମେ କ’ଣ ବାହା ହେବନି ! ଏମିତି ଖାଲି ପାଠ ପଢ଼ୁଥିବ ? ଘରକୁ କ’ଣ ଆମର ସୁନା ଖଡ଼ିକା ଭଳି ଭାଉଜଟିଏ ଆଣିବ ନାହିଁ ? ଯେତେବେଳେ ଆସୁଥିବୁ, ଖାଲି ମାଉସୀଙ୍କ ହାତରୁ ଖାଇକରି ଯାଉଥିବୁ ଆଉ ଭାଉକଙ୍କ ପରସା ଏ ପାଟିରେ ବାଜିବ ନାହିଁ ?

 

ହସୁ ହସୁ ଚନ୍ଦ୍ରକାନ୍ତ କହେ–ଭାଉଜ ପରସା ବାଜିବ ନି କାହିଁକି ? ନିଶ୍ଚୟ ବାଜିବ । ମୁଁ ତ ବାବାଜୀ ହୋଇ ରହିବ ନାହିଁ ? ମାଆ ପରସା ଠାରୁ ବଳି ଅମୃତର ସ୍ଵାଦ ଆଉ କାହା ପରସାରେ ମିଳେ । ମୁଁ ତ ଜାଣିନି ।

 

–ମାଆ ପରସା ତ ସଦାବେଳେ ଅମୃତ–ଜନ୍ମରୁ ମଲା ପର୍ଯ୍ୟନ୍ତ । କିନ୍ତୁ ମଝିରେ ଏପରି ଗୋଟାଏ ସମୟ ଆସେ ଯେତେବେଳେ ମା ପରସା ଭଲ ଲାଗେନି; ଆଉ ଜଣକ ପରସା ମା ଠାରୁ ସ୍ୱାଦ ଲାଗେ । ସେ ସମୟ ଅବଶ୍ୟ ଅଢ଼େଇଦିନିଆ ।

 

–ମୋର କ’ଣ ସେ ସମୟ ଆସି ଗଲାଣି !

 

–ଶୁଣ, ଛୋପରା ହେଉଛନ୍ତି । ଦିନକୁ ଦିନ ପିଲା ହୋଇ ଯାଉଛନ୍ତି ମ ! ବଅସଗୁଡ଼ା କେଉଁଠି ବସିଛି କି ? ତୁମ ଠାରୁ ସାତ ସାନ ହୋଇ ମୁଁ ଗୋଟାଏ ପିଲାର ମାଆ ହେଲିଣି । ଆଉ ତୁମେ....

 

–ଓ ହୋ ମୁଁ । ତୋଠାରୁ ବଡ଼ ଯେତେବେଳେ ବାପା ହେବା କଥା । କିନ୍ତୁ କ’ଣ କରିବି-? ତୁ ତ ମୋତେ ଛାଡ଼ି ଆଗ ମାଆ ହୋଇଗଲୁ ! ବାପା ହେବାପାଇଁ ମୋର ବିଳମ୍ବ ସେଥିପାଇଁ ହୋଇଗଲା ।

 

–ଛିଃ; ଏ ବୟସରେ ବି ତୁମ ବେହିଆ ପଣ ଗଲାନି କହି ସୁଲି ଛାଟିପିଟି ହୋଇ ଚନ୍ଦ୍ରକାନ୍ତ ଆଗରୁ ପଳାଇଲା । ମନରେ ତା’ର ସନ୍ଦେହ, ପାଟି ଯେତେବେଳେ ଫିଟିଲାଣି ହୁଏତ ଆଉ କେତେ କ’ଣ କହଯିବେ.....

 

ସୁଲି ଯିବାପରେ ଚନ୍ଦ୍ରକାନ୍ତ ଭାବୁଥିଲା–ବାହା ଦେଲା ପରେ ମଣିଷ କ’ଣ ଏପରି ଅଭିଜ୍ଞ ହୋଇଯାଏ ଯେ ନିଜଠାରୁ ବୟସ୍କ ଅବିବାହିତ ବ୍ୟକ୍ତିକୁ ବି ଉପଦେଶ ଶୁଣାଏ ? ନିଜକୁ ସଂସାର ବିଷୟରେ ବେଶୀ ସଚେତନ ବୋଲି ଜାହିର କରେ !

 

ବିବାହିତମାନେ ଅବିବାହିତମାନଙ୍କ ଆଗରେ ବେଳେ ବେଳେ ଏମିତି ବି ହୁଅନ୍ତି ।

 

କାହିଁକି ଯେ ଏପରି ହୁଅନ୍ତି ଏ କଥା ବିଶ୍ଳେଷଣ କରିବା ପାଇଁ ଯେତିକି ଉପାଦାନ ଲୋଡ଼ା ସେତେକ ଚନ୍ଦ୍ରକାନ୍ତ ମନରେ ସେତେବେଳେ ନଥିଲା । ସେତେବେଳେ ତା ମୁଣ୍ଡରେ ଇକୋନୋମିକ୍‌ସର ସୂତ୍ର ଆଉ ଓଡ଼ିଆ ସାହିତ୍ୟର ଉତ୍ପତ୍ତି କେଉଁଠୁ–ଖେଳୁଥିଲା ।

 

ଚକ ଗଡ଼ିଗଲା ପରି ସମୟ ଗଡ଼ିଚାଲେ । ବି. ଏ. ପରୀକ୍ଷା ଦେଇ ସାରି ଚନ୍ଦ୍ରକାନ୍ତ ଗାଁକୁ ଆସିଥାଏ । ଫଳ ବାହାରି ନଥାଏ । ପର୍ଯ୍ୟାପ୍ତ ସମୟ କଟୁ ନଥାଏ । ଅସର ହୋଇ ଉଠୁଥାଏ । କଲେଜ ଜୀବନର ପଢ଼ାବହିକୁ ପରୀକ୍ଷା ପରେ ଦେଖିବାକୁ ବିଷପରି ଲାଗୁଥାଏ । କେତେ ପଢ଼ିବ ସେ କ୍ୟାରିଅର ଆଣ୍ଡ୍‌ କୋର୍ସେସ୍‌କୁ, କରେଣ୍ଟ ଇଭେଣ୍ଟକୁ ? ବଡ଼ ବିରକ୍ତ ଲାଗେ, ଗାଁରେ ବୁଲିବାକୁ ବି ଭଲ ଲାଗେନାହିଁ । କାହା ସହିତ ମିଶିବାକୁ ଇଚ୍ଛା ହୁଏ ନାହିଁ । ଗାଁଟାରେ ଉପରକୁ ଚାହିଁଲେ ସମସ୍ତେ ବୟସ୍କ । ତଳକୁ ଚାହିଁଲେ ସମସ୍ତେ ପିଲା । ବାକୀ ଯେଉଁ କେତେଜଣ ସାଙ୍ଗ ଥାନ୍ତି ସମସ୍ତେ ସଂସାରୀ । ଖେତବାଡ଼ି, ପ୍ରାଇମେରୀ ସ୍କୁଲରେ ମାଷ୍ଟେରୀ କିମ୍ବା କୌଳିକ ବୃତ୍ତିରେ ବ୍ୟସ୍ତ । ପ୍ରାୟ ଅଧିକାଂଶଙ୍କ କୋଳପୂର୍ଣ୍ଣ । ଖଟି ଖଟି ଆସିଲେ ଫାଁଗାଳି ଘରେ କବାଟ କିଳି ପଶନ୍ତି । ଫାଲ୍‌ତୁ ଗପିବାକୁ ବେଳ କାହିଁ ? ପୁଅ କି ଝିଅକୁ ଧଇଲେ ତା ମା ଦି, ତିନି ପାଇଟି କରିବ–ବାହାରେ ଚନ୍ଦ୍ରକାନ୍ତ ସଙ୍ଗେ ବସି ଗପିବାକୁ ବେଳ କାହାର ଅଛି ?

 

ଓଡ଼ିଶା ଭୂଇଁରେ ପୁଅ ପାଠ ପଢ଼ୁଛି ତ ପଢ଼ୁ । ଝିଅ ପାଠ ପଢ଼ୁଛି ତ ପଢ଼ୁ । ବୟସ ଯଦି ପନ୍ଦର କି ଷୋହଳ, ପାଠ ପଢ଼ା ଯଦି ବନ୍ଦ ହେଲା ତେବେ ବନ୍ଧନରେ ସେଇ ପୁଅ ଆଉ ଝିଅଙ୍କୁ ବନ୍ଦୀ କର । ନଚେତ୍ ନଷ୍ଟ ହୋଇଯିବେ । ବୋପା ମାଙ୍କୁ ପଚାରିବେ ନାହିଁ । ନାତି ଦେଖି ମଲେ ନାତି ସରଗକୁ ବତୀ ଦେଖାଇବ । ଆଜି କାଲି ବି ଗାଁ ଗହଳରେ ଏ ପ୍ରଥା ଅଳ୍ପ ବହୁତରେ ଅଛି । ପୁଅ ବାପାଙ୍କୁ ନାତି ଉପହାର ଦେଇ ନିଜ ଜୀବନକୁ ନାତିଦୀର୍ଘ କରି ବସେ । ଉପାର୍ଜନର ଶକ୍ତି କମିଯାଏ । ଜୀବନ ପାଇଁ ଜୀବନିକା ଖାଇବାକୁ ପାଏନାହିଁ ।

 

ଚନ୍ଦ୍ରକାନ୍ତର ପଞ୍ଝାଏ ସାଙ୍ଗ ସେତେବେଳକୁ ପିତୃସତ୍ୟ ପାଳି ରାମଚନ୍ଦ୍ର ସାଜିଥାନ୍ତି । ପଞ୍ଜୁରୀ ଭିତରେ ପଶିଥାନ୍ତି । ଆଉ ସ୍ଵାଧୀନତା ଅଛି ଯେ ଆସିବେ ?

 

ହସ ଲାଗେ ଚନ୍ଦ୍ରକାନ୍ତକୁ । ଏ ବି ତ ଜୀବନ । ଏଥିରେ ବି ସ୍ଵାଦ ଅଛି । ଏଥିରେ ବି ଉପଭୋଗ କରିବାର ଉପାଦାନ ଅଛି ।

 

ପୁଣି ବରଷ ଦୁଇଟା ପରେ ସୁଲି ସଙ୍ଗେ ସାକ୍ଷାତ୍ ।

 

ଏ ଭିତରେ ସୁଲି ବୁଢ଼ୀ ହେଲାପରି ଦିଶୁଥାଏ । ସତେକି ଦଶବର୍ଷ ତା ବୟସ ଚନ୍ଦ୍ରକାନ୍ତଠାରୁ ଆଗେଇ ଯାଇଛି । ରଙ୍ଗ ତା’ର ମଉଳି ଗଲାଣି । ଜଞ୍ଜାଳ ବଢ଼ି ଗଲାଣି । ସମୟ ନାହିଁ ଗପିବାକୁ ଅଳସ ଭାଙ୍ଗିବାକୁ ଫୁରସତ ନାହିଁ ।

 

ହଠାତ୍‌ ଦେଖା ହୋଇଗଲା । କହିଲା ଭାଇ, ଏପର୍ଯ୍ୟନ୍ତ ବି ଭାଉଜ ଆସିନାହାନ୍ତି ? କ’ଣ ବାହା ନହୋଇ ବୁଢ଼ା ହେବ !

 

–ସୁନାଖଡ଼ିକା ପରି ଭାଉଜଟିଏ ମିଳିଲେ ସିନା ଆଣିବା ?

 

–ହଁ, ସୁନାଖଡ଼ିକା ପରି ଭାଉଜ ମିଳିଲେ ସିନା ତାକୁ ବେକରେ ହାର କରି ବୁଲିବ–ତଥାପି କେତେ ତ ଆସୁଥିବେ–ସେଥିରୁ ଗୋଟିଏ ପସନ୍ଦ କରୁନ–ହସି ହସି ସୁଲି କହିଲା ।

 

–ଆସୁ ନାହାନ୍ତି କ’ଣ, ଆସୁଛନ୍ତି । କିଏ ଉଚ୍ଚ କପାଳୀ ତ କିଏ ଚିଲା ଆଖି । କିଏ କାଳୀକୁ ଶ୍ୟାମଳୀ କହୁଛି ତ କିଏ କହେ ଦାନ୍ତ ଦୁଇଟା ସିନା ବଡ଼ କିନ୍ତୁ ଦାନ୍ତୁରୀ ନୁହେଁ, ମୁଖଦାନ୍ତୁରୀ । ହେଲେ....

 

–ହେଲେ କ’ଣ ? ଚନ୍ଦ୍ରକାନ୍ତ ମୁହଁରୁ କଥାକୁ ଛଡ଼ାଇ ନେଇ ସୁଲି ପ୍ରଶ୍ନ କଲା ।

 

ସୁଲି ପ୍ରଶ୍ନର ଉତ୍ତର ଯାହା ଦେଇଥାନ୍ତା କିନ୍ତୁ ଚନ୍ଦ୍ରକାନ୍ତର ତଣ୍ଟି ଅଠା ଅଠା ହୋଇ ଆସିଲା । ମନର ଭାବନା ମୁହଁ ଖୋଲି ଆସି ପାରିଲା ନାହିଁ । ଲାଜ ଫିଟାଇ ସେ କହିପାରିଲା ନାହିଁ ଯେ ରୂପ, ଗୁଣ କେଉଁଥିରେ ଊଣା ନଥିବା ତୋରିପରି ଝିଅଟିଏ ମୋର ଦରକାର । ଭଗବାନ କ’ଣ ଦୁଇଟା ମଣିଷ ଏକପରି ଗଢ଼ନ୍ତି କି ? କେବେ କଦବା ଭଗବାନଙ୍କର ଭୁଲ ହୋଇଯାଇ ପାରେ । ସେଇ ଭୁଲଟା ଯାହା ଭାଗ୍ୟରେ ଜୁଟେ ସେ ନିଜକୁ ଭଗ୍ୟବାନ ମଣେ ।

 

କଥାର ସୁଅକୁ ବୁଲାଇ ନେଇ ଚନ୍ଦ୍ରକାନ୍ତ କହିଲା–ହେଲେ ଭାଉଜ ପସନ୍ଦ ନଣନ୍ଦ ସିନା କରନ୍ତା ! କିନ୍ତୁ ନଣନ୍ଦ ତ ତା’ର ପସନ୍ଦ କରି ସୁଖରେ ରହିଲା । ମନେ ମନେ ଭାବୁଛି ଭାଇକୁ ବାହା ହୋଇ ଯିଏ ଘରକୁ ଆସିବ ସେ ତ ତା’ର ଭଉଜ ହେବ । ଏୟା ନାଁ ସୁଲି !

 

ହସିଦେଲା ସୁଲି । କହିଲା ଏଡ଼େ ଚତୁର ତୁମେ ? କ୍ଷୋଭର ଗୋଟାଏ ନିଶ୍ୱାସ ଟାଣି କହିଲା–ବୁଝିଲ ଚନ୍ଦ୍ର ଭାଇ, ତୁମେ ବାହା ନ ହୋଇ ବଡ଼ ଶାନ୍ତିରେ ଅଛ । ଏ ଜଞ୍ଜାଳ, ଝିନ୍‌ଝଟ୍‌ ଏହାଠାରୁ ବହୁ ଦୂରରେ ଅଛ । ସଂସାର କଲାପରେ ମଣିଷ ମେସିନ୍ ହୋଇଯାଏ । ବାର ଲୋକଙ୍କର ମନକୁ ନେଇ ଚଳିବାକୁ ହୁଏ । ସ୍ଵାମୀ-ସେ ତ ପର ପୁରୁଷ । ତା ମରଜି ଜଗି ଆଗ ଚଳିବ । ତାପରେ ଘରେ ଶାଶୁ, ଶ୍ୱଶୁର, ନଣନ୍ଦ, ଝିଆରୀ, ପୁତୁରା, ଦିଅର ସମସ୍ତଙ୍କୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେବାକୁ ହେବ । ପାନରୁ ଚୂନ ଖସିଲେ ଭାଗବତ ଅଶୁଦ୍ଧ । କାହା ନିକଟରେ ଭକ୍ତି କିମ୍ବା ସ୍ନେହ କେଉଁଥିରେ ଟିକେ ଉଣା ହେଲେ ସେମାନଙ୍କର ମନ ଉଣା ପଡ଼ିଯାଏ । ସେମାନେ ମୁହଁ ଫୁଲାନ୍ତି । ବାରକଥା ଫୋ ଫା କରି ମୁହଁରେ କହନ୍ତି । ଦେଖାଇ ଶିଖାଇ ବାରକଥା କହନ୍ତି ।

 

ହସି ହସି ଚନ୍ଦ୍ରକାନ୍ତ କହିଲା–ତୁ ତ ମୋ ଆଗରୁ ସଂସାର କଲୁଣି । ବୟସରେ ସାନ ହେଲେ ମଧ୍ୟ ତୋର ଏ ବିଷୟରେ ଅଭିଜ୍ଞତା ବେଶୀ । ଏ ସବୁ ତୁ ଯାହା କହିଲୁ ତା ତୁମ ଝିଅମାନଙ୍କ କଥା । ଆମମାନଙ୍କ କଥା କିଛି ତ କହିଲୁ ନାହିଁ ?

 

–ତୁମମାନଙ୍କ କଥା କ’ଣ କହିବି ? ଯଦି ରମଣୀ-ରଙ୍କୁଣା ତୁମେ ହୁଅ, ତୁମ କଥା ସରିଲା । ଯଦି ବାହାହେଲା ପରେ ସ୍ତ୍ରୀ ପାଖରେ ବସି ରହିବ, ତାରି ପ୍ରଶଂସା କରି ବସିବ, ତାରି ପୟରରେ କୋୟର ହୋଇ ଖଟିବ କିମ୍ବା ତାରି ସୁନ୍ଦର ମୁହଁକୁ ଚାହୁଁଥିବ, ନୁଣ ଘେନି ଭାତ ଖାଉଥିବ ତେବେ ତ ତୁମର ସଂସାର ବେଶ୍‍ ଚାଲିଲା ! ବାପା କହିବେ ପୁଅ ମୋର କୁପୁତ୍ର । ମା କହିବେ ବୋହୂ ଶିକ୍ଷାରେ ପୁଅ ପଡ଼ିଲା, କି ଅଘୋରୀ ଘରୁ ଝିଅ ଆଣିଲି ଯେ ତା’ର ପରା ଭେଣ୍ଡା ପୁଅକୁ ମୋର ଗଦ ଶୁଘାଂଇ ମେଣ୍ଢା କରି ରଖିଲାଣି । ନଣନ୍ଦ କହିବ ଭାଇଟା ମୋର ମାଇପ ବୋଲା । ବାହା ହେଲାପରେ ତୁମର କର୍ତ୍ତବ୍ୟ ବହୁତ । ଆମ କଥାତ ଚଳିଯିବ, କିନ୍ତୁ ତୁମମାନଙ୍କର କଥା ଏକବାରେ ଅଚଳ । ସମସ୍ତଙ୍କୁ ଆପଣାର କରିବ । ମା, ବାପା, ଶାଶୁ, ଶ୍ୱଶୁର, ଶଳା, ଶାଳୀ, ଭାଇ, ଭଉଣୀ ଆଉ ସମସ୍ତଙ୍କ ପରେ ନିଜ ସ୍ତ୍ରୀ । ଏ ସମସ୍ତଙ୍କୁ ଦେଖିବାକୁ ହେବ । ତେବେ ଯାଇ ସଂସାର କରିବ ।

 

ଆଶ୍ଚର୍ଯ୍ୟ ହେଲାଭଳି ଚନ୍ଦ୍ରକାନ୍ତ ପଚାରିଲା–ମୁଁ କ’ଣ ଏତେ କଥା କରିପାରିବ ସୁଲି ? ତୋର ବିଶ୍ୱାସ ହେଉଛି ?

 

ମୋର ବିଶ୍ୱାସ ଅବିଶ୍ୱାସ ଉପରେ ତୁମର କର୍ତ୍ତବ୍ୟ ତ ନିର୍ଭର କରୁନାହିଁ ? ତୁମେ ମରଦ ପୁଅ । ପାଠ ପଢ଼ିଛ । ବିଦ୍ୟା ଅଛି । ବୁଦ୍ଧି ବି ଅଛି । ଏଇ ଗାଁରେ ବାର ଅଶିକ୍ଷିତ ପିଲା ଯେଉଁଗୁଡ଼ା କରି ପାରୁଛନ୍ତି ସେଗୁଡ଼ାକ ଯଦି ତୁମେ ନକରି ପାରିବ ତେବେ ତୁମକୁ ଦୋଷ ଦେବି ନା ତୁମର ପାଠକୁ ଦୋଷ ଦେବି ?

 

ସୁଜାତାର ଚିଠି ଖଣ୍ଡି ପଢ଼ି ସାରିଲା ପରେ ଚନ୍ଦ୍ରକାନ୍ତ ଭାବିଲା–ସୁଲି ଗାଁର ଅପାଠୋଇ ଝିଅ । ସହରର ଆଲୁଅ ସେ ଦେଖିନି । ସଭ୍ୟତା କହିଲେ ତାକୁ କିମ୍ଭୁତ ପରି ଜଣାପଡ଼େ । ସେ ଯାହା କହିଥିଲା ସେକଥା କେଡ଼େ ବାସ୍ତବ ! କେଡ଼େ ନିଷ୍ଠୁରସତ୍ୟ ! ସେତେବେଳେ ଏ କଥା ଗୁଡ଼ାକର ଓଜନ ସେ ବୁଝି ପାରି ନଥିଲା । ହସରେ ସୁଲିର କଥା କେଇପଦ ଉଡ଼ାଇ ଦେଇଥିଲା । ଅଳସ ମୁହୂର୍ତ୍ତରେ ଜଣେ ତରୁଣୀ ସହିତ ଅବିବାହିତ ଜୀବନରେ କଥାହୋଇ ମାଦକତା ଅନୁଭବ କରିଥିଲା ।

 

ବର୍ତ୍ତମାନ ଚନ୍ଦ୍ରକାନ୍ତ ସୁଲି କଥାର ଗୁରୁତ୍ୱ ବୁଝିପାରୁଛି ।

 

ସମସ୍ତଙ୍କର ମନ ନେବାରେ ତା’ର କର୍ତ୍ତବ୍ୟ ତ ସେ କରିଛି । କାହିଁକି ସୁଜାତା ଏଡ଼େବଡ଼ ଅବିଚାର କରି ବସିଲା ! ଦୋଷ କ’ଣ ତା’ର ପୌରୁଷତ୍ୱର ? ପାଠପଢ଼ାର ? ନା ସଂସାର ଯାତ୍ରାର ଏକ ଦିଗଦର୍ଶୀତାର ?

 

ଚିଠି ଖଣ୍ଡି ହାତରେ ଧରି ଲାଇବ୍ରେରୀ ଘରେ ବସି ଚନ୍ଦ୍ରକାନ୍ତ ଭାବୁଥିଲା । ତା’ର ଏ ଦୁର୍ଘଟଣାପାଇଁ ସେ କୃତକର୍ମର ପ୍ରାୟଶ୍ଚିତ କରୁନାହିଁ ତ ? ସୁଜାତାକୁ ସନ୍ତୁଷ୍ଟ କରିବାପାଇଁ ବୃଦ୍ଧ ପିତା ମାତାଙ୍କ ପାଖରେ ଅପରାଧୀ ହୋଇଛି । ସେମାନଙ୍କ ପ୍ରତି ତା’ର କର୍ତ୍ତବ୍ୟରେ ଯଥେଷ୍ଟ ହେଳା କରିଛି । ସେମାନେ ତା ପୁଅର ସନ୍ତୋଷପାଇଁ କେବଳ ବୋହୂ ଆଣି ନ ଥିଲେ ! ତାକୁ ବାହା କଲା ସମୟରେ ବୋଉ ଆଶା କରିଥିଲା ବୁଢ଼ୀଦିନେ ଆଉ ଚୂଲି ହାଣ୍ଡି ଧରିବ ନାହିଁ । ବାପାଙ୍କ ପାଖରେ ବସିବ । ପୁରାଣ ଶୁଣିବ । ବାପା ଆଉ ସେ ସହଳ ସହଳ ଦିମୁଠା ଖାଇବାକୁ ପାଇବେ । ଦେହରେ ମୁଣ୍ଡରେ ହାତ ମାରିବାକୁ ଝିଅ ଭଳି ବୋହୂଟିଏ ପାଇବେ । କିନ୍ତୁ ସେ ଆଶା ତା’ର ପୂରଣ ହେଲା ନାହିଁ । ପ୍ରତିଦିନ ଡାକଘରକୁ ଭଲ ମନ୍ଦ ଖବର ଜାଣିବା ପାଇଁ ଚାହିଁ ଚାହିଁ ନିରାଶ ହେଲା । ଜୀବନସାରା ସଂସାର ଯୁଦ୍ଧରେ ଯୁଝି ଯୁଝି କ୍ଳାନ୍ତ ହୋଇ ସେ ଦୁହେଁ ଯେତେବେଳେ ଶାନ୍ତି ଚାହୁଁଥିଲେ ତା ପାଇ ପାରିଲେ ନାହିଁ । ଅବଶୋଷରେ କହି ଉଠିଥିବେ–ଭଗବାନ କରନ୍ତୁ ପୁଅ ବୋହୂ, ସୁଖରେ ଘରସଂସାର କରନ୍ତୁ । ସୁଖରେ ରହନ୍ତୁ । ପୁଅ ଯେତେବେଳେ ଜନ୍ମ କରିଛନ୍ତି ତା’ର ଅମଙ୍ଗଳ କାମନା କରିପାରିବେ ନାହିଁ ? ଚୋର ମାଆ ଯେତେବେଳେ କାନ୍ଦେ କବାଟ କିଳି କାନ୍ଦେ-। କାହାକୁ କହିବେ । ପୁଅକୁ ବାହା କରି ବୋହୂ ଆଣିବା ପୂର୍ବରୁ ଗାଁରେ ସାଇ ପଡ଼ିଶାଙ୍କ ଆଗରେ ବଡ଼େଇ କରି କେତେ ପ୍ରକାର କଥା କହିଥିବେ । ମୋ ପୁଅ କ’ଣ ଏପରି ହେବ ? ସେ ମୋ ପୁଅଟି-। ଯେତେ ଜାଗାରୁ ପ୍ରସ୍ତାବ ଆସିଲା, କନ୍ୟା ଦେଖିବାକୁ କହିଲି–ଜମା ମଙ୍ଗିଲା କି ? କହିଲା ତୁମ ଇଚ୍ଛା ଯାହା ତୁମେ କରିବ । ମୋତେ ପଚାରୁଛ କ’ଣ ? ତୁମେ କାଳୀ ବୋହୂ କଲେ ତୁମ ଘରକୁ କରିବ । ଗୋରୀ ବୋହୂ କଲେ ତୁମ କୂଳକୁ କରିବ । ମୋର ଦେଖିବାର କ’ଣ ଅଛି ?

 

ପୁଅକୁ ବାହା କରି ଶିକ୍ଷିତା ବୋହୂ ଘରକୁ ଆଣିଲେ । ପୁଅ ଏତେ ପାଠ ପଢ଼ିଛି । ବୋହୂ, ଅପାଠୋଇ ହେଲେ କାଳେ ପୁଅ ପସନ୍ଦ କରିବ ନାହିଁ ! ଆମେ ବୁଢ଼ା ବୁଢ଼ୀ ତ ପାଚିଲା ପତ୍ର । ଆଜି ପାଚି ଝୁଲୁଛୁ । କାଲି ଟିକେ ପବନରେ ଦୋହଲି ଖସି ପଡ଼ିବୁ । ସେମାନେ ତାଙ୍କ ସଂସାର କରିବେ । ସେମାନେ ସୁଖରେ ରହିଲେ ହେଲା । ଶାନ୍ତିରେ ଘରସଂସାର କଲେ ହେଲା । ପୁଅ ପସନ୍ଦକୁ ନ ପାଇଲା ଭଳି କାମ କଲେ ସିନା ଭବିଷ୍ୟତରେ ପୁଅ କହି ବସିବ ଯେ ବାପା କି ମାଆ ମୋତେ ଭସାଇ ଦେଲେ ! ସେମାନଙ୍କ ଉପରେ ନିର୍ଭର କଲି ବୋଲି ମୋତେ ଚାହିଁଲେ ନାହିଁ-। ଲୁହ ନ କାନ୍ଦି ରକତ କାନ୍ଦିକାନ୍ଦି ଜୀବନସାରା ଅଶାନ୍ତିରେ କଟାଇବା । ତା ଅପେକ୍ଷା ବରଂ....

 

ଶିକ୍ଷିତା ବୋହୂ ଆସୁ । ଶାଶୁ ଶ୍ୱଶୁରଙ୍କ ସେବା ନକରି କେବଳ ପତିସୋହାଗିନୀ ହେଉ ଏୟା କ’ଣ ସେମାନେ ଚାହିଁଥିଲେ ! ଚନ୍ଦ୍ରକାନ୍ତର ମନଭିତରୁ ଯେପରି କିଏ ଚିତ୍କାର କରି କହି ଉଠିଲା ହଁ, ହଁ, ସେମାନେ ସେୟା ଚାହିଁଥିଲେ । ସେମାନଙ୍କର କର୍ତ୍ତବ୍ୟ ପୁଅର ସୁଖ ଶାନ୍ତି ଦେଖିବା-। ପୁଅର କ’ଣ ସେପରି ବାପା ମାଆଙ୍କର ଭଲ ମନ୍ଦ ଦେଖିବା କର୍ତ୍ତବ୍ୟ ନୁହେଁ । ସେମାନ ସେମାନଙ୍କର କର୍ତ୍ତବ୍ୟ କରିଛନ୍ତି ।

 

ସେ କ’ଣ କରି ବସିଛି ?

 

ବାହାହେବାର ବରଷ ଗୋଟାଏ ନ ପୁରୁଣୁ ଖାଇବା ପିଇବାରେ ହଇରାଣ ହେବାର ଛଳନା କଲା । ସୁଜାତାର ଶିକ୍ଷାରେ ପଡ଼ିଲା । ନିଜ ବିବେକକୁ ବଳିଦେଲା । ସେମାନଙ୍କ ପାଖରୁ ସୁଜାତାକୁ ଛଡ଼ାଇ ଆଣିଲା । ପତ୍ନୀର ଉଷୁମ ଛାତିର ପରଶ ପାଇବା ପାଇଁ ମମତାମୟୀ ମାଆର ବୁକୁର ବ୍ୟଥା ବୁଝିପାରିଲା ନାହିଁ ।

 

ସେମାନେ ଭଲ ନ ଖାଇ, ଭଲ ନ ପିନ୍ଧି ଶେଷ ଜୀବନରେ ଏଇ ସୁଖ ପାଇବା ପାଇଁ ସର୍ବସ୍ୱ ତ୍ୟାଗ କରି ତାକୁ କ’ଣ ମଣିଷ କରିଥିଲେ ?

 

ଯେଉଁ ଅଶାନ୍ତିର ନିଆଁ ସେ ଦିନେ ବାପା, ମାଆଙ୍କର ଅନ୍ତରରେ ଜଳାଇ ଦେଇଥିଲା, ସେଥିରେ ସେ ଆଜି ସନ୍ତୁଳି ହୋଇ ମରୁଛି–ସେ ଅସନ୍ତୋଷ ଆଜି ତା ପଛରେ ଗୋଡ଼ାଇଛି ।

 

ସୁଜାତା ଚାଲିଯାଇଛି । ଠିକ୍‍ କରିଛି । ଆତ୍ମବିଶ୍ଳେଷଣ କରିବା ପାଇଁ ବହୁତ ଖୋରାକ ତାପାଇଁ ଯୋଗାଇ ଦେଇ ଯାଇଛି । ସେ ନିଜେ ନିଜକୁ ଖିନ୍ ଭିନ୍ କରି ପରୀକ୍ଷା କରି ଦେଖୁ । ଭକ୍ତି, ସ୍ନେହ, ମମତା ଓ ଉଦାରତା କେଉଁଥିରେ ସେ ପାତର ଅନ୍ତର କରି ବସିଛି ? କେଉଁଥିରେ ତା’ର ଭୁଲ ରହି ଯାଇଛି ?

 

ଚିଠି ଖଣ୍ଡି ମୋଡ଼ିମାଡ଼ି ଚିରି ଦେବାକୁ ଚନ୍ଦ୍ରକାନ୍ତ ଉଦ୍ୟତ ହେଲା । ଚିନ୍ତାରେ ତା’ର ବିଭ୍ରାଟ ଦେଖାଗଲାଣି । ଢିଙ୍କିଶାଳଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ କେତେଆଡ଼ୁ କେତେ ପ୍ରକାର ଅନାବନା ଚିନ୍ତା ତା ମୁଣ୍ଡରେ ପ୍ରବେଶକରି ତା’ର ମସ୍ତିଷ୍କର ସ୍ନାୟୁତନ୍ତ୍ରୀକୁ ଉତ୍ତପ୍ତ କରିଦେଲାଣି ।

 

କେବଳ ଏହି ଭାବନାହିଁ ତା’ର ଶତ୍ରୁ ହୋଇଛି ।

 

ମନ ଭିତରୁ କିଏ ଯେପରି କହି ଉଠିଲା–ସେ ଚିଠି ଖଣ୍ଡିକ ଉପରେ ବୀରତ୍ୱ ଦେଖାଇ ତାକୁ ନଷ୍ଟ କରିଦେବା ଅପେକ୍ଷା ସେ ଖଣ୍ଡ ସାଇତି ରଖିଲେ ଭବିଷ୍ୟତରେ ଦରକାର ବେଳେ କର୍ମରେ ଆସିବ । ବର୍ତ୍ତମାନ ସେଟା ସିନା ତୋ ପାଖରେ ମୂଲ୍ୟହୀନ-କିନ୍ତୁ ଭବିଷ୍ୟତରେ ଖୋଜିଲେ ପାଇବୁ ନାହିଁ–ସାଇତି ରଖ ।

 

ଲଫାପା ଭିତରେ ଚିଠି ଖଣ୍ଡ ଭର୍ତ୍ତିକରି ନିଜର ପର୍ସନାଲ ଫାଇଲ ଭିତରେ ଚନ୍ଦ୍ରକାନ୍ତ ଗୁଞ୍ଜି ଦେଲା ।

 

ଅତୀତର ସ୍ମୃତି ବହନ କରି ଯେଉଁ ନାଗ ସାପ ତାକୁ ଦଂଶନ କରିବାକୁ ଆସିଥିଲା, ସେ ଯେପରି ପେଡ଼ି ଭିତରେ ମୁହଁମାଡ଼ି ଶୋଇଗଲା ।

 

ସେ ଘରେ ମୁନ୍ନା କାନ୍ଦୁଛି । ରାହା ଧରି କାନ୍ଦି ଉଠିଛି ।

 

ଚନ୍ଦ୍ରକାନ୍ତ ଚେମ୍ବାର ଛାଡ଼ି ମୁନ୍ନା ପାଖକୁ ବାହାରିଲା । ମନେ ମନେ ଭାବିଲା ଯାଃ–ମାଆଟା ଗଲାଦିନୁ ପିଲାଟା କିପରି ଏକଜିଦିଆ ହୋଇ ଉଠିଛି । ଯେମନ ମାଆକୁ ତେମନ ପୁଅ ।

 

ଦୁହେଁ ଯେପରି ମିଳିମିଶି ତା ଉପରେ ଦାଉ ସାଧିବାକୁ ଆରମ୍ଭ କରି ଦେଇଛନ୍ତି ।

 

ଶେଷ ପଉଷର ଏକ ନିହିତ ଗୋଧୂଳି....

 

କୌଣସି ଏକ ମକଦ୍ଦମା ସଂକ୍ରାନ୍ତରେ କଥାବାର୍ତ୍ତା କରିବାକୁ ସୁବ୍ରତ ସେଦିନ ଚନ୍ଦ୍ରକାନ୍ତର ଚେମ୍ବରକୁ ଆସିଥିଲା ।

 

ସୁବ୍ରତ ରାଉତରାୟ ।

 

ଏକ ରୁଦ୍ଧିମନ୍ତ କ୍ଷୟିଷ୍ଣୁ ସାମନ୍ତ ବଂଶର ଶେଷ ପ୍ରଦୀପର ଏକ ଶିଖା । ସାମନ୍ତବାଦର ଉଗ୍ର ଭାବଧାରା ତାରି ରକ୍ତରେ ପ୍ରବାହିତ । ଇତିହାସ କହେ ଜମିଦାରୀ ପ୍ରଥା ଲୋପ ପାଇବା ପୂର୍ବରୁ ସେ ବଂଶର ପ୍ରତିପତ୍ତି ପ୍ରବଳ ଥିଲା । ଯାହା କହନ୍ତି ମୁହଁର କଥା ଆଇନ । ତାକୁ ନ ମାନିବାକୁ ଚାରା କାହାର ନ ଥିଲା । ଦାଣ୍ଡରେ ତାଙ୍କର ଘୋଡ଼ାଶାଳ ଥିଲା । ମୋତି ମାଣିକ ବୋଲି ଦୁଇଟି ଘୋଡ଼ା ଥିଲେ । ପିଲାଦିନେ ଅଝଟ ହେଲେ ସୁବ୍ରତକୁ ସେଇ ଘୋଡ଼ା ପିଠିରେ ବସାଇ ତାଙ୍କ ଘୋଡ଼ା ସଇସ ଚଇତା ଦାଣ୍ଡରେ ବୁଲାଇ ଆଣୁଥିଲା । ପ୍ରତି କଥାରେ ସେ ବଂଶର ଲୋକ, ମୁଁ ନ କହି ଆମେ କହୁଥିଲେ । ମନରେ ଅହଙ୍କାର ଥିଲା । ସମସ୍ତଙ୍କଠାରୁ ନିଜକୁ ଅସାଧାରଣ ବୋଲି ଭାବିବା ସେ ରକ୍ତର ବିଶେଷତ୍ୱ ଥିଲା । ସେଇ କୋଠା ଘରର ପାଟ ଅଗଣାରେ ଖେଳିବା ବ୍ୟତୀତ ବାହାରେ ଗାଁ ପିଲାଙ୍କ ସହିତ ମିଶିବାକୁ ମନାଥିଲା । ଅନ୍ୟ ପିଲାଙ୍କ ସହିତ ଧୂଳିଖେଳିବା ସେ ଘରର ଆଭିଜାତ୍ୟର ବାହାରେ ଥିଲା ।

 

ରାଜସ୍ୱ ଅନାଦେୟରେ ଜମିଦାରମାନେ ପ୍ରଜାମାନଙ୍କୁ କଠିନ ଦଣ୍ଡ ଦେଉଥିଲେ । ସେମାନେ ଥିଲେ ଶାସକ । ସାମାନ୍ୟ ସାମାନ୍ୟ କଥାକୁ ଖୁବ୍ ବିରାଟକରି ତୋଳୁଥିଲେ ଏବଂ ସମୟ ସମୟରେ ନିଜର ମନକୁ ପାଇଲାଭଳି ଖୁବ୍ ବିରାଟ ଭୁଲକୁ ମଧ୍ୟ ସାମାନ୍ୟ କହି ଫୁତ୍କାରରେ ଉଡ଼ାଇ ଦେଉଥିଲେ । ଅର୍ଥର ପ୍ରାଚୁର୍ଯ୍ୟ ଥିଲା । ଅଭାବର ଅମାବାସ୍ୟା ଦିନକ ପାଇଁ ସେ ଘରେ ଦେଖାଦେଇ ନଥିଲା । ଜୀବନର ସମସ୍ତ ବିଭାଗକୁ ପୂର୍ଣ୍ଣ ଉପଭୋଗ କରିବାର ସାମଗ୍ରୀ ପ୍ରଚୁର ଥିଲା । ସୁରା ଓ ସାକୀ-ଖାଣ୍ଟି କଥାରେ ମଦ୍ୟ ଓ ସୁନ୍ଦରୀ ନାରୀ ଜମିଦାରୀ ଆଭିଜାତ୍ୟର ଭୂଷଣ ଥିଲା । ଖୁବ୍‌ ମାମୁଲି କଥା । ବହୁ ପୂର୍ବରୁ ଏସବୁ ଜମିଦାରୀର ଇଜ୍ଜତ ରୂପେ ଚଳିଆସୁଛି । ଏଇ ରକ୍ତର ପ୍ରତି କଣିକାରେ ସେଇ ବିଷର ବୀଜ ଭରି ରହିଛି । ଜମିଦାର ପରେ ଜମିଦାର ଆସିଛନ୍ତି । ଏଇଭଳି ଲୀଳାଖେଳାକରି ଚାଲି ଯାଇଛନ୍ତି । ଶେଷ ଜୀବନରେ କିଏ ବାତରୋଗୀ, କିଏ ଚକ୍ଷୁହୀନ ଆଉ କିଏ ବା ମାନସିକ ବିକାରଗ୍ରସ୍ତ ହୋଇଛନ୍ତି । ଅସହାୟ ଅବସ୍ଥାରେ ଆଖି ଆଗରେ ତାଙ୍କରି ପୁତ୍ର କଳତ୍ରଙ୍କର ଶାସନ ନିରୀକ୍ଷଣ କରୁଥିଲେ । ବିଳାସ ବ୍ୟସନ, ଅତ୍ୟାଚାର ଆଉ ଅନାଚାରରେ ତାଙ୍କ ପୁଅ କ’ଣ ତାଙ୍କୁ ବଳିଗଲା କି ? ଏହି ଅସନ୍ତୋଷରେ ବର୍ହିପ୍ରକାଶ ହୁଏ ତାଙ୍କ ପାଖରେ ଥିବା କେତେଟା ତତ୍କାଳିକ ପାର୍ଶ୍ୱଚରଙ୍କ ସହିତ । ଯାଃ–ଆମ ବେଳର ସଉକି ଏ ପିଲାଏ କୁଆଡ଼ୁ କରିବେ-? ସେ କି ଯୁଗ ଥିଲା ଆଉ ଆଜିକାଲି......

 

ସୁବ୍ରତ ରାଉତରାୟ ସେତେବେଳକୁ କିଶୋର । ଷଷ୍ଠ ଶ୍ରେଣୀର ଛାତ୍ର । ଓଡ଼ିଶାର ଜନ-ପ୍ରତିନିଧି ସରକାର ଉପଯୁକ୍ତ କ୍ଷତିପୂରଣ ଦେଇ ଜମିଦାରୀ ସବୁ ଉଚ୍ଛେଦ କରିବାର ନିଷ୍ପତ୍ତି କଲେ । ଉଣେଇଶ ଶହ ଅଠଚାଳିଶ ପରେ ବୃହତ୍ତର ଓଡ଼ିଶା ଗଠନ ବେଳେ ରାଜାମାନଙ୍କର ଅନ୍ଧ ବୁଝାମଣାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ସେମାନେ ଆଉ ଶାସକ ହୋଇ ରହିଲେ ନାହିଁ । ସର୍ବସାଧାରଣଙ୍କ ପରି ଭୋଟ ଦେବାର କ୍ଷମତା ପାଇଲେ । ଭୋଟରେ ଠିଆହେବାପାଇଁ ହକ୍‌ଦାର ହେଲେ । ସମର୍ଥିତ ଗୋଷ୍ଠୀ ସଂଖ୍ୟାଗରିଷ୍ଠ ହେଲେ ସୁଦ୍ଧା ରାଜା ହେବାର ସ୍ୱପ୍ନ, ବିଫଳ ହେଲା । ଏଣିକି ମନ୍ତ୍ରୀ ହେବେ । ତାଙ୍କର ମନ୍ତ୍ରୀ ସବୁ କଥାକୁ ହାଜର ଥିଲେ । ରାଜାଙ୍କ ଛେପକୁ ହାତ ପାତି ଦେଉଥିଲେ । ରାଜା ଯାହା କହୁଥିଲେ ତାହା ବେଦର ଗାର । ତାହା ଆଇନ୍ । କଥା ବଦଳିଲେ ଆଇନ ବଦଳେ । ରାଜାରୁ ଖସି ଏମାନେ ମନ୍ତ୍ରୀ ହେଲେ କି ହେବେ କିନ୍ତୁ ଆଇନ ହେଉଛି ଆଇନ-। କଥା ପଦକରେ ଆଇନ ବଦଳି ପାରିଲା ନାହିଁ । ପ୍ରଜାଙ୍କ ପ୍ରତିନିଧିମାନଙ୍କଦ୍ୱାରା ମନ୍ତ୍ରୀଙ୍କୁ ପରିଚାଳିତ ହେବାକୁ ହେଲା । ନିଜର ସ୍ଵାଧୀନତା ନାହିଁ । ଦେଶ ପାଇଁ ବୃହତ୍ତର ସ୍ୱାର୍ଥକୁ ବିବେଚନା କରିବାକୁ ହେବ । ଶାସନ କ୍ଷମତାରେ ରହି ସଂକୀର୍ଣ୍ଣ ଦଳୀୟ ରାଜନୀତିକୁ ପ୍ରଶ୍ରୟ ଦେଲେ କିମ୍ବା ବ୍ୟକ୍ତିଗତ ସ୍ଵାର୍ଥପ୍ରତି ବିଶେଷ ଦୃଷ୍ଟି ଦେଲେ ଖାଲି ଯେ ଭୋଟଦାତାମାନଙ୍କଠାରୁ ଆସନ୍ତା ନିର୍ବାଚନରେ ବଞ୍ଚିତ ହେବେ ତା ନୁହେଁ, ଦରକାର ପଡ଼ିଲେ ସଦାଚାର ସମିତିରେ ବି ସେମାନଙ୍କର ବିଚାର ହେବ । ସେମାନଙ୍କୁ ବି ଆଇନର କାଠଗଡ଼ାରେ ଠିଆ ହୋଇ ଶପଥ ପାଠ କରିବାକୁ ହେବ–ଯାହା କହିବି ସତ କହିବି ।

 

ବଡ଼ ଭାଇ ରାଜାମାନଙ୍କର ପ୍ରତିପତ୍ତି ଯିବାର ଦିନ କେତେଟା ପରେ ସାନଭାଇ ଜମିଦାରମାନଙ୍କର ପାଳି ପଡ଼ିଲା ।

 

ହଜାରେ, ପାଞ୍ଚ ହଜାରେ କ୍ଷତିପୂରଣ ପାଇ ସବୁ ଜମିଦାରମାନେ ନିଜ ନିଜର ହାକିମୀ, ଅହଙ୍କାର ଆଉ ଗର୍ବକୁ ସରକାରଙ୍କୁ ଦେଇଦେବାପାଇଁ ବାଧ୍ୟ ହେଲେ । ପ୍ରଜାମାନଙ୍କ ହାତକୁ ଶାସନ ଗଲା । ବହୁଦିନ ଧରି ପ୍ରଜାମାନଙ୍କର ଅଶାନ୍ତିର ଲୁହରେ ଯେଉଁ ଜମିଦାରଙ୍କର କୋଠାର ଇଟା ଯୋଡ଼ା ହୋଇଥିଲା ସେଇ କୋଠାରୁ ଆଜିକାଲି ପ୍ରଜାମାନଙ୍କର ସ୍ଵସ୍ତି ନିଃଶ୍ୱାସରେ ଚୂନ ଖସି ପଡ଼ିଲାଣି ।

 

ଏତେ ବଡ଼ କୋଠାକୁ ରକ୍ଷଣାବେକ୍ଷଣ କରିବା ବି ସେମାନଙ୍କ ପକ୍ଷରେ ମୁସ୍କିଲ ହୋଇ ପଡ଼ିଲାଣି ।

 

ସୁବ୍ରତ ରାଉତରାୟ ସ୍କୁଲକୁ ବହି ନେଇ ପଢ଼ିବାକୁ ଗଲାବେଳେ ଦେଖୁଥିଲା ତାଙ୍କ କୋଠାରୁ ଚୂନ କେବେଠାରୁ ଖସିବାକୁ ଆରମ୍ଭ କଲାଣି । କାନ୍ଥ ଉପରେ ବର୍ଷ। ପାଣି ବୋହି ବୋହି ଶିଉଳୀ ଜମିଗଲାଣି । ସେଇ ଦଦରା କୋଠା ଭିତରୁ ସୁବ୍ରତ ରାଉତରାୟ ପାଠ ପଢ଼ିବାକୁ ବାହାରେ-

 

ବାପାଙ୍କର ବୟସ ହୋଇ ଯାଇଥାଏ । ଆଉ ପରିଶ୍ରମ କରିବାପାଇଁ ପରିଶ୍ରମ-କାତର ଉତ୍ତର ଚାଳିଶ ବୟସ ଆଉ ସମର୍ଥ ନଥାଏ । ମିତ୍ରଲାଭରେ କଥା ଅଛି ଯୌବନ, ଧନ ସମ୍ପତ୍ତି, ପ୍ରଭୁତ୍ୱ, ଅବିବେକିତା–ଏମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଅନର୍ଥର ହେତୁ । ଏଇ ଚାରୋଟିଙ୍କର କିନ୍ତୁ ରାଧାକାନ୍ତ ରାଉତରାୟଙ୍କ ଘରେ ସମନ୍ୱୟ ଘଟିଥିଲା । ଶିକ୍ଷା–ଯାହା ମାମୁଲି । କେବଳ ଲେଖି ପଢ଼ି ଶିଖିଥିଲେ । ପିଲାଦିନୁ ତ ମନ ଲାଗିଲା ବିଳାସବ୍ୟସନରେ, ଆମୋଦପ୍ରମୋଦରେ । ଦଶହାତ ଦୂରରେ ପାଠ ସଦାବେଳେ ରହିଲା । ଜମିଦାରଙ୍କ ପୁଅଙ୍କୁ ପାଠ ପଢ଼େଇବାକୁ ମାଷ୍ଟ୍ର ଆସନ୍ତି, କିନ୍ତୁ ପ୍ରବଳ ପରାକ୍ରମୀ ଜମିଦାରଙ୍କ ପୁଅ ପାଖକୁ ପାଠ ଡରରେ ଆସିପାରେ ନାହିଁ । ପାଠ ନ ଆସିଲେ ନ ଆସୁ କିନ୍ତୁ ଶ୍ରୀଅଙ୍ଗ ମାଷ୍ଟ୍ରେ ସ୍ପର୍ଶ କରି ପାରିବେ ନାହିଁ । ବଙ୍ଗୀୟରୀତିରେ ଗୁଡ଼ାଖୁ ଟାଣିବା ରାଧାକାନ୍ତ ରାଉତରାୟ ମହାପାତ୍ରଙ୍କର ଗୋଟାଏ ସଉକ ଥିଲା । ଯୌବନର ରଙ୍ଗୀନ୍‌ ଜ୍ୟୋତ୍ସ୍ନାରେ ବହୁ ଯୁବତୀଙ୍କର ରୂପର ଯମୁନାରେ ରାଧାକାନ୍ତ କେଳି କରୁଛନ୍ତି ।

 

ସେ ତ ଏ ବଂଶର ପରମ୍ପରା, ବୁନିଆଦି । ଆହୁରି ଭାଷାର ପଟୁଲଗାଇ କହିଲେ–ଆଭିଜାତ୍ୟର ନମୁନା !

 

ମଧୁମୟୀ ଦେବୀ ଏ ଘରକୁ ବୋହୂ ହୋଇ ଆସିବା ପରେ ଏ ବଂଶର ପରମ୍ପରାରେ ପରିବର୍ତ୍ତନ ବି ଆଣିପାରି ନଥିଲେ । ଜମିଦାରଙ୍କ ଅନ୍ତେବାସୀ ବଧୂମାନଙ୍କ ପରି ତାଙ୍କୁ ବି ପ୍ରିୟ ପ୍ରତୀକ୍ଷାରେ ରାତିସାରା ଜାଗରିତ ରହି ଲୋତକପାତ କରିବାକୁ ହେଉଥିଲା । ପ୍ରାଣପ୍ରିୟଙ୍କର ପରକୀୟା ପ୍ରୀତିରେ ହୃଦୟସିନ୍ଧୁ ତାଙ୍କର ଉଦ୍‍ବେଳିତ ହୋଇ ଉଠୁଥିଲା । କିନ୍ତୁ ସମାଧାନର ଉପାୟ ନଥିଲା । ମିତ୍ରଲାଭର ବିଷ୍ଣୁ ଶର୍ମା ପଣ୍ଡିତଙ୍କର ଉକ୍ତି ଯଥାର୍ଥ-‘କିମୁ ଯତ୍ର ଚତୁଷ୍ଟୟଂ’ । ଚାରୋଟି ଜିନିଷ ଏକତ୍ର ହେବା ଫଳରେ ସାଧାରଣତଃ ମନୁଷ୍ୟ ଯାହା ହେବାର କଥା ଜମିଦାର ରାଧାକାନ୍ତ ରାଉତରାୟ ତାହାହିଁ ହୋଇଥିଲେ । ସ୍ତ୍ରୀ ମଧୁମୟୀ ଦେବୀଙ୍କର ସମୟ ଦିନା କେତେ ଅସର ହୋଇ ଉଠିଥିଲା । ନିଃସଙ୍ଗତା ତାଙ୍କ ମନରେ ବ୍ୟଥାର ଗାର ଟାଣିଲା । ମନ ପାହାଚରେ ମନର ମୟୁରୀ ଏକାକୀ ବସି ବିଳପି ଉଠିଲା । ଶେଷରେ ସେ ପୂଜାରିଣୀ ସାଜିଲେ । ଦିଅଁ ଦେବତାଙ୍କ ସେବାରେ ତାଙ୍କ ମନକୁ ନିୟୋଜିତ କଲେ ।

ଜୀବନ୍ତ ଦେବତା ଯେତେବେଳେ ପୂଜା ଗ୍ରହଣ କରିବାକୁ ଆଗ୍ରହୀ ନୁହନ୍ତି ସେତେବେଳେ ନିର୍ଜୀବ ପାଷାଣ ବିଗ୍ରହଙ୍କର ଅନୁଗ୍ରହକୁ ସେ ହାତପାତି ଅପେକ୍ଷା କରୁଥିଲେ ।

 

ସ୍ଵାମୀଙ୍କର ଉପଦଂଶଜନିତ ରକ୍ତଦୋଷ ହେତୁ କ୍ରମାଗତ ଗର୍ଭପାତ ଘଟିବା ପରେ ମଧୁମୟୀ ଦେବୀ ଏ ବଂଶର ଭାବୀ ବଂଶଧର ସ୍ଵପ୍ନ ମନରୁ ପୋଛି ଦେଇଥିଲେ । ଶେଷକୁ ଷାଠୀକ କାଳକୁ ଷଠୀଓଷା ପରି ସୁବ୍ରତ ତାଙ୍କ କୋଳକୁ ଆସିଲା । ଦିନ ଦିନ ଧରି କେତେବର୍ଷ ଠାକୁରଙ୍କ ସେବାପରେ ବୋଧହୁଏ ମୂକ ଦେବତା ମୁଖର ହେ।ଇ ଉଠିଲେ । ତପସ୍ୟାର ଫଳ ମିଳିଲା ।

 

ଭାବୀ ଜମିଦାରଙ୍କ ଯଥାଯୋଗ୍ୟ ସମ୍ମାନ ପାଇଁ ତାଙ୍କୁ ଏକୋଇଶିଆ ଉତ୍ସବରେ ସଂବର୍ଦ୍ଧିତ କରାଯାଇଥିଲା । ସମୟର ଚକ ଗଡ଼ିଚାଲିଲା । ସେତେବେଳେ ଓଡ଼ିଶାରେ ବିଦେଶୀ ଶାସନ ବିରୁଦ୍ଧରେ ରୀତିମତ ଜନଜାଗରଣ ଦେଖା ଯାଇଥିଲା । ଲୋକଙ୍କ ଭିତରେ ସ୍ୱାଧୀନ ଚେତନା ଜାଗରିତ ହେବା ଫଳରେ ଜମିଦାର ବଂଶ ଭିତରେ ଆଲୋଡ଼ନ ସୃଷ୍ଟି ହେଲା । ସେମାନେ ସେମାନଙ୍କର ନ୍ୟାଯ୍ୟ ଦାବୀ ବିଷୟ ବୁଝିପାରିଲେ । ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ତୀବ୍ର ପ୍ରତିବାଦ କରିବାକୁ ସେମାନଙ୍କର କଣ୍ଠରେ ଭାଷା ଆସିଗଲା । ନ୍ୟାୟ ପାଇଁ ମୃତ୍ୟୁକୁ ସୁଦ୍ଧା ଭ୍ରୂକ୍ଷେପ କଲେ ନାହିଁ । ସେତେବେଳେ କିନ୍ତୁ ଜମିଦାର ରାଧାକାନ୍ତ ରାଉତରାୟ ଲୋକମାନଙ୍କର ମନୋବୃତ୍ତିକୁ ସହଜ ଭାବରେ ଗ୍ରହଣ କରି ପାରିଲେ ନାହିଁ । ରକ୍ତ ମାଉଁସ ଦେହ ତ ! ସମ୍ମାନ ଆଉ ଆଭିଜାତ୍ୟ ଉପରେ ଠୋକ୍‌କର ବାଜିଲେ ସେ କି ସହ୍ୟ କରନ୍ତେ ! ସେ ବି ହିଂସ୍ର ହୋଇ ଉଠିଲେ ।

 

ଜମିଦାରୀ ଉଚ୍ଛେଦର କିଛିଦିନ ପୂର୍ବରୁ ଅତ୍ୟାଚାର ତାଙ୍କର ବଢ଼ି ଚାଲିଲା । ଅହମିକାର ଦୀପ ଲିଭିବା ପୂର୍ବରୁ ସତେ ଯେପରି ଖୁବ୍‌, ଜୋର୍‍ରେ ଜଳିଉଠିଲା । ତାପରେ ଜନତାର ବିପ୍ଳବ ପରେ ଜମିଦାରୀ ଧ୍ୱସଂ ପାଇଲା । ବୃହତ୍ତର ଓଡ଼ିଶା ସଙ୍ଗେ ଛୋଟିଆ ଜମିଦାରୀ ଜୟମଙ୍ଗଳ ମଧ୍ୟ ସାମିଲ ହେଲା । ଜମିଦାର ଏକକାଳୀନ କେତେ ହଜାର ଟଙ୍କା କ୍ଷତିପୂରଣ ପାଇଲେ । ସେ ତ ସମୁଦ୍ରକୁ ଶଙ୍ଖେ ପରି । ଟଙ୍କାଏ ହାତରେ ଆସି ସେ ହାତରେ ଖର୍ଚ୍ଚ ହେଉଥିଲା । ଆୟର ସୀମା ନ ଥିଲା କି ବ୍ୟୟର ସୀମା ନ ଥିଲା । ଏଇ କେତେ ହଜାର କ୍ଷତିପୂରଣ ଟଙ୍କା କ’ଣ ସଞ୍ଚିତ ହୋଇ ରହିପାରନ୍ତା ! ସଞ୍ଚୟ–ସେ ତ କଳ୍ପନାର ବିଷୟ ଥିଲା ! ଟଙ୍କା ଆସିଲା । ଦିନ କେଇଟାରେ ଅୟସରେ ଉଡ଼ିଗଲା । ପାର୍ଶ୍ୱଚରମାନଙ୍କୁ ନିଜର ଜମିଦାରୀ ଅମଳର ସୁସାଶନର ଇତିହାସ ଶୁଣାଉ ଶୁଣାଉ ଜଳଖିଆ, ଗୁଡ଼ାଖୁଟଣାରେ କେତେଦିନ ଅବା ଯାଆନ୍ତା ? ପାର୍ଶ୍ୱଚରମାନଙ୍କର ସ୍ତୁତି ତଥାପି ତାଙ୍କୁ ଆନନ୍ଦ ଦେଉଥିଲା । ଏ ସରକାର କ’ଣ ଏଡ଼େ ବଡ଼ ଜମିଦାରୀ ସମ୍ଭାଳି ପାରିବ ? କେତେ ଟଙ୍କା ଯେ ଏ ଘର ସିନ୍ଧୁକରୁ ପ୍ରଜାମାନଙ୍କ ହିତ ପାଇଁ ଖର୍ଚ୍ଚ ହୁଏ ତାହା ଏ ସରକାର କ’ଣ ତୁଲାଇ ପାରିବ ? ଫେର୍‌ ଆଣି ଆପଣଙ୍କ ଦୁଆରେ ବଳେଇ ଗୁଞ୍ଜି କହିବ, ନିଅ ତୁମ ଜିନିଷ ନିଅ । କିଏ ଆମର ଏତେ ଜଞ୍ଜାଳ ବୁଝିବ ? ବୁଝିଲେ ଆଜ୍ଞା, ଯାହା ମାଙ୍କଡ଼ ସେ ତାକୁ ନଚାଇ ଜାଣେ । ଏ ସରକାର କ’ଣ କରିପାରିବ ଆଉ ନପାରିବ ତା ଏଇ ଦିନ କେଇଟା ଶାସନରୁ ଆମେ ଜାଣିଲୁଣି । ଖାଲି ଯିଏ ଭୋଟ ପାଇଲା–ତାରି ପକେଟରେ ନୋଟ ବିଡ଼ା ରହିଲା । ଯାହାର ଡିହ ଉପରେ କାଲି ବାଇଗଣ ରୁଆ ହେଉଥିଲା ସେଠାରେ ଆଜି କୋଠା ତୋଳା ହେଉଛି । ବିଦ୍ୟା ବୁଦ୍ଧି ବିବର୍ଜିତ ଭୋଡ଼ଙ୍ଗା ଆଜି ବୁଦ୍ଧିମାନ । ଏଇମାନଙ୍କ ହାତରେ ଶାସନ ରହିଲେ ଯାହା ହେବାର କଥା ତାହା ହିଁ ହେବ ।

 

ଜମିଦାର ରାଧାକାନ୍ତ ରାଉତରାୟ ତଥାପି ବି ଆଶା ରଖିଥିଲେ ଯେ ହୃତ ଜମିଦାରୀ ପୁଣି ତାଙ୍କ ପାଖକୁ ଫେରି ଆସିବ ! କିନ୍ତୁ ହାୟ ! ଗଲା ପୁତ୍ର ବାହୁଡ଼ି ନ ଆସିଲା ।

 

କ୍ଷତିପୂରଣ ସରିଲା । ଅଭାବ ମାଡ଼ି ଆସିଲା । ଆଗଭଳି ଆଉ ରାମ ମଳିକ ପିଢ଼ାରୁ କଖାରୁ ଆଣି ନିଜେ ନଖାଇ ଜମିଦାରଙ୍କ ଦୁଆରେ ଥୋଇ ଦେଇ ଗଲାନି । ମାଗଣାରେ ଖାଇବାକୁ ମିଳିଲାନି । କିଣିବ ତ ଖାଅ ।

 

କଖାରୁ ଗୋଟାକ ପୁଣି ଟଙ୍କାଟିଏ । ଏତେ ଦାମ ସତେ ! ଆଶ୍ଚର୍ଯ୍ୟ ଲାଗିଲା । ଆସ୍ତେ ଆସ୍ତେ ଚଳନ୍ତି ଜିନିଷ କମିଲା । ତାପରେ ଅଚଳନ୍ତି ଜିନିଷ ଉପରେ ଆଖିପଡ଼ିଲା । ଜମିଦାର ଘରର ଆଭିଜାତ୍ୟ ତ ବଞ୍ଚି ରହିବ ! ପାଞ୍ଚ ପଚିଶିଟାଙ୍କ ଆଗରେ ସେ ତ ଜମିଦାର ହୋଇ ରହିବେ ! ନିଶରେ ଘିଅ ମରାହେବ । କୁଞ୍ଚିକରି ଶାନ୍ତିପୁରୀ ଧୋତି ପିନ୍ଧାହେବ । ଛାଚି ପାନରେ କେତକୀ ଗୁଣ୍ଡୀ ଦିଆହେବ । ବଡ଼ ମାଛ ଆସିଲେ ନିଶ୍ଚୟ ଖିଆହେବ । ଯାହା ହେଉଥିଲା ସବୁ ଠିକ୍‍ ସେଇପରି ହେବ । ନଚେତ୍ ଲୋକ କ’ଣ କହିବେ ! ‘‘କାଲି ହାକିମୀ ଥିଲା, ଉପୁରୀ ଖାଉଥିଲା । ଆଜି ଜମିଦାରୀ ଯିବା ପରେ ଅବସ୍ଥା ଦେଖ ! ବାଇଗଣ ବି ପୋଡ଼ିବାକୁ ମିଳୁନାହିଁ । ମାଛ ମାଂସ କଥା କିଏ ପଚାରେ !’’

 

ଏ ସବୁ କରିବା ପାଇଁ ତ ପଇସା ଦରକାର ! ପଇସା ଆସିବ କୁଆଡ଼ୁ ? ଚାକିରୀ ନାହିଁ ଯେ ମାସିକ ଗୋଟାଏ ନିର୍ଦ୍ଦିଷ୍ଟ ଆୟ ଅଛି; କିମ୍ବା ବ୍ୟବସାୟ ନାହିଁ ଯେ ବାଣିଜ୍ୟେ ବସତି ଲକ୍ଷ୍ମୀ ଭାବି କିଛି ରୋଜଗାର ଥିବ ! ବସିଖାଇଲେ ନଈବାଲି ସରେ । ଶୁଣା କଥା ନୁହେଁ–ଅନୁଭବ କରିବାର କଥା ।

 

ଆସ୍ତେ ଆସ୍ତେ ଜମି ଉପରେ ଆଖିପଡ଼ିଲା । ମାଳ ଗହୀରରୁ ଚକଟିଏ ବିକା ହେଲା । ନିଜର ପ୍ରଶଂସା ଶୁଣିଲେ ଏ ରକ୍ତ ଉଦାର ହୋଇଉଠେ । ଚୂଡ଼ା ଭୁଜା ମୂଲ୍ୟରେ ଦାମିକା ଦାମିକା ଅସଲ ନାଳ କୂଳିଆ ଜମିସବୁ ବିକା ହେଲା । ଝାଳବୁହା ପରିଶ୍ରମରେ ଅର୍ଜ୍ଜିତ ସମ୍ପତ୍ତି ନୁହେଁ ତ ! କେଉଁ ବାପ ଅଜା ଅମଳରୁ ପଡ଼ିରହିଛି । ଯିବ ତ ଯାଉ ! କେଉଁ ପୂର୍ବପରୁଷ କମେଇ ଥିଲେ ଏବେ ସେ ଗମେଇ କରି ଖାଇବେ । ଭାଗ୍ୟରେ ଥିଲେ ପୁଣି ଏ ବଂଶରେ କିଏ କମେଇବ । ସମ୍ପତ୍ତି ଥାଉ ଥାଉ ସେ କ’ଣ ଦୁଃଖରେ ଚଳିବେ ? ପେଟ କାଟି ସମ୍ପତ୍ତି ରଖି କି ଲାଭ ମିଳିବ ? ଜମିରେ ଡେଣା ଲାଗିଲା । ଧାନ ଅମାରରେ ଧାନ ପଡ଼ିବା କମିଲା–

 

ଏପରିକି ସମୟ ଆସିଲା ଆଉ ଧାନ ଅମାରରେ ପଡ଼ିଲା ନାହିଁ ।

 

ଦୁର୍ଦ୍ଦିନ ଘୋଟି ଆସିଲା । ସୁଖ ପରେ ଦୁଃଖ । କିଏ ଜାଣିଥିଲା ଏତେ ପରାକ୍ରମ ଦୁଃଖର-। ଯେଉଁ ଲୋକମାନେ ପାଖରେ ପଶୁ ନଥିଲେ ସେମାନେ ଦେଖାଇ ଶିଖାଇ ବାରକଥା କହିବା ଆରମ୍ଭ କଲେଣି । ପାଖ ଲୋକ ବି ପାଖ ପଶୁନାହାନ୍ତି । ଧନ୍ଦା ତ ପୁଣି ସେମାନଙ୍କର ଅଛି ! ଜମିଦାରଙ୍କ ପାଖରେ ବସିରହିଲେ କ’ଣ କୁଟୁମ୍ୱ ପୋଷା ହେବ ?

 

ଚିନ୍ତା ଓ ଚିତା ଭିତରେ ଚିନ୍ତା ଗରୀୟସୀ । ପ୍ରତିଦିନ ଅନୁଶୋଚନାର ଚିନ୍ତାରେ ଜମିଦାର ମହାପାତ୍ର ରାଧାକାନ୍ତ ରାଉତରାୟ ଘାରି ହେଲେ । ଦିନ କେତେଟାରେ ଚିନ୍ତାରେ ଜଳି ଜଳି ଦୂରାରୋଗ୍ୟ ରୋଗର ଶିକାର ହେଲେ । ଶେଷରେ ଦିନେ ଚିତାରେ ଜଳିବାକୁ ତାଙ୍କ ଦୁଆରେ କୋକେଇ ବନ୍ଧା ହେଲା । ସେତେବେଳେ ଆଭିଜାତ୍ୟର କୋଠାରୁ ଚୂନ ଖସିଲାଣି । କାନ୍ଥ ସବୁ ଫାଟି ଆଁ କରିଲାଣି । ଛୋଟ ଛୋଟ ପୋକସୁଙ୍ଗା ଗଛ ଫାଟ ଭିତରୁ ବାହାରିଲାଣି ।

 

ସୁବ୍ରତ ରାଉତରାୟ ସେତେବେଳକୁ ଦଶମ ଶ୍ରେଣୀର ଛାତ୍ର ।

 

ମହାପାତ୍ର ସୁବ୍ରତ ରାଉତରାୟ କଲେଜରେ ନାମ ଲେଖାଇଲା ବେଳେ ଅବଶିଷ୍ଟ ଯାହାକିଛି ବଂଶର ଅହମିକାର ସନ୍ତକ ଥିଲା ସେଇ ମହାପାତ୍ର ପଦବୀଟା ନାମ ଆଗରୁ ବାଦ୍‍ ଦେଲେ ସମସ୍ତଙ୍କ ସଙ୍ଗେ ସମାନ ହୋଇ ଜଣେ ହେଲା ।

 

ସୁବ୍ରତ ମିଷ୍ଟାଳାପୀ, ପରିଶ୍ରମୀ, ପରଦୁଃଖକାତର, ସ୍ପଷ୍ଟବାଦୀ ଓ ନିର୍ଭୀକ ଯୁବକରୂପେ ସମସ୍ତଙ୍କର ସ୍ନେହ ଓ କଲ୍ୟାଣ ପାଇପାରିଲା ।

 

ସ୍କୁଲ ଜୀବନରେ ଚନ୍ଦ୍ରକାନ୍ତ ଓ ସୁବ୍ରତର ବନ୍ଧୁତ୍ୱ ଭିତରେ ସେତେଟା ଘନିଷ୍ଠତା ଆସି ନ ଥିଲା । କଲେଜ ଜୀବନରେ ସୁବ୍ରତର ପ୍ରତିଷ୍ଠା ଆଉ ସୁନାମରେ ମୁଗ୍ଧ ହୋଇ ଚନ୍ଦ୍ରକାନ୍ତ ସୁବ୍ରତର ନିକଟତର ହୁଏ । ସୁବ୍ରତ ଯଦିଓ ଦାରିଦ୍ର୍ୟ ଭିତରେ ସଢ଼ୁଥିଲା ତଥାପି କେବେ ଚନ୍ଦ୍ରକାନ୍ତ ନିକଟରେ ପ୍ରାର୍ଥୀ ହୋଇ ଠିଆ ହୋଇନାହିଁ । ଦୟାଟାକୁ ଭିକ୍ଷା ବୋଲି ସୁବ୍ରତ ଗ୍ରହଣ କରୁଥିଲା । ପରଠାରୁ ନେବାର ପ୍ରଶ୍ନ ତ ଉଠୁନାହିଁ ଆଉ ଅପରକୁ ଦେବାଭଳି ସମ୍ବଳ ବି ତା’ର ସେତେବେଳେ ନଥିଲା ।

 

ଦିଆ ନିଆ ନଥିଲେ ବନ୍ଧୁତ୍ୱ ଦାର୍ଘସ୍ଥାୟୀ ହୁଏ । ସେଇଟା ଚନ୍ଦ୍ରକାନ୍ତ ଓ ସୁବ୍ରତ ଭିତରେ ହୋଇଥିଲା ।

 

ଏମ, ଏ. ପାଶ୍ ପରେ ଦୁଇବନ୍ଧୁ ଦୁଇଟି ଦିଗରେ ଚାଲିଲେ । ସୁବ୍ରତର ରାଜନୀତି ପ୍ରତି ଏକ ଅହେତୁକ ଆକର୍ଷଣ ଥିଲା । ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେବାପାଇଁ ସେ ଇଚ୍ଛୁକ ଥିଲା । ଚନ୍ଦ୍ରକାନ୍ତ ସ୍ୱାଧୀନ ଜୀବିକାର୍ଜନର ପନ୍ଥା ଖୋଜିବା ପାଇଁ ଆଇନ୍ ଶାସ୍ତ୍ରର ଛାତ୍ର ହେଲା–ସୁସ୍ଥ ନାଗରିକତ୍ୱ ତା’ର ଲକ୍ଷ୍ୟ ଥିଲେ ।

 

ଗୋଟିଏ ପାହାଡ଼ରୁ ଦୁଇଟି ନଦୀ ଝରିଚାଲିଲେ । ଏକା କଲେଜରୁ ଦୁଇଟି ଛାତ୍ର ବିଶ୍ୱବିଦ୍ୟାଳୟ ସର୍ବୋଚ୍ଚ ଡିଗ୍ରୀଧରି କଲେଜର ଫାଟକ ପାରିହେଲେ । ବାହାର ଦୁନିଆକୁ ପାଦ ବଢ଼ାଇଲେ । ମନର ଅସୀମ ଧୈର୍ଯ୍ୟ, ବୁକୁର ଅମୀତ ସାହସ, ଆଉ ଚିତ୍ତର ଦୃଢ଼ତା ଧରି ଦୁଇଟି ଭିନ୍ନ ଦିଗ ପ୍ରତି ଆଗେଇ ଚାଲିଲେ । ଅରୁଣ ପଥର ଯାତ୍ରୀ ସେମାନେ ଥିଲେ । ଗତି ସିନା ଭିନ୍ନ କିନ୍ତୁ ଲକ୍ଷ୍ୟ ଏକ ଥିଲା ।

 

ଦେଶ ସେବାରେ ଦୁହିଁଙ୍କର ଜୀବନ ପ୍ରବାହ ବିଲୟ ହେବାର କାମନା ଦୁହିଁଙ୍କର ଥିଲା ।

 

ଚନ୍ଦ୍ରକାନ୍ତ ଆଉ ସୁବ୍ରତ ଏକା ବୃନ୍ତରେ ଦୁଇଟି ଫୁଲଭଳି ଏକା ଗାଁରୁ ବିକଶି ଉଠିଥିଲେ । ଜନ୍ମମାଟି ସେମାନଙ୍କଠାରୁ ବହୁତ ଆଶା କରିଥିଲା । ବୃଦ୍ଧ ଅବଧାନ ହଟ୍ଟକିଶୋର ମିଶ୍ର ତାଙ୍କର ଦୀର୍ଘ କର୍ମମୟ ଜୀବନ ଭିତରେ ଆଶା ଓ ଆଶ୍ୱାସନାର ଦୁଇଟି ପ୍ରତିନିଧି ସହରକୁ ପଠାଇଥିଲେ । ଜୀବନସାରା ପରିଶ୍ରମ କରି ବହୁତ ଛାତ୍ର ଉତାରିଛନ୍ତି କିନ୍ତୁ ଅସମ୍ଭବ ମେଧାସମ୍ପନ୍ନ ଏପରି ଦୁଇଟି ଛାତ୍ର ସେ କ୍ୱଚିତ ଦେଖିଥିଲେ । ଅତୀତର ଜମିଦାରୀ ବଂଶରେ ସେ ଗୃହଶିକ୍ଷକ ଥିଲେ କିନ୍ତୁ ଲକ୍ଷ୍ମୀଙ୍କ ଦୌରାତ୍ମ୍ୟରେ ସରସ୍ୱତୀ ଜମିଦାରଙ୍କ ଉଆସର ସୀମା ବୋଧହୁଏ ସ୍ପର୍ଶ କରୁ ନଥିଲେ । ଜମିଦାରୀ ଯିବାପରେ ଉଆସ ହତଲକ୍ଷ୍ମୀ ହେଲା । ସରସ୍ଵତୀ ତାଙ୍କ କୃପା ବୋଧହୁଏ ଏଇ ସୁବ୍ରତ କଣ୍ଠରେ ଦେଇଥିଲେ ।

 

ଆଜିକାଲି ଶିକ୍ଷକଙ୍କ ପରି ହଟ୍ଟ ମାଷ୍ଟ୍ରେ ଟିଉସନ୍‌ସର୍ବସ୍ୱ ନଥିଲେ । ମନରେ ଆବିଳତା ନରଖି ସେ ବିଦ୍ୟାଦାନ କରୁଥିଲେ । ନିଷ୍ଠାବାନ୍ ଶିକ୍ଷକ ଥିଲେ । ନିଜ ଛାତ୍ରକୁ ସେ ପୁଅଠାରୁ ଅଧିକ ଭଲ ପାଉଥିଲେ । ସମଦୃଷ୍ଟିରେ କି ଗରିବ, କି ଧନୀ, ସମସ୍ତଙ୍କୁ ସେ ବିଦ୍ୟାଦାନ କରୁଥିଲେ ।

 

ହଟ୍ଟମାଷ୍ଟ୍ରେ ଅନେକଦିନୁ ଚାକିରୀ ଛାଡ଼ିଲେଣି । ବଞ୍ଚିଥିଲେ ଅତି ମାତ୍ରାରେ ବୃଦ୍ଧ ହୋଇ ଯିବେଣି ।

 

ସୁବ୍ରତ ଆଜିକାଲି ଅଗ୍ନି ଶିଖାର ସମ୍ପାଦକ । ସାମ୍ବାଦିକତା ତା’ର ପେଷା । ଗତାନୁଗତିକ ନିୟମ ଧରି ସୁବ୍ରତ ଚନ୍ଦ୍ରକାନ୍ତର ଟେବୁଲ ଉପରେ କନ୍‌ସଲଟିଂ ଫିସ୍ ଥୋଇଦେଇ ତା’ର ବକ୍ତବ୍ୟ ଆରମ୍ଭ କରୁଥିଲା ।

 

ଠେବୁଲ ଉପରୁ ଟଙ୍କାକୁ ନେଇ, ସୁବ୍ରତ ହାତକୁ ବଢ଼ାଇ ଦେଇ ହସି ହସି ଚନ୍ଦ୍ରକାନ୍ତ କହିଲା ଫିସ୍‍ ନ ଦେଲେ ବି ତୋ କଥା ମୁଁ ମନଦେଇ ଶୁଣିବି ।

 

ଅବଶୋଷର ଦୀର୍ଘ ନିଶ୍ୱାସ ଟାଣି ସୁବ୍ରତ କହିଲା–ତୁ ତ ଜାଣୁ ଚନ୍ଦ୍ରକାନ୍ତ ମୋର ପ୍ରକୃତି-। ଫିସ୍‍ ନନେଲେ ମୋତେ ବାଧ୍ୟ ହୋଇ ଅନ୍ୟ ଆଡ଼ଭୋକେଟର ଦ୍ୱାରସ୍ଥ ହେବାକୁ ପଡ଼ିବ । ଉପଯୁକ୍ତ ଫିସ୍ ନେଇ ଡାକ୍ତର, ଓକିଲ ଆଉ ଟିଉସନ୍ ମାଷ୍ଟ୍ରଙ୍କ ପାଖକୁ ଯିବ । ଫିସ୍‌ ନ ଦେଲେ ଡାକ୍ତର ଉପଯୁକ୍ତ ଚିକିତ୍ସା କରିବେ ନାହିଁ, ଓକିଲ କଚେରୀରେ ତାରିଖ ଦିନ ହାଜର ହୋଇ ତା’ର ମୁଣ୍ଡ ଖର୍ଚ୍ଚ କରିବନାହିଁ । ଆଉ ଟିଉସନକୁ ପିଲାକୁ ପଠାଇ ମାସ ଶେଷରେ ମାଷ୍ଟ୍ରଙ୍କୁ ତାଙ୍କର ଦରମା ଗଣ୍ଡାକ ନ ଦେଲେ ସେ ପିଲାର ଯତ୍ନ ନେବେନାହିଁ । ମୋ ଜାଣିବାରେ ସମାଜରେ ଏଇ ତିନୋଟି ଶ୍ରେଣୀ ବ୍ୟତୀତ ଅନ୍ୟମାନଙ୍କ ପାଖକୁ ବିନା ପଇସାରେ ଯାଇପାର । ଗଲେ କ୍ଷତି ହେବନାହିଁ । ସଂସାର କଲୁଣି । ଏତେଟା ଉଦାର ହେଲେ ତୋ ସଂସାର ଚଳିବ କିପରି ? ଶେଷରେ କଟକ ସହରରେ ଏଇ ଚୌକି ଟେବୁଲ ଦୁଇଖଣ୍ଡ ବିକ୍ରି କରି, ତୋତେ ପୁଣି ‘ପଲ୍ଲୀପଥେ ଫେରିଚାଲ’, ଏଇ ଶସ୍ତ। ସ୍ଲୋଗାନ ଦେବାକୁ ହେବ ।

 

ଚନ୍ଦ୍ରକାନ୍ତ ଜାଣେ ସୁବ୍ରତ ତା’ର ଜିଦ୍‍ ରଖିବ । ତେଣୁ ବାଧ୍ୟହୋଇ ଟଙ୍କା ରଖିଲା । ମକଦ୍ଦମାର ବିବରଣୀ ବିଷୟରେ ପ୍ରଶ୍ନ କଲା ।

 

ସୁବ୍ରତ କହିଲା–ଓଡ଼ିଶା ଦେଶରେ ଜାଗ୍ରତ ଜନମତ ସୃଷ୍ଟି କରିବାକୁ ହେଲେ ସମ୍ପାଦକଙ୍କୁ କୋର୍ଟକୁ ଧାଇଁବାକୁ ହୁଏ । ଆଡଭୋକେଟର ଦୁଆରେ ଗୋଡ଼ଭାଙ୍ଗି ଠିଆ ହେବାକୁ ପଡ଼େ । ହାତରୁ ଖାଇ ଘୋଡ଼ା ଆଗରେ ନାଚିବାକୁ ହୁଏ । ମୋର ସେୟା ହି ହୋଇଛି । ଓଡ଼ିଶାରେ ଚାଉଳର ଦର ହୁ ହୁ, ହୋଇ ବଢ଼ିଲା । କଲିକତାକୁ ଓଡ଼ିଶାର ଚାଉଳ ରପ୍ତାନି ହେଲା । ପୂର୍ବାଞ୍ଚଳ ଗଠିତ ହୋଇଛି କଲିକତା ଚାଉଳ ଗଲେ ଆପତ୍ତି ନ ଥିଲା । କିନ୍ତୁ ଓଡ଼ିଶାର ଜନସାଧାରଣଙ୍କ ପାଇଁ ମୁଠାଏ ଖାଦ୍ୟ ସିନା ରଖି ଚାଉଳ ଚାଲାଣ କରିବା ଉଚିତ ହୋଇଥାନ୍ତା । ଓଡ଼ିଶା ସରକାର ଅବଶ୍ୟ ଦେଶ ବିରୁଦ୍ଧରେ କିମ୍ବା ତାଙ୍କର ନିରୀହ ଭୋଟରଙ୍କ ମୁହଁରୁ ଆହାର ଛଡ଼ାଇ ନେଉଥିବେ, ଏକଥା ମୁଁ ବିଶ୍ୱାସ କରି ପାରିବି ନାହିଁ । କଲିକତାରୁ ଚାଉଳ ପଶ୍ଚିମବଙ୍ଗକୁ ଚୋରାରେ ଚାଲାଣ ହେଲା । ଦେଶଦ୍ରୋହୀ ପାକସ୍ଥାନୀଙ୍କ ହାତରେ ଓଡ଼ିଶାର ଚାଉଳକୁ ଆମ ଓଡ଼ିଶାର କେତେଟା ମୁନାଫାଖୋର କୁଳାଙ୍ଗାର ଶିଖିମନାଇର ଦାୟାଦ ଶିଳ୍ପପତିମାନେ ଟେକିଦେଲେ । ଜନମତକୁ ଜାଗ୍ରତ କରିବାପାଇଁ ମୁଁ କ୍ରମାଗତଭାବେ କେତେଦିନଧରି ମୋର ସମ୍ପାଦକୀୟ ସ୍ତମ୍ଭରେ ଏ ବିଷୟରେ ଲେଖିବାକୁ ଆରମ୍ଭ କଲି । ସେଥିରେ ଆମ ବନ୍ଧୁ ବଶିଷ୍ଟ ଶିଳ୍ପପତି ଧନଞ୍ଜୟ ଅତିଷ୍ଠ ହୋଇ ମୋ କାଗଜ ନାମରେ ମାନହାନୀ ମକଦ୍ଦମା କରି ଦେଇଛନ୍ତି ।

 

ଆଶ୍ଚର୍ଯ୍ୟ ହୋଇ ଚନ୍ଦ୍ରକାନ୍ତ କହିଲା, ନବକିଶୋର ସାମନ୍ତରାୟଙ୍କ ଜ୍ୱାଇଁ ଧନଞ୍ଜୟ ଭଞ୍ଜ–ଯେ ଆମ ସାଙ୍ଗରେ ପଢ଼ୁଥିଲା ? ସେ କେଶ୍‌ କରିଛି ? ପୁଣି ତୋ କାଗଜ ବିରୁଦ୍ଧରେ ? ବଡ଼ ବିଚିତ୍ର ଏ କଥା । ବଡ଼ ଅଜବ ମୋତେ ଲାଗୁଛି । କେତେଟା ଟଙ୍କା ସେ ଲାଭ ପାଇଲା ବୋଲି କେତେ ଶୀଘ୍ର ଏତେଦିନର ବନ୍ଧୁତ୍ୱକୁ ଭୁଲି ପାରିଲା ?

 

–ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଏ କଳିଯୁଗରେ ଯାହା କଳ୍ପନା କରାଯାଇ ନ ପାରେ ତା ତ ବାସ୍ତବ । ତା ବି ସତ୍ୟ । ମୁଁ ତଥାପି କହୁଛି ଶିଳ୍ପପତି ହିସାବରେ ତା’ର ମକଦ୍ଦମା କରିବା ଯେତିକ ଯଥାର୍ଥ, ମୋର ମଧ୍ୟ ସମ୍ପାଦକ ଭାବରେ ନିଜର ମାନ ଓ କାଗଜର ଇଜ୍ଜତକୁ ବଞ୍ଚାଇବା ଦୃଷ୍ଟିରୁ, କୋର୍ଟରେ ହାଜର ହୋଇ ତା’ର ଯୁକ୍ତିର ପ୍ରତିରୋଧ କରିବା ମଧ୍ୟ ସେତିକି ଉଚିତ ହେବ ।

 

–ତା ତ ମୁଁ ବୁଝୁଛି ।

 

–ଧନଞ୍ଜୟ ପ୍ରତି ମୋର ବ୍ୟକ୍ତିଗତ ଆକ୍ରୋଶ ନାହିଁ କିମ୍ବା ତାକୁ ବ୍ୟକ୍ତିଗତ ଭାବରେ ମୁଁ ସମାଲୋଚନା କରିନାହିଁ । ଏବେ ବି ଧନଞ୍ଜୟ ମୋର ବନ୍ଧୁ । କିନ୍ତୁ ଶିଳ୍ପପତି ଧନଞ୍ଜୟ ଭଞ୍ଜ ମୋର ବନ୍ଧୁ ନୁହନ୍ତି କିମ୍ବା ଅଗ୍ନିଶିଖାର ସମ୍ପାଦକ ସୁବ୍ରତ ରାଉତରାୟ ତା’ର ବି ବନ୍ଧୁ ନୁହେଁ । ତା’ର ଶିଳ୍ପପତିର ପୋଷାକ ଓ ମୋର ସମ୍ପାଦକ ବିଶ୍ଳେଷଣଟା ବ୍ୟତୀତ ବନ୍ଧନୀ ଭିତରେ ଯେଉଁ ଧନଞ୍ଜୟ ଓ ସୁବ୍ରତ ରହିବେ ମୋ ଦୃଷ୍ଟିରେ ସେମାନଙ୍କର ଯୋଗାଯୋଗ ରହିବ । ମୋ ବିବେଚନାରେ ସେମାନଙ୍କର ବନ୍ଧୁତ୍ୱ ଦୀର୍ଘ ହୋଇ ରହିବ !

 

–ଜୀବନଟାସାରା କେବଳ ନୀତି ଆଉ ଆଦର୍ଶର ଢୋଲ ପିଟି ପିଟି ବିତାଇଦେଲୁ ?

 

–ତୁ କ’ଣ ଭାବୁଛୁ ଏ ଢୋଲ ପିଟାରେ ଖାଲି ଢାଉଁ ଢାଉଁ ଶବ୍ଦ ମୁଁ କରୁଛି ? ଦେଶର କଳାବଜାରୀ ବ୍ୟବସାୟୀ, ମୁନାଫାଖୋର ଶିଳ୍ପପତି ଆଉ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀରୂପୀ ବାନରମାନଙ୍କ ନିକଟରେ ମୋର ଢୋଲ ପିଟାର ଶବ୍ଦ ନିଷ୍ଫଳ ହେଉଛି ?

 

–ତୋର ଉଗ୍ର ସମାଲେଚନା ସେମାନେ ପଢ଼ୁଛନ୍ତି ସତ, ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତି ତୋ ପତ୍ରିକାର ଗ୍ରାହକ; କିଏ ଦେଖାଇ ପଢ଼େ ଆଉ କାହାର ସତ୍‌ସାହସ ନଥିଲେ ସେ ଲୁଚାଇକରି ପଢ଼େ-। କିନ୍ତୁ ସମସ୍ତେ ପଢ଼ନ୍ତି । ତଥାପି ସେମାନଙ୍କର ମନୋବୃତ୍ତିରେ କୌଣସି ପରିବର୍ତ୍ତନ ମୁଁ ତ ଲକ୍ଷ୍ୟ କରିପାରୁନି ! ସେମାନଙ୍କ ଭଳି କୌରବର ବଂଶ ବଢ଼ୁଛନ୍ତି ଓ ଅନ୍ୟାୟରେ ଏ ଦେଶକୁ ସଢ଼ାଉଛନ୍ତି-। ଆଉ ତୋ ଭଳି କେତେଜଣ ପାଣ୍ଡବ ବଂଶ ଅଜ୍ଞାତବାସ କରିଛ ।

 

–ତୁ ତାହାହେଲେ କହୁଛୁ ଦେଶ ଯୁଆଡ଼କୁ ଯାଉ ଆମର କହିବାର କିଛି ନାହିଁ ? ଧର୍ମ୍ମ ଓ ନ୍ୟାୟର ତଣ୍ଟି ଚିପା ହେଲାବେଳେ ଆମର କହିବାର କିଛି ନାହିଁ ?

 

–ଦେଶ ଦେଶ ନହୋଇ ଯେଉଁମାନେ ନିଜକୁ କେବଳ ଦେଖୁଛନ୍ତି ସେମାନେ ବେଶ ତ ଘର ସଂସାର କରି ବଞ୍ଚିଛନ୍ତି । ଢୋକେ ନାଲି ଚାହା ପାଣି ପିଇ, କ୍ୟାଭେଣ୍ଡର ସିଗାରେଟର ଧୂଆଁ ଫୁଙ୍କି ଫୁଙ୍କି ଦେଶ ସେବା କରିବାପାଇଁ ରାସ୍ତାରେ ଘୂରିଘୂରି ତୁମେମାନେ କେଉଁ ସୁଖରେ ଅଛ ଯେ-?

 

–ଆମ ପରିପନ୍ଥୀ ଲୋକଙ୍କର ଧର୍ମ୍ମ ସେଇଟା । ଢୋକେ ପିଉ ଆଉ ଦଣ୍ଡ ଜୀଉଁ । ଆମେମାନେ ଏ କଳଙ୍କିତ ତଥା ବ୍ୟାଧିଗ୍ରସ୍ତ ପୁଞ୍ଜିପତି ଗୋଷ୍ଠୀକୁ ଦଂଶନ କରୁଥିବୁ । ଅନ୍ୟାୟ, ଅତ୍ୟାଚାର ଆଉ ଅନାଚାର ବିରୁଦ୍ଧରେ ନିର୍ଭୀକ ଭାବରେ, ସ୍ୱାଧୀନ ପ୍ରଗତିଶୀଳ ମନୋବୃତ୍ତି ନେଇ, ସ୍ଲୋଗାନ ଦେଇ ଚାଲିଥିବୁ ।

 

–ସମାଜରେ ଏମାନଙ୍କପରି ଦୁଷ୍ଟବ୍ରଣ କାଳେ କାଳେ ରହି ଆସିଛନ୍ତି ଆଉ ରହିବେ ମଧ୍ୟ-

 

–ଆମପରି ଡାକ୍ତରମାନେ ଦାଢ଼ୁଆ ଛୁରୀ ଧରି, ସେଇ ବ୍ରଣକୁ ଅସ୍ତ୍ରୋପଚାର କରି, ସଫାକରି ଦେଉଥିବେ ଏବଂ ଏବେ ମଧ୍ୟ ସଫା କରି ଦେବାପାଇଁ ଛୁରୀର ଧାରକୁ ଶାଣ କରୁଥିବେ-

 

ହସି ଉଠିଲା ଚନ୍ଦ୍ରକାନ୍ତ । କହିଲା ବିଚିତ୍ର ତୋ ଯୁକ୍ତି ।

 

ଅବଶ୍ୟ ମୁଁ ଓକିଲ ନୁହେଁ । ଆର୍ଗୁମେଣ୍ଟ କରିବାରେ ନିତି ପ୍ରତି ଅଭ୍ୟସ୍ତ ନୁହେଁ । ତଥାପି ମୁଁ ଏତିକି କହିପାରିବି ଯେ ମୋର ଯୁକ୍ତି ଅବାସ୍ତବ ନୁହେଁ, ଅପ୍ରାସଙ୍ଗିକ ନୁହେଁ । ଦେଶ ସ୍ଵାଧୀନ ହେବାର ଅଠର ବର୍ଷ ପରେ ମଧ୍ୟ ନିର୍ଭୀକ ଭାବରେ ସତ୍ୟ କହିବାକୁ ଯଦି ଏ ଦେଶରେ ସୁଯୋଗ ମିଳିବ ନାହିଁ ତେବେ ତାକୁ ଦୁର୍ଭାଗ୍ୟ ବ୍ୟତୀତ ଆଉ କ’ଣ କୁହାଯାଇ ପାରିବ ? ଧନଞ୍ଜୟ ଶିଳ୍ପପତି ହେଉ, କଟକ ସହରରେ ତିନିମହଲା କୋଠା କରୁ, ଫିଆଟ୍‌ ଗାଡ଼ିରେ ଚଢ଼ି ବୁଲୁ, ଏସବୁ ପ୍ରତି ବନ୍ଧୁ ହିସାବରେ ମୋର ଶୁଭେଚ୍ଛା ଅଛି–ଆଉ ରହିବ । ସେ କିନ୍ତୁ ଏଇ ତିନିମହଲା କୋଠା ତୋଳିବାପାଇଁ ଯଦି ଓଡ଼ିଶାର ସ୍ୱାର୍ଥକୁ ବଳିଦିଏ, ତା’ର ନିଜତ୍ୱକୁ ବଳିଦିଏ, ତା’ର ବିବେକକୁ ସ୍ଵାର୍ଥର ଯୂପ କାଠରେ ନିରୀହ ମେଣ୍ଢାପରି ବଳିଦିଏ, ତେବେ ବନ୍ଧୁ ହିସାବରେ ମୁଁ କ’ଣ ତାକୁ କ୍ଷମା କରିପାରିବି ?

 

–ସତ୍ ଉପାୟରେ ମଣିଷ ରୋଜଗାର କରିବାକୁ ବସିଲେ ସେ ବଞ୍ଚିଯାଇ ପାରେ କିନ୍ତୁ ଧନୀ ହୋଇ ପାରେନା । ଏଇ ସତ୍ୟ ପ୍ରତି ମୋର କିନ୍ତୁ ପ୍ରଗାଢ଼ ଅନୁରକ୍ତି ଅଛି । ଚନ୍ଦ୍ରକାନ୍ତ କହିଲା ।

 

–ମଣିଷ ହଠାତ୍ ରାତିକ ଭିତରେ ସତ୍‌ ଉପାୟରେ ଧନୀ ହୋଇ ପାରେନା ସତ୍ୟ, କିନ୍ତୁ ଯେତେବେଳେ ଭାଗ୍ୟଲକ୍ଷ୍ମୀ ତା କାନ୍ଧରେ ବସନ୍ତି, ସେତେବେଳେ ତା’ର ସଭ୍ୟତା ଓ ନିଷ୍ଠାପରତା ଯୋଗୁଁ ସହଜରେ ତା ପାଖରୁ ଅପସରି ଯାଇପାରନ୍ତି ନାହିଁ–ଏ ଆତ୍ମବିଶ୍ୱାସ ମୋର ଅଛି ।

 

–ଧନଞ୍ଜୟ ହଠାତ୍ କିପରି ଏତେବଡ଼ ସୌଭାଗ୍ୟର ଅଧିକାରୀ ହୋଇପାରିଲା ?

 

–ଆଜିକାଲି ସୌଭାଗ୍ୟଟା ପ୍ରାପ୍ତବୟସ୍କ ମାନଙ୍କର ଦୁଇ ପ୍ରକାରରେ ଆସୁଛି । ଶିକ୍ଷାଦୀକ୍ଷା ଥିଲେ ନିଜର ଅର୍ଜନରେ ଆସେ, ନଚେତ ଶିକ୍ଷାଦୀକ୍ଷାକୁ ବିକ୍ରି କରିଦେଇ ଜଣେ ପୁଞ୍ଜିପତି ଶ୍ୱଶୁରଙ୍କ ଦ୍ୱାରା କ୍ରୀତ ହେଲେ ସୌଭାଗ୍ୟ ଆସେ । ଶ୍ୱଶୁର କ’ଣ କରନ୍ତି ନାଗୋଟାଏ ଗୁଳିରେ ଦୁଇଟା କ’ଣ ତିନିଟା ଶିକାର କରି ବସନ୍ତି । ପ୍ରଥମତଃ ଜଣେ ବିଜ୍ଞ ମେନେଜର ବିନା ବେତନରେ ପାଆନ୍ତି । ଦ୍ୱିତୀୟତଃ ଝିଅକୁ ସବୁଦିନ ପାଇଁ ପାଖରେ ରଖିବାର ସୁବିଧା ପାଆନ୍ତି–ତୃତୀୟତଃ ଝିଅର ସ୍ଵାଧୀନତା ସବୁଦିନ ପାଇଁ ବଜାୟ ରହେ ଓ ସ୍ୱପାର୍ଜିତ ସମ୍ପତ୍ତି ପରିପୁଷ୍ଟ ହୁଏ । ଏହି ବିଜ୍ଞ ଜ୍ୱାଇଁମାନେ ଯାହାକୁ ଖାଣ୍ଟି ଓଡ଼ିଆରେ କହିଲେ ‘‘ଶ୍ୱଶୁର ଘରେ କୁତା ଭଳି ପଡ଼ି ରହନ୍ତି ।’’ ବାସ୍ତବିକ ଆଜିକାଲି ଏଇ ଯୁବସମାଜରେ ଏ ଯେଉଁ ଭାବଧାରା ଦେଖାଦେଇଛି , ସେ କଥା ଭାବିଲେ ଅବଶୋଷ ଆସେ । ତୁ ଭାବିବୁନାହିଁ ଯେ ଧନଞ୍ଜୟ ମୋ ନାମରେ ମାନହାନୀ ମକଦ୍ଦମା କରିଛି ବୋଲି ମୁଁ ଏପରି କହୁଛି । ପ୍ରକୃତ କଥା ମୁଁ କହୁଛି । ଧନୀ ଶ୍ୱଶୁରଙ୍କ ପାଖରେ ଜାମାତା ହେବାର ଗୌରବର ଗୌରବାନ୍ୱିତ ହୋଇ ଉଠିଲାବେଳେ ଏ ଯୁବକମାନଙ୍କର ଭବିବା ଉଚିତ ଯେ ସେମାନଙ୍କୁ ମଣିଷ କରିବା ପାଇଁ ପରିବାର ଭିତରେ କାହାର ତ କିଛି ତ୍ୟାଗ ଥିଲା ! ଏଇ ନରରୂପୀ ଛଞ୍ଚାଣଙ୍କ ଶିକାର ହେବା ପୂର୍ବରୁ ତାଙ୍କଠାରୁ କେହି ତ କିଛି ଆଶା କରିଥିଲା ! ସେ ମାଆ, ବାପା, ଭାଇ କିମ୍ବା ଭଉଣୀ ହୋଇପାରନ୍ତି । ଏମାନଙ୍କର ସାହାଯ୍ୟ ବିନା ଏମାନେ କ’ଣ ଶିକ୍ଷିତ ହୋଇ ଅଧୁନା ନରଛଞ୍ଚାଣଙ୍କ ଦୃଷ୍ଟିରେ ପଡ଼ିବାର ଯୋଗ୍ୟତା ହାସଲ କରି ପାରିଥାନ୍ତେ ? ଦିନକର ମାଂସ ତରକାରୀର ସୁଗନ୍ଧରେ ଆତ୍ମହରା ହୋଇ ସବୁ ଦିନର ଶାଗ ପଖାଳ ଭିତରେ ଥିବା ଆନ୍ତରିକତାକୁ ଭୁଲି ଯାଆନ୍ତି । ସେମାନଙ୍କର ସେହି ପ୍ରତି କୃତଘ୍ନତା ଦେଖାଇବାକୁ ପଛାନ୍ତି ନାହିଁ ।

 

ସୁବ୍ରତର କଥାରେ ବାଧାଦେଇ ଚନ୍ଦ୍ରକାନ୍ତ କହିଲା–ଅବଶ୍ୟ ମୁଁ ତୋର ଏ ପ୍ରକାର ମନ୍ତବ୍ୟରେ ଗୋଟିଏ ବିଷୟରେ ଏକମତ ହୋଇ ପାରୁନାହିଁ । ଅଧିକାଂଶ ଯୁବସମ୍ପ୍ରଦାୟ ଯେ ଆଜିକାଲି ଏଥିରେ ଅନୁପ୍ରାଣିତ ତା ନୁହେଁ । କେତେକ ହୋଇପାରନ୍ତି । ବହୁ କନ୍ୟାର ଜନକମାନେ କିପରି ପୁତ୍ର ସ୍ନେହ ପାଇବେ ତା’ର ତ ଗୋଟାଏ ରାସ୍ତା ତୋ ମନ୍ତବ୍ୟ ଭିତରେ ରହିବା ଉଚିତ ! ନୁହେଁ କି ? ସେମାନେ ଯେ ଝିଅ ଦେଇ ପୁଅ ପାଉଛନ୍ତି ! ତୁ ଏକଦିଗଦର୍ଶୀ ହେଲେ ସେମାନଙ୍କପ୍ରତି ଅବିଚାର କଲୁ ବୋଲି ମୁଁ ତୋତେ ନିଶ୍ଚୟ ଦୋଷ ଦେବି ।

 

–ମୋତେ ମୋ ବକ୍ତବ୍ୟ ଶେଷ କରିବାକୁ ଦେ । ମୋର ଅନୁରୋଧ ତୁ ଶୁଣିବା ପାଇଁ ଧୈର୍ଯ୍ୟବାନ୍‍ ହେବା ଉଚତି । ବହୁ କନ୍ୟାର ଜନକମାନଙ୍କ କଥା କହିବା ସଙ୍ଗେ ସଙ୍ଗେ ଏକ ପୁତ୍ରର ଜନକଙ୍କ କଥା ମୁଁ ବି କହିବି । ବହୁ କନ୍ୟାର ଜନକମାନେ ଯେପରି କନ୍ୟା ବଦଳରେ ପୁତ୍ର ଲାଭ କରିବାର ଆଶା କରନ୍ତି, ସେହିପରି ଏକ ପୁତ୍ରର ଜନକ କ’ଣ ପୁତ୍ର ବଦଳରେ, ବଧୂରୂପୀ କନ୍ୟାପାଇବା ପାଇଁ ଆକାଂକ୍ଷିତ ହୁଅନ୍ତି ନାହିଁ ? ଧନାଢ଼୍ୟ ପିତାଙ୍କର ଅଲିଅଳି ଦୁଲାଳୀମାନଙ୍କର ଗରୀବ ଶ୍ୱଶୁର ଘରେ ଯାଇ ବୋହୂପଣିଆ କରିବାଟା ସେମାନଙ୍କର କର୍ତ୍ତବ୍ୟ ହେବା ଉଚିତ୍ ଏବଂ କନ୍ୟାର ପିତା ହିସାବରେ ଶ୍ୱଶୁରଙ୍କର ଦେଖିବା ଉଚିତ୍ ଯେ କନ୍ୟାର ସ୍ଵର୍ଗ ହେଉଛି ତା’ର ଶ୍ୱଶୁର ଘର । ତା’ର ପରମ ତପସ୍ୟା ହେଉଛି ଶାଶୁ ଶ୍ୱଶୁରଙ୍କର ସେବା । କେତେଜଣ କନ୍ୟାର ଜନକ କଥା ଭାବୁଛନ୍ତି କହତ ? କେତେଜଣ ଶିକ୍ଷିତ ଯୁବକ ଯେଉଁମାନେ ଧନୀ ପରିବାରର ଜ୍ୱାଇଁ ହେଉଛନ୍ତି ଏ କଥା ଭାବୁଛନ୍ତି ? ଯେଉଁ ମାଆ ନିଜେ ତୋରାଣି ମୁନ୍ଦାକ ପିଇ ପୁଅ ମୁହଁରେ ଭାତ ମୁଠାଏ ଦେଇ ବହୁ କଷ୍ଟରେ ପୁଅକୁ ପାଳିଥିଲା, ଯେଉଁ ବାପା ନିଜର ସର୍ବସ୍ୱ ବିଳାସ ବ୍ୟସନକୁ ତ୍ୟାଗକରି ଓଳିଏ ଖାଇ, ଓଳିଏ ଉପବାସ ରହି, ପୁଅ ପାଇଁ ବହି, ସିଲଟ, ସ୍କୁଲ ଦରମା ଯୋଗାଇଥିଲା-ସେ କ’ଣ ପାଇଲା ?

 

ସେମାନେ ଖାଲି ଏତିକି ଶୁଣିଲେ ପୁଅ ତାଙ୍କର ଅମୁକ ଅଫିସରଙ୍କ ଜ୍ୱାଇଁ ହୋଇଛି । ଅମୁକ ଅଫିସରେ ବଡ଼ ବାବୁ ହୋଇଛି । ଏତେ ଦରମା ପାଉଛି । କେବଳ ହାଣ୍ଡି ବଦଳାଇବା ପାଇଁ ବର୍ଷ ଭିତରେ ଚିଠି ପାଉଛନ୍ତି–‘‘ବାପା ତୁମର ଗୋଟିଏ ନାତି କ ନାତୁଣୀ ହୋଇଛି ।’’ ଏୟାତ ? ନିହାତି ଯଦି କେବେ ଦରକାର ପଡ଼ୁଛି ଚିଠି ଖଣ୍ଡେ ପାଉଛନ୍ତି, ‘‘ଆମେ ସମସ୍ତେ ଭଲରେ ଅଛୁ । କାମର ବହୁତ ଚାପ ପଡ଼ୁଛି । ଯାଇ ପାରୁନାହିଁ । ସାନ ପିଲାମାନଙ୍କର ଦେହ ଭଲନାହିଁ । ବୋହୂ, ତୁମର ଯାଇଥାନ୍ତା । କିନ୍ତୁ ଏପରି ପରିସ୍ଥିତିରେ କିପରି ଯାଆନ୍ତା ?’’

 

ଚିଠି ପଢ଼େ ବୁଢ଼ାବାପା । ଘରକଣରେ ଉତ୍କଣ୍ଠିତା ବାତ୍ସଲ୍ୟମୟୀ ବୁଢ଼ୀ ମା ଶୁଣେ । ତାପରେ ବାପା ଅଭିମାନରେ କହେ ଆମେ ବି ବାପା ହୋଇଥିଲୁ, ଆମର ବି କାମ ଥିଲା, ଆମର ବି ତୁମେ ପିଲା ହୋଇଥିଲ ଆଉ ତୁମର ବି ଦେହ ଖରାପ ହେଉଥିଲା । ହଉ ତୁମର କାମ ତୁମକୁ ବଡ଼ ହେଉ । ଆମେ ସବୁ କିଏ କି ?

 

ତଥାପି ମମତାମୟୀ ମା କରୁଣାର ପ୍ରତିମୂର୍ତ୍ତି । ମାଆ କହି ବସେ ବାଇଆଟା ମଁ–ତା’ କଥା କ’ଣ ଭବୁଛ ? ବୁଦ୍ଧି ଆସିଲେ ଆପେ ଫେରି ଆସିବନି ଯେ.....

 

ଉପହାସ କରେ ବୁଢ଼ା ବାପା କହେ–ହଁ, ଯାହା କହିଲ ସତ । ହାତୀ ବନସ୍ତରେ ଥିଲେ ରାଜାଙ୍କର । ରାଜା ସିନା ହାତୀ ଉପରେ ବସୁନାହାନ୍ତି କି ପାରିଧି କରିପାରୁ ନାହାନ୍ତି । ତଥାପି ତାଙ୍କ ଜଙ୍ଗଲରେ ଯେତେବେଳେ ହାତୀ ରହିଛି ସେ ତାଙ୍କର । ଏୟା ନା ?

 

ହଁ, ତୁମରି କଥା ହେଉ । ତାକୁ କଇଲାଣ କର ସେ ସୁଖରେ ରହୁ ।

 

ଧନଞ୍ଜୟର ବାପା ଏବେ ବି ଗାଁରେ ଆଖୁ କିଆରୀକୁ ତେଣ୍ଡାରେ ପାଣି ବୁହାଉଥିବ । ଅଣ୍ଟାରେ ଦାନ୍ତକାଠି ଖୋସି ଦିନ ଦିପ୍ରହରକୁ ଦାନ୍ତ ଘଷୁଥିବ । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏବେ ବି ହୁଏତ ଗାଁର ସାଉକାରଠାରୁ ଧାନ କରଜ ଆଣୁଥିବ । ଆଉ ଧନଞ୍ଜୟ ଏ ପାଖରେ ନୂଆ ବାପା ପାଖରେ ଗେହ୍ଲା ହେଉଛି । ମାଗିଆଣିଲା ତିଅଣ ସୋଡ଼କାଏ ପରି ତା’ର ଫିଆଟ୍‍ ଗାଡ଼ିରେ ଚକ୍କର ମାରୁଛି । ପାଟିରୁ କ୍ୟାପଷ୍ଟାନ୍‌ର ଧୂଆଁ ଛାଡ଼ୁଛି । ଏଇତ ଆମର ସଭ୍ୟତା ! ଆଜିକାଲିର ସଂସ୍କୃତି ! ଏକ ନିଃଶ୍ୱାସରେ ସୁବ୍ରତ ଏତକ କହି ଦମ୍ ମାରିଲା ।

 

–ସଂସାରୀ ନ ହୋଇ ସଂସାର ବିଷୟରେ ତ ବଡ଼ ବଡ଼ କଥା ତୁ ବେଶ୍ କହିପାରୁଛୁ ?

 

ସଂସାରରେ ଚଳିବା ପାଇଁ ଯେଉଁ ସତର୍କବାଣୀ ଆମ ମୁନିଋଷିମାନେ ଶୁଣାଇଛନ୍ତି ସେମାନେ ତେବେ ସମସ୍ତେ ସଂସାରୀ ଥିଲେ ? ନଚେତ୍ ତାଙ୍କର ଉପଦେଶ କିପରି ଏପ୍ରକାର ବାସ୍ତବ ହୁଅନ୍ତା ? ହସିହସି ସୁବ୍ରତ କହିଲା, ହଁ ମୋ ସଂସାର କଥାତ ପଚାରିଲୁ ଆଉ ତୋ ସଂସାର କଥା କିଛି କହିଲୁ ନି ତ ? କ’ଣ ବେଶ୍‍ ଚାଲିଛି ତ ?

 

–ଘର ସଂସାର ଏପରି ଗୋଟାଏ ଜିନିଷ, ତା ମନକୁ ଆପେ ଆପେ ସେ ଗଡ଼ି ଚାଲେ । କେଉଁଦିନ ଗରମପାଣି ଥିଲେ, କେଉଁଦିନ ନିଶ୍ଚୟ ଥଣ୍ଡାପାଣି ଥିବ । ସୁଖ ଦୁଃଖରେ ଏମିତି ଗଡ଼ି ଚାଲିଛି । ହଁ, ଆଉ କେତେଦିନ ଏପରି ବାବାଜୀ ବେଶ ଧରି ବୁଲୁଥିବୁ ? ବୟସ ଆସି ଚାଳିଶ ପାଖାପାଖି ଧରିଲାଣି; ଆଉ ବିଳମ୍ବ କ’ଣ ଶୋଭାପାଏ ? ସଂସାର କର । ଭଲକରି ଘର ଖଣ୍ଡିଏ କଟକ ସହରରେ ତିଆରି କର । ସେଇ ପୁରୁଣା ସ୍ମୃତିକୁ ସମ୍ବଳ କରିଥିଲେ ବଂଶୀ ବାଜୁଥିବ ସିନା କିନ୍ତୁ ରାଧିକା କ’ଣ କଦମ୍ବ ମୂଳକୁ ଆସିବେ ଯେ....

 

ହସିହସି ସୁବ୍ରତ କହିଲା–ବଂଶୀଧାରୀଙ୍କର ବଂଶୀର ଅଶେଷ ଗୁଣ । ସେ ବଂଶୀର ସ୍ୱନ ଅଭିମାନିନୀ ରାଧାର ଗୁମାନ ଭାଙ୍ଗେ, ତା’ର ଚିତ୍ତକୁ ଚଞ୍ଚଳ କରାଏ–ଶରୀରରେ ବେପଥୁ ଆଣେ । ଶାଶୁ ନଣନ୍ଦଙ୍କ ବାଧାକୁ ନ ମାନି ରାଧା ବଂଶୀସ୍ୱନକୁ ଶୁଣି ଶୁଣି ଘର ଛାଡ଼ି ଚାଲିଆସେ । ପୁଣି କଦମ୍ବ ମୂଳରେ ହୁଏ ମିଳନ ।

 

–କ’ଣ ମାଳବିକା ଦେବୀଙ୍କୁ ଫେରି ପାଇଲୁଣି । ଆଶ୍ଚର୍ଯ୍ୟ ହେଲାପରି ଚନ୍ଦ୍ରକାନ୍ତ ପ୍ରଶ୍ନ କଲା ।

 

–ମାଳଦେବୀ ତ କେବେଠାରୁ ମୋ ପାଖରେ ବିକା ହୋଇଥିଲେ । ଦିନ କେତେଟା ପାଇଁ ଯାହା ହଜି ଯାଇଥିଲେ । ପୁଣି ଆପେ ଆପେ ଆସି ଧରାଦେଲେଣି । ସେ ପୁଣି ଆସିଲେଣି–ତାଙ୍କୁ କର୍ତ୍ତବ୍ୟରେ ପୁଣି ଲାଗିଗଲେଣି ।

 

–କିରେ ପାଟି ମିଠା ପାଇଁ ମୋତେ ଡାକିନୁ ଆଜିଯାଏ ? ଅନ୍ତତଃ ଏ ଶୁଭ ଲଗ୍ନରେ ମୁଁ ତ ଶଙ୍ଖ ଫୁଙ୍କିଥାନ୍ତି ......

 

ତୋ ଭଳି ଗୋଟାଏ ଏଡ଼େ ବଡ଼ ଆଡ଼ଭୋକେଟକୁ ନେଇ ଶଙ୍ଖୁଆ ଭଳି ନୀଚ୍ଚ କାମରେ ଲଗାଇ ପାରିବି ନାହିଁ । ତଥାପି ସେ ଶୁଭଲଗ୍ନ, ଆସୁ ତୋତେ ଏପରି ଗୋଟାଏ ଦାୟିତ୍ୱ ଦେବି, ଯେଉଁଥିରେ ତୋର ମର୍ଯ୍ୟାଦା ବଢ଼ିବ ପଛେ କମିବ ନାହିଁ ।

 

ସେ ଘରେ ମୁନ୍ନା କାନ୍ଦି ଉଠିଲା ।

 

ଚନ୍ଦ୍ରକାନ୍ତ ବ୍ୟସ୍ତ ହୋଇଉଠିଲା । ଭିତରକୁ ଯିବାପାଇଁ ଉଦ୍ୟତ ହେଲା ।

 

ଚନ୍ଦ୍ରକାନ୍ତକୁ ତା ଚୌକିରେ ବସାଇ ଦେଉ ଦେଉ ସୁବ୍ରତ କହିଲା–ଏତେଟା ବାତ୍ସଲ୍ୟ ଶୋଭା ପାଏନିରେ । ମାତ୍ରାଧିକ ସ୍ନେହରେ ବଡ଼ ଦିନକୁ ପିଲାଟା ଅବାଧ୍ୟ ହୋଇଉଠିବ । ଘରେ ତା’ର ମାଆ ଅଛନ୍ତି, ତାଙ୍କୁ ତାଙ୍କର କର୍ତ୍ତବ୍ୟ କରିବାକୁ ଛାଡ଼ି ଦେ.....

 

ଚନ୍ଦ୍ରକାନ୍ତ ଚୌକିରେ ନ ବସି ଭିତରକୁ ଚାଲିଗଲା ।

 

କିଛି ସମୟ ପରେ ମୁନ୍ନାକୁ ଛାତିରେ ପକାଇ ଚନ୍ଦ୍ରକାନ୍ତ ଆସି ପହଞ୍ଚିଲା । ନିର୍ଭୟରେ ଚନ୍ଦ୍ରକାନ୍ତ ଛାତିରେ ମୁନ୍ନା ମୁହଁ ଛପାଇଥାଏ ।

 

ସୁବ୍ରତ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ମୁନ୍ନାକୁ ଲକ୍ଷ୍ୟ କରି ଚନ୍ଦ୍ରକାନ୍ତ କହିଲା–ତୋ ମଉସାଙ୍କୁ ଦେଖ–ସେ ବଡ଼ ରାଗୀ, ତୁ ଯଦି ଅବାଧ୍ୟ ହେବୁ ତେବେ ତୋତେ ଚାବୁକ୍‌ରେ ମାରି ମାରି ତୋ ପିଠି ଲାଲ୍ କରିଦେବେ । ମନେରଖି ଥିବୁଟି.....

 

ସୁବ୍ରତ ତା ଚୌକିରୁ ଉଠି ଠିଆ ହେଲା । ଚାଲ ଚାଲ ହୋଇ ଚନ୍ଦ୍ରକାନ୍ତର ପାଖକୁ ଗଲା-। ମୁନ୍ନା ଗାଲକୁ ସ୍ନେହରେ ଚିପିଦେଲା ।

 

ଖିଲ୍‌ ଖିଲ୍‌ ହୋଇ ହସି ଉଠିଲା ମୁନ୍ନା ।

 

ସୁବ୍ରତ କହିଲା–କିରେ ତୋ ପୁଅକୁ ଯେତେବେଳେ ନୂଆ କରି ଦେଖିଲି ତା ହାତରେ କିଛି ଦେବାର କଥା । ଆମ ସମାଜରେ ଏତ ଗୋଟାଏ ପ୍ରଚଳିତ ବିଧି । ପୁଣି ମୁନ୍ନାକୁ ଉଦ୍ଦେଶ୍ୟ କରି କହିଲା–କ’ଣ କରିବିରେ ମୁନ୍ନା, ତୋର ଏ ଲକ୍ଷ୍ମୀଛଡ଼ା ମଉସାଟା ଦିଆନିଆ ଠାରୁ ବହୁ ଦୂରରେ ରହେ । ଆନ୍ତରିକ ସ୍ନେହ ସହାନୁଭୂତି ନଥାଇ ବଜାରରୁ ବିସ୍କୁଟ, ଲିଜେନ୍ସ ଡବା ନେଇ ଉପହାର ଦେବାର ମୁଁ ପକ୍ଷପାତୀ ନୁହେଁ, କ’ଣ ଅବା ତୋତେ ଦେଇ ପାରିବି ? ଏତିକି କହି ମୁନ୍ନା ଗାଲରେ ସ୍ନେହର ବୋକଟାଏ ଦେଲା ।

 

ମୁନ୍ନା ହସି ହସି ଚନ୍ଦ୍ରକାନ୍ତର ଛାତି ଉପରକୁ ଉଠିଗଲା ।

 

ଚନ୍ଦ୍ରକାନ୍ତ କହିଲା–ମୁନ୍ନା ମଉସାଙ୍କୁ କହ, ମଉସା ତୁମେ ମୋତେ ଏତିକି ଆଶିଷ ଦିଅ, ମୁଁ ତୁମଭଳି ନିର୍ଭୀକ୍‌ ହୁଏ, ତୁମ ଭଳି ସ୍ପଷ୍ଟବାଦୀ ହୁଏ, ଆଉ ତୁମ ଭଳି ସତ୍‌ ଓ କର୍ମନିଷ୍ଠ ହୁଏ ।

 

ମୁନ୍ନାର ଗହଳିଆ କେଶ ଭିତରେ ସୁବ୍ରତ ହାତ ବୁଲାଉବୁଲାଉ କହିଲା–କେସ୍‌ର ସମସ୍ତ ଆନୁସଙ୍ଗିକ ବିବରଣୀ ଏଇ କାଗଜରେ ଲେଖିଆଣିଛି, ପରେ ପଢ଼ିବୁ ଓ ସେଇ ଅନୁସାରେ ମୋତେ ସାହାଯ୍ୟ କରିବୁ । ହଁ–ମୋତେ ଅବା କ’ଣ ସାହାଯ୍ୟ କରିବୁ ? ତୋ ବିବେକ ଓ ବୁଦ୍ଧି ଯଦି ଦେଶକୁ ସାହାଯ୍ୟ କରିବ ତେବେ ମୁଁ ଖୁସି ହେବି ।

 

ହାତଘଣ୍ଟାକୁ ଚାହିଁ ଚମକି ପଡ଼ିଲାପରି ସୁବ୍ରତ କହିଲା ବହୁତ ଡେରି ହେଲାଣି–ଯାଉଛି ।

 

ପୁଣି କେବେ ଆସିବୁ ?

 

ମକଦ୍ଦମା ନସରିଲା ପର୍ଯ୍ୟନ୍ତ ଓକିଲ ଦୁଆରକୁ ମହକିଲ, ରୋଗ ଭଲ ନ ହେବା ପର୍ଯ୍ୟନ୍ତ ଡାକ୍ତର ଦୁଆରକୁ ରୋଗୀ ବେଳ ଅବେଳ, ସଦାବେଳେ ଦଉଡ଼ନ୍ତି–କହି ମୁନ୍ନାକୁ ଆଉ ଟିକିଏ ଗେଲ କରି ସୁବ୍ରତ ବିଦାୟ ନେଲା ।

 

ମିସ୍ ମାଳବିକା କାନୁନ୍‌ଗୋ

 

ଯୌବନବତୀ, ଲାବଣ୍ୟମୟୀ ଆଉ ଲାଳିତ୍ୟମୟୀ ।

 

ଓଡ଼ିଶାର ସୌଖୀନ ରଙ୍ଗମଞ୍ଚର ଜଣେ କୁଶଳୀ ଅଭିନେତ୍ରୀ ହିସାବରେ ମାଳବିକା ଦେବୀଙ୍କର ଯଥେଷ୍ଟ ସୁନାମ ଅଛି । ରଙ୍ଗମଞ୍ଚ ଉପରେ ତାଙ୍କର ଆବିର୍ଭାବ ପାଇଁ ଦର୍ଶକମାନେ ପ୍ରେକ୍ଷାଗୃହରେ ଉତ୍କଣ୍ଠିତ ହୋଇ ଉଠନ୍ତି । ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସେ ତାଙ୍କର କଳାର କୁଶଳତା ଦର୍ଶାଇ ପାରିଛନ୍ତି । ଐତିହାସିକ ନାଟକ ସାହଜାହାନ୍‌ରେ ପ୍ରେୟସୀ ମମତାଜ୍‌ ଭୂମିକାରେ ଅଭିନୟ କରି, ମୃତ୍ୟୁଶଯ୍ୟାରେ ଦର୍ଶକଙ୍କ ଆଖିରୁ ଲୁହ ଝରାଇଛନ୍ତି । ଘରସଂସାର ନାଟକରେ ଛୋଟ ଅଲିଅଳି ନଣନ୍ଦ ଭୂମିକାରେ ସରଳସାବଲୀଳା ଅଭିନୟ କରି ସମସ୍ତଙ୍କ ମୁହଁରେ ହସ ଭରି ଦେଇଛନ୍ତି । କେତେବେଳେ ରାଣୀ ଭୂମିକାରେ ଗାମ୍ଭୀର୍ଯ୍ୟ ରକ୍ଷାକରି ଐଶ୍ୱର୍ଯ୍ୟର ସମୁଦ୍ରରେ ଭାସି ଚିନ୍ତିତ କେତେବେଳେ କିରାଣୀର ବଧୂ ସାଜି ଦୁଃଖ ଦୁର୍ଦ୍ଦିନର ପ୍ରତୀକରୂପେ ଛିନ୍ନ ବସନ ପିନ୍ଧି ମୁଖରା ହୋଇଉଠିଛନ୍ତି ।

 

ରଙ୍ଗମଞ୍ଚର ଅଭିନେତ୍ରୀ ହେଲେ ସୁଦ୍ଧା ଅଭିନେତ୍ରୀମାନଙ୍କ ଭିତରେ ସେ ଏକ ବ୍ୟତିକ୍ରମ-

 

ଦୁନିଆଁର ଏଇ ସ୍ଖଳିତ ପଥରେ ପାଦ ଦେବାକୁ ହେଲେ ପ୍ରତ୍ୟେକ ନାରୀର ଅବଲମ୍ବନ ଦରକାର । ସେହି ଅବଲମ୍ବନ ନଥିଲେ ବହୁତ ଲୋକ ମାଂସର ମୋହ ଏଡ଼ାଇ ପାରନ୍ତି ନାହିଁ । ଭୋକିଲ। ଆଖି ନେଇ ଦଉଡ଼ି ଆସନ୍ତି । ଅଶ୍ଳୀଳ ଭାବରେ ଗୋଟିଏ ଆଶ୍ରୟହୀନା ତରୁଣୀ ଉପରେ ଅଦଉତି କରିବା ପାଇଁ ଆରମ୍ଭ କରିଦିଅନ୍ତି । ଅନହୁତି ଆଗେଇ ଆସି ଆକ୍ରମଣ କରନ୍ତି ।

 

ପାପ ପୂଣ୍ୟର କଥା; ସେ ତ ବହୁତ ଦୂରର କଥା । ଏପରିକି ପରିଣାମ ଭୟଙ୍କର ହେଲେ ଅବସ୍ଥା ସମ୍ଭାଳି ନେବାପାଇଁ ସେମାନଙ୍କର ସାହସ ହୁଏନାହିଁ । ଶେଷରେ ଜୀବନପାତ୍ରରୁ ସମସ୍ତ ମଧୁ ଲୁଣ୍ଠନ କଲାପରେ ସେମାନେ ଆତତାୟୀ ସାଜନ୍ତି । ପଳାତକ ହୁଅନ୍ତି । ମାଳବିକା ଦେବୀଙ୍କର ଜୀବନର ଯାତ୍ରା ପଥରେ ବହୁ ମଧୁଲୋଭୀ ବନ୍ଧୁ ଯୁଟିଛନ୍ତି । ସମ୍ପୂର୍ଣ୍ଣ ନିଜର କରିନେବାପାଇଁ ଛଳନା କରି ଛାତିର ତଳପକୁ ଅଳପ ଆଉଜାଇ ନେବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ କେତକୀ ଫୁଲ ପରି, ବାପାଙ୍କୁ ଦୁର୍ଗମ ଶାସନର କଣ୍ଟକ ବନ ଭିତରେ ରହିଥିବାରୁ ବନ୍ଧୁମାନଙ୍କୁ ନିରାଶ ହେବାକୁ ହୁଏ । ସମସ୍ତେ ତାଙ୍କର ପରିଧି ଚାରିପାଖରେ ଘୂରନ୍ତି । କେହି କିନ୍ତୁ ତାଙ୍କୁ ସ୍ପର୍ଶ କରିପାରନ୍ତି ନାହିଁ ।

 

ସମସ୍ତେ ଭାବନ୍ତି ଏଇ ଅନନ୍ତ ଯୌବନର ସମ୍ଭାର ନେଇ ମାଳବିକା କାନୁନ୍‌ଗୋ କ’ଣ ଅନାଘ୍ରାତ ହୋଇ ରହିଯିବେ ?

 

ସୁବୋଧ କାନୁନ୍‌ଗୋ ମାଳବିକା ଦେବୀଙ୍କର ପିତା । ଅବସର ପ୍ରାପ୍ତ କର୍ମଚାରୀ । କଟକରେ ରହନ୍ତି । ଚାକିରୀ ଜୀବନ ଭିତରେ କଟକରେ ଖଣ୍ଡିଏ କୋଠା ତୋଳି ସେଇଠି ରହନ୍ତି । ଏତିକି ଯାହା ଅର୍ଜନର ନମୂନା । ପରିବାର କହିଲେ ସେ ନିଜେ, ଏକମାତ୍ର କନ୍ୟା ମାଳବିକା ଦେବୀ ଓ ଚାକର ରଘୁନାଥ । ରଘୁନାଥ ଉଭୟ ଚାକର ଓ ପୂଜାରୀର କାମ କରେ । ଅନେକ ଦିନୁ ମାଳବିକା ଦେବୀଙ୍କର ମାତା ଏ ସଂସାର ଛାଡ଼ି ଚାଲି ଯାଇଛନ୍ତି । ବାପା ଓ ମା ଉଭୟର ସ୍ନେହ ଦେଇ ସୁବୋଧବାବୁ ମାଳବିକା ଦେବୀଙ୍କୁ ଗଢ଼ିଛନ୍ତି ।

 

ମୃତ୍ୟୁ ପୂର୍ବରୁ ମାଳବିକା ଦେବୀଙ୍କର ମାତା ସାବିତ୍ରୀ ଦେବୀଙ୍କର ଶେଷ ଅନୁରୋଧ ଥିଲା ସେ ଯେପରି ମାଳବିକାକୁ ମଣିଷପରି ମଣିଷଟିଏ କରି ଗଢ଼ନ୍ତି । ସୁବୋଧବାବୁ ପତ୍ନୀଙ୍କର ଅନ୍ତିମ ଅନୁରୋଧକୁ ରକ୍ଷା କରିବାପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରିଛନ୍ତି ।

 

ବିଶ୍ୱବିଦ୍ୟାଳୟରୁ ବି. ଏ. ଡିଗ୍ରୀ ଦିଆଇବା ସଙ୍ଗେ ସଙ୍ଗେ ସେ ମାଳବିକାକୁ ମଧ୍ୟ ନୃତ୍ୟ ସଙ୍ଗୀତ ଶିକ୍ଷାରେ ନିପୁଣା କରି ଦେଇଥାଆନ୍ତି । ମାଳବିକା ଦେବୀଙ୍କର ମଧ୍ୟ ନୃତ୍ୟ ଓ ଅଭିନୟ କଳାପ୍ରତି ବିଶେଷ ଆଗ୍ରହ । ସେଥିପାଇଁ ସେ ବହୁତ ସମୟ ଏଥିରେ ବ୍ୟୟ କରନ୍ତି । ଫଳରେ ଦିନ କେତେଟା ପରେ ମାଳବିକା ଦେବୀ ଓଡ଼ିଶାର ପ୍ରତ୍ୟେକ କଳାପ୍ରେମୀ ନିକଟରେ ପରିଚିତା ହୋଇଉଠନ୍ତି । କେବଳ ପରିଚିତା ନୁହନ୍ତି ଆଦରଣୀୟା ବି ହୋଇଉଠନ୍ତି ।

 

ମିସ୍ ମାଳବିକା କାନୁନ୍‌ଗୋଙ୍କୁ ଯେ ଥରେ ଦେଖିଛି ସେ ଆଉ ଥରେ ଦେଖିବା ପାଇଁ ବିକଳ ହୋଇଉଠିଛି । ଯେ ପ୍ରଶଂସା ଶୁଣିଛି ସେ ଦେଖିବା ପାଇଁ ବ୍ୟାକୁଳ ହୋଇଉଠିଛି । ଆଜିକାଲି ଓଡ଼ିଶାରେ ଯେଉଁ ସିନେମା ଶିଳ୍ପ ନୂଆକରି ଗଢ଼ି ଉଠିଛି ସେଥିରେ ପ୍ରତି ନୂତନ ଛବିରେ ନାୟିକା କିମ୍ବା ପାର୍ଶ୍ୱନାୟିକା ଭୂମିକାରେ ନିଶ୍ଚୟ ସେ ଥିବେ ।

 

ସୁବୋଧ କାନୁନ୍‌ଗୋ ମାଳବିକା ଦେବୀଙ୍କର ଭବିଷ୍ୟତ ନେଇ ବିଶେଷ ବ୍ୟସ୍ତ । କେବଳ ବ୍ୟସ୍ତ ନୁହନ୍ତି–ବଚଳିତ ମଧ୍ୟ । କେତେ ଦିନ ଧରି ଏଇ ବଢ଼ିଲା ଝିଅକୁ ଅଣ୍ଟିରେ ବାନ୍ଧି ବସିବେ ? ସବୁଦିନ ତ ଝିଅ ଅଙ୍ଗରେ ରଙ୍ଗ ନ ଥିବ ! ଯୌବନର ଉଦ୍ଦାମତା ତ ସବୁଦିନ ରହିବ ନାହିଁ ! ଏ କୁଳୁକୁଳୁ ଛଳଛଳ ଯୌବନର ଜୁଆରରେ ଯେତେବେଳେ ଭଟ୍ଟା ଆସିବ ସେତେବେଳେ.....

 

ସେତେବେଳେ ଅବଶ୍ୟ ସେ ନ ଥିବେ, କିନ୍ତୁ ତାଙ୍କର ଏ ଦୂରଦୃଷ୍ଟିର ଅଭାବ ହେତୁ ନିଶ୍ଚୟ ତାଙ୍କର ଅଲିଅଳି କନ୍ୟା, ପ୍ରତି ଶ୍ରାଦ୍ଧ-ବାର୍ଷିକୀରେ ତାଙ୍କୁ ଦୋଷ ଦେଇ ଲୋତକ ତର୍ପଣ କରିବ । ସେଇ ଲୋତକର ଉଷ୍ଣତା କ’ଣ ତାଙ୍କୁ ସେ ପୁରରେ ସ୍ପର୍ଶ କରିବ ନାହିଁ !

 

ଝିଅର ଯୌବନ ଆସିଛି । ଶିକ୍ଷା, ଦୀକ୍ଷା, ସଂସ୍କୃତି ସବୁ ଅଛି । ଏଣିକି ଅବଶିଷ୍ଟ କର୍ତ୍ତବ୍ୟ ତାଙ୍କର । ଜୀବନରେ ଯାହାକିଛି ସମ୍ପତ୍ତି ଅର୍ଜିଛନ୍ତି ତାକୁ ଭୋଗ କରିବାକୁ ଆଉ କେହିତ ନାହିଁ ଆଗକୁ ପଛକୁ କେହି ନାହିଁ, କେବଳ ଅଛି ମାଳବିକା । ସେଇ ତାଙ୍କର ପୁଅ । ସେଇ ତାଙ୍କର ଝିଅ । ତାକୁ ମଣିଷ କରି ଗଢ଼ିବାରେ ଯାହାକିଛି ଖର୍ଚ୍ଚ କରିଥିଲେ; ତାହାଠାରୁ ଯଥେଷ୍ଟ ବେଶୀ ମାଳବିକା ତା’ର ଅଭିନୟର ପାରିଶ୍ରମିକରୂପେ ପାଇ ତାଙ୍କୁ ଆଣି ଦେଇଦେଲାଣି । ବୁଝିବାକୁ ଗଲେ ଝିଅ ତାଙ୍କର ଏକ ଉପାର୍ଜ୍ଜନଶୀଳ ଅବଲମ୍ବନ । ଦିନ ଥିଲା ଯେତେବେଳେ ମାଳବିକାକୁ ସେ ଗୋଟାଏ ଖିଆଲରେ ନୃତ୍ୟ, ଗୀତର ଶିକ୍ଷାପାଇଁ କଳାବିକାଶ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ନିଜର ଅଭିନୟ କରାଇବାର ସ୍ୱାଭାବିକ କ୍ଷମତା ନେଇ ମାଳବିକାର ଆଜି ଧନ, ମାନ କେଉଁଥିରେ ଅଭାବ ନାହିଁ ।

 

ଏ ଭଳି ସର୍ବଗୁଣସମ୍ପନ୍ନା କନ୍ୟାକୁ ନେଇ ସେ ଯେତେବେଳେ ବିଶିଷ୍ଟ ସମାଜପତିମାନଙ୍କର ଦ୍ୱାରସ୍ଥ ହୋଇ, ମାଳବିକାକୁ ବଧୂ ରୂପେ ଗ୍ରହଣ କରିନେବାପାଇଁ ପ୍ରାର୍ଥନା କରନ୍ତି, ଶୁଣନ୍ତି କନ୍ୟା ତାଙ୍କର ସମାଜରୁ ନିର୍ବାସିତା । ସେ ବଧୂ ରୂପେ ଅଭିନୟ କରିପାରେ କିନ୍ତୁ ଅନ୍ତଃପୁରର ବଧୂ ହେବାର ଯୋଗ୍ୟତା ତା’ର ନାହିଁ ।

 

ଆମେମାନେ ଆଜିକାଲି ବାହାରେ ଯେଉଁ ସମାଜ ନେଇ ଚଳୁଛେ ସେଥିସହିତ କୌଣସି ସାଧାରଣ ଭଦ୍ର ଗୃହସ୍ଥ ସମାଜର ଯୋଗାଯୋଗ ନାହିଁ । ମାଳବିକାର ଅଭିନୟ ଦେଖି ସମସ୍ତେ ତାରିଫ କରନ୍ତି । ବାହାବା ଦିଅନ୍ତି । ଘର ସଜାଇବା ପାଇଁ ତା’ର ବିଭିନ୍ନ ଭଙ୍ଗୀରେ ଫଟୋକୁ କାଚରେ ବାନ୍ଧି ରଖି କାନ୍ଥରେ ଝୁଲାନ୍ତି । ଜଣେ ଅଭନେତ୍ରୀ ଭାବନାର ସଙ୍ଗୀନ ହୋଇପାରେ, ସାମୟିକ ଶଯ୍ୟାସଙ୍ଗିନୀ ହୋଇପାରେ କିନ୍ତୁ ତାକୁ ବିଭାହୋଇ ସଂସାର କରାଯାଇ ପାରେନା ବୋଲି ମତାମତ ଦିଅନ୍ତି । ରଙ୍ଗମଞ୍ଚର ଅଭିନେତ୍ରୀ, ପରିବାର ଭିତରକୁ କୁଳବଧୂ ରୂପେ ଆସିଲେ, ପରିବାର ଭିତରେ ଅଶାନ୍ତିର ଘୂର୍ଣ୍ଣି ବହିଯିବ । ତେଣୁ ସେ ପ୍ରକାର ଝଞ୍ଜାକୁ ସ୍ୱାଗତ କରିବା ପୂର୍ବରୁ ସାମାଜିକ ବାତାୟନକୁ ବନ୍ଦ କରିଦେବା ଶ୍ରେୟସ୍କର ।

 

ମାଳବିକାଦେବୀଙ୍କର ଉପସ୍ଥିତି ଆଜିକାଲି ସୁବୋଧ ବାବୁଙ୍କୁ ବିବ୍ରତ କରିପକାଉଛି । ଘରେ ତାଙ୍କର ଅନୁପସ୍ଥିତି ସମୟରେ ସେ ତାଙ୍କର ଭବିଷ୍ୟତ ନେଇ ଚିନ୍ତିତ ରହନ୍ତି । ମାଳବିକାଦେବୀଙ୍କୁ ଦେଖିଲେ ଆଖିରୁ ତାଙ୍କର ଅନୁଶୋଚନାର ଅଶ୍ରୁ, ଝରି ପଡ଼ୁଛି । ଦୀର୍ଘ ଦିନ ଧରି ସରକାରୀ ଚାକିରୀ କଲାପରେ, ସେ ଭାବିଥିଲେ ଯେ ଅବସର ସମୟଟା ଅନ୍ତତଃ ଶାନ୍ତିରେ କଟାଇବେ । କିନ୍ତୁ ସବୁ ସ୍ଵପ୍ନ ତାଙ୍କର ବିଫଳ ହେଲା । ଯେଉଁ ମାଳକୁ ନେଇ ସେ ଦିନେ ଗର୍ବ କରୁଥିଲେ, ସେଇ ବର୍ତ୍ତମାନ ତାଙ୍କ ଗଳାରେ ବସି, ତାଙ୍କର ଗଲା ଚିପିଧରି, ମାରିବାକୁ ବସିଛି । ଆଉ ବର୍ଷ ଦୁଇ ତିନିଟା ପରେ ମାଳବିକାକୁ ପଚିଶିଟି ବସନ୍ତ ମଳୟର ସ୍ପର୍ଶ ଦେଇ ଚାଲିଯିବ । ତାପରେ ସୁନାର ଅଙ୍ଗରୁ ତା’ର ରଙ୍ଗ ଯଦି ଖସେ, ତେବେ.....ଦୁନିଆଁର ହାଟରେ ତା’ର ମୂଲ କିଏ ପଚାରି ବସିବ ?

 

ନାରୀର ସମ୍ପଦ ତା’ର ସୌନ୍ଦର୍ଯ୍ୟ । ଗୁଣ, ସେ ତ ପରେ ପରେ ମାନବିକତା ଦୃଷ୍ଟିକୋଣରୁ ନିର୍ଣ୍ଣିତ ହୁଏ । ଲାବଣ୍ୟମୟୀ ନାରୀ ସମସ୍ତଙ୍କର ଆକର୍ଷଣୀୟା ହୋଇଉଠେ । ମାଳବିକାଙ୍କଠାରୁ ସେତେକ ଚାଲିଗଲାପରେ ସୁବୋଧବାବୁ, କ’ଣ ନେଇ କାହାର ଦ୍ୱାରସ୍ଥ ହେବେ-? କିଏ ବା ତାଙ୍କର ଅନୁରୋଧକୁ କର୍ଣ୍ଣପାତ କରି ଏ ବର୍ଷିୟସୀ ମହିଳାର ପାଣିଗ୍ରହଣ କରିବାକୁ ଉଦାରତା ଦେଖାଇବେ ?

 

ବର୍ଷିୟସୀ ନାରୀ ପୁରୁଷର ସମ୍ପଦ ହୋଇପାରେ କିନ୍ତୁ ପ୍ରେମ ବା ପ୍ରଣୟ ଦୃଷ୍ଟିରୁ ଉପଯୁକ୍ତ ଶଯ୍ୟାସଙ୍ଗିନୀ ହୋଇପାରେ ନାହିଁ । କପୋତୀର ବୁକୁତଳର ଉଷ୍ଣତା ସେ ନାରୀର ବୁକୁତଳେ ଆଉ କ’ଣ ଥାଏ ! ଚପଳତାରେ ତା’ର ପରଦା ମାଡ଼ି ଆସିଥାଏ । ଚପଳତା ତାକୁ ଆମୋଦ ଦିଏ ନାହିଁ । ଚପଳତାଠାରୁ ଦୂରରେ ରହିବାକୁ ସେ ଇଚ୍ଛା କରେ ।

 

ଆଦ୍ୟ ଯୌବନର ଚପଳତାରେ ସିନା ଜୀବନର ମଧୁ ସଞ୍ଚୟ ହୋଇ ରହିଥାଏ ! ଆଦ୍ୟ ଚପଳତା ସିନା ଉପଭୋଗ୍ୟ ଆଉ ଅବିସ୍ମରଣୀୟ ହୁଏ !

 

ସୁବୋଧବାବୁ ଭାବନ୍ତି ପିତା ହିସାବରେ ମାଳବିକା ପ୍ରତି ସେ ତାଙ୍କର କର୍ତ୍ତବ୍ୟ ପାଳନ କରିବେ । ଭରତଟା ଇଂଲଣ୍ଡ ନୁହେଁ । ଏଠାରେ ଜୀବନର ସୀମାରେଖା ଷାଠିଏ ବର୍ଷ । ଝିଅ ତାଙ୍କର ଜୀବନର ସୀମାରେଖାର ଅର୍ଦ୍ଧାଶଂ ପର୍ଯ୍ୟନ୍ତ ଆଗେଇ ଆସିଲଣି । ବିବାହ ତା’ର ନିହାତି ଆବଶ୍ୟକ । ପତ୍ନୀଙ୍କର ଅନୁରୋଧ ରକ୍ଷାକରିବାକୁ ଯାଇ ସେ ଭୁଲ କରିଛନ୍ତି । ସାବତ୍ରୀ ଦେବୀ ମାଳବିକାର ପାଦରେ ଘୁଙ୍ଗୁର ପିନ୍ଧାଇ ମଣିଷ କରିବାକୁ କେବେ ତ ତାଙ୍କୁ କହି ନଥିଲେ ?

 

ମନେମନେ ସୁବୋଧ କାନୁନ୍‌ଗୋ ଆଧୁନିକତାର ସଂଜ୍ଞା କ’ଣ ବିଶ୍ଳେଷଣ କରୁଥିଲେ ।

 

ଇଜି ଚେୟାର୍ ଉପରେ ନିଜର ଅଳସ ଦେହଟାକୁ ବିଛେଇଦେଇ, ବୃଦ୍ଧ ପେନ୍‌ସନ୍‌ ଭୋଗୀ ସୁବୋଧ କାନୁନ୍‌ଗୋ ଆଖି ଆଗରେ ସମ୍ବାଦପତ୍ରଟା ଧରି, କେତେ କ’ଣ ଭାବୁଥିଲେ । ହଠାତ୍ କାହାର ପଦପାତରେ ତାଙ୍କର ଚିନ୍ତାରେ ବାଧା ଆସିଲା । ସେ ଗମ୍ଭୀର ହୋଇଉଠିଲେ ।

 

ଅହେତୁକ ଝଡ଼ ଭଳି ଘର ଭିତରକୁ ସୁବ୍ରତ ପଶିଆସିଛି ।

 

କଲେଜ ଜୀବନରେ ସୁବ୍ରତ, ମାଳବକାର ସହପାଠୀ ଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ୍ମାନ୍‌ କୃତୀଛାତ୍ର ରୂପେ ସେ ସମସ୍ତଙ୍କ ପାଖରେ ପରିଚିତ ଥିଲା ।

 

ସୁବ୍ରତ ସହିତ ମାଳବିକାର ମିଳାମିଶାକୁ ସୁବୋଧବାରୁ ପସନ୍ଦ କରୁ ନଥିଲେ । ସେ ଭାବୁଥିଲେ ହୁଏତ ଦିନେ ନା ଦିନେ ମାଳ ତାଙ୍କର ଭୁଲ୍‌ ବାଟରେ ଯାଇପାରେ..। ଶେଷ ଜୀବନରେ ଏକମାତ୍ର ସାହାଭରସା, ଅନ୍ଧର ଲଉଡ଼ିଭଳି ମାଳକୁ ହୁଏତ ସୁବ୍ରତ ତାଙ୍କଠାରୁ ଛଡ଼ାଇନେବ ।

 

ମନଭିତରୁ ଯେପରି କିଏ କହି ଉଠିଲା–ବର୍ତ୍ତମାନତ କିଛି ସମୟ ପୂର୍ବରୁ ମାଳବିକାର ବିବାହ ପାଇଁ ବ୍ୟଗ୍ର ଥିଲ ! ଉପଯୁକ୍ତ ବରପାତ୍ର ଖୋଜି ନିରାଶ ହେବାରୁ ମନରେ ପରା ଦୁଃଖ କରୁଥିଲ ! ଯଦି ସୁବ୍ରତ ପରି ଜଣେ ଉଦୀୟମାନ ପ୍ରତିଭାବନ୍ତ ଯୁବକ ମାଳବିବାକୁ ବଧୂ ରୂପରେ ବରଣ କରିନିଏ ତେବେତ ତୁମର ଆନନ୍ଦିତ ହେବାର କଥା !

 

ଯେ କେହି ପିତା ସୁବ୍ରତ ପରି ଗୋଟିଏ ରତ୍ନକୁ ଜାମାତା ରୂପେ ପାଇଲେ କୁତାର୍ଥ ହେବା କଥା କିନ୍ତୁ କେହି ସେପରି ଦୁଃସାହସ କରିପାରନ୍ତି ନାହିଁ । କାରଣ ସୁବ୍ରତ ରାଜନୀତି ନିଆଁରେ ଝାସ ଦେଇଛି । ଗୋଟିଏ ପାଦ ତା’ର ପଦାରେ ରଖିଛି ତ ଆର ପାଦଟି ଜେଲରେ । ସେ ଚାହୁଁଛି ବିଶୁଦ୍ଧ ସ୍ୱର୍ଣ୍ଣ ପରି ରାଜନୀତି ନିଆଁରେ ଜଳିପୋଡ଼ି ଆହୁରି ଦୀପ୍ତୀମାନ୍‌ ହୋଇଉଠିବ । ସେଥିପାଇଁ ସେ ଓଡ଼ିଶା ସରକାରଙ୍କ ଶାସନ ବିଭାଗୀୟ ପରୀକ୍ଷାରେ ଦୁଇଥର ପ୍ରଥମ ହେଲେ ସୁଦ୍ଧା ଚାକେରୀକୁ ପ୍ରତ୍ୟାଖ୍ୟାନ କରିଛି ।

 

କୌଣସି ରାଜନୈତିକ ପାର୍ଟିର ମେମ୍ୱର ସେ ନୁହେଁ, ସମସ୍ତଙ୍କୁ ନିର୍ଭୀକ ଭାବରେ ସମାଲୋଚନା କରେ । ପାର୍ଟିର ନୀତି, ନିୟମ, ଆଦର୍ଶକୁ ରାଜନୀତିର ଆଢ଼ୁଆଳରେ କେତେକ ନ୍ୟସ୍ତ ସ୍ୱାର୍ଥବାଦୀ କିପରି ତଣ୍ଟିଚିପି ହତ୍ୟା କରୁଛନ୍ତି, ଦେଶସେବା ନାମରେ କିପରି ଲୁଣ୍ଠନ କରିଚାଲିଛନ୍ତି, ସେସବୁର ତୀବ୍ର ସମାଲୋଚନା ସୁବ୍ରତ କରେ । ଏପରିକି ତୁଙ୍ଗ ନେତୃତ୍ୱର ଦୋଷ ଦୁର୍ବଳତାକୁ ଖିନ୍‌ଭିନ୍‌ କରି ଦେଖାଇ ସେମାନଙ୍କର ଅସଲ ରୂପର ପରିଚୟ ଦିଏ ।

 

ସୁବ୍ରତ ଅପ୍ରିୟସତ୍ୟ କହେ । ଅଧିକାଂଶଙ୍କର ସେଥିପାଇଁ ସେ ଚକ୍ଷୁଶୂଳ ଓ ବିରାଟ ଆତଙ୍କ ।

 

ସୁବୋଧବାକୁ ଭାବୁଥିଲେ ଯଦି କିଛି ସ୍ଥାୟୀ ରୋଜଗାର ଥାଆନ୍ତା ତେବେ ହୁଏତ ମାଳର ବିଭାଘର ସୁବ୍ରତ ସହିତ କରାଇ ଦିଅନ୍ତେ । ରୋଜଗାର ନକରି ସୁଦ୍ଧା ଯଦି ସୁବ୍ରତ ତାଙ୍କ ପାଖରେ ରହି ତାଙ୍କର ଅର୍ଜିତ ସମ୍ପତ୍ତିର ଉପଯୁକ୍ତ ତତ୍ତ୍ୱ ନେଇପାରନ୍ତା ତେବେ ଦାସତ୍ୱ ମନୋବୃତ୍ତି ନ ରହିଲେ ବି ଚଳନ୍ତା । ଗୋଟିଏ ଦୈନିକ ଖବର କାଗଜର ସମ୍ପାଦନା କରି ସେ କେବେ ମାଳକୁ ସୁଖୀ କରିପାରିବ ନାହିଁ । ଘରୋଇ ସଂସ୍ଥାର ଏ ଚାକିରୀରେ କି ବା ସ୍ଥାୟିତ୍ୱ ଅଛି ?

 

ମାଳବିକା ସୁବ୍ରତକୁ ପସନ୍ଦ କରେ । ଯଦି ମାଳ ସୁବ୍ରତକୁ ନେଇ ଘରସଂସାର କଲେ ସୁଖୀ ହୋଇପାରିବ ତେବେ ତାଙ୍କର ବିବ୍ରତ ହେବାର କିଛିନାହିଁ । ମନ ଭିତରୁ ପୁଣି ଯେପରି କିଏ କହି ଉଠିଲା–ଜେଲଖାନାର ପ୍ରକୋଷ୍ଠକୁ ଯେଉଁ ବ୍ୟକ୍ତି ଦ୍ୱିତୀୟ ବାସସ୍ଥଳୀ ରୂପେ ଗ୍ରହଣ କରେ ସେ ଦେବତା ହେଲେ ମଧ୍ୟ ପାଷାଣ ହେବ । ହୃଦୟର ବନ୍ଧନ ତା ନିକଟରେ ତୁଚ୍ଛ । ସ୍ନେହ, ମମତାର ଅର୍ଥ ସେ କିଛି ଉପଲବ୍‌ଧି କରିପାରେ ନାହିଁ । ସଂସାର ବନ୍ଧନକୁ ଯେ ତୁଚ୍ଛକରି ବନ୍ଦୀ ହେବାକୁ ଭଲପାଏ ତା’ର ଭଲପାଇବାରେ ହକ୍‍ ନାହିଁ କିମ୍ୱା ସେ ସଂସାରୀ ହେବାର ପଦବାଚ୍ୟ ନୁହେଁ ।

 

ସୁବୋଧବାବୁ ସେଇକଥା ଭାବୁଥିଲେ ।

 

ସୁବ୍ରତ ଆସି ବିନୀତ ଭାବରେ ପ୍ରଣାମ କଲା ।

 

ମାଳ ଘରେ ଅଛି । ଯାଅ ବାବୁ କହି ସୁବୋଧବାବୁ ଅନୁମତି ଦେଇଦେଲେ । ଏତେ ଦୁଶ୍ଚିନ୍ତା ଯେଉଁ ସୁବ୍ରତ ନେଇ ସେ କରୁଥିଲେ, ମାଳ ସହିତ ତା’ର ମିଳାମିଶାଟାକୁ ସେତ ବାରଣ କରିପାରିଥାନ୍ତେ ! କିନ୍ତୁ କରିପାରିଲେ ନାହିଁ କାହିଁକି ?

 

ସୁବୋଧବାବୁ ନିଜର ଅସହାୟତା କଥା ଭାବି ବିସ୍ମିତ ହେଉଥିଲେ ।

 

ସୁବ୍ରତର ପ୍ରଶାନ୍ତ ମୁଖମଣ୍ତଳରେ ସେ ଏକ ବିରାଟ ବ୍ୟକ୍ତିତ୍ୱର ପରିସ୍ପୁଟନ ଦେଖିବାକୁ ପାଉଥିଲେ । ମନେମନେ ଭାବୁଥିଲେ ଜଙ୍ଗଲରେ ସବୁ ଗଛ ସିର ବିଶଲ୍ୟକରଣୀ ନୁହେଁ, କିନ୍ତୁ ସବୁ ଗଛ ଭିତରେ ବି ବିଶଲ୍ୟକରଣୀ ଥାଏ !

 

ଏକ ବର୍ଷଣମୁଖର ସଂଧ୍ୟାରେ କଲେଜରେ ଛାତ୍ରନେତା ସୁବ୍ରତ ରାଉତରାୟ ସହିତ ମାଳବିକାଦେବୀଙ୍କର ଆଳାପ ଓ ପରିଚୟ ଆରମ୍ଭ ହେଲା । (ଯଦିଓ ହିସାବରେ ପୂର୍ବରୁ ଚାକ୍ଷୁସ ହୋଇଥିଲା କିନ୍ତୁ ଆଳାପଟା ସେଇ ପ୍ରଥମ ।)

 

ଦୁଇଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ସୁବ୍ରତ ଟିଉସନ କରେ । ସେଦିନ ବି ସୁବ୍ରତ ଟିଉସନ୍‌ କରିବାକୁ ବାହାରିଥିଲା । ଚାଲ ଚାଲି ଯିବା ବ୍ୟତୀତ ତା’ର ଅନ୍ୟ ପନ୍ଥା ନଥିଲା । ମେସ୍‌ରୁ ବାହାରିବା ସମୟରେ ଆକାଶର ରଙ୍ଗ ସଫାଥିଲା । ଶେଷ ଖରାଦିନିଆ ଆକାଶର ରଙ୍ଗ ଉପରେ ଆସ୍ଥା ରଖିବା ଅବଶ୍ୟ ସୁବ୍ରତର ଉଚିତ୍‌ ନଥିଲା । ରାଣୀହାଟ ଛକ ମୋଡ଼ ପାରି ହୋଇ ବଜ୍ରକବାଟି ରାସ୍ତାରେ ଦୋଳମୁଣ୍ତାଇ ଆଡ଼େ ଯାଉଯାଉ ଆକାଶର ରଙ୍ଗ ହଠାତ୍‌ ବଦଳିଗଲା । ଇନ୍ଦ୍ରନୀଳ ମେଘର ହୁଙ୍କାର ଶୁଣାଗଲା । ସୁବ୍ରତ ବିଶେଷ ବିଚଳିତ ହେଉ ନଥିଲା । ଖରାଦିନିଆ ବର୍ଷା କେତେ ସମୟ ଅବା ହେବ ? ସେଦିନ କିନ୍ତୁ ବର୍ଷା ଖୁବ୍‌ ଜୋର୍‌ରେ ହେଲା । ଝଡ଼ ସହିତ ବଡ଼ ବଡ଼ କୁଆପଥର ଆକାଶର ବୁକୁଚିରି ପୃଥିବୀ ଉପରେ ଝରିପଡ଼ିଲା । ଆଶ୍ରୟ ପାଇଁ ସୁବ୍ରତ ବ୍ୟାକୁଳ ହୋଇ ଉଠିଲା । ରାସ୍ତା କଡ଼ରେ ଦୁଇଚାରିଟା କାଠ କ୍ୟାବିନ୍‌–ସେ ପୁଣି ବହୁତ ବ୍ୟବଧାନରେ ଅବସ୍ଥିତ । ଥୋଡ଼ାଏ ବାଟ ଗଲେ ଦୋଳମୁଣ୍ତାଇ ଛକର ଦୋକାନ ସବୁ ପଡ଼ିବ । (ଆଜିକାଲିପରି ସେତେବେଳେ ଅବଶ୍ୟ ବଜ୍ରକବାଟି ରାସ୍ତାଟା ଏତେ ଦୋକାନ ବହୁଳ ନଥିଲା ।) ଅନ୍ୟ ଉପାୟ ନପାଇ ରାସ୍ତା ପାଖର ଗଛମୂଳେ ସୁବ୍ରତ ବିଶ୍ରାମ ନେଲା ।

 

ପକେଟରୁ ରୁମାଲ କାଢ଼ି ଭିଜା ମୁହଁରୁ ସେ ବର୍ଷାପାଣି ଗୁଡ଼ାକ ପୋଛିବାକୁ ଲାଗିଲା ।

 

ହଠାତ୍‌ ରିକ୍‌ସାଟିଏ ଆସି ସେଇ ଗଛମୂଳେ ଅଟକିଗଲା । ଏ ଦୁର୍ଦ୍ଦିନରେ ବୋଧହୁଏ ରିକ୍‌ସାଚାଳକ ଆଉ ଦୁଃସାହସ କରି ପାରୁନାହିଁ । ଗଛମୂଳକୁ ସେ ବି ଆସି ମୁଣ୍ତ ଉପରେ ବାନ୍ଧିଥିବା ଗାମୁଛାରେ ଆପେ ପୋଛିହେଲା ।

 

ସୁବ୍ରତର ଆଶ୍ଚର୍ଯ୍ୟର ସୀରରେଖାକୁ ଅତିତ୍ରମ କରି ଜନୈକା ତରୁଣୀ ଆଶ୍ରୟ ଆଶାରେ ଗଛମୂଳକୁ ଚାଲି ଆସିଲେ । ରିକ୍‌ସା ଭିତରେ ବସିବା ବୋଧହୁଏ ତାଙ୍କପକ୍ଷରେ କଣ୍ଟକର ହୋଇ ଉଠିଲା ।

 

ସୁବ୍ରତକୁ ଦେଖି ତରୁଣୀ ଜଣକ ଅଭିବାଦନ କରି ନମସ୍କାର ଜଣାଇଲେ ।

 

ପ୍ରତିନମସ୍କାର କରୁ କରୁ ସୁବ୍ରତ ପାଟିରୁ ଆପଣାଛାଏଁ ବାହାରି ପଡ଼ିଲା–ଆପଣ !

 

ମୋତେ ବୋଧହୁଏ ଚିହ୍ନି ପାରୁନାହାନ୍ତି ? କ୍ତିନ୍ତୁ ଆପଣଙ୍କୁ ମୁଁ ଠିକ୍‌ ଚିହ୍ନେ । ଲଘୁ-ଚପଳ ହସରେ ତରୁଣୀ ଜଣକ କହିଲେ ।

 

ମୋତେ ଆପଣ ଚିହ୍ନନ୍ତି ?

 

ଏଥିରେ ଆଶ୍ଚର୍ଯ୍ୟ ହେବାରେ କ’ଣ ଅଛି ?

 

ଆଶ୍ଚର୍ଯ୍ୟ ହେବାର ବହୁତ କିଛି ଅଛି । ମୋପରି ଅକିଞ୍ଚନକୁ ଚିହ୍ନିବାର ପ୍ରଶ୍ନ ଉଠିପାରେ କିନ୍ତୁ ଆପଣଙ୍କ ପରି ପ୍ରତିଭାଶାଳିନୀ ତରୁଣୀଙ୍କୁ ଚିହ୍ନିବାରେ ଆଶ୍ଚର୍ଯ୍ୟ ହେବାକୁ ହୁଏନାହିଁ ।

 

ମୁଁ କେବଳ ସ୍ୱନାମଧନ୍ୟା; କିନ୍ତୁ ବିଶ୍ୱବିଦ୍ୟାଳୟ ରେକର୍ଡ଼ ଭାଙ୍ଗିଥିବାର ଯଶ ନେଇ ଆପଣ ପ୍ରତିଭାବାନ୍‌ ନୁହନ୍ତି ? ହସୁ ହସୁ ମାଳବିକାଦେବୀ କହି ଉଠିଲେ । ଏକା କ୍ଳାସ୍‌ରେ ବସିଲାବେଳେ ଯାହାହେଉ ପରସ୍ପରକୁ ଜାଣିଥିଲେ କିନ୍ତୁ ବ୍ୟକ୍ତିଗତ ଆଳାପ ପରିଚୟ ନଥିଲା । ଏ ଦୁର୍ଘଟଣା (ଆକସ୍ମିକ ଦୁର୍ଦ୍ଦିନ)ରେ ପରସ୍ପରର ସାନିଧ୍ୟ ଲାଭକଲେ ।

 

–ଅଦିନରେ ଏତେ ପାଣି ମେଘରେ ଆସିଲା କୁଆଡ଼ୁ ? କେତେବେଳେ ଏ ବର୍ଷା ଛାଡ଼ିବ କେଜାଣି ? ବ୍ୟସ୍ତ ହେଲାଭଳି ସୁବୁତ୍ର କହିଲା ।

 

ବର୍ଷାର ବେଗ କ୍ରମଶଃ ଶିଥିଳ ହେବାକୁ ଆରମ୍ଭ କଲାଣି । ସୁବ୍ରତ ସ୍ୱସ୍ତିର ନିଃଶ୍ୱାସ ମାରିଲା । ଯିବାପାଇଁ ପ୍ରସ୍ତୁତ ହେଲା ।

 

ହସୁ ହସୁ ମାଳବିକାଦେବୀ ପ୍ରଶ୍ନକଲେ–କୁଆଡ଼େ ବର୍ତ୍ତମାନ ଯିବେ ?

 

ଟିଉସନ୍‌କୁ !

 

ଏପରି ଅବସ୍ଥାରେ ଟିଉସନକୁ ଆଜି ଦିନକ ନଗଲେ ଭଲ ହୁଅନ୍ତା । ଚାଲନ୍ତୁ ଆମ ବସାକୁ ଯିବେ । ଆପଣଙ୍କର ଭିଜା ଲୁଗାଟା ଅନ୍ତତଃ ବଳଳାଇ ନେବେତ.....

 

କିନ୍ତୁ....

 

ଦୈବୀ ଦୁର୍ଘଟଣାରେ କିନ୍ତୁର ପ୍ରଶ୍ନ ନଥାଏ । ଚାଲନ୍ତୁ ରେକ୍‌ସା ତ ଅଛି । ବସା ନିକଟରେ ଆମକୁ ସେ ଛାଡ଼ିଦେବ ।

 

ସୁବ୍ରତ ସାମାନ୍ୟ ଇତଃସ୍ତତଃ ହେଲା ।

 

ହସି ହସି ମାଳବିକାଦେବୀ କହିଲେ–ବୋଧହୁଏ ମୋ ସଙ୍ଗରେ ଏକତ୍ର ରିକ୍‌ସାରେ ଗଲେ ଆପଣଙ୍କ ଚରିତ୍ରରେ କଳଙ୍କ ଲାଗିବାର ଆଶଙ୍କା କରୁଛନ୍ତି ? ବହୁ ବନ୍ଧୁଙ୍କର ବହୁ ଇଙ୍ଗିତପୂର୍ଣ୍ଣ ପ୍ରଶ୍ନର ଶରବ୍ୟ ହେବେ, ଏଇୟା ତ ? ଆଚ୍ଛା ସୁବ୍ରତବାବୁ; କହି ପାରିବେକି–ଚରିତ୍ରଟା କ’ଣ ଏତେ ଶସ୍ତା ଓ ନରମ ହୋଇଛି ଯେ ତା ଦେହେରେ ଏତେ ଶୀଘ୍ର ଦାଗ ଲାଗି ଯାଇପାରେ ?

 

ସୁବ୍ରତ ନିରୁତ୍ତର ରହିଲା ।

 

ଯଦି ନିହାତି ଭାବୁଥାନ୍ତି ଯେ ନିଜ ଛାତ୍ର କିମ୍ୱା ଛାତ୍ରୀର ପଢ଼ାଘର ଭିତରେ ନିଜର ଲୁଗାପଟା ଶୁଖାଇ ନିଜର କର୍ତ୍ତବ୍ୟନିଷ୍ଠାର ପରିଚୟ ଦେବେବୋଲି ତେବେ ମୋର ଆପତ୍ତି ନାହିଁ । କିନ୍ତୁ ଶସ୍ତା ଆଦର୍ଶ ବେଲୁନର ଯେ ଆପଣ ଗ୍ରାହକ ନୁହଁନ୍ତି ଏ ବିଶ୍ୱାସ ମୋର ଅଛି ।

 

ସୁବ୍ରତ ବିନା ଦ୍ୱିଧାରେ ରିକ୍‌ସାରେ ବସିଲା ।

 

ରିକ୍‌ସା ଗଡ଼ିଚାଲିଲା ।

 

ସୁବ୍ରତକୁ ନୀରବରେ ବସିଥିବାର ଦେଖି ମାଳିବିକାଦେବୀ କହିଲେ ମୁଁ ଚାହେଁ ଆପଣ ପଥର ପରି ଅଟଳ ରହନ୍ତୁ । ସୁଅ ମୁହଁରେ ଭାସିଗଲା ପତ୍ର ପରି ଆପଣ କୌଣସି ରାଜନୈତିକ ପାର୍ଟିର ଯେପରି ଶିକାର ନହୁଅନ୍ତି ।

 

ସୁବ୍ରତ ଭାବୁଥିଲା–ଏଇ ତରୁଣୀଟି ଅତି ସ୍ପଷ୍ଟବାଦିନୀ । ଝରଣାର ପାଣିପରି କଳକଳ ଛଳଛଳ ତା’ର ଗତି ।

 

ମାଳବିକା ଦେବୀଙ୍କର ସାନ୍ନିଧ୍ୟ ପାଇ ସୁବ୍ରତର ବନ୍ଧୁମାନେ କେତେ ବ୍ୟାକୁଳ ! ଲୁକ୍‌କାୟିତ ଭାବରେ ସମସ୍ତେ ଏଇ ତରୁଣୀଟି ସହିତ ମିଶିବାକୁ ଇଚ୍ଛା କରନ୍ତି; ଅଥଚ ମାଳବିକାଦେବୀ ଆଜି ତା ସହିତ ଆପେ ଆସି ବନ୍ଧୁତ୍ୱର ବସା ବାନ୍ଧୁଛନ୍ତି ।

 

ରିକ୍‌ସା ମାଳବିକାଦେବୀଙ୍କ ଘର ନିକଟରେ ରହିଲା ।

 

ରିକ୍‌ସାରୁ ଓହ୍ଳାଇ ମାଳବିକାଦେବୀଙ୍କର ଅନୁଗମନ କରୁକରୁ ସୁବ୍ରତ ଭାବୁଥିଲା ଯେଉଁ ବୟସରେ ପାଦଦେଇ ଜଣେ ଯୁବକ କିଛି ଭାବି ପାରେନାହିଁ, ସେହି ବୟସରେ ପାଦ ଦେଇ ଜଣେ ଯୁବତୀ ତା’ର ଭାବନାର ପରିସରକୁ କେତେ ଦ୍ରୁତ ଆଉ ଗଭୀର କରିପାରେ ସତେ !!

 

ସୁଜାତା ଚାଲିଯିବା ପରେ ଚନ୍ଦ୍ରକାନ୍ତ ବିଶେଷ ବିବ୍ରତ, ବିଚଳିତ ଓ ବ୍ୟଥିତ ହୋଇ ଉଠିଥିଲା । ସାଂସାରିକ ବନ୍ଧନ ପ୍ରତି ଯଦିଓ ଅନୁରକ୍ତି ତା’ର ବିଶେଷ ନଥିଲା ତଥାପି ମାତୃସ୍ନେହରୁ ବଞ୍ଚିତ ମୁନ୍ନାର ଆକୁଳ କ୍ରନ୍ଦନ ମନରେ ତା’ର ଭୀଷଣ ଆଘାତ ଦେଉଥିଲା । ସେଇ ଯନ୍ତ୍ରଣାରେ ସେ ଅସ୍ଥିର ହୋଇ ଉଠୁଥିଲା ।

 

ଦୁଇ ବର୍ଷର ପୁଅ ମୁନ୍ନା ।

 

ତୂଳା ଭଳି କୋମଳ ଆଉ ସରଗର ଚାନ୍ଦଭଳି ତୋଫା । ଠୁକୁ ଠୁକୁ ହୋଇ ଚାଲେ । ଖନ ଖନ ହୋଇ ଦରୋଟି କଥା କହେ ।

 

ସୃଷ୍ଟିର ପ୍ରଥମ ସଙ୍ଗୀତ ତା କଣ୍ଠରୁ ଝଂକୃତ ହେବା ପୂର୍ବରୁ ସେ ମାତୃସ୍ନେହରୁ ବଞ୍ଚିତ ହେଲା......

 

ସୁଜାତା ଚାଲିଯିବାପରେ ମାନସିକ ଅସ୍ୱସ୍ତି ଚନ୍ଦ୍ରକାନ୍ତ କେତେଦିନ ଧରି ଭୋଗ କରୁଥିଲା । ଜନ୍ମଦାତ୍ରୀ ମାତାର ଅନୁପସ୍ଥିତିରେ ଗୋଟିଏ ଦୁଗ୍‌ଧପୋଷ୍ୟ ଶିଶୁକୁ ମଣିଷ କରିବା ଯେ କି କଷ୍ଟ, ସେକଥା ସେ ମର୍ମେ ମର୍ମେ ଉପଲବ୍‌ଧି କରୁଥିଲା । ଦୀର୍ଘ ଦୁଇବର୍ଷ ଧରି ସେ ମୁନ୍ନାକୁ ଆଦର କରି ଆସିଛି । ପ୍ରାଣର ଆତ୍ମଜକୁ ବୁକୁଭରା ସ୍ନେହ ଅଜାଡ଼ି ଦେଇ ଆସିଛି । ଯେତେ କ୍ଷୁଦ୍ର ହେଲେ ମଧ୍ୟ ତା’ର ସଂସାରର ହାନୀଲାଭ ସେ ବୁଝିଛି । ନିଜ କର୍ତ୍ତବ୍ୟରେ ସେ ତିଳେମାତ୍ର ତୃଟି କରିନାହିଁ । ପ୍ରତିଦିନ କୋର୍ଟକୁ ଯାଇଛି, ବଡ଼ ଜଟିଳ କେଶ୍‌ ସବୁ ହାତକୁ ନେଇ ରାତି ରାତି ଧରି ଆଇନ ବହିର ପୃଷ୍ଠାକୁ ପଢ଼ି ହଜମ କରିଛି । ପ୍ରଗାଢ଼ ପ୍ରରିଶ୍ରମ କରିଛି । ଫଳରେ ନିଜ ବ୍ୟବସାୟରେ ତା’ର ପ୍ରତିଷ୍ଠା ଆସିଛି । ଅଳ୍ପ କେତେଟା ବର୍ଷ ପ୍ରାକ୍‌ଟିସ୍‌ ପରେ ସହରରେ ଖ୍ୟାତି ପାଇପାରିଛି । ଅର୍ଥବି ପାଇ ପାରିଛି ।

 

ସୁଜାତା ଚାଲିଯିବା ପରେ ତା’ର ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ସ୍ୱାଭାବିକ ଭାବରେ ତା’ର ଦୈନନ୍ଦିନ କର୍ତ୍ତବ୍ୟ ସେ କରି ପାରୁନାହିଁ । ମୁନ୍ନାର ଅଦଉତି, ଅଳି ଆର୍ଦ୍ଦୋଳି ସହିବାକୁ ଏଘରେ ସେ ଏକାଜୀ । ଉଭୟ ମାତା ଓ ପିତାର ଦୁଇଟି ଦାୟିତ୍ୱ ତୁଲେଇବାକୁ ଗଲାବେଳେ ଚନ୍ଦ୍ରକାନ୍ତ ଅଣନିଃଶ୍ୱାସୀ ହୋଇ ଉଠୁଥିଲା । ତା ନିଜ ଉପରେ ତା’ର ଆସ୍ଥା ତୁଟି ଯାଉଥିଲା । ପୂଜାରୀ ଦାମାନାର ପ୍ରଶ୍ନ ଉଠୁନି । ସଂସାରରେ ସେ ଜନ୍ମ ହୋଇଛି ସତ କିନ୍ତୁ ସ୍ନେହ କେବେ ଜୀବନରେ ପାଇନାହିଁ କିମ୍ୱା କାହାରିକୁ ସ୍ନେହ ଦେବାକୁ ଜାଣିନାହିଁ । ଦରମାଖିଆ ଚାକର ସେ । ଚୂଲିରେ ପାଣି ଗରମ ହେଲେ ତା କାମ ଆରମ୍ଭ ହୁଏ ଆଉ ଖାଇବା ଥାଳୀ ପାଖରୁ ଚନ୍ଦ୍ରକାନ୍ତ ଉଠିଲେ ତା’ର କର୍ତ୍ତବ୍ୟ ଶେଷ ହୁଏ । ମୁନ୍ନାର ଅଦଉତି ସେ କି ସମ୍ଭାଳିବ ?

 

ତଥାପି ଏଇ କେତେଦିନ ହେବ ମୁନ୍ନାକୁ ସେ ଯଥେଷ୍ଟ ସମ୍ଭାଳିଛି । ବେଶୀଦିନ କିନ୍ତୁ ଏ ଦାୟିତ୍ୱ ତାକୁ ଦିଆଯାଇ ପାରେନା । ମମତାମୟୀ ନାରୀର ସ୍ନେହବିନା ମୁନ୍ନା ମଣିଷ ହେବା ଅସମ୍ଭବ ।

ମାଳବିକାର ସ୍ୱପ୍ନ

 

ଚମକି ଉଠିଲା ଚନ୍ଦ୍ରକାନ୍ତ । ମମତାମୟୀ ନାରୀ ! ଦୁନିଆରେ ସବୁକିଛି ସୁଲଭ କିନ୍ତୁ ଦୁର୍ଲ୍ଲଭ ସିନା ଏହି ଜିନିଷଟି ।

 

ସୁଜାତା ଚାଲିଯିବା ପରେ ଏ ଲଜ୍ଜାକର ଖବର ଚନ୍ଦ୍ରକାନ୍ତ କାହାକୁ ନ ଜଣାଇବାକୁ ସ୍ଥିର କରିଥିଲା । ସେ ଜାଣେ ଏ ଦୁଃସମ୍ୱାଦରେ ଯେଉଁ ସହାନୁଭୂତି ସେ ତା’ର ଆତ୍ମୀୟମାନଙ୍କଠାରୁ ପାଇବ, ସେଥିରେ ଆନ୍ତରିକତାର ସ୍ପର୍ଶ ଖୁବ୍‌ କମ୍‌ ଥିବ, ଆଉ ଉପହାସର ମାତ୍ରା ଥିବ ଖୁବ୍‌ ଅଧିକ । ଘରକୁ ଲେଖନ୍ତା; କିନ୍ତୁ ବୁଢ଼ା ବାପା ଆଉ ବୁଢ଼ୀ ମା ସେ ଦୁହେଁ ଏ ଖବର ପାଇବା ପରେ ବୋଧହୁଏ ସଂଜ୍ଞା ହରାଇ ବସିବେ । ତା’ପରେ ସେମାନେ କ’ଣ ଏ ଦାୟିତ୍ୱ ନେଇପାରିବେ ? ମୁନ୍ନାକୁ ତା କୋଳରୁ ବାପା, ମାଙ୍କ ହାତକୁ ଟେକିଦେଇ ସେ ମଧ୍ୟ ଶାନ୍ତିରେ ଏକ ମୂହୂର୍ତ୍ତବି ବଞ୍ଚିପାରିବ ନାହିଁ । ଜୀବନଟା ତା ପକ୍ଷରେ ଦୁର୍ବିସହ ହୋଇଉଠିବ । ସୁଜାତାର ସ୍ମୃତି ସଙ୍ଗେ ସଙ୍ଗେ ମୁନ୍ନାର ଅନୁପସ୍ଥିତି ତା ହୃଦୟରେ ସ୍ଥିରତା ବଦଳରେ ଅସ୍ଥିରତା ଆଣିଦେବ । ବର୍ତ୍ତମାନ ସେ ଜଣକ କଥା ସିନା ଭାବୁଛି କିନ୍ତୁ ପରେ ଉଭୟଙ୍କର ଅନୁପସ୍ଥିତି ତାକୁ ଆହୁରି ବ୍ୟସ୍ତ ବିକଳ କରିବ ।

 

ପୁଣି ମନେ ମନେ ଚନ୍ଦ୍ରକାନ୍ତ ଭାବିଲା–କାଲି ସୁଜାତା ତାକୁ ଆଙ୍ଗୁଠି ଦେଖାଇ ଉପହାସ କରି ଉଠିବ । କହିବ ଏତେ ଦମ୍ଭ ପରା କରୁଥିଲ ! ସାମାନ୍ୟ କେତେଟା ଦିନ ପିଲାଟାକୁ ସମ୍ଭାଳି ପାରିଲ ନାହିଁ ?

 

ସେ ସବୁ ସହ୍ୟ କରିପାରେ କିନ୍ତୁ ସୁଜାତାର ଆକ୍ଷେପ ଆଦୌ ସହ୍ୟ କରିପାରିବ ନାହିଁ । ମୁନ୍ନାପାଇଁ ସେ ସବୁ କିଛି ଝଡ଼ଝଞ୍ଜା ସହିବ । ସୁଜାତାକୁ ଦେଖାଇଦେବ ଯେ ମାତାର ସ୍ନେହବିନା ବି ପିଲା ମଣିଷ ହୋଇପାରେ ।

 

ଏପାଖରେ ମୁନ୍ନାର ମାୟା, ସେପାଖରେ କର୍ତ୍ତବ୍ୟର ଆହ୍ୱାନ । କେଉଁଟା ତା’ର କରଣୀୟ ଓ କେଉଁଟା ତା’ର ବର୍ଜ୍ଜନୀୟ ଚନ୍ଦ୍ରକାନ୍ତ ଠିକ୍‍ କରି ପାରୁନଥିଲା ।

 

ସୁଜାତାର ଆତ୍ମାଭିମାନ କଥା ଭାବିଲାବେଳେ ତା ଭିତରେ ସେ ଶତ ବୃଶ୍ଚିକର ଜ୍ୱାଳା ଅନୁଭବ କରୁଥିଲା... ପ୍ରତିଟି ଲୋହିତ ରକ୍ତକଣିକାରେ କ୍ରୋଧର ହୁତାଶନ ପ୍ରଜ୍ଜ୍ୱଳି ଉଠୁଥିଲା । ମନ ଭିତରୁ ଯେପରି କିଏ ଚିତ୍କାର କରି କହି ଉଠୁଥିଲା–ନିଜ ବକ୍ଷରୁ ଅମୃତ ପିଆଇ ମଣିଷ କରୁଥିବା ଗୋଟିଏ ଦୁଗ୍‌ଧପୋଷ୍ୟ ଶିଶୁକୁ ଛାଡ଼ିଦେଇ ଯେ ଚାଲି ଯାଇପାରେ, ସେ ଯେକେହି ହେଉନା କିନ୍ତୁ ଜନନୀ ହେବାର ଯୋଗ୍ୟା ନୁହେଁ । ତାଠାରେ କେବଳ ସମ୍ଭୋଗର ପିପାସା ଥିଲା କିନ୍ତୁ ନଥିଲା ତ୍ୟାଗର ପରାକାଷ୍ଠା ।

 

ପରଦା ସେ ପାଖରେ, ବୈଠକ ରୁମ୍‌ ବାହାରେ, କାହାର ପାଦଶବ୍ଦ ଶୁଭିଲା । ଅସ୍ପଷ୍ଟ ଏକ ନାରୀର ଛାୟା ପରଦା ଦେହରେ ହଲିହଲି ନାଚୁଛି ।

 

ଚନ୍ଦ୍ରକାନ୍ତ ବିସ୍ମିତ ହୋଇଉଠିଲା–ଭାବିଲା, ତେବେ କ’ଣ ସୁଜାତା ତା’ର ଭୁଲ୍‌ ବୁଝିପାରିଲା ! ତା’ର କୃତକର୍ମ ପାଇଁ ଅନୁତାପ କରି ଫେରିଆସିଛି ! ଯାହା ଘଟିଯାଇଛି ଏଣିକି ଚନ୍ଦ୍ରକାନ୍ତ ଭୁଲିଯିବ । ସୁଜାତା ଯେତେ ଅପରାଧ କଲେବି ତା’ର ପରିଣିତା ପତ୍ନୀ । ମୁନ୍ନାର ସ୍ନେହମୟୀ ଜନନୀ ।

 

ସୁଜାତାର ଅପରାଧ ଧର୍ତ୍ତବ୍ୟ ନୁହେଁ । ସେ ସଦାବେଳେ କ୍ଷମଣୀୟା ।

 

ଚନ୍ଦ୍ରକାନ୍ତ ସୁଜାତାକୁ ପାଛୋଟି ଆଣିବାକୁ ଚଞ୍ଚଳହୋଇ ଉଠିଲା । କିନ୍ତୁ ପରକ୍ଷଣରେ ତା’ର ପୌରୁଷ ଚିତ୍କାର କରିଉଠିଲା । ସୁଜାତାକୁ ତ ଏ ଘରୁ କେହି ତଡ଼ି ଦେଇ ନଥିଲା ! ତେଣୁ ଏ ଘରକୁ ଆସିବାରେ ଅଭ୍ୟର୍ଥନାର ଆବଶ୍ୟକତା ନାହିଁ । ଏ ଘର ତା’ର । ଏ ପରିବାରର ସେ କର୍ତ୍ତ୍ରୀ । ତା ସଂସାରର ସେ ରାଣୀ । ତାପାଇଁ ଲୌକିକତା ଶୋଭାପାଏ ନାହିଁ ।

 

ତା ଘରକୁ ସେ ଆପେ ଆପେ ପଶିଆସୁ ।

 

ମୁନ୍ନାର ମମତା ତାକୁ ବାୟାଣୀ କରି ଟାଣିଆଣିଛି । ଆଉ ଫେରିଯିବାର ବାଟ ନାହିଁ । ଯାହା ହେଲେ ସୁଦ୍ଧା ସେ ମୁନ୍ନାର ମାଆ ।

 

ମୁନ୍ନାକୁ ଛାତି ଉପରେ ଭିଡ଼ିଧରି ଚନ୍ଦ୍ରକାନ୍ତ ତା ମୁହଁରେ ସ୍ନେହର ଚୁମ୍ୱନଟିଏ ଆଙ୍କିଦେଲା-

 

ଘର ଭିତରକୁ ପଶିଆସି ତା ପାଦତଳେ ଯେ ପ୍ରଣତି ଢାଳିଲା–ସେ ସୁଜାତା ନୁହେଁ, ସୁଲି-। ପାଖରେ ତା’ର ଦଶବର୍ଷର ପୁଅ ।

 

ଅବେଳରେ ଆଉ ଅଭୁତ ବେଶରେ ସୁଲିକୁ ଦେଖି ଚନ୍ଦ୍ରକାନ୍ତ ବିସ୍ମିତ ହୋଇଉଠିଲା । ସୁଲି ଦେହରେ ଆଭରଣ ନାହିଁ । ହାତରେ କାଚ ନାହିଁ । ସୀମନ୍ତରେ ସିନ୍ଦୂର ନାହିଁ । ପରିଧାନ କେତେ ଗଜ ଧଳା ଥାନ କନା ମାତ୍ର ।

 

ଗୋଟିଏ ହାତରେ ମୁନ୍ନାକୁ ଜାକି ଧରି ସୁଲିକୁ ଆର ହାତରେ ତଳୁ ଉଠାଇନେଲା ଚନ୍ଦ୍ରକାନ୍ତ ।

 

ସୁଲି ଆଖିରେ ଅଶ୍ରୁର ଶ୍ରାବଣୀ । ବାଧାବନ୍ଧନ ନ ମାନି ନୟନ ଉପକୂଳ ଲଙ୍ଘି ବହିଚାଲିଛି ।

 

ସୁଲିର ସବୁ ଭଲମନ୍ଦ ତ ଚନ୍ଦ୍ରକାନ୍ତ ଆଖିରେ ଦେଖୁଛି । ପ୍ରଶ୍ନ ପଚାରି କି ଉତ୍ତର ଅବା ସେ ସୁଲିଠାରୁ ପ୍ରତ୍ୟାଶା କରି ବସିବ ?

 

ସୁଲିକୁ ଚନ୍ଦ୍ରକାନ୍ତ ସାନ୍ତ୍ୱନା ଦେଲା ।

 

ଚନ୍ଦ୍ରକାନ୍ତ ଛାତିରୁ ସୁଲି ମୁନ୍ନାକୁ ଛଡ଼ାଇ ନେଲା ।

 

ବଡ଼ ଶାନ୍ତଶିଷ୍ଟ ପିଲାପରି ମୁନ୍ନା ସୁଲି ଛାତିରେ ପଡ଼ିରହିଲା । ଜୁଳୁଜୁଳୁ ଆଖିରେ ଚନ୍ଦ୍ରକାନ୍ତ ମୁହଁକୁ ଚାହିଁ ରହିଲା ।

 

ଚନ୍ଦ୍ରକାନ୍ତ ଦାମାନାକୁ ଡାକ ପକାଇଲା ।

 

ରିକ୍‌ସାରୁ ଜିନିଷପତ୍ର ଆଣି ଘରେ ରଖିବାକୁ ନିର୍ଦ୍ଦେଶ ଦେଲା ।

 

ଘର ଭିତରକୁ ଚନ୍ଦ୍ରକାନ୍ତ ସଙ୍ଗରେ ଆଗ୍ରହରେ ପଶିଯାଉଯାଉ ସୁଲି କହିଚାଲିଥାଏ–ଭାଇ; ନୂଆବୋଉ କାହାନ୍ତି ମ ? କ’ଣ ମୋତେ ଲୁଚୁଛନ୍ତି କି ? ତୁମେ କ’ଣ ନୂଆଉ ଡରି ଯାଉଛ କି ? ଡାକି କରିତ ଆଣିନ ! ଆଣିଥିଲେ ସିନା ଦେବାକୁ ପଡ଼ିଥାନ୍ତା ! ମୁଁ ତ ବଳେ ପଶି ମଙ୍ଗଳବାର କରୁଛି କହି କହି ପ୍ରତି ଘର ଖୋଜିସାରି ଚନ୍ଦ୍ରକାନ୍ତ ପାଖରେ ଥକ୍‌କା ହୋଇ ଠିଆହୋଇ ପ୍ରଶ୍ନକଲା ଭାଇ, ନୂଆଉ ?

 

ଘରେ ନୂଆଉ ନାହିଁ । ତାଙ୍କ ବାପ ଘରକୁ ଯାଇଛନ୍ତି । ନିଜର ଦୁର୍ବଳତାକୁ ଲୁଚାଇବାପାଇଁ ଚନ୍ଦ୍ରକାନ୍ତ ଆପ୍ରାଣ ଚେଷ୍ଟା କରୁଥିଲା ।

 

ଏଡ଼େ ବଜଟେ ପିଲାଟାକୁ ଛାଡ଼ି ଦେଇ, କିପରି ଏକା ବାପ ଘରକୁ ଯିବାକୁ ତାଙ୍କର ମନ ବଳିଲା ମ ? ତୁମେ ବା କିପରି ତାଙ୍କୁ ଛାଡ଼ି ଦେଲ ଯେ......

 

ସୁଲି ମୁହଁର କଥାକୁ ସମାପ୍ତ କରିବାକୁ କରିବାକୁ ନଦେଇ ଚନ୍ଦ୍ରକାନ୍ତ କହିଉଠିଲା–ଯାଆ–ଆଗ ବାଥ୍‌ରୁମ୍‌ରେ ଧୁଆଧୋଇ ହୋଇ ଆ । ଗାଡ଼ିରେ ଏତେ ବାଟ ଆସିଛୁ । ଟିକେ ଆଶ୍ୱସ୍ତ ହ । ତାପରେ କଥା ହେବା.....ବେଳତ କୁଆଡ଼େ ପଳାଇଯାଉନି !

 

ସୁଲିର ପୁଅକୁ ଉଦ୍ଦେଶ୍ୟ କରି ଚନ୍ଦ୍ରକାନ୍ତ ପ୍ରଶ୍ନକଲା ତୋ ନାଁ କ’ଣ ?

 

ବାଳକଟି ନମ୍ରଭାବରେ ଉତ୍ତର ଦେଲା ଦୀପୁ ।

 

–ବାଃ, ସୁନ୍ଦର ନାଁଟିଏତ ! ହଉ ଯାଆ ଲୁଗାପଟା ପାଲଟି ଧୁଆଧୋଇହୋଇ ଆସିବୁ ।

 

ସୁଲି ମୁନ୍ନାକୁ ଦାମାନା ହାତକୁ ଟେକିଦେଇ ବାଥ୍‌ରୁମ୍‌କୁ ଚାଲିଗଲା...... ।

 

ସୁଲି ତା’ର ଜୀବନର ଦୁଃସହ ଦୁଃଖମୟ ଇତିହାସରୁ କେତେଟା ଅଧ୍ୟାୟ ଚନ୍ଦ୍ରକାନ୍ତ ନିକଟରେ ଗପୁଥିଲା ।

 

‘‘ବୁଝିଲ ଚନ୍ଦ୍ରଭାଇ, ଦୁନିଆଁର ଦଶ, ବାରଟି କୁଆଁରୀ ଝିଅଙ୍କ ଭଳି ମୋର ମନ ଥିଲା । ଅବିବାହିତା ଥିଲାବେଳେ ମୁଁ ବି ଭଗବାନଙ୍କୁ ପ୍ରାର୍ଥନା କରିଥିଲି ଯେ ମୋତେ ଭଲଘର ମିଳୁ, ଭଲ ବର ମିଳୁ । ସ୍ୱାମୀମୋର ସୁନ୍ଦର, କର୍ମ୍ମଠ, ବଳିଷ୍ଠ ଓ ସରଳ ହୁଅନ୍ତୁ । ଦୁନିଆର ସର୍ବନାଶୀ ଖରାପ ଅଭ୍ୟାସ ଭିତରୁ ତାଙ୍କର କିଛି ଗୋଟିଏ ହେଲେ ନଥାଉ । ଯାହା ଅର୍ଜ୍ଜିବେ, ପେଟକୁ ମୁଠେ ଖାଇ, ଦିହକୁ ଖଣ୍ତେ ପିନ୍ଧି ଏ ଜୀବନଟା ସୁଖରେ କଟିଯାଉ । ଧନୀ ହେବାର ସ୍ୱପ୍ନ ଦେଖି ନଥିଲି ବା କୋଠା ଘରେ ମେହେଗାନି ପଲଙ୍କ ଉପରେ ଶୋଇବାର କଳ୍ପନା ବି କରି ନଥିଲି । ଭଗବାନଙ୍କର ଅଶେଷ କୃପାରୁ ମୋତେ ସବୁ ମିଳିଥିଲା । ଭଲ ଘର ପାଇଥିଲି । ଶ୍ୱଶୁର ନଥିଲେ । ମା ବଦଳରେ ଶାଶୁଙ୍କ ସ୍ନେହ ପାଇଥିଲି । ଗୋଟିଏ ବୋଲି ପୁଅ । ଆଗକୁ ନାହିଁ କି ପଛକୁ ନାହିଁ ଛିଣ୍ତିଗଲେ ଗଇଣ୍ଠେଇବାକୁ ନାହିଁ । ଶାଶୁଙ୍କର ସେଇ ପୁଅ ଆଉ ସେଇ ଝିଅ ଥିଲେ ।

 

ଆମ ଘରର କଥା ତ ଜାଣ । କିବା ମମ୍ପତ୍ତି ଆମର ଥିଲା ଯେ ଯାନି ଯଉତୁକ ଦେଇ ବାପା ମୋର ମୋ ପାଇଁ ଗୋଟିଏ ପଢ଼ୁଆ ଜ୍ୱାଇଁ କରିଥାନ୍ତେ ! ଯେତିକି ଚାଉଳକୁ ସେତିକି ଚୂନା । ଦୀପୁ ବାପା ବେଶୀ ପାଠ ପଢ଼ି ନଥିଲେ । ମାଇନର ଖଣ୍ତ ପାସ୍‌ କରିଥିଲେ । ତାଙ୍କ ଚା ପାଖ ସ୍କୁଲରେ ମାଷ୍ଟ୍ର ଚାକିରୀ କରୁଥିଲେ ।

 

ଯେଉଁବର୍ଷ ସେ ଟ୍ରେନିଙ୍ଗ୍‌ ପଢ଼ିବାକୁ ଗଲେ ସେଇବର୍ଷ ଶୁଆସ ରୋଗରେ ଶାଶୁ ମଶାଣିକୁ ବାଟ କାଟିଲେ । ଧାର ଉଧାର କରି ଶୁଦ୍ଧା ଘର କାମ ଚଳାଇଲୁ । ଦୀପୁଟି ମୋର ସେତେବେଳକୁ ଜମା ଚାରିବର୍ଷର ହୋଇଥାଏ । ଜମିଜମା ହଳହଡ଼ା କିଛି ନଥାଏ । ଖାଲି ଚାକିରୀ ଭରସା । ସେ ପୁଣି ଏଲ. ପି. ସ୍ଫୁଲ ମାଷ୍ଟ୍ରେରୀ । ଯାହାହେଉ ଆଶାଥିଲା ସେ ଟ୍ରେନିଙ୍ଗରୁ ଫେରିଲାପରେ ଗାଁ ସ୍କୁଲରେ ରହିଲେ ଦୁଃଖେ କଷ୍ଟେ ଖାଇ ପିଇ ବଞ୍ଚିଯିବୁ । ଦୁଃଖର ସଂସାର ଆମର । ଶାଗ ପଖାଳ ଦୁଇଟା ଜୁଟିଲେ ସେଇ ଆମର ସ୍ୱର୍ଗ ସେଇ ଆମ ପକ୍ଷରେ ଲକ୍ଷେ ଟଙ୍କା ।

 

ମାସକୁ ଷାଠିଏଟି ଟଙ୍କା ଆମ ଘରକୁ ଆସୁଥିଲା । ତିନିଟା ପେଟକୁ ନିଅଣ୍ଟ ହେଉଥିଲା-। ଟ୍ରେନିଙ୍ଗ ସମୟରେ ସେ ପଚିଶିଟି ଟଙ୍କା ବୃତ୍ତି ପାଇଲେ । ସେତକ ତାଙ୍କ ହଷ୍ଟେଲ ଖର୍ଚ୍ଚକୁ ନିଅଣ୍ଟ-। ଧାର ଉଧାର ଯାହା କରିଥିଲୁ ତା ପୁଣି ବଢ଼ି ଚାଲିଲା । ଖାଲି ଆଶା, ଢୋକେ ପିଇ ଦଣ୍ତେ ଜୀଇଁଲା ପରେ ତେଣିକି ଦେଖାଯିବ ।

 

ବାପଘର କଥା ତ ଜାଣ ! ବୁଢ଼ା ବାପ । ବେରୋଜଗାରୀ । ସେ ବା କି ସାହାଯ୍ୟ କରନ୍ତେ ! ମାଆକୁ ତ ପିଲାଦିନୁ ଖାଇଛି । ଘରେ ସାବତମା । ତା’ର ତ ପୁଣି ପିଲାଛୁଆ ଗୋଛାଏ-। ମୋତେ ପଚାରୁଛି ବା କିଏ ?

 

ଏତେ ଦୁଃଖ କଷ୍ଟରେ ବି ମୁଁ ସୁଖରେ ଥିଲି । କାର୍ତ୍ତିକ ପରି ସ୍ୱାମୀ ପାଇଥିଲି । ତାଙ୍କ ସ୍ନେହ ସୋହାଗ ମୋ ପକ୍ଷରେ ଅପୂର୍ବ ଥିଲା । ସେପରି ସରଳ, ଆମାୟିକ ସ୍ୱାମୀ ପାଇ ମୁଁ ନିଜକୁ ଧନ୍ୟା ମଣୁଥିଲି । ଯାହାହେଉ ଭଗବାନ ମୋ ଅନ୍ତରର ମିନତି ଶୁଣିଥିଲେ । ଅଧିକା କ’ଣ ମୋର ଅବା ଦରକାର ଥିଲା ?

 

ଟ୍ରେନିଙ୍ଗ୍‌ ସରିଲା । ଆଶାଥିଲା ପରୀକ୍ଷା ଫଳ ବାହାରିଲେ ଚାକିରୀ ମିଳିଯିବ । ପରୀକ୍ଷାଫଳ ବାହାରିଲା । ମୋର ଓ ଦୀପୁର ନିଃଶ୍ୱାସରୁ ସେ ପାଶ୍‌କଲେ । ଆମ ପରିବାର ଭିତରେ ଆନନ୍ଦର ଢେଉ ଖେଳିଗଲା । ଏଣିକି ଦରମା ବଢ଼ିବ । ଆମ ଦୁଃଖ ଘୁଞ୍ଚିବ । ଦୀପୁକୁ ମଣିଷ କରିବୁ ।

 

ସେ ଟ୍ରେନିଙ୍ଗ୍‌ ଯିବା ପରେ ତାଙ୍କ ଚାକିରୀରେ ଆଉ ଜଣେ ଲୋକ ରହି ସାରିଥାନ୍ତି । ଆଉତ ସ୍କୁଲ ସରକାରଙ୍କ ହାତରେ ନାହିଁ ! ପଞ୍ଚାୟତ ସମିତି ପରିଚାଳନା କରୁଛନ୍ତି । ଆଗେ ଗୋଟିଏ ଦୁଇଟି ହାକିମଙ୍କୁ ସନ୍ତୁଷ୍ଟ କରି ପାରୁଥିଲେ ଚଳି ଯାଉଥିଲା । ଏଣିକି ପଞ୍ଚାୟତ ସମିତି ମେମ୍ୱରମାନଙ୍କଠାରୁ ଚେୟାରମ୍ୟାନ୍‌, ତାପରେ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଯେତେ ହାକିମ ସମସ୍ତଙ୍କୁ ସଲାମ ଠୁଙ୍କିବାକୁ ହେବ । ସମସ୍ତଙ୍କ ମର୍ଜି ଜଗି ଚଳିବାକୁ ହେବ । ତେବେ ମାଷ୍ଟ୍ର ଚାକିରୀ କରିହେବ-। ପଞ୍ଚାୟତ ସମିତିରେ ମାଷ୍ଟ୍ରମାନେ ପେଟକୁ ନଖାଇ ଦାନ୍ତ ନିକୁଟା ହସ ଦେଖାଇ ପାରିଲେ ଚାକିରୀ ବଜର ହୋଇ ରହିବ ।

 

ଫଳ ବାହାରିଲା । ଆଜି ଅର୍ଡ଼ର ଆସିବ, କାଲି ଅର୍ଡ଼ର ଆସିବ ହୋଇ ହୋଇ ଦୁଇମାସ ବିତିଗଲା । ଘରଟାରେ ଖାଲି ବସିବାକୁ ତାଙ୍କୁ ଭଲ ଲାଗୁନଥାଏ । ଖାଲି ବ୍ୟସ୍ତ ହେଉଥାନ୍ତି । ମୁଁ ତାଙ୍କୁ କହୁଥାଏ ଚାକିରୀ ଆଜି କିମ୍ୱା କାଲି ହୁଏତ ଆସିବ । ଏତେ ବ୍ୟସ୍ତ ହୋଇ ଲାଭ କ’ଣ ? ଏ କ’ଣ ଆମ ହାତର କଥା ହୋଇଛି ଯେ ଆମେ କରିଦେବା ? ବହୁତ ତାଙ୍କୁ ବୁଝାଉଥାଏ ।

 

ସେ ଖାଲି କହୁଥାନ୍ତି କେତେଦିନ ଏପରି ଧାର ଉଧାର କରି ଚଳିବା ? ପର ଦୁଆରେ ହାତପାତି ବଡ଼ ଲାଜ ଲାଗିଲାଣି ।

 

କେତେଦିନ ପରେ ତାଙ୍କର ଚାକିରୀ ଆସିଲା । ତୁମେ ଚନ୍ଦ୍ରଭାଇ ଭାବୁଥିବ ଯେଉଁଦିନ ଚାକିରୀ ଅର୍ଡ଼ର ଆସିଲା ଆମେ ସେଦିନ ବହୁତ ଖୁସି ହୋଇଥିବୁ । କିନ୍ତୁ ତାହା ନୁହେଁ । ସେଦିନ ସବୁଠାରୁ ଆମେ ଦୁହେଁ ବେଶୀ କାନ୍ଦି ଉଠିଥିଲୁ । ଜିଲ୍ଲା ପରିଷଦ ହାକିମଙ୍କର ଅସୀମ ଦୟା । ଆମ ଘରଠାରୁ ଶହେ ମାଇଲ ଦୂର ବରୀ ଧୋଇଆ ଅଞ୍ଚଳର ଏକ ସ୍କୁଲରେ ତାଙ୍କ ପାଇଁ ନିଯୁକ୍ତିପତ୍ର ଆସିଲା । ଘରଠାରୁ ଶହେ ମାଇଲ ଦୂରରେ ସେ ରହିବେ; ଆଉ ଆମେ ଘରେ ମାଆ, ପୁଅ ଦୁଇଟି ରହିବୁ । କିଏ ବୁଝିବ ଆମ କଥା ? ବାହାରେ ଖାଇ ପିଇ କେତେ ଟଙ୍କା ବଳିବ ଯେ ଘରକୁ ପଠାଇଲେ ଆମେ ଚଳିବୁ ?

 

ଅର୍ଡ଼ର ପାଇସାରି ସେ କଟକ ଗଲେ । ଜିଲ୍ଲା ପରିଷଦ ଚେୟାରମେନ୍‌ଙ୍କୁ ସାକ୍ଷାତ୍‌ କଲେ ! ସବୁ ଦୁଃଖର କାହାଣୀ କହିଲେ । ପଥର ହୃଦୟ ତାଙ୍କର ତରଳିଲା ନାହିଁ । ସେଇ ଏକା ଜିଦ୍‌ ଧରିଲେ । ହାକିମ ପଛେ ଟଳିବ କିନ୍ତୁ ହୁକୁମ ଟଳିବ ନାହିଁ । ତୁମକୁ ଯିବାକୁ ହେବ । ଆଗ ହୁକୁମକୁ ସମ୍ମାନ ଦେଖାଅ । ତାପରେ ତୁମ କଥା ଶୁଣାଯିବ । ନିଜ ଗାଁରେ ଚାକିରୀ କରିବ ନିଜ ଘରେ ରହିବ–ଏଇ ସଂକୀର୍ଣ୍ଣତା ଯଦି ସମସ୍ତଙ୍କ ମନରେ ରୁହେ ତେବେ ଏ ଦେଶ ଆଗେଇ ପାରିବ ନାହିଁ । ସବୁ ଶିକ୍ଷକମାନେ ଯଦି ଗାଆଁ ପାଖରେ ରହି ଶିକ୍ଷକତା କରି ବସିବେ ତେବେ ଦେଶରେ ଉତ୍ତର ଶିକ୍ଷାଦାନ ପଦ୍ଧତି କାର୍ଯ୍ୟକାରୀ ହେବ କିପରି ? ବ୍ୟାପକ ଦୃଷ୍ଟିକୋଣରୁ ବିଚାର କଲେ, ଖାଲି ଓଡ଼ିଶା କ’ଣ, ସର୍ବଭାରତୀୟ ସ୍ତରରେ ଚାକିରୀ କରିବା ପାଇଁ ପ୍ରାଥମିକ ଶିକ୍ଷକମାନେ ପ୍ରସ୍ତୁତ ହେବା ଉଚିତ୍‌ ।

 

ସବୁ ଅନୁନୟ, ବିନୟ ପାଣି ଫାଟିଗଲା । କହି କହି ପାଟି ଥୋବରା ହେଲା । ସେଇ ଏକ କଥା–ତୁମକୁ ଯିବାକୁ ହେବ । ଆପତ୍ତି ପରେ ଶୁଣାଯିବ ।

 

ସେଦିନ କଟକରୁ ଫେରି ସେ ଫାଁ ଗାଳି ପଡ଼ିଗଲେ । କାନ୍ଦି କାନ୍ଦି ମୋ ଆଗରେ ସବୁ ବର୍ଣ୍ଣନା କଲେ । ଆଖିରେ ମୋର ଆଖିଏ ଲୁହ ଭରିଗଲା ।

 

ସ୍ୱାମୀ, ସ୍ତ୍ରୀ ଦୁହେଁ ମିଶି କାନ୍ଦିଲୁ ।

 

ଚାକିରୀ ଛାଡ଼ି ଅନ୍ୟ ବ୍ୟବସାୟ କରିବାକୁ ପନ୍ଥା ନଥିଲା–ସମ୍ୱଳ ବି ନଥିଲା ।

 

ଚାକିରୀ ନକଲେ ତିନି, ତିନିଟା ପେଟ ବଞ୍ଚିବେ କିପରି ?

 

ସେ ଚାକିରୀକୁ ଗଲେ । ବାହାହେବା ପରେ ପ୍ରଥମଥର ପାଇଁ ମୁଁ ଘର ଚଳାଇବାର ଦାୟିତ୍ୱ ନେଲି । ମାସକୁ ମାସ ସେ ଖାଇ ପିଇ ଯାହା ଟଙ୍କା ବଳେ ପଠାନ୍ତି । ଶାଗ ମୁଗ କରି ମା ପୁଅ ଦୁହେଁ ବଞ୍ଚୁ ।

 

(ଅଳ୍ପ ଟଙ୍କିଆ ଚାକିରୀଆ ଯେଉଁ ମାଷ୍ଟ୍ର, ପିଅନ, ସିପାହୀ, କିରାଣୀ ସେଇମାନେ ତ ସର୍ବଭାରତୀୟ ସ୍ତରରେ ବ୍ୟାପକ ଦୃଷ୍ଟିକୋଣରୁ ଶିକାର ହେବାର କଥା । ସେହିମାନଙ୍କର କେବଳ ଜାତୀୟତାର ଅଭାବ ! ଦେଶ ପ୍ରୀତି, ଉଦାର ମନର ଅଭାବ କେବଳ ସେହିମାନଙ୍କର ! ଏକଥା ଆମର ନେତାମାନେ, ବଡ଼ ମୋଟା ଦରମାଖିଆ ଅଫିସରମାନେ କହନ୍ତି ।)

 

ବରଷ କେତେଟା ଚାକିରୀ କଲେ । ଗଲାବର୍ଷ ଅକାଳ ବଢ଼ି ଆସିଲା । ସର୍ବଗ୍ରାସୀ ବଢ଼ି କାହାର କ’ଣ ଗ୍ରାସ କଲା ମୁଁ ଜାଣିନି କିନ୍ତୁ ମୋ କପାଳର ସିନ୍ଦୂର ଆଉ ହାତର ପାଣିକାଚ କେତେପଟକୁ ଗ୍ରାସ କରିଦେଇଗଲା । ପର ପାଇଁ ସେ ଜୀବନ ଦେଲେ । ନଈ ବଢ଼ିରେ ବୁଡ଼ିଯାଉଥିବା ଲୋକଙ୍କୁ ବଞ୍ଚାଇବାକୁ ଯାଇ ସେ ସୁଅ ମୁହଁରେ ପତର ଭଳି ଭାସିଗଲେ । ମୋ ପାଖକୁ ଖବର ଆସିଲା -ମାଷ୍ଟ୍ରେ ଭାସିଗଲେ । ସ୍କୁଲ ଘର ଭାଙ୍ଗି ଯାଇଛି ।

 

ଆମ ମାଆ ପୁଅ ଦୁଇଟାଙ୍କୁ ପର ଓଳିତଳେ ଠିଆକରିଦେଇ ପରପାଇଁ ସେ ଭାସିଗଲେ-

 

କେତେ କାନ୍ଦିଲି । ମୁଣ୍ତ ବାଡ଼େଇଲି । ଭୋକ ଉପାସରେ ରହିଲି । କେତେଦିନ ଏପରି କାଟିଲି କିନ୍ତୁ ସେ କ’ଣ ଆଉ ଫେରିଲେ ! ପୁଣି ମନକୁ ଦମ୍ଭ ଦେଲି । ଦୀପୁ ମୁହଁକୁ ଚାହିଁଲି । ସଂସାରରେ ପାଦ ବଢ଼ାଇ ଦୀପୁକୁ ମଣିଷ କରିବାପାଇଁ ଏ ଗୋଡ଼ ଦୁଇଟାରେ ଶକ୍ତି ଆଣିଲି । ମନରେ ସାହସ ବାନ୍ଧିଲି ।

 

ମନର ସାହସ ମୋର ପୁଣି ମନରେ ମିଳାଇ ଗଲା । ଆଖି ଖୋଲି ଚାରିଆଡ଼େ ଚାହିଁଲି-। ମନରେ ବଳ ଦେବାକୁ କେହି ନାହିଁ । ହାତଧରି ଆଗେଇ ନେବାପାଇଁ କେହି ନାହିଁ ।

 

ଶାଶୁଘର ଆଉ ବାପଘର ଦୁଇକୂଳ ମୋର ସମାନ ।

 

ପରଦୁଆରେ ସିନା ମୂଲଲାଗି ମୁଁ ଖାଇବି; କିନ୍ତୁ ଦୀପୁ... ! ତାକୁତ ମୂଲ ଲାଗିବାକୁ ମୁଁ ଠେଲି ଦେଇ ପାରିବି ନାହିଁ ! ଦୀପୁକୁ ମଣିଷ କରିବାପାଇଁ ତାଙ୍କର କେତେ ଆଶାଥିଲା ! କେତେ କଳ୍ପନା ସେ କରିଥିଲେ ? ପର ଦୁଆରେ ମୁଁ ବାସନ ମାଜିବି ସିନା କିନ୍ତୁ ଦୀପୁକୁ ତ ମୂର୍ଖ କରିପାରିବି ନାହିଁ ! କେବଳ ସେଇ ଭରସାରେ ଚନ୍ଦ୍ରଭାଇ ତୁମ ପାଖକୁ ଆସିଲି । ଭାବିଲି ଭାଇ ମୋର କଟକରେ ବଡ଼ ଓକିଲ ହୋଇଛି । କେତେ ପଇସା କେତେ ଆଡ଼େ ଖର୍ଚ୍ଚ କରୁଥିବ । ଏଇ ଗରୀବ ବାପଛେଉଣ୍ତ ପିଲାଟାକୁ ଛାଡ଼ିଦେଇ ଆସିଲେ ପାଠ ଦିଅକ୍ଷର ତ ପଢ଼ି ପାରିବ ? ମାମୁଁ ଅଇଣ୍ଠା ଖାଇ ଭଣଜା ତ ମଣିଷ ହେବ !

 

ମୋର ଆଶା ଭରସା ଚନ୍ଦ୍ରଭାଇ ମୋତେ କେବେ ହତାଶ କରିବେ ନାହିଁ । ବାପଛେଉଣ୍ତ ପିଲାଟାକୁ ଧୂଳିରୁ ସାଉଁଣ୍ଟି ନେଇ ସେ ନିଶ୍ଚୟ ପାଳିବେ । ମନରେ ଖୁବ୍‌ ଦମ୍ଭଧରି, ଆଉ କୌଣସି ଆଡ଼ୁ କୁଆଡ଼ୁ ସାହା ଭରସା ନପାଇ ତୁମ ଓଳିତଳେ ଆସି ଠିଆ ହୋଇଛି । ଖୁସି ହେଲେ ଆଶ୍ରାଦେବ–ନତୁବା ପାଦରେ ଠେଲିଦେଲେ ବାରଦୁଆରେ ଭିକମାଗି ପେଟ ପୋଷିବ । ଯାହା ତୁମର ଖୁସି ତୁମେ କର । ତା’ର ବାପ ନାହିଁ । ରାଣ୍ତର ପୁଅ ଦାଣ୍ତକୁ ଯିବ । ଏଥିରେ ବିଚିତ୍ରତା କ’ଣ ଅଛି ! ସେଥିପାଇଁ କିନ୍ତୁ ମୋତେ ଦୁଃଖ ଲାଗିବ ନାହିଁ । ତା କର୍ମଫଳ ସେ ଅର୍ଜିଛି, ସେ ଭୋଗିବ । ସୁଲିର କଣ୍ଠ ଓଜନ ହୋଇ ଆସୁଥିଲା । ଆଖିରୁ ଝର ଝର ହୋଇ ଲୁହ ବୋହି ଚାଲିଥିଲା ।

 

ନିବିଷ୍ଟ ଚିତ୍ତରେ ଚନ୍ଦ୍ରକାନ୍ତ ସୁଲିର ମର୍ମ୍ମନ୍ତୁଦ କାହାଣୀ ଶୁଣୁଥିଲା । ଦୁଃଖଦାୟକ ନାଟକଟିଏ ଦେଖିଲାପରି ତାକୁ ଲାଗୁଥିଲା । ସୁଲିର ଦୁଃଖରେ ତା ଆଖିରେ ଲୁହ ଜକେଇ ଆସିଲା-। ଥରଥର କଣ୍ଠରେ ସେ ସୁଲିକୁ ସାନ୍ତ୍ୱନା ଦେଉଦେଉ କହି ଉଠିଲା–ତୁ କେବେ ତୋ ଚନ୍ଦ୍ରଭାଇକୁ ଭୁଲ ବୁଝିବୁ ନାହିଁ ଏ ଭରସା ମୋର ଅଛି । ଯେଉଁ ଭରସା ନେଇ ତୁ ତୋ ଭାଇ ପାଖକୁ ଧାଇଁ ଆସିଛୁ ସେ ଭରସା ତୋ ମନରୁ କେବେ ମଉଳି ଯିବନାହିଁ । ଦୀପୁକୁ ମୁଁ ମଣିଷ କରିବି । ତା ବାପ ସିନା ମରିଯାଇଛି କିନ୍ତୁ ମାମୁଁ ତ ବଞ୍ଚିଛି ! ମାମୁଁ ହିସାବରେ ମୋ କର୍ତ୍ତବ୍ୟ ପାଳନ କରିବାକୁ ମୋତେ ଛାଡ଼ିଦେ କଣ୍ଠର ସ୍ୱର ଭିନ୍ନକରି ଚନ୍ଦ୍ରକାନ୍ତ କହିଲା–ମୁଁ ତ ତୋର ଅନୁରୋଧ ରଖିଲି ସୁଲି; କିନ୍ତୁ ତୋ ଭାଇ ତୋତେ ଗୋଟାଏ ଭିକ୍ଷା ମାଗିବ । ତୁ ଦେଇ ପାରିବୁ ? ପ୍ରତିଜ୍ଞା କର । ମୋ ମୁହଁକୁ ଚାହିଁ ଶପଥ ନେ ।

 

ଆଖିରୁ ଲୁହ ପୋଛି ସୁଲି ଚନ୍ଦ୍ରକାନ୍ତ ମୁହଁକୁ ଚାହିଁଲା । ଆତଙ୍କରେ ତା’ର ଅନ୍ତରାତ୍ମା ଥରି ଉଠିଲା । ଗୋଟାଏ ନିରାଶ୍ରୟା ବିଧବା ନାରୀ ପାଖରେ ଚନ୍ଦ୍ରଭାଇର କି ଭିକ୍ଷା ଥାଇପାରେ ! କ’ଣ ବା ଅଛି ତା’ର ! ସୁଲିର ବାକ୍ୟ ସ୍ଫୁରିଲା ନାହିଁ । ନିର୍ବାକ ଚାହାଣୀରେ ସେ କେବଳ ଚନ୍ଦ୍ରକାନ୍ତ ମୁହଁକୁ ଚାହିଁ ରହିଲା ।

 

ଚନ୍ଦ୍ରଭାଇ ଆଖିରେ ଆଖିଏ ଲୁହ ଢଳଢ଼ଳ କରୁଛି । ସେ ଆଖି ଦୁଇଟାରେ କରୁଣ ନିବେଦନର ଇଙ୍ଗିତ ।

 

ଭଗ୍ନକଣ୍ଠରେ ଚନ୍ଦ୍ରକାନ୍ତ କହିଲା–ଚନ୍ଦ୍ରଭାଇକୁ ତୋର ଭିକ ମୁଠାଏ ଦେଇ ପାରିବୁନି ? ଜାଣିଛି ସେତକ ତୋର ଅଭାବ । ଜନ ମାଗିଥାନ୍ତି, ତାକୁ ତ ଆପେ ଆପେ ଆଣି ମୋ ପାଖରେ ଅଜାଡ଼ି ଦେଲୁ । ସେତକ ସର୍ବସ୍ୱ ତୋର ଦେଇଦେବା ପରେ ହୁଏତ ତୁ ଭାବୁଥିବୁ ତୁ ନିଃସ୍ୱା ହୋଇଗଲୁ । କିନ୍ତୁ ମୁଁ ଆଉ ଗୋଟିଏ ଜିନିଷ ମାଗିବି । ସେଇଟା ତୋର ଅଛି ଆଉ ତା ଉପରେ ମୋର ଅଧିକାର ଅଛି । ତାକୁ ତୋତେ ଦେବାକୁ ହେବ ।

 

ସୁଲି ଆହୁରି ଆତଙ୍କିତା ହୋଇଉଠିଲା । ମନେ ମନେ ପ୍ରମାଦ ଗଣିଲା । ତାକୁ କ’ଣ ଏପରି ନିଃସହାୟା, ସମ୍ୱଳହୀନା ଦେଖି; ଚନ୍ଦ୍ରଭାଇ ପୁଣି ସେଇ ପିଲାଦିନର ହଜିଲା ସ୍ମୃତିକୁ ପାଥେୟ କରି ତା’ର ସର୍ବସ୍ୱ ଲୁଣ୍ଠନ କରିବାପାଇଁ, ଆଦି ପୁରୁଷର ମନୋବୃତ୍ତି ନେଇ ତାଠାରୁ ତା’ର ନାରୀତ୍ୱର ଭିକ୍ଷା ମାଗିବସିବ !!!

 

ସୁଲି କେବଳ କାନ୍ଦୁଥିଲା ।

 

କହି ଚାଲିଥାଏ ଚନ୍ଦ୍ରକାନ୍ତ ମୋର ଅନୁରୋଧ ତୋତେ ରଖିବାକୁ ହେବ ସୁଲି । ମୋତେ ମମତା ଭିକରୁ ମୁଠାଏ ଦେଇ ପାରିବୁ ? ଠିକ୍‌ ଭଉଣୀ ଭଳି ମମତା ଭିକରୁ ମୁଠାଏ ଦେଇ ପାରିବୁ-? ଠିକ୍‌ ଭଉଣୀ ଭଳି ତୁ ମୋତେ ଅନ୍ତରଭରି ଭକ୍ତି କରିବୁ ଆଉ ମୋର ଅତି ଆଦରଣୀ, ଅଲିଅଳୀ ଭଉଣୀ ହୋଇ ରହିବୁ ଏଇ ଘରେ । ମୁନ୍ନାକୁ ଆଉ ଦୀପୁକୁ ରଖି ମୁଁ ତୋତେ ଦାଣ୍ତକୁ ଫିଙ୍ଗିଦେଇ ପାରିବି ନାହିଁ । ଚନ୍ଦ୍ରଭାଇ ବଞ୍ଚିଥିବା ପର୍ଯ୍ୟନ୍ତ ତୁ ତା’ର ଭଉଣୀ ହୋଇ ରହିବୁ । କ’ଣ ଏଇତକ ତୋର ଏଇ ସ୍ନେହକାଙ୍ଗାଳ ଭାଇଟାକୁ ଦେଇ ପାରିବୁ ନାହିଁ ? କ’ଣ କହୁଛୁ ?

 

ସୁଲି ଥରି ଉଠିଲା । ଗଛ କାଟିଲା ପରି ଚନ୍ଦ୍ରକାନ୍ତର ଗୋଡ଼ତଳେ ପଡ଼ିଗଲା ।

 

ଆଖିରୁ ତା’ର ଅଶ୍ରୁର ଶ୍ରାବଣୀ ଛୁଟି ଚାଲିଥାଏ ।

 

ଚନ୍ଦ୍ରକାନ୍ତ ଭାବୁଥିଲା, ସୁଲିର ସେ ଅଶ୍ରୁ -ଅଶ୍ରୁ ନୁହେଁ; -ଏକ ଦୁଃଖ ଦାରିଦ୍ର୍ୟପୂର୍ଣ୍ଣ ସଂଗ୍ରାମୀ ଆତ୍ମାର ନିଛକ ଅଭିବ୍ୟକ୍ତି ।

 

ସୁଲି ନିର୍ବାକ ଚାହାଣୀରେ ଚନ୍ଦ୍ରକାନ୍ତକୁ ଚାହିଁଲା ।

 

କଳିଯୁଗରେ ମଣିଷ ଭିତରେ ଏପରି ଦେବତା ପୁଣି ସଂଭବ ହୁଅନ୍ତି !

 

କଥାରେ ଅଛି ବାପା, ବାପା । ମାଆ, ମାଆ । ବାପ, ମାଆ ପରି ସ୍ନେହ ଦେଇ ପାରିବ ନାହିଁ କିମ୍ୱା ମାଆ, ବାପପରି ଶାସନ କରିପାରିବ ନାହିଁ ।

 

ମୁନ୍ନା ଚିନ୍ତାରୁ ଚନ୍ଦ୍ରକାନ୍ତ ରକ୍ଷା ପାଇଲା ।

 

ସୁଲି ଚନ୍ଦ୍ରକାନ୍ତ ଘରେ ରହିବାପରେ, ତାରି ହାତର ସ୍ପର୍ଶପାଇ ଯେପରି ଚନ୍ଦ୍ରକାନ୍ତର ସମସ୍ତ ପରିବେଶ ବେଶ୍‌ ସତେଜ ହୋଇଉଠିଲା । ଚେମ୍ୱାର ପୁଣି ହସି ଉଠିଲା । ବଗିଚା ସଫା ହେଲା । ଗଛମୂଳରେ ନୂଆ ମଳା ସବୁ ତିଆରି ହେଲା । ପୁଣି ଫୁଲଫଳରେ ବଗିଚା ହସି ଉଠିଲା ।

 

ଚନ୍ଦ୍ରକାନ୍ତର ଖାଇବା, ପିଇବା, ପିଇବା, ଶୋଇବା ସବୁ ଠିକ୍‌ ସମୟରେ ହେଲା । ନିତ୍ୟନୈମିତ୍ୟିକ କର୍ମରେ ଆଉ ବ୍ୟତିତ୍ରମ ଘଟିଲା ନାହିଁ । ଚନ୍ଦ୍ରକାନ୍ତ ପୂର୍ବପରି ଉଲ୍ଲସିତ ହୋଇ ଉଠିଲା ।

 

ସଦାବେଳେ ବାପ କୋଳ ନଛାଡ଼ି ଗେଁ ଗେଁ ହେଉଥିବା ମୁନ୍ନାର ଅପୂର୍ବ ପରିବର୍ତ୍ତନ ହେଲା । ସୁଜାତା ଚାଲିଯିବା ପରେ ମୁନ୍ନାର ଅଦଉତି ସମ୍ଭାଳିବା ଚନ୍ଦ୍ରକାନ୍ତ ପକ୍ଷରେ ନିହାତି ଅସହ୍ୟ ହୋଇ ଉଠିଥିଲା । କେତେ ରାତ୍ରି ଅନିଦ୍ରାରେ ତା’ର କଟିଛି । ଦୁଃଶ୍ଚିନ୍ତାରେ ଅସ୍ଥିର ହୋଇଉଠିଛି ସେ-। ସୁଜାତା ବିରୁଦ୍ଧରେ ମନ ତା’ର ବିଦ୍ରୋହ କରିଉଠିଛି ।

 

ମୁନ୍ନା ତା’ର ମାଆକୁ ଝୁରି ଝୁରି ଆସ୍ତେ ଆସ୍ତେ ଝଡ଼ି ଯାଉଥିଲା । ସ୍ୱାସ୍ଥ୍ୟ ତା’ର କ୍ଷୀଣରୁ କ୍ଷୀଣତର ହେଉଥିଲା ।

 

ମୁନ୍ନାକୁ ଦେଖିଲେ ଚନ୍ଦ୍ରକାନ୍ତ କେତେ ଆଡ଼ୁ କେତେ ଖରାପ କଥା ଭାବୁଥିଲା । ସେ ଭାବୁଥିଲା, ବୋଧହୁଏ ତା ଉପରେ ଅଭିମାନ କରି ମୁନ୍ନା ତାକୁ ଛାଡ଼ି ଚାଲିଯିବ । ମାମୁଲି ଭାବରେ କଚେରୀକୁ ଯାଉଥିଲା ସେ । ନିହାତି ଯେତିକି କେଶ୍‍ ଦରକାର ସେତିକି ଗ୍ରହଣ କରୁଥିଲା । କୋର୍ଟରୁ ଫେରିଲେ ମୁନ୍ନାକୁ ଛାତିରେ ପକାଇ ଆକାଶ ପାତାଳ କେତେ କ’ଣ ଭାବୁଥିଲା ।

 

ଅରକ୍ଷିତକୁ ଦଇବ ସାହା । ମୁନ୍ନାର ନିଃଶ୍ୱାସର ମୂଲ୍ୟ ଅଛି । ଭଗବାନ ସୁଲିକୁ ପଠାଇ ଦେଲେ । ଯାହାହେଉ ସୁଲି ଆସି ତାକୁ ଓ ତା’ର ଘରକୁ ଯଥେଷ୍ଟ ସମ୍ଭାଳି ନେଇଛି ।

 

ମାର୍ଗଶୀର ମାସର ଗୁରୁ ଗୁରୁ ଶୀତ । ସକାଳ କେତେବେଳ ହେଲାଣି । କଅଁଳ ସୂର୍ଯ୍ୟକିରଣରୁ ଚେନାଏ ଝରକା ଫାଙ୍କ ଦେଇ ଘରେ ପଡ଼ିଲାଣି । ଶେଯରୁ ଚନ୍ଦ୍ରକାନ୍ତ ଉଠି ନଥାଏ । ରାପ୍‌ର ଭିତରୁ ମୁହଁଟା କାଢ଼ି ସେ ଆଜିର ଏଇ ଶୀତ ସକାଳକୁ ଉପଭୋଗ କରୁଥିଲା । ଆଖିରୁ ଗତ ରାତ୍ରିର ତନ୍ଦ୍ରା ତୁଟି ନଥିଲା । ଦେହରେ ଅଳସ ଜମାଟ ବାନ୍ଧି ରହିଥାଏ । ଜାକିଜୁକି ହୋଇ ରେଜେଇ ଭିତରେ ପଡ଼ି ରହିବାକୁ ବେଶ୍‌ ଆମୋଦ ଲାଗୁଥାଏ ।

 

ବାହାର କବାଟରେ ମୃଦୁ ଆଘାତ ଶୁଭିଲା ।

 

ରାପ୍‌ର ଭିତରେ ଚନ୍ଦ୍ରକାନ୍ତ ମୁହଁଟା ପୂରାଇ ଦେଲା ।

 

ଚନ୍ଦ୍ରଭାଇ କ’ଣ ଶୋଇଥିବ କି ? ରାତି ଯେ କେତେବେଳୁ ପାହିଲାଣି......

 

‘‘.............................’’

 

ମଲାମୋର । ଦିନୁକୁ ଦିନ କ’ଣ କୁନି ପିଲା ହୋଇଯାଉଛ କି ? ଉଠମ–ଉଠ । ଚାହା ଯେ କେତେବେଳୁ ହୋଇ ଥଣ୍ତା ହେବାକୁ ବସିଲାଣି.... ।

 

ରେଜେଇ ଭିତରେ ଶୋଇରହି ଚନ୍ଦ୍ରକାନ୍ତ ଚାହା ନାମଟା ଶୁଣିଲା ପରେ ତା ପାଟିଟା ଲାଳେଇ ଉଠିଲା । ଦୁନିଆରେ ତା’ର କୌଣସି ଜିନିଷପ୍ରତି ଆଗ୍ରହ ଥାଇ ନ ପାରେ, କିନ୍ତୁ ସକାଳ ଚାହାଟା ପ୍ରତି ତା’ର ଯେ କେବଳ ଆଦର ଥାଏ ତା ନୁହେଁ, ଆସକ୍ତି ବି ଥାଏ ଯଥେଷ୍ଟ । ବେଡ଼୍‌-ଟିଟା ନ ହେଲେ ତା’ର ସବୁ ଯେପରି ଅଚଳ । ବ୍ୟସ୍ତ ହେଲା ଭଳି ଚନ୍ଦ୍ରକାନ୍ତ କହିଲା–ମଣିଷକୁ ଟିକିଏ ଶୋଇବାକୁ ବି ଦେବୁନି ? ରେଜେଇଟା ଫୋପାଡ଼ି ଦେଇ କବାଟଟା ସେ ଫିଟାଇ ଦେଲା ।

 

ଘର ଭିତରକୁ ପଶିଆସିଲା ସୁଲି । ହାତରେ ଚାହା ପିଆଲା । ଗରମ ଚାହାରୁ ବାମ୍ଫ ଉଠୁଛି । ମୁହଁରେ ମିଠା ହସରୁ ଚେନାଏ ଲାଗି ରହିଛି ।

 

ଟି ପୟ୍‌ ଉପରେ ଚାହା ଥୋଇ ଦେଇ ଶାସନ କଲା ଭଳି ସୁଲି କହିଲା ମୁଁ ଦେଖୁଛି ଦିନକୁ ଦିନ ତୁମେ ବଡ଼ ଅବାଧ୍ୟ ହୋଇଉଠୁଛ ? ଆଚ୍ଛା ମୁଁ ତୁମକୁ ଠିକ କରିଦେଉଛି । ସବୁ ବାଗରେ ପଡ଼ିଯିବ । ମୁଁ ଆଜି ନୂଆଉଙ୍କ ପାଖକୁ ଚିଠି ଲେଖୁଛି । ଦେଖିବି କେତେ ଦିନ ତୁମେ ଏପରି ଅଘୋରୀ ହୋଇ ନିଶ୍ଚିନ୍ତରେ ଦିନ ଆଠଟା ପର୍ଯ୍ୟନ୍ତ ଶୋଇ ଶୋଇ ଘୁଙ୍ଗୁଡ଼ି ମାରୁଥିବ !

 

ଘରୁ ବାହାରି ଯାଉ ଯାଉ ଫେରିପଡ଼ି ସୁଲି କହିଲା–ହଁ, ବାଥରୁମ୍‌ରେ ଟୁଥ୍‌ପେଷ୍ଟ, ବ୍ରସ୍‌, ପାଣି, ସବୁ ଥୁଆ ହୋଇଛି । ଦାନ୍ତ ଘଷି ପକାଅ, ମୁଁ ଜଳଖିଆ ଆଣୁଛି ଖାଇଦେବ ।

 

ଚନ୍ଦ୍ରକାନ୍ତ ବାମ ହାତରେ ଟି ପୟ୍‌ ଉପରୁ ଚାହାଟା ଆଣି ସୁଲିର ଚଲାପଥକୁ ଚାହିଁ ରହିଲା । ମନେ ମନେ ଭାବୁଥିଲା ଗୃହଲକ୍ଷ୍ମୀ ସୁଲି ନା ସୁଜାତା–କାହାକୁ ସେ କହିବ ?

 

ଜଣେ ମୃତ ସ୍ୱାମୀର ଶେଷ ଇଚ୍ଛାକୁ ସମ୍ମାନିତ କରିବା ଲାଗି ପର ଓଳି ତଳେ ଠିଆ ହୋଇ, ହାତପାତି ନିଜ ପୁଅକୁ ମଣିଷ କରିବାପାଇଁ ଭିକ ମାଗୁଛି । କିନ୍ତୁ ଆଉ ଜଣେ ନାରୀ ସ୍ୱାମୀକୁ ଉପେକ୍ଷା କରି, ପୁଅର ଭଲମନ୍ଦ, ଭବିଷ୍ୟତ ପ୍ରତି ଦୃଷ୍ଟି ନଦେଇ ଗୃହତ୍ୟାଗୀ ହୋଇ, ନିଜର ସୁଖ ସୁବିଧା ପାଇଁ ପର ଓଳିତଳେ ଆଶ୍ରା ନେବା ଉଦ୍ଦେଶ୍ୟରେ ଘୂରିବୁଲୁଛି । ଦୁହିଁଙ୍କ ଭିତରେ ତଫାତ୍‌. ଜଣେ ନିଜକୁ ଆଧୁନିକା ବୋଲି ଗର୍ବ କରେ ; ନିଜର ଶିକ୍ଷାର ଅପବ୍ୟବହାର କରେ, ନିଜର ଆଭିଜାତ୍ୟ ଅହଙ୍କାରେ ଅନ୍ଧ ହୋଇଉଠେ ଆଉ ଜଣେ ଏକ ଅଶିକ୍ଷିତ ପଲ୍ଲୀର ବାତାବରଣରେ ପରିବର୍ଦ୍ଧିତା । ସହରର କୁଟିଳତା, ଜଟିଳତା, ଆବିଳତାଠାରୁ ଯଥେଷ୍ଟ ଦୂରରେ । ଜଣେ ପତିକୁ ଦେବତା ଭଳି ଦେଖିଲାବେଳେ ଅନ୍ୟ ଜଣକ ଶଯ୍ୟାସାଥୀ ହିସାବରେ ଦେଖିବାକୁ ଇଚ୍ଛା କରେ ।

 

ଆଜି ମଗୁଶିର ମାସର ଗୁରୁବାର । ମହାଲକ୍ଷ୍ମୀଙ୍କର ଆଗମନକୁ ସ୍ୱାଗତ ଜଣାଇବା ପାଇଁ ତାରି ତାରି ଅଙ୍ଗନ ସାରା ସୁଲିର ବିପୁଳ ଆୟୋଜନ ଚାଲିଛି । ଘରସାରା ପିଠୋଉର ସେ ଚିତା ଲେଖିଛି । ନାନା ପ୍ରକାର ଚିତା । ବିଭିନ୍ନ ପ୍ରକାର ଚିତ୍ର । ସକାଳୁ ମୁଣ୍ତ ବୁଡ଼ାଇ ସୁଲି ଗାଧୋଇଛି । କଳାକୁନ୍ତଳ ତା’ର ପିଠିସାରା କେରି କେରି ହୋଇ ଫିଟି ପଡ଼ିଛି । ଧଳା ଥାନର ଶାଢ଼ୀ ଖଣ୍ତିଏ ପନ୍ଧିଛି । ଦେଖାଯାଉଛି ସତେକି ଏକ ଆଶ୍ରମବାସିନୀ ଋଷିକନ୍ୟା ! ଭଗବତ୍‌ ଚିନ୍ତା, ଦେବତା ପୂଜା ଯେପରି କେବଳ ଏଇ ନାରୀଟିର କାମ୍ୟ ।

 

ଚାହା ପିଇସାରି ସିଗାରେଟ୍‌ରେ ନିଆଁ ଧରାଇଲା ଚନ୍ଦ୍ରକାନ୍ତ । ସିଗାରେଟ୍‌ର ଧୁମ୍ରକୁଣ୍ତଳୀ ସୃଷ୍ଟି କରୁ କରୁ କାଲି ରାତିରେ ଅଧା ପଢ଼ା ହୋଇଥିବା ମ୍ୟାଗାଜିନ୍‌ ଉପରେ ଆଖି ପଡ଼ିଲା । କାଲି ବିଷୟ ବସ୍ତୁରୁ ଯେତିକି ପଡ଼ିଛି ସେତିକିରେ ସେ ମୁଗ୍‌ଧ ହୋଇଛି । ସତେକି ଅନୁଭୂତି ଭିତରୁ ସମସ୍ତ ରସକୁ ଚିପୁଡ଼ି ଲେଖକ ଏହି ଗଲ୍ପଟି ଲେଖିଛନ୍ତି । ଗଳ୍ପଟି କ୍ଷୁଦ୍ର ହେଲେହେଁ ମଣିଷ ଜୀବନର ସୂକ୍ଷ୍ମ ଅନୁଭୂତିର ବିରାଟ ତଥ୍ୟକୁ ଲେଖକ ବାଢ଼ିଛନ୍ତି । ମାଗାଜିନ୍‌ଟା ଭିଡ଼ିଆଣି ଚନ୍ଦ୍ରକାନ୍ତ ପଢ଼ିଲା ‘‘ମଣିଷ ଗୋଟିଏକେ ପ୍ରକୃତି ଗୋଟିଏ । ପରପୁଅ ହାତରେ ହାତ ବାନ୍ଧି, ଲୁଗାକୁ ଲୁଗା ଗଣ୍ଠିପକାଇ, ମନ୍ତ୍ରପଢ଼ି ଦେଲେ ଯେ ଦୁଇଜଣଙ୍କର ମନ, ଚାଲିଚଳଣ, ଜୀବନ ଓ ପ୍ରକୃତି ଏକା ହୋଇଯିବ, ଏପରି ନୁହେଁ । ପରସ୍ପରର ମନ ବୁଝି, ନିଜର କେତେ କାମନାକୁ ଦମନ କରି, ଚଳନ ଦଳନ କରି, ଭାବନାକୁ ଦହନ କରି, ସହନଶୀଳତାର ସଳିତା ଜାଳି, ଦିଓଟି ଯୋଡ଼ିଲା ଜୀବନକୁ ଉଜ୍ଜ୍ୱଳ କରିବାର ବ୍ୟାକୁଳ ଉଦ୍ୟମ, ଦାମ୍ପତ୍ୟ ଜୀବନକୁ ଶୋଭନ, ଲୋଭନ ଆଉ ମହନୀୟ କରେ ।’’ ଏତିକି ପଢ଼ି ସାରିଲା ପରେ ଚନ୍ଦ୍ରକାନ୍ତ ବିଶେଷ ଅଗ୍ରସର ହୋଇ ପାରିଲା ନାହିଁ । ଇଲେକ୍‌ଟ୍ରିକ ସକ୍‌ ପରି ମନ ତଳେ ତା’ର ଏଇ କେତେ ପଦ କଥା ଚମକ ଆଣିଲା ।

 

ମନ ବୀଣା ତାରରେ ତା’ର କରୁଣ ରାଗିଣୀ ବାଜି ଉଠିଲା ।

 

ଚନ୍ଦ୍ରକାନ୍ତର ମନ ଅବଶ ହୋଇ ଉଠିଲା । ସେ ଆତ୍ମବିଶ୍ଳେଷଣ କରିବାକୁ ଲାଗିଲା । ସୁଜାତା ଏ ଘରକୁ ବଧୂ ହୋଇ ଆସିବା ପରେ ତାକୁ କେବେ ତ ପତ୍ନୀତ୍ୱର ଉପଯୁକ୍ତ ଗୌରବରୁ ସେ ବଞ୍ଚିତ କରି ନାହିଁ ! ଯାହା ଯେତେବେଳେ ଚାହିଁଛି ସେତେବେଳେ ତା ଋଚି ଅନୁସାରେ ଯୋଗାଇ ଦେଇଛି । ତା’ର ରାଗ, ରୋଷ, ଅଭିମାନକୁ ଯଥେଷ୍ଟ ଧୈର୍ଯ୍ୟର ସହିତ ସହି ନେଇଛି । ସହଧର୍ମ୍ମଣୀ ଭାବରେ ତା’ର ହକ୍‌ ଦାବୀ ସେ ସଦାବେଳେ ତାକୁ ଦେଇ ଆସିଛି । ସୁଜାତା କିନ୍ତୁ ସେତକ ଦାବୀ ସେ ସଦାବେଳେ ତାକୁ ଦେଇ ଆସିଛି । ସୁଜାତା କ୍ତିନ୍ତୁ ସେତକ ପାଇ ସନ୍ତୁଷ୍ଟ ହେଲାନାହିଁ । ତା’ର ଲୋଭ ପ୍ରବଳ ହୋଇ ଉଠିଲା । ଅଧିକ ଦାବୀକୁ ଯଦିଓ ପ୍ରତ୍ୟାଖ୍ୟାନ ନ କରିଛି କିନ୍ତୁ ସ୍ୱାମୀ ହିସାବରେ ଗ୍ରହଣ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିଛି । ଏଥିରେ ତା’ର ଭୁଲ କେଉଁଠି ? ପରସ୍ପରର ମନ ବୁଝିପାରିଲେ ଯଦି ଦାମ୍ପତ୍ୟ ଜୀବନ ସାର୍ଥକ ହୁଏ ତେବେ ସୁଜାତାର କ’ଣ ଚନ୍ଦ୍ରକାନ୍ତର ମନ ବୁଝିବା ଉଚିତ୍‌ ନୁହେଁ ? ପତ୍ନୀର ମର୍ଯ୍ୟାଦା ସେ ଆଦାୟ କଲାବେଳେ ଅନ୍ତତଃ ସୌଜନ୍ୟ ଦୃଷ୍ଟିରୁ ସ୍ୱାମୀ ପ୍ରତି ତା’ର ସ୍ନେହ ଦେଖାଇବା ଉଚିତ ତ ! ଖାଲି ସହନଶୀଳତାର ସଳିତା ସେଇ ଜାଳି ଚାଲିଥିବ ! ସେ ସଳିତା ଆଲୋକର ପ୍ରତିଫଳନ ଯଦି ସୁଜାତା ଚକ୍ଷୁର ତାରକାରେ ନ ହୋଇ ପାରିଲା, ତେବେ ସେଇଟା କ’ଣ ସୁଜାତା ନା ତା’ର ଭାଗ୍ୟର ଦୋଷ ?

 

ନିଃଶେଷ ପ୍ରାୟ ସିଗାରେଟ୍‌ଟାକୁ ଚନ୍ଦ୍ରକାନ୍ତ ବାହାରକୁ ଫିଙ୍ଗିଦେଲା ।

 

କାନ୍ଥରେ ଝୁଲୁଛି ବିବାହ ବେଦୀରେ ନିଆ ହୋଇଥିବା ଯୁଗ୍ମ ଫଟୋଟା । ଚନ୍ଦ୍ରକାନ୍ତର ଆଖି ତା ଉପରେ ପଡ଼ିଲା । ପରିଜନ ପରିବେଷ୍ଟିତ ବେଦୀ ଉପରେ ସୁଜାତାର ହାତ ସହିତ ତା ହାତ ଫୁଲ ଡୋରୀରେ ବନ୍ଧା ହୋଇଛି । ସମସ୍ତଙ୍କ ମୁହଁରେ ଆନନ୍ଦ ଆଉ ପରିତୃପ୍ତିର ହସ । ତଳକୁ ନଇଁ ପଡ଼ିଛି ସୁଜାତାର ଲଳିତ ମୁହଁ । ଦିନସାରା ଉପାସରେ ନିଆଁ ପାଖରେ ବସି ବସି ମୁହଁଟା କିପରି ତା’ର ଝାଉଁଳି ପଡ଼ିଛି । ତଥାପି ସେଇ ଝାଉଁଳା ମୁହଁରେ ବି ସରଗର ସୌନ୍ଦର୍ଯ୍ୟ !

 

ସେଦିନର ସେଇ ମଧୁର ଲଗ୍ନରେ ପୁରୋହିତଙ୍କର ଗୋଟିଏ ଶ୍ଳୋକ ବେଦୀ ଉପରେ ତା’ର ମନକୁ ଛୁଇଁଥିଲା । ସଂସ୍କୃତର ସେଇ ଶ୍ଳୋକଟି ଯଦିଓ ସଂପୂର୍ଣ୍ଣ ତା’ର ମନେ ନାହିଁ ତଥାପି ତା’ର ଅର୍ଥ ସେ ଏପର୍ଯ୍ୟନ୍ତ ଭୁଲିପାରି ନାହିଁ–‘‘ମୋର ଜୀବନର ବ୍ରତ ବା ଧର୍ମ୍ମକୁ ତୁମେ ହୃଦୟରେ ଧାରଣ କର । ମୋର ମନ ତୁମ ମନ ହେଉ । ମୋର ବଚନକୁ ଏକ ମନ ହୋଇ ପାଳନ କରିବ–ଯେହେତୁ ପ୍ରଜାପତି ମୋ ପାଇଁ ତୁମକୁ ନିଯୁକ୍ତ କରିଛନ୍ତି ।’’ ଏଇ କେତେଟା ପଂକ୍ତି ଭିତରେ ଯେ କେବଳ ପୁରୁଷକାରର ଜୟଧ୍ୱନି ଥିଲା ତା ନୁହେଁ; ସଂସାରର ଜୀବନଯାତ୍ରା ସୁଖକର, ଶୁଭପ୍ରଦ ଓ ନିର୍ଭୟ ହେବା ପାଇଁ ଅଗ୍ନିକୁ ସାକ୍ଷୀରଖି ପୁରୋହିତ ଶପଥ ପାଠ କରାଉଥିଲେ ଯେ ଦୁହିଁଙ୍କର ମନ ବଚନ ଓ ହୃଦୟ ଏକ ହେଉ । ନୂଆ ଦୁନିଆଁ ଗଢ଼ିବାକୁ ଯାଉଥିଲା ବେଳେ ପରସ୍ପର ଭିତରେ ମନାନ୍ତରନଘଟୁ । ଜଣକୁ ଜଣକ ନିକଟରେ ସମ୍ପୂର୍ଣ୍ଣ ସମର୍ପଣ କରି ଦେବାକୁ ହେବ । ଭୁଲ ଆଉ ଠିକ୍‌ର ରାସ୍ତା ଖୋଜୁ ଖୋଜୁ ଯେପରି ମନାନ୍ତର ନହୁଏ । ମନ ଏକ ହେଉ । ପ୍ରାଣ ଏକ ହେଉ । କେବଳ ଶରୀର ପୃଥକ୍‌ ଥାଉ ।

 

ବାସର ରାତ୍ରି ପରଠାରୁ ସୁଜାତା ଓ ସେ ଦୁହେଁ କେତେ ପ୍ରଣୟ ମଧୁର ରଜନୀକୁ ବିନିଦ୍ର ହୋଇ ବିତାଇ ଦେଇଥିଲେ । କେତେ ଆଡ଼ୁ କେତେ ପ୍ରଶ୍ନ, କେତେ ଅସରନ୍ତି ଗପ ଚାଲିଥିଲେ ଯାହାର କି ଆରମ୍ଭ ସହିତ ଶେଷର ସଂପର୍କ ନଥିଲା । ଗଳ୍ପ ଛଳରେ ସେ ବି ସୁଜାତାକୁ ପ୍ରଶ୍ନ କରିଥିଲା କୁମାରୀ ଜୀବନରେ ହୃଦୟ ଭରି ଆଉ କ’ଣ କାହାକୁ ଭଲ ପାଇ ନଥିଲ ତୁମେ ?

 

ହସିଥିଲା ସୁଜାତା । ଲାଜରେ କହି ଉଠିଥିଲା–ଏ ଆଦିମ ପ୍ରଶ୍ନ ବୋଧହୁଏ ସୃଷ୍ଟି ପ୍ରାରମ୍ଭରୁ ପଚାରାହୋଇ ଆସୁଛି ? ମୁଁ ଭାବୁଛି, ଯେଉଁମାନେ ବୃଦ୍ଧ ହୋଇ ମରଣ ପାଇଁ ବରଣମାଳ ଧରି ଅପେକ୍ଷା କରି ବସିଛନ୍ତି ସେମାନେ ବି ଦିନେ ଏଇ ପ୍ରଶ୍ନ ପଚାରିଥିବେ; ଆଉ ଯେଉଁମାନେ ମରି ହଜି ଗଲେଣି ସେମାନେ ବି ପଚାରିଥିବେ । ତୁମେ ମଧ୍ୟ ଏଇ ପରମାଣୁ ଯୁଗର ଛାତି ଉପରେ ଠିଆହୋଇ ସେଇ ପ୍ରଶ୍ନର ପୁନାରାବୃତ୍ତି କରୁଛ ! ହୋମ ନିଆଁ ପାଖରେ ସିଝି ସିଝି ଧୂଆଁରେ ଆଖି ଦୁଇଟାକୁ କୁମ୍ଭାଟୁଆ ଆଖି ପରି ଲାଲ କରି, ଦେହକୁ, ମନକୁ, କଷ୍ଟ ନଦେଲେ ଯେପରି ବିବାହର ମଧୁ-ମାଦକତା ଉପଲବ୍‌ଧି କରି ହୁଏନି, ସେପରି ପ୍ରତି ବାସରେ ରାତ୍ରିରେ ବୋଧହୁଏ ଏଇ ପ୍ରଶ୍ନ ପ୍ରତି ପୁରୁଷ ପ୍ରତିଟି ସ୍ତ୍ରୀକୁ ନ ପଚାରିଲେ ମଧୁଯାମିନୀର ଚରମ ଉପଲବ୍‌ଧି ତାକୁ ଯଥେଷ୍ଟ ଆନନ୍ଦ ଦେଇ ପାରେନ !

 

ଆଦିମ ପୁରୁଷର ରକ୍ତ ନେଇ ଏଇ ନୂତନ ପରମାଣୁ ଯୁଗର ମଣିଷ ଆମେ ହୋଇଛେ-। ସେଇ ଆଦିମ ପରମ୍ପରାକୁ ରକ୍ଷା କରିବା ପାଇଁ ବାଣ ରୋଷଣୀ, ପାଗ ପଟୁଆର, ଭୋଜି ଭାତ, ଯାନି ଯୌତୁକରେ ଏତେ ପଇସା ଖର୍ଚ୍ଚ କରୁଛେ । ତେଣୁ ରକ୍ତରୁ ସେଇ ଦୋଷଟା କ’ଣ ମଣିଷର ଏତେ ସହଜରେ ଚାଲିଯାଇ ପାରିବ ? ହସି ହସି ଚନ୍ଦ୍ରକାନ୍ତ ସୁଜାତାର ଚିବୁକ ହଲାଇ ଦେଇଥିଲା ।

 

ଲାଜକୁଳୀ ଲତାଭଳି ଝାଉଁଳି ପଡ଼ି ସୁଜାତା କହି ଉଠିଲା–ଛି ! ତୁମେ ବଡ଼ ଦୁଷ୍ଟ....

 

ହସିହସି ଚନ୍ଦ୍ରକାନ୍ତ କହିଲା ଦୁଷ୍ଟାମୀର ଆରମ୍ଭ ମାତ୍ର ମୁଁ କରୁଛି–ପୁରୋହିତ ସେଦିନ ମନ୍ତ୍ର ଛଳରେ କ’ଣ କହିଥିଲେ ଜାଣ ?

 

ମୁଁ ଜାଣିବି କିପରି ?

 

ଯଦି ସଂସ୍କୃତରେ ବିବାହର ଶ୍ଲୋକ ଗୁଡ଼ାକ ଲେଖା ନ ହୋଇ ସ୍ୱାମୀ, ସ୍ତ୍ରୀ ବୁଝି ପାରିବା ଭଳି ସରଳ ଓଡ଼ିଆ ଛାନ୍ଦରେ ଲେଖା ହୋଇଥାନ୍ତା ତେବେ କେଡ଼େ ଭଲ ନ ହୋଇଥାନ୍ତା କହିଲ ! ଏତେ ଗୁଡ଼ାଏ ଅବୋଧ୍ୟତା ତୁମ ଓ ମୋ ଭିତରେ ସୃଷ୍ଟି ହୋଇ ନଥାନ୍ତା । ଶ୍ଳୋକରେ ସ୍ୱାମୀ ସ୍ତ୍ରୀର ପାଣି ଗ୍ରହଣ କରି ତାକୁ ଶପଥ ପାଠ କରାଇ କହୁଛି ମୋ ଧର୍ମକୁ ତୁମେ ହୃଦୟରେ ଧାରଣ କର । ମୋ ମନ ତୁମ ମନ ହେଉ । ମୋର ବଚନକୁ ଏକ ମନ ହୋଇ ପାଳନ କରିବ, ଯେହେତୁ ପ୍ରଜାପତି ମୋ ପାଇଁ ତୁମକୁ ନିଯୁକ୍ତ କରିଛନ୍ତି ।

 

ସୁଜାତା ହସି ଉଠି କହିଲା–ଯେଉଁଠି ମନ୍ତ୍ରପାଠ ନ ହୋଇ, ପୁରୋହିତ ନ ଆସି, କଚେରୀ ଘର ପ୍ରଜାପତି ଅଫିସ୍‌ ହେଉଛି, ସେଠାରେ କ’ଣ ଆଇନ ବହିଧରି ତୁମ ଭଳି ପୁରୋହିତମାନେ ବରକନ୍ୟା ପକ୍ଷରୁ ଶପଥ ପାଠ କରାଉଛ ? ଏଇ ଆଟମିକ୍‌ ଯୁଗରେ ସେଇ ପୁରୁଣା କାଳିଆ ଶପଥ ପାଠର କିଛି ମୂଲ୍ୟ ଥିଲାପରି ମୁଁ ଅନୁମାନ କରି ପାରୁନାହିଁ । ବିବାହ ହେଲାପରେ ପ୍ରତି ସ୍ତ୍ରୀ ତା’ର ସ୍ୱାମୀକୁ ଦେବତା ଭଳି ଦେଖେ ଆଉ ସ୍ୱାମୀ ସ୍ତ୍ରୀକୁ ଦେବୀ ରୂପେ ଦେଖେ । ତେଣୁ ମନର ମିଳନ ଆପେ ଆପେ ହୋଇଯାଏ । ଯେଉଁଠାରେ ମନର ମିଳନ ହେବା ଅସମ୍ଭବ ସେଠାରେ କ’ଣ ଏଇ ଶ୍ଳୋକ କୁହ କିମ୍ୱା ଶପଥ ପାଠ କୁହ–ମନକୁ ଯୋଡ଼ି ଦେଇପାରେ-?

 

ଚନ୍ଦ୍ରକାନ୍ତର ବେକରେ ଗେହ୍ଳେଇ ହୋଇ ଓହଳି ପଡ଼ି ସୁଜାତା କହିଲା ରାତି ବହୁତ ହେଲାଣି । ମଶାରୀ ପକାଇ ଶୁଅ । ଯେଉଁ ଦିନ ତୁମର ଅବାଧ୍ୟ ହେବି ସେଦିନ ଏଇ ଶପଥ ପାଠକଥା ସ୍ମରଣ କରାଇଦେବଯେ ସୁନ୍ଦର ଦିଶିବ ।

 

ସୁଜାତାକୁ ନିଜ ବକ୍ଷରେ ଚାପିଧରି ଚନ୍ଦ୍ରକାନ୍ତ ବେଡ଼୍‌ ସୁଇଚ୍‌ଟା ଟିପି ଆଲୁଅକୁ ଲିଭାଇ ଦେଲା ।

 

ଘର ସାରା ଅନ୍ଧକାର ଖେଳିଗଲା । ନିବିଡ଼ ଅନ୍ଧକାର ଭିତରେ ସୁଜାତାର ବନ୍ଧୁର ବୁକୁ ଉପତ୍ୟକାରେ ମୁଣ୍ତ ଗୁଞ୍ଜି ସେ ଶୋଇବାକୁ ଚେଷ୍ଟା କରୁଥିଲା । କପୋତୀର ବୁକୁ ପରି ସୁଜାତାର ଉଷୁମ ଛାତି ତା ଦେହରେ ଆଦିମ ମାନବର ପ୍ରବୃତ୍ତି ଜଗାଉଥିଲା ।

 

ଲଜ୍ଜା, ଶଙ୍କୋଚ ଓ ଭୟଭ୍ରାନ୍ତି ସମସ୍ତେ ସେ କକ୍ଷରୁ ବିଦାୟ ନେଇ ଚାଲି ଯାଇଥିଲେ ।

 

ଗୋଟାଏ ରାତ୍ରିର ଦୁଃସ୍ୱପ୍ନ ଭଳି ଅତୀତର ସେଇ ସ୍ମୃତିକୁ ଚନ୍ଦ୍ରକାନ୍ତ ଯେତେ ଭୁଲିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ତୁହାଇ ତୁହାଇ ସେଗୁଡ଼ାକ ତା ମନର ବୀଣାରେ କରୁଣ ମୂର୍ଚ୍ଛନା ତୋଳୁଥିଲେ ।

 

ଶିକ୍ଷିତା ସ୍ତ୍ରୀ ପାଇ ଚନ୍ଦ୍ରକାନ୍ତ ଗର୍ବରେ ସ୍ଫୀତ ହୋଇ ଉଠିଥିଲା । ହେଲେ ସୁପରିକଳ୍ପିତ ସୁନାର ସଂସାର ତା’ର ସ୍ୱପ୍ନରେ ରହିଗଲା । ସୁଜାତା ଯିବାବେଳେ ଚନ୍ଦ୍ରକାନ୍ତ ତାକୁ କହି ପାରିଲାନାହିଁ ଯେ ଅବାଧ୍ୟ ନ ହେବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲ ତାକୁ କ’ଣ ଏତେ ଶୀଘ୍ର ଭୁଲିଗଲ ?

 

–ତୁମେ କାନ୍ଦୁଛ ଚନ୍ଦ୍ରଭାଇ ?

 

ସୁଲିର କଣ୍ଠ ଶୁଣାଗଲା ।

 

ଚମକି ଫେରି ଚାହିଁଲା ଚନ୍ଦ୍ରକାନ୍ତ । ଆଖିରେ ତା’ର ଆଖିଏ ଲୁହ । ଆଖି ଆଗରେ ଠିଆ ହୋଇଛି ସୁଲି । ହାତରେ ତା’ର ଜଳଖିଆ ପ୍ଳେଟ୍‌ ଓ ପାଣି ଗ୍ଳାସ୍‌ ।

 

ଆଖିର ଲୁହକୁ ପୋଛି ଦେଉ ଦେଉ ଅବଶୋଷର ଗୋଟାଏ ଦୀର୍ଘଶ୍ୱାସ ତା’ର ପଞ୍ଜରା ଥରାଇ ବାହାରି ଆସିଲା ।

 

–ମଗୁଶିର ମାସ ଗୁରୁବାର ପରା ଦିନରେ ଏତେବେଳ ପର୍ଯ୍ୟନ୍ତ ବାସି ଶେଯରେ ପଡ଼ି ରହିଲେ ଲକ୍ଷ୍ମୀ ଘର ଛାଡ଼ି ଚାଲିଯିବେ । ଯାଅ, ବାଥ୍‌ରୁମ୍‌କୁ ଯାଅ । ଦାନ୍ତଘଷି ଆସ । ମୁଁ ଯାଉଛି ଚାହା ଗରମ କରି ଆଣେ; କହି ଜଳଖିଆ ପ୍ଳେଟ ଓ ପାଣି ଗ୍ଳାସ୍ ସେଠାରେ ରଖି ଫେରିଯିବାକୁ ସୁଲି ଉଦ୍ୟତ ହେଲା ।

 

–ସୁଲି....

 

–କ’ଣ କିଛି କହିବ ? ଫେରିପଡ଼ି ସୁଲି ପ୍ରଶ୍ନକଲା । ଆଖି ଦୁଇଟି ଲୁହରେ ଢଳ ଢଳ ହେଉଥିଲା ତା’ର ।

 

–ମୁନ୍ନା ଉଠିଲାଣି ? ଚନ୍ଦ୍ରକାନ୍ତର କଣ୍ଠ ଓଜନ ହୋଇ ଉଠିଥିଲା ।

 

–ନିଜକଥା ନିଜେ ବୁଝ । ଆକଟିଲା ପରି ସୁଲି ଏତକ କହି ଚାଲିଗଲା ।

 

ଚନ୍ଦ୍ରକାନ୍ତ ବାଥ୍‌ରୁମ୍‌କୁ ସ୍ଲିପର ଦୁଇଟା ଘୋଷାରି ଘୋଷାରି ଯାଉ ଯାଉ ଭାବିଲା–ଏତେଟା ଭାବପ୍ରବଣତା ତା ପକ୍ଷରେ କ’ଣ ଶୋଭାପାଏ ! ସୁଲି ନିଶ୍ଚୟ ତା’ର ଭୀରୁ ପୁରୁଷତ୍ୱ କଥା ଭାବି ମନେ ମନେ ହସି ଉଠିଥିବ ।

 

ସୁଲି ଆଖିରେ ଆଖିଏ ଲୁହ କାହିଁକି !!!

 

ଏଇ କାହିଁକିର ଉତ୍ତର ଚନ୍ଦ୍ରକାନ୍ତ ଖୋଜୁଥିଲା ।

 

ଧନଞ୍ଜୟ ଭଞ୍ଜ......

 

କଟକର ବିଶିଷ୍ଟ ଶିଳ୍ପପତି ନବକିଶୋର ସାମନ୍ତରାୟଙ୍କ ଜାମାତା । ସାମନ୍ତରାୟ ଆଣ୍ତ୍‌ କମ୍ପାନୀର ଜେନେରାଲ ମ୍ୟାନେଜର ।

 

ସୁଶ୍ରୀ–ଶିକ୍ଷିତ–ଭଦ୍ର ।

 

ବ୍ୟବସାୟ କଲେ କିପରି ମାପି ଚୂପି କଥା କହିବାକୁ ହୁଏ ଶିଖିଛି । ଇଚ୍ଛା ନଥିଲେ ବି ଆବଶ୍ୟକତା ଦୃଷ୍ଟିରୁ କିପରି କୃତ୍ରିମ ହସ ହସିବାକୁ ହୁଏ ଜାଣିଛି । କଥା ପଦେ ପଦେ ‘ଆଜ୍ଞା’ ‘ଆପଣ’ର ବହୁଳ ବ୍ୟବହାର ବି କରୁଛି । ନମ୍ର, ଶାନ୍ତ, ବିଜୟୀ କିମ୍ୱା ଭଦ୍ର ସବୁ ବିଶେଷଣର ଆବଶ୍ୟକତା ତାପକ୍ଷରେ ବ୍ୟବସାୟିକ ଦୃଷ୍ଟିରୁ । କୌଣସି ବ୍ୟକ୍ତି ସହିତ କଥା ହେଲାବେଳେ ଲାଭ କ୍ଷତିର ତୁଳନା କରି କଥା କହିବାକୁ ଆରମ୍ଭ କରେ । ଯେଉଁଠି ସ୍ୱାର୍ଥ ଥାଏ ଚାନ୍ଦାଭେଦା ଅକାତରରେ ଦିଏ । ଖବର କାଗଜରେ ନାମ ପ୍ରକାଶ ପାଏ । ଦାନୀ ବୋଲି ଖୁବ୍‌ ପ୍ରଚାର ହୁଏ । ଦୁଃସ୍ଥ, ରୁଗ୍‌ଣ, ବିକଳାଙ୍ଗ ବ୍ୟକ୍ତିକୁ ସେ ସାହାଯ୍ୟ ଦିଏ ନାହିଁ । ତା ଦାନ ବ୍ୟାପକ । ବ୍ୟକ୍ତିକୁ ନଦେଇ ଗୋଷ୍ଠୀକୁ ସାହାଯ୍ୟ କରେ । ସେ ଗୋଷ୍ଠୀ ପୁଣି ରାଜନୈତିକ ଗୋଷ୍ଠୀ । ବିଶେଷତଃ କ୍ଷମତାରେ ଯେଉଁ ରାଜନୈତିକ ଗୋଷ୍ଠୀ ଥିବ,ତାଙ୍କର ପାର୍ଟିର ପାଣ୍ଠିକୁ ଦାନ କରି ସେ ବହୁ ପରିମାଣରେ ନିଜର ପାଣ୍ଠିକୁ ସମୃଦ୍ଧ କରେ । ଲୁହାଛଡ଼, ସିମେଣ୍ଟର ହୋଲ୍‌ସେଲ୍‌ ଡିଲରସିପ୍‌ଠାରୁ ଆରମ୍ଭ କରି ଚାଉଳ କଳ ପାଇଁ ଧାନ ପରଚେଜିଂ ଏଜେନ୍‌ସି ପର୍ଯ୍ୟନ୍ତ ସମସ୍ତ ସୁବିଧା ସେ ସେମାନଙ୍କଠାରୁ ଆଦାୟ କରେ ।

 

ଧନଞ୍ଜୟ ବ୍ୟବସାୟୀ ହେବା ପୂର୍ବରୁ ଶ୍ୱଶୁର ନବକିଶୋର ସାମନ୍ତରାୟଙ୍କର ତାପ୍ରତି ନିର୍ଦ୍ଦେଶ ଥିଲା ବୁଝିଲ ବାବୁ । ମୁଣ୍ତରେ ତୁମର ବୁଦ୍ଧି ଅଛି ମୁଁ ମାନୁଛି । ଟଙ୍କାଟିକୁ ଆଉ ଗୋଟିଏ ଟଙ୍କା ସହିତ ମିଶାଇଲେ ଦୁଇଟଙ୍କା ହୁଏ, ଏହା ତୁମେ କାଗଜ କଲମରେ ଉତ୍ତର ଲେଖି ସମ୍ଭବ କରି ପାରିବ । ମୁହଁରେ ମାନସାଙ୍କ ପଚାରିଲେ କହିଦେବ । କିନ୍ତୁ ବାସ୍ତବ କ୍ଷେତ୍ରରେ ଟଙ୍କାଟିକୁ ଦୁଇଟଙ୍କା କରିବାକୁ ହେଲେ, ଏଇ ବୁଦ୍ଧିକୁ ପୋଥି ନିକଟରୁ ଟାଣି ଆଣିବାକୁ ହେବ । ପାଠ ପଢ଼ିଛ କିନ୍ତୁ ଶାଠ ଶିଖିନ । ଶାଠ ଶିଖି ନଥିଲେ ଯେଉଁ ଟଙ୍କାକୁ ସମ୍ୱଳ କରି ଦୁଇଟଙ୍କା କରିବାର ସ୍ୱପ୍ନ ଦେଖୁଥିବ ତାହା ମୂଳରୁ ଯିବ । ତେଣିକି ଶୂନ୍ୟ ହାତ । ଖାଲି ଭାବିବ କୁଆଡ଼େ ଗଲା ମୋ ଟଙ୍କା ? ମୋତେ ଠକିନେଲେ । ମୋତେ ଧପ୍‌ପେଇ ଦେଲେ ଏୟାତ ! ଶାଠଥିଲେ ଟଙ୍କାଟିଏ ଛାଡ଼ିଲେ ତା ସହିତ ଆଉ ଗୋଟିଏ ବାନ୍ଧି ଆଣି ପାରିବ । ପାଠ ଥିଲେ ସେ ଟଙ୍କା ସହିତ ଲାଭ ଟଙ୍କାଟାକୁ ମିଶାଇଲେ ଦୁଇଟଙ୍କା ହୁଏ ବୋଲି ଜାଣି ପାରିବ । ଥରେ ଲାଭକଥା ଜାଣିଲେ ତେଣିକି ଆଉ ଟଙ୍କା ତୁମ ହାତରୁ ନଖସେ । ଟଙ୍କା ରୋଜଗାର କରିପାରିବାଟା ସହଜ । କିନ୍ତୁ ସେଇ ଚଞ୍ଚଳାଙ୍କୁ ସବୁଦିନ ପାଇଁ ଅଚଞ୍ଚଳ କରି ସିନ୍ଧୁକ, କିମ୍ୱା ବ୍ୟାଙ୍କ୍‌ରେ ରଖି ପାରିବାଟାହିଁ ବାହାଦୁରୀ । ତାକୁ କହନ୍ତି ପ୍ରକୃତ ବ୍ୟବସାୟୀ ଯେ ଆସିଲା ଧନକୁ ପୁଣି ଯିବାପାଇଁ ଦିଏନାହିଁ ।

 

ନବବାବୁ ଗପି ଚାଲନ୍ତି, କିପରି ଦଣ୍ତି ତରାଜୁ ଧରି ତେଲ, ଲୁଣ, ଚାଉଳ ବିକ୍ରି କରୁ କରୁ ସେ ଏପରି ଚାଉଳ କଳର ମାଲିକ ହେଲେ । ଅତୀତର ଇତିହାସ ଚଣ୍ତୀମାତା ଚାଉଳ କଳର ଇତିବୃତ୍ତି । ନବକିଶୋର ସାମନ୍ତରାୟଙ୍କ ଅଙ୍ଗନିଭା ଅନୁଭୂତି । ଗୁରୁକୂଳର ଶିଷ୍ୟ ପରି ଧନଞ୍ଜୟ ଭଞ୍ଜ, ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ୍‌ ସେକଥା ଶୁଣୁଥିଲେ । ଖାଲି ଶୁଣୁ ନଥିଲେ, ମନେ ମନେ ପ୍ରତିଟି କଥାର ଓଜନକୁ ତଉଲୁଥିଲେ । ବଡ଼ଲୋକ ହେବାର କଠିନ ବୀଜଗଣିତର ସୂତ୍ର ବୁଝୁଥିଲେ ।

 

ଧନଞ୍ଜୟ ଭଞ୍ଜ ଏ ଘରକୁ ଜ୍ଜାଇଁ ହୋଇ ଆସିଥିଲେ । ବାଟବରଣ ପର୍ଯ୍ୟନ୍ତ ଜ୍ଜାଇଁ ଥିଲେ-। ହାତଗଣ୍ଠି ପରେ ବଦଳି ଗଲେ । ନବବାବୁଙ୍କ ଏକମାତ୍ର ଅଲୀଅଳୀ କନ୍ୟା ନମିତାର ପରଶରେ ଲୁହା ସୁନା ପାଲଟିଲା କି ସୁନା ଲୁହା ପାଲଟିଲା ଯଦିଓ କହି ହେବନି ତେବେ ଏତିକି ହେଲା ଜ୍ଜାଇଁ ହୋଇ ଆସୁ ଆସୁ ଏ ଘରେ ସବୁଦିନ ପାଇଁ ରହିଗଲେ ।

 

ନବାବୁଙ୍କ ଭାଷାରେ ସେ ଝିଅ ପୁଅ ପାଇଛନ୍ତି ।

 

ଧନଞ୍ଜୟବାବୁଙ୍କ ବାପା ପୁଅ ବାହାଦେଇ ପୁଅଟିକୁ ହରାଇ ବସିଲେ । ଆଖି ଦୁଇଟି ଗଲା କଉଡ଼ି ଗଣ୍ତିକ ବି ଗଲା । ବୋହୂତ ଘରକୁ ଆସିଲା ନାହିଁ ପ୍ରଚୁର ଯାନି ଯୌତୁକ କେତେଦିନ ପାଇଁ ଏଘରକୁ ଆସିଥିଲା ପୁଣି ଫେରିଯାଇ ଆସିବା ସ୍ଥାନରେ ରହିଲା । କେବଳ କେତେ ଗ୍ୟାଲନ୍‌ ପେଟ୍ରୋଲ ପୋଡ଼ିବା ସାର ହେଲା । ତା ସଙ୍ଗରେ ‘‘କୋଇଲିଲୋ କେଶବ ଯେ ମଥୁରାକୁ ଗଲା କାହାବୋଲେ ଗଲା ପୁତ୍ର ବାହୁଡ଼ି ନ ଅଇଲା’’

 

ଗାଁରେ ବୃଦ୍ଧ ନନ୍ଦ, ବୃଦ୍ଧା ଯଶୋଦା କେବଳ ବସି କୋଇଲିକୁ ଚାହିଁ ବିଳାପ କଲେ । ହାତୀ ବନସ୍ତରେ ଥିଲେ ରାଜାଙ୍କର ଏଇ ବାଣୀକୁ ଆତ୍ମ ସନ୍ତୋଷପାଇଁ ସମ୍ୱଳ କଲେ ।

 

ସେ ଧପଞ୍ଜୟ ଭଞ୍ଜଙ୍କର କାହାଣୀ ମୁଁ ଲେଖୁଛି–

 

ଧନଞ୍ଜୟ ମଧ୍ୟବିତ୍ତ ପରିବାରର ଦାୟାଦ । ଘରେ ସୁଖେ ଦୁଃଖେ ଗଣ୍ତେ ଖାଇ ଦାଣ୍ତକୁ ଖଣ୍ତେ ଧୋବଲୁଗା ପିନ୍ଧି ବାହାରିବା ତା’ର ଅବସ୍ଥାର ପରିଚୟ । ପିତାମାତାଙ୍କର ଏକମାତ୍ର ନୟନ ପିତୁଳୀ ହିସାବରେ ବହୁ ଆଶା ଓ ଆକାଂକ୍ଷାର ପାତ୍ର ହୋଇ ସେ ଉଚ୍ଚଶିକ୍ଷା ପାଇଁ ଗାଁ ଛାଡ଼ି କଟକ ସହରରେ ପାଦ ଦେଇଥିଲା । ଗରୀବ ଘରର ପିଲା ଭଲ ପଢ଼ନ୍ତି–ଯଦି ଏ ପ୍ରବଚନ ସତ୍ୟ ତେବେ ଧନଞ୍ଜୟ ଭଲ ପଢ଼ୁଥିଲା । କେବଳ ଭଲ ପଢ଼ୁ ନଥିଲା, ଭଲ ଖେଳୁଥିଲା, ଭଲ ଅଭିନୟ ବି କରୁଥିଲା । କଲେଜର ପ୍ରତ୍ୟେକ ବର୍ଷ ନାଟକରେ ସେ ନାୟକ ହେଉଥିଲା । ନିଖୁଣ ଅଭିନୟ ତାକୁ କଲେଜର ଛାତ୍ର ମହଲରେ ବେଶ୍‌ ସୁପରିଚିତ କରାଇ ଦେଇଥିଲା । ମିଷ୍ଟଭାଷୀ, ସଦାଳାପୀ, ମେଳାପୀ ଧନଞ୍ଜୟ ସେଥିପାଇଁ ବହୁତଗୁଡ଼ିଏ ସାଥୀ ସୃଷ୍ଟି କରିଥିଲା । ପ୍ରକୃତ, ଅପ୍ରକୃତ ବନ୍ଧୁ ବାଛିବାର ବୁଦ୍ଧି ସେତେବେଳେ ତା’ର ନଥିଲା । ଘରୁ ବାପା ଟଙ୍କା ପଠାନ୍ତି । କୁଆଡ଼ୁ ଟଙ୍କା ଆସେ ଜଣାପଡ଼େ ନାହିଁ । ଘରେ ବାପା, ବୋଉଙ୍କ ଆଖିରେ ସେଇ ପୁଅ, ସେଇ ଝିଅ । ପିଲାଦିନୁ ଅଲିଅଳ ହୋଇ ବଢ଼ି ଆସିଥିଲା । ଯାହା ଯେତେବେଳେ ଖୋଜିଛି, ଜିଦ୍‌ ଧରିଛି ତା ସଙ୍ଗେ ସଙ୍ଗେ ପାଇଛି । ତେଣୁ କଲେଜ ଜୀବନରେ ସାଙ୍ଗ ମେଳରେ ସିଗାରେଟ୍‌ରୁ ଧୂଆଁ ଛାଡ଼ିଲା ବେଳେ ଏ ପଇସା ଆଣିବାକୁ ବାପାଙ୍କୁ କେତେ କଷ୍ଟ କରିବାକୁ ହେଉଥିବ ବୁଝିପାରୁ ନଥିଲା ।

 

ତା ଦେହ ଉପରେ ସେତେବେଳକୁ ଅଠଟି ଫଗୁଣ, ମଳୟର ସୁରଭି ବିଞ୍ଚିଦେଇ ଚାଲି ଯାଇଥାନ୍ତି । ଶରୀରର ପ୍ରତିଟି ଶିରା ଉପଶିରାରେ ଶିହରଣ ପହଁରି ପହଁରି ଖେଳୁଥାଏ । ମନର ଉପବନରେ କୋକିଳର କୂଜନ ତାକୁ ଆତ୍ମ-ବିସ୍ମୃତ କରୁଥାଏ । ସେ ପ୍ରଲୁବ୍‌ଧ ! ସେ ବିଭୋର ! ଦୁନିଆର ସବୁକିଛି ସୌନ୍ଦର୍ଯ୍ୟକୁ ସେ ଏକ ନିଃଶ୍ୱାସରେ ଶୋଷି ନେବାପାଇଁ ହୋଇ ଉଠୁଥାଏ ଚଳ ଚଞ୍ଚଳ ।

 

ମନ ଚାହୁଁଥାଏ ସାଥୀଟିଏ.......

 

ତା ଜୀବନର ସାଥୀ !

 

ତା ହୃଦୟର ସାଥୀ !

 

ତା ପ୍ରାଣର ସାଥୀ !

 

ତାରି ପାଖରେ ବସି ହସି ଖେଳି ମିଥୁନ ଜୀବନର ଜୟଗାନ କରିବ ସେ ।

 

ରେଭେନ୍‌ସା କଲେଜର ବାର୍ଷିକୀଡ୍ରାମା ସେ ତ ଡ୍ରାମା ନୁହେଁ–ଏକପ୍ରକାର ଉତ୍ସବ କହିଲେ ଚଳେ । ସେଇ ଡ୍ରାମାରେ ଯାହା ଖର୍ଚ୍ଚ ହୁଏ ସେତିକି ଖର୍ଚ୍ଚ କଲେ ଗୋଟିଏ ପୁଅ କି ଝିଅର ବିବାହ ଅନୁଷ୍ଠାନ ବି ଖୁବ୍‌ ଜାକ୍‌ଜମକରେ ହୋଇଯାଇ ପାରିବ । ସେ ବର୍ଷ ଧନଞ୍ଜୟ ତୃତୀୟ ବାର୍ଷିକୀ କଳାର ଛାତ୍ର ଥାଏ । ପୌରାଣିକ ନାଟକ ‘ଶକୁନ୍ତଳା’ରେ ନାୟକ ଦୁଷ୍ମନ୍ତ ଭୂମିକାରେ ଅଭିନୟ କରିବା ପାଇଁ ତାକୁ ସୁଯୋଗ ମିଳିଲା । ନାୟିକା ଶକ୍ତନ୍ତଳା ଭୁମିକାରେ ତା ସହିତ ଅଭିନୟ କରୁଥାନ୍ତି–ବହୁ ନାଟକରେ ଅଭିନୟ କରିଥିବା, ନିଜ ଅଭିନୟ କଳାରେ ବିଖ୍ୟାତ, ବହୁଜନ ପ୍ରଶଂସିତ, ତା ଶ୍ରେଣୀର ଛାତ୍ରୀ ମାଳବିକା କାନୁନ୍‌ଗୋ....

 

ଧନଞ୍ଜୟ ଭାବୁଥିଲା–ତାର ଅଭିନୟ ଯଦି ଏଥର ବାସ୍ତବ ଓ ହୃଦୟସ୍ପର୍ଶୀ ନହେବ ତେବେ ସେ ବନ୍ଧୁମହଲରେ ଉପହାସର ପାତ୍ର ହେବ । ସମସ୍ତେ କହିବେ, ମାଳବିକାଦେବୀଙ୍କ ସହିତ ଅଭିନୟ କରିବାକୁ କେଉଁ ସାହସରେ ଏପରି ଏକ ଅର୍ବାଚୀନ ଯୁବକ ପେଣ୍ତାଲ ଉପରକୁ ପାଦ ବଢ଼ାଇ ଥିଲା ! ଏତେ ପୁରୁଣା ଅଭିନେତା ଥାଉ ଥାଉ ଏପରି ଏକ ନୂତନ ଯୁବକକୁ କାହିଁକି ନିର୍ବାଚନ କରାଗଲା ?

 

ମନପ୍ରାଣ ଦେଇ ଧନଞ୍ଜୟ ପାର୍ଟ ମୁଖସ୍ଥ କରିଥିଲା । ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ମାନିଥିଲା । ଭାବ, ଭଙ୍ଗୀ ଓ କହିବାର କଥାରେ ବାସ୍ତବତା ଆଣିବାକୁ ଚେଷ୍ଟା କରିଥିଲା ସେ ।

 

ସେଇ ମହା ପରୀକ୍ଷାର ସମୟ ଆସିଲା । କଲେଜର ଡ୍ରାମା ଦିନ ସନ୍ଧ୍ୟା ଯେତିକି ପାଖେଇ ଆସୁଥିଲା, ଧନଞ୍ଜୟ ଛାତିର ସ୍ପନ୍ଦନ ସେତିକି ବେଗ ଧରୁଥିଲା । ସତେକି ତା ସୁନାମରେ ଅପବାଦର କାଳିମାନେଇ ଏ ଅଫିମ କଳା ରାତ୍ରି ଆଗେଇ ଆସୁଛି !

 

ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ଆସିଯାଇଛି.....

 

ଦର୍ଶକ ମଣ୍ତଳୀରେ ପ୍ରେକ୍ଷାଗୃହ ଭରି ଉଠିଲା । ଆର୍କେଷ୍ଟ୍ରା ବାଜିଉଠିଲା । ଗ୍ରୀନରୁମ୍‌ରେ ସାଜ ପୋଷାକ ସରିଗଲା । ଘଣ୍ଟି ପରେ ଘଣ୍ଟି, ତିନୋଟି ଘଣ୍ଟି ବାଜିଲା । ମଞ୍ଚ ଆଗରୁ ପରଦା ଅପସରି ଗଲା । ନାଟକର ପ୍ରାରମ୍ଭରେ ଉର୍ବଶୀ କାମ ବିମୋହନ ନୃତ୍ୟ ପରିବେଷଣ କଲେ ମିସ୍‌ ମାଳବିକା । ଉଇଙ୍ଗ୍‌ସ ଭିତରୁ ଧନଞ୍ଜୟ, ଏଇ ଅପରୂପ ସୌନ୍ଦର୍ଯ୍ୟମୟୀ ମାଳବିକାଦେବୀଙ୍କର ଅଭିନବ ନୃତ୍ୟ ଦେଖୁଥିଲା । ନୃତ୍ୟର ତାଳେ ତାଳେ ମାଳବିକା ଦେବୀଙ୍କ ପାଦର ନୂପୁର ନିକ୍ୱଣତା ହୃଦୟରେ ସ୍ପନ୍ଦନ ଆଣୁଥିଲା ।

 

ଧନଞ୍ଜୟ ଅଭିଭୂତ ହୋଇ ଉଠିଲା......

 

ନାରୀ ଥରକ ପାଇଁ ପୁରୁଷ ଆଖିରେ ଲୋଭନୀୟା, ଶୋଭନୀୟା ଆଉ ଆକର୍ଷଣୀୟା ହୋଇ ଉଠିଲେ, ପୁରୁଷ ମନରେ ତା’ର ପ୍ରତିଛବି ବହୁତ ଦିନ ପର୍ଯ୍ୟନ୍ତ ଆଙ୍କି ହୋଇ ରହିଯାଏ । ବହୁଦିନ ଧରି ପୁରୁଷ ସେହି ନାରୀର ସ୍ପର୍ଶ ପାଇଁ ଆକୁଳ ନୟନରେ, ବ୍ୟାକୁଳ, ମନରେ ଅପେକ୍ଷା କରି ବସି ରହେ ।

 

ମଞ୍ଚଉପରେ ଦୁଷ୍ମନ୍ତ ରାଜାଙ୍କର କଣ୍ୱମୁନି ଆଶ୍ରମରେ ପ୍ରତିପାଳିତା ନହୁଲୀ ବୟସୀ, ତନୁ ପାତେଳୀ, ଶକୁନ୍ତଳାଙ୍କ ସହିତ ପ୍ରଥମ ଦୃଷ୍ଟି ବିନିମୟ ହୁଏ । ପ୍ରଥମ ଚାକ୍ଷୁସରେ ଦୁଷ୍ମନ୍ତଙ୍କ ମନରେ ରୋମାଞ୍ଚ ଜାତ ହୁଏ । ଶକୁନ୍ତଳାଙ୍କ ଦୃଷ୍ଟି ପରାସ୍ତ ମାନି ସରମରେ ତଳକୁ ଆପେ ଆପେ ନଇଁଆସେ-। ଆବେଗରେ ଥରି ଥରି ଉଠେ ଅଧର ପଲ୍ଲବ । ମନର ସମର୍ଥନ ଜଣାଇ ଶକୁନ୍ତଳା ଫିକ୍‌କରି ହସିଦିଅନ୍ତି ।

 

ସାର୍ଥକ ଅଭିନୟପାଇଁ ଛାତ୍ର, ଅଧ୍ୟାପକ ଓ ବିଶିଷ୍ଟ ନିମନ୍ତ୍ରିତ ଅତିଥିମାନଙ୍କ କରତାଳିରେ କଲେଜହଲ୍‌ଟା ପ୍ରକମ୍ପିତ ହୋଇ ଉଠିଥିଲା ।

 

ଧନଞ୍ଜୟ ଭାବୁଥିଲା ଏ ଅଭିନୟ ଅଭିନୟ ନୁହେଁ । ଏ ହେଉଛି ବାସ୍ତବ, ପ୍ରକୃତ, ଆଉ ସତ୍ୟ । ମନରେ ତା’ର ଶିହରଣ ଜାଗି ଉଠିଥିଲା । ଯେତେବେଳେ ମାଳବିକା ଦେବୀ ତା ଛାତିରେ ମଥା ଥାପି ମିଳନ ମୁହୂର୍ତ୍ତର ଶେଷ ପରିଣତି ପ୍ରଦର୍ଶନ କରାଉଥିଲେ, ସେତେବେଳେ ଧନଞ୍ଜୟ ଦେହରେ ଶତ କଦମ୍ୱର ରୋମାଞ୍ଚ ଦେଖାଯାଇଥିଲା ।

 

ମାଳବିକାଦେବୀ କିନ୍ତୁ ଅଭିନୟକୁ ଅଭିନୟ ଭଳି ଭାବୁଥିଲେ । ସାଜଘରେ ପୋଷାକ ବଦଳାଇ ସାରିବା ପରେ ସେ ଜାଣିଥିଲେ ଯେ ସେ ବର୍ତ୍ତମାନ କଣ୍ୱମୁନିଙ୍କର ପାଳିତା କନ୍ୟାର ଖୋଳପା ଥୋଇ ଦେଇଛନ୍ତି । ସେ ଖୋଳପା ଛାଡ଼ିଲା ପରେ ତା ଭିତରୁ ଯେଉଁ ଝିଅଟି ଆତ୍ମପ୍ରକାଶ କରୁଛି, ସେ ହେଉଛି ସୁବୋଧ କାନୁନ୍‌ଗୋଙ୍କ ନୟନ ପିତୁଳୀ, ଅଭିନୟ ଯାହାର ଗୋଟାଏ ହବି ବା ସଉକ୍‌ ।

 

କଲେଜର ଚଳଚଞ୍ଚଳ ଜୀବନରେ ବହୁ ବନ୍ଧୁ ମିଳନ୍ତି, –ନା ସେମାନଙ୍କର ଭାବନାର ଗାମ୍ଭୀର୍ଯ୍ୟ ଥାଏ ବା କାହା ସହିତ ଅତୀବ ଆତ୍ମୀୟତା ଥାଏ ! ବହୁ ବନ୍ଧୁ ପରିବେଷ୍ଟିତ ଧନଞ୍ଜୟ ସମସ୍ତଙ୍କୁ ଆପଣାର କରୁଥିଲା, ହେଲେ ତାକୁ କିନ୍ତୁ କେହି ଆପଣାର କରି ପାରୁ ନଥିଲେ । ପରେ ଅବଶ୍ୟ ସେ ଏହାର କାରଣ ଜାଣିପାରିଲା କିନ୍ତୁ ସେତେବେଳକୁ ବହୁତ ବିଳମ୍ୱ ହୋଇ ଯାଇଥିଲା ।

 

ଧନଞ୍ଜୟର ସୁବ୍ରତ ସହପାଠୀ । ଉଭୟଙ୍କର ମାମୁଲି କଥାବାର୍ତ୍ତା ଥିଲା । ମିଳାମିଶା ବି ସେହିପରି । କିନ୍ତୁ ଘନିଷ୍ଠତା ନଥିଲା । ସୁବ୍ରତର ଆଦର୍ଶକୁ ଧନଞ୍ଜୟ ଶସ୍ତା କହେ । ତା’ର ମତରେ ସିଗାରେଟ ବିଶେଷ ପିଇଲେ ଫୁସ୍‌ଫୁସ୍‌ରେ ଯକ୍ଷ୍ମା ଜୀବାଣୁ ପ୍ରବେଶ କରିବାକୁ ଯଦି ସତ୍ୟ ବୋଲି ଧରାଯିବ, ତେବେ ଯେଉଁମାନେ ବିଶେଷ ସିଗାରେଟ୍‌ ପିଅନ୍ତି ସେମାନେ ସମସ୍ତେ ଯକ୍ଷ୍ମାରେଗୀ ନୁହଁନ୍ତି ଏହାବି ମିଛ ନୁହେଁ ! ସେପରି ଯୁକ୍ତିବାଢ଼ି ସେ ସୁବ୍ରତର ନୀତ, ଆଦର୍ଶକୁ ସମାଲୋଚନା କରୁଥିଲା । ଅବଶ୍ୟ ସୁବ୍ରତ ସହିତ ତା’ର କେବେ ମନାନ୍ତର ନଥିଲା ଥିଲା ମତାନ୍ତର । ସେଥିପାଇଁ କଲେଜର ପ୍ରତି ଡିବେଟିଙ୍ଗ୍‍ରେ ସୁବ୍ରତର ବତ୍କୃତା ପରେ ଧନଞ୍ଜୟ ଭାଷଣ ଦେବାକୁ ଠିଆ ହେଉଥିଲା । ସୁବ୍ରତ ପରି ସ୍ପଷ୍ଟ ବକ୍ତା ନହେଲେ ମଧ୍ୟ ବିତଣ୍ତା ଯୁକ୍ତି କରୁଥିଲା ବୋଲି ଧନଞ୍ଜୟ ତା’ର ବନ୍ଧୁ ମହଲରେ ପ୍ରିୟ ଥିଲା ।

 

କୌଣସି ଆବଶ୍ୟକତା ନଥିଲେ ମଧ୍ୟ ମଣିଷର ଚଲାବାଟରେ ଶତ୍ରୁ ସୃଷ୍ଟି ହୁଅନ୍ତି । କେତେକ ଲୋକ ଥାଆନ୍ତି କଳିକଜିଆ ସୃଷ୍ଟି ନକଲେ ତାଙ୍କୁ ଭଲ ଲାଗେନାହିଁ । କେତେକ ଥାନ୍ତି ନିଜର ଇନ୍‌ଫିରିଅରଟିକୁ କମ୍ପ୍ଲେସ୍‌ଟାକୁ ସହ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି । ନିଜର ବଡ଼ିମା ଦେଖାଇବା ଲାଗି ସେମାନେ ପ୍ରତିଦ୍ୱନ୍ଦୀ ସୃଷ୍ଟି କରନ୍ତି । ସେପରି କିଛି କାର୍ଯ୍ୟ, କାରଣ, ଆଉ ଲକ୍ଷ୍ୟ ନଥାଇ ବି ସୁବ୍ରତ ସଙ୍ଗେ ଦିନେ ଧନଞ୍ଜୟର ଶତୃତାର ହାତବୋମା ଫୁଟି ଉଠିଲା ।

 

ଚକିତ ହୋଇ ଉଠିଲା ସୁବ୍ରତ ।

 

ଫେରି ଚାହିଁଲା ଧନଞ୍ଜୟ ମୁହଁକୁ ।

 

ସୁବ୍ରତକୁ ଆହତକରି ପାରିଛି ଭାବି ଗୌରବରେ ହସି ଉଠିଲା ଧନଞ୍ଜୟ ।

 

ଘୃଣାରେ ମୁହଁ ଫେରାଇଲା ସୁବ୍ରତ । ମନେ ମନେ ଭାବିଲା ଧନଞ୍ଜୟ ମଣିଷ–ଦେବତା ନୁହେଁ । ତେଣୁ ଭୁଲ କରିବା ତା’ର ଜନ୍ମଗତ ଅଧିକାର । ସେ ବଳେ ତା ଭୁଲ ବୁଝି ପାରିବ ଯେ ! ଇଂରାଜୀ ପ୍ରବଚନରୁ ଧାଡ଼ିଏ ମନେ ପଡ଼ିଲା, ଯାହାର ଅର୍ଥ–ମନୁଷ୍ୟକୁ ପ୍ରେମ କରିବାକୁ ଭୁଲିବ ନାହିଁ କିମ୍ୱା ଘୃଣା କରିବାକୁ ସ୍ମୃତିରେ ଆଣିବ ନାହିଁ ।

 

ଅସୀମ ଧୈର୍ଯ୍ୟ ସୁବ୍ରତର ଥିଲା । ସେ ତା’ର ଚଲା ବାଟରେ ଚାଲିଗଲା ।

 

ବେଳେବେଳେ ଏହିପରି ଘଟଣା ଘଟେ, ଯାହାର ପରିଣତି କି ଦୁର୍ଘଟଣା ସୃଷ୍ଟି କରେ ।

 

ବହୁ ଚେଷ୍ଟାକରି ଧନଞ୍ଜୟ ମାଳବିକା ଦେବୀଙ୍କର ପ୍ରେମ କିମ୍ୱା ପ୍ରଣୟ କିଛିଟା ପାଇ ପାରିଲା ନାହିଁ । ମାଳବିକା ଦେବୀ ନାରୀ ସେ ସଙ୍ଗ ଦୋଷରୁ କେବେ କିମିତି କକ୍ଷଚ୍ୟୁତା ହୋଇ ଥିଲେ ହୋଇଥାଇପାରନ୍ତି କିନ୍ତୁ ଲକ୍ଷ୍ୟଚ୍ୟୁତା ହୋଇ ନାହାନ୍ତି । ତାଙ୍କର ସାବଲୀଳ ଗତିରେ ସୁବ୍ରତର ଆଦର୍ଶ ଶିଥିଳତା ଆଣି ଦେଇଥାଏ ।

 

ଆଜନ୍ମ ବ୍ରହ୍ମଚାରୀର ଘରସଂସାର କରିବାରେ ଯେତିକି ବିସ୍ମିତ ହେବାକୁ ପଡ଼ନ୍ତା ତାଠାରୁ ବେଶୀ ବିସ୍ମିତ ହେଲେ ଛାତ୍ରସମାଜ, ଯେତେବେଳେ ଶୁଣିବାକୁ ପାଇଲେ ସୁବ୍ରତ ମାଳବିକା ଦେବୀଙ୍କୁ ପ୍ରେମ କରୁଛି । ବିଂଶୋତ୍ତର ବୟସ ପରେ କୌଣସି ଯୁବକ ଯଦି କୌଣସି ଯୁବତୀ ସହିତ ଅବାଧରେ ମିଳାମିଶା କରେ, ହସଖୁସି ହୁଏ ତେବେ ସମସ୍ତେ କହନ୍ତି ଯୁବକଟି ଯୁବତୀକୁ ଭଲ ପାଉଛି । ଯୁବକର ସମବୟସ୍କ ସାଥୀମାନେ କହନ୍ତି ପ୍ରେମ କରୁଛି ।

 

କଲେଜର ଛାତ୍ର ଜୀବନରେ ସୁବ୍ରତ ନିଜକୁ ନାରୀଠାରୁ ବହୁତ ଦୂରରେ ରଖୁଥିଲା । ଏପରିକି ସାଙ୍ଗ ସାଥୀ ମେଳରେ ନାରୀ ସମ୍ପର୍କୀୟ କୌଣସି ପ୍ରକାର ପ୍ରେମ ଗଳ୍ପରେ ନିଜରୁ ମିଶାଇ ପାରୁ ନଥିଲା । ସେଥିପାଇଁ କେତେକ ତାକୁ କହୁଥିଲେ ପଥର । ତା’ର ହୃଦୟ ନାହିଁ । ହୃଦୟ ଥିଲେ ଥିବ କିନ୍ତୁ ସେଥିରେ ଅନୁଭବ କରିବାର ଶକ୍ତି ନଥିବ ।

 

ନିଜକୁ ମାଳବିକାଦେବୀଙ୍କର ପ୍ରେମିକ ରୂପେ ସଜାଇ ନିଜ ବିଷୟରେ ବହୁତ ଗୌରବର କାହାଣୀ ବନ୍ଧୁମାନଙ୍କ ଆଗରେ ଧନଞ୍ଜୟ ବଖାଣିଛି । ମନରୁ ବହୁ କଳ୍ପିତ କାହାଣୀର ରଙ୍ଗିନ କଥା କହି ନିଜ ପୌରୁଷର ଅହଂକାର ବାଢ଼ିଛି । ଶସ୍ତା ଉପନ୍ୟାସର ପ୍ରେମ କାହାଣୀ ପଢ଼ିଲାପରି ତା’ର ବନ୍ଧୁମାନଙ୍କୁ କିଛି ସମୟପାଇଁ ଧନଞ୍ଜୟର ପ୍ରେମକାହାଣୀ ବେଶ୍‌ ଖୋରାକ୍‌ ଯୋଗାଇଥିଲା । ସାଉଥ୍‌ ଇଣ୍ତିଆନ୍‌ ହୋଟେଲରେ ଧନଞ୍ଜୟଠାରୁ କଫି, ଦୋଷା, ଇଡ଼ଲିକୁ ଉଦରସ୍ଥ କରି ଧନଞ୍ଜୟର ନୂତନ ପ୍ରେମିକ ଜୀବନର କାହାଣୀ ଶୁଣୁଥିଲେ ସେମାନେ । ସେ ସମସ୍ତଙ୍କ ମନରେ ପ୍ରତ୍ୟୟ ଆଣିବାକୁ ଚେଷ୍ଟା କରୁଥିଲା ଯେ କଲେଜ କୁଇନ୍‌ ମାଳବିକାଦେବୀ ଯଦି କାହାକୁ ଭଲ ପାଇ ପାରିଥାନ୍ତି ତେବେ ସେ ଜଣକ ହେଉଛି ଧନଞ୍ଜୟ ଭଞ୍ଜ ।

 

ଦିନରେ ଶୋଇରହି ଗୁଡ଼ାଏ ମନ ମତାଣିଆ ସ୍ୱପ୍ନ ଦେଖୁଥିଲାବେଳେ ହଠାତ୍‌ ନିଦ ଭାଙ୍ଗିଗଲେ ମଣିଷ ଚମକି ଉଠେ । ତାକୁ ଜଣାପଡ଼େ ସ୍ପଷ୍ଟ ଦିବାଲୋକରେ ସେ ଦେଖୁଥିବା ସ୍ୱପ୍ନଗୁଡ଼ାକ ନିହାତି ଅବାସ୍ତବ ଆଉ ଅପ୍ରାସଙ୍ଗିକ । ସ୍ୱପ୍ନରେ ମଜ୍ଜିରହି ସେ ଯେଉଁ ଅଳକାପୁରୀର ପରୀ ସହିତ ପ୍ରେମ ଗଳ୍ପ କରୁଥିଲା, ସେ ଏ ମାଟିକାନ୍ଥ ଘେରା ଚାଳଘର ତଳେ ସମ୍ଭବ ନୁହେଁ । ମରାଳୀ ମନ୍ଥର ଛନ୍ଦପାତରେ ଶତ କଦମ୍ୱର ରୋମାଞ୍ଚ ଭରି ମର୍ତ୍ତ୍ୟ ପୁରୀର ଏଇ ଅଲିଅଳି ରାଜଜେମା ଆସି ସନ୍ତସନ୍ତିଆ ଭୂଇଁରେ, ସନ୍ତସନ୍ତିଆ ମଶିଣା ଉପରେ ବସିବ ନାହିଁ କିମ୍ୱା ଏ ଘରେ ବିନା ପରିଶ୍ରମରେ ଘିଅରେ ପାଟି ସଫାକରି, ଦୁଧରେ ହାତ ଧୋଇବ ନାହିଁ ।

 

ଧନଞ୍ଜୟର ଏପରି ଭ୍ରାନ୍ତିକର ସ୍ୱପ୍ନ ତୁଟି ଯାଇଥିଲା ସେଦିନ–ଯେଉଁଦିନ ସୁବ୍ରତ ଓ ମାଳବିକାଦେବୀଙ୍କୁ ଏକ ସଙ୍ଗରେ ରେକ୍‌ସାରେ ରାଣୀହାଟ ପୋଲ ନିକଟରୁ ଫେରୁଥିବାର ଦେଖିଥିଲା ସେ ।

 

ସଂସାରରେ ଏପରି ଗୁଡ଼ିଏ ଜୀବ ଅଛନ୍ତି, ସେମାନଙ୍କପାଇଁ ମନରେ ବେଳେବେଳେ ଦୟା ଆସେ । ଦରଦରେ ହୃଦୟ ନଇଁ ପଡ଼େ । ଆହା କରିବାକୁ ଇଚ୍ଛାହୁଏ । ଆଉ ଆଗେଇ ଚାଲିବାପାଇଁ କହିବାକୁ ତୁଣ୍ତ ଆପେ ଆପେ ଫିଟି ପଡ଼େ ।

 

ସେଦିନ ଧନଞ୍ଜୟର ଅବସ୍ଥା ଦେଖି ତା’ର ବନ୍ଧୁମାନଙ୍କର ମନରେ ଦରଦ ଆସିଥିଲା । ସେମାନେ ତାକୁ ପ୍ରେରଣା ଦେବା ପାଇଁ କହିଥିଲେ ଉଠ, ଜାଗ, ପାଇବା ପାଇଁ ଚେଷ୍ଟାକର । ଏତିକିରେ ହତାଶର ଶ୍ୱାସ ଛୁଟାଅନା । ପ୍ରେମ ଯୁଦ୍ଧରେ ଏତେ ଶୀଘ୍ର ବିଜୟ ଆସିପାରେନା ତେଣୁ ଦିଲ୍‌ଦାର ହୁଅ । ଆଗେଇ ଚାଲ ।

 

ପ୍ରେମିକ ସଦାବେଳେ ସ୍ୱାର୍ଥପର । ସେ ଚାହେଁ ତା’ର ପ୍ରିୟାର ପ୍ରଣୟ କେବଳ ତାରି ପାଇଁ ଉଦ୍ଦିଷ୍ଟ ରହୁ । ପ୍ରିୟା ତା ପ୍ରତି ଏକନ୍ତ ହୋଇ ରହୁ । ସେଥିରେ ବ୍ୟତିକ୍ରମ ଦେଖିବାକୁ ପାଇଲେ ପ୍ରେମିକ ହିଂସ୍ର କ୍ରୋଧରେ ଅନ୍ଧ ହୋଇଉଠେ । ଆଜିକାଲି ପୃଥିବୀରେ ଯେତେ ହତ୍ୟା ଅପରାଧ ଘଟୁଛି ତହିଁରୁ ଅଧିକାଂଶ କେବଳ ଏଇ ପ୍ରେମଜନିତ ବ୍ୟାପାରରୁ ହିଁ ଘଟୁଛି ।

 

ସୁବ୍ରତ ସହିତ ମାଳବିକାଦେବୀଙ୍କୁ ଦେଖି ଧନଞ୍ଜୟ ସେଦିନ ଈର୍ଷାରେ ଜଳି ପୋଡ଼ି ଯାଇଥିଲା । ବହୁତ ଦିନ ଧରି ସେ ମାଳବିକା ଦେବୀଙ୍କ ପଛରେ ଧାଇଁଥିଲା । ତାଙ୍କ ଅନ୍ଧ ସ୍ତାବକରୂପେ ତାଙ୍କ ରୂପର ବହୁ ବର୍ଣ୍ଣନା ସେ କରିଥିଲା । କିନ୍ତୁ ମାଳବିକାଦେବୀ ତା’ର ଅନ୍ତର ବୁଝିଲେନି; ତା ପ୍ରାଣର ଉତ୍ତାପ ସେ କେବେ ଦେଖିବାକୁ ଚେଷ୍ଟା କଲେନି । ଯଦି ଏତିକି ସେ କରିଥାନ୍ତେ ତେବେ ସେ ନିଜକୁ କୃତାର୍ଥ ମଣିଥାନ୍ତା । ତା’ର ଭଲ ପାଇବାର କିଞ୍ଚିତ ପ୍ରତିଦାନ ସେ ଦେଇ ପାରିଛନ୍ତି ବୋଲି ଭାବି ପାରିଥାନ୍ତା ।

 

କେତେଥର ସେ ମାଳବିକାଦେବୀଙ୍କ ଆଖି ଆଗରେ ଠିଆ ହୋଇଛି । ଆଖିରେ ତାଙ୍କରିପାଇଁ ପ୍ରେମ, କଥାରେ ତାଙ୍କରିପାଇଁ କବିତା, ହୃଦୟରେ ତାଙ୍କରି ଭାବ। ସେ କେତେଥର ହାତଠାରି ଡାକି କହିଛି–ହୃଦୟର ଏଇ ସୁନ୍ଦର ପଣ ଦେଖୁଛ ? ଦେଖି ପାରୁଛ ? ଏହି ହୃଦୟ ରହିଛି ତୁମ ପ୍ରଶଂସା ଗାଇବାପାଇଁ । ଏ ମନ ରହିଛି ତୁମ କଥା ଭାବିବା ପାଇଁ । ତୁମରି ରୂପ ଦେଖିବା ପାଇଁ ଏ ଆଖିରେ ଅର୍ହନିଶି ପଲକ ପଡ଼ୁନାହିଁ । ମୋତେ ତୁମ ରୂପର ପୂଜାରୀ କରିବାର ସୁଯୋଗ ଦିଅ । ମୁଁ ରୂପ ପିପାସୁ । ବୁକୁଭରା ପ୍ରୀତିର ଅର୍ଘ୍ୟ ଗ୍ରହଣ କର । ତୁମ ବୁକୁର ଭଲପାଇବାର ଅମୃତରୁ କଣିକାଏ ମୋତେ ଦିଅ । ମୁଁ ସେତିକି ଚାହେଁ । ସବୁଦିନ ପାଇଁ ତୁମେ ଚାଲିଆସ । ଏ ସମାଜର ଜନଗହଳି କପୋତ କପୋତୀ ଭଳି ସଂସାର ଆମର ମେଲିଦେବା । ପ୍ରୀତି-ଗୁଞ୍ଜନରେ ଅଙ୍ଗନ ଆମର ହସ-ମଧୁର ହୋଇ ଉଠିବ । ତୁମକୁ ପାଇଲେ ଦୁଃଖ ଦୈନ୍ୟ ମୋଠାରୁ ଦୂରରେ ରହିବ । ସଂସାରର ସକଳ ଯାତନାକୁ ମୁଁ ତୁଚ୍ଛ ମଣିବି ।

 

ଏତେଗୁଡ଼ାଏ କଥା ଧନଞ୍ଜୟ କେତେଦିନ ବା ତା’ର ଏତେ ଟିକିଏ ମନରେ ସାଇତି ରଖନ୍ତା ? ତା’ର ଭାବନା ହଠାତ୍‌ ଭାବନା ହଠାତ୍‌ ଦିନେ ମାଳବାକାଦେବୀଙ୍କ ନିକଟରେ ଫିଟି ପଡ଼ିଲା । ତା’ର ଆଶାଥିଲା ମାଳବିକାଦେବୀ ତା’ର ବୁକୁ ତଳର ବ୍ୟଥା ବୁଝିବେ । ତା’ର ଭଲ ପାଇବାର ଯଥାର୍ଥ ମର୍ଯ୍ୟାଦା ଦେବେ । କିନ୍ତୁ ହାୟ ! ସବୁ ଆଶା ତା’ର ଚିରଦିନ ପାଇଁ ଆଶାରେ ରହିଗଲା ।

 

ଧନଞ୍ଜୟର ପ୍ରେମ ନିବେଦନର ଉତ୍ତର ଦେବାକୁ ଯାଇ ମାଳବିକାଦେବୀ କହିଲେ–ଆପଣ ଯେ ଏତେ ବଡ଼ ଭୁଲ କରି ବସିବେ ମୁ ଆଶା କରି ନଥିଲି । ମୋର ଧାରଣା ଥିଲା ଯୁବକମାନେ ଶିକ୍ଷିତ ହେଲେ ଉଚ୍ଚମନା ହୁଅନ୍ତି । ସେମାନଙ୍କର ଭାବନା ଉନ୍ନତ ହୁଏ । ଭଲ ଆଉ ମନ୍ଦ ଭିତରେ ତଫାତ୍‌ଟା ଖୁବ୍‌ ଉତ୍ତମ ରୂପେ ହୃଦୟଙ୍ଗମ କରି ପାରନ୍ତି । କିନ୍ତୁ ଆପଣଙ୍କପରି ଯେ ଅଶ୍ଳୀଳ ହୋଇ ପାରନ୍ତି, ସେକଥା ପ୍ରଥମଥରପାଇଁ ଆପଣଙ୍କ ସହିତ ମୁଁ ଅବାଧରେ ମିଳାମିଶା କରେ ଏବଂ ସେହି ବନ୍ଧୁମାନଙ୍କ ଭିତରୁ ଆପଣ ଜଣେ । ଆପଣଙ୍କ ସହିତ ମିଶିବା ଫଳରେ ଆପଣ ଯଦି ଭାବି ବସନ୍ତି ମୁଁ ଆପଣଙ୍କୁ ପ୍ରେମ କରୁଛି ତେବେ–ତେବେ କହନ୍ତୁ, ରକ୍ତ ମାଂସର ଏଇ ଛୋଟ ଦେହଟିକୁ ଆପଣଙ୍କର ବହୁ ବନ୍ଧୁଙ୍କ ଆଖିରୁ ଛଡ଼ାଇନେଇ, ଆପଣଙ୍କୁ ସଂପି ଦେଇ, ମୁଁ କିପରି ଏତେଟା ଅନ୍ୟାୟ କରି ପାରିବି ? ଯଦି ମୋ ପରି ଗୋଟିଏ ତରୁଣୀକୁ ଏତେ ଯୁବକ ଭଲ ପାଆନ୍ତି ତେବେ ମୋ ଅବସ୍ଥା କ’ଣ ହେବ କହିଲେ ? ବହୁ-ହୃଦୟର ବଲ୍ଲଭୀ ରୂପେ ମୋର ଗର୍ବ କରିବାର ଅଛି ବୋଲି ଆପଣ ଯୁକ୍ତି କରିପାରନ୍ତି । କିନ୍ତୁ ନାରୀର ମନ କ’ଣ ଏତେ ସହଜରେ ପାଇହୁଏ ? ଅବଶ୍ୟ ପଇସା ଖର୍ଚ୍ଚକଲେ ନାରୀର ଦେହ କିଣା ହୋଇପାରେ କିନ୍ତୁ ସେ ପ୍ରକାର ନାରୀ ମୁଁ ନୁହେଁ । ଆପଣଙ୍କୁ ବନ୍ଧୁ ରୂପରେ ଦେଖି ଆସିଥିଲି । କିନ୍ତୁ ବନ୍ଧୁତ୍ୱର ଅସମ୍ମାନ ଆପଣ ଏପରି କରି ବସିବେ ବୋଲି ମୋର କଳ୍ପନାର ବାହାରେ ଥିଲା ।

 

ନିରାଶ ହୋଇ ଧନଞ୍ଜୟ ପରାଜିତ ପ୍ରେମିକର ଭୂମିକା ନେଇ ସେଦିନ ଫେରି ଆସିଥିଲା । ମାଳବିକାଦେବୀଙ୍କ ସମ୍ମୁଖରେ ଠିଆହୋଇ କଥାବାର୍ତ୍ତା କରିବାର ସାହସ ସେ ଆଉ କରି ପାରି ନଥିଲା ।

 

ତାପରେ ଦୁହିଙ୍କର ଗତି ଭିନ୍ନ ହେଲା । ପରସ୍ପରର ଦୃଷ୍ଟିକୋଣ ପରସ୍ପର ପାଇଁ ବଦଳିଗଲା । କେହି କାହାରି ସହିତ ଆଉ କଥାବାର୍ତ୍ତା କଲେନି । ଜଣେ ଜଣକୁ ଦେଖିଲେ ବାଟକାଟି ଚାଲି ଯାଉଥିଲେ ।

 

ପ୍ରେମ କରି ପରାସ୍ତ ହେଲେ ପ୍ରତିହିଂସା ସ୍ୱତଃ ମନ ଭିତରେ ଜାଗେ । ଆଉ ସେ ପ୍ରତିହିଂସା ସବୁଠାରୁ ଭୀଷଣ ଓ ଭୟଙ୍କର ।

 

ସୁବ୍ରତ ସଙ୍ଗେ ମାଳବିକାଦେବୀ ମିଳାମିଶା କରୁଛନ୍ତି । ଅତି ଘନିଷ୍ଠ ଭାବରେ ଘଣ୍ଟା ଘଣ୍ଟା ଧରି କଥା ହେଉଛନ୍ତି । ଘରକୁ ବାରମ୍ୱାର ଯିବା ପାଇଁ ନିମନ୍ତ୍ରଣ କରୁଛନ୍ତି । ଏସବୁ ଦେଖିଲେ ଧନଞ୍ଜୟର ମନେହୁଏ, ସତେ ଯେପରି ଏକ ଶାଣିତ ଛୁରୀକାରେ ତା’ର କଲିଜାଟା ଟିକି ଟିକି ହୋଇ କଟିଯାଉଛି । ସେ ନିଜକୁ ଆତ୍ମସ୍ଥ କରେ । ନିଜକୁ ସାନ୍ତ୍ୱନାର ବାଣୀ ଶୁଣାଇ ଭାବେ–ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ । ଜାତିଗୋତ୍ରହୀନା । ଏକ ରୂପ ବ୍ୟବସାୟୀ ଯେ ଅର୍ଥଲୋଭରେ ରାତ୍ରିର ସ୍ପଷ୍ଟ ବିଦ୍ୟୁତାଲୋକରେ ମଥାରଖି ସ୍ତ୍ରୀର ଅଭିନୟ କରେ ତା’ର ଚରିତ୍ର କ’ଣ ନିଷ୍କଳଙ୍କ ଥିବ !

 

ଦ୍ରାକ୍ଷାଲୋଭୀ ଶୃଗାଳର ନିଷ୍ଫଳ ପ୍ରଚେଷ୍ଟା ପରେ ଯେପରି ମନକୁ ସାନ୍ତ୍ୱନା ଦେଇଥିଲା, ଠିକ୍‌ ଧନଞ୍ଜୟ ସେହିପରି ବିଫଳତାରେ ବ୍ୟଥିତ ହୋଇ ନିଜମନକୁ ବାରବାର କେତେ ପ୍ରକାର ସାନ୍ତ୍ୱନା ଦେଇ ଚାଲିଥିଲା ।

 

ଏହା ପରଠାରୁ ଧନଞ୍ଜୟ ଆଖିରେ କେବଳ ଯେ ମାଳବିକାଦେବୀ ନଷ୍ଟଚରିତ୍ରା ହେଲେ ତାହା ନୁହେଁ ତାଙ୍କର ଅପନିନ୍ଦା କରିବାରେ ସେ ମଧ୍ୟ ପଞ୍ଚମୁଖ ହୋଇ ଉଠିଲା । ସମସ୍ତ ଘୃଣା ବ୍ୟଞ୍ଜକ ବିଶେଷଣ ସେ ମାଳବିକାଦେବୀଙ୍କ ପଛରେ ଲଗାଇ ପ୍ରଚାର କରିବାରେ ଲାଗିପଡ଼ିଲା । ଚାହା ଦୋକାନ, ପାନଦୋକାନ, ହଷ୍ଟେଲର କମନ୍‌ରୁମ୍‌, ନିଜର ରୁମ୍‌ ଭିତରେ ସାଙ୍ଗମାନଙ୍କ ଆଗରେ ସେ କହି ବୁଲିଲା–ମାଳବିକା ଅସତୀ, ଭ୍ରଷ୍ଟା, ବ୍ୟଭିଚାରିଣୀ, ରୂପ–ବ୍ୟବସାୟୀ ।

 

ଧନଞ୍ଜୟର ତୀବ୍ର ସମାଲୋଚନା ସୁବ୍ରତ ଓ ମାଳବିକାଦେବୀ ଉଭୟ ଶୁଣିଲେ । ମାଳବିକାଦେବୀ ନାରୀ ହେଲେମଧ୍ୟ ସୁବ୍ରତ ସଂସ୍ପର୍ଶରେ ଆସିବା ପରଠାରୁ ତାଙ୍କ ମନର ବଳ ଅସୀମ ହୋଇ ଉଠିଛି । ଏପ୍ରକାର ମନ୍ତବ୍ୟରେ ସେମାନେ କେହି ବି ବିଚଳିତ ହେଲେନି । ବରଂ ଧନଞ୍ଜୟର ଏପ୍ରକାର ଏକ ହୀନତମ ମାନସିକ ବିକାରରେ ସେମାନଙ୍କ ହୃଦୟରେ ତା ପ୍ରତି କରୁଣା ଜାତହେଲା । ଧନଞ୍ଜୟ ପୁରୁଷ । ପୁରୁଷର ପୌରୁଷ ତା ଭିତରେ ରହିବା ଉଚିତ । ଅଥଚ...ସାମାନ୍ୟ ଏକ ନାରୀର କଣିକାଏ ଅନୁଗ୍ରହ ପାଇଁ ସେ ଏପରି ମାନସିକ ବ୍ୟାଧିର କବଳିତ ହେଲା କାହିଁକି ? ନାରୀର ପଦଲେହନ ପାଇଁ ତା ପରି ଏକ ଯୁବକର ବ୍ୟାକୁଳତା କ’ଣ ସମଗ୍ର ପୁରୁଷ ସମାଜର ପୁରୁଷକାରକୁ ଦୀନ, ହୀନ, ଦୁର୍ବଳ କରି ଦେଉନି !!

 

କିଏ ଦେବ ଏ ପ୍ରଶ୍ନର ଉତ୍ତର ?

 

ସୁଜାତାର ଚିଠିଖଣ୍ତ ଚନ୍ଦ୍ରକାନ୍ତ ପଢ଼ୁଥିଲା ।

 

ସେ ଲେଖିଛି ମୋର ସ୍ନେହ ମୁନ୍ନାକୁ ଦେବ । ତୁମ ପାଖରୁ ଆସିଲା ପରେ ମୁଁ ଏଠାରେ ଏକ ପ୍ରକାର ଶାନ୍ତିରେ ନିଃଶ୍ୱାସ ମାରି ପାରୁଛି । ତୁମର ବନ୍ଧୁ ହିସାବରେ ନୁହେଁ–ମୋର ପୂର୍ବ ପରିଚିତ ବନ୍ଧୁ ଭାବରେ ଧନଞ୍ଜୟ ବାବୁ ମୋର ସମସ୍ତ ସୁବିଧା କରି ଦେଇଛନ୍ତି । ଭାବିଥିଲି ତୁମ ପାଖରୁ ବିଦାୟ ନେଇ ଆସିଲା ପରେ ବାପାଙ୍କ ପାଖକୁ ଯାଇଥାନ୍ତି । ଜାଣି ଜାଣି କିନ୍ତୁ ଗଲିନାହିଁ । କାରଣ ବାପାଙ୍କ ପାଖକୁ ଯାଇଥିଲେ ସେ ପୁଣି ମୋତେ ପୁରୁଣା ପ୍ରଶ୍ନ ପଚାରି ଶାନ୍ତିରେ ଦେଣ୍ତ ରଖାଇ ଦେଇ ନଥାନ୍ତେ । କହି ବସିଥାନ୍ତେ ପୁରାଣର କଥା । ସୀତା, ଦମୟନ୍ତୀ, ସାବିତ୍ରୀର ଉପଖ୍ୟାନ । ଯାହାକୁ କେବଳ ଶୁଣିବା ପାଇଁ ତୁମ ଓ ମୋ ଭଳି ଜଣେ କଳ୍ପନାରୁ ପ୍ରସୂତ କରି ଲେଖିଥିବ । ଭାଗବତ ଟୁଙ୍ଗୀରେ ଅଳସ ସମୟକୁ ପୁରାଣ ସାହାଯ୍ୟରେ ଉପଭୋଗ କରିହୁଏ କିନ୍ତୁ ବାସ୍ତବ ଜୀବନରେ ତା’ର ସେପରି କିଛି ମୂଲ୍ୟ ଅଛି ବୋଲି ମୋର ଧାରଣା ହୁଏନା ।

 

ସୀତା ଜଣେ ନିର୍ବୋଧାନାରୀ ଥିଲେ । ଆତ୍ମଭିମାନ ତାଙ୍କର ନଥିଲା । ପୁରୁଷର ସହଯାତ୍ରିଣୀ ସେ ନଥିଲେ । ରାମଚନ୍ଦ୍ରଙ୍କ ସହିତ ହାତକୁ ହାତ ମିଳାଇ ସେ ଚାଲୁ ନଥିଲେ । ସେ ରାମଚନ୍ଦ୍ରଙ୍କୁ ଦେବତାଭଳି ଦେଖିୁଥିଲେ । ନିଜ ସ୍ୱାମୀର ପ୍ରେମକୁ ଅନୁଗ୍ରହ ବୋଲି ଭାବୁଥିଲେ । ମାନବ ଭିତରେ ଅତିମାନବତ୍ୱର କଳ୍ପନା କରି ସେ ତାଙ୍କର ପୂଜା କରୁଥିଲେ । କିନ୍ତୁ ପରିଶେଷରେ ତାଙ୍କର ଏତେ ନିଷ୍ଠା, ଏତେ ତ୍ୟାଗ, ଏତେ ଆତ୍ମୀୟତାର କି ପ୍ରତିଦାନ ସେ ପାଇଲେ ସେ କଥା କହି ପାରିବ ତୁମେ ?

 

ଜୀବନଟାସାରା ପୁରୁଷର ତୃପ୍ତିପାଇଁ ତାଙ୍କର ନାରୀତ୍ୱକୁ ବଳିଦେଇ ଆସିଲେ । ରାକ୍ଷସପୁରୀରେ ଅକଥନୀୟ ଅତ୍ୟାଚାର ସହି ମଧ୍ୟ ସେ ସେହି ରାମଚନ୍ଦ୍ରଙ୍କୁ ଅପେକ୍ଷା କରି ବସିଥିଲେ । କିନ୍ତୁ ରାମଚନ୍ଦ୍ର ଯେତେବେଳେ ରାବଣ ଉପରେ ପ୍ରତିଶୋଧ ନେଇ ସାରିଲେ, ସୀତାଙ୍କର ଏତେ ତ୍ୟାଗ, ଏତେ ମହତ୍ୱ ସେ କ’ଣ ଉପଲବ୍‌ଧି କରି ପାରିଲେ ?

 

ପରକଥାରେ ଓଜନ ଦେଇ ସୀତାଙ୍କର ଚରିତ୍ରକୁ ସନ୍ଦେହ କରିଥିଲେ ନା ସିଏ ?

 

ତାଙ୍କୁ ଅଗ୍ନିରେ ପରୀକ୍ଷା କରାଇଥିଲେ ନା ସିଏ ?

 

ହେଲେ ଏତେ ପରୀକ୍ଷା ନିରୀକ୍ଷା ପରେ ବି ରାମଚନ୍ଦ୍ରଙ୍କ ମନରୁ ତଥାପି ବି କ’ଣ ସୀତାଙ୍କ ପ୍ରତି ସନ୍ଦେହ ଦୂର ହେଲା ? ତଥାପି କ’ଣ ସେ ସତୀ ସୀତାଙ୍କୁ ଆଜୀବନ ଏକାନ୍ତ ଆପଣାର କରି ଧରି ରଖି ପାରିଲେ ?

 

ସୀତା ହେଲେ ନିର୍ବାସିତା......

 

ସୀତା ହେଲେ ପାତାଳଗାମିନୀ.....

 

କାହା ପାଇଁ ?

 

କିଏ ତାଙ୍କୁ ଏତେ ପରାଭବ ଦେଲା ?

 

ସେଇ ରାମଚନ୍ଦ୍ର ନା; ଯାହାଙ୍କୁ ଜୀବନର ସବୁ କିଛି ଦେଇ ଭଲ ପାଉଥିଲେ ସେ ! ଯାହାଙ୍କଲାଗି ସମସ୍ତ ସୁଖ, ଆନନ୍ଦ ଓ ଐଶ୍ୱର୍ଯ୍ୟକୁ ଜଳାଞ୍ଜଳି ଦେଇ ସେ ହୋଇଥିଲେ ବନଗାମିନୀ ! ଏଇ କ’ଣ ପୁରୁଷର ନାରୀ ପ୍ରତି ନ୍ୟାଜ୍ୟ ପ୍ରତିଦାନ !! ତୁମେ କଣ, କୁହ ନାରୀ ଯୁଗେ ଯୁଗେ ପୁରୁଷର ଗୋଲାମୀ କରୁଥିବ ଆଉ ପୁରୁଷ ତାକୁ ତା’ର ସେବା, ଯତ୍ନ ଓ ଆନ୍ତରିକତାର ପ୍ରତିଦାନ ଦେଉଥିବ କେବଳ ଚାବୁକରେ ?

 

ମୁଁ କିନ୍ତୁ ଏପ୍ରକାର ଯଥାର୍ଥତାକୁ ଜମାରୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । ନାରୀର ଏ ପ୍ରକାର ଗୋଲାମୀ ବା ସହନଶୀଳତାକୁ ମୁଁ କେବେ ନାରୀର ଧର୍ମ ବା ତ୍ୟାଗ ବୋଲି କହି ପାରିବି ନାହିଁ । ମୋ ମତରେ ସୀତାଙ୍କର ସେ ପ୍ରକାର ତ୍ୟାଗରେ କୌଣସି ବାସ୍ତବତା ନଥିଲା–ଥିଲା ଏକ ସାହା ସମ୍ୱଳହୀନ, ଭୀରୁ ଅବଳାର ଦୁର୍ବଳ ମନର ପରିଚୟ । ବାଲ୍ମୀକି ଯାହାସବୁ ତାଙ୍କ ରଚିତ ରାମାୟଣରେ ବର୍ଣ୍ଣନା କରି ଯାଇଛନ୍ତି ସେ ସବୁ ମିଥ୍ୟା ଓ ଅତିରଞ୍ଜିତ । ଆଜିର ମଣିଷକୁ ଭ୍ରମ-ପ୍ରମାଦ ଭିତରେ ମଜ୍ଜାଇ ରଖିବା ପାଇଁ ତାଙ୍କର ସେ ପ୍ରକାର ଲେଖା ଥିଲା ଏକ ଅର୍ଥହୀନ ପ୍ରଚାର ।

 

ଛାଡ଼, ସେ ସବୁ ବିଷୟରେ ମୁଣ୍ତ ପୂରାଇ ଯୁକ୍ତି ଆରମ୍ଭ କଲେ ବହୁତ କଥା ବାହାରିବ । ଏବେ ମୁଁ ମୋ ନିଜ କଥାକୁ ଫେରି ଆସୁଛି । ହଁ, କ’ଣ କହୁଥିଲି ? ବାପାଙ୍କ ପାଖକୁ ଯିବା କଥା ନା-?

 

ବାପାଙ୍କ ପାଖକୁ ଯାଇଥିଲେ ସେ ତାଙ୍କର ପେନ୍‌ସନ୍‌ଭୋଗୀ ଅବସର ସମୟତକରେ କେବଳ ସେଇ ରାମାୟଣରୁ ପଂକ୍ତି ଉଦ୍ଧାର କରି ମୋତେ ବୁଝେଇ ଥାଆନ୍ତେ । ତୁମର ଅତ୍ୟାଚାର, ଅନାଦର, ଆଉ ଅବିଚାରକୁ ମୁଣ୍ତପାତି ସହିନେଇ ମୁଁ କହିଥାନ୍ତି ‘‘ହେ ଦେବତା; ଯେତେ କଷଣ ଦେଉଛ ପଛକେ ଦିଅ କିନ୍ତୁ ମୁଁ ତୁମ ପାଦ ତଳର ଦାସୀ । ଚରଣାରବିନ୍ଦର ସେବାରୁ ମୋତେ ବଞ୍ଚିତ କରିନି ।’’

 

କୁହଦେଖି; ବାପାଙ୍କର ଏପ୍ରକାର ଉପଦେଶ ଶୁଣିଥିଲେ ମୋର ପୋଡ଼ିଗଲା ହୃଦୟ କ’ଣ ଶୀତଳ ହୋଇଥାନ୍ତା ? ମୁଁ କ’ଣ ଶାନ୍ତି ପାଇ ପାରିଥାନ୍ତି ? ତୁମର ଚାବୁକ୍‌ମାଡ଼ ଖାଇ ସାରି ଫୋରାଦ୍‌ କରିବା ପାଇଁ ବାପାଙ୍କ ପାଖକୁ ଯାଇ ଆହୁରି ଚାବୁକ୍‌ ଖାଇଥାନ୍ତି ସିନା ? ମୋର ଯତ୍ରଣା କୌଣସିମତେ କମି ନଥାନ୍ତା ବରଂ ପ୍ରତିଟି ମୁହୂର୍ତ୍ତ ଅସ୍ୱସ୍ତିକର ହୋଇ ଉଠିଥାନ୍ତା । ମୁଁ ହୁଏତ ପାଗଳିନୀ ହୋଇଯାଇଥାନ୍ତି ।

 

ଧନଞ୍ଜୟ ବାବୁଙ୍କୁ ସମସ୍ତେ କହନ୍ତି ସେ କଳାବଜାରୀ । ଦେଶର ସମ୍ପଦ ଲୁଟ୍‌ କରୁଛନ୍ତି । ଚରିତ୍ରର ସ୍ଫଳନ ତାଙ୍କର ଯଥେଷ୍ଟ ଅଛି । ନାରୀ ଓ ସୁରା ନେଇ ସଦାବେଳେ ସେ ବ୍ୟସ୍ତ ରହନ୍ତି । ତଥାପି ମୁଁ ଲକ୍ଷ୍ୟକରିଛି ଏତେ ପ୍ରକାର ଦୁର୍ଗୁଣ ତାଙ୍କର ଥିଲେ ମଧ୍ୟ ତାଙ୍କର ମନୁଷ୍ୟତ୍ୱ ଅଛି । ହିତାହିତ ବିଚାର କରିବାର ଜ୍ଞାନ ଅଛି । ଧର୍ମପ୍ରତି ତାଙ୍କର ମମତା ଅଛି ।

 

କିନ୍ତୁ ତୁମେ....... ?

 

ତୁମର ଏପ୍ରକାର କୌଣସି ଦୁର୍ନାମ ନଥିଲେ ମଧ୍ୟ କୌଣସି ସୁଗୁଣ ଅଛି ବୋଲିତ ମୁଁ ଭାବି ପାରେନା ! ଏବେ ଧନଞ୍ଜୟବାବୁ ଆଉ ଅବିବାହିତ ନୁହନ୍ତି । ଓଡ଼ିଶାର ଶ୍ରେଷ୍ଠ ପୁଞ୍ଜିପତିଙ୍କର ଜାମାତା, ଧନର କଳନା କରିହେବନି । ଅଭାବ, ଅସୁବିଧା ତାଙ୍କଠାରୁ ବହୁ ଦୂରରେ । ନିଜର ବ୍ୟବସାୟ ବୁଝିବା ଆଉ ସରକାରୀ କର୍ମଚାରୀଙ୍କ ସହିତ ବ୍ୟବସାୟ ସଂକ୍ରାନ୍ତରେ ମିଳାମିଶା କରିବା ସଙ୍ଗେ ସଙ୍ଗେ ସେ ବି ନିଜ ପରିବାର କଥା ବୁଝନ୍ତି । ସ୍ତ୍ରୀଙ୍କୁ ତାଙ୍କର ଏକାନ୍ତ ପ୍ରେମ କରନ୍ତି । ସକଳ ସ୍ୱାଧୀନତା ନିଜ ସ୍ତ୍ରୀଙ୍କୁ ସେ ଦେଇଛନ୍ତି । ତୁମେ ଭାବୁଥିବ ସେ ଶ୍ୱଶୁର ଘରେ ଘରଜ୍ଜାଇଁ ହୋଇଛନ୍ତି ବୋଲି ତାଙ୍କର ସ୍ୱାଧୀନତା ନାହିଁ ଓ ତାଙ୍କ ସ୍ତ୍ରୀ ସ୍ୱାଧୀନତା ଆପେଆପେ ଭୋଗ କରୁଛନ୍ତି । ଧନଞ୍ଜୟ ବାବୁ ନିଜେ ତ ପରାଧୀନ ସେ କ’ଣ ସ୍ୱାଧୀନତା ଦେବେ ? ମୋର ମଧ୍ୟ ଏକଦା ତୁମ ପରି ଏ ଧାରଣା ଥିଲା । କିନ୍ତୁ ମୁଁ ଏଠାକୁ ଆସିଲାପରେ ମୋର ସେ ଭୁଲ୍‌ ଧାରଣା ତୁଟିଲା । ସେ ତାଙ୍କର ଶ୍ୱଶୁର ଘରେ ଅଳ୍ପସମୟ ରହନ୍ତି । ନିଜର ରହିବା ପାଇଁ ଏଠାରେ ଅଲଗା ଘର କରିଛନ୍ତି । ଏଠାରେ ତାଙ୍କର ବ୍ୟବସାୟ ସଂକ୍ରାନ୍ତୀୟ ସବୁ ଅଫିସ୍‌ କାମ କରନ୍ତି । ଖିଆ ପିଆ ବି ଏଠାରେ । କଟକରେ ରହିଲାବେଳେ ଶ୍ୱଶୁର ଘରେ ରହିନ୍ତି । ପିଲାମାନେ ସେଠାରେ ରହନ୍ତି କି ନା ?

 

ଆପଣଙ୍କ ଘରର ଦ୍ୱାରବନ୍ଧ ଡେଇଁ ଆସିଲା ପରେ କୁଆଡ଼କୁ ଯିବି ସ୍ଥିର କରିପାରିଲି ନାହିଁ । କାହା ପାଖରେ ଠିଆହୋଇ ଏ ଗୌରବ କାହାଣୀ ବଖାଣିବ ? କାହାର ବା ଧୈର୍ଯ୍ୟଅଛି ସେ ମୋ କଥା ବସି ଶୁଣିବ ? ଚାଉଳ କିଲୋ ବଜାରରେ ଟଙ୍କାଏ । ସେଥିରେ କିଏ ବା ମୋତେ ଦିନ ଦିନ ଧରି ଗେଷ୍ଟ କରି ପୋଷିବେ । ପେଇଙ୍ଗ୍‌ଗେଷ୍ଟ ହେବା ପାଇଁ ମୋର ବି ସମ୍ୱଳ ନାହିଁ ।

 

ଅନୋନ୍ୟୋପାୟ ହୋଇ ମୁଁ ଷ୍ଟେସନରେ ପହଞ୍ଚିଲା ସମୟକୁ ମାଡ଼୍ରସମେଲ୍‌ ଅଧଘଣ୍ଟାଏ ଡେରିଥାଏ । କୌଣସିପ୍ରକାରେ କୁଲିକୁ ବିଦାକରି ମୁଁ ଫାଷ୍ଟକ୍ଳାସ ୱେଟିଙ୍ଗ୍‌ ରୁମ୍‌ ଭିତରକୁ ପଶି ଯାଉଯାଉ କାହାର ପରିଚିତ କଣ୍ଠସ୍ୱର ଶୁଣି ଫେରି ଚାହିଁଲି । ଦେଖିଲି ଧନଞ୍ଜୟ ବାବୁ ନମସ୍କାର କରି ମୋ ଆଡ଼େ ଆଗେଇ ଆସୁଛନ୍ତି । ମୁହଁରେ ମମତା ଭରା ହସ ଲାଗି ରହିଛି । ମୋତେ ପଚାରିଲେ କ’ଣ ଆଜ୍ଞା ଏକାକୀ ! କୁଆଡ଼େ ଯିବେକି ।

 

ତାଙ୍କ ପ୍ରଶ୍ନର କି ଉତ୍ତର ଦେବି ମୁଁ ସ୍ଥିର କରି ପାରୁ ନଥିଲି ।

 

ସେ ପୁଣି କହିବା ଆରମ୍ଭ କଲେ–ଭାରି ବିବ୍ରତଥିଲା ପରି ଜଣାପଡ଼ୁଛନ୍ତି ତ ! କ’ଣ ଦେହ ଭଲ ନାହିଁ । ଆତ୍ମୀୟ କେହି ଏଇ ଟ୍ରେନରେ ଆସିବାର ଅଛି ବୋଧହୁଏ ।

 

ଏମିତି ବୁଲି ବାହାରିଛି । ଏତିକି ସଂକ୍ଷିପ୍ତ ଉତ୍ତର ଦେଲି ।

 

ମୋର ମୁଖଭାବରୁ ମୋର ଅସ୍ଥିରତା ବୋଧହୁଏ ସେ ଲକ୍ଷ୍ୟ କରିଥିଲେ । ଟ୍ରେନ୍‌ ଆସିଲାପରେ କମ୍ପାର୍ଟମେଣ୍ଟରେ ସେ ଚଢ଼ିଲେ । ଗପସପ ଭିତରେ ମୁଁ ଧୀରେଧୀରେ ତାଙ୍କ ଆଗରେ ସମସ୍ତ କଥା କହିଗଲା ।

 

ମୋତେ ସାନ୍ତ୍ୱନା ଦେଇ ସେ କହିଲେ–ସଂସାର କଲେ ଏପରି ହୁଏ । ସାମାନ୍ୟ ସାମାନ୍ୟ କଥାନେଇ ଏପରି ବିବ୍ରତ ହୋଇ ପଡ଼ିଲେ ଏ ସଦା ସଂଘର୍ଷଶୀଳ ପୃଥିବୀ ଭିତରେ ମୁହୂର୍ତ୍ତେ ବି ବଞ୍ଚି ହେବନି । ବର୍ତ୍ତମାନ ଏପରି ଅସୁସ୍ଥ ମନ ନେଇ କୁଆଡ଼େ ନଯାଇ ମୋର ବ୍ରହ୍ମପୁର ବାସଭବନରେ ରହନ୍ତୁ । ମନଭଲ ଲାଗିଲେ ଘରକୁ ଫେରିଯାଇ ପାରନ୍ତି । ଚନ୍ଦ୍ରକାନ୍ତ ବାବୁଙ୍କ ସ୍ତ୍ରୀ ଦୃଷ୍ଟିରୁ ଆପଣ ମୋର ବନ୍ଧୁପତ୍ନୀ । ସେଇ ବନ୍ଧୁତ୍ୱ ନେଇ ମୁଁ ଭରସି କରି ଆପଣଙ୍କୁ ନିମନ୍ତ୍ରଣ କରୁଛି-

 

ବିଶେଷ କିଛି ନକହି ତାଙ୍କର ଅତିଥି ହେଲି । ତାଙ୍କ ଘରେ ଅତିଥି ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସବୁପ୍ରକାର ସୁବିଧା ସେ ମୋର କରି ଦେଇଛନ୍ତି । ସେ ଯେ ଏତେ ଭଲ ମଣିଷ ସେ କଥା ମୁଁ ଏଇ ପ୍ରଥମରଥର ବୁଝିଲି । ସମସ୍ତେ ତାଙ୍କୁ ଖରାପ କୁହନ୍ତି । ବୋଧହୁଏ ତାଙ୍କ ସଙ୍ଗରେ ନିବିଡ଼ ଭାବରେ ନ ମିଶି ଅଧିକାଂଶ ଏପ୍ରକାର ମନ୍ତବ୍ୟ ଦେଇଥାନ୍ତି । ମୁଁ ତାଙ୍କର ଅତିଥି ହୋଇଛି ବୋଲି ଯେ ଏପରି ଲେଖୁଛି ତାହା ଭାବିବ ନାହିଁ ।

 

ସେ ଯାହାହେଉ; ସେ ଅତି ଉଦାର, ଅତି ଉଚ୍ଚମନା, ଆଉ ଅତି ମହତ୍‌ ।

 

ହଁ, ଏ ସବୁ ତୁମ ପାଖକୁ ଲେଖିବା ଏକାନ୍ତ ନିଷ୍ପ୍ରୟୋଜନ । କାରଣ ଯେଉଁଠି ସମ୍ପର୍କ ଛିନ୍ନ କରିବାର ପ୍ରଚେଷ୍ଟା କରାଯାଉଛି ସେଠାରେ ମୋର ଭଲମନ୍ଦ କଥା ଲେଖି ଜଣାଇବାର ଆଉ ଆବଶ୍ୟକତା କ’ଣ ?

 

ହୁଏତ ତୁମେ ମୋର ଦୁର୍ବଳତା ପାଇଁ ମନେ ମନେ ହସୁଥିବ ।

 

ଲେଖି ବସିବାକୁ ଆରମ୍ଭ କରୁ କରୁ ଗୁଡ଼ାଏ ଉପକ୍ରମଣିକା ଲେଖି ବସିଲିଣି । ଏଣିକି କଥାବସ୍ତୁ ଉପରକୁ ଆସୁଛି । ସମାଜ ଆଇନ୍‌କୁ ଗଢ଼େ କି ଆଇନ୍‍ ସମାଜକୁ ଗଢ଼େ । କିନ୍ତୁ ତୁମ ଭଳି ଆଡ଼ଭୋକେଟ୍‌ ମାନେ ଯୁକ୍ତି କରନ୍ତି ସମାଜକୁ ଗଢ଼େ ଏ ପ୍ରଶ୍ନ ପଚାରିଲେ ମୁଁ କହିବି ଆଇନ୍‍କୁ ସମାଜ ଗଢ଼େ । କିନ୍ତୁ ତୁମ ଭଳି ଆଡ଼ଭୋକେଟ୍‌ ମାନେ ଯୁକ୍ତି କରନ୍ତି ସମାଜକୁ ଆଇନ୍‌ ଗଢ଼େ । ସମାଜକୁ ସର୍ବାଙ୍ଗ ସୁନ୍ଦର ସୁଶୃଙ୍ଖଳ କରିବାପାଇଁ ଆଇନ୍‍ ନିହାତି ଦରକାର । ତୁମ ଓ ମୋ ଭିତରେ ତଫାତ୍‌ ଏହିଠାରେ । କେବେ କେଉଁ ଯୁଗରେ ଭିକ୍ଟୋରିଆ ମହାରାଣୀଙ୍କ ମୁଣ୍ତଥିବା ଟଙ୍କା ବଜାରରେ ଚଳୁଥିଲା । ସେତେବେଳେ ତା’ର ମୂଲ୍ୟ ଥିଲା । ଲୋକେ ତାକୁ ହାଟ ବଜାରରେ ନେଇ କିଣା ବିକା କରୁଥିଲେ । ଭବିଷ୍ୟତ ପାଇଁ ଟଙ୍କା ବାକ୍‌ସରେ ସାଇତି ରଖୁଥିଲେ । କିନ୍ତୁ ଆଜିକାଲି ? ଆଜିକାଲି ତା’ର ମୂଲ୍ୟ ରୂପା ହିସାବରେ ଅଳଙ୍କାର ହେବାପାଇଁ ଓଜନ ହେଉଛି; ସେଥିରେ କେବଳ ରୂପା ଅଂଶ ଥିଲା ବୋଲି । ଯଦି ରୂପା ନ ଥାଇ ଅନ୍ୟ ଧାତୁ ହୋଇଥାନ୍ତା ତେବେ ବୋଧହୁଏ ତା’ର ମୂଲ୍ୟ ଆହୁରି କମି ଯାଇଥାନ୍ତା । ମହାରାଣୀ ଭିକ୍ଟୋରିଆ ମୁଣ୍ତମାର୍କା ଟଙ୍କା ନେଇ ବଜାରକୁ ଗଲେ ବଣିଆ ଆଦର କରି କିଣିବ କିନ୍ତୁ ତେଜରାତି ଦୋକାନୀ ଡାଲି କିମ୍ୱା ଚାଉଳ ଦେବନାହିଁ । ତାକୁ ଧରି ବଜାର ସାରା ବୁଲି ଆସିଲେ କେହି ହାତ ପତାଇ ନଗଦ ମୂଲ୍ୟ ଦେଇ ତା’ର ମର୍ଯ୍ୟାଦା ଦେବେ ନାହିଁ । ସମସ୍ତେ କହିବେ ଏ ଟଙ୍କା ଅଚଳ ଧରିଲାଣି ।

 

ଏବେ କହୁ ଦେଖି, ଏଥିରେ ଯଦି ପରିବର୍ତ୍ତନ ଆସିପାରୁଛି ତେବେ ସେଇ ପୁରୁଣା କାଳର ନୀତି ନିୟମକୁ ଆମେମାନେ କାହିଁକି ଅନ୍ଧ ଭାବରେ ଅନୁସରଣ କରି ବସିବା ? କେଉଁ ଅଶୁଭଲଗ୍ନରେ ଜ୍ୟୋତିଷ ପାଞ୍ଜିବିଡ଼ାର ପୃଷ୍ଠା ଓଲଟାଇ, ଖଡ଼ିମୁଣ୍ତା ଛିଣ୍ତାଇ ଶୁଭଲଗ୍ନ କହିଥିଲେ ସେକଥା ଭାବିଲେ ମୋତେ ଏବେବି ହସ ମାଡ଼େ । ହୁଏତ ଜ୍ୟୋତିଷ ମହାପ୍ରଭୁଙ୍କ ଗଣନାରେ ଭୁଲ୍‌ ଥିବ ନଚେତ୍‌ ଯେଉଁ ପୁରୁଣା ପାଠ ଧରି ସେ ସମାଜକୁ ଆଜି ପର୍ଯ୍ୟନ୍ତ ଠକି ଆସୁଥିଲେ ସେଥିରେ ଭୁଲ୍‌ଥିବ । ଭୁଲ୍‌ ନିଶ୍ଚୟ କେଉଁଠି ଥିବ, ନଚେତ୍‌ ରାଜ ଯୋଟକ ପଡ଼ିଥିଲା, ଲଗ୍ନ ଖୁବ୍‌ ଶୁଭ ଥିଲା, ତଥାପି ଆମ ଦୁହିଁଙ୍କ ଜୀବନରେ ଏ ଝଞ୍ଜା କାହିଁକି ଉଠିଲା ଯାହା ଫଳରେ ମୁଁ ତୁମ ପାଖକୁ ଓକିଲ୍‌ ନୋଟିସ୍‌ ଦେବାକୁ ବାଧ୍ୟ ହେଉଛି । ଏ ଜୀର୍ଣ୍ଣ ସଂସ୍କାରକୁ ଭାଙ୍ଗି ଆମକୁ ନୂତନ ସଂସ୍କାର ଗଢ଼ିବାକୁ ହେବ । ସମୟ ବଦଳୁଛି । ସମୟକୁ ଚାହିଁ ସମାଜ ବଦଳିବା ଉଚିତ୍‌ । ସମାଜକୁ ବଦଳାଇବାକୁ ହେଲେ ସାମାଜିକ ନିୟମ, ଆଇନ୍‌ କାନୁନ୍‌ରେ ପରିବର୍ତ୍ତନ ଆଣିବାକୁ ହେବ ।

 

ମତ ଓ ମନ ଏକବୋଲି ମୁଁ ଭାବେ । ମତାନ୍ତର ହେଉ ହେଉ ମନାନ୍ତର ହୁଏ । ମନାନ୍ତର ପରେ କେଉଁଠି ମତାନ୍ତର ହୁଏନି । ତୁମ ଓ ମୋ ଭିତରେ ଯେତେବେଳେ ମନ ଭିତରେ ଅମେଳ ଧରିଲା, ମନ ମନ ଭିତରେ ଯେତେବେଳେ ସରସତା ରହିଲାନି ସେତେବେଳେ ସେ ତାଳିପକା ମନ ନେଇ ମୁଁ କେତେଦିନ ଚଳି ପାରିଥାନ୍ତି ।

 

ଅବଶ୍ୟ ତୁମ ମନ ନେବା ପାଇଁ ମୁଁ ଯେ ଯଥେଷ୍ଟ ଚେଷ୍ଟା ନକରିଛି ତା ନୁହେଁ କିନ୍ତୁ ସବୁ ବିଫଳ ହେଲା । ପାଣି ଫୋଟକା ଭଳି ମୋର ସବୁ ଚେଷ୍ଟା ଫାଟିଗଲା । ଯାହା ହେବାର କଥା ନୁହେଁ ତା ହେଲାନି । ସେଥିପାଇଁ ମୁଁ ବାଧ୍ୟ ହେଲି ତୁମ ପାଖରୁ ଚାଲି ଆସିବାକୁ । ତୁମେ ମୋ ବିନା ସୁଖରେ ରହ । ତୁମ ଋଚି ବା ମନକୁ ପାଇଲାଭଳି ସ୍ତ୍ରୀଟିଏ ବାହା ହୁଅ । ଅନ୍ତତଃ ଯେଉଁ କେତେଦିନ ତୁମ ସହିତ ମୁଁ ମନ ମିଳେଇ ଚାଲିଥିଲି ସେଥିରେ ମୋର ଏତିକି ଶୁଭେଚ୍ଛା ତୁମ ପ୍ରତି ରହିବା ଆବଶ୍ୟକ ବୋଲି ମନେକରୁଛି ।

 

ତୁମ ଘର ଏରୁଣ୍ତି ବନ୍ଧ ଡେଇଁ ଆସିବା ପରେ ମନ ମୋର ବିଦ୍ରୋହୀ ହୋଇ ଉଠିଲା । ମଣିଷ ତ ମୁଁ, କାଠ ପଥର ନୁହେଁ । ମୋ ଭିତରେ ବି ରୂପ, ରସ, ଗନ୍ଧ ଗ୍ରହଣ କରୁଥିବା ଗୋଟାଏ ପ୍ରାଣ ଅଛି । ତା’ର ବି ଅହଂକାର କରିବାର ଯଥେଷ୍ଟ ଅଧିକାର ଅଛି । ସେଇ ମନ ମୋର ଅହଂକାରରେ ମାତି ଉଠିଲା, ସୀତାଙ୍କ ଭଳି ତୁମ ପାଖରେ ପୁଣି ଦାସୀ ହୋଇ ରହିବାକୁ ଇଚ୍ଛା କଲାନି । ସବୁ କିଛି ସଂପର୍କ ତୁମ ପାଖରୁ ତୁଟାଇ ସ୍ୱାଧୀନ ଜୀବନ ଯାପନ କରିବା ପାଇଁ ମନ ଚାହୁଁଛି । କେବେ ମୁଁ ତୁମର ପତ୍ନୀ ଥିଲି, ହସି ଖେଳି ସିନେମା ଦେଖିଥିଲି, କେବେ ମୋର ମୁନ୍ନା ଭଳି ସୁନ୍ଦର ଗୁଲୁଗୁଲିଆ ପୁଅ ଥିଲା–ଏ ସବୁକୁ ଗୋଟାଏ ଦୁଃସ୍ୱପ୍ନ ଭଳି ଭୁଲି ଯିବାକୁ ଚେଷ୍ଟା କରୁଛି-

 

ତୁମ ପାଖକୁ ଏ ଚିଠି ଦେବା ଉଦ୍ଦେଶ୍ୟ ନୁହେଁ ଯେ ମୋର ନିଜ ପାଇଁ ତୁମ ସଂପତ୍ତିରୁ କୌଣସି ଦାବୀ ମୁଁ କରୁଛି କିମ୍ୱା ଭବିଷ୍ୟତରେ କରିବି । ଆଇନତଃ ମୁଁ ତୁମର କେହି ନୁହେଁ ଏତିକି ସାବ୍ୟସ୍ତ କରିବା ମୋର ଲକ୍ଷ୍ୟ ।

 

ଆଶାକରେ ମୋର ଅନୁରୋଧର ଉପଯୁକ୍ତ ମର୍ଯ୍ୟାଦା ତୁମେ ଦେବ ।

 

ତୁମର

ସୁଜାତା ।

 

ଚିଠିଟି ପଢ଼ିସାରି ଚନ୍ଦ୍ରକାନ୍ତ ନୀରବରେ ବସିରହିଲା । ତା ଜୀବନରେ ଏସବୁ ଯାହା ଘଟିଯାଉଛି ତାକୁ ମନେ ମନେ ବିଶ୍ଳେଷଣ କରୁଥିଲା । ସେ ଆଶା କରିଥିଲା, ଅଭିମାନ କରି ସୁଜାତା ଚାଲିଯାଇଛି ସିନା ପୁଣି ତା ପାଖକୁ ଦିନେ ନା ଦିନେ ଫେରିଆସିବ । ପୁଣି ତା’ର ସୁନାର ସଂସାର ହସିଉଠିବ । ରାଗ, ଋଷା, ଅଭିମାନ କେତେଦିନ ଅବା ରହିବ ? ତେଣୁ ଯେଉଁଦିନ ସୁଜାତା ଅଭିମାନ କରି ଚାଲିଗଲା ସେଦିନ ତାକୁ ସେ ବାଧା ଦେଇ ପାରିଲା ନାହିଁ । ତା’ର ଧାରଣାଥିଲା ଏଣ୍ତୁଅ ଦଉଡ଼ି ଦଉଡ଼ି ସିଝୁ ମୂଳକୁ ଯାଇ ଯାଇ ସେ ଯିବ ତା ବାପାଙ୍କ ପାଖକୁ । ତାପରେ ପୁଣି ତ ଫେରିଆସିବ ! କେତେଦନ ତା ଘରସଂସାର ଛାଡ଼ି ସେ ରହିପାରିବ ? ମାଆ ସେ । ନିଜ ସ୍ତନରୁ ଅମୃତ ଖୁଆଇ ସେ ମୁନ୍ନାକୁ ବଢ଼ାଇଛି । ମୁନ୍ନା ପାଇଁ ସେ ନିଶ୍ଚୟ ଫେରିଆସିବ । ମାତୃତ୍ୱ ନିକଟରେ ଶିକ୍ଷା, ଅହଂକାର, ରାଗ, ଋଷା ସବୁ ଯେ ହାର ମାନିବ ଏ ଦୃଢ଼ବିଶ୍ୱାସ ତା’ର ଥିଲା । କିନ୍ତୁ ଦିନକୁ ଦିନ ସୁଜାତାର ବ୍ୟବହାର ପ୍ରତି ପଦେ ପଦେ ଋକ୍ଷ ଓ କର୍କଶ ହୋଇଉଠିଛି ।

 

ଯେଉଁଠାରେ ପତ୍ନୀ ଚାହଁନି ସ୍ୱାମୀକୁ ଉପଯୁକ୍ତ ମର୍ଯ୍ୟାଦା ଦେବାପାଇଁ ସେଠାରେ ସ୍ୱାମୀ ଭାବରେ ମର୍ଯ୍ୟାଦା ଆଶା କରିବା ତା ପକ୍ଷରେ ନିରର୍ଥକ, ମୂଲ୍ୟହୀନ ।

 

ସେ ଗୋଟିଏ ରାତ୍ରି...

 

ଜୀବନର ସବୁ ଦୁଃସହ ବାର୍ତ୍ତା ଧରି ରାତ୍ରି ସେଦିନ ତାପାଇଁ ଆସିଥିଲା । କୋର୍ଟରେ ଗୋଟାଏ ଗୁରୁତର ମର୍ଡ଼ର କେଶ୍‌ରେ ଆର୍ଗୁମେଣ୍ଟ ସାରି ସେଦିନ କ୍ଳାନ୍ତ ହୋଇ ଘରକୁ ଫେରୁ ଫେରୁ ବହୁତ ଡେରି ହୋଇ ଯାଇଥିଲା । କ୍ୟାଣ୍ଟିନ୍‌ରେ ଯାହା ଚାହା ଜଳଖିଆ ଖାଇଥିଲା ସେ କେତେବେଳୁ ପେଟରେ ଭସ୍ମ ହୋଇଗଲାଣି । ପେଟରେ ନିଆଁ ଲାଗିଲାଣି । ପେଟ ନିଆଁ ମୁଣ୍ତକୁ ଧରିଲାଣି । ବ୍ୟସ୍ତ ହୋଇ ଗାଡ଼ିଖଣ୍ତ ଗ୍ୟାରେଜରେ ଭର୍ତ୍ତିକରି ସେ ଘର ଭିତରକୁ ପଶିଗଲା । ଘରେ ପହଞ୍ଚି ଦେଖିଲା ସବୁ ଶୂନ୍‌ଶାନ୍ କାହାରି ସ୍ୱର ଶବ୍ଦ ନାହିଁ । ପୁଜାରୀ ଦାମାନା ବି ନାହିଁ । ନାମ ଧରି ସୁଜାତାକୁ ଦୁଇ ଚାରିଥର ଡାକିଲା । ମନେ ମନେ ଭାବିଲା ବୋଧହୁଏ ଜିତା ତା ସଙ୍ଗେ ଥଟ୍ଟା ଖେଳୁଛି । ହୁଏତ ଘରେ କେଉଁଠି ଲୁଚିଥିବ । ଘରସାରା ସେ ବୁଲିଆସିଲା । ଜିତାକୁ ନପାଇ ମନେ ମନେ ବିରକ୍ତ ହୋଇଉଠିଲା । ଭାବିଲା ଏ କ’ଣ ଥଟ୍ଟା ଖେଳିବାର ସମୟ ?

 

ତାର ବ୍ୟସ୍ତତା ଭିତରେ ଦାମାନା ମୁନ୍ନାକୁ ଧରି ପହଞ୍ଚିଛି । ରାହାଧରି ମୁନ୍ନା କାନ୍ଦୁଥାଏ ।

 

ମାଆ କୁଆଡ଼େ ଗଲେ ?

 

ମା, ସିନେମା ଦେଖି ଯାଇଛନ୍ତି । ଆପଣ ଆସି ପହଞ୍ଚିଲେ ଚାହା ଜଳଖିଆ ଦେବାପାଇଁ କହି ଯାଇଛନ୍ତି । ନିଜର ଅନୁପସ୍ଥିତି ଦୋଷକୁ ଏଡ଼ାଇବା ପାଇଁ ଅପରାଧୀ କଣ୍ଠରେ ଦାମାନା ଆରମ୍ଭ କଲା ମାଆ ଗଲାବେଳୁ ସାନବାବୁ ରାହାଧରି କାନ୍ଦୁଛନ୍ତି ଯେ, ଯେତେ ବୁଝାଇଲେ ବୁଝୁ ନାହାନ୍ତି । ତାଙ୍କୁ ନେଇ ବଗିଚାଆଡ଼େ ଚାଲି ଯାଇଥିଲି ।

 

–ହୁଁ –ବିରକ୍ତରେ ଏତିକି କହି ସେ ନିଜର ପୋଷାକ ବଦଳାଇବାକୁ ଚାଲିଗଲା ।

 

ପୋଷାକ ବଦଳାଇ ମୁନ୍ନାକୁ ଦାମାନା କୋଳରୁ ନେଲା ।

 

ଏତେ ସମୟ ରାହାଧରି କାନ୍ଦି ସତେ ଯେପରି ମୁନ୍ନା ଥକି ପଡ଼ିଥିଲା । ବାପ ଛାତିରେ ମୁହଁ ଗୁଞ୍ଜି ବିଶ୍ରାମ ନେଲା । କାନ୍ଦ ବନ୍ଦ ହେଲାକ୍ଷଣକେ ନିଦ ଆଖି ଦୁଇଟିକୁ ତା’ର ମୁଦିଦେଲା । ମୁନ୍ନା ଶୋଇପଡ଼ିଲା ।

 

ମୁନ୍ନାକୁ ତା ଝୁଲାରେ ଶୁଆଇ ଦେଇ ଚନ୍ଦ୍ରକାନ୍ତ ବାଥରୁମ୍‍କୁ ଗଲା ।

 

ଧୁଆଧୋଇ ହୋଇ ବାଥ୍‌ରୁମରୁ ଫେରିଲାବେଳେ ଦେଖିଲା ଦାମାନା ଟି ପୟ ଉପରେ ଜଳଖିଆ ସଜାଡ଼ି ରଖିଦେଇଛି ।

 

ଜଳଖିଆକୁ ଦେଖି ମନରେ ତା’ର ଆହୁରି ନିଆଁ ଲାଗିଲା । ବିଚାରା ନିରୀହ ପୁଜାରୀଟା ଉପରେ ରାଗ ଝାଡ଼ି କିଛି ଲାଭ ହେବ ନାହିଁ । ନୀରବ ହେବା ଉଚିତ ଭାବି ଦାମାନାକୁ ଜଳଖିଆ ଫେରାଇ ନେବାକୁ ନିର୍ଦ୍ଦେଶ ଦେଲା ।

 

ମନେମନେ ବିରକ୍ତ ହୋଇ ସେ ତା’ର ଲାଇବ୍ରେରୀ ରୁମ୍‌ରେ ବସି ରହିଲା । ପେଟରେ ନିଆଁ, ମୁଣ୍ତରେ ନିଆ । ରାଗରେ ଦେହ ସାରା ଝିମ୍‍ ଝିମ୍‌ ହୋଇ ଉଠୁଛି ।

 

ସୁଜାତାର ଫେରିବାର ବାଟକୁ ପ୍ରତୀକ୍ଷା କରି ବସି ରହିଲା ଚନ୍ଦ୍ରକାନ୍ତ ।

 

କାନ୍ଥ ଘଣ୍ଟା ଟିକ୍‌ ଟିକ୍‌ ଶବ୍ଦ କରୁଛି । ମିନିଟ୍‌ କଣ୍ଟା, ସେକେଣ୍ତ କଣ୍ଟା ଆଗେଇ ଚାଲିଛନ୍ତି ସନ୍ଧ୍ୟା ବଢ଼ୁଛି ରାତ୍ରି ଆସୁଛି ।

 

ସବୁ ଦୋଷକୁ ନିଜ ଉପରକୁ ନେଇ ଚନ୍ଦ୍ରକାନ୍ତ ମନ ଭିତରୁ ଯେପରି କିଏ ଚିତ୍କାର କରି କହି ଉଠିଲା ‘‘ସୁଜାତାର ଏ ଉତ୍ସୃଙ୍ଖଳତା ପାଇଁ ତୁ ନିଜେ ଦାୟୀ । ଏତେଟା ସ୍ୱାଧୀନତା ଯେତେବେଳେ ତାକୁ ଦେଇଛୁ, ତା’ର ପରିଣାମ ତୁ ଭୋଗିବୁ ନାହିଁତ ତୋ ପାଇଁ ଆଉ କିଏ ଜଣେ ଭୋଗ କରିବ ?’’ ସୁଜାତାକୁ ସହରକୁ ଆଣିବାପାଇଁ ବାପ ମାଆଙ୍କର ଆନ୍ତରିକ ସମର୍ଥନ ନଥିଲା । ସେମାନଙ୍କ ମନରେ କଷ୍ଟ ଦେଇ ସେ ସୁଜାତାକୁ ସହରକୁ ଆଣିଲା । ଶିକ୍ଷିତା ସ୍ତ୍ରୀ ପାଇଛି । ଅନ୍ତତଃ ସହରରେ ଏକାଠି ରହିଲେ ସୁବିଧା ହେବ । ଜୀବନଟା ମଧୁମୟ ହେବ । ସୁଖମୟ ହେବ । ହେଲେ ଆଶା ତା’ର ଆଶାରେ ରହିଲା । କଟକକୁ ଆସି ବାରମାସ ଛଅଟାପରେ ସୁଜାତାର ତା ସଙ୍ଗେ ସବୁ ବିଷୟରେ ଯୁକ୍ତି ତର୍କ ଲାଗିଲା । ସଦାବେଳେ ଅସଂଖ୍ୟ ‘କାହିଁକି’ର ଉତ୍ତର ଦେବାକୁ ହେଲା । ସେ ଆଶା କରିଥିଲା ସୁଜାତାର ଶିକ୍ଷା ଅଛି, ଆଭିଜାତ୍ୟ ଅଛି, ଅନ୍ତତଃ ତା’ର ଏଇ ଦୁଇଟା ଗୁଣର ସେ ନିଶ୍ଚୟ ସଦ୍‌ବ୍ୟବହାର କରି ପାରିବ । ପତିକୁ ଦେବତା ରୂପେ ଦେଖିବାର ସେ ପ୍ରାଚୀନ ଧାରଣା ଯଦିଓ ସେ କରି ନଥିଲା କିନ୍ତୁ ଜୀବନର ସୁଖ ଦୁଃଖର ସାଥୀରୂପେ ଗ୍ରହଣ କରି ପାରିବ ବୋଲି କଳ୍ପନା କରିଥିଲା ।

 

ସୁଜାତା ମନରେ ଦୁଃଖ ଆସିପାରେ ସେଥିପାଇଁ ତାକୁ ସବୁ ପ୍ରକାର ସୁବିଧା ଦେଇଥିଲା ସେ । ଆଶା କରିଥିଲା ସୁଜାତା ତା’ର କର୍ମକ୍ଳାନ୍ତ ଜୀବନରେ ସରସତା ଆଣିଦେବ....ତାର ମନକୁ ସତେଜ କରିରଖିବ.....ତା ଦୁନିଆଁରେ ହସର ମହକ ଭରିଦେବ । କିନ୍ତୁ ସେ ପାଇଲା କ’ଣ ?

 

ସେବା ! –ସେ ତ ବହୁ ଦୂରର କଥା । ତା ପ୍ରତି ଯେଉଁତକ ସମ୍ମାନବୋଧ ରହିବାର କଥା ସୁଜାତାର ସେତକ ନଥିଲା । ଦାୟିତ୍ୱଜ୍ଞାନ ଥିଲେ ବୋଧହୁଏ ଦୁଗ୍‌ଧପୋଷ୍ୟ କୋମଳ ଶିଶୁଟିକୁ ପୁଜାରୀ ଦାୟିତ୍ୱରେ ଛାଡ଼ି ସେ ସିନେମା ଦେଖି ଯାଇ ପାରି ନଥାନ୍ତା.....

 

ପ୍ରତି ଶିରା-ଉପଶିରାରେ ଚନ୍ଦ୍ରକାନ୍ତର ସୁଜାତା ପ୍ରତି କ୍ରୋଧ ଜମି ଆସୁଥିଲା ।

 

କାନ୍ଥ ଘଣ୍ଟାରେ ଦଶଟା ବାଜିଲା ।

 

ଗେଟ୍‌ ପାଖରେ କାର୍‌ଟିଏ ଅଟକି ରହିବାର ଚନ୍ଦ୍ରକାନ୍ତ ଜାଣି ପାରିଲା । ବୋଧହୁଏ ସୁଜାତା ଟ୍ୟାକ୍‌ସିରେ ଫେରିଛି ।

 

ଚନ୍ଦ୍ରକାନ୍ତ ଗମ୍ଭୀର ହେବାକୁ ଚେଷ୍ଟା କଲା । ସେଲ୍‌ଫ ଭିତରୁ ବହି ଖଣ୍ଡେ କାଢ଼ି ଆଣି ପଢ଼ି ବସିବାର ଛଳନା କଲା ।

 

କାର୍‌ ଚାଲିଗଲା–

 

ସୁଜାତା ଘର ଭିତରକୁ ଆସୁଛି । ହାଇହିଲ୍‌ ଯୋତାର ଟପ୍‍ଟପ୍‌ ଶବ୍ଦ ଶୁଭୁଛି । ସତେ ଯେପରି ଚନ୍ଦ୍ରକାନ୍ତର ପୁରୁଷକାର ଛାତି ଉପରେ ମାଡ଼ି ଦଳି ସୁଜାତା ଚାଲି ଯାଉଛି...

 

ଭିତର ଘରକୁ ପଶିଆସୁଛି ସୁଜାତା ।

 

–ଶୁଣ ! ଗମ୍ଭୀର କଣ୍ଠରେ ଚନ୍ଦ୍ରକାନ୍ତ ଡାକିଲା ।

 

ଫେରି ଚାହିଁଲା ସୁଜାତା ।

 

ଆସ୍ତେ ଆସ୍ତେ ଚନ୍ଦ୍ରକାନ୍ତ ନିକଟରେ ଆସି ଠିଆହେଲା । ଚନ୍ଦ୍ରକାନ୍ତ ମୁହଁକୁ ଚାହିଁ ତା’ର ଗାମ୍ଭୀର୍ଯ୍ୟର କାରଣ ବେଶ୍‌ ଅନୁମାନ କରିନେଲା ସେ । ପ୍ରଶ୍ନ କଲା–ମୋତେ ଡାକିଲ ?

 

–ହଁ, କୁଆଡ଼େ ଯାଇଥିଲ ଶୁଣେ ?

 

–ସିନେମା.......

 

–ସିନେମା ଯାଇଥିଲ, କହିବାକୁ ଲଜ୍ଜା ଲାଗୁନାହିଁ ! କଣ୍ଠରୁ ସତେ ଯେପରି ଚନ୍ଦ୍ରକାନ୍ତର ଅଗ୍ନି ଝରୁଥାଏ ।

 

–ପ୍ରଶ୍ନର ଉତ୍ତର ଦେବାଟା ସାଧାରଣ ଶିଷ୍ଟତା । ସିନେମା ଯିବାଟାରେ ଲଜ୍ଜ୍ୟା କ’ଣ ମୁଁ ବୁଝି ପାରୁନାହିଁ ! –ଅବିଚଳିତ କଣ୍ଠରେ ସୁଜାତା କହିଲା ।

 

–ତୁମେ ମାଆ ନା ରକ୍ଷସୀ ? ଛୋଟ ପିଲାଟାକୁ ଏକାକୀ ଘରେ ଛାଡ଼ିଦେଇ ପୁଣି ଯୁକ୍ତି କରୁଛ !

 

–ପ୍ରଶ୍ନର ଉତ୍ତରକୁ ଯଦି ତୁମେ ଯୁକ୍ତି କୁହ ତେବେ ମୁଁ ନାଚାର । ମୋ ଅପେକ୍ଷା ଆର୍ଗୁମେଣ୍ଟ ବିଷୟରେ ତୁମର ଧାରଣା ବେଶୀ । ମୁନ୍ନାକୁ ତ ଏକାକୀ ଛାଡ଼ି ଦେଇ ନଥିଲି ? ଘରେ ଦାମାନା ଥିଲା । ଚାକର ପୁଜାରୀ ଯଦି ଘଣ୍ଟାଏ ଦିଘଣ୍ଟା ପିଲାକୁ ସମ୍ଭାଳି ପାରିବେ ନାହିଁ ତେବେ ସେମାନଙ୍କର ରହିବାର ଯଥାର୍ଥତା କିଛି ନାହିଁ ।

 

କାହା ସଙ୍ଗେ ସିନେମା ଯାଇଥିଲ ଶୁଣେ !

 

କଥାଟାକୁ ହାଲ୍‌କା କରିଦେବାକୁ ନୀରବରେ ସୁଜାତା ଘର ଭିତରକୁ ଯିବାକୁ ଉପକ୍ରମ କରୁଥିଲା ।

 

–ମୋ କଥାର ଜବାବ୍‌ ଦେଇ ତା ପରେ ଘରକୁ ଯାଅ । –ଗର୍ଜି ଉଠିଲା ଚନ୍ଦ୍ରକାନ୍ତ ।

 

ଆହତ ଫଣିନୀପରି ଫେରି ଆସିଲା ସୁଜାତା । କ୍ରୋଧର ଫାଟି ପଡ଼ି ସେ କହିଲା–ଘର ଭିତରକୁ ଯିବାର ଅଧିକାର ବି ମୋର ନାହିଁ ? ଏ ଘରର ମୁଁ ତେବେ କେହି ନୁହେଁ ?

 

–ନା ।

 

–ଅର୍ଥାତ୍‌ ତୁମେ ମୋ ଉପରେ ସେଇ ପ୍ରିମିଟିଭ୍‌ ଏଜ୍‌ର ସ୍ୱାମୀତ୍ୱ ଜାହିର କରିବାକୁ ଚେଷ୍ଟା କରୁଛ ! ବେଶ୍‌, ତୁମର ସମସ୍ତ କୈଫିୟତ୍‌ ମୁଁ ବର୍ତ୍ତମାନ ଦେବି । ପଚାର, କ’ଣ ଜାଣିବାକୁ ଚାହ ତୁମେ ! କି ଉତ୍ତର ଆଶାକରୁଛ ମୋଠାରୁ !

 

–ଛିଃ, ଜିତା, ତୁମେ ଏତେଟା ତଳକୁ ଖସି ଯାଇ ପାରିବ ବୋଲି ମୁଁ କଳ୍ପନା କରିପାରି ନଥିଲି । ତୁମର ଶିକ୍ଷା ଅଛି, ଆଭିଜାତ୍ୟ ଅଛି, ତଥାପି ତୁମେ....

 

–ମୋର ଶିକ୍ଷା ଆଉ ଆଭିଜାତ୍ୟ ଏ ଦୁଇଟା ଉପରେ ପ୍ରଚଣ୍ଡ ଆକ୍ରମଣ ନଚଳାଇ ଯାହା ପଚାରିବାର ପଚାର । ଚନ୍ଦ୍ରକାନ୍ତ ଓଠରୁ କଥା ଛଡ଼ାଇ ନେଇ ସୁଜାତା କହିଲା ।

 

–ତୁମେ ଜାଣ ମୁଁ କଚେରୀରୁ ଆସିବି । ମୋର ଘର ବୋଲି ଗୋଟାଏ ଜିନିଷ ଅଛି । ସମାଜରେ ଆଭିଜାତ୍ୟର ଅହମିକା ଅଛି । ତୁମେ ମୋର ପରିଣିତା ପତ୍ନୀ । ଏଥିରେ ତୁମର କର୍ତ୍ତବ୍ୟ କ’ଣ ତୁମେ ଜାଣିପାରୁନାହଁ ଯେ ମୋତେ ପ୍ରଶ୍ନ ପଚାରିବାକୁ କହୁଛ ?

 

-କର୍ତ୍ତବ୍ୟଜ୍ଞାନ ମୋର ଯଥେଷ୍ଟ ଅଛି । ତୁମେ କୋର୍ଟକୁ ଯେତେବେଳେ ଯାଇଛ ନିଶ୍ଚୟ ଫେରିବ ଏକଥା ମୁଁ ଜାଣେ । ସେଥିପାଇଁ ପୂଜାରୀକୁ ଜଳଖିଆ ତିଆରି କରିବାକୁ ବରାଦ୍‌ ଦେଇଥିଲି-। ତୁମକଥା ବୁଝିବାକୁ କହିଥିଲି । ତୁମ ଘରର ଦାୟିତ୍ୱ ମୁଁ ମୋର ଯଥାଶକ୍ତି ତୁଲାଉଛି । ଗଲା ଅଇଲା ସମସ୍ତଙ୍କର ତତ୍ତ୍ୱ ନେଉଛି । ତୁମ ଲୁଗାପଟା ଟ୍ରଙ୍କରେ ସାଇତି ରଖୁଛି । ଆଭିଜାତ୍ୟ ବଢ଼ିବା ପାଇଁ ଯେଉଁପଥ ଦେଖାଇଛ ସେଥିପାଇଁ ତୁମର ବନ୍ଧୁମାନଙ୍କ ସହିତ ମିଳାମିଶା କରୁଛି । ତୁମର ଅହଂକାର ପାଇଁ ଯେପରି ନଚାଇଛ ସେପରି ନାଚିଛି । ତୁମର ସ୍ତ୍ରୀ ବୋଲି ମୋର ତ ପୁଣି ସ୍ୱାଧୀନତା ରହିବା ଦରକାର ? ତୁମର ସ୍ତ୍ରୀ ହେଲି ବୋଲି ମୁଁ ତ କୌଣସି ପାପ କରିନାହିଁ ଯେ ଅନ୍ୟ ସ୍ତ୍ରୀ ଯେଉଁ ସୁଖ ସୁବିଧା ପାଏ ସେଥିରୁ ମୁଁ ବଞ୍ଚିତା ହେବି ? ଘରର ଚାକିରିଆଣୀ, ଯେ ତୁମ ଘରକୁ ପାଞ୍ଚ କାମ କରିବାକୁ ଆସେ, କାମ କରିସାରି ପାଞ୍ଚ ପଇସା ନିଏ–ତାକୁ ପଦେ କହିଲେ ସେ ତୁମ ଘରକୁ ଆସୁନି । ମୁହଁରେ ଜବାବ୍‌ ଦେବାକୁ ଭୁଲୁନି । କାରଣ ତା’ର ସ୍ୱାଧୀନତା ଅଛି । ଆଉ ତୁମ ଘରେ ଦିନରାତି ପଡ଼ିରହି ମୋର ସେ ସ୍ୱାଧୀନତା ଟିକକବି ନାହିଁ ? ପ୍ରଶ୍ନର ଉତ୍ତର ଦେଲେ ତୁମେ ତା’ର ଅର୍ଥ କର ଯୁକ୍ତି । ନୀରବ ରହିଲେ କହିବ ଅପଦାର୍ଥ, ଗ୍ରହଣ କରିବାର ଶକ୍ତି ନାହିଁ ।

 

ସକାଳୁ ଶେଯ ଛାଡ଼ି ତୁମେ ବେଡ଼୍‌ ଟି ପିଅ । ନିତ୍ୟକର୍ମ୍ମ ସାରି ଲାଇବ୍ରେରୀ ଘରେ ବସ । କ୍ଳାଣ୍ଟ୍‌ ଆସନ୍ତି । ତାଙ୍କ ସଙ୍ଗରେ ଆଲୋଚନା କର । ଜୁନିୟରମାନଙ୍କୁ ଡିକ୍‌ଟେସନ୍‌ ଦିଅ । ତାପରେ କୋର୍ଟର ସମୟ ହୁଏ । ତରତର ହୋଇ କୋର୍ଟକୁ ଯାଅ । ଫେରିବାର ସମୟ ଠିକଣା ନଥାଏ । ଫେରିଲା ପରେ ଜଳଖିଆ ଖାଅ । ଯଦି ମନ ପାଇଛି ତ କଥା ପଦେ, ଦିପଦ ହୁଅ । ସେ କଥାରେ ଥାଏ ଘରର ଚଳାଚଳ କଥା । ପୁଣି ଲାଇବ୍ରେରୀ ଘରେ ପଶିଲେ ଆଲୋଚନା, ପର୍ଯ୍ୟାଲୋଚନା, ଚାଲେ । ପୁଣି ଆସନ୍ତା କାଲିର କୋର୍ଟପାଇଁ ପ୍ରସ୍ତୁତ ହୁଅ । ଟଙ୍କା ବହୁତ ଅର୍ଜ୍ଜନ କରୁଛ । ସୁନାମ ଅର୍ଜ୍ଜନ ପାଇଁ ଚେଷ୍ଟା କରୁଛ । ପ୍ରଚୁର ଅର୍ଥ ପାଇବ । ତୁମେ ଭାବ ଏତିକିରେ ତୁମର କର୍ତ୍ତବ୍ୟ ସରିଗଲା । କିନ୍ତୁ କେବେ ଥରେ ଭାବିଛକି ତୁମ ଭଳି ହାତ ଗୋଡ଼ ଥିବା ଗୋଟାଏ ମଣିଷ ଏ ଘରେ ଅଛି ? ତାପ୍ରତି ବି ତୁମର କର୍ତ୍ତବ୍ୟ ଅଛି । କେବଳ ଧୋବା ଖାତାର ହିସାବଠାରୁ କୋଠାତିଆରି କରିବାର ଖର୍ଚ୍ଚର ହିସାବ ଫର୍ଦ୍ଦ ଯାଞ୍ଚ କରିବା ପାଇଁ ସେ ତୁମ ଘରକୁ ଆସି ନଥିଲା । ତା’ର ବି ମନ ଅଛି । ତା’ର ମନ ମହଲରେ ବି ସୁରଭି ଛୁଟୁଥିବ । ତା ମନ ବି ବେଳେ ବେଳେ ଏଇ ଧୂଳିର ଧରଣୀରେ ପାଞ୍ଚ ପଚିଶିଟି ତରୁଣୀଙ୍କ ଭଳି ପାଗଳୀ ହୋଇ ଉଠୁଥିବ । ସେ ବି ଜୀବନର ସ୍ୱାଦ ଚାଖିବା ପାଇ ଉନ୍‌ମନା ହୋଇ ଉଠୁଥିବ । ନିଜ ବିବେକକୁ ଥରେ ପଚାର । ସ୍ୱାମୀ ହିସାବରେ ତୁମେ କ’ଣ ତୁମର କର୍ତ୍ତବ୍ୟ କରିଛ ? ଦାନକରି ପ୍ରତିଦାନ ଆଶା କରିବାଟାକୁ ମୁଁ ନିର୍ବୋଧତା ବୋଲି ମନେ କରେନାହିଁ । ମୁଁ ଅଜ୍ଞତାକୁ କ୍ଷମା ଦେଇପାରେ କିନ୍ତୁ ନିର୍ବୋଧତାକୁ କ୍ଷମା ଦେବାପାଇଁ ଜମାରୁ ପ୍ରସ୍ତୁତ ନୁହେଁ ।

 

ଉତ୍ତେଜିତ ହୋଇ ଉଠିଲା ଚନ୍ଦ୍ରକାନ୍ତ । ସତେ ଯେପରି ସୁଜାତାର ଏ ପ୍ରଚଣ୍ଡ ଆକ୍ରମଣ ପାଇଁ ସେ ପ୍ରସ୍ତୁତ ନଥିଲା । ମନ ତା’ର କ୍ଷତ-ବିକ୍ଷତ, ବିକଳାଙ୍ଗ ହୋଇ ଉଠିଲା । ଘରର କର୍ତ୍ତା ରୂପେ ସେ ଚିତ୍କାର କରି ଉଠିଲା–ତୁମେ ଏସବୁ କ’ଣ ଗପି ଯାଉଛ ଜିତା ? ଘରେ ଚାକର, ପୁଜାରୀ ଅଛନ୍ତି । ମୋର ମାସସମ୍ମାନକୁ ଟିକେ ଦେଖ.......

 

–ଯେ ସମ୍ମାନ ଦେଇ ଶିଖିନାହିଁ ତା’ର ସମ୍ମାନ ପାଇବାର ଅଧିକାର ନାହିଁ । ଏ ଘରର ଘରଣୀ ଯଦି ନିର୍ଯ୍ୟାତିତା, ଅପମାନିତା ହୁଏ ତେବେ ଘରର ସ୍ୱାମୀ ଏକାକୀ ସମ୍ମାନ ପାଇବେ କିପରି ? ମନତଳେ କୁହୁଳି ଉଠୁଥିବା ନିଆଁ ଆଜି ତୁମର ଆତ୍ମପ୍ରକାଶ କରିଛି । ମୁଁ ତାକୁ ସ୍ୱାଗତ କରୁଛି । ସେଇ ଅଗ୍ନି ଆଜି ଆମର ସମସ୍ତ ସଂପର୍କକୁ ଜାଳିପୋଡ଼ି ଦେଉ.....

 

–ମୋତେ କ’ଣ ଡାଇଭର୍ସ କରିବାର ଧମକ ଦେଉଛ ?

 

–ଧମକ ଦେଉନି । ଯାହା ସତ୍ୟ ତାହାହିଁ ପ୍ରକାଶ କରୁଛି । ଯେଉଁଠାରେ ସ୍ୱାମୀ ତା ସ୍ତ୍ରୀକୁ ସନ୍ଦେହ କରେ, ସ୍ୱାଧୀନତାକୁ ଉତ୍ସୃଙ୍ଖଳତାର ନାମକରଣ କରେ, ଉତ୍ତରକୁ ଯୁକ୍ତି ବୋଲି ଜ୍ଞାନ କରେ, ସେଠାରେ ଭଲ ପାଇବାର ଅନ୍ୟନାମ କ’ଣ ହୋଇପାରେ ତା ବି ମୁଁ ଭାବୁଛି । ତୁମ ପାଖରେ ପ୍ରୀତି କୁହ, ଭଲପାଇବା କୁହ, ପ୍ରେମ କୁହ, ସବୁ ଛଳନା । ଆବଶ୍ୟକ ପଡ଼ିଲେ ତୁମେ କହିବ ସେଥିରେ ବି ଖାଦ ମଶିଛି । ମୁଁ ଜାଣେ ମଣିଷ ମନକୁ ଥରେ ସନ୍ଦେହ ଛୁଇଁଲେ ସେ ଖୁବ୍‌ ଶୀଘ୍ର ଯାଇ ପାରେ ନାହିଁ । ମୋର ଅନୁରୋଧ ମୋତେ ତୁମେ ତ୍ୟାଗ କର । ସେଥିରେ ତୁମର ଓ ମୋର ମଙ୍ଗଳ ହେବ । ସହନଶୀଳତାର ଗୋଟାଏ ସୀମା ଅଛି । ହାଁ ଜୀ କରି ତୁମର ପତ୍ନୀତ୍ୱ ଗ୍ରହଣ କରିବା ପାଇଁ ମୋର ଆଉ ଧୈର୍ଯ୍ୟ ନାହିଁ । ଏଇ ମୁହୂର୍ତ୍ତରୁ ଏଇ ଘର ସଙ୍ଗେ ମୋର ସମସ୍ତ ସମ୍ପର୍କ ତୁଟିଗଲା । ମୋ ଭିତରେ ଯେତିକି ବିଦ୍ୟା ଅଛି ସେଥିରେ ଏ ପ୍ରାଣଟା ବେଶ୍‌ ବଞ୍ଚିଯାଇ ପାରିବ । –ଅଭିମାନଭରା କଣ୍ଠରେ ସୁଜାତା କହି ଚାଲିଥାଏ । ଆଖିରେ ତା’ର ଆଖିଏ ଲୁହ.......ହୃଦୟରେ ଭରା କୋହ... ।

 

ସୁଜାତାର ବକ୍ତବ୍ୟରେ ଚନ୍ଦ୍ରକାନ୍ତ ଅସ୍ଥିର ହୋଇ ଉଠିଲା । ମନେ ମନେ ଭାବିଲା ଯେତେ ବୁଝାଇଲେ ସୁଦ୍ଧା ନିଜର ଭୁଲ୍‌ ବୁଝିବା ପାଇଁ ସୁଜାତା ଆଦୌ ପ୍ରସ୍ତୁତ ନୁହେଁ ! କି ଅଦ୍ଭୁତ ଆଉ ଆଶ୍ଚର୍ଯ୍ୟ ଏ ନାରୀ ? ମନ ଭିତରୁ ତା’ର ପୁରୁଷକାର ଚିତ୍କାର କରି କହିଉଠିଲା–ଚୁପ କର ଜିତା; ପ୍ରଗଳ୍‌ଭ ଭାବରେ ଏସବୁ କ’ଣ ଗପିଚାଲିଛ ? ତୁମର ଶିକ୍ଷା ତୁମକୁ ଅନ୍ଧ କରିଛି । ତେଣୁ ମାତୃତ୍ୱ ଓ ପତ୍ନୀତ୍ୱରେ ଜଳାଞ୍ଜଳି ଦେଇ ତୁମେ ଚାଲି ଯିବାପାଇଁ ପ୍ରସ୍ତୁତ ହେଉଛ । ମୋର ଧାରଣା ଥିଲା ଶିକ୍ଷା ମଣିଷକୁ ଉନ୍ନତ କରେ । ମଣିଷକୁ ମହତ୍‌ କରେ । ମୁଁ କିନ୍ତୁ ଦେଖୁଛି ଏ ଶିକ୍ଷା ତୁମ ପକ୍ଷରେ ଶୁଭଙ୍କରୀ ନୁହେଁ । ଯଦି ତୁମେ ପାଠ ଦି ଅକ୍ଷର ପଢ଼ି ନଥାନ୍ତ ତେବେ କଦାପି ଆଜି ନିଜର ସ୍ୱାମୀ ସମ୍ମୁଖରେ ଠିଆହୋଇ ତୁମ ଶିକ୍ଷା ଦୀକ୍ଷାର ଗର୍ବ ଦେଖାଇ ନଥାନ୍ତ ବା ଉଚ୍ଚଶିକ୍ଷାର ଦ୍ୱାହୀ ଦେଇ ଏକାକୀ ବଞ୍ଚିଯାଇପାରିବାର ଏପରି କୁତ୍ସିତ ଆସ୍ଫାଳନ ତୁମ ତୁଣ୍ଡରେ ଆସି ନଥାନ୍ତା ! ମୁଁ ଭାବୁଛି ଅପାତ୍ରରେ ଶିକ୍ଷା ଦାନ କରି ତୁମର ଗୁରୁ ଭୁଲ କରିଛନ୍ତି । –ହେଲେ ତୁଣ୍ଡ ଖୋଲି କିଛି କହିପାରିଲାନି ।

 

ସୁଜାତା କହି ଚାଲିଥାଏ–ମୁଁ ପ୍ରଥମେ ନାରୀ, ତା ପରେ ଜାୟା ଓ ଜନନୀ । ତେଣୁ ମୋର ନାରୀତ୍ୱରେ ଆଞ୍ଚ ଆସିଲେ ମୁଁ କାହାରିକୁ ଏ ଦୁନିଆରେ କ୍ଷମା ଦେଇ ନାରିବି ନାହିଁ । ମୋର ଭାବନା ଭୁଲ୍‌ କି ଠିକ୍‌ ତା’ର ନିଷ୍ପତ୍ତି କରିବାକୁ ମୋ ଉପରେ ଛାଡ଼ିଦିଅ । ଜୀବନରେ କେବେ କିଛି ପ୍ରାର୍ଥନା କରିଛି ବୋଲି ମନେ ହେଉନାହିଁ । ଆଜି ମୋର ଏ ଦୁର୍ଦ୍ଦିନରେ ଗୋଟିଏ ଭିକ୍ଷା ମାଗୁଛି, ମୁନ୍ନାକୁ ମୋତେ ଦିଅ । ସେତେକ ପାଇଲେ ମୁଁ କୁତାର୍ଥ ହେବି । ମୁନ୍ନା ଅବୋଧ ଶିଶୁ-। ତା’ର ଦୋଷ କିଛି ନାହିଁ ? ଆମ ଦୁହିଁଙ୍କ ସଂଘର୍ଷ ଭିତରେ ତାକୁ ଶାସ୍ତି ଦେବା କାହିଁକି । ଯେ ପର୍ଯ୍ୟନ୍ତ ମୁନ୍ନା ଆତ୍ମନିର୍ଭରଶୀଳ ନ ହୋଇଛି, ସେ ପର୍ଯ୍ୟନ୍ତ ସେ ମୋ ପାଖରେ ଥାଉ । ତାପରେ ବରଂ ତୁମେ ତାକୁ ପାଖକୁ ନେଇଯିବ ।

 

–ଲଜ୍ଜ୍ୟା ଲାଗେନା,ଏସବୁ କଥା ତୁଣ୍ଡରେ ଧରିବା ପାଇଁ ! ଯଦି ବାପ ସହିତ ସଂପର୍କ ନରଖିବ ତେବେ ପୁଅ ସହିତ ତୁମର ସମ୍ପର୍କ ରହିବ କାହିଁକି ! ବାପ ପରି ଗୋଟାଏ ଅବିଗୁଣର ପୁଅକୁ ନେଇ ପୁଣି ବାପର ସ୍ମୃତିରେ ସନ୍ତୁଳି ହୋଇ ମରିବ କାହିଁକି ? କାହିଁକି ଭବିଷ୍ୟତରେ ଏକଦା ମୁନ୍ନାର ଦୋଷ ଗୁଣ ପାଇଁ ତୁମେ ପୁଣିଥରେ ଚିନ୍ତିତ ହୋଇ ଉଠିବ ? ବରଂ ତୁମ ଭାଷାରେ ଖଳ-ସ୍ୱଭାବର ବାପ ଓ ତା’ର ପୁଅଠାରୁ ସବୁଦିନପାଇଁ ବିଦାୟ ନେଇ ତୁମେ ତୁମର ନୂତନ ସଂସାର ଗଢ଼ିବାର କଳ୍ପନା କରି ବସ । ଅତୀତର ପାଦ ଚିହ୍ନକୁ ତୁମେ ତୁମ ମନର ଚୋରାବାଲି ଉପରକୁ ସବୁଦିନ ପାଇଁ ଲିଭାଇ ଦିଅ ।

 

–ବେଶ୍‌ ତାହାହିଁ ହେବ, ଖୁବ୍‌ ଦୃଢ଼ତାର ସହିତ ଏତିକି କହି ସୁଜାତା ଘର ଭିତରକୁ ପଶିଗଲା ।

 

କିଛି ସମୟ ପର୍ଯ୍ୟନ୍ତ ନିର୍ବେଦ ହୋଇ ବସି ରହି ଚନ୍ଦ୍ରକାନ୍ତ ପରିସ୍ଥିତିକୁ ଅନୁଧ୍ୟାନ କରୁଥିଲା ।

 

ଅଳ୍ପ ସମୟ ପରେ ହାତରେ ଚମଡ଼ା ସୁଟ୍‌କେଶ ଖଣ୍ଡେ ଧରି ପୁଣି ସୁଜାତା ଆସି ଚନ୍ଦ୍ରକାନ୍ତ ଆଗରେ ଠିଆ ହେଲା ।

 

ସୁଜାତା ମୁହଁକୁ ଚନ୍ଦ୍ରକାନ୍ତ କ୍ରୋଧରେ ଚାହିଁପାରୁ ନଥିଲା ।

 

ସୁଜାତା କହିଲା–ଇଚ୍ଛା କଲେ ଏ ସୁଟ୍‌କେଶଖଣ୍ଡ ଦେଖିପାରେ । ଏଥିରେ କେବଳ କେତେଖଣ୍ଡ ପିନ୍ଧିବା ଶାଢ଼ୀ, ବ୍ଳାଉଜ, ସାୟା ବ୍ୟତୀତ ଆଉ କିଛି ନାହିଁ । ତୁମ ଘରେ ସବୁ ଠିକ୍‌ ଠାକ୍‌ ଅଛି । ଚାବି ଟେବୁଲ ଡ୍ରୟାରରେ ଅଛି । ଇଚ୍ଛାକଲେ ସବୁ ଫିଟାଇ ଦେଖିନେବ । ମୁଁ ଯାଉଛି । ଝଡ଼ ଭଳି ସୁଜାତା ସେ ଘରୁ ବାହାରିଗଲା ।

 

ସୁଜାତାର ଯିବା ପଥକୁ ଚନ୍ଦ୍ରକାନ୍ତ ସ୍ଥାଣୁଭଳି ଠିଆ ହୋଇ ଚାହିଁ ରହିଥିଲା । ସୁଜାତାକୁ ଫେରାଇ ଆଣିବା ପାଇଁ ସତେ ଯେପରି ତା’ର ଗୋଡ଼ ଦୁଇଟିରେ ଶକ୍ତି ନଥିଲା । ସେ ମୂକ ହୋଇଗଲା । ପାଟି ଫିଟାଇ ଦୁଇ ପଦ କଥା କହିପାରିଲା ନାହିଁ ।

 

ସୁଜାତା ଯେଉଁ ଘରକୁ ଦିନେ ଓଢ଼ଣା ଟାଣି ବୋହୂ ହୋଇ ତା ସଙ୍ଗରେ ଆସିଥିଲା, ଆଜି ଓଢ଼ଣା ଖୋଲି ସେଇ ଘରର ଦ୍ୱାରବନ୍ଧ ଡେଇଁ ଚାଲିଗଲା ।

 

ଚନ୍ଦ୍ରକାନ୍ତ ଭାବୁଥିଲା–ସୁଜାତା ଯାଉଛି ତ ଯାଉ । ବେକରେ ବନ୍ଧା ହୋଇଥିବା ଦଉଡ଼ିର ଲମ୍ୱା ସରିଗଲେ ଗାଈ ଆପେ ଆପେ ଖୁଣ୍ଟମୂଳକୁ ଭିଡ଼ିହୋଇ ଆସିଯାଏ ।

 

କିନ୍ତୁ ସେ ଆଶା ଆଜି ତା’ର ଦୁରାଶାରେ ପରିଣତ ହୋଇଛି । ସୁଜାତା ଚାଲିଯାଇଛି । ସେ ଆଉ ଫେରିବ ନାହିଁ । ଅବଶ୍ୟ ସେଥିପାଇଁ ଦୁଃଖ ନାହିଁ ଯେ କିନ୍ତୁ ଅନ୍ୟର ଶିକ୍ଷାରେ ପଡ଼ି ସେ ଯେଉଁ ଅଘଟଣ ଭିଆଉଛି ଦୁଃଖ କେବଳ ତା’ର ସେଇଥିପାଇଁ ।

 

ଚନ୍ଦ୍ରକାନ୍ତ ଦୀର୍ଘଶ୍ୱାସ ଛାଡ଼ିଲା ।

 

ସୁଜାତା ତା’ର କଥା ରଖିଲା । ଛାଡ଼ପତ୍ର ଦେବାର ଯେଉଁ ଧମକ ସେ ଦେଇଥିଲା, ଏବେ ତାକୁ କାର୍ଯ୍ୟରେ ପରିଣତ କଲା ।

 

ଚନ୍ଦ୍ରକାନ୍ତ ବିଶ୍ୱାସ କରି ବି କରିପାରୁ ନଥିଲା ।

 

ସୁଜାତା ତାକୁ ଛାଡ଼ପତ୍ର ଦେବାପାଇଁ ନୋଟିସ୍‌ ଦେଇଛି ।

 

କୋର୍ଟରେ ଉପସ୍ଥିତ ହେବାପାଇଁ ଆମନ୍ତ୍ରଣା ଜଣାଇଛି ।

 

ସୁଜାତା ନାରୀ । ସୁଜାତା ତା’ର ଧର୍ମପତ୍ନୀ । ଅଥଚ.....ନିଜର ଏକାନ୍ତ ଆପଣାର ହୋଇବି କି କୁତ୍ସିତ ଉପାୟରେ ତା ଉପରେ ସେ ପ୍ରତିଶୋଧ ନେଇ ବସିଲା ! ସ୍ତ୍ରୀ ହୋଇ ସ୍ୱାମୀକୁ ସେ ଡାଇଭର୍ସ କରିବାପାଇଁ କୋର୍ଟରେ ଦରଖାସ୍ତ ଦେଇଛି । ଓକିଲର ଜେରା ସମୟରେ ସ୍ୱାମୀର ଅପାରଗତା ସମ୍ପର୍କରେ ସେ କେତେ ପ୍ରକାର ମିଥ୍ୟା ଯୁକ୍ତି ବାଢ଼ିବ; କେତେ ପ୍ରକାର ଅସତ୍ୟ ଅପନିନ୍ଦା ତା ବିରୁଦ୍ଧରେ ବିଚାରକଙ୍କ ନିକଟରେ କହିବ !–ଏସବୁ ଧୈର୍ଯ୍ୟଧରି ଶୁଣି ପାରିବତ ଚନ୍ଦ୍ରକାନ୍ତ ! ଏପରି ଲଜ୍ଜାକର ପରିସ୍ଥିତିର ସମ୍ମୁଖୀନ ହୋଇ ନିଜପାଇଁ ସଫେଇ ଦେଇ ପାରିବ ତ ସେ !

 

ଚନ୍ଦ୍ରକାନ୍ତର ଭାବନାରେ ଧୂମାଳ ଉଠିଛି ।

 

ଝଞ୍ଜା ପିଟୁଛି ।

 

ମସ୍ତିଷ୍କର ଭାବନା କେନ୍ଦ୍ର ଆଉ ଭାରସାମ୍ୟ ରକ୍ଷାକରି ପାରୁନି !

 

ଏବେ ସେ କରିବ କ’ଣ ? କେଉଁ ମୁହଁରେ ସେ ଯାଇ କୋର୍ଟରେ ଉପସ୍ଥିତ ହେବ ?

 

ଦିନେ ହୁଏତ ଯେଉଁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଠିଆହୋଇ, କାଠଗଡ଼ା ଭିତରେ ପଶିଥିବା ଶହଶହ ମହକିଲମାନଙ୍କ ପାଇଁ ସେ ଓକିଲାତି କରୁଥିଲା, ଏବେ ସେଇ ମାଜିଷ୍ଟ୍ରେଟଙ୍କ ଆଗରେ କାଠଗଡ଼ାରେ ଠିଆ ହୋଇ ସେ ଶପଥ ପାଠ କରି ସୁଜାତାର ଡାଇଭର୍ସ ପେପରରେ ଦସ୍ତଖତ କରିବ । ବାର୍‌ ଭିତରେ ସାଥୀ ଆଡ଼ଭୋକେଟମାନଙ୍କ ଆଗରେ ତା’ର ସମ୍ମାନ, ପ୍ରତିପତ୍ତି ସବୁ ଧୂଳିସାତ୍‌ ହୋଇଯିବ ସିନା ! ମହକିଲମାନଙ୍କର ତା ପ୍ରତି କି ଅଶ୍ରଦ୍ଧା ନ ଆସିବ ?

 

ଚନ୍ଦ୍ରକାନ୍ତ ଆଉ ଅଧିକ କିଛି ଭାବିପାରୁ ନ ଥିଲା । ତାକୁ ଜଣାଯାଉଥିଲା ସତେ ଯେପରି ଏଇ ମୁହୂର୍ତ୍ତରେ ତା’ର ଶ୍ୱାସରୁଦ୍ଧ ହୋଇଯିବ ।

 

ସଞ୍ଜ ଗଡ଼ିଯାଇଥାଏ........

 

ଡିସେମ୍ୱର ମାସର ସଞ୍ଜ । ଶୀତୁଳୀ ପବନ ଦେହରେ କମ୍ପନ ଆଣୁଥାଏ । ସଂଧ୍ୟାଟା ବୋଧହୁଏ ଶୀଘ୍ର ଆସିଯାଇଛି ! ରାତ୍ରିଟା ବଡ଼ କିନା ? ଦିନଟା ବି ଏଇଦିନେ ଛୋଟ ହୁଏ । ମଣିଷ କର୍ମଠ ହୁଏ ।

 

ଆଗକୁ ମାଘମାସ–ଶୀତ ବାଘପରି ମାଡ଼ି ଆସୁଥାଏ ।

 

ଅଗ୍ନିଶିଖା ଅଫିସ୍‌ରେ ବସି ସୁବ୍ରତ ରାଉତରାୟ ସଂପାଦକୀୟ ଲେଖିବାରେ ବ୍ୟସ୍ତ ଥାଏ-। ଟେବୁଲ ଉପରେ ନାନାପ୍ରକାର କାଗଜ ବିଛାଡ଼ି ହୋଇ ପଡ଼ିଥାଏ । ସେପାଖ ଘରେ ପ୍ରିଣ୍ଟିଙ୍ଗ୍‌ ମେସିନଟା ଘଡ଼ ଘଡ଼ ଶବ୍ଦ କରୁଛି । କମ୍ପୋଜିଟରମାନେ ଅକ୍ଷର ଯୋଡ଼ୁଛନ୍ତି । କମ୍ପୋଜିଟର, ପ୍ରେସ୍‌ମ୍ୟାନ୍‌, ପ୍ରୁଫ୍‌ରିଡ଼ରଠାରୁ ଆରମ୍ଭକରି ଦପ୍ତରୀ ପର୍ଯ୍ୟନ୍ତ ସମସ୍ତଙ୍କପ୍ରତି ତା’ର ସଜାଗ-ସତର୍କ ଦୃଷ୍ଟି ରହିଛି ।

 

ପରଦା ବାହାରରୁ ଜଣେ କେହି ଆଗନ୍ତୁକ ସୁବ୍ରତ ସହିତ ଦେଖା କରିବାପାଇଁ ଅନୁମତି ଳୋଡ଼ିଲେ ।

 

ମୁହଁତୋଳି ସୁବ୍ରତ ଚାହିଁଲା । ଦେଖିଲା ଧନଞ୍ଜୟ ଆସି ଠିଆ ହୋଇଛି । ଧନଞ୍ଜୟକୁ ଦେଖି ସେ ବିସ୍ମିତ ହୋଇ ଉଠିଲା । ନିଜ ଆଖିକୁ ସତେ ଯେପରି ସେ ବିଶ୍ୱାସ କରି ପାରୁ ନଥାଏ ।

 

ହସ ହସ ମୁହଁରେ ଧନଞ୍ଜୟ କହିଲା–ଭିତରକୁ ଯିବାରେ କିଛି ବାଧା ଅଛି କି ?

 

-କେବେ ତ ତୋତେ ବାଧା ନଥିଲା ! ଆଜି ସେ ଆଶଙ୍କା କାହିଁକି କରୁଛୁ ? ଭିତରକୁ ତୁ ବିନା ଆପତ୍ତିରେ ଆସିପାରୁ ।

 

ଘର ଭିତରକୁ ପଶିଆସି ଧନଞ୍ଜୟ ନିଜ ଆସନଟା ସୁବ୍ରତ ପାଖରେ ଦଖଲ କରି ସାରି କହିଲା–ଆଉ ଖବର କ’ଣ ?

 

–ଖବର ଯାହା ପ୍ରତିଦିନ କାଗଜରେ ପଢ଼ୁଥିବୁ । ଆଜିର ଖବର ଆଉଟିକିଏ ପରେ ବାହାରିବ ।

 

–ସଦାବେଳେ ତୋର ସେଇକଥା ଗଲାନି । କିରେ କେତେଦିନ ଏପରି ବଞ୍ଚିବୁ ?

 

–ବର୍ତ୍ତମାନ ଏପରି ବଞ୍ଚିଛି ତ ! କେତେଦିନ ଏପରି ବଞ୍ଚିପାରିବି କହି ପାରିବି କିପରି ?

 

–ଭାଗ୍ୟ ଆଉ ଭଗବାନ୍‌ ଏ ଦୁଇଟା ଉପରୁ ତୁ ଏପର୍ଯ୍ୟନ୍ତ ସୁଦ୍ଧା ଆସ୍ଥା ହରାଇଲୁ ନାହିଁ-? କର୍ମଯୋଗୀ ହେବାକୁ ଚେଷ୍ଟାକର ।

 

–ନିଷ୍କର୍ମ୍ମା ହୋଇ ମୁଁ ବସି ଖାଉନି । ଭାଗ୍ୟ ଆଉ ଭଗବାନ୍‌ ଏ ଦୁଇଟାକୁ ଛାଡ଼ିଲେ ମଣିଷର ସ୍ଥିତି ଅସମ୍ଭବ । ଭଗବାନ ସୁଦୟା ନ କରିଥିଲେ କିମ୍ୱା ତୁ ଭାଗ୍ୟବାନ୍‌ ସୁପୁରୁଷ ନ ହୋଇଥିଲେ ନବବାବୁଙ୍କ ଏକମାତ୍ର ଅଲିଅଳୀ କନ୍ୟା ନମିତାର ପାଣି କିପରି ଗ୍ରହଣ କରିଥାନ୍ତୁ ? ଭାଗ୍ୟ ଓ ଭଗବାନ୍‌ ଏ ଦୁହିଁଙ୍କ ଉପରେ ମୋର ଯେତିକି ଆସ୍ଥା ନ ରହିବାର କଥା ତୋର କିନ୍ତୁ ବେଶୀ ରହିବା ଉଚିତ୍‌, ଯେହେତୁ ତୁ ଭୁକ୍ତଭୋଗୀ । ଏତିକି ହୋଇପାରେ ସମାଜରେ ସୁଖରେ ରହିବାପାଇଁ ବା ଧନର ପାହାଡ଼ ଗଦା କରିବାପାଇଁ କର୍ମ୍ମକରି ମୁଁ ଯୋଗୀ ହୋଇ ପାରୁନି । ସେଟା ମୋର ମୂର୍ଖାମି କିମ୍ୱା ଖିଆଲ୍‌ ହୋଇପାରେ ।

 

ସୁବ୍ରତ କଥାରେ ଧନଞ୍ଜୟ ଆଘାତ ପାଇଲା । ପରିସ୍ଥିତକୁ ତଥାପି ସହଜ କରାଇବାପାଇଁ ଟିକେ ହସି କହିଲା–ତୁ ଯାହା କହ ଖିଆଲ ନେଇ ମିଣିଷ ସବୁଦିନ ବଞ୍ଚିରହି ପାରେନି । ତେବେ ତୋ ଘର ସଂସାର କଥା କ’ଣ ?

 

–ଗାଁରେ ଘରଖଣ୍ଡେ ଅଛି । ମା ବୁଢ଼ୀ ଅଛନ୍ତି । ଆଉ ଏକ କଟକ ସହରରୁ ଯାହା ମୋର ସଂସାରର ଗୁଜୁରାଣ ମେଣ୍ଟିଯାଏ ।

 

–ଧେତ୍‌, ସିଧାକଥା କ’ଣ କହି ଶିଖିନୁ ?

 

–ଶିଖିଥିଲେ ନିଶ୍ଚୟ କହନ୍ତି ।

 

–ମାଳବିକାଦେବୀଙ୍କୁ ତ ମୋଠାରୁ ଛଡ଼ାଇ ନେଲୁ ! ମୁଁ ସେଇ ସଂସାର କଥା ପଚାରୁଛି-!

 

–କାହାଠାରୁ କାହାକୁ ଛଡ଼ାଇ ନେବା ମୋର ପ୍ରକୃତି ବିରୁଦ୍ଧ । ତୋର ଯଦି ସେ ଧାରଣା ଏପର୍ଯ୍ୟନ୍ତ ଥାଏ ତେବେ ମୁଁ କହିବି ତୁ ଭୁଲ କରୁଛୁ ।

 

–ବର୍ତ୍ତମାନ ତୁମ ଦୁହିଁଙ୍କର ପିଲା ପିଲି କ’ଣ ?

 

–ଶିରୋ ନାସ୍ତି ଶିରୋ ପୀଡ଼ା ।

 

–ମାନେ !

 

–ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ମୁଁ ଏବେ ବି ଅବିବାହିତ । ଆଉ ସାମ୍ୱାଦିକ ହିସାବରେ ଯେତିକି ଖବର ରଖିଛି, ସେଥିରୁ ଅନ୍ତତଃ ଏତିକି କହିପାରିବି ଯେ, ମାଳବିକାଦେବୀ ଏପର୍ଯ୍ୟନ୍ତ ବି କୁମାରୀ ଅଛନ୍ତି ।

 

–ତୁ ତ ଏ ଫନ୍ଦା ଧରିଲୁ ! ଆଉ ସେ ?

 

ଯେଉଁ ଫନ୍ଦା ଧରିଥିଲେ ତାକୁ ଧରିଛନ୍ତି । ଗୋଡ଼ରେ ଘୁଙ୍ଗୁର ବାନ୍ଧି, ମୁହଁରେ ପାଉଡ଼ର ମାଖି ନାଚୁଛନ୍ତି ।

 

–ଆଉ କେତେଦିନ ସେ ଏପରି ଘୁଙ୍ଗୁର ବାନ୍ଧି ନାଚୁଥିବେ ?

 

–ତାଙ୍କ ପରି ନାରୀମାନେ ପୁଣି ବୁଢ଼ୀ ହେବା ପର୍ଯ୍ୟନ୍ତ ନାଚୁଛନ୍ତି !

 

ଯେଉଁମାନଙ୍କର ନାଚିବା ବ୍ୟବସାୟ ସେମାନେ ନାଚୁଛନ୍ତି । ମାଳବିକାଦାବୀଙ୍କର ନାଚ ତ ବ୍ୟବସାୟ ନୁହେଁ ? ତାଙ୍କର ଶିକ୍ଷା ଅଛି । ଇଚ୍ଛାକଲେ ସେହି ଶିକ୍ଷା ବଳରେ ସେ ସମାଜରେ ବେଶ୍‌ ସୁସ୍ଥ ଭାବରେ ବଞ୍ଚି ପାରନ୍ତେ ! ମୋ ମତରେ ନୃତ୍ୟଟା ତାଙ୍କର ସଉକ୍‌ ହୋଇ ପାରେ......

 

–ଶିକ୍ଷିତା ନାରୀ କିମ୍ୱା ଶିକ୍ଷିତ ପୁରୁଷ ଯେ ନୃତ୍ୟକୁ ବୃତ୍ତି ରୂପେ ଗ୍ରହଣ କରନ୍ତି ନାହି, ତୋର ଏ ପ୍ରକାର ମତ ଏଇ ବିଂଶ ଶତାବ୍ଦୀରେ ଦେଖି ମୁଁ ବିସ୍ମିତ ହୁଏ ଯେତିକି, ତା ଠାରୁ ବେଶୀ ଦୁଃଖିତ ହୁଏ । ନୃତ୍ୟ ଗୋଟାଏ କଳା । ମନକୁ ଖୋରାକ ଯାଗାଇବାର ପ୍ରକୃଷ୍ଟ ଉପାଦାନ । ସେ କଳା ଯଦି ଶିକ୍ଷିତ ଶ୍ରେଣୀ ଦ୍ୱାରା ପରିଚାଳିତ ହୁଏ ତେବେ ତା’ର ଉତ୍କର୍ଷତା ବଢ଼ିବ ଓ ସମାଜରେ ନୃତ୍ୟ ଗୀତ ପ୍ରତି ଆଦର ବଢ଼ିବ । ନୃତ୍ୟ କଲେ ଯେ ଶିକ୍ଷାର ଅସଦ୍‌ବ୍ୟବହାର କରାଗଲା ସେପରି କଳ୍ପନା କରିବା ନିର୍ବୋଧତା । ମୋ ମତରେ ସେହିଠାରେ ହିଁ ଶିକ୍ଷାର ଉଚିତ୍‌ ବ୍ୟବହାର କରାଯାଏ । ତା’ର କାରଣ ବୋଧହୁଏ ତୁ ପଚାରି ବସିବୁ । ତୋର ପଚାରିବା ପୂର୍ବରୁ ମୁଁ କହୁଛି ଶୁଣ୍‌ । ନୃତ୍ୟ, ସଙ୍ଗୀତ ପ୍ରଭୃତି ଗାନ୍ଧର୍ବ ବିଦ୍ୟା ଚର୍ଚ୍ଚାରେ ଅଶିକ୍ଷା ରହିଲେ ଚରିତ୍ରର ଶୀଘ୍ର ସ୍ଫଳନ ହୋଇପାରେ । ଶିକ୍ଷିତ ମହଲରେ ଯେ ଚରିତ୍ରର ସ୍ଫଳନ ନାହିଁ ତା ମୁଁ କହୁନି, କିନ୍ତୁ ଯାହାହୁଏ ତାହା ତୁଳନାତ୍ମକ ଦୃଷ୍ଟିରୁ ବିଚାର କଲେ ଖୁବ୍‌ କମ୍‌ ।

 

–ମାଳବିକାଦେବୀ ଜୀବନସାରା ଘୁଙ୍ଗୁର ବାନ୍ଧି ନାଚୁଥାନ୍ତୁ ଆଉ ଅନନ୍ତ ଯୌବନା ଉର୍ବଶୀ ରୂପେ ତାଙ୍କୁ ଦେଖିବାର ସୌଭାଗ୍ୟ ଆମକୁ ମିଳୁଥାଉ । ତେବେ ତୋ କଥା କ’ଣ ହେଲା-? ଜୀବନଟା ସାରା କ’ଣ ଏଇପରି ବିତାଇ ଦେବୁ ?

 

–ଥରେ ପରା କହିଛି ବର୍ତ୍ତମାନ ସୁଦ୍ଧା କିଛି ତ ଅସୁବିଧା ହୋଇନାହିଁ–ଭବିଷ୍ୟତ କଥା ଭବିଷ୍ୟତ ପାଇଁ ରହୁ ।

 

–ରାଜନୀତି କଲେ କ’ଣ ଘର ସଂସାର କରନ୍ତି ନାହିଁ ?

 

–ଜଣେ ଚୋରକୁ ଦେଖି ମଣିଷ ସମାଜକୁ ଚୋର ବୋଲି ଭାବିବା ଯେତିକି ଭୁଲ୍‌ ସେହିପରି କାମରାଜ, କୃଷ୍ଣମେନନ୍‌ ପ୍ରଭୃତି ଦୁଇ ଚାରିଜଣ ରାଜନୈତିକ ନେତାଙ୍କୁ ଦେଖି ତୋର ଏପରି ମନ୍ତବ୍ୟ ଦେବାଟା ବି ଠିକ୍‌ ହେଉନି । ବାବାଜୀ ହେଲେ କ’ଣ ସମସ୍ତେ ଗେରୁଆ ପିନ୍ଧନ୍ତି ନା, ଦାଢ଼ୀ ରଖିଲେ ସମସ୍ତେ ବାବାଜୀ ହୁଅନ୍ତି ?

 

ନମସ୍କାର ଭାଇ ତୋର ଯୁକ୍ତିକୁ । କଥା କଥାକେ ଯୁକ୍ତି । ସେ ଢଙ୍ଗ ତୋର ଆଦୌ ଗଲାନି । ହଁ, ମୁଁ କୁଆଡ଼େ ଆସିଛି ଏତେବେଳ ପର୍ଯ୍ୟନ୍ତ କହିବାକୁ ଭୁଲିଯାଇଛି ।

 

ହସି ହସି ସୁବ୍ରତ କହିଲା–ଅସଲ କଥା ଏତେବେଳକୁ ଆସିଲା । ଆରମ୍ଭରୁ ନ କହି ଏତେ ଗୌରଚନ୍ଦ୍ରିକା କାହିଁକି ଦେଉଥିଲୁ ! ତୁ ଯାହା କହିବାକୁ ଆସିଛୁ ତା ମୁଁ ଜାଣେ । ଏଇ ଚାଉଳ ଦର ବଢ଼ିବା ବିଷୟରେ ମୁଁ ଲେଖୁଛି, ଏଇଥିପାଇଁ ତ !

 

–ବାପା ମୋତେ କହିଲେ, ସୁବ୍ରତ ବାବୁ ତୁମର ବନ୍ଧୁ । ନିଜେ ତୁମେ ଯାଇ ସୁବ୍ରତ ବାବୁଙ୍କୁ ଦେଖାକର । ଚାଉଳ ଦର ବୃଦ୍ଧି ବିଷୟରେ ତାଙ୍କର ଯେଉଁ ଭୁଲ୍‌ ଧାରଣା ରହିଛି ତାକୁ ସୁଧାରିବାକୁ ଚେଷ୍ଟା କରିବ । ପରିସ୍ଥିତି ବିଷୟରେ ତାଙ୍କୁ ଭଲକରି ବୁଝାଇଦେବ । ତେଣୁ ତୋ ପାଖକୁ ଆସିବାକୁ ବାଧ୍ୟ ହେଲି ।

 

–ସ୍ୱାର୍ଥ ନ ଥିଲେ ଯେ ତୁ କେବେ ଆସି ନ ଥାନ୍ତୁ ଏ କଥା ମୁଁ ଜାଣେ । ତଥାପି ଚାଉଳ ଦର ବୃଦ୍ଧି ବିଷୟରେ ମୋର ମତାମତରେ ଯେଉଁଠାରେ ଫରକ୍‌ ରହୁଛି, ମୋତେ ବିଶ୍ଳେଷଣ କରି ବୁଝାଇ ଦେଲେ ଭଲ ହୁଅନ୍ତା ।

 

ସୁବ୍ରତ ପ୍ରେସ୍‌ର ‘ବୟ’କୁ ଡାକି ଦୁଇକପ୍‌ ଚାହା ବରାଦ୍‌ କଲା ।

 

ଆମୋଦିତ ନ ହେଲେ ସୁଦ୍ଧା ହେବାର ଛଳନା କରି ଧନଞ୍ଜୟ କହିଲା–ତୁ ଯେଉଁ ମତାମତ ଦେଇଛୁ ସେ ସତ୍ୟ କିନ୍ତୁ ବଡ଼ ନିଷ୍ଠୁର ସତ୍ୟ । ତୋର ମତାମତ ପରି ଆମେ ଯଦି ବ୍ୟବସାୟ କ୍ଷେତ୍ରରେ ସର୍ବଦା ସତ୍ୟବାଦୀ ହେଉ ତେବେ ବ୍ୟବସାୟ ଚଳିବ ନାହିଁ । ଆମେ ବ୍ୟବସାୟ କରୁ.....ଆଉ ଆମକୁ ନେଇ ବ୍ୟବସାୟ କରନ୍ତି ତଥାକଥିତ କର୍ମ୍ମୀଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ । ବ୍ୟକ୍ତିଗତ ଚାନ୍ଦା ଦେବାକୁ ହେବ, ପୁଣି ନିର୍ବାଚନ ପାଣ୍ଠିକୁ ବି ଦେବାକୁ ହେବ । ସରକାରୀ କର୍ମ୍ମଚାରୀମାନେ ତ ଅନ୍ୟତ୍ର ଅଛନ୍ତି । ସେଲ୍‌ଟ୍ୟାକ୍‌ସ୍‌ ଇନ୍‌ସ୍‌ପେକ୍ଟରଙ୍କଠାରୁ ଇନ୍‌କମ୍‌ ଟ୍ୟାକ୍‌ସ ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପୂଜା କରିବାକୁ ହେବ । ନବଗ୍ରହ ଭିତରୁ ଯେପରି କେଉଁ ଗ୍ରହ ଛାଡ଼୍‌ ନ ଯାଏ । ଏତେ ସବୁ ଖର୍ଚ୍ଚ ଆମକୁ ତ ଏଇ ବ୍ୟବସାୟ ଭିତରୁ କରିବାକୁ ହେବ-? ଚାଉଳ ଦର ନ ବଢ଼ିଲେ ଶ୍ରମିକ ସଂସ୍ଥା ବି ଉପକୃତ ହୋଇ ପାରିବେ ନାହିଁ । ସେମାନଙ୍କର ତ ପୁଣି ଆୟର ସ୍ତର ବଢ଼ିବା ଉଚିତ୍‌ ? ବଜାରର ଦର ଦିନକୁ ଦିନ ବଢ଼ିଚାଲିଛି; ସେମାନେ ତ ପୁଣି ମଣିଷ ହୋଇ ବଞ୍ଚିବେ....

ମାଳବିକାର ସ୍ୱପ୍ନ

 

ହଠାତ୍‌ କଥା ମଝିରେ ବାଧା ଆଣି ସୁବ୍ରତ କହି ଉଠିଲା–ତୁ ଏ ପର୍ଯ୍ୟନ୍ତ ଯାହା କହି ଆସୁଥିଲୁ ସବୁ ସତ କଥା । କିନ୍ତୁ ଶେଷକୁ ମିଛ କହିଲୁ । ଏହିଠାରେ ତୁ କଥା ଭିତରେ ବି ବ୍ୟବସାୟୀ ଚାଲ୍‌ ଖେଳିଦେଲୁ । ଶ୍ରମିକମାନଙ୍କ ପାଇଁ ଅନ୍ତର ତୁମର ଆଦୌ କାନ୍ଦୁ ନାହିଁ । ସେ ପଦକ ମନ୍ତ୍ରୀ, ଉପମନ୍ତ୍ରୀଙ୍କୁ ସଭାରେ କହିବା ପାଇଁ ଛାଡ଼ି ଦେଇଥାନ୍ତୁ । ସେମାନଙ୍କର ବ୍ୟବସାୟୀ ଭାଷଣରେ ସେ ପଦକ ସେମାନେ କହିଥାନ୍ତେ । ଆରେ ଭାଇ ଶ୍ରମିକ କହ, ଦିନ ମଜୁରିଆ କହ, କିରାଣୀ ଚପ୍ରାସି ପ୍ରଭୃତି ଅଳ୍ପ ବେତନିଆ ଛୋଟ ଚାକିରିଆ କହ–ସମସ୍ତେ ଏଇ ଦର ବୃଦ୍ଧିରେ ହନ୍ତସନ୍ତ ହୋଇ ମରୁଛନ୍ତି । ଓଳିଏ ଖାଇ, ଓଳିଏ ଉପାସ ରହି ପରଦିନ ସକାଳୁ ଧୋବ ଖଣ୍ଡେ କି ମଳି ଖଣ୍ଡେ ପିନ୍ଧି ବାହାରୁଛନ୍ତି । କେବଳ ଏତିକି ଜଣାଇ ଦେବାକୁ ଯେ ସେମାନେ ବଞ୍ଚିଛନ୍ତି; ଏୟାତ-? ଦର ବୃଦ୍ଧି ଅନୁସାରେ ତୁମେମାନେ କ’ଣ ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି କରୁଛ ? ଆଜକୁ ଦଶବର୍ଷ ତଳେ ଚାଉଳ ଟଙ୍କାରେ ଏବକାର ହିସାବକୁ ଧରିଲେ ପାଞ୍ଚ କିଲୋ ଥିଲା । ମୂଲିଆ ମଜୁରୀ ଥିଲା ଟଙ୍କାଟିଏ । କିନ୍ତୁ ବର୍ତ୍ତମାନ ଜିନିଷପତ୍ରର ଦାରଦାମ୍‌ ଯାହା ସେ ଅନୁସାରେ ଚାଉଳ ଟଙ୍କାକୁ ଏକ କିଲୋ । ଦଶ ବର୍ଷ ଭିତରେ ଯଦି ପାଞ୍ଚକିଲୋଟା କମିକମି ଏକକିଲୋ ହୁଏ, ତେବେ ସେଇ ଅନୁସାରେ କ’ଣ ମଜୁରୀ ବଢ଼ି ବଢ଼ି ପାଞ୍ଚଟଙ୍କା ହୋଇଛି ?

 

–ହଠାତ୍‌ ପ୍ରକୃତିସ୍ଥ ହେଲାପରି ଧନଞ୍ଜୟ କହିଉଠିଲା ଟ୍ୟାକ୍‌ସ୍‌ ତ ବର୍ଷକୁ ବର୍ଷ ବଢ଼ୁଛି । ଯୋଜନା ପାଇଁତ ଅର୍ଥ ଦରକାର ।

 

–ଏ ଗୋଟାଏ କଥା କହିଲୁ ଯେଉଁଟା ସତ । ମୁଁ ତୋ ସହିତ ଏ ବିଷୟରେ ଏକମତ । ଯୋଜନା ପାଇଁ ଟିକସ ବଢ଼ିବ ଆଉ ସେଇ ଅନୁପାତରେ ଚାଉଳ ଦର ବଢ଼ିଲେ କ’ଣ ଏତେ ଚିନ୍ତା ଥାନ୍ତା ? ଟ୍ୟାକ୍‌ସ ଦେଲେ ମଧ୍ୟ ଉଚିତ୍‌ ଦରରେ ବିକିଲେ ଟଙ୍କାକୁ ଚାଉଳ ଦୁଇ କିଲୋ ହୁଅନ୍ତା । କିନ୍ତୁ ତୁମେ ମାଲସବୁ ମହଜୁଦ୍‌ ରଖି ଦେଶରେ ଯେଉଁ କୃତ୍ରିମ ଅଭାବ ସୃଷ୍ଟି କରି ଚାଉଳ ଦର ବୃଦ୍ଧି କରୁଛ ସେ କ’ଣ ମାନବିକତା ? ମନୁଷ୍ୟ ଭାବରେ ତୁମର ମଧ୍ୟ ତ ତୁମଭଳି ହାତଗୋଡ଼ଥିବା ଅନ୍ୟ ମଣିଷପାଇଁ କର୍ତ୍ତବ୍ୟ ଅଛି ? ସେତିକି କର୍ତ୍ତବ୍ୟ ପାଳନ କରିବାକୁ ତୁମର ବିବେକ ପଶ୍ଚାତ୍‌ପଦ ହେଲାବେଳେ, ମୋର କାଗଜ ଜରିଆରେ ମୋର ବିବେକ ତୁମକୁ ଧିକ୍‌କାର କରେ । ମୁଁ ମଣିଷ ସମାଜରେ ମଣିଷଟିଏ । ତୁମମାନଙ୍କଭଳି ଏ ପର୍ଯ୍ୟନ୍ତ ଅସାମାଜିକ ହୋଇନାହିଁ । ଗଣ ଭିତରୁ ତୁମେ କେତେ ଜଣ ସୃଷ୍ଟି ହୋଇ ଗଣକୁ ପଳେପଳେ ହତ୍ୟା କରୁଛ । ବ୍ୟବସାୟ କରିବ ବୋଲି ଖଦଡ଼ ପିନ୍ଧୁଛ । ଦେଶସେବା ଯେଉଁମାନଙ୍କର ବ୍ୟବସାୟ ସେମାନଙ୍କର ବନ୍ଦନା ଗାଇ ବୁଲୁଛ । ସେମାନଙ୍କୁ ସଭା ସମିତିରେ ଫୁଲମାଳ ପିନ୍ଧାଉଛ, ସଂବର୍ଦ୍ଧିତ କରୁଛ । ତାଙ୍କର ପଶୁତ୍ୱକୁ ପ୍ରସଂଶାକରି ମାଇକ୍‌ ପାଖରେ ଠିଆହୋଇ ନିରୀହ ଜନତାକୁ ମତାଉଛ–‘‘ତାଙ୍କୁ ଭୋଟ ଦିଅ, ଜନପ୍ରତିନିଧି କର । ତୁମର, ତୁମ ଗାଁର, ତୁମ ଦେଶର ସେଇ କେବଳ କର୍ଣ୍ଣଧାର ହୋଇ ପାରିବେ-।’’ ପର ପାଇଁ ସ୍ୱାର୍ଥପର ହୋଇ ଯେଉଁମାନେ ବ୍ୟାଙ୍କ୍‌ର ବାଲାନ୍‌ସକୁ ମୋଟା କରି ପାରନ୍ତି, ଦେଶର ଅଗଣିତ ଜନତାର ଶ୍ରମୋର୍ଜ୍ଜିତ ଖଜଣାକୁ ଲୁଣ୍ଠନ କରି ଦୁଇମହଲା କୋଠା କରି ନିଅନ୍‌ ଆଲୁଅରେ ପେଟ ଦେଖାଇ ଇଲେକଟ୍ରିକ ପଙ୍ଖାତଳେ ହାଓ୍ୱା ଖାଇ ପାରନ୍ତି; ନିଜର ଏବଂ ତୁମମାନଙ୍କଭଳି କେତେଟା ଖୋସାମତିଆଙ୍କର ଉନ୍ନତି କରି ପାରନ୍ତି–ତୁମେମାନେ ସେମାନଙ୍କର ବନ୍ଦନା ଗାଇବା ପୂର୍ବରୁ, ସେମାନଙ୍କର ପାଣ୍ଠିକୁ ଚାନ୍ଦାଦେବା ପୂର୍ବରୁ ଟିକେ ବିଚାର କରିବାକୁ ମୁଁ ଅନୁରୋଧ କରୁଛି । ମନଜ୍ଞାନ ଦେଇ କଥାଟାକୁ ଓଜନ କର । ତୁମ ଶିକ୍ଷା ପ୍ରତି ଟିକେ ଦୃଷ୍ଟି ଦେଇ ଭାବିଲେ ତୁମେ ଦେଖି ପାରିବ, ତୁମେ ଶିକ୍ଷାର କେତେ ଅସମ୍ମାନ କରୁଛ । ଏ ଦେଶରେ ଜଣେ ନନ୍ଦା ଜନ୍ମହେଲେ କ’ଣ ହେବ, ତୁମଭଳି ଯେ ହଜାର ହଜାର ଦୁର୍ନୀତି ଗ୍ରସ୍ତ, ପରାଙ୍ଗପୁଷ୍ଟ ଜନ୍ମ ହୋଇଛନ୍ତି ! ମୋ ମତରେ ଧନଞ୍ଜୟ ତୁ ମୂର୍ଖ ହେବା ଉଚିତ୍‌ ଥିଲା । ଏତେ ଜ୍ଞାନ ଥାଇ କିବା ଲାଭ ? ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ନେଲାଦିନ କନ୍‌ଭୋକେସନ୍‌ ମିଟିଙ୍ଗ୍‌ରେ ଯେଉଁ ଶପଥ କରିଥିଲୁ ସେ କେବଳ କଥାରେ ରହିଗଲା । ତାକୁ କାମରେ ଟିକେ ମଧ୍ୟ ଦେଖାଇ ପାରିଲୁ ନାହିଁ ?

 

ପ୍ରେସ୍‌ର ବୟ୍‌ ଚାହା ଦେଇଗଲା ।

 

ଗୋଟିଏ ଚାହା କପ୍‌ରେ ନିଜେ ଚୁମକ୍‌ ଦେଇ, ଅନ୍ୟ କପ୍‌ଟି ଧନଞ୍ଜୟ ଆଡ଼କୁ ବଢ଼ାଇଦେଇ ସୁବ୍ରତ କହିଲା–ଆମ ଗାଁର ବିବେକ ରାଉତ ମୂର୍ଖ । ଟାଉଟରୀ କରୁଥିଲା । ବ୍ୟବସାୟ କରୁଥିଲା । ସରପଞ୍ଚ ହେଲା । ଖଦଡ଼ ପିନ୍ଧିଲା । ସେତେବେଳେ ତା’ର କାର୍ଯ୍ୟକଳାପ ଦେଖି ଆମେମାନେ ହସୁଥିଲୁ । ସାଙ୍ଗ ମେଳରେ କହୁଥିଲୁ କଣାରନାମ ପଦ୍ମଲୋଚନ ଦେଲା ପରି ଏ ଅବିବେକୀ ଲୋକର ନାମ ତା ବାପା ବିବେକ ଦେଲା କିପରି ? ତାପରେ ଆମେମାନେ ଯେତେବେଳେ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇ ଏ ସମାଜ ଭିତରେ ପ୍ରତିନିଧିତ୍ୱ କରିବା ପାଇଁ ଆସିଲେ ସେତେବେଳେ ଆମେମାନେ ବିବେକୀ ଉଚିତ୍‌ । ଆମେ ଅବିବେକୀ ହେଲେ କାଲି ବିବେକ ରାଉତ ଆଙ୍ଗୁଠି ଦେଖାଇ କହିବ–ପରକୁ ଖାଲି ବାପା କହିଜାଣ, କିନ୍ତୁ ବୁଝି ପାରୁନ ଯେ ଦୋଷଟା ସେଇ ଚଉକିର ! ସେଇ ପୁରୁଣା ସଂଜ୍ଞା, ସେଇ ପୁରୁଣା ଆତ୍ମରକ୍ଷା କବଚର ଉଦାହରଣ ଦେବ ।

 

–ବୁଝିଲୁ ସୁବ୍ରତ, ତୁ ଯାହା ଭାବପ୍ରବଣ ହୋଇ ଗାଇଚାଲିଛୁ ସେ ସବୁ ପୋଥି ବାଇଗଣ-। ଦେଖିବାକୁ ସୁନ୍ଦର । କିନ୍ତୁ ଭାଜିକରି ଖାଇ ହେବ ନାହିଁ । ‘ସର୍ବଦା ସତ୍ୟ କହିବ’, ହସ୍ତାକ୍ଷର ସମସ୍ତେ ଲେଖନ୍ତି । ସେଠାରେ ସତ କହିବାଟା ଅକ୍ଷର ଗୋଲ ପାଇଁ ଲେଖାଯାଏ କିନ୍ତୁ ତା ପରେ ସମାଜରେ କେତେଜଣ ସତ କହନ୍ତି ? ବାସ୍ତବ ଜୀବନରେ ଉପଦେଶ ଶୁଣିବାକୁ ଭଲ ଲେଗେ କିନ୍ତୁ ଉପଦେଶ ବାହାରେ କାମ କରିବାକୁ ଆଗ୍ରହ ଆସେ । ଉପଦେଶ ବାହାରେ କାମ କରି ମଣିଷ ସୁଖ, ସମ୍ମାନ, ପ୍ରତିପତ୍ତି ସବୁ ପାଏ । ମୁଁ କହୁଛି ସମ୍ଭୋଗ ପାଇଁ ମଣିଷ ଏ ଦୁନିଆକୁ ଆସିଛି । ସମ୍ଭୋଗ ଅର୍ଥ ଭଲ ଖାଇବା, ଭଲ ପିନ୍ଧିବା, ସୂଚି ଅନୁସାରେ କାର୍ଯ୍ୟ କରିବା ବୋଲି ମୁଁ ବୁଝେ । ସେତକ ପାଇବାପାଇଁ ଆମ ମସ୍ତିଷ୍କକୁ ପରିଚାଳିତ କରିବା ଦରକାର । ସେଥିପାଇଁ ଯେକୌଣସି ପ୍ରକାର କଷ୍ଟକୁ ମୁଣ୍ଡପାତି ସହିନେବା ପାଇଁ ଆମକୁ ପ୍ରସ୍ତୁତ ହେବା ଦରକାର ।

 

–ସେଥିପାଇଁ ବୋଧହୁଏ ତୁ ଏ ପ୍ରକାର ହୀନବୃତ୍ତି ଧରିଛୁ ?

 

–ସେ ଯାହାହେଉ ମୁଁ ଗୋଟାଏ କଥା କହୁଛି, ମନଦେଇ ଶୁଣ, ତୋର ଯଦି ଅର୍ଥର ଆବଶ୍ୟକତା ଥାଏ, ତୁ ବନ୍ଧୁ ଭାବରେ ମୋତେ ଅକପଟ ଚିତ୍ତରେ ଜଣାଇଲେ ମୁଁ ତୋର ସେ ଅଭାବଟା ନିଶ୍ଚୟ ପୂରଣ କରିବି । ଏ ପ୍ରତିଶୃତି ମୁଁ ତୋତେ ଦେଉଛି । ମୋର ଅନୁରୋଧ ତୁ ଆମ ବ୍ୟବସାୟ ପ୍ରତିଷ୍ଠାନର ବଦନାମ୍ କରିବାରୁ ନିବୃତ୍ତ ହୁଅ । ଧାରାବାହିକ ଭାବରେ ତୁ ଆଉ ତୋ କାଗଜରେ ଆମ ନାମରେ କୁତ୍ସା ପ୍ରଚାର କର ନାହିଁ ।

 

ନିଆଁରେ ଘୃତାହୂତି ଦେଲାପରି ହଠାତ୍ କ୍ରୋଧରେ ଜଳି ଉଠି ସୁବ୍ରତ କହିଲା–ମୋର ଅନୁରୋଧ ଧନଞ୍ଜୟ, ତୁ ତୋର ବାସନାକୁ ସଂଜତ କର । ମୋତେ ଏତେଟା ନୀଚ ବୋଲି ତୁ କିପରି ଭାବିପାରିଲୁ ? ନିର୍ବାଚନ ପାଣ୍ଠିକୁ ଚାନ୍ଦା ଦେଲେ କିମ୍ବା ସରକାରୀ ଅଫିସରଙ୍କୁ ଲାଞ୍ଚ ଦେଲେ ସିନା ପରମିଟ୍ ମିଳିପାରିବ, କିନ୍ତୁ ସୁବ୍ରତ ପରି ଦାରିଦ୍ର୍ୟ କଷାଘାତରେ ନିପୀଡ଼ିତ ଯୁବକକୁ କିଣାଯାଇ ପାରିବ ନାହିଁ । ସେ ତୋର ଦୁଃସାହାସ । ବିଭିନ୍ନ କ୍ଷେତ୍ରରେ ବୋଧହୁଏ ତୁ ତୋର ଏଇ ଅମୋଘ ଅସ୍ତ୍ରଟା ପ୍ରୟୋଗ କରି ସଫଳ ହୋଇଛୁ ବୋଲି ମୋ ପାଖରେ ବି ସେହି ପନ୍ଥା ଅନୁସରଣ କରିବା ପାଇଁ ପଶ୍ଚାତ୍‌ପଦ ହେଲୁନି ! କିନ୍ତୁ ଭୁଲିଗଲୁ ଯେ ତୋର ଅମୋଘ ଅସ୍ତ୍ର ମୋର ଧୈର୍ଯ୍ୟର ପାହାଡ଼ରେ ବାଜି ଚୂରମାର ହୋଇଯିବ ।

 

ଚୌକି ଛାଡ଼ି ଠିଆ ହେଉ ହେଉ ଧନଞ୍ଜୟ କହିଲା–ଆଚ୍ଛା, ମୋତେ ଯିବାକୁ ଦେ । ବନ୍ଧୁତ୍ୱ ଓ ବ୍ୟବସାୟ, ଉଭୟ ନୀତିକୁ ପ୍ରୟୋଗ କରି ଯେତେବେଳେ ବିଫଳ ହେଉଛି, ମୋତେ ତୁ ଆଇନ୍‌ର ଆଶ୍ରା ନେବାକୁ ବାଧ୍ୟ କରୁଛୁ ।

କ୍ରୋଧରେ ସୁବ୍ରତର ମୁଣ୍ଡଟା ଝିମ୍‌ ଝିମ୍‌ କରୁଥିଲା ।

ସୌଜନ୍ୟତା ଦେଖାଇବା ପାଇଁ ସୁବ୍ରତ, ଧନଞ୍ଜୟକୁ ବଳାଇ ଦେବାପାଇଁ ଯାଉ ଯାଉ କହିଲା–ସତ୍ୟ ଆଉ ନ୍ୟାୟର ବିଚାରପାଇଁ ଆଇନ୍‌ ଖଞ୍ଜା ହୋଇଛି । ମୁଁ ଆଶାକରେ ସତ୍ୟର ଜୟ ହେବ । ବିଶେଷତଃ ତୋ ନିଷ୍ପତ୍ତିପାଇଁ ତୋର ବିଚାରକୁ ମୁଁ ସ୍ୱାଗତ କରୁଛି ।

ଗ୍ରୀନ୍‌ ରୁମ୍‌ରେ ବସି ମାଳବିକାଦେବୀ ଆଖି ପତାତଳେ ସରୁ କଜ୍ଜ୍ୱଳର ଗାର ଟାଣୁଥିଲେ...

ଆଜିର ନାଟକରେ ସତୀର ଭୁମିକା ତାଙ୍କର । ନିରହଂକାରୀ, ଆଉ ନିରୀହା ସରଳା ଗ୍ରାମ୍ୟବାଳିକା ରୂପେ ସେ ଆଜି ମଲାଜହ୍ନ ନାଟକରେ ଅଂଶ ଗ୍ରହଣ କରିବେ । ନିଜର ଅଙ୍ଗସଜ୍ଜାକୁ ଯେତେଟା ସାଧାରଣ କରିବାର କଥା ସେତେଟା କରିବାକୁ ସେ ଚେଷ୍ଟା କରୁଥିଲେ । ପ୍ରେକ୍ଷାଳୟ ଦର୍ଶକମାନଙ୍କଦ୍ୱାରା ପରିପୂର୍ଣ୍ଣ । କୋଳାହଳ ବେଶ୍ ଜମି ଉଠିଛି । ଟିକେଟ୍‌ ବିକ୍ରି ସରିନାହିଁ ।

ଆଉ ଅଧଘଣ୍ଟାଏ ପରେ ନାଟକ ଆରମ୍ଭ ହେବ ।

କଟକ ଜିଲ୍ଲାର ଏକ ଉପାନ୍ତରେ ଜନବହୁଳ ଏଇ ଗାଁଟିର ନାମ କନକପୁର । ବହୁତ ବ୍ୟବସାୟୀ ଏଠାରେ ବାସ କରନ୍ତି । ଚାଷ ବି ଭଲ ହୁଏ । ବ୍ୟବସାୟ ଓ କୃଷି-ପ୍ରଧାନ ଏଇ ଗାଁର ଲୋକମାନେ ଖୁବ୍‌ ପରିଶ୍ରମୀ ଓ ଉତ୍ସାହୀ । ଗାଁରେ ନୂଆକରି ଗଢ଼ି ଉଠୁଥିବା ହାଇସ୍କୁଲର ସାହାଯ୍ୟ ପାଇଁ ଏ ନାଟକ ସେମାନେ ଆୟୋଜନ କରିଛନ୍ତି ।

ମାଳବିକାଦେବୀ ଏହିପରି ବହୁ ଶିଶୁ ଅନୁଷ୍ଠାନ ଗଢ଼ିବାରେ ସାହାଯ୍ୟ କରିଛନ୍ତି ।

 

ହୁଏତ ଆପଣମାନେ କହିବେ; ମିସ୍‌ ମାଳବିକାଦେବୀ ତ ପେଷାଦାର ଅଭିନେତ୍ରୀ ! ନାଚନ୍ତି, ଗାଆନ୍ତି, ଅଙ୍ଗ ସୌଷ୍ଠବର ଲାଳିତ୍ୟ ଦେଖାଇ । ତା ବିନିମୟରେ ପାରିଶ୍ରମିକ ନିଅନ୍ତି । ମୂଲ ଲାଗିଲେ ମଜୁରୀ ନେଲେ । ସେ ପୁଣି ଅନୁଷ୍ଠାନ ଗଠନରେ ସାହାଯ୍ୟ କଲେ କିପରି ? ଆପଣଙ୍କ ପ୍ରଶ୍ନକୁ ଉତ୍ତମ ରୂପେ ବିଶ୍ଳେଷଣ କଲେ ଆପଣ ନିଜେ ଏହାର ଉତ୍ତର ପାଇପାରିବେ ଯେ ମାଳବିକାଦେବୀଙ୍କ ଅନୁପସ୍ଥିତିରେ ଏତେ ଟିକେଟ ବିକ୍ରି ହୋଇ ପାରନ୍ତା ନାହିଁ । ଦର୍ଶକମାନଙ୍କର ମଧ୍ୟ ଏତେ ସମାଗମ ହୋଇ ପାରନ୍ତା ନାହିଁ ।

 

ପ୍ରକାରାନ୍ତରେ ମାଳବିକାଦେବୀ ଯେ ଅନୁଷ୍ଠାନକୁ ସାହାଯ୍ୟ କରନ୍ତି ଏକଥା ଅନସ୍ୱୀକାର୍ଯ୍ୟ ।

 

ଗ୍ରୀନ୍‌ ରୁମ୍‌ ସେ ପାଖରେ ସୁବୋଧ ବାବୁ ବସି ସିଗାରେଟ୍‌ରୁ ଧୂମ ନିର୍ଗତ କରୁଥିଲେ ।

 

ମାଳବିକାଦେବୀଙ୍କର ଅଭିଭାବକ ରୂପେ ଗତକାଲି ମାଳବିକାଦେବୀଙ୍କ ସହିତ ସେ ଆସି ପହଞ୍ଚିଛନ୍ତି । ବହୁତଥର ‘‘ମଲାଜହ୍ନ’’ ନାଟକରେ ଏଇ ଭୂମିକାରେ ମାଳବିକାଦେବୀ ଅଭିନୟ କରିଥିବାରୁ ତାଙ୍କର ପୂର୍ବରୁ ଆସିବାର ଆବଶ୍ୟକତା ନ ଥିଲା ।

 

ଆଜିକାଲିର ଏ ସମାଜ ବଡ଼ ଚପଳ । ରଙ୍ଗମଞ୍ଚର ଅଭିନେତାମାନେ ମଧ୍ୟ ଚଳ-ଚଞ୍ଚଳ ନୁହଁନ୍ତି ! ବାଆକୁବତା ପରି ସୁବୋଧବାବୁ ସିନା କନ୍ୟାର ଅଙ୍ଗରକ୍ଷୀ ସାଜୁଛନ୍ତି କିନ୍ତୁ ଝଡ଼ ଝଞ୍ଜା ସମ୍ଭାଳିବାକୁ ସେ ଅକ୍ଷମ । ତାଙ୍କର ଦେହ-ବତା ସଂସାରରେ ଖରା ଖାଇ ଖାଇ ଶୁଖିଗଲାଣି । ନାମକୁ ମାତ୍ର ଚାଳ ଉପରେ ପଡ଼ି ରହିଛି, କେବଳ ବାହାର ଦୁନିଆଁକୁ ଦେଖାଇ ହେବା ପାଇଁ ଯେ ‘‘ମୁଁ ବଞ୍ଚିଛି । ମୁଁ ପୁରୁଷ । ଯେ କୌଣସି ବିପଦର ପ୍ରତିରୋଧ କରିବା ପାଇଁ ମୋ ଭିତରେ ଶକ୍ତି ଅଛି ।’’

 

ସରକାରୀ ଚାକିରୀରୁ ପେନ୍‌ସନ୍‌ ପାଇଲା ପରେ ଜୀବନର ଅବଶିଷ୍ଟ ସମୟକୁ ଶାନ୍ତିରେ କଟାଇବା ପାଇଁ ସେ ମନସ୍ଥ କରିଥିଲେ । ରେଭେନ୍ୟୁ କମିଶନରଙ୍କର ଷ୍ଟେନୋ ହିସାବରେ ସାରା ଓଡ଼ିଶା ସେ ଗ୍ରସ୍ତ କରିଛନ୍ତି । ସଦାବେଳେ ଏଇ ବାରବୁଲା ଚାକିରୀକୁ ଘୃଣା କରି ଆସିଛନ୍ତି । ବୁଲି ବୁଲି ଚାକିରୀ ପ୍ରତି ତିକ୍ତତା ଆସି ଯାଇଥିଲା । ସଦାବେଳେ ଚାକିରୀ ଛାଡ଼ିବେ ବୋଲି ଇଚ୍ଛା କରୁଥିଲେ । କିନ୍ତୁ କଳ୍ପନା ମୂଳେ କାଳ ଥିଲା...ବୟସର ଘଣ୍ଟି ବାଜିଲା । ଚାକିରୀ ତାଙ୍କୁ ଛାଡ଼ିଦେଲା-

 

ଅବଶ୍ୟ ଅଫିସ୍‌ରୁ ସେଦିନ ବିଦାୟ ଭୋଜୀ ଖାଇ ସାରି ଆସିଲା ବେଳେ ତାଙ୍କ ଆଖିରେ ଲୁହ ଜମି ଆସିଥିଲା । ଏତେ ବର୍ଷର ମାୟା ମମତା ଛିଣ୍ଡାଇ ଆସିବା କମ୍ କଥା ନୁହେଁ !

 

ଏବେ ବି ମନେ ପଡ଼େ । ମନେ ପଡ଼ିଲେ ହସ ମାଡ଼େ । ଅଫିସ୍‌ରୁ ରିଲିଭ୍‌ ହୋଇ ଆସିବା ପରଦିନ ବି ସେ ଖାଇପିଇ ପୂର୍ବବତ୍ ଅଫିସ୍‌କୁ ବାହାରୁଥିଲେ । ମାଳ ବୋଉ ସ୍ମରଣ କରାଇଦେଇ ନଥିଲେ ସେ ଅଫିସ୍‌ରେ ପହଞ୍ଚି ଅପଦସ୍ତ ହୋଇଥାନ୍ତେ ।

 

ଜୀବନଟା ଏଇପରି ଗୋଟାଏ ରୁଟିନ୍‌ରେ ବନ୍ଧାହୋଇ ଚାଲିଲେ ସେଥିରେ ଆଉ ନୂତନତ୍ୱ ନଥାଏ । ଗୋଟାଏ ମେସିନ୍‌ ପରି ଜୀବନ ଗଡ଼ିଚାଲେ ।

 

କମିଶନରଙ୍କର ଷ୍ଟେନୋ ଚାକିରୀ ସିନା ଗଲା, କିନ୍ତୁ ସଙ୍ଗେ ସଙ୍ଗେ ମାଳବିକାର ଦେହରକ୍ଷୀ ହେବାର ଚାକିରୀଟା ଜୁଟିଗଲା । ତାଙ୍କର ପେନସନ ପରେ ମାଳବିକା କଟକ ସହର ଛାଡ଼ି ଅଭିନୟ କାର୍ଯ୍ୟକ୍ରମରେ ବିଭିନ୍ନ ରଙ୍ଗମଞ୍ଚକୁ ଯିବାକୁ ପ୍ରସ୍ତୁତ ହେଲା ।

 

ସଂସାର ଗତି ବଡ଼ ବିଚିତ୍ର । କଥାରେ ଅଛି ‘‘ଗାଈକୁ ମାଇଲେ ମଲି । ଗାଇ ମାଇଲେ ବି ମଲି ।’’ ସେପରି ସୁବୋଧ ବାବୁଙ୍କ ଅବସ୍ଥା । ଏ ପାଖରେ ଯୁବତୀ କନ୍ୟା, ସଙ୍ଗରେ ଅଭିଭାବକ ନଗଲେ ନଚଳେ । ହାନି ଲାଭର ଆଶଙ୍କା ଯଥେଷ୍ଟ ଅଛି । ପୁଣି କନ୍ୟାସହ ନଗଲେ କନ୍ୟା ତା’ର କଳାର ସାଧନା ପଥରୁ ଓହରି ରହିଯିବ । ଫଳରେ ଯେଉଁଥିପାଇଁ ତାଙ୍କର ପ୍ରତିଷ୍ଠା, ଯେଉଁଥିପାଇଁ ତାଙ୍କ କନ୍ୟାର ଏତେ ସୁନାମ, ସବୁଥିରେ ଆଞ୍ଚ ଆସିବ । ଅଗତ୍ୟା ସୁବୋଧବାବୁ ରିଟାୟାର୍ଡ଼ ପରେ ବିଶ୍ରାମ ନେବେ କ’ଣ, କନ୍ୟା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ୟାର ଦେହରକ୍ଷୀ ରୂପେ ଯୋଗ ଦିଅନ୍ତି ।

 

ଅଭିନୟ ଆରମ୍ଭ ହେବାର ଦ୍ୱିତୀୟ ଘଣ୍ଟିବାଜିଲା । ପୂର୍ବର କୋଳାହଳ ନୀରବ ହୋଇ ଆସିଲାଣି । ବୋଧହୁଏ ଆଜିର ନାଟକକୁ ଉଦ୍‌ଘାଟନ କରିବାକୁ ପ୍ରଧାନ ଅତିଥି ଆସିଗଲେଣି ।

 

ମାଳବିକାଦେବୀ ଚଞ୍ଚଳ ହୋଇ ଉଠିଲେ । ଆଇନା ପାଖରେ ଠିଆହୋଇ ପୁଣି ଥରେ ନିଜର ମେକ୍‌ଅପ୍‌କୁ ଦେଖିନେଲେ ।

 

–ଦିଦି ।

 

–ନିବିଷ୍ଟ ଚିତ୍ତରେ ନିଜର ମେକ୍‌ଅପ୍‌କୁ ଦେଖୁ ଦେଖୁ ମାଳବିକା ଦେବୀ କାହାର କଣ୍ଠସ୍ୱର ଶୁଣି ଚମକି ପଡ଼ି ବୁଲି ଚାହିଁଲେ ।

 

ଦେଖିଲେ ସେପାଖ ଉଇଙ୍ଗିସ୍‌ ଭିତରୁ ପଶି ଆସୁଛି ଝରଣା, ତାଙ୍କରିପରି ଆଉ ଜଣେ ପେଷାଦାର ଅଭିନେତ୍ରୀ । ଅବଶ୍ୟ ତାଙ୍କଠାରୁ ବୟସ ତଥା ଜ୍ଞାନରେ ସେ କମ୍‌ ହେବ । ସେ ବି ବୋଧହୁଏ ଏଇ ନାଟକରେ ଅଂଶଗ୍ରହଣ କରିବାକୁ ଚୁକ୍ତିବଦ୍ଧ ହୋଇଛି । ନଚେତ୍ କଟକଛାଡ଼ି ଏପରି ଅସମୟରେ ଏଠାକୁ ଆସିଥାଆନ୍ତା କାହିଁକି ?

 

ଆରେ ଝରଣା ଯେ ! ତୁମେ କ’ଣ ନାଟକରେ ଅଂଶ ଗ୍ରହଣ କରିଛି ? –ବିସ୍ମିତ କଣ୍ଠରେ ପ୍ରଶ୍ନକଲେ ମାଳବିକାଦେବୀ ।

 

–ଆପଣ କ’ଣ ଜାଣନ୍ତି ନି ?

 

–ଜାଣିବାର ଅବକାଶ ମୋତେ କୁଆଡ଼ୁ ମିଳିଲା ଯେ ? ମଲାଜହ୍ନ ନାଟକରେ ମୁଁ ପୂର୍ବରୁ ବହୁବାର ଏଇ ଏକ ଭୂମିକାରେ ଅଭିନୟ କରିଛି ବୋଲି ମୋର ଏଠାରେ ଷ୍ଟେଜ୍‌ ରିହର୍‌ସାଲ୍‌ ପର୍ଯ୍ୟନ୍ତ ହୋଇନି । ଗତକାଲିତ ମାତ୍ର ଏଠାରେ ଆସି ପହୁଞ୍ଚିଛି । ଅବଶ୍ୟ ଆଜି ନାଟକର ନିର୍ଦ୍ଦେଶକ ମୋତେ ଅଭିନୟ କରୁଥିବା ସମସ୍ତିଙ୍କ ସହିତ ପରିଚୟ କରାଇ ଦେଇଥିଲେ । କିନ୍ତୁ ତୁମେ ତ ସେଠାରେ ନଥିଲ ?

 

–ନା ନଥିଲି । ଏଠାକୁ ମୁଁ ପ୍ରାୟ ଏକ ସପ୍ତାହ ହେବ ଆସିଲିଣି । ଏହା ମଧ୍ୟରେ ଗ୍ରାମରେ ଅନେକ ବାନ୍ଧବୀ ମୋର ଗଢ଼ି ଉଠିଛନ୍ତି । ମୁଁ ସେହିମାନଙ୍କ ମଧ୍ୟରୁ ଜଣକ ଘରକୁ ଯାଇଥିଲି ।

 

–ଆଚ୍ଛା ଆଚ୍ଛା–ଆଉ କ’ଣ କହୁଥିଲ ମୋତେ ?

 

–ଆପଣଙ୍କ ମେକଅପ୍‌ ସରିଗଲାଣି ନା ? ପ୍ରଥମ ଅଙ୍କ ପ୍ରଥମ ଦୃଶ୍ୟରେ ଆପଣ ବାହାରିବେ ଯେ...

 

–ପ୍ରାୟ ସରି ଆସିଲାଣି । ତୁମେମାନେ ସବୁ ପ୍ରସ୍ତୁତ ତ ?

 

ହଁ ପ୍ରାୟ ପ୍ରସ୍ତୁତ ହୋଇ ଗଲୁଣି । ଆମର ତ ସିନ୍‌ ବହୁତ ପଛରେ ଅଛି । ତେବେ ମୁଁ କହୁଥିଲିକି ଦିଦି; –ଯଦି କଜ୍ଜ୍ୱଳରେ ଗୋଟିଏ ଛୋଟ ବିଉଟି ସ୍ପଟ୍‌ ଆପଣଙ୍କ ଚିବୁକ ତଳେ ଦିଆଯାଆନ୍ତା ତେବେ ଖୁବ୍‌ ଭଲମାନନ୍ତା । ହସି ହସି ଝରଣା କହିଲା ।

 

ହସିଦେଲେ ମାଳବିକାଦେବୀ । ସେପରି ଯଥେଷ୍ଟ ଶିକ୍ଷାଦୀକ୍ଷା ନଥିଲେ ମଧ୍ୟ ଝରଣାତ ତାଙ୍କରି ପରି ଜଣେ ଶିଳ୍ପୀ । ତା’ର ପ୍ରସ୍ତାବ ନିଶ୍ଚୟ ଅଭିନନ୍ଦନୀୟ ।

 

ଗଭାରୁ କଣ୍ଟାଟିଏ କାଢ଼ି ସେଥିରେ ଗୋଟିଏ ବିଉଟି ସ୍ପଟ୍‌ ନିଜର ଚିବୁକରେ ନିଜେ ଆଙ୍କି ଦେଲେ ମାଳବିକା ଦେବୀ ।

 

ଆଇନାରେ ନିଜ ମୁହଁକୁ ଆଉ ଥରେ ଦେଖିନେଇ ହସି ହସି କହି ଉଠିଲେ–ଏଥର ମନକୁ ପାଇଲା ତ ?

 

ମାଇକରୁ ସିନେମା ରେକର୍ଡ଼ର ଗର୍ଜ୍ଜନ ବନ୍ଦ୍‌ ହୋଇଯାଇଛି । ସ୍କୁଲର ସଂପାଦକ ମହାଶୟ ପ୍ରଧାନ ଅତିଥିଙ୍କର ପରିଚୟ ପ୍ରଦାନ କରୁଛନ୍ତି ।

 

ଗତାନୁଗତିକ ସ୍ତୁତିବାକ୍ୟ ପରେ ଅତିଥିଙ୍କ ପରିଚୟ ଦେବାକୁ ଯାଇ ସଂପାଦକ ମହାଶୟ କହୁଥାନ୍ତି–ଶ୍ରୀଯୁକ୍ତ ଧନଞ୍ଜୟ ଭଞ୍ଜ, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି, ତାଙ୍କୁ ଆପଣମାନେ ନିଶ୍ଚୟ ଚିହ୍ନନ୍ତି । ପ୍ରତିଦିନ ସଂବାଦପତ୍ରରେ ତାଙ୍କ ନାମ ଆପଣମାନେ ପଢ଼ୁଥିବେ । ବହୁ ଶିକ୍ଷାନୁଷ୍ଠାନ ଆଦି ତାଙ୍କରି ଦାନରେ ସମୃଦ୍ଧ । ଆମ କନକପୁର ପଲ୍ଲୀ ଅଞ୍ଚଳ ଶିକ୍ଷା ଦିଗରେ ବହୁ ଦିନରୁ ଅବହେଳିତ ହୋଇ ପଡ଼ିଛି । ସୁସ୍ଥ ସମାଜର ପ୍ରତିନିଧି ରୂପେ ଆଜି ଏ ଅଞ୍ଚଳ ଧନଞ୍ଜୟ ବାବୁଙ୍କୁ ପାଇ ଗର୍ବୀତ । ଯାହାହେଉ ଧନଞ୍ଜୟ ବାବୁ ଏ ଅନୁଷ୍ଠାନ ପ୍ରତି ସଦୟ ଦୃଷ୍ଟିଦେବେ ଏଥିରେ ଆମର ଭରସା ଓ ବିଶ୍ୱାସ ଅଛି ।

 

ଗ୍ରୀନ୍‌ରୁମ୍‌ରେ ଥାଇ ମାଳବିକାଦେବୀ ସଂପାଦକଙ୍କର ସ୍ତୁତି ବାକ୍ୟ ଶୁଣିଲେ । ସେତିକି ଶୁଣି ସାରିବା ପରେ ଅତିଥି ମହାଶୟ କ’ଣ ବତ୍କୃତାଦେଲେ ତାକୁ ଶୁଣିବାକୁ ତାଙ୍କର ଆଉ ଧୈର୍ଯ୍ୟ ନଥିଲା । ଧନଞ୍ଜୟ ଭଞ୍ଜଙ୍କର ସବୁ କଥା ଗୁଡ଼ାକ ତାଙ୍କର ଏ କାନ ବାଟେ ପଶି ସେ କାନ ବାଟେ ବାହାରି ଯାଉଥିଲା ।

 

ମାଳବିକାଦେବୀ ନିଜର ଉପସ୍ଥିତି କଥା ଭାବୁଥିଲେ ।

 

ତାଙ୍କ ମନ ଭିତରୁ ଯେପରି କିଏ ତୁହାଇ ତୁହାଇ କହିଉଠିଲା–ଧନଞ୍ଜୟ ଭଞ୍ଜ ପରି ଜଣେ ଦୁର୍ନୀତିଗ୍ରସ୍ତ, ଚରିତ୍ରହୀନ ଶିଳ୍ପପତିକୁ ଅଭିନନ୍ଦନ ଜଣାଇବାକୁ ତୁ କ’ଣ ନଟୀ ବେଶରେ ନିଜକୁ ସଜ୍ଜିତ କରି ପ୍ରତୀକ୍ଷମାଣା ହୋଇ ବସି ରହିଛୁ ? ଗୋଟିଏ ଅନୁଷ୍ଠାନ ବଞ୍ଚିବା ପାଇଁ ଅର୍ଥ ଦରକାର, ଆଉ ଅର୍ଥ ଆସିବାପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରାଯାଏ । ସେ ଭିତରେ ତୋ ଭଳି ତରୁଣୀର ରୂପଲାବଣ୍ୟକୁ ପଣ୍ୟ କରିବା ଯଦି ଶୋଭନୀୟ ହୁଏ ତେବେ ଧନଞ୍ଜୟ ବାବୁଙ୍କର ସ୍ତୁତିଗାନ କାହିଁକି ନିନ୍ଦନୀୟ ହେବ ? ସେ ଲକ୍ଷ୍ମୀଙ୍କର ବରପୁତ୍ର । ଲକ୍ଷ୍ମୀଙ୍କୁ ପାଇବା ପାଇଁ ହେଲେ ପ୍ରଥମେ ତାଙ୍କର ସ୍ତୁତିଗାନ ଲୋଡ଼ା ।

 

ମାଳବିକାଦେବୀଙ୍କ ମନ ବିଦ୍ରୋହ କରି ଉଠିଲା । ପୃଥିବୀ ବିଦୀର୍ଣ୍ଣ ହେଉ, କିମ୍ବା ଆକାଶଟା ଖଣ୍ଡଖଣ୍ଡ ହୋଇ ତାଙ୍କର ମୁଣ୍ଡ ଉପରେ ଖସି ପଡ଼ୁ, ତଥାପି ସେ କଦାପି ଧନଞ୍ଜୟ ଭଳି ଜଣେ ଲମ୍ପଟ, ଚରିତ୍ରହୀନ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ସମ୍ମୁଖରେ ଅଭିନୟ ପ୍ରଦର୍ଶନ କରି କଳାର ଅବମାନନା କରିପାରିବେ ନାହିଁ । ତାଙ୍କ ସଂବର୍ଦ୍ଧନା ପାଇଁ ଆୟୋଜିତ ନାଟକରେ ସେ ପ୍ରଧାନ ଭୂମିକାରେ ଅବତୀର୍ଣ୍ଣା ହେଇ ତାଙ୍କର ମନୋରଞ୍ଜନ କରିପାରିବେ ନାହିଁ ।

 

ସେ କଳାକାର । କଳାପ୍ରତି ତାଙ୍କର ଅହେତୁକୀ ଆକର୍ଷଣ ଅଛି । ସେଥିପାଇଁ ସେ କଳାର ଚର୍ଚ୍ଚା ଲାଗି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରେ ଯୋଗ ଦିଅନ୍ତି ଓ ଉପଯୁକ୍ତ ପାରିଶ୍ରମିକ ନିଅନ୍ତି-। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଅଭିନୟ ବ୍ୟତୀତ ସେ ବଞ୍ଚି ପାରିବେ ନାହିଁ । ଅଭିନୟ ବ୍ୟତୀତ ତାଙ୍କ ଭିତରେ ଯେଉଁ ଯୋଗ୍ୟତା ଅଛି ସେଥିରେ ସେ ସମାଜରେ ଅତି ସୁନ୍ଦର ଭାବରେ ଚଳି ଯାଇ ପାରିବେ ।

 

ମନ ତାଙ୍କର ବିଦ୍ରୋହୀ ହୋଇ ଚିତ୍କାର କରି ଉଠିଲା । ଜଣେ ସ୍ଖଳିତ ଚରିତ୍ର, ଦୁର୍ନୀତିଗ୍ରସ୍ତ ଶିଳ୍ପପତିର ସଂବର୍ଦ୍ଧନା ଉତ୍ସବରେ ସେ କଦାପି ଅଂଶ ଗ୍ରହଣ କରି ପାରିବେ ନାହିଁ ।

 

ସଭା ଶେଷ ହେଲା । ମଞ୍ଚ ଭିତରୁ ସୁମଧୁର ଅର୍କେଷ୍ଟ୍ରା ବାଜି ଉଠିଲା ।

 

ଶିକ୍ଷାୟତନର ସଂପାଦକ ନାଟକର ନାମ ଏବଂ ନାଟକରେ ଅଂଶ ଗ୍ରହଣ କରିଥିବା ଶିଳ୍ପୀଙ୍କର ନାମ ଘୋଷଣା କଲେ । ଦର୍ଶକ ମହଲରେ ମୃଦୁ ଗୁଞ୍ଜନ ସୃଷ୍ଟି ହେଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା–ଯାହାହେଉ ମାଳବିକାଦେବୀ ଆସିଛନ୍ତି–ପଇସା ଦେଇ ଟିକଟ କିଣିବା ଅନ୍ତତଃ ସାର୍ଥକ ହେବ...

 

ନାଟକ ଆରମ୍ଭ ହେବାର ଶେଷ ଘଣ୍ଟି ବାଜିବା ପୂର୍ବରୁ ସମ୍ପାଦକ ମହାଶୟ ଗ୍ରୀନ୍‌ରୁମ୍‌କୁ ପଶିଲେ । ମାଳବିକାଦେବୀଙ୍କର ଅନୁମତି ନେଇ ସେ ହୁଇସିଲ୍‌ ଦେଲେ ପରଦା ଉଠିବ । ନାଟକ ଆରମ୍ଭ ହେବ ।

 

ମଳବିକାଦେବୀଙ୍କ ନିକଟକୁ ଯାଇ ସଂପାଦକ ମହାଶୟ ପ୍ରଶ୍ନକଲେ–ଆପଣ ପ୍ରସ୍ତୁତ ତ-? ଏବେ ମୁଁ ଅଭିନୟ ଆରମ୍ଭ ପାଇଁ ଶେଷ ହୁଇସିଲ୍ ଦେଉଛି ?

 

କ’ଣ ଉତ୍ତର ଦେବେ ଏକଥା ଭାବିବା ପୂର୍ବରୁ ମାଳବିକାଦେବୀଙ୍କ ପାଟିରୁ ବାହାରି ପଡ଼ିଲା–‘‘ହଠାତ୍ ଦେହଟା ଭୀଷଣ ଖରାପ ଲାଗୁଛି ।

 

ମୁଣ୍ଡଟା ଜୋରରେ ବୁଲାଇ ଦେଉଛି । ଠିଆ ହେବାକୁ ଜୋର ପାଉ ନାହିଁ । ତେଣୁ କ୍ଷମା କରିବେ; ଆଜିର ନାଟକରେ ମୁଁ ଅଂଶ ଗ୍ରହଣ କରିପାରୁ ନାହିଁ...

 

ଧଳା କାଗଜ ଭଳି ସଂପାଦକଙ୍କ ମୁହଁ ଶୁଖିଆସିଲା ।

 

କଥାକୁ ଶେଷ ନକରି ସେ ପୁଣି କହିବାକୁ ଲାଗିଲେ–ମୁଁ ବୁଝୁଛି ଆପଣଙ୍କ ଅବସ୍ଥା । ଆପଣ ଟିକେଟ ବିକ୍ରୟ କରିଛନ୍ତି । ସମସ୍ତ ଦର୍ଶକ ଅବଶ୍ୟ ସମାନ ନାହାନ୍ତି । ସେମାନଙ୍କ ଭିତରେ ଭଦ୍ର ଯେତିକି ଅଭଦ୍ର ବି ସେତିକି ଥାଆନ୍ତି । ଆପଣଙ୍କୁ ମୋ ପାଇଁ ଅପଦସ୍ଥ ହେବାକୁ ପଡ଼ିବ । କିନ୍ତୁ କ’ଣ କରିବି ? ଆକସ୍ମିକ ଦୁର୍ଯ୍ୟୋଗକୁ କିଏ ବାଧା ଦେଇ ପାରିବ ? ଦେଖନ୍ତୁ ମଞ୍ଚ ଉପରକୁ ଯିବା ପାଇଁ ମୁଁ ତ ପେଁଟିଂ ହୋଇ ସାରିଥିଲି । କିନ୍ତୁ ହଠାତ୍ ମୋର ଶରୀରର ଏପରି ଅବସ୍ଥା । ଏଭଳି ଦୟନୀୟ ଅବସ୍ଥାରେ କୌଣସି ନାଟକର କର୍ମକର୍ତ୍ତାଙ୍କ ନିକଟରେ କ୍ଷମା ମାଗିବା ମୋ ଅଭିନେତ୍ରୀ ଜୀବନରେ ପ୍ରଥମଥର ପାଇଁ ଘଟୁଛି । ଆପଣ ଯଦି କିଛି ନଭାବନ୍ତି ତେବେ ଆସନ୍ତାକାଲି ଏଇ ନାଟକରେ ଅଂଶ ଗ୍ରହଣକରି ମୋର କର୍ତ୍ତବ୍ୟ ପାଳନ କରିବି । ଆଜିପାଇଁ ମୋତେ କ୍ଷମା ଦିଅନ୍ତୁ ।

 

ଆଉ କିଛି ଅଧିକ ଶୁଣିବାକୁ ସଂପାଦକଙ୍କର ଧୈର୍ଯ୍ୟ ନଥିଲା ।

 

ଦର୍ଶକ ମହଲରୁ ଘନ ଘନ କରତାଳିରେ ପ୍ରେକ୍ଷାଗୃହ କମ୍ପି ଉଠୁଛି ।

 

ଗ୍ରୀନ୍‌ରୁମ୍‌ରୁ ନୀରବରେ ଚାଲିଆସି କିଛି ସମୟ ଅନ୍ୟାନ୍ୟ ଉଦ୍ୟୋକ୍ତାମାନଙ୍କ ସହିତ ଏହି ଅଭାବିତ ପରିସ୍ଥିତି ସଂପର୍କରେ ଆଲୋଚନା କରି, ସଂପାଦକ ମହାଶୟ ପୁଣି ମାଇକ୍‌ ପାଖରେ ମୁହଁ ଦେଇ ମଞ୍ଚ ଭିତରୁ କହି ଉଠିଲେ–କ୍ଷମା କରିବେ । ନାଟକର ନାୟିକା, ଓଡ଼ିଶାର ପ୍ରଖ୍ୟାତ ଶିଳ୍ପୀ କୁମାରୀ ମାଳବିକା ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଅତି ଦୁଃଖର ସହିତ କହିବାକୁ ହେଉଛି ଯେ ଆଜିର ନାଟକଟି ଆମେ କାଲି ମଞ୍ଚସ୍ଥ କରିବୁ । ଆଜିର ଟିକେଟ୍‌ରେ କାଲି ଆପଣମାନେ ଏଇ ନାଟକ ଦେଖି ପାରିବେ । ଆପଣମାନଙ୍କ ଭିତରୁ ଯେଉଁମାନେ ଇଚ୍ଛା କରନ୍ତି ସେମାନଙ୍କର ଟିକେଟ୍‌ର ମୂଲ୍ୟ ବୁକିଂ ଅଫିସ୍‌ରୁ ଫେରସ୍ତ ନେଇପାରନ୍ତି । ଆଜିର ଏପରି ଆକସ୍ମିକ ଦୁର୍ଘଟଣା ପାଇଁ ଆମେ ଆମର ସମ୍ମାନାସ୍ପଦ ପ୍ରଧାନ ଅତିଥିଙ୍କ ନିକଟରେ ବିଶେଷ ଲଜ୍ଜିତ । ଆଜିର ନାଟକଟି ହିଁ କେବଳ ତାଙ୍କରି ପାଇଁ ଉଦ୍ଦିଷ୍ଟ ଥିଲା । ତାଙ୍କ ନିକଟରେ, ସର୍ବୋପରି ଆପଣମାନଙ୍କ ସମ୍ମୁଖରେ ନାଟକଟି ପରିବେଷଣ କରି ନପାରି ଆମେମାନେ ଯେତିକି ମର୍ମ୍ମାହତ ତାଠାରୁ ଅଧିକ ଳଜ୍ଜିତ ହୋଇଛୁ । ଆଶାକରେ ଆପଣମାନେ ଆମକୁ ଏଇ ଅହେତୁକ ଦୁର୍ଘଟଣାପାଇଁ କ୍ଷମାଦେବେ-

 

ଗ୍ରୀନ୍‌ରୁମ୍‌ରେ ବସି ମାଳବିକାଦେବୀ ଫୁଲି ଫୁଲି କାନ୍ଦୁଥିଲେ । ଜୀବନରେ ପ୍ରଥମ ଥର ପାଇଁ ସେ ମିଛ କହି ତାଙ୍କର ପ୍ରିୟ ଦର୍ଶକମାନଙ୍କୁ ପ୍ରତାରିତ କରୁଛନ୍ତି ।

 

ପ୍ରେକ୍ଷାଳୟରେ ଗଣ୍ଡଗୋଳ ଜମିଉଠିଲା । କୋଳାହଳରେ ଚତୁର୍ଦ୍ଦିଗ ମୁଖରିତ ହୋଇ ଉଠିଲା ।

 

ପ୍ରଧାନ ଅତିଥି ତାଙ୍କର ଆସନ ଛାଡ଼ି ବିଶ୍ରାମାଗାରକୁ ଚାଲିଗଲେ ।

 

ଦର୍ଶକ ମହଲରୁ ଟେକା, ପଥର, ଖଣ୍ଡିଆ ଯୋତା ଇତ୍ୟାଦି ଆସି ଷ୍ଟେଜ୍‌ ଉପରେ ପଡ଼ିବାକୁ ଲାଗିଲା । ନିହାତି ଅଶ୍ରାବ୍ୟ, ଅଶ୍ଳୀଳ ଭାଷାରେ ସେମାନଙ୍କର ବକ୍ତବ୍ୟ ଆରମ୍ଭ ହୋଇଗଲା ।

 

ଦର୍ଶକ ମହଲକୁ ଭଦ୍ର ହେବାପାଇଁ ଅନୁରୋଧ ଜଣାଇବାକୁ ପରଦାଟେକି ସଂପାଦକ ମହାଶୟ ମଞ୍ଚ ଉପରକୁ ଆସି ଯୋଡ଼ ହସ୍ତରେ ଦଣ୍ଡାୟମାନ ହେଲେ । କିଛି କହିବା ପୂର୍ବରୁ ପ୍ରେକ୍ଷାଳୟ ଭିତରୁ ଗୋଟାଏ ଟେକା ସାଇଁ କରି ତାଙ୍କ ମୁଣ୍ଡରେ ବାଜିଲା । ଝରଝର ହୋଇ ରକ୍ତର ସୁଅ ବହି ଚାଲିଲା ତାଙ୍କ ମୁଣ୍ଡର କ୍ଷତ ସ୍ଥାନରୁ ।

 

ଏତେ ଅପମାନକୁ, ଏଭଳି ଦାରୁଣ ଆଘାତକୁ ସହ୍ୟ କରି ସଂପାଦକ ମହାଶୟ କ୍ଷୁବ୍‌ଧ ଜନତାକୁ ଶାନ୍ତ ହେବାକୁ ଅନୁରୋଧ କରୁଥାନ୍ତି ।

 

କିଛି ସମୟପରେ କେତେଜଣ ଉତ୍ସାହୀ ଯୁବକଙ୍କର ଅକ୍ଳାନ୍ତ ଚେଷ୍ଟାରେ ପରିସ୍ଥିତି ଶାନ୍ତ ହେଲା ।

 

ମଞ୍ଚ ଭିତରକୁ ସଂପାଦକ ମହାଶୟ ପଶି ଆସିଲେ–

 

ମାଳବିକାଦେବୀ ଗ୍ରୀନ୍‌ ରୁମ୍‌ରେ ଆତଙ୍କିତା ହୋଇ ଆତ୍ମଗୋପନ କରି ଏ ଦୁଃସହ ପରିସ୍ଥିତି ପାଇଁ ନିଜକୁ ଅପରାଧିନୀ ମନେ କରୁଥିଲେ । ଦୃଷ୍ଟି ପଡ଼ିଲା ସଂପାଦକଙ୍କ ଉପରେ । ଝରଝର ହୋଇ ତାଙ୍କ ମୁଣ୍ଡରୁ ରକ୍ତ ବହି ପିନ୍ଧା ପଞ୍ଜାବୀରୁ କେତେକାଂଶକୁ ରଞ୍ଜିତ କରି ଦେଇଛି । ମନରେ ତାଙ୍କର ଚମକ ଲାଗିଲା । ସବୁ ଦୁର୍ଗତି ପାଇଁ ସେ ସିନା ଦାୟୀ ! ସମବେଦନା ଜଣାଇବାକୁ ଆଗଭର ହୋଇ ଉଠିଲେ ସେ ।

 

ମାଳବିକାଦେବୀଙ୍କ ମୁହଁରୁ କୌଣସି ପ୍ରଶ୍ନ ଶୁଣିବା ପୂର୍ବରୁ ସଂପାଦକଙ୍କ ମୁହଁରୁ ପୌରୁଷତ୍ୱର ଇଙ୍ଗିତ ନେଇ ପଦିଏ କଥା ବାହାରି ପଡ଼ିଲା–ବର୍ତ୍ତମାନ ନିଜେ ଆପଣ ଠିଆ ହେବାକୁ ଅକ୍ଷମ–ଯାଆନ୍ତୁ ବିଶ୍ରାମ କରିବେ । ମୋତେ ମୋକଥା ବୁଝିବାକୁ ଛାଡ଼ି ଦିଅନ୍ତୁ ।

 

ମାଳବିକାଦେବୀଙ୍କର ଟିକି ଆଖିରେ ଆଖିଏ ଲୁହ ଢଳ ଢଳ ହୋଇ ଉଠିଲା । ସେଇ ଲୁହତଳେ ସେ ଦେଖୁଥିଲେ ଏକ ଗମ୍ଭୀର, ଉଦାର, ପ୍ରଶାନ୍ତ, ସୌମ୍ୟ, ସୁଦର୍ଶନ ଯୁବକଙ୍କୁ; ଯାହାଙ୍କର ଅକ୍ଳାନ୍ତ ପରିଶ୍ରମରେ ଏଇ ଶିକ୍ଷାୟତନର ପ୍ରତିଟି ଇଟାଖଣ୍ଡ ହୋଇ ଉଠିଛି ମୂର୍ତ୍ତିମନ୍ତ ।

 

ଅନାହୂତ ଭାବରେ ଧନଞ୍ଜୟବାବୁ ଗ୍ରୀନ୍‌ରୁମ୍‌ ଭିତରକୁ ପଶିଆସିଲେ । ସମ୍ପାଦକଙ୍କ ଦୂରବସ୍ଥାରେ ତାଙ୍କ ପ୍ରତି ସମବେଦନା ଜଣାଇ ସାରି କହିଲେ, ଯଦି ଆପଣଙ୍କର ଆପତ୍ତି ନଥାଏ ତେବେ ମାଳବିକାଦେବୀ ମୋ କାର୍‌ରେ କଟକ ଚାଲିଯାଇ ପାରନ୍ତି । ସେ ସୁସ୍ଥ ହେବା ପରେ ଏଇ କାର୍‌ରେ ଫେରି ଆସି କାଲି ଅଭିନୟ ପ୍ରଦର୍ଶନ କରି ଆପଣଙ୍କୁ ଏ ଦୁର୍ଗତିରୁ ରକ୍ଷା କରି ପାରନ୍ତେ !

 

ସଂପାଦକ ମହାଶୟ ଧନଞ୍ଜୟ ବାବୁଙ୍କର ଏ ପ୍ରକାର ଅନାହୂତ ଅନୁରୋଧକୁ ସ୍ୱାଗତ କରିବେ କି ପ୍ରତ୍ୟାଖ୍ୟାନ କରିବେ ସେକଥା ଭାବୁଥିଲେ ।

 

–ଆପଣଙ୍କର ଏଇ ଅଯାଚିତ ଅନୁଗ୍ରହ ପାଇଁ ଅଶେଷ ଧନ୍ୟବାଦ ଧନଞ୍ଜୟ ବାବୁ । କିନ୍ତୁ ମୋ ପାଇଁ ଆପଣ ଆଦୌ ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ଯଦି ପାରନ୍ତି ସମ୍ପାଦକ ମହାଶୟଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇ ପାରନ୍ତି । ମୋ କଥା ବୁଝିବାକୁ ବାପା ଅଛନ୍ତି । ତାପରେ ଆପଣଙ୍କ ପରି ଜଣେ ବରଣୀୟ ଅତିଥି ମୋପରି ଜଣେ ସାମାନ୍ୟ ନଟୀର ତତ୍ତ୍ୱ ନେବାରେ ଆପଣଙ୍କର ଉଦାରତା ଯେତିକି ବଢ଼ିବ ତା ଅପେକ୍ଷା କିଛି ନ ହେଲେବି ଆପଣଙ୍କ ଚରିତ୍ରରେ କଳଙ୍କ ଲାଗିବ ବହୁତ ବେଶୀ । ଘୃଣାର ବ୍ୟଞ୍ଜନା ଥିଲା ମାଳବିକାଦେବୀଙ୍କ କଣ୍ଠରେ ।

 

ଧନଞ୍ଜୟବାବୁ ଯେପରି ସଂବିତ୍ ଫେରି ପାଇଲେ । ମାଳବିକାଦେବୀଙ୍କର ଉଗ୍ର ନାରୀତ୍ୱ ଆଗରେ ତାଙ୍କର ପୁରୁଷକାର ଦୁର୍ବଳ ହୋଇ ଉଠୁଥିଲା । ସେ ଭାବୁଥିଲେ ଗିରିରାଜ ତନୟାଙ୍କ ପରି ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ ହୋଇ ଏ ନାରୀ ମଧ୍ୟ ସମୟ ଆସିଲେ ଶୂଳ ଧାରଣ କରିପାରେ !

 

ନିଜକୁ ଖୁବ୍‌ ସଂଜତ କରି ଧନଞ୍ଜୟବାବୁ କହିଲେ–ଯଦି ଆପଣ ମୋର ସହପାଠିନୀ ହୋଇ ନଥାନ୍ତେ ତେବେ ହୁଏତ ଏପରି ଅନୁଗ୍ରହ ଦେଖାଇବାକୁ ମୁଁ କୁଣ୍ଠିତ ହୋଇଥାନ୍ତି ।

 

ଆହତ ଫଣିନୀ ପରି ମାଳବିକାଦେବୀ ଗର୍ଜ୍ଜି ଉଠି କହିଲେ–ଏ ଅନୁଷ୍ଠାନର ଆପଣ ହେଉଛନ୍ତି ସମ୍ମାନାସ୍ପଦ ଅତିଥି । ସେଥିପାଇଁ ମୋତେ ବାଧ୍ୟହୋଇ ଆପଣଙ୍କର ଆଭିଜାତ୍ୟକୁ ସମ୍ମାନ ଦେବାକୁ ହେଉଛି । ଦୁଃଖ ଲାଗେ; ଆପଣ କିପରି ବୁଝି ନପାରିଲେ ଯେ ଆଜିର ନାଟକରେ ଯେଉଁ ସବୁ ଦୁର୍ଘଟଣା ଘଟିଗଲା ସେଥିପାଇଁ ଆପଣଙ୍କ ଉପସ୍ଥିତି ହିଁ ଦାୟୀ ! ଏଇତକ ଯଦି ବୁଝି ପାରିଥାନ୍ତି ତେବେ ମୁଁ କହିବି ବିଶ୍ୱ ବିଦ୍ୟାଳୟ ଶିକ୍ଷାର କିଛି ମହତ୍ୱ ଅଛି । ଯଦି ବୁଝିପାରି ନ ଥାନ୍ତି ତେବେ ମୁଁ କହିବି ଆପଣ ନିର୍ବୋଧ ।

 

କଥାରେ ପୂର୍ଣ୍ଣଛେଦ ଟାଣି କ୍ରୋଧରେ ଥରି ଥରି ମାଳବିକା ଦେବୀ ସେ କକ୍ଷରୁ ନିଷ୍କ୍ରାନ୍ତ ହୋଇଗଲେ ।

 

ଗୋଟାଏ ଗମ୍ଭୀର ପରିସ୍ଥିତି ଭିତରୁ ଧନଞ୍ଜୟବାବୁ ନିଜକୁ ବାଧ୍ୟକରି ଟାଣି ନେଇ କାର୍‌ରେ ବସି ଷ୍ଟାର୍ଟ ଦେଲେ ।

 

ସୁଜାତାର କଥା ସେଦିନ ଚନ୍ଦ୍ରକାନ୍ତ ଭାବୁଥିଲା...

 

ବାସନ୍ତୀର ଗୋଟିଏ ରମଣୀୟ ସନ୍ଧ୍ୟା । ଭିତର ଅଗଣାରେ ସୋଫା ଉପରେ ନିଜ ଦେହକୁ ବିଛାଇ ଦେଇ ଚନ୍ଦ୍ରକାନ୍ତ ଆକାଶ କୋଳରେ ଚାନ୍ଦ ଦେଖୁଥିଲା । ମୁନ୍ନା ଛାତି ଉପରେ ବସି ଜହ୍ନମାମୁଁକୁ ହାତଠାରି ନାଚି ନାଚି ଏକ ରକମ ଅଦଉତି ଆରମ୍ଭ କରି ଦେଇଥାଏ ।

 

ଏଇପରି କେତେ ଚଇତାଳି ସନ୍ଧ୍ୟାରେ ସୁଜାତା ସହିତ ଏଇ ଅଗଣାରେ ସେ କଟାଇଛି-। ଏଇ ଅଗଣାରେ ବସିବସି ଥିରି ବସନ୍ତର ଚୋରା ସମୀର କେତେ ସେ ଉପଭୋଗ କରିଛନ୍ତି । ବାହାରେ ହେନା ଫୁଲର ହରିହାଟ । ଭୁରୁ ଭୁରୁ ଗନ୍ଧ ପବନରେ ଭାସି ଆସି ସେମାନଙ୍କ ଦେହରେ ଅଜାଡ଼ି ହୋଇ ପଡ଼େ । ସୁରଭିରେ ସୁଜାତାର କୋମଳ ତନିମା ବତୁରି ଯାଏ । ମୁହୂର୍ତ୍ତକ ପାଇଁ ଆତ୍ମବିସ୍ମୃତ ହୋଇ ସେ ଆଉଜି ଆସେ ଚନ୍ଦ୍ରକାନ୍ତର ପ୍ରଶସ୍ତ ବୁକୁ ଉପରକୁ ।

 

ଚନ୍ଦ୍ରକାନ୍ତ ଭିତରେ ସୃଷ୍ଟିହୁଏ ବେପଥୁ...

 

ମଦନର ପଞ୍ଚବାଣରେ କ୍ଷଣକଲାଗି ଅତିଷ୍ଠ ହୋଇଉଠେ ସେ ।

 

ନିଜର ବଳୟିତ ବାହୁବେଷ୍ଟନୀ ଭିତରେ ସୁଜାତାକୁ ଜଡ଼ାଇ ଧରି ଘନ ଘନ ଚୁମ୍ବନ ଆଙ୍କିଯାଏ ତା’ର ଅଧର, ଗଣ୍ଡ ଆଉ ଏଣୀନୟନର ସୂକ୍ଷ୍ମ ଭ୍ରୂଳତା ଉପରେ ।

 

ଲଜ୍ଜାରେ ସୁଜାତାର ମୁଖଶ୍ରୀ ପାଟଳବର୍ଣ୍ଣ ହୋଇ ଉଠେ ।

 

ଚନ୍ଦ୍ରକାନ୍ତର ବଳୟିତ ବାହୁ-ପାଶରୁ ନିଜକୁ ମୁକୁଳାଇ ନେଇ ସେ, କୁହେ; ଛି ବଡ଼ ଦୁଷ୍ଟ ତୁମେ । ଖୋଲା ଯାଗାଟାରେ ଇମିତି ହୁଅନ୍ତି ? କିଏ ଦେଖିବ ?

 

କିଏ ଅଛି ଯେ ଦେଖିବ ? –ସିମିତି ହସ ହସ କଣ୍ଠରେ ପ୍ରଶ୍ନ କରେ ଚନ୍ଦ୍ରକାନ୍ତ ।

 

କାହିଁକି ଆକାଶର ଚନ୍ଦ୍ରମା ? ତା’ର କ’ଣ ଦେଖିବାର ଶକ୍ତି ନାହିଁ ?

 

ଦୁହେଁ ଖୁବ୍‌ ଜୋର୍‌ରେ ହସି ଉଠନ୍ତି !

 

ରାତ୍ରି ଧୀରେ ଧୀରେ ବଢ଼ି ବଢ଼ି ଚାଲିଥାଏ । ହେଲେ ସେମାନଙ୍କର ସେଥିପ୍ରତି ଧ୍ୟାନ ନଥାଏ । ସେହିଠାରେ ବସି ବସି ଶେଷହୀନ ଗଳ୍ପ ସେମାନେ ଆରମ୍ଭ କରି ଦେଇ ଥାଆନ୍ତି । ସତେଯେପରି ଇମିତି ଚନ୍ଦ୍ର-ଚକିତ ରାତ୍ରି ସେମାନଙ୍କ ଜୀବନରେ ଆଉ ଆସିବ ନାହିଁ !

 

ଜୀବନକୁ ମନ ଭରି ଉପଭୋଗ କରିବାର ଅଦମ୍ୟ ପିପାସା ଉଭୟଙ୍କ ଭିତରେ ଥିଲା–ପ୍ରକୃତିର ସୌନ୍ଦର୍ଯ୍ୟକୁ ଆକଣ୍ଠ ପାନ କରିବା ପାଇଁ ଦୁହିଁଙ୍କ ପ୍ରାଣରେ ଥିଲା ପ୍ରବଳ କାମନା !

 

ସେ ସମୟ ଆଜି ଆଉ ନାହିଁ, ନାହିଁ ସୁଜାତା, ନାହିଁ ତା କଳକଣ୍ଠର ମଧୁଗୁଞ୍ଜନ ! ସେଇ ଦିନର ସେ ପୁରୁଣା ଆକାଶ ଅଛି, ପୁରୁଣା ପୃଥିବୀ ଅଛି–ଆଉ ଅଛି ପୁରୁଣା ଚନ୍ଦ୍ରମା ! କିନ୍ତୁ କାହିଁ ସୁଜାତା ? ଚନ୍ଦ୍ରକାନ୍ତ ଅନୁଭବ କରୁଥିଲା ସତେ ଯେପରି ଗଗନ ପବନ ଭେଦି ଚନ୍ଦ୍ରିକାର ବିକଳ କଣ୍ଠସ୍ୱର ଶୁଭୁଛି–ସୁଜାତା ! ସୁଜାତା !! ସୁଜାତା !!!

ଚନ୍ଦ୍ରମା ବି ସୁଜାତାକୁ ଚାହୁଁଛି...

ଚଇତାଳୀ ସମୀରଣ ବି ସୁଜାତାର ସାନିଧ୍ୟ ଲୋଡ଼ୁଛି...

ଆଉ ଚନ୍ଦ୍ରକାନ୍ତ...ଏଇ ପୃଥିବୀର ରକ୍ତମାଂସଧାରୀ ଏକ ମଣିଷ ସେ । ତା ଭିତରେ ସ୍ପନ୍ଦନ ଅଛି, ତା ଭିତରେ ଉତ୍ତେଜନା ଅଛି, ତା ଭିତରେ ମାୟା, ମୋହ, ମମତା ସବୁକିଛି ଅଛି ! –କିନ୍ତୁ ଏ ସବୁର ଉପଯୁକ୍ତ ବିନିମୟ ଦେବାପାଇଁ ପାଖରେ ନାହିଁ ସୁଜାତା !

ଚନ୍ଦ୍ରକାନ୍ତକୁ ଭାବିବାକୁ ଖୁବ୍‌ ଭଲ ଲାଗୁଥିଲା ! ଆଜି ଏଇ ଚଇତି ଜ୍ୱୋତ୍ସାଭରା ରାତିରେ ସୁଜାତା ସମ୍ପର୍କରେ ଭାବିବା ପାଇଁ ତାକୁ ବେଶ୍‌ ଆନନ୍ଦ ଲାଗୁଥିଲା । ଅତୀତର ସମସ୍ତ ଛୋଟବଡ଼ କଥା ଚଳଚିତ୍ର ପରି ଝଲସି ଉଠୁଥିଲା ତା’ର ବେନି ନୟନ ସମ୍ମୁଖରେ ।

ସୁଜାତା ବଡ଼ ଅଭିମାନିନୀ ଥିଲା !

ସାମାନ୍ୟ ସାମାନ୍ୟ କଥାରେ ତା ଚାହାଣୀରେ ଲୋତକର ପାରାବାର ସୃଷ୍ଟି ହେଉଥିଲା-

ଥରେ ଥରେ ସିମିତ ଅଗଣାରେ ବସି ଉଭୟେ ଗଳ୍ପ କରୁ କରୁ ଚନ୍ଦ୍ରକାନ୍ତ ସାମାନ୍ୟ ଅନ୍ୟମନସ୍କ ହୋଇ ଉଠିଲେ ସୁଜାତାର ରାଗ ଦେଖେ କିଏ ? ହଠାତ୍ କାନ୍ଦି କାନ୍ଦି ସେ ବସିବା ସ୍ଥାନରୁ ଉଠି ଚାଲିଯାଏ । ବିଛଣାରେ ମୁହଁ ମାଡ଼ି ନୀରବରେ ଶୋଇ ରୁହେ । ନାନା ପ୍ରକାର ଅଭିଯୋଗରେ ଅଭିଯୁକ୍ତ କରେ ତାକୁ !

 

ହେଲେ ମାନିନୀ ପ୍ରିୟାର ପ୍ରିୟ ନିକଟରେ ସେ ପ୍ରକାର ଅଭିମାନ ବା କେତେ ସମୟ ପାଇଁ ? ଚନ୍ଦ୍ରକାନ୍ତର ଚାଟୁ ଆଶ୍ୱାସନାରେ ପୁଣି ଅଭିମାନ ତୁଟେ ତା’ର । ସେ ଫିକ୍‌କରି ହସି ଦେଇ ତା କୋଳ ଉପରେ ଲୋଟିଯାଏ ।

 

ସେଇ ସୁଜାତା...ତାର ପ୍ରାଣର ସୁଜାତା...ତା ହୃଦୟର ସୁଜାତା...ତାର ଏକାନ୍ତ ପ୍ରିୟତ୍ତମା ଅଭିମାନିନୀ ସୁଜାତା ଆଜି ତାକୁ ଛାଡ଼ପତ୍ର ଦେବାପାଇଁ ଶେଷ ନିଷ୍ପତ୍ତି ନେଇ ଚିଠି ଲେଖିଛି ।

 

ଗତକାଲି ତା’ର ଚିଠି ସେ ପାଇଛି । ସେ ଜଣାଇ ଦେଇଛି ଯେ ତା ସହିତ ତା’ର ଯେଉଁ ବୈବାହିକ ସମ୍ପର୍କ ଥିଲା ତାକୁ ସେ ଜଜ୍‌କୋର୍ଟରେ ଉଚିତ୍ ଆଇନର ଆଶ୍ରୟ ନେଇ ଛିନ୍ନ କରିଦେବ-। ମୁକ୍ତ ବିହଙ୍ଗମ ପରି ପୁଣି ମୁକ୍ତ ଆକାଶରେ ଉଡ଼ି ବୁଲିବ । ସ୍ୱାଧୀନତା ତା’ର କାମ୍ୟ । ଏଇ ଗୃହସ୍ଥଳୀ ପିଞ୍ଜରୀରେ ସେ ବନ୍ଦିନୀ ହୋଇ ଚନ୍ଦ୍ରକାନ୍ତର ହାନିଲାଭର ରାମନାମ ଆଉ ଜପି ପାରିବ ନାହିଁ । ଯେତେଦିନ ବ୍ୟର୍ଥତାର ହା-ହୁତାଶରେ କଟିଗଲା, ଗଲା । ଏଣିକି ତାକୁ ତା’ର ଭବିଷ୍ୟତ କଥା ଚିନ୍ତା କରିବାକୁ ହେବ । ସେ ଆତ୍ମନିର୍ଭରଶୀଳା ହୋଇ ଏ ସମାଜରେ ଠିଆହେବ । ପୁରୁଷ ପରି ନାରୀ ଯେ ସମାଜରେ ବିନା ଆଶ୍ରୟରେ ବଞ୍ଚିପାରେ ତା’ର ପ୍ରମାଣ ସେ ସମାଜକୁ ଦେବ । ତାରିଖ ସ୍ଥିର ହୋଇଛି । ସେଦିନ ସେ ଆସିବ । କୋର୍ଟରେ ଉପସ୍ଥିତ ହେବାକୁ ତାକୁ ଅନୁରୋଧ କରିଛି ।

 

ଚନ୍ଦ୍ରକାନ୍ତ ଭାବୁଥିଲା–କିପରି ଆଉ କେଉଁ ରୂପରେ ସେଦିନ ଜଜ୍‌କୋର୍ଟରେ ସେ ଉପସ୍ଥିତ ହେବ ? ସେଇ ହାକିମଙ୍କର ଚେମ୍ବାର ଅଛି । କୋର୍ଟର ସମୟ ପରେ ସେ ଘରେ କେତେ ସୁଖ ଦୁଃଖ ହୋଇଛନ୍ତି । ସେଇ ବାର୍‍ରୁମ୍‌ରେ ଅଛି । ସାଥୀ ଆଡ଼ଭୋକେଟମାନଙ୍କ ସହିତ ସେଇ ବାର୍‌ରୁମ୍‌ରେ ସେ କେତେ ମଧୁଆଳାପ କରିଛି ଆଉ କରୁଛି । ସେଇ ମହକିଲ, ସେଇ ଗୁମାସ୍ତାମାନେ ନିତିପ୍ରତି ତାକୁ କଳା ଗାଉନ୍‌ ପିନ୍ଧି ଆର୍ଗୁମେଣ୍ଟ କରୁଥିବାର ଦେଖୁଛନ୍ତି । ସେମାନେ ପୁଣି ତାକୁ ଡକ୍‌ ଭିତରେ ପଶି ନିଜ ସ୍ତ୍ରୀର ଛାଡ଼ପତ୍ର ଦରଖାସ୍ତ ଉପରେ ବିନା ଆପତ୍ତିରେ ଦସ୍ତଖତ୍ କରୁଥିବାର ଦେଖିବେ । କି ମୁହଁନେଇ ସେଦିନ ସେ କଚେରୀକୁ ଯିବ ଆଉ କି ମୁହଁ ନେଇ ବି ସେଦିନ ସେ ଡକ୍‌ ଭିତରୁ ବାହାରି କାର୍‌ରେ ବସି ଘରକୁ ଆସିବ ?

 

ସେ (ଚନ୍ଦ୍ରକାନ୍ତ) ଅସମାଜିକ ହୋଇପାରେ, ପରିଣିତା ସ୍ତ୍ରୀ କୁ କିପରି ଭଲ ପାଇବାକୁ ହୁଏ ହୁଏତ ଶିଖି ଥାଇ ନପାରେ; ୟା’ ବୋଲି ଚଳନ୍ତି ଦୁନିଆଁରେ ଅନ୍ତତଃ ସେ ଘୂରୁଥିବା ପରିଧି ଭିତରେ, ଯେ ତା’ର ମାନ ସମ୍ମାନ ଅଛି–ସୁଜାତାର ଏତକ ବୁଝିବା ଉଚିତ୍ ଥିଲା । ତାକୁ ପଦେ ପଦେ ଅପଦସ୍ତ କରି, ବଦ୍‌ନାମ କରି ସୁଜାତା ଯେ କି ସୁଖ ପାଇବ ତାହା ତାକୁହିଁ ଜଣା ।

 

ଦୁଃଖରେ ଚନ୍ଦ୍ରକାନ୍ତ ଆକିରେ ଲୁହ ଜକେଇ ଆସିଲା । ଏଇ ଦିନ କାତେଟା ଭିତରେ କୋର୍ଟରୁ ଫେରିଲା ପରେ ତାକୁ ବହୁତ କିଛି ଭାବିବାକୁ ସୁଜାତା ଦେଇ ଯାଇଛି । ହୁଏତ ଏହିପରି ଭାବି ଭାବି ଦିନ କାତେଟା ପରେ ସେ ଉଦ୍‌ଭ୍ରାନ୍ତ ହୋଇ ଯାଇପାରେ । ପାଗଳ ହେବାଟା ବି ବିଚିତ୍ର ନୁହେଁ ।

 

–କଚେରୀରୁ ଫେରି ଜଳଖିଆ ଦିଇଟା ନକରି ମୁନ୍ନାକୁ ଧରି ଗଡ଼ି ପଡ଼ିଲଣି ନା ?

 

ହଠାତ୍ ଚମକି ପଡ଼ି ଚନ୍ଦ୍ରକାନ୍ତ କହିଲା–କ’ଣ ଆଣିଚୁ ଥୋଇଦେ । କଣ୍ଠରେ ତା’ର ବେଦନାର ସ୍ପର୍ଶ ପରିସ୍ଫୁଟ ।

 

–କ’ଣ ତୁମେ କାନ୍ଦୁଥିଲ ନା ଚନ୍ଦ୍ରଭାଇ ? ମୁଁ ପରା ଜାଣେ ! କାହିଁକି ଯେ ତୁମେ ମୋତେ ଲୁଚାଇ ଏପରି କାନ୍ଦ ମୁଁ କିଛି ନ ବୁଝିଲେ ମଧ୍ୟ ଏତିକି ବୁଝେ ଯେ ନୁଆବୋଉଙ୍କ ପାଇଁ ତୁମ ଆଖିରେ ଏ ଲୁହ । ଚୋର ମାଆ କବାଟ କିଳି କାନ୍ଦିବା ପରି ନ କାନ୍ଦି ତାଙ୍କୁ ଯାଇ ନେଇ ଆସିଲେ ତ ଏ ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ନ୍ତା ! ଏ ଘରେ ଶାନ୍ତି ଟିକେ ଆସନ୍ତା ! କାହିଁକି ତାଙ୍କୁ ନଆଣି ବରାବର ଏପରି ସନ୍ତୁଳି ହେଉଛ କହିଲ ? ତୁମକୁ ଏକୁଟିଆ ଜୀବନ କାଟିବାକୁ କ’ଣ ସୁଖ ଲାଗୁଛି-? ତା ତ ନୁହେଁ । ତେବେ... ? ମୋ ସୁନା ଭାଇଟା ପରା ତାଙ୍କୁ ଶୀଘ୍ର ନେଇ ଆସ ।

 

ଜଳଖିଆ ପ୍ଳେଟ୍‌ଟା ସୁଲି ହାତରୁ ନେଇ ଚନ୍ଦ୍ରକାନ୍ତ କହିଲା–ତୁ କ’ଣ ଭାବୁଛୁ ସୁଲି, ଏ ଘର ପୂର୍ବାପେକ୍ଷା ଅଶାନ୍ତିମୟ ହୋଇ ଉଠିଛି ? ଅନ୍ତତଃ ମୁଁ ଏତିକି କହି ପାରିବି ଯେ ତୋ ନୁଆ’ଉ ଗଲାପରେ ବରଂ ଏ ଘରେ ଶାନ୍ତି ବିରାଜିଛି । ବାତାବରଣ କୋଳାହଳମୟ ନ ହୋଇ ଧୀର ଆଉ ସ୍ଥିର ହୋଇଛି । ପୂଜାରୀ ବି ଗାଳି ଖାଉ ନାହିଁ କି ବାସନପତ୍ର ଦୁଲ୍‌ଦାଲ୍‌ ହୋଇ ତଳେ ପଡ଼ୁନାହାଁନ୍ତି-। ଏକ ଗମ୍ଭୀର ଆଉ ଶାନ୍ତିର ବାତାବରଣ ଏ ଘରେ ତୋ ଆସିବା ଦିନଠାରୁ ସୃଷ୍ଟି ହୋଇଛି । ସେଥିପାଇଁ ତୋର ଦାନ ତ କମ୍‌ ନୁହେଁ ! କେଉଁ ଜନ୍ମରେ ତୋର କ’ଣ ଉପକାର କରିଥିଲି ଯେ ସେଇ ଋଣ ଗୁଡ଼ାକ ବୋଧହୁଏ ତୁ ମତେ ଫେରସ୍ତ ଦେଉଛୁ କିମ୍ବା ମୋତେ ଋଣୀ କରି ରଖୁଛୁ ପୁଣି କେବେ ତୋ ବାଡ଼ିରେ ଲଙ୍କା ମାରିଚ ହୋଇ ଫଳିବ ବୋଲି ।

 

ଚୌକିରେ ବସିପଡ଼ି ସୁଲି କହିଲା–ଥାଉ ବହୁତ କହିଲଣି । ନୂଆବୋଉଙ୍କର ଅନୁପସ୍ଥିତିରେ ଯଦି ଶାନ୍ତି ବିରାଜୁଥାନ୍ତା ତେବେ ତୁମ ଆଖିରେ ଏତେ ଲୁହ ଝରୁ ନଥାନ୍ତା ! ତୁମ ମନର କଥା ମୁଁ ବେଶ୍‌ ବୁଝି ପାରୁଛି । ଆଉ ଅଧିକା ସେ ବିଷୟରେ ଆଲୋଚନା ନକରି ବରଂ ଏଣିକି ଏ ଜଳଖିଆଗୁଡ଼ାକ ପେଟ ଭିତରକୁ ଯିବାକୁ ଅନୁମତି ପାଆନ୍ତୁ । ବିଚାରା ସବୁ ଗରମ ହୋଇ ଆସିଥିଲେ, ତୁମ ଆଖି ଲୁହରେ ଥଣ୍ଡା ହେବାକୁ ଲାଗିଲେଣି । ଆଗ ଖାଇଦିଅ ତାପରେ କଥା ହେବା...

 

ବାଧ୍ୟ ଶିଶୁଯି ଭଳି ଚନ୍ଦ୍ରକାନ୍ତ ଖାଇବାକୁ ଲାଗିଲା । ମୁନ୍ନା ତା ଅପା କୋଳକୁ ଡେଇଁ ପଡ଼ିଲା । ସୁଲି ବେକରେ ଓହଳି ପଡ଼ି ସେ କହିଲା–ବାପା କଉତି ମୁଁ ବଲ ହେଲେ ଜହ୍ନ ମାମୁଁ ପାଥକୁ ଇବି ।

 

ମୁନ୍ନାର ଗହଳିଆ କେଶ ଉପରେ ହାତ ବୁଲାଉ ବୁଲାଉ ସୁଲି କହିଲା–ତୋ ବାପ ଯେପରି ବାଇଆ ତୁ ସେପରି ବାଇଆ ।

 

ଚନ୍ଦ୍ରକାନ୍ତ ଘରେ ସୁଲି ଅତିଥି ହେବାର ଏକବର୍ଷ ଅତିକ୍ରାନ୍ତ ହୋଇ ଗଲାଣି ।

 

ଖନ ଖନ ହୋଇ ମୁନ୍ନା ପାଟିରୁ ଦରୋଟି କଥାର ଅମୃତ ପଦେ ପଦେ ଝରୁଛି । ଥର ଥର ହୋଇ ସେ ଠୁକୁ ଠୁକୁ ଭାବରେ ଚାଲି ଶିଖୁଛି । ପାପା, ଅପା, ଭଳି କେତେଟା ନିହାତି ପ୍ରିୟ କଥାକୁ କହି ଶିଖୁଛି–

 

ସୁଲି ପୁଅ ଦୀପୁର ମୁନ୍ନା ହେଉଛଇ ଗହମ ଗଣ୍ଡିରା । ପାଠପଢ଼ା ସରିଲେ ତା’ର ମୁନ୍ନା ସାଥୀ, ଖାଇବା ପିଇବା ଶୋଇବା ସବୁ ଏକା ସଙ୍ଗରେ ହୁଏ ।

 

ମୁନ୍ନା ମୁହଁରେ ସ୍ନେହରେ ବୋକ ଦେଉ ଦେଉ ସୁଲି କହିଲା–ପଚାରିବୁ ମୁନ୍ନା ତୋ ବାଇଆ ବାପକୁ, କେତେଦିନ ଏପରି ଜିଦ୍‌ ଧରି ବୁଲୁଥିବେ ? ବୋଉକୁ ନଆଣି ଚୁପ୍‌ଚୁପ୍‌ କାନ୍ଦୁଥିବେ ? ବୋଉ ଆସିଲେ ସିନା ଘର ସୁନ୍ଦର ଦିଶନ୍ତା !

 

ହସୁ ହସୁ ଚନ୍ଦ୍ରକାନ୍ତ କହିଲା–ଏତେ ବଡ଼ ପ୍ରଶ୍ନ କ’ଣ ମୁନ୍ନାର ଟିକି ପାଟିରେ ପଇଟିବ ? ପାଟି ଭିତରେ ପରା ଛୋଟ ଜିଭଟିଏ ? ସେ ଜିଭରେ ବେଶୀ କଥା କହିଲେ ଅଧ ବାଟରେ ଜିଭ ଥଳି ପଡ଼ି ନୋଉଟିବ ନାହିଁ । ଯଦି ତା’ର ଉତ୍ତର ଚାହୁଁଛୁ ତେବେ ମୁଁ ଦଉଛି ତା’ର ଉତ୍ତର ଶୁଣ୍‌ଲୋ–ମୁନ୍ନାଅପା ।

 

ହସି ଉଠିଲା ସୁଲି !

 

–ଏମିତି କାନ୍ଥ ବାଡ଼କୁ ଦେଖାଇ କଥା କହିବା ଆଗରୁ ଶିଖିଥିଲ ନା ଏବେ ଆରମ୍ଭ କରୁଛ ?

 

–ନାଇଁ ତ ! ତୁ ଯେଉଁ ବାଟରେ ଚାଲିଲୁ ମୁଁ ସେଇପରି ଉତ୍ତର ଦେଲି । ମୁଁ ଯଦି ଆଗ କାନ୍ଥବାଡ଼କୁ କହିବା ଆରମ୍ଭ କରିଥାନ୍ତି ତେବେ ତୁ ମୋତେ କୈଫିୟତ୍ ପଚାରିବାଟା ସିନା ଭଲ ହୋଇଥାନ୍ତା !

 

–ପ୍ରକୃତରେ ଚନ୍ଦ୍ର ଭାଇ ତୁମ ଓକିଲ ଗୁଡ଼ାଙ୍କୁ କଥାରେ ପାରି ହେବନି । କହିବା କଥାକୁ ବଦଳାଇ ପୁଣି ପ୍ରକାରେ କହିଦେଇ ତାରି ଭିତରୁ ସତରେ କେତେ ଅର୍ଥ କାଢ଼ମ ।

 

–ସେଥିପାଇଁ ସିନା ଲୋକେ ଆମ କଥାକୁ ପଇସା ଦିଅନ୍ତି ! ଖାଲି ବୁଦ୍ଧି ପାଇଁ......

 

–ହଁ–ତୁମର ଯେଉଁ ବୁଦ୍ଧି ନାଁ–କହି ଦେଉଥାଏ ପରକୁ ନା ବୁଦ୍ଧି ନ ଦିଶଇ ଘରକୁ...... ଥଟ୍ଟା କରି ସୁଲି କହିଲା ।

 

–ମୁଁ ତୋ କଥାର ଅର୍ଥ ବୁଝିପାରିଲି ନାହିଁ ଯେ ?

 

–ଏ କଥାର ଅର୍ଥ କ’ଣ ତୁମ ମୋଟା ମୋଟା ଆଇନ୍‌ ବହି ଭିତରେ ଅଛି ଯେ ବୁଝି ପାରିବ ? ଏ ବାପା ଘୋଷା ବିଦ୍ୟା ନୁହେଁ–ମୁଣ୍ଡବିଦ୍ୟା । ମୁଣ୍ଡ ଖରଚ କର ତେବେ ଯାଇ ସବୁକଥା ବଳେ ବଳେ ବୁଝି ପାରିବ ।

 

–ସକାଳ ସାତଟାରୁ ରାତ୍ରି ଦଶଟା ପର୍ଯ୍ୟନ୍ତ ଏ ମୁଣ୍ଡଟା ଖାଟିବାରେ ଲାଗିଲା । ବେଶୀ ଖାଟିଲେ ମୁଣ୍ଡଟା ଶେଷରେ ଅଚଳ ଧରିବ । ତାପରେ ମୁଁ ଦେଖୁଛି ଗୋଟାଏ ମୁଣ୍ଡତ ମୋ ପାଖରେ ଖାଟୁଛି । ବିଚାରା ଏ ଗରୀବ ମୁଣ୍ଡଟା ଟିକେ ହେଲେ ବିଶ୍ରାମ ପାଉ–ହସି ହସି ଚନ୍ଦ୍ରକାନ୍ତ କହିଲା ।

 

–କଚେରୀରେ ତ କେତେ ମକଦ୍ଦମା, ଗଣ୍ଡଗୋଳ, କଳିକଜିଆ ତୁଟାଉଥିବ ! ବୁଦ୍ଧିଦେଇ ସବୁ ଜଟିଳ କଥାକୁ ସରଳ କରୁଥିବ ! ଘର ପାଇଁ ସେଇ ବୁଦ୍ଧିରୁ ଟିକିଏ ଖର୍ଚ୍ଚ କରି ନୂଆ’ଉକୁ ନେଇ ଆସିଲେ ଭଲ ହୁଅନ୍ତା ନି ? ଘର କରି ଇମିତି ରାଗଋଷା କାହାର ନ ହୁଏ ଯେ ? ତୁମେ କ’ଣ ଛୁଆ ହୋଇଛ ଯେ ସେଇ କଥାକୁ ଗଣ୍ଠିକରି ଧରିବସିଛନ୍ତି ! ଯାହା କହନ୍ତି–ପଦକରେ ଛିଣ୍ଡିଲା କଥାକୁ ଟାଙ୍ଗିଆ, କଟୁରୀ ଖୋଜା ନାଗିଛି–ଛି, ଛି, ଦୁହିଁଙ୍କି ଦୁହେଁ ଯଦି ଏମିତି ଛୁଆଙ୍କ ପରି ଜିଦ୍‌ ଧରି ବସିବ ତେବେ ତୁମ ଘର-ସଂସାର କିମିତି ଚଳିବ କହିଲ ଭଲା ?

 

ଚନ୍ଦ୍ରକାନ୍ତ ଜଳଖିଆ ଖାଇ, ପାଣି ଗ୍ଳାସେ ପିଇ ସାରି ସ୍ୱସ୍ତିର ନିଶ୍ୱାସ ମାରି, ସୋଫା ଉପରେ ଆଉଜି ପଡ଼ି କହିଲା–ତୁ ଯାହା କହିଲୁ ସୁଲି ସବୁ ସତ କଥା । ମୁଁ ବଡ଼ ଓକିଲ ହୋଇଛି ସତ । ସବୁଦିନେ ନହେଲେ ସୁଦ୍ଧା କେବେ କିମିତି ମୋଭଳି କଳି କଜିଆ ଆପୋଷରେ ତୁଟାଇ ଦେଇପାରୁଛି ଏକଥା ବି ସତ । କିନ୍ତୁ ପକ୍ଷ ଯେଉଁଠି ଆପୋଷ ମିଳାମିଶା କରିବାକୁ ପ୍ରସ୍ତୁତ ନୁହେଁ, ଆଉ ଯଦି ପଦକରେ କଥା ନଛିଣ୍ଡାଇବାକୁ ଜିଦ୍‌ ଧରେ ତେବେ ସେଠାରେ ବାଧ୍ୟ ହୋଇ ମୋତେ ଟାଙ୍ଗିଆ, କଟୁରୀ ଖୋଜିବାକୁ ନହେବ ବା କିମିତି ?

 

ତୋ ନୂଆଁ’ଉର କଥା ସେହିପରି । ସେ ଯଦି ମିଳିମିଶି ରହିବାକୁ ଚାହିଁଥାନ୍ତା ତେବେ କଦାପି ଏ ଘରୁ ଗୋଡ଼କାଢ଼ି ଚାଲିଯାଇ ନଥାନ୍ତା । ତୁ କହିବୁ–ମୁଁ ଦୋଷ କରିପାରେ, ମୋଠାରେ ତା’ର ଦାଉ ସାଧିବା ଉଚିତ୍ ହୋଇପାରେ, ଅଭିମାନ ସେ ମୋ ଉପରେ କରିପାରେ, –ସେ ଅଧିକାର ତା’ର ଅଛି; କିନ୍ତୁ ନିଜ ପେଟରୁ କାଢ଼ି ଯେଉଁ ପିଲାଟିକୁ ଜନ୍ମକଲା, ଛାତିର ଅମୃତ ପିଆଇ ଏଡ଼େଟିରୁ ଏଡ଼େଟିଏ କଲା, ତା ପାଟିରୁ ମାଆ ଡାକ ଶୁଣିବାକୁ ସେ କିପରି ଅପେକ୍ଷା କରି ନପାରିଲା ? କିପରି ସେ ତା’ର ମମତା, ତା’ର ବନ୍ଧନକୁ ଛିଣ୍ଡାଇ ମୁହଁ ବୁଲାଇ ଚାଲିଯିବାକୁ ସାହସ କଲା ? ନାରୀମାତ୍ରେ ମାଆ, ଭଉଣୀ, ସ୍ତ୍ରୀ ହୋଇ ପାରନ୍ତି ବୋଲି ମୁଁ ଜାଣିଥିଲି କିନ୍ତୁ ତୋ ନୂଆଁବୋଉକୁ ବାହାହେଲା ପରେ ଜାଣିଲି ନାରୀ ବି ନିଜ ସ୍ୱାର୍ଥର ପରିପୂରଣ ପାଇଁ ସବୁକିଛି ସ୍ନେହ ମମତା ଓ ଆନ୍ତରିକତାର ଜଳାଞ୍ଜଳି ଦେଇପାରେ ! ତୁ କହ ଦେଖି ସୁଲି; ଯେଉଁ ନାରୀ ଆଦ୍ୟାଶକ୍ତି, ଜଗଜ୍ଜନନୀ ଆଉ ସର୍ବଂସହା–ସେ ନାରୀ ପୁଣି କୁଟଳୀ, ଖଳ ସ୍ୱଭାବିନୀ ଆଉ ହୃଦୟହୀନା ପାଷାଣୀ ହୋଇ ପାରେ କିପରି ? ନାରୀ ତା’ର କୋମଳ ହସ୍ତ ସ୍ପର୍ଶରେ ଯେଉଁ ସୁନାର ସଂସାର ଗଢ଼ିଦିଏ, ତାକୁ ପୁଣି ଆଖି ପିଛୁଳାକେ ଜାଳି ପୋଡ଼ି ପାଉଁଶ କରି ଦେବାକୁ ଆଗଭର ହୁଏ କାହିଁକି-?

 

ଚନ୍ଦ୍ରକାନ୍ତ ହୃଦୟର ଭାବ ଆଉ ତୁଣ୍ଡର କଥାକୁ ମନଦେଇ ଶୁଣି ଯାଉଥିଲା ସୁଲି । ଶେଷରେ ଦୀର୍ଘ ନିଶ୍ୱାସ ପକାଇ କହିଲା–

 

–ଯଦି ସେ ଋଷି ଚାଲିଗଲେ ତୁମେ ଯାଇ ତାଙ୍କୁ ଫେରାଇ ଆଣିଲେ କ୍ଷତି କ’ଣ ହୁଅନ୍ତା-? ତୁମେ ଭାବୁଥିବ ତୁମର ସ୍ୱାମୀତ୍ୱରେ ଆଞ୍ଚ ଆସିବ । ଆସୁ ! ନିଜଘର ପାଇଁ, ନିଜର ଇଜ୍ଜତ ପାଇଁ, ତୁମେ ଏତିକି ତ୍ୟାଗ କରିବାକୁ କାହିଁକି ଯେ ପ୍ରସ୍ତୁତ ନୁହଁ ବୁଝି ପାରୁନି-

 

–ଏତେ ସହଜରେ ବୁଝି ପରିବା କଥା ତ ଏ ନୁହେଁ ! ତୁ ଚେଷ୍ଟା କଲେ ବୁଝି ପାରିବୁ । ଦୀପୁ ବାପା ଘରେ ଟିଉସନ କରୁଥିବା ବେଳେ ଦେଖିଥିବୁ ବହି ଭିତରେ ଉଦାହରଣ ଥିଲେ ସୁଦ୍ଧା ପିଲା ଅଙ୍କ କଷିପାରେ ନା । ସେ ଅଙ୍କଟା ଜଟିଳ, ବୁଝିବା କଷ୍ଟ ସେଥିପାଇଁ ଦୀପୁ ବାପାଙ୍କୁ ବୁଝାଇବାକୁ ପଡ଼େ । ପରିଶ୍ରମ କରିବାକୁ ହୁଏ । ସେପରି ଏ ଗୋଟିଏ ଜଟିଳକଥା । ତୋ ନୂଆ’ଉ ଆଉ ମୋ ଭିତରେ ଯେଉଁ ଭୁଲ ବୁଝାମଣା ସାମାନ୍ୟ ବୋଲି ତୋ ଆଖିକୁ ଦିଶୁଛି ତାକୁ ବୁଝି ବସିଲେ ବଡ଼ ଜଟିଳ । ମୁଁ ନିଜେବି ଯେତେ ଚେଷ୍ଟାକଲେ ସୁଦ୍ଧା ସେ ଅଭିମାନର ସୂତ୍ର ଖୋଜି ପାଉନି ! ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଅଶାନ୍ତି ଅସନ୍ତୋଷ ଉପୁଜିବା ନିହାତି ସ୍ୱାଭାବିକ୍‌ କଥା । ପୃଥିବୀର ପ୍ରତିଟି ସଂସାରୀ ଭିତରେ ଏପରି ସାମୟିକ କଳହ ନିଶ୍ଚୟ ଉପୁଜୁଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସ୍ତ୍ରୀ ସ୍ୱାମୀକୁ ଅସ୍ୱୀକାର କରି ଦୂରେଇ ଯାଉଛି । ଏ ପ୍ରକାର ଅଭିମାନକୁ ମୁଁ ଅଭିମାନ କୁହେନା–ଏହା ହେଉଛି ଏକ ଇତର ନାରୀର କୁତ୍ସିତ ମନ-ବିକାର ।

 

ତୁ କହତ ସୁଲି; ସ୍ୱାମୀ, ସ୍ତ୍ରୀର ବନ୍ଧନ କେତେ ପବିତ୍ର, କେତେ ନିର୍ମଳ । ସେଥିରେ କଳୁଷତାର ଲେସ ପର୍ଯ୍ୟନ୍ତ ଥାଏନା । ବିବାହ ପରେ ଦୁହେଁ ଦୁହିଁଙ୍କୁ ଅତି ନିବିଡ଼ ଭାବରେ ଭଲପାଇ, ଅତି ଦୃଢ଼ ଭାବରେ ପରସ୍ପର ପରସ୍ପରକୁ ଆକର୍ଷି ଧରି ଏ ଭବ-ପାରାବାରରେ ତାଙ୍କର ନଉକା ଭସାଇ ଦିଅନ୍ତି । କିନ୍ତୁ ଏ କ୍ଷେତ୍ରରେ ତୋର ନୂଆ’ଉ କଲା କ’ଣ ? ସ୍ୱାମୀ ଓ ପୁତ୍ରଠାରୁ ଦୂରେଇ ଯାଇ ସବୁଦିନ ପାଇଁ ଏକାକୀ ରହିବା ପାଇଁ ଇଚ୍ଛାକଲା । ତା ଭିତରେ ଯଦି ସିମିତି ମମତା ବା ଆନ୍ତରିକତା ଥାଆନ୍ତା ତେବେ ମନ ଭିତରେ ଯେତେ ଅଭିମାନ ଜମାଟ ବାନ୍ଧିଲେ ବି ସେ କ’ଣ ଗୋଟିଏ ଦିନ ବି ଦୂରେଇ ରହି ପାରନ୍ତା ? ତା ମନ କପୋତୀ କ’ଣ ଆକୁଳ ହୋଇଉଠାନ୍ତା ନି ଏପ୍ରକାର ବିଚ୍ଛେଦରେ ? ଶରାହତା ମୃଗୁଣୀ ପରି ସେ କ’ଣ ବିଳପୀ ଉଠନ୍ତାନି ?

 

କିନ୍ତୁ କାହିଁ ? ଏ ଆନ୍ତରିକତା, ଏ ଆଦର୍ଶ ତୋ ନୂଆ’ଉ ପାଖରେ କାହିଁ ? ଆମ ହିନ୍ଦୁଧର୍ମ କୁହେ ସ୍ତ୍ରୀ ପରା ସ୍ୱାମୀର ଅର୍ଦ୍ଧାଙ୍ଗିନୀ ? ସ୍ୱାମୀର ଦୁଃଖ ସୁଖ, ଆନନ୍ଦ କୋଳାହଳ, ପାପପୂଣ୍ୟ ପ୍ରତ୍ୟେକଥିରେ ସ୍ତ୍ରୀର ଅର୍ଦ୍ଧେକ ଭାଗଅଛି ବୋଲି ? ହେଲେ ସୁଜାତାର ଏତେ ଶିକ୍ଷା ଥାଇ ସେ ଯଦି ଏତିକି ବୁଝି ନପାରିଲା ତେବେ ଧିକ୍‌ ତା’ର ଶିକ୍ଷାକୁ; ଶତଧିକ୍‌ ତା’ର ଏ ଉଗ୍ର ଆଧୁନିକତାକୁ !

 

ତୁ ଜାଣୁନା ସୁଲି; ସୁଜାତା ଅତି ଉଚ୍ଛୃଙ୍ଖଳ । ସେ ନାରୀ ହେଲେ ବି ନାରୀର ମହତ ଚରିତ୍ରର ଏକ ରେଣୁ ପର୍ଯ୍ୟନ୍ତ ତାକୁ ସୃଷ୍ଟି କଲାବେଳେ ଭଗବାନ ତା ଭିତରେ ଦେଇ ନାହାନ୍ତି । ସ୍ୱାମୀକୁ ସେ ଭକ୍ତିକରିବା ଦୂରେ ଥାଉ ବରଂ ତା’ର ଇଚ୍ଛା ସ୍ୱାମୀ ତାକୁ ଭକ୍ତି କରନ୍ତା କି ! ସେ ଚାହେଁ ସ୍ୱାମୀ ତା’ର କ୍ରୀତଦାସ ହୋଇ ପଦସେବା କରୁ । ତା’ର ଅନ୍ତରର ଇଚ୍ଛା ତା’ର ଆଦେଶରେ ପରିଚାଳିତ ହେଉ ତା’ର ସ୍ୱାମୀ । ଏତିକି ହୋଇ ପାରିଥିଲେ ବୋଧହୁଏ ସୁଜାତା ଆନନ୍ଦିତ ହୋଇ ଥାଆନ୍ତା । ହେଲେ ମୁଁ କ’ଣ କେବେବି ତା’ର ସନ୍ତୁଷ୍ଟି ପାଇଁ ତା ହସ୍ତର କ୍ରୀଡ଼ନକ ହୋଇ ରହିପାରି ଥାଆନ୍ତି ? ତା’ର ଉଚ୍ଛୃଙ୍ଖଳତା, ତା’ର ଅସଭ୍ୟତା, ତା’ର ଅବାଧ୍ୟତାକୁ ପ୍ରତିବାଦ କରିବାର ଅଧିକାର କ’ଣ ମୋର ନାହିଁ ? ତା’ର ସ୍ୱେଚ୍ଛାଚାରିତା ପାଇଁ ମୁଁ କ’ଣ ତାକୁ ଶାସନ କରିବାକୁ ଅଯୋଗ୍ୟ ?

 

ସତେ ସୁଲି; ଅନେକ ସମୟରେ ମୁଁ ତୋତେ ଓ ତୋର ନୂଆ ବୋଉକୁ ମନେ ମନେ ତୁଳନା କରେ । ଯେଉଁ ଭଗବାନ ତୋ ପରି ଏକ ସୁନ୍ଦର-ସରଳ ନାରୀ ଗଢ଼ି ପାରନ୍ତି । ସେ ପୁଣି ସୁଜାତା ପରି ଏକ ସ୍ୱେଚ୍ଛାଚାରିଣୀ ଇତର ନାରୀ ସୃଷ୍ଟି କରନ୍ତି କାହିଁକି ? ତୁମ ଦୁଇଜଣଙ୍କୁ ସେ ଏକ ପ୍ରକାର ମେଦ, ମାଂସ, ରକ୍ତ ଦେଇ ତ ଗଢ଼ିଛନ୍ତି ! ତୁମ ଉଭୟଙ୍କୁ ତ ସେ ମାତୃତ୍ୱର ଅଧିକାରିଣୀ କରିଛନ୍ତି ! କିନ୍ତୁ ଦୁଇଜଣଙ୍କ ମଧ୍ୟରେ ତଫାତ୍‌ଟା ଏତିକି–ଜଣକର ସୁନାର ସଂସାରକୁ ଭଗବାନ୍‌ ଜବରଦସ୍ତ ଭାଙ୍ଗିରୁଜି ଚୁର୍‌ମାର କରିଦେବା ପରେ ବି ସେ ହତାଶ ହୋଇ ନଉଠି ନିଜ ରକ୍ତର ସନ୍ତାନଟିକୁ ମଣିଷ କରିବା ଆଶାରେ ପର ଦୁଆରେ ହାତ ପାତି ଠିଆ ହୋଇଛି... ଅଥଚ ଅନ୍ୟ ଜଣେ ନିଜ ଇଚ୍ଛାରେ ତା’ର ସୁନାର ସଂସାରକୁ ଜାଳି ପୋଡ଼ି ଦେଇ, ନିଜର ସ୍ୱାମୀ ଓ ସନ୍ତାନ ସହିତ ସମସ୍ତ ସମ୍ପର୍କ ତୁଟାଇ, ବିନା ଦ୍ୱିଧାରେ ଦୂରେଇ ଯାଇ ପାରୁଛି ! ....ଭଗବାନଙ୍କର ମଣିଷ ସୃଷ୍ଟିରେ ଏପ୍ରକାର ପାତର ଅନ୍ତର କ’ଣ ଉଚିତ ସୁଲି ?

 

ଏକା ନିଶ୍ୱାସରେ ନିଜ ମନର ସମସ୍ତ ଦୁଃଖ ଯନ୍ତ୍ରଣାକୁ ସୁଲି ଆଗରେ ବାହୁନିଗଲା ଚନ୍ଦ୍ରକାନ୍ତ ।

 

ସବୁ ଶୁଣିସାରି ସୁଲି ସହଜ କଣ୍ଠରେ କହିଲା–ଛାଡ଼ ଭାଇ; ପଛ କଥାକୁ ଘାଣ୍ଟିଲେ ଆଉ ଲାଭ କ’ଣ ? ଯାହାତ ହୋଇ ଯିବାର କଥା ହୋଇଗଲା ! ସେ କଥାକୁ ତୁମେ ଦୁହେଁ ଗିରାଗଣ୍ଠି କରି ଧରିବସିଲେ ଅଶାନ୍ତି ବଢ଼ିବ ସିନା କମିବ ନାହିଁ । ମୁଁ କହୁଛି, ତମେ ତ ବୟସରେ ତାଙ୍କଠାରୁ ବଡ଼ ! ତାଙ୍କ ଦୋଷସବୁ କ୍ଷମାଦେଇ ତାଙ୍କ ବାପ ଘରକୁ ଯାଇ ତାଙ୍କୁ ପୁଣିଥରେ ପାଛୋଟି ଆଣ । ଦେଖିବ ସେ ଆସି ଗଲା ପରେ ତୁମର ସବୁ ରାଗ ଅଭିମାନ କୁଆଡ଼େ ମିଳାଇ ଯିବ ।

 

–ପାଛୋଟି ଆଣିବି ? କେଉଁଠୁ ତାଙ୍କୁ ପାଛୋଟି ଆଣିବି ? ସେ କ’ଣ ତାଙ୍କ ବାପଘରେ ଅଛନ୍ତି ?

 

ସୁଲି ମୁଣ୍ଡରେ ସତେ ଯେପରି ଆକାଶଟା ଛିଣ୍ଡି ପଡ଼ିଲା ! ସେ ଚିହିଁକି ଉଠି କହିଲା–ନୂଆ’ଉ ବାପଘରେ ନାହାନ୍ତି ? ତେବେ ସେ ଅଛନ୍ତି କେଉଁଠି ?

 

ଚନ୍ଦ୍ରକାନ୍ତର ପିଞ୍ଜର ଦୋହଲାଇ ଏକ ବ୍ୟଥାର ଦୀର୍ଘଶ୍ୱାସ ବାହାରି ଆସିଲା ।

 

–ନାଃ–ସେ ବାପ ଘରେ କିପରି ରହିବେ ? ପାଠ ପଢ଼ି ନ ଥିଲେ ବୋଧହୁଏ ବାପାଙ୍କ ପାଖକୁ ସେ ଯାଇଥାନ୍ତେ ! ବାପା ହୁଏତ ତାଙ୍କର ଦୀର୍ଘ ଜୀବନଯାତ୍ରାର ଅନୁଭୂତି କାହାଣୀରୁ ଦି’ପଦ ଶୁଣାଇ ଶାନ୍ତ୍ୱନା ଦେଇଥାନ୍ତେ–ଫେରାଇ ଆଣି ଛାଡ଼ି ଦେଇଥାନ୍ତେ ! କିନ୍ତୁ...

 

–କିନ୍ତୁ ?

 

–କିନ୍ତୁ ମାନେ କିଛିନାହିଁ । କେବଳ ଏତିକି ଜାଣିରଖ ନୂଆ’ଉ ତୋର ବାପାଙ୍କ ପାଖକୁ ଯାଇ ନାହାନ୍ତି । ବାପଘରକୁ ଯିବାର ସତ୍‌ସାହସ ତାଙ୍କର ନଥିଲା ! ଯେଉଁଠାକୁ ଯାଇଛନ୍ତି ସେଠାରେ ମୋ ପାଦ ଭୁଲରେ ସୁଦ୍ଧା ପଡ଼ିବ ନାହିଁ ।

 

–ତୁମେ ସିନା ସେଠାକୁ ଯାଇପାରିବ ନାହିଁ, ହେଲେ ମୋତେ ଅନୁମତି ଦେଲେ ବୋଧହୁଏ ମୁଁ ଯାଇ ପାରନ୍ତି !

 

–ହୋ ହୋ ହୋଇ ହସି ଉଠି ଚନ୍ଦ୍ରକାନ୍ତ କହିଲା–ବୁଝିଲୁ ସୁଲି ଯେଉଁ ସ୍ଥାନକୁ ଚନ୍ଦ୍ରକାନ୍ତ ଯିବାପାଇଁ ଘୃଣା କରେ, ଲଜ୍ଜାବୋଧ କରେ; ସେ ସ୍ଥାନକୁ ତୁ ତା’ର ଭଉଣୀ ହିସାବରେ ଯିବାକୁ କିପରି ସାହାସ କରୁଛୁ ? ସେଠାକୁ ଯିବାପାଇଁ ମନ ବଳାଇଲେ ତୁ ଯେପରି ଭାବରେ ତାଙ୍କଦ୍ୱାରା ଅପମାନିତା ହେବୁ ସେଥିରେ ତୋ ଆଖିରୁ ଲୁହ ଶୁଖିବ ନାହିଁ । ଥରେ ଭୁଲ୍‌ କଲେ ଜୀବନସାରା ତୋତେ ପସ୍ତାଇବାକୁ ପଡ଼ିବ ।

 

ମାନେ !!

 

ମାନେ ଆଉ କ’ଣ ? ତୋ ଭାଉଜ ପାଠ ପଢ଼ିଛି, ଆଧୁନିକ ସଭ୍ୟତାର କୁହୁକ ତା ଆଖିରେ ଲାଗିଛି । ଆଉ ତାଙ୍କ ପାଠରେ ଲେଖାଅଛି ଭାଇ ଭଉଣୀକୁ ଯେଉଁ ସ୍ନେହ କରେ ତାକୁ ‘ପ୍ରେମ’ କହନ୍ତି ।

 

ସେ ଭଲ ପାଇବାର ଅର୍ଥ ଅଲଗା । ସହି ପାରିବୁ ଏ ଭତ୍ସର୍ନା ? ସେ ପ୍ରକାର ଧୈର୍ଯ୍ୟ ତୋ ଭିତରେ ଅଛି ?

 

ମୁହୂର୍ତ୍ତକ ପାଇଁ ନୀରବ ହୋଇ ସୁଲି ବସିରହିଲା ।

 

ତୋଫା ଜହ୍ନ ଆଲୁଅରେ ଚନ୍ଦ୍ରକାନ୍ତର ମୁହଁ ପରିଷ୍କାର ଦିଶୁଥାଏ । ସତେକି ତା ଶରୀରରେ ସମସ୍ତ ଲୋହିତ ରକ୍ତ କଣିକା ଏକତ୍ର ହୋଇ ମୁହଁ ଉପରେ ଜମାଟ ବାନ୍ଧି ଯାଇଛନ୍ତି ।

 

ପରିସ୍ଥିତିକୁ ସାମାନ୍ୟ ଲଘୁ କରିବାକୁ ଯାଇ ସୁଲି କହିଲା–ତୁମେ ଯଦି ନ ଯିବ ନାହିଁ–କିନ୍ତୁ ତାଙ୍କ ପାଖକୁ ବୁଝାଇ ଶୁଝାଇ କରି ଖଣ୍ଡେ ଚିଠି ଲେଖି ଦେଲେ ତ ତାଙ୍କ ମନରେ ପରିବର୍ତ୍ତନ ଆସନ୍ତା ?

 

–ମନ ଥିଲେ ସିନା ପରିବର୍ତ୍ତନର ପ୍ରଶ୍ନ ଉଠନ୍ତା ! ଯାହାର ମନ ନାହିଁ ତା’ର ପୁଣି ପରିବର୍ତ୍ତନ କ’ଣ ? ତୋ ନୂଆ’ଉ ଯେ ହୃଦୟହୀନା, ପାଷାଣୀ, ନିଷ୍ଠୁରା ।

 

–ଆଉ ତୁମେ ବି କମ୍‌ ନିଷ୍ଠୁର ନୁହଁ ତ ? ତାଙ୍କ ପ୍ରତି ଏତେଟା ନିଷ୍ଠୁର ହେବା ତୁମ ପକ୍ଷରେ ଶୋଭା ପାଏ ନାହିଁ ।

 

–ଯେଉଁଠାରେ ସ୍ତ୍ରୀ, ସ୍ୱାମୀକୁ ସ୍ୱାମୀ ବୋଲି ସ୍ୱୀକାର କରିବାକୁ ପଶ୍ଚାତ୍‌ପଦ ହୁଏ, କଚେରୀରେ ଆଶ୍ରୟ ନେଇ ସାମାଜିକ ବନ୍ଧନକୁ ଛିନ୍ନ କରିବା ପାଇଁ ଓକିଲ ନୋଟିସ୍‌ ଦିଏ–ସେଠାରେ ମୋର ନିଷ୍ଠୁର କିମ୍ବା ଦୟାର୍ଦ ହେବାର କଥା ଆସୁନାହିଁ । ଶୁଣିଲେ ତୁ ଆଶ୍ଚର୍ଯ୍ୟ ହେବୁ ଯେ ସୀତା ସାବିତ୍ରୀର ଦେଶରେ ତୋ ନୂଆ’ଉ ଭଳି ନାରୀମାନେ ଜନ୍ମଗ୍ରହଣ କରି ସ୍ୱାମୀଠାରୁ ଛାଡ଼ପତ୍ର ଚାହିଁବାର ଆଦର୍ଶ ସୃଷ୍ଟି କରିପାରନ୍ତି !

 

–ନୁଆ’ଉ କ’ଣ ସତରେ ଛାଡ଼ପତ୍ର ଚାହିଁଛନ୍ତି ?

 

–ତୋ ନୂଆ’ଉ ନାଁରେ ମୁଁ କ’ଣ ମିଛ କହୁଛି ବୋଲି ତୁ ଭାବୁଛୁ ? ସେପରି କରିବାଦ୍ୱାରା ମୋର କ’ଣ ଗୌରବ ବଢ଼ିବ ? ଯେତେ ଯାହାହେଲେ ସୁଦ୍ଧା ସେ ତ ମୋର ନିଜର ? ତାଙ୍କୁ ଅପବାଦ ଦେଇ କହି ବସିଲେ ମୋର କ’ଣ ବଦ୍‌ନାମ ହେବନି ? ହେଲେ ଯେଉଁଟା ସତ୍ୟ ତାହାହିଁ ମୁଁ ତୋତେ କହୁଛି । ଖଣ୍ଡିଏ ଚିଠିରେ ସେ ତାଙ୍କ ନିଷ୍ପତ୍ତି ମୋତେ ଜଣାଇ ଦେଇଛନ୍ତି ।

 

ସୁଲିକୁ ଏସବୁ ଶୁଣିବାକୁ ନୂଆ ନୂଆ ଲାଗୁଥିଲା । ସେ କ’ଣ ଯେ ଶୁଣୁଛି ତାକୁ ବିଶ୍ୱାସ କରିପାରୁ ନଥାଏ ।

 

ରୋଷଘରୁ ଦାମାନ୍ନାର ପାଟି ଶୁଭିଲା । ଷ୍ଟୋର୍‌ ଘରୁ ମସଲା କାଢ଼ିଲେ ସେ ମାଛ ରାନ୍ଧିବ ।

 

ଆଉ ଅଧିକା କିଛି ନକହି ସୁଲି ଉଠି ଚାଲିଗଲା ।

 

ସେ ଏକ ମନୋରମ ଅପରାହ୍ନ.....

 

ମଳୟର ପରଶ ପାଇ ସତେ ଯେପରି ପୃଥିବୀ ପ୍ରାଣରେ ନୂତନ ଜାଗରଣ ଆସିଛି । କଅଁଳ ଆମ୍ବପତ୍ରର ସବୁଜିମା ଆଉ ପଦ୍ମ, ପଲାଶର ସୌନ୍ଦର୍ଯ୍ୟରେ ଧରିତ୍ରୀ ସେ ଖାଲି ରୂପମତୀ ହୋଇଉଠିଛି ତା ନୁହେଁ–କୋଇଲିର କୁହୁ ତାନରେ ଗରବିଣୀ ବି ହୋଇ ଉଠିଛି ।

 

ସେହିଭଳି ସୁନ୍ଦର ଅପରାହ୍ନରେ ସୁବ୍ରତ ଖଣ୍ଡିଏ ଚିଠି ପଢ଼ୁଥିଲା ।

 

ଚିଠି ଖଣ୍ଡିଏ । କେତେ ମାୟା ମମତା ଭରା ଖଣ୍ଡିଏ ଚିଠି । ସୁବ୍ରତ ମନୋନିବେଶ କରି ପଢ଼ୁଥିଲା ।

 

ଗାଁରୁ ମାଆ ଲେଖିଛନ୍ତି । ପୂର୍ବତନ ଜମିଦାରୀର ଧ୍ୱଂସସ୍ତୁପ ଉପରେ ବସି ମାଆ ଲେଖିଛନ୍ତି । କେତେ କଲ୍ୟାଣ, କେତେ ଅଭିମାନ, କେତେ ଉପଦେଶ, ଆଉ କେତେ କେତେ ଦୁଃସହ ପରିସ୍ଥିତିର ପରିପ୍ରକାଶ ଚିଠି ଖଣ୍ଡିକ ଭିତରେ ଭରିରହିଛି । ନାକ ଉପରେ ଚଷମା ରଖି ଗାଁର ଅବଧାନ ଲେଖିଛନ୍ତି, ସେଇ କରଣୀ ଅକ୍ଷର, ଯେଉଁ ଅକ୍ଷରରେ ସେ ଏ ବଂଶର ଇତିହାସ ଲେଖିଛନ୍ତି । ବୃଦ୍ଧ, ସ୍ଥବୀର ହେଲେ ବି ସେ ତାଙ୍କର କର୍ତ୍ତବ୍ୟ କରିବାକୁ ପଶ୍ଚାତ୍‌ପଦ ହୋଇ ନାହାନ୍ତି-। ଜମିଦାରଙ୍କର ଅବଧାନ ବୋଲି ଏବେ ବି ତାଙ୍କର ଅହଂକାର ଅଛି । କଥା କଥାକେ ସେକାଳର ହୃତଗୌରବର କାହାଣୀକୁ ସୁବ୍ରତ ଆଗରେ ବାଢ଼ି ବସନ୍ତି । ସେ ସବୁ ଶୁଣିବାକୁ ଅବଶ୍ୟ ସୁବ୍ରତକୁ ଭଲ ଲାଗେନାହିଁ । ତା’ର ବଂଶର ପ୍ରୌଢ଼ି ଶୁଣିଲେ ତାକୁ ଯେପରି ଜଣାଯାଏ ସେ ଆଉରଙ୍ଗଜେବଙ୍କ ରାଜତ୍ୱ କଥା ଇତିହାସର ପୃଷ୍ଠାରୁ ପଢ଼ୁଛି । ତଥାପି ଅବଧାନଙ୍କର ସେ ସବୁ ଗପିବାରେ ଗୌରବ ଅଛି । ସେ କହନ୍ତି ବ୍ରିଟିଶ୍‌ ଅମଳ ବେଳେ ଓ ବକ୍ରି ଏକା ଘାଟରେ ପାଣି ପିଉଥିଲେ । କିନ୍ତୁ ଏଇ କଂଗରସ ଅମଳରେ ସବୁ ସରିଗଲା । ଚାଉଳ ଟଙ୍କାକୁ ବାଇଶି ମାଣ କୁଆଡ଼େ ଗଲା, ଟଙ୍କାଟିଏ ଦେଲେ ତିନି ମାଣ ମିଳିବା ମୁଷ୍କିଲ ହେଲା । ପିଲାପାଇଁ ଚିନି ଟିକକ ପାଇଁ ଧାଡ଼ି ଲଗାଇ ଘଣ୍ଟା ଘଣ୍ଟା ଧରି ଠିଆ ହେଲେ ପରମିଟ୍ ଥିଲେ ମିଳିବ ନଚେତ୍ ନାଇଁ । କିରୋସିନି ବୋତଲକୁ ଟଙ୍କାଏ ହେଲା । ଘିଅ ସେର ଦୁଇଟଙ୍କା ବା ତିନିଟଙ୍କା କୁଆଡ଼େ ଗଲା ଏବେ ଷୋଳ ଟଙ୍କା ଦେଲେ ବି ଖାଣ୍ଟି ଘିଅ ମିଳିବା ସପନ ହେଲ । ଖାଲି ଭେଜାଲ୍‌ ! ସବୁଥିରେ ଭେଜାଲ୍‌-। ଏ ଯୁଗ ବି ଭେଜାଲ୍ ହେଲା...ଏ ମଣିଷ ବି ଭେଜାଲ୍ ହେଲେ । ଆମେ ଯାହା କରିଥଲୁ, ଆମେ ଯାହା ଖାଇଥିଲୁ, ଆମେ ଯାହା ଫିଙ୍ଗି ଦେଇଥିଲୁ ତା ତୁମେ କେଉଁଠୁ ବାପା ପାଇବ ? ସେ ରାମ ଆଉ ନାହାନ୍ତି କି ସେ ରାମ ରାଇଜ ଆଉ ନାହିଁ । ଏଇ ଅନିଭୋଗ ସହିବାକୁ ଆମେ କେତେଟା ପାପୀଲୋକ ଯାହା ବଞ୍ଚିଛୁ । ଜମିଦାର ସବୁ ପୁଣ୍ୟାତ୍ମା ଥିଲେ । ଦେବ ଅଂଶରେ ଜନ୍ମ ହୋଇଥିଲେ-। ଚଳନ୍ତି ବିଷ୍ଣୁ । ଏ ଦୁଃଖ କଷ୍ଟ ସହିବାକୁ କି ଦେଖିବାକୁ ସେମାନେ କାହିଁକି ଅବା ବଞ୍ଚି ରହନ୍ତେ ? ପର ଜନ୍ମରେ ସେମାନେ ତପସ୍ୟା କରିଥିଲେ । ଜୀବନଟା ସାରା ସୁଖ ଭୋଗି ଭୋଗି ଚାଲିଗଲେ । –ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ଜମିଦାର ବଂଶର ଇତିହାସ ସହିତ ମନୁ ଅବଧାନେ ଓତଃପ୍ରୋତ ଭାବେ ଜଡ଼ିତ । କେଉଁଦିନ କ’ଣ ଘଟିଥିଲା ସବୁ ତାଙ୍କର ଜିଭ ଅଗରେ ଥୁଆ । ଆଖିକୁ ସେତେ ଭଲ ଦୃଶ୍ୟ ହେଉ ନ ଥିଲେ ସୁଦ୍ଧା ପ୍ରତିଦିନ ମାଆଙ୍କ ପାଖରେ ଠିଆହୋଇ ପାଞ୍ଜିବିଡ଼ା ଧରି ଗ୍ରହ ଚଳନଠାରୁ ମଙ୍ଗଳାଷ୍ଟକ ପର୍ଯ୍ୟନ୍ତ ପଢ଼ି ଫେରି ଯାଆନ୍ତି । ସିଦ୍ଧା ପାଇଲେ ମନ ଖୁସି ନାହିଁ କିମ୍ବା ନ ପାଇଲେ ବି ମନ ଦୁଃଖ ନାହିଁ ।

 

ସେଇ ମନୁ ଅବଧାନଙ୍କ ହସ୍ତାକ୍ଷରରେ ମାଆଙ୍କର ପ୍ରାଣର ଭାଷା ବହନ କରି ଏ ଚିଠିଖଣ୍ଡି ପ୍ରାଣବନ୍ତ ହୋଇ ସୁବ୍ରତ ପାଖରେ ପହଞ୍ଚିଛି । ସୁବ୍ରତ ପଢ଼ୁଥିଲା–

 

ବାଇଆଟା ମୋର !

 

କେତେଦିନ ଏପରି ବୁଲାବୁଦ୍ଧି ଧରି ବାୟାଙ୍କ ପରି ଏଣେ ତେଣେ ବୁଲୁଥିବୁ ? ତୋର ତ ଫେର୍‌ ସଂସାର ଅଛି ? ଏଇ ବଂଶରେ ତୋତେ ଜନ୍ମକରି ତୋ ବାପା ତ ଫେର୍‌ ତୋଠାରୁ କେତେ କ’ଣ ଆଶା କରିଥିବେ ? ତୁ କ’ଣ କଲୁ ? କେତେଦିନ ଅବା ଆଉ ବଞ୍ଚିବ ? ଏକା ଏକା ଏ ଘରେ ଚାକରାଣୀ ଆଗରେ ସିନା ପ୍ରାଣ ଯିବ ? ଶେଷକାଳକୁ ମୁହଁରେ ପାଣି ମୁନ୍ଦାଏ ଦେବାକୁ ତୁ ନଥିବୁ କି ଆଉ କେହି ନଥିବେ । ମୁଁ ନିପାଣିଆ ହୋଇ ମରିବି । ଚାକିରିଆଣୀ ହାତରୁ ପାଣି ଢୋକେ ପିଇଲେ ଏ ଆତ୍ମା କ’ଣ ମୋକ୍ଷ ହେବ ? ଏ ବର୍ଷ କେତେ ବାହାତିଥି ଗଲା । କେତେ ଝିଅ ଏ ଗାଆଁରୁ ବୋହୂସାଜି ଡୋଲିରେ ବସି କେତେ ଗାଆଁକୁ ଗଲେ । କେତେ ବୋହୂ ବି ଏ ଗାଁକୁ ଆସିଲେ । ସମସ୍ତଙ୍କ ଘରେ ହୁଳହୁଳି, ଶଙ୍ଖଧ୍ୱନି; କିନ୍ତୁ ମୋ ଘରେ କ’ଣ ଶୁଭଶଙ୍ଖ ବାଜିବ ନାହିଁ ? ସାଇରୁ କେତେ ମାଇପେ ଆସି ସେମାନଙ୍କ ବୋହୂ ଦେଖି ଯିବାକୁ ଡାକିଗଲେ । ମନ ଦୁଃଖରେ ଗଲିନାହିଁ । କାହିଁକି ଯିବି ? ଦେଖି ସାରି ଅସରାଏ କାହିଁକି କାନ୍ଦିବି ? ମୋ କପାଳରେ ତ ନାହିଁ ! କେତେଦିନ ଏପରି ବାଇଆ ବୁଦ୍ଧି ଧରି ବସିଥିବୁ କେଜାଣି ? ଆଉ କ’ଣ ବଳବଅସ ଆସୁଛି ? ଦିନକୁ ଦିନ ଗଲେ ମାସେ । ମାସ ମାସ ହୋଇ ବରଷେ । ତୁ ତ ଆଉ ପିଲା ହେଉନୁ ? ତୋ ସାଙ୍ଗର ପିଲା ବାହା ହୋଇ ଘର ସଂସାର କରି ଦୁଇ, ତିନୋଟି ପୁଅଝିଅ ଧରି ଦାଣ୍ଡରେ ଚାଲିଲେଣି-। ଏଡ଼େ ବଡ଼ ଖଞ୍ଜା ଖାଁ ଖାଁ ଗୋଡ଼ାଉଛି । ଦାଣ୍ଡ ବାହାରକୁ ଯିବାପାଇଁ ଏ ଘରେ ପିଲା ବକଟେ ନାହିଁ ।

 

ମାମୁଁ ସାନ୍ତେ ତୋର ଆସିବା ହୋଇଥିଲେ । ନରହରିପୁର ଜେମାଙ୍କ ସହିତ ତୋର ବାହାଘର କଥା କହୁଥିଲେ । ଜେମା ହେଉଛନ୍ତି ସାତ ଭାଇରେ ଗୋଟିଏ ଭଉଣୀ । ରୂପ ସାଙ୍ଗକୁ ଗୁଣ କୁଆଡ଼େ ବଳି ପଡ଼ିଛି । ମାମୁଁ କହୁଥିଲେ ସେଇଠି ଏ ବର୍ଷ ପ୍ରସ୍ତାବ ପକାଇବା । ମୋତେ ବୋହୂ ଦେଖିଯିବାକୁ ବହୁତ ଲଗାଇଥିଲେ । କିନ୍ତୁ ମୁଁ ମନାକଲି । କହିଲି ଯିଏ ବାହାହେବ ସେ ସିନା ରାଜି ହେଲେ ବୋହୂ ଦେଖିବି ? କେତେ ବି ବୋହୂ ଦେଖିବ । କେତେ ବୋହୂତ ଏପରି ଦେଖିଲିଣି । ଦେଖିବା ସାର ହେଉଛି ସିନା କିନ୍ତୁ ବୋହୂ କ’ଣ ଏ ଘରକୁ ଆସୁଛି ? ତୋ ମନରେ ଯାହାଅଛି ତା ତୁ କରିବୁ । ଯଦି କହନ୍ତୁ ତେବେ ମୁଁ ଯାଇ ବୋହୂ ଦେଖି ଆସନ୍ତି । କେତେଦିନ ଏ ବୁଢ଼ୀଟାକୁ ଆଉ ଦହଗଞ୍ଜ କରି ମାରୁଥିବୁ କେଜାଣି ?

 

ହଁ, ମାନସିଂହଙ୍କ ପୁଅ, ଯିଏ ପଞ୍ଚାୟତରେ ଚେୟାରମ୍ୟାନ୍‌ ହୋଇଛନ୍ତି, ସେ ଏବେ କିଛିଦିନ ତଳେ ଉଆସକୁ ଆସିଥିଲେ । କହୁଥିଲେ–ମାମା, ସୁବ୍ରତ ଏତେ ପାଠପଢ଼ି ଏ କି କାମ କରୁଛି ? ଚାକିରୀ ବାକିରୀ କାହିଁକି କଲା ନାହିଁ ? ଖାଲି ତୁଚ୍ଛାଟାରେ ଚଷୁ କୁଟୁଛି ସିନା ! କଟକରେ ହାକିମ ହୁକୁମା କେହି ତାକୁ ଭଲ ପାଉ ନାହାନ୍ତି । ସମସ୍ତଙ୍କ ନାଆଁରେ କାଗଜରେ ଲେଖୁଛି । ମୁଁ ତ ଏଥର ଶୁଣୁଥିଲି ଜମିଦାରୀ ଉଚ୍ଛେଦ ନେଇ ଆପଣ ଯେଉଁ କ୍ଷତି ପୁରଣ ପାଉଛନ୍ତି ସେତକ ତାରି ପାଇଁ କଟିଯିବ । ଯଦି ମାନସିଂହଙ୍କ ପୁଅ କଥା ସତ ହୋଇଥାଏ ତେବେ ତୁ ପୁଅ ସେ ବାଟରେ ଯାଆନା । କି ଲାଭ ମିଳିବ ସେ ଦେଶ ସେବାରୁ ? ଚାରି ଦଉଡ଼ିକଟାଙ୍କୁ ସେ ଦେଶ ସେବା ସୁହାଏ-। ତୋର ଏ ପାଖରେ କେତେ ଧନ୍ଦା ! ଜମିବାଡ଼ି ଖବର ବୁଝି ବସିଲେ ତୋ ଭାତ କିଏ ଖାଇବ ! ଏତେ ସମ୍ପତ୍ତି ଦେଖା ଚାହାଁ ବିନା ବାବରଖାନିଆ ହୋଇ ଯାଉଛି । ବାର ଅରକ୍ଷିତ ମାରିପିଟି ଖାଉଛନ୍ତି । କେହିତ ମୁରବୀ ନାହାନ୍ତି–ବୁଝିବ କିଏ ? ପାଞ୍ଚଲୋକଙ୍କ ପାଖରେ ଅପ୍ରିୟ ହେବାରେ ଆମର ଆବଶ୍ୟକତା ନାହିଁ । ପାଞ୍ଚଲୋକ ସନ୍ତୁଷ୍ଟ ହେଲେ ମଙ୍ଗଳ । ଯିଏ ଯାହା କରୁଛି କରୁ । ତାକୁ ତା’ର ଫଳାଫଳ ପାଇଁ ଭଗବାନ ଦଣ୍ଡଦେବେ । ଆମେ କାହିଁକି କାହାର ଅପ୍ରିୟ ହେବା-?

 

ମୋ ରାଣ୍‌ ତୁ ଘରକୁ ଚାଲିଯା । ତୁ ଆସିଲେ ସବୁ କଥା ତୁଟି ଯିବ । ଘର ସଂସାର କରି ମଣିଷ ହୁଅ । ଆମ ଦୁଃଖରେ ତ ହାଡ଼ି, ବାଉରୀ ନାହାନ୍ତି ପରକଥା ଚିନ୍ତାକରି ଲାଭ କ’ଣ ? ଅପଯଶ, ଅଖ୍ୟାତି, ଅପକୀର୍ତ୍ତିଠାରୁ ଦୂରରେ ରହିବୁ ବୋଲି ତୋତେ ମୁଁ ବାରମ୍ବାର କେତେ ଥର କହିଛି ! ପାଠଶାଠ ପଢ଼ିଲେ କ’ଣ ମାଆ, ବାପାଙ୍କ କଥା ମାନନ୍ତି ନାହିଁ ?

 

ନାରଣ ସାମଲ୍‌ କହୁଥିଲା, ଏବର୍ଷ କ’ଣ ଭାଗଚାଷ ଆଇନ୍‌ ପାସ୍‌ ହୋଇଛି ଯେ ଯେଉଁ ପାଞ୍ଚ ଦଶ ଗୁଣ୍ଠ ଜମି ଅଛି ତାକୁସବୁ ରଇତମାନେ ତାଙ୍କ ନାମରେ କରିବା ପାଇଁ ହାକିମ ପାଖକୁ ଦରଖାସ୍ତ କଲେଣି । ତୁ ଶୀଘ୍ର ଆସି ଏ ବିଷୟ ନ ବୁଝିଲେ ଶେଷରେ ତୁ ଅନାଥ ହେବୁ । ମୋର ଅବା ଆଉ କେତେ ଦିନ ?

 

ଚିଠି ପଢ଼ୁଥିଲା ସୁବ୍ରତ । ମାମା ଲେଖିଛନ୍ତି । ତାକୁ ଘେରି ଯେଉଁ ଛୋଟ ସଂସାରଟି ଅଛି ତାରି ହାନିଲାଭର ସମ୍ବାଦ ତା ପାଖକୁ ଆସିଛି ।

 

ମା’ଙ୍କର ମମତା ଭରା ମୁହଁ, ଲୁହ ଛଳ ଛଳ ଆଖି ତା ଆଗରେ ଭାସି ଉଠିଲା । ସତେ ଯେପରି ସେ ହାତଠାରି ଡାକୁଛନ୍ତି, –ବାଇଆଟା ଚାଲିଲା, ଆଉ ଧୂଳି ହୁଅନା, ପୁଣି ଆସି ଏଇ ଭିଟାମାଟିରେ ଜମିଦାର ହୋଇ ବସି ରହ ।

 

ମନରେ ଚମକ ଲାଗିଲା ସୁବ୍ରତର । ପୁଣି କ’ଣ ମୃତ ଗୌରବକୁ ଉଖାରିବା ପାଇଁ ସେଇ ଭିଟାମାଟିକୁ ଫେରିଯିବ ସେ ? ସେଠାରେ ପୁଣି ଜମିବିକ୍ରୀ କରି ନିଜର ପୁଷ୍ପାଭିଷେକ କରାଇବ ? କାହା ଉପରେ ଆଉ କର୍ତ୍ତୃତ୍ୱ ଅଛି ଯେ କିଏ, କ’ଣ, କାହିଁକି ଅବା ତାକୁ ଆଣି ଭେଟିଦେବେ ? ଶେଷରେ ତାରି ବଂଶର ଇତିହାସକୁ ପୁଣି ପୁନରାବୃତ୍ତି କରିବ ! ଜମିରୁ ଧାନ ବିକ୍ରି କରି, ଦରକାର ପଡ଼ିଲେ ଜମି ବିକ୍ରି କରି ଗଣ୍ଡିଏ ଖାଇ, ଖଟରେ ଶୋଇ, ଫମ୍ପା ଜମିଦାରୀର ଅହମିକା ନେଇ ପୁଣି ହୁଏତ ମଦ୍ୟପ ସାଜିବ ! ବିବାହ କରି ସାରିବା ପରେ ନରହରି ପୁର ଜେମା ଉଆସ ଭିତରେ ତାକୁ ପ୍ରତୀକ୍ଷା କରି ଜାଗର ଜାଳି ଜାଳି ଉଜାଗର ରହି କେତେ ରଜନୀ ବିତାଇବେ-। ସେ କିନ୍ତୁ ସେତେବେଳେ ମଦ ପିଇ ସନିଆ ପାଣର କନ୍ୟା କିମ୍ବା ବୋହୂର ପ୍ରଣୟରେ ଲିପ୍ତ ଥିବ-! ବହୁ ଧିକ୍‌କାର ଆଉ ନିନ୍ଦାରେ ତା’ର ଚରିତ୍ର ନିନ୍ଦିତ ହୋଇ ଉଠିବ । ସେତେବେଳେ କ’ଣ ମନରେ ଜମିଦାରୀର ଆଭିଜାତ୍ୟ ରଖି ପାରିବ ସେ ?

 

ମନେ ମନେ ହସି ଉଠିଲା ସୁବ୍ରତ । ସେ ସମୟ ଯାଇଛି, ସମୟର ରେଲ ଗାଡ଼ି ଚକ ତଳେ ସେ ଆଭିଜାତ୍ୟ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ଯାଇଛି; ଆଜିକାଲି ଆଉ ଶସ୍ତା, ଫମ୍ପା, ଅହଂକାର ନେଇ ବଞ୍ଚି ରହିଲେ ଭିକ ମୁଠାଏ ବି ଲୋକ ଦେବେ ନାହିଁ । ହାତପାତି କାହା ଦୁଆରେ ଠିଆ ହେଲେ ବି ଜମିଦାର ବଂଶର ରକ୍ତ ବୋଲି କେହି ପାଣି କି ତୋରାଣି ମୁନ୍ଦାଏ ଟେକି ଦେବେ ନାହିଁ । ଏ ଯୁଗର ଗୀତାରେ ଭଗବାନ ଶ୍ରୀକଷ୍ଣ ଅର୍ଜ୍ଜୁନଙ୍କୁ କହୁଛନ୍ତି–ଖଟି ଖାଅ, କାଟି ପିନ୍ଧ, ନିଜେ ଦୁଇ ହାତର ବଳକୁ ଖଟାଇ, ନିଜର ରକ୍ତକୁ ପାଣି ଫଟାଇ ଯଦି ଖାଟି ପାରିବ ତେବେ ଦୁଇ ଓଳି ସେ ହାତ ଦୁଇଟା ପାଟିକୁ ଯାଇ ପାରିବ, ନଚେତ୍ ସେଇ ହାତ ଦୁଇଟାକୁ ଆଞ୍ଜୁଳା କରି ପାତିବସିଲେ ନୂଆ ପଇସାଟିଏ ବି କେହି ଦେବେନାହିଁ । କିଏବା କାହିଁକି ତା’ର ଅର୍ଜ୍ଜୁନରୁ କର୍ମ୍ମକୁଣ୍ଠ ଲୋକକୁ ଦାନ କରିବ ?

 

ସେ ଦିନର ଜମିଦାରୀର ଆଭିଜାତ୍ୟ-କୋଠାରୁ ଚୂନ ଖସିଲାଣି । ଯେତେ ଇଚ୍ଛା ସେତେ ଚୂନ ଖସି ଯାଉ ! ଅତ୍ୟାଚାରୀର ରକ୍ତରେ ଗଢ଼ି ଉଠିଥିବା ପ୍ରତିଟି ଇଟାଖଣ୍ଡ ବି ଧୂଳିସାତ୍‌ ହୋଇଯାଉ ! ତାପରେ ଯାଇ କେତେ ଗୁଣ୍ଠ ଧରିତ୍ରୀକୁ ପ୍ରାଣ ଖୋଲି ମାଆ ବୋଲି ଡାକି ପାରିବ ।

 

ମା ଲେଖିଛନ୍ତି ଘରକୁ ବୋହୂ ଆସିବ । ସେ ପୁଣି ନରହରିପୁରର ଜେମା । ଯାହାଙ୍କର ଆଉ ଗୁଣର ତୁଳନା ନାହିଁ । ଉପମା ଦେବାକୁ ଉପମେୟର ଅଭାବ ଏଡ଼େ ବଡ଼ ପୃଥିବୀରେ ତାଙ୍କ ପାଇଁ ପଡ଼ିବ । ଏପରି ଜଣେ ବର-ନାରୀର ପାଣି ଯଦି ସେ ଗ୍ରହଣ ନକରେ ଜୀବନ ତା’ର କୁତାର୍ଥ ହେବ ନାହିଁ, କିମ୍ବା ତା’ର ପିତୃ ପୁରୁଷମାନେ ପାଣି ଟୋପାଏ ବି ପାଇ ପାରିବେ ନାହିଁ । ସେ ପୁରରେ ବି ଅମୋକ୍ଷ ରହିଯିବେ......

 

ସୁବ୍ରତ ହସିଲା ।

 

ଯଦି ଏ ପୁରର ପାଣି ଟୋପାଏରେ ସେ ପୁରର ଗୋଟାଏ ଆତ୍ମା ମୋକ୍ଷ ଲାଭ କରିପାରେ, ତାକୁ କୃତ-କର୍ମ୍ମର କିଛି ଫଳ ନଥାଏ ତେବେ ଏହାଠାରୁ ନିର୍ବୋଧତା ଆଉ ଏ ପରମାଣୁ ଯୁଗରେ କ’ଣ ଥାଇପାରେ ? ଯଦି ଚନ୍ଦ୍ର ମହାଦଶା ପାଇଁ ହୋମ କରି ଗ୍ରହକୁ ଶାନ୍ତ କରିବାର ଛଳନାରେ ବ୍ରାହ୍ମଣର ସ୍ୱାର୍ଥ ସିଦ୍ଧି ହେଉଥାଏ ତେବେ ଲୁନା ୯ ର ଚନ୍ଦ୍ର ମହାଦେଶ ପରିଭ୍ରମଣକୁ କ’ଣ କୁହାଯାଇ ପାରେ ସେଥିପାଇଁ ଗୋଟାଏ ନୂତନ ଅଭିଧାନର ସୃଷ୍ଟି କଲେ ସିନା ଭାଷାର ସନ୍ଧାନ ମିଳିପାରିବ ? ସେମାନେ ତା’ର ପୂର୍ବପୁରୁଷ ହୋଇଥାନ୍ତୁ କିମ୍ବା ପିତା, ପ୍ରପିତାମହ ହିସାବରେ ତାଙ୍କର ଯେଉଁ ଅଧିକାର ତା ଉପରେ ଥାଉନା କାହିଁକି, କିନ୍ତୁ କେତେ ଗୁଡ଼ାଏ ଅପବିତ୍ର, କଳଙ୍କିତ, ଘୃଣ୍ୟ ଆତ୍ମାର ସ୍ତୁତି ସେ ଶ୍ରାଦ୍ଧ-ବାର୍ଷିକୀରେ କରି ପାରିବ ନାହିଁ । ସେଥିରେ ତା’ର ଯଦି କର୍ତ୍ତବ୍ୟରେ ହେଳା ହୁଏ ବୋଲି ଶାସ୍ତ୍ର କହି ତାକୁ ନର୍କବାସର ଧମକ ଦିଏ, ସେ ପ୍ରକାର ଶାସ୍ତିକୁ ସେ ପଛକେ ବିନା ପ୍ରତିବାଦରେ ବରଣ କରିନେବ, କିନ୍ତୁ ଏ ପ୍ରକାର ଅପକର୍ମ୍ମ କରି ପାରିବ ନାହିଁ... !

 

ପାଣି ପାତ୍ରୀଏ ନ ଦେଲେ ଯଦି ପିତୃ ପୁରୁଷମାନେ ଅସନ୍ତୋଷ ହୋଇ ତା ପ୍ରତି ଅଭିଶାପ ଦିଅନ୍ତି ତେବେ ସେ ପ୍ରକାର ଅଭିଶାପ କଦାପି ବର୍ତ୍ତମାନ ସେ ଭୋଗ କରୁଥିବା କଷ୍ଟଠାରୁ ବିଶେଷ ହେବ ନାହିଁ ! ସେଇ ବଂଶର ପରିଚୟ ଦେବାକୁ ଯାଇ ଆଜି କାଲିକାର ଗଣତନ୍ତ୍ର ସମାଜରେ ତାକୁ ଯେ କିପ୍ରକାର ମାନସିକ କଷ୍ଟ ଭୋଗିବାକୁ ହେଉଛି ତା ଭାବି ବସିଲେ ନିଜେ ଅନୁଭବ ଯେଉଁମାନେ କରି ନାହାନ୍ତି ସେମାନେ କଳ୍ପନା ସୁଦ୍ଧା କରି ପାରିବେ ନାହିଁ ।

 

ପିତା ଆକାଶଠାରୁ ବଡ଼ । ଜନ୍ମଦାତା ହିସାବରେ ତାଙ୍କର ଯେତିକି ଭକ୍ତି ପାଇବାର ହକ୍ ତାଠାରୁ ଅଧିକା କାଣିଚାଏ ଦେବାକୁ ସୁବ୍ରତ ଯେପରି କୁଣ୍ଠିତ ହୋଇ ଉଠୁଥିଲା ।

 

ଗାଆଁର ପର ଘରର ଝିଅ ବୋହୂଙ୍କୁ ଭୋଗ କରିବା ଯଦି ସେତେବେଳେ ଏ ବଂଶର ଆଭିଜାତ୍ୟ ଥିଲା ଏବଂ ସେଥିପାଇଁ ଯଦି ସେ ତା’ର ବଂଶର ପୂର୍ବସୁରୀମାନଙ୍କୁ ଦୋଷ ଦେବା ଫଳରେ ପାପ ଅର୍ଜ୍ଜନ କରୁଛି ବା ଅକ୍ଷମଣୀୟ ଅପରାଧ ତା’ର ହେଉଛି ତେବେ ଆଜିକାଲି ଏଇ ସମାଜରେ ସେଇଭଳି ଅପକର୍ମ୍ମ କରୁଥିବା ମନ୍ତ୍ରୀ, ଉଚ୍ଚପଦସ୍ଥ ଅଫିସରମାନଙ୍କୁ ସମାଲୋଚନା କରିବାପାଇଁ ତା’ର କଲମ କାହିଁକି ଉଗ୍ର ହୋଇଉଠୁଛି ? କାହିଁକି ବିଦ୍ରୋହର ଅଗ୍ନି ଉଦ୍‌ଗୀରଣ କରୁଛି ? ଆଜି ଯଦି ମାଇକ୍ରୋସ୍କୋପ୍‌ରେ ତା’ର ରକ୍ତ ପରୀକ୍ଷିତ ହୁଏ ତେବେ ଆଭିଜାତ୍ୟ, ଅହଂକାରର ନମୁନା ସ୍ୱରୂପ ଶତ ଶତ ଉପଦଂଶ, ମେହ ରୋଗର ଜୀବାଣୁ ସେଥିରେ ଆଭିଜାତ୍ୟର ଗର୍ବନେଇ ସ୍ୱଚ୍ଛନ୍ଦରେ ବିଚରଣ କରୁଥିବେ । ପାପୀକୁ ପାପୀ କିମ୍ବା ଚୋର କହିବା ପାଇଁ ସତ୍‌ସାହାସ ଅଭାବରେ ମନୁଷ୍ୟ ଭୀରୁରେ ପରିଣତ ହୁଏ । ସୁସ୍ଥ ମନର ସ୍ୱାକ୍ଷର ସେ ବ୍ୟକ୍ତି ପାଖରେ ସଦାବେଳେ ଅଭାବ ରହେ ।

 

‘‘ପିତା ସ୍ୱର୍ଗ, ପିତାଧର୍ମ, ପିତାହିଁ ପରମତପଃ, ପିତରୀ ପ୍ରିୟମାପ୍ନୋତି, ପ୍ରିୟନ୍ତେ ସର୍ବଦେବତା ।’’ ଏ ପ୍ରକାର ନୀତିବାକ୍ୟକୁ ସୁବ୍ରତ ଯଥେଷ୍ଟ ସମ୍ମାନ ଦିଏ । ସୃଷ୍ଟିକର୍ତ୍ତା ରୂପରେ ପିତାଙ୍କ ଆସନ ସ୍ୱର୍ଗଠାରୁ ଉଚ୍ଚରେ । ପିତାଙ୍କ ସନ୍ତୋଷରେ ସବୁ ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି । ଯଦି ପିତା ସ୍ଖଳିତ ଚରିତ୍ର, ମଦ୍ୟପ, ବେଶ୍ୟାସକ୍ତ ହୁଅନ୍ତି ତେବେ ସୃଷ୍ଟିକର୍ତ୍ତା ହିସାବରେ ତାଙ୍କର ଆସନ ସ୍ୱର୍ଗଠାରୁ ଉଚ୍ଚ ହେବ ବୋଲି କିଏ କହିବ ? ସେଠାରେ ସୁବ୍ରତ ଯୁକ୍ତି କରିବାକୁ ବାଧ୍ୟ ହୁଏ । କାମଜ ପ୍ରେମରୁ ସନ୍ତାନ ସୃଷ୍ଟିପରେ ଯଦି ପିତା ତାଙ୍କର ସମସ୍ତ ବଦ୍‌ଗୁଣ ସତ୍ୱେ ପିତୃତ୍ୱର ଅଧିକାର ଦାବୀକରି ବସନ୍ତି ଏବଂ ସମାଜରେ ପିତାର ଅପକର୍ମ୍ମ ପାଇଁ ବନ୍ଧୁମହଲଠାରୁ ଆରମ୍ଭ କରି ଗୁରୁଜନ ଓ ଲଘୁଜନ ପର୍ଯ୍ୟନ୍ତ ପୁତ୍ରକୁ ବହୁ ସମାଲୋଚନା, ଉପହାସ, ପରିହାସ, ବ୍ୟଙ୍ଗ, କଟୁକ୍ତିର ଶିକାର ହେବାକୁ ହୁଏ, ତେବେ ସେପରି କ୍ଷେତ୍ରରେ ହଜାରେ ଉପଦେଶ ବାକ୍ୟ କୁହ, କିମ୍ବା ନୀତି ଶାସ୍ତ୍ରରୁ ସହସ୍ର ଶ୍ଳୋକ ଉଦ୍ଧାର କର, ତଥାପି ପୁତ୍ରର ବିଦ୍ରୋହୀ ମନ ଶାନ୍ତ ହେବନି ।

 

ସୁବ୍ରତର ଯୁକ୍ତି–ଆଗାମୀ ବଂଶଧର ସୃଷ୍ଟିକରିବା ପୂର୍ବରୁ ସେମାନଙ୍କର ଆଖିରେ ଚିରଦିନ ଲାଗି ଆଦର୍ଶ ହେବା ପାଇଁ ମନଷ୍ୟକୁ ତା’ର ଚରିତ୍ର, କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ଦୃଷ୍ଟି ଦେବାକୁ ହେବ ! ସଚ୍ଚରିତ୍ର ଓ ଆଦର୍ଶବାଦୀ ପିତାହିଁ କେବଳ ତା’ର ଆଗାମୀ ବଂଶଧର ମାନଙ୍କଠାରୁ ସ୍ନେହ, ଶ୍ରଦ୍ଧା, ଭକ୍ତି ସବୁ କିଛି ଆଶା କରିପାରେ । କିନ୍ତୁ ସ୍ଖଳିତ ପିତାର ସେସବୁ କାମନା କରିବା ମୂର୍ଖତା ବ୍ୟତୀତ ଆଉ କିଛି ହୋଇ ପାରେନା !

 

ଦିନେ ନୁହେଁ, ମାସେ ନୁହେଁ, ବର୍ଷେ ନୁହେଁ, ବର୍ଷ ବର୍ଷ ଧରି ଗୋଟିଏ ଯୁଗ–ଏଇ ବଂଶ ସମାଜ ଉପରେ ତାଙ୍କର ଅତ୍ୟାଚାର କରି ଚାଲିଲେ । ଅଧ୍ୟାୟ ପରେ ଅଧ୍ୟାୟ ସୃଷ୍ଟି କରି ପାପର ଗୋଟାଏ ମହାକାବ୍ୟ ରଚନା କରି ଗଲେ । ଏଇ ବଂଶର ବିରାଟ ଇତିହାସର ପୃଷ୍ଠା ଓଲଟାଇଲେ ସେ ଦେଖିବ–ଏଇ ଖମାର ଘରେ ବହୁ ନିଃସହାୟା ବିଧବାଙ୍କର ସମ୍ପତି ଆସି ରହିଛି । ବହୁ ଦରିଦ୍ର ଚାଷୀ କରଜ ଟଙ୍କାକୁ ଚକ୍ରବୃଦ୍ଧି ହାରରେ ବଢ଼ିବାର ଦେଖି ଆତଙ୍କିତ ହୋଇ ଲୁହ ଲହୁ ଢାଳି ସେମାନଙ୍କର ଶେଷ ସମ୍ବଳକୁ ଭୟରେ ଏଇ ଖମାର ଘରକୁ ଫିଙ୍ଗି ଦେଇଛନ୍ତି । ସମ୍ପତି ବଢ଼ି ଚାଲିଛି–ଗଛଡ଼ାଳ ପତ୍ର ମେଲିଲାପରି ଦିନକୁ ଦିନ ବଢ଼ି ଚାଲିଛି । ବୈଠକଘରେ ବହୁ ଅନୂଢ଼ା ଓ ନବୋଢ଼ା ଯୁବତୀଙ୍କର ଯୌବନକୁ ତିଳେ ତିଳେ ଉପଭୋଗ କରାହୋଇଛି । ସେମାନଙ୍କର ଶତ ଅନୁନୟ, କାତର କ୍ରନ୍ଦନ ଗଗନର ପବନ ସଙ୍ଗେ ମିଶି ଯାଇଛି ସିନା କିନ୍ତୁ ପାଶବିକ ଅତ୍ୟାଚାରରୁ ସେମାନେ କେହିବି ତ୍ରାଣ ପାଇନାହାନ୍ତି । ଜମିଦାରଙ୍କ ଶ୍ୱେନ ଦୃଷ୍ଟି ଯେକୌଣସି ତରୁଣୀ ଉପରେ ମୁହୂର୍ତ୍ତକ ପାଇଁ ଲାଗିଯାଇଛି, ତା’ର ରୂପଯୌବନକୁ ଆକଣ୍ଠ ଉପଭୋଗ ପାଇଁ ତାଙ୍କର ରସନା ଲୋଳମୟ ହୋଇଉଠିଛି । ସଙ୍ଗେ ସଙ୍ଗେ ତୋଷାମଦିଆଗଣ ଇସାରା ପାଇ କର୍ମରେ ଲାଗିଯାଆନ୍ତି-। ବଳାତ୍କାରେ ଯୁବତୀମାନଙ୍କୁ ଜମିଦାରଙ୍କର ଅନ୍ଧାରିମହଲ ମଧ୍ୟକୁ ଘେନି ଆସନ୍ତି । ତାପରେ... ତାପରେ ସେମାନେ ହୁଅନ୍ତି ହୀନମତୀ, ନଷ୍ଟଚରିତ୍ର, ଲମ୍ପଟୀ ଜମିଦାରଙ୍କର ପାଶବିକତାର ଶିକାର ! ଯୌବନ ସେମାନଙ୍କର ଲୁଣ୍ଠିତ ହୁଏ; ବିଦଳିତ ହୁଏ;–ବିଜୟଉଲ୍ଲାସରେ ହସି ଉଠନ୍ତି ତା’ର ପୂର୍ବପୁରୁଷଗଣ !

 

ଏସବୁକୁ କ’ଣ ଆଭିଜାତ୍ୟ କହନ୍ତି ? ଆଭିଜାତ୍ୟର ସଂଜ୍ଞା କ’ଣ ଏଇୟା ? ଏଇ ସଂଜ୍ଞା କ’ଣ ଆଦୌ ପରିବର୍ତ୍ତନ ହେବ ନାହିଁ ?

 

ସୁବ୍ରତ ମନରେ ଯେପରି କିଏ ଚିତ୍କାର କରି କହିଉଠିଲା–ଯେଉଁଟା ନିପାତନ ସିଦ୍ଧ ସେଟା ସଦାବେଳେ ହିଁ ସତ୍ୟ । ସ୍ଥଳବିଶେଷରେ ତା’ର ରୂପାନ୍ତର ହୁଏ ସିନା କିନ୍ତୁ ଧର୍ମ୍ମ ସମାନ ରହେ । ସେବକାଳର ଶାସକମାନଙ୍କର ସାକୀ ଓ ସୁରା ଏକମାତ୍ର ଆନନ୍ଦର ଅନ୍ୱେଷଣରେ ସର୍ବଦା ବ୍ୟସ୍ତ ଥିଲେ । ଆଜି ଘଟପରିବର୍ତ୍ତନ ହୋଇ ଯେଉଁ ରୂପାନ୍ତର ହୋଇଛି ସେଥିରେ ସେମାନେ ସେମାନଙ୍କର ଧର୍ମର ସାମ୍ୟ ରକ୍ଷା କରିଛନ୍ତି । ଶାସନଗାଦିରୁ ରଜା ଯାଇଛନ୍ତି, ଜମିଦାର ବି ଯାଇଛନ୍ତି ତା ବଦଳରେ ବସିଛନ୍ତି ମନ୍ତ୍ରୀ । କିନ୍ତୁ ଚୌକି ତା’ର ଗୁଣ ରହିଛି–ଏମାନେ ପ୍ରଜାରୁ ରାଜା ହୋଇବି ଚୌକିର ଗୁଣ ବଦଳାଇ ପାରିନାହାନ୍ତି । ଅବିବାହିତା ହେଉ ବା ବିବାହିତା ହେଉ ସବୁ ତରୁଣୀଙ୍କର ଯୌବନ ଲୁଣ୍ଠିତ ହେଉଛି । ବିଦେଶୀ ମଦର ପରମିଟ୍‌ ଧରି ଦିନ ଦିପହରେ ଓ୍ୱାଇନ୍‌ ଏମ୍ପୋରିୟମରୁ ମନ୍ତ୍ରୀଙ୍କର ମଦର କୋଟା କିଣା ହୋଇ ଆସୁଛି । ବବ୍‌ ହେୟାର କାଟି ବହୁ ତରୁଣୀ ଅଧରକୁ ଲିପ୍‌ଷ୍ଟିକରେ ରଞ୍ଜିତ କରି ମନ୍ତ୍ରୀଙ୍କ ପ୍ରାସାଦକୁ ମୁଖରିତ କରୁଛନ୍ତି । ଏସବୁର ନୂତନ ନାମକରଣ ହୋଇଛି ‘ଆରିଷ୍ଟ୍ରୋକାସି’–ଯାହାର ସାଧୁ ଓଡ଼ିଆ ଅନୁବାଦ ‘ଆଭିଜାତ୍ୟ’ ।

 

ଏଇ ପ୍ରକାର ଆଭିଜାତ୍ୟ ଓ ଅହଂକାରକୁ ଏବେ ବି କ’ଣ ସ୍ୱାଗତ କରିବ ସୁବ୍ରତ ? ସେ ସମୟ ଚାଲିଯାଇଛି । ସେ ଅନ୍ଧାରୀ ମୁଲକର ଅତ୍ୟାଚାରଠାରୁ ଜନତା ଦୂରକୁ ଚାଲିଯାଇଛି । ପୁଣି ସେ କାହିଁକି ସେ ପ୍ରକାର ସ୍ୱଭାବକୁ ଅଭିନନ୍ଦନ ଜଣାଇବ ? ଏ ଜୀବନରେ ଚରିତ୍ରର ମୂଲ୍ୟ କ’ଣ ସେ କଥା ସେ ବେଶ୍‌ ବୁଝେ ! ଚରିତ୍ରହୀନ ହେଲେ ମନୁଷ୍ୟ ଯେ କେତେ ନିମ୍ନଗାମୀ ହୁଏ ସେ କଥା ତାକୁ ଅଜଣା ନାହିଁ ! ... ଅଥଚ ମା’ ଲେଖୁଛନ୍ତି ପୁଣି ସେ ନିଜର ସମସ୍ତ କର୍ମ ପରିତ୍ୟାଗ କରି ଫେରିଯିବ ସେହି ଜମିଦାରୀ ଆଭିଜାତ୍ୟର ମେଘନାଦ ପାଚେରୀ ଭିତରକୁ । ସେଠାରେ ସେ ମେଲିଦେବ ଏକ ଇତର ମାନବର କୁତ୍ସିତ କାମନାର ଫାଶ । ପାରିବ ସେ ଏତକ କରି ? ଶ୍ୱାସରୁଦ୍ଧ ହୋଇ ଯିବନି ତା’ର !

 

ସେ ଏସବୁ କରି ପାରିବନି ! ମା’ଙ୍କର ଅନୁରୋଧକୁ ସେ କୌଣସି ପ୍ରକାରେ ଗ୍ରହଣ କରି ନେଇ ପାରିବନି ! ତାଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରି ସେ ତାଙ୍କ ପାଖକୁ ଲେଖି ଜଣାଇ ଦେବ । ବିବାହ ପରି ଏକ ବନ୍ଧନରୁ ତାକୁ ଆପାତତଃ ମୁକ୍ତି ଦେବା ପାଇଁ ସେ ତାଙ୍କୁ ବିନତୀ କରିବ-। ଜମିବାଡ଼ି ଦାୟିତ୍ୱ ବୁଝିବାର ଜଞ୍ଜାଳ ଗ୍ରହଣ କରିବାକୁ ସେ ପ୍ରସ୍ତୁତ ନୁହେଁ । ଏଠାରେ ସେ ଖୁବ୍‌ ଭଲ ଅଛି । ଯେଉଁ କର୍ମରେ ହାତ ଦେଇଛି, ସେ ଭଲ ହୋଇପାରେ ବା ମନ୍ଦ ହୋଇପାରେ ତଥାପି ସେ ତାକୁ ପରିତ୍ୟାଗ କରିପାରିବ ନାହିଁ । ସେଥିରୁ ସେ ଆନନ୍ଦ ପାଉଛି, ଜୀବନ ପାଉଛି, ଆଲୋକ ପାଉଛି ।

 

ହେଲେ...ହଠାତ୍‌ ସୁବ୍ରତର ଭାବନା ଥମିଗଲା । ଏପରି ଅପ୍ରିୟ ସତ୍ୟକୁ ସେ ମା’ଙ୍କ ପାଖକୁ କିପରି ଲେଖିବ ? ଏ ପ୍ରକାର ଉତ୍ତର ପାଇଲେ ଯେ ତାଙ୍କ ମନରେ ଯଥେଷ୍ଟ ଆଞ୍ଚ୍ ଆସିବ-! ବର୍ତ୍ତମାନ ପରିସ୍ଥିତିରେ କିମିତି ତେବେ ଅବସ୍ଥାକୁ ଆୟତ୍ତ କରିବ ସେ ?

 

ସୁବ୍ରତ ଭାବିଲା, ଲେଖିବ–ମା, ଏ ପୃଥିବୀରେ ଜନ୍ମ ହେଲେ ବିବାହ କରି, ଘରସଂସାର କରି, ପୁଅ ଝିଅ ନେଇ ରହିବା ତ ଚିରାଚରିତ ପ୍ରଥା ! ସେ ପ୍ରଥାର ଦାସତ୍ୱ ତ ପ୍ରାୟ ସମସ୍ତେ ସ୍ୱୀକାର କରୁଛନ୍ତି । କିନ୍ତୁ ସେଇମାନଙ୍କ ମଧ୍ୟରେ ବ୍ୟତିକ୍ରମ ଆଣି ତୁମ ପୁଅ ଯଦି ବିବାହ ନକରେ ସେଥିରେ ତୁମର ଦୁଃଖ କରିବାର କିଛି ନାହିଁ । ଅନ୍ତତଃ ଏଥିରେ ଗର୍ବ କରିବା ଉଚିତ୍ ।

 

ହଠାତ୍‌ ସୁବ୍ରତର ବିବେକ ଚିତ୍କାର କରିଉଠିଲା–କ’ଣ ବଂଶ ଲୋପରେ ମା’ ଗର୍ବ କରି ବସିବେ ? ଅଭିସଂପାତ ଯଦିଓ ଜନ୍ମଦାତ୍ରୀ ହିସାବରେ ଦେଇ ପାରିବେ ନାହିଁ କିନ୍ତୁ ଆଖିରୁ ଅସନ୍ତୋଷର ଅଶ୍ରୁ ଦୁଇଟୋପା ଢାଳି ଦେଇ ତ ପାରିବେ ! ସେ ଲୁହର ଶକ୍ତି କ’ଣ କିଛି ନାହିଁ ? ସେ ଲୁହ ଦ୍ୱାରା କ’ଣ ତା’ର ଭବିଷ୍ୟତ ମଙ୍ଗଳମୟ ଓ ସୁଖମୟ ହୋଇ ପାରିବ ? ଜନନୀ ନୟନର ଲୋତକ କାଳ-ନାଗୁଣୀ ରୂପରେ ତାକୁ କ’ଣ ଦଂଶନ କରିବ ନାହିଁ ?

 

ବହୁଦିନ ତଳେ ସୁବ୍ରତ ଏକ ଇଂରାଜୀ ଔପନ୍ୟାସିକଙ୍କ ବାଣୀ ପଢ଼ିଥିଲା–‘‘ବିବେକ କିଛି ନୁହେଁ କେବଳ ଭୀରୁତାର ପରିଚାୟକ ।’’

 

ତେବେ ମା’ଙ୍କର ଅସନ୍ତୋଷ ପାଇଁ ସେ କ’ଣ ତା’ର ଭବିଷ୍ୟତକୁ ବଳିଦେବ ? ଯେଉଁ ଦୁରନ୍ତ କାମନା ନେଇ ସେ ଆଗେଇ ଚାଲିଛି ସେଥିରେ କ’ଣ ଏତେ ଶୀଘ୍ର ପୂର୍ଣ୍ଣଚ୍ଛେଦ ଟାଣିଦେବ ? ବିବାହ ପରେ ବନ୍ଧନ ଆସିଯିବ । ତାପରେ ଘରସଂସାର, ପିଲାଝିଲା; ଶେଷରେ ଗାଁରେ ବସି ଜମିବାଡ଼ି କଥା ବୁଝିବ ନଚେତ୍ ପରଦୁଆରେ ମୁଣ୍ଡ ବିକ୍ରି କରି ଶହେ କି ଦେଢ଼ଶ ଟଙ୍କାରେ ଚାକିରୀଖଣ୍ଡେ କରିବ ! ... ଆଉ ସାରା ଦେଶ ପାଇଁ ଯେଉଁ ଭାବନା ତା’ର ମନ ଭିତରେ ଦୃଢ଼ ଆସନ ପାତି ଦେଇଛି, ଶେଷରେ ସେ ଭାବନା ଆସି ଚାରିକାନ୍ଥ ଘେରା ଛୋଟ ସଂସାର ଭିତରେ ଆବଦ୍ଧ ହୋଇ ରହିଯିବ !

 

ନାଁ, ଏତେଟା ସଂକୀର୍ଣ୍ଣମନା ସେ ହୋଇ ପାରିବ ନାହିଁ !

 

ଆଜୀବନ ସେ ଚିରକୁମାର ହୋଇ ରହିବ !

 

ତାର ଏ ପୃଥିବୀରେ ଜନ୍ମ କେବଳ ଦେଶର କଲ୍ୟାଣ ପାଇଁ ।

 

ସୁବ୍ରତର ଓଠର ଉପକୂଳରେ ହସର ମୃଦୁ ତରଙ୍ଗ ମଥାପିଟି ଫେରିଗଲା । ମନେ ମନେ ସେ କହି ଉଠିଲା–ଭବିଷ୍ୟତ କଥା ଭବିଷ୍ୟତ ପାଇଁ ରହୁ ! ବର୍ତ୍ତମାନ କଥାର ବିଚାର ହେଉ !

 

ବର୍ତ୍ତମାନ କଥା କ’ଣ ଅଛି ଯାହାର ବିଚାର ସୁବ୍ରତ କରି ପାରିବ ! ପୁଣି ବିଚାର ପରେ ତା’ର ନିଷ୍ପତ୍ତି ସେ ମାଙ୍କ ପାଖକୁ ଲେଖିବ ?

 

ଅଛି, ବହୁତ ଅଛି !

 

ଏତେବଡ଼ ଚିଠିଟିରେ ମା’ ଯଦିଓ ତା’ର ବିବାହ ଉପରେ ବେଶ୍‌ ଗୁରୁତ୍ୱ ଆରୋପ କରିଥିଲେ ତଥାପି ଅନ୍ୟାନ୍ୟ ଅନେକ କଥା ବି ସେ ଲେଖିଥିଲେ ତ ! ବିବାହକୁ ସେ ତାଙ୍କ ଚିଠିର ମୁଖ୍ୟ କରିଥିଲେ । ଏବେ ସେ ତା ଉତ୍ତରରେ ବିବାହକୁ ଗୌଣ କରି ଅନ୍ୟାନ୍ୟ ବିଷୟକୁ ମୁଖ୍ୟ କରିବ ! ମା’ ଯେତେବେଳେ ଚିଠି ଦେଇଛନ୍ତି ତାକୁ ଯିମିତି ହେଲେ ଉତ୍ତର ଲେଖିବାକୁ ହେବ । ଆଉ ସେ ଉତ୍ତରକୁ ସେ ଏପରି ବିକ୍ଷିପ୍ତ ଭାବରେ ବିଭିନ୍ନ କଥା ଆରୋପ କରି ଲେଖିବ ଯେ ମା’ ଉତ୍ତରଟି ପାଇ ସନ୍ତୁଷ୍ଟ ହେବେ ଅଥଚ କୌଣସି ସମାଧାନ ସେ ଉତ୍ତରରେ ଖୋଜି ପାଇବେନି । ତା ପରେ ହୁଏତ ଗଡ଼ିଯିବ ଆହୁରି କିଛି ଦିନ ମା’ଙ୍କ ପାଖରୁ ପୁଣି ଚିଠି ଆସିବା ପାଇଁ । ... ଚାଲୁ ଇମିତି ସମୟ ଗଡ଼ି ଗଡ଼ି । ସେ ତ ଏଇଆ ଚାହେଁ । ସମୟ ଗଡ଼ି ଚାଲିବା ସଙ୍ଗେ ସଙ୍ଗେ ତା ବିବାହର ପ୍ରଶ୍ନ ମଧ୍ୟ ଠିକ୍‌ ଗଡ଼ି ଗଡ଼ି ଚାଲିବ । ଫଳରେ ମା’ଙ୍କ ମନରେ ସିଧା ସଳଖ ଆଘାତ ଲାଗିବ ନାହିଁ କି ଅପ୍ରିୟସତ୍ୟ ଶୁଣି ସେ ଘାତପ୍ରାପ୍ତ ହେବେନି । ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ । ସବୁଦିନ ପାଇଁ ସବୁ କଥା ଅମିମାଶିଂତ ରହିଯିବ । କେବଳ ଦ୍ୱନ୍ଦ, ଦ୍ୱନ୍ଦ, ଦ୍ୱନ୍ଦ...

 

ସୁବ୍ରତ ଭାବିଲା ପ୍ରଥମେ ମାନସିଂହଙ୍କ ପୁଅ ଯିଏ ଚେୟାରମ୍ୟାନ୍‌ ହୋଇଛି, ତା କଥା ଅନ୍ତତଃ ଲେଖାଯାଉ ! ତାପରେ ଭାଗଚାଷୀ କଥା ଯାହା ମା ଲେଖିଛନ୍ତି ସେ ବିଷୟରେ ବି ଆଲୋଚନା କରାଯାଉ ।

 

ଟେବୁଲ ଉପରୁ କାଗଜ ଖଣ୍ଡିଏ ଭିଡ଼ିଆଣି ସୁବ୍ରତ ଲେଖିବାକୁ ଆରମ୍ଭ କଲା–

 

ପୂଜନୀୟ ମା,

 

ମୋର ଭୂମିଷ୍ଠ ପ୍ରଣତି ନେବେ । ଆପଣଙ୍କ ପତ୍ର ପାଇଲି । ପଢ଼ି ଅତ୍ୟନ୍ତ ଖୁସିହେଲି । ବିଶେଷତଃ ଆପଣଙ୍କ ଦେହ ଭଲ ଥିବାର ଜାଣି ମୋତେ ଭାରି ଶାନ୍ତି ଲାଗିଲା । ଭଗବାନଙ୍କୁ ପ୍ରାର୍ଥନା ସେ ଆପଣଙ୍କୁ ସବୁଦିନପାଇଁ ବସାଇଥାନ୍ତୁ । ଆପଣଙ୍କ ବ୍ୟତୀତ ଆଉ ମୋର ଏ ସଂସାରରେ କିଏ ଅଛି ?

 

ଖବର କାଗଜରେ କାମ କରୁଛି ବୋଲି ମାନସିଂହଙ୍କ ପୁଅ ମୃତ୍ୟୁଞ୍ଜୟ ଯେଉଁ ବିଷ ଆପଣଙ୍କ ମନରେ ପୂରାଇଛି ସେ ବିଷୟରେ ପଦେ କହିବି ।

 

ଆପଣ ସଦାବେଳେ କହି ଆସିଛନ୍ତି ଯେ ସତ କଥା କହିବୁ, ଭଗବାନଙ୍କୁ ମାନିବୁ ଆଉ ଧର୍ମ୍ମ ଅଧର୍ମ୍ମର ବିବେଚନା କରିବୁ । ଏଇ ତିନୋଟି ମହାବାଣୀକୁ ଆପଣଙ୍କର ମୁଁ ମାନି ଚଳିଆସି ଏଡ଼େଟିରୁ ଏଡ଼େଟିଏ ହୋଇଛି । ସେଇ ପବିତ୍ରବାଣୀକୁ ମୁଁ ଆରାଧନା କରୁଛି ଏବଂ ତାରି ପରିପ୍ରଚାର ପାଇଁ ଏ ସଂସ୍ଥାରେ ଯୋଗ ଦେଇଛି । ସତ କହିଲେ ଯଦି ମିଥ୍ୟାବାଦୀର ଚକ୍ଷୁଶୂଳ ହେବାକୁ ହୁଏ ଏବଂ ସେଥିପାଇଁ ଯଦି ମଣିଷ ସତ କହିବାକୁ ପଶ୍ଚାତ୍‌ପଦ ହୁଏ ତେବେ ସେଠାରେ ସତ କହିବା କେବଳ ପିଲାଙ୍କର ହସ୍ତାକ୍ଷର ଅକ୍ଷର ଗୋଲ ଗୋଲ କରିବା ପାଇଁ ଉଦ୍ଦିଷ୍ଟ ରହୁ । ସତ୍ୟର ଅପଳାପ କରିବାକୁ ଯାଇ ମଣିଷ ଅନେକ ସମୟରେ ଅନ୍ୟର ମନ ଜଗି ମିଠା କଥା କହେ-। କିନ୍ତୁ ସେ ପ୍ରକାର ଚାଟୁ ମୁଁ କହିପାରିବି ନାହିଁ । ସତ୍ୟ କୌଣସି ସ୍ଥାନରେ କିମ୍ବା କୌଣସି ମୁହୂର୍ତ୍ତରେ ପ୍ରିୟ ନୁହେଁ । ମିଥ୍ୟାର ସ୍ୱରୂପକୁ ପଦାରେ ପକାଇବା ପାଇଁ ଯଦି ସତ୍ୟର ଆବଶ୍ୟକତା ହୁଏ ତେବେ ସେ ପନ୍ଥା ମୁଁ ନିଶ୍ଚୟ ଗ୍ରହଣ କରିବି ।

 

ଆପଣ କହୁଛନ୍ତି ମୁଁ ସମସ୍ତଙ୍କର ପ୍ରିୟପାତ୍ର ହୁଏ–ସମସ୍ତେ ମୋତେ ପ୍ରଶଂସା କରନ୍ତୁ । କିନ୍ତୁ କିପରି ? କିପରି ଏହା ସମ୍ଭବ ହେବ ? ମୁଁ କିପରି ହାକିମ, ହୁକୁମା, ମନ୍ତ୍ରୀ, ଉପମନ୍ତ୍ରୀଙ୍କର ଶ୍ରେୟ ଓ ପ୍ରିୟ ହେବି ? ଭଗବାନ୍‌ଙ୍କୁ ଯେଉଁମାନେ ଆଖି ବୁଜି ଦିଅନ୍ତି, ଭଗବାନଙ୍କ ନାମନେଇ କଳାବଜାର କରନ୍ତି, ଦରଦାମ ବୃଦ୍ଧିବେଳେ କଥା କଥାକେ ରାମ୍‌ ରାମ୍‌ ରାଣ ପକାନ୍ତି, ଧର୍ମର ମୁଣ୍ଡ ଯେଉଁମାନେ ମୋଡ଼ି ଖାଆନ୍ତି, ସେମାନଙ୍କର ଚେତନାର ସାମାନ୍ୟ ଜାଗରଣ ଆଣିବା ପାଇଁ ମୋର ଏ ପ୍ରକାର ଉଦ୍ୟମ । କେବଳ ଆପଣଙ୍କର ବାଣୀ ଜୀବନସାରା ଢାଳି ଆସିଛି । ଆଉ ଏ ଦେହରେ ଶେଷ ନିଶ୍ୱାସ ଟିକକ ଯିବା ଆସିବା କରୁଥିବା ପର୍ଯ୍ୟନ୍ତ ମୋତେ ଆଶିଷ ଦିଅନ୍ତୁ କିପରି ଆପଣଙ୍କର ଏଇ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରୁଥାଏ ।

 

ଖବର କାଗଜର ସଂପାଦକ ହିସାବରେ ପୁଅ ଆପଣଙ୍କର ଦୁନିଆଁରେ କୋଠା କରିପାରିବ ନାହିଁ କିମ୍ବା ଗାଡ଼ି ଚଢ଼ି ପାରିବ ନାହିଁ; କିନ୍ତୁ ମା’ ଗୋଟିଏ କଥା କହି ପାରିବ ଏ ସବୁର ଆବଶ୍ୟକତା କ’ଣ ବଡ଼ଲୋକୀ ପାଇଁ ନୁହେ ? ପ୍ରତ୍ୟେକ ମାଆ ଯାହା ଚାହାନ୍ତି ଆପଣ ଅବଶ୍ୟ ସେତିକି ଚାହିଁ ବସିଛନ୍ତି–ପୁଅ ଭଲରେ ରହୁ, ଘର ସଂସାର କରୁ, ପାଞ୍ଚ ପଚିଶରେ ବଡ଼ ହୋଇ ଚାଲୁ, ତାକୁ ପାଞ୍ଚଜଣ ଖାତିର କରନ୍ତୁ । ହେଲେ ସେ ପ୍ରକାର ବଡ଼ଲୋକୀ ବା ଆଭିଜାତ୍ୟକୁ ଆପଣଙ୍କର ପୁଅ ଯେ ଘୃଣାକରେ । ମଣିଷର ଏ ଦୁନିଆରେ ବଞ୍ଚି ରହିବା ପାଇଁ ସେ ସବୁ ବାହ୍ୟାଡ଼ମ୍ବରର ଆବଶ୍ୟକତା ବା କ’ଣ ଅଛି ?

 

ମା; ମୋ ମତରେ ଏ ସବୁ ସିନା ଯାହାର ନ ଥାଏ ସେ ଆଶାକରେ, ବା ଯାହାର ଜୀବନ ଶାଗପଖାଳରେ ବିତିଯାଏ ସେ ଦିନେ ପଲାଉର ଆଶାକରେ; କିନ୍ତୁ ପଲାଉ ଖାଇଖାଇ ଯାହାର ଅଋଚି ଆସେ ତା’ର କ’ଣ ପଲାଉ ପ୍ରତି ଆଗ୍ରହ ଆସେ ? ଆଜିକାଲିକାର ଦୁନିଆଁରେ ଯେଉଁମାନଙ୍କର କିଛି ନାହିଁ ବା କିଛି ପାଇବାର ସମ୍ଭାବନା ସେମାନେ ଦେଖିପାରୁ ନାହାନ୍ତି–ସେହିମାନେ ହିଁ ସର୍ବଦା ଧନୀ ହେବାର ସ୍ୱପ୍ନ ଦେଖୁଛନ୍ତି... ଆଉ ଯଦି କୌଣସି ଅସତ୍‌ ଉପାୟରେ ସେମାନେ ଥରେ ସାମାନ୍ୟ ଉଚ୍ଚକୁ (ଠିକ୍‌ ପିମ୍ପୁଡ଼ି ଦୀପରୁଖା ଉପରକୁ ଉଠିଲା ପରି) ଉଠିଯାଆନ୍ତି ତେବେ ସମାନେ ସେମାନଙ୍କର ଅତୀତର ପରିସ୍ଥିତିକୁ ସମ୍ପୂର୍ଣ୍ଣ ପାସୋରି ଯାଇ ବର୍ତ୍ତମାନର ଐଶ୍ୱର୍ଯ୍ୟରେ ଆତ୍ମବିଭୋର ହୋଇ ଛାତିରେ ହାତମାରି ଚାଲିବାକୁ ଆରମ୍ଭ କରି ଦିଅନ୍ତି । ଭାବନ୍ତି ସ୍ୱର୍ଗରେ ଇନ୍ଦ୍ରଙ୍କର ଯେପରି ଆଧିପତ୍ୟ ମର୍ତ୍ତ୍ୟରେ ମଧ୍ୟ ସେମାନଙ୍କର ଠିକ୍‌ ସେମିତି ଅଧିକାର । ସେମାନଙ୍କୁ ଏ ପ୍ରକାର ଆତ୍ମବଡ଼ିମା ଅପୂର୍ବ ପରି ଲାଗେ । କିନ୍ତୁ ଯିଏ ପ୍ରବଳପ୍ରତାପୀ ଜମିଦାରଙ୍କର ଏକୋଇରବାଳା ବିଶିକେଶନ ଥିଲା...ଯିଏ, ଏକଦା ଦୁଧରେ ହାତ ଧୋଇ ଘିଅରେ କୁଳୁକୁଞ୍ଚା କରୁଥିଲା, ତା’ର ଆଜିକାଲିର ଏ ଫମ୍ପା ବଡ଼ଲୋକୀ ଦେଖି ବ୍ୟାକୁଳ ହୋଇ ପଡ଼ିବାର କ’ଣ ବା କାରଣ ଅଛି ?

 

ମୋ ପିତା, ପ୍ରପିତାମହମାନେ ବିଳାସର ଚରମସୀମାକୁ ଯାଇଛନ୍ତି । ବଡ଼ଲୋକୀ ସେମାନଙ୍କଠାରେ ଆଉ ଅଧିକଦୂର ଯାଇପାରିବ ନାହିଁ । ବରଂ ଯଦି ଏ ଅହଂକାରୀ ଜମିଦାରୀ ବଂଶର ପୁଅ ଆପଣଙ୍କର ନିରହଂକାରୀ ହୋଇ ବଞ୍ଚିରହେ ତେବେ ଆପଣ ଅନ୍ତତଃ ଖୁସି ହୋଇ ପାରିବେ ବୋଲି ମୁଁ ଆଶା କରୁଛି ।

 

ଏ ବଂଶ ବହୁତ ଅହଙ୍କାରୀ ହୋଇଛି । ବହୁତ ଆତ୍ମଭିମାନୀ ହୋଇଛି । ମୋର ପ୍ରାର୍ଥନା ଯଦି ଆପଣଙ୍କର ପୁଅ ଏଇ ଗତାନୁଗତିକ ପରଂପରାଠାରୁ ବିଚ୍ୟୁତି ହୁଏ ତେବେ ଏତିକି ଜାଣି ରଖିବେ ଯେ ଆପଣଙ୍କର ପୁଅ ମଣିଷ ପରି ମଣିଷଟିଏ ହେବାକୁ ଯାଉଛି । ସେ ପଥରୁ ତାକୁ ଓହରାଇ ଆଣିବା ଆପଣଙ୍କର ଆଦୌ ଉଚିତ୍ ନୁହେଁ ।

 

ଭାଗଚାଷୀଙ୍କ ଦୌରାତ୍ମ କଥା ଯାହା ଲେଖିଥିଲେ ସେ ବିଷୟରେ ମୁଁ ଏତିକି କହିବି ଯେ ସେମାନେ ଦୌରାତ୍ମ୍ୟ କରନ୍ତୁ । ଜୀବନଟା ସାରା ଅତ୍ୟାଚାର ସହି ସହି ବିତାଇ ଦେବାପରେ ବର୍ତ୍ତମାନ ଯଦି ସେମାନଙ୍କର ଅଧିକାର ବିଷୟରେ ସେମାନେ ସଚେତନ ହେଉଛନ୍ତି ତେବେ ସେଥିପାଇଁ ସେମାନଙ୍କୁ ଆଉ ବାଧା ଦେବା ଉଚିତ୍ ହେବ ନାହିଁ । ତାଙ୍କଠାରୁ ଜମି ଉଚ୍ଛେଦପରେ ତାଙ୍କଭଳି କେଉଁ ଋଷି ତ ଫେର୍ ସେ ଜମିକୁ ଚାଷ କରିବ ? ଆପଣଙ୍କର ପୁଅ ଯଦି ଲଙ୍ଗଳ ପାଞ୍ଚଣ ଧରି ବିଲ ମୁଣ୍ଡରେ ପହଞ୍ଚିବ ତେବେ ଆପଣ ସହି ପାରିବେ ତ ? ବୋଧହୁଏ ମୂର୍ଚ୍ଛା ହୋଇଯିବେ ? ଆପଣଙ୍କ ପୁଅ ମଧ୍ୟ ସେପରି କ୍ଳେଶ ପାଇଁ ପ୍ରସ୍ତୁତ ନୁହେଁ । ତେଣୁ ପରର ଅନୁଗ୍ରହ ଉପରେ ଯେତେବେଳେ ଭରସା ରଖିବାକୁ ହେଉଛି ସେତେବେଳେ ସେଇତକକୁ ଯଥେଷ୍ଟ ବୋଲି ଭାବିବା ବ୍ୟତୀତ ଅନ୍ୟ ପନ୍ଥା ଆମର ଆଉ କିଛି ନାହିଁ ।

 

ଶେଷରେ ମା ଗୋଟିଏ କଥା କହିବି । କିଛି ଭାବିବେ ନାହିଁ । ମୋତେ ଦୋଷଦେବେ ନାହିଁ । ମୋର ସିନା ମନେ ନଥିବ କିନ୍ତୁ ଆପଣଙ୍କର ତ ମନେ ଥିବ, ଯେତେବେଳେ ଆପଣ ଏ ଘରକୁ ବୋହୂ ହୋଇ ଆସିଥିଲେ କେତେ ଜମି ଆମର ନଥିଲା ? ତାପରେ ହୁଏତ ଜମିର ପରିମାଣ ବଢ଼ିଥିବ ! କିନ୍ତୁ କୁଆଡ଼େ ଗଲା ସେ ଜମି ? କୁଆଡ଼େ ଗଲା ସେ ବଡ଼ଲୋକୀ ଅହଙ୍କାର-! ଶେଷରେ ଏପରି ଏକ ଅବସ୍ଥା ଆସି ପହଞ୍ଚିଲା ଯେଉଁଥିରେ କି ଡେଣା ଲାଗିଲା ପରି ଅଧିକାଂଶ ଜମି ଚାଲିଗଲା । ପାଞ୍ଚଶହ ଟଙ୍କାର ସଂପତ୍ତିକୁ ଆମେ ଚୁଡ଼ାଭୁଜା ଦରରେ ବିକ୍ରି କଲେ । ବାହାରକୁ ଯଦିଓ ଜଣାଇ ଦେଉ ନଥିଲେ କିନ୍ତୁ ଅଭାବ ପାଇଁ ତ ବିକ୍ରି କରୁଥିଲେ ? ସେତେବେଳେ ତ ଭାଗଚାଷ ଆଇନ ହୋଇ ନଥିଲା ଯେ ଚାଷୀମାନେ ଜମିର ମାଲିକ ହୋଇ ଉଠିବେ ବୋଲି ଆଶଙ୍କାରେ ଆମେ ଜମି ବିକ୍ରି କରିଥିଲେ ? ଆମ ଭିତରେ ଅଭାବ, ଅନଟନର କଳାଛାଇ ପଡ଼ି ସାରିଥିଲା ।

 

କଥାରେ ଅଛି–‘‘ଅଧର୍ମ୍ମବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ ।’’ ସେପରି କେତେ ଅସହାୟା, ବିଧବା ଆଉ ନାବାଳକ ସମ୍ପତ୍ତିରେ ଆମ ଜମିଦାରୀ ସଂପତ୍ତି ବଢ଼ିଥିଲା । ଶେଷରେ ଅଭାବର ଗୋଖୁର ସାପ ଚୋଟରେ ସବୁ ଗଲା । ବାକୀ ଯାହା ରହିଗଲା ମୋ ପଢ଼ାପଢ଼ି ପାଇଁ ବି ଯଥେଷ୍ଟ ହୋଇପାରିଲା ନାହିଁ । ଆଉ ଏବେ ସେଇ ଅସଦ୍‌ ଉପାୟରେ ଅର୍ଜ୍ଜିତ, ବହୁ ଲୋକଙ୍କର ନିଃଶ୍ୱାସରେ ବର୍ଦ୍ଧିତ ସମ୍ପତ୍ତିରୁ ଅବଶିଷ୍ଟାଂଶ ଯାହାଅଛି ସେତକ ଯଦି ଭାଗଚାଷୀମାନେ ନେଇ ପାରନ୍ତେ ତେବେ ଅନ୍ତତଃ ଆପଣ ଓ ମୁଁ ଶାନ୍ତିରେ ନିଶ୍ୱାସ ମାରନ୍ତେ !

 

ଶେଷରେ ମୋ ବିବାହ ସମ୍ପର୍କରେ କିଛି କହିବି !

 

ଆପଣ ମୋ ବିବାହ ସମ୍ପର୍କରେ ବହୁ ବ୍ୟାକୁଳତା, ଉଦ୍‌ବିଗ୍ନତା ପ୍ରକାଶ କରି ଅଛନ୍ତି । ବିବାହ କରି ବୋହୂଟିଏ ଘରକୁ ଆଣିବା ପାଇଁ ଆପଣଙ୍କର ମନ ଅତି ଉଚ୍ଛନ୍ନ ହୋଇ ଉଠିଲାଣି । ଆପଣଙ୍କର ଏ ପ୍ରକାର ଅନୁଭବ ଜମାରୁ ଅବାସ୍ତବ ନୁହେଁ । ଦୁନିଆଁର ପ୍ରତ୍ୟେକ ଜନନୀ ତା’ର ପୁତ୍ରକୁ ବିବାହ ଦେଇ କୂଳକୁ ବୋହୂଟିଏ ଆଣିବା ପାଇଁ ଚଞ୍ଚଳ ହୋଇ ଉଠି ଥାଆନ୍ତି ।

 

କିନ୍ତୁ ମା’, ଏ ପ୍ରକାର ଚିନ୍ତାର ସମୀଚିନତା କେତେଦୂର ତାହା କିନ୍ତୁ କୌଣସି ମା’ ଭାବନ୍ତି ନାହିଁ କି ଆପଣ ମଧ୍ୟ ଭାବିନାହାନ୍ତି । ଘରକୁ ବୋହୂଟିଏ ଆଣିବା ଯେତିକି ସହଜ ତାକୁ ସମ୍ଭାଳିବା ସେତିକି ଦୂରହ ହୋଇଉଠେ ଅନେକ ସମୟରେ । କଥା କଥାକେ ମନସ୍ତାପ, ଅନୁଶୋଚନା ଭରିଯାଏ । କିନ୍ତୁ ପଛକୁ ଫେରି ଯିବାର ଆଉ ରାସ୍ତା ନଥାଏ । ଭୁଲ୍‌ ଥରେ ଯେତେବେଳେ ହୋଇଛି ତା’ର ଆଉ ସଂଶୋଧନର ପଥ ନାହିଁ । ଜୀବନ ସାରା ସନ୍ତୁଳି ହୋଇ ମରିବା ଏକମାତ୍ର ପଥ ।

 

ଆପଣ ଲେଖିଛନ୍ତି, ଗାଁରେ ପ୍ରତି ବିବାହ ତିଥିରେ କେତେ ବୋହୂ ଆସୁଛନ୍ତି, ସେମାନଙ୍କ ଘରେ କେତେ ଆନନ୍ଦ ଉତ୍ସବ ଲାଗିରହିଛି । ଏସବୁ ଦେଖି ଆପଣଙ୍କ ମନ କରତି ହୋଇ ଉଠୁଛି । ଆପଣ ଲଜ୍ଜା ଓ ଅସନ୍ତୋଷରେ କୌଣସି ଘରକୁ ବୋହୂ ଦେଖିବାକୁ ଯାଉ ନାହାନ୍ତି ।

 

ଛି, ମା’, ଏ ପ୍ରକାର ନ୍ୟୁନବୋଧ ଆପଣଙ୍କ ପରି ଏକ ଦେବୀପ୍ରତିମା ମା’ ପାଇଁ ଜମାରୁ ଶୋଭା ପାଏନା । ଏ ପ୍ରକାର ଭାବକୁ ଦହନ ବା ଜ୍ୱାଳା କହନ୍ତି । ଆପଣ କ’ଣ ସେ ପ୍ରକାର ଜ୍ୱାଳାରେ ଅତିଷ୍ଠା ହୋଇ ଉଠିବା ଉଚିତ୍ ? ଥରେ ଚିନ୍ତା କରନ୍ତୁ ତ ଦେଖି, ଆପଣଙ୍କର କ’ଣ ପୁଅ ନାହିଁ ନା ସେ ଅଯୋଗ୍ୟ, ଅକର୍ମଣ୍ୟ ହୋଇଛି ? ଯେଉଁ ଜନନୀ ସନ୍ତାନହୀନା ଥାଏ ସେ ସିନା ଏ ପ୍ରକାର ଦହନର ସମ୍ମୁଖୀନ ହେବ ? ଆପଣଙ୍କର ପୁଅ ଅଛି । ଏକ ସୁନ୍ଦର, ସୁସ୍ଥ ମଣିଷ ହୋଇ ସେ ଏ ପୃଥିବୀରେ ବଞ୍ଚିଛି । ଦିନେ ନା ଦିନେ ତା ମଥାରେ ଦୋଳମୁକୁଟ ଲାଗିବ; ଆପଣଙ୍କ କୁଳକୁ କୁଳବଧୂ ଆସିବ । ସେଥିପାଇଁ ଏତେ ଶୋଚନା କାହିଁକି ? ଆପଣଙ୍କର ପୁଅ ଥରେ ବିବାହ କରିବ, ଥରକପାଇଁ ଆପଣଙ୍କ ଘରକୁ ବୋହୂ ଆସିବ । କିନ୍ତୁ ତା ପରେ ଯେତେବେଳେ ଗାଁରେ ପୁଣି ନୂଆବୋହୂ ଆସିବେ ସେତେବେଳେ ଯଦି ଆପଣଙ୍କ ମନ ପୁଣି ନୂତନ ବୋହୂ ପାଇଁ ବା ପୁଣି ଘରେ ଆନନ୍ଦର ମହୋତ୍ସବ ପାଇଁ ଆନ୍ଦୋଳି ଉଠେ, ସେତେବେଳେ ମନକୁ ସାନ୍ତ୍ୱନା ଦେବେ କେମିତି ? ମା’ ମଣିଷର ମନ ବଡ଼ ଅବାଧ୍ୟ । ସେ ସର୍ବଦା ଜୀବକୁ କୁ-ପଥକୁ ନେବାକୁ ଚେଷ୍ଟା କରିଥାଏ; ତାକୁ ବୃଥା ଆନନ୍ଦର ସ୍ୱପ୍ନ ଦେଖାଇ ପଥହରା କରିବାରେ ଲାଗି ପଡ଼ିଥାଏ । କିନ୍ତୁ ମଣିଷ ଯଦି ସେତିକି ବୁଝି ନପାରେ ମନର ଦାସତ୍ୱ ସ୍ୱୀକାର କରେ ତେବେ ତା’ର ଏ ପୃଥିବୀକୁ ଆସିବାର ଅର୍ଥ କିଛି ହୁଏ ନାଁ । ମନକୁ ମନୁଷ୍ୟ ତା’ର ନିଜ ଆୟତ୍ତରେ ରଖିବାକୁ ହେବ । ତା’ର ଔଦ୍ଧତ୍ୟକୁ ଚୁରମାର କରି ବଶ୍ୟ କରାଇବାକୁ ହେବ । ଆଉ ଏତିକିରେ ମନୁଷ୍ୟ ଯଦି କୃତକାର୍ଯ୍ୟ ହୁଏ ତେବେ ତାକୁ ଏତେ ଆନନ୍ଦ ମିଳିବ ଯେ ତାହା କଳ୍ପନା କରି ହେବ ନାହିଁ । ଆଉ ତା ପରେ ସେ ବୁଝି ପାରିବ ଯେଉଁ ମନ କୌଣସି ଏକ ପଦାର୍ଥ ପ୍ରାପ୍ତି ପାଇଁ ଏତେ ବ୍ୟାକୁଳ ହୋଇ ଉଠୁଥିଲା ସେ ପଦାର୍ଥ ପ୍ରାପ୍ତିରେ ସେ ମନକୁ ଯଦି ଖୋରାକ୍‌ ଯୋଗାଯାଇ ଥାଆନ୍ତା ତେବେ ଭବିଷ୍ୟତ କେତେ ବିଷମୟ ହୋଇ ଉଠିଥାଆନ୍ତା !

 

ମଣିଷର ମନ ମଣିଷକୁ ପ୍ରତିଟି ସତ୍‌ପଥରୁ ବିଚ୍ୟୁତ କରିବାର ଏକମାତ୍ର ଅପଦେବତା–ଯାହାକୁ ମଣିଷର ଜନ୍ମ ସଙ୍ଗେ ସଙ୍ଗେ ଭଗବାନ ସାଥୀରୂପେ ଦେଇଥାଆନ୍ତି ।

 

ଆପଣ କୁହନ୍ତି ନବବଧୂ ନେଇ ଆଜି ସାଇପଡ଼ିଶାଙ୍କ ଘରେ ଆନନ୍ଦ ଉତ୍ସବ ଲାଗିଛି । କିନ୍ତୁ ମୁଁ କହିବି (ଭଗବାନ ନ କରନ୍ତୁ) କାଲି ଯଦି ସେଇ କୁଳବଧୂକୁ କେନ୍ଦ୍ରକରି କ୍ରନ୍ଦନର ରୋଳ ଉଠେ ? ଆଜିର ସୁନା ବୋହୂଟି କାଲିକୁ ଯଦି ନାଗୁଣୀ ହୋଇଉଠେ ? ଉଗ୍ର ଫଣା ଟେକି ଘରର ସମସ୍ତିଙ୍କୁ ଯଦି ଦଂଶନ କରେ ? ତେବେ... ? କୁଆଡ଼େ ଗଲା ସେ ଆନନ୍ଦ ଉତ୍ସବ ? କୁଆଡ଼େ ଗଲା ସେ ହସମୁଖର ମୁହୂର୍ତ୍ତ ।

 

ଆପଣ ଲେଖିଛନ୍ତି ଆଗେ ମୋ ପାଇଁ ବହୁତ ଜାଗାରେ ଦେଖିବାକୁ ଯାଉଥିଲେ । କିନ୍ତୁ ଆଜିକାଲି ଆଉ ଦେଖିବାକୁ ଯାଉନାହାନ୍ତି । କାରଣ ମୁଁ ଯଦି ବିବାହ କରିବାକୁ ରାଜି ନ ହୁଏ ବା ଯେଉଁ ଝିଅ ଆପଣ ଦେଖି ମନୋନୀତ କରିବେ ସେ ଝିଅକୁ ମୁଁ ଯଦି ନାପସନ୍ଦ କରେ ତେବେ ଆପଣଙ୍କୁ ଅପମାନ ଲାଗିବ ! –ଆପଣଙ୍କର ଏପ୍ରକାର ଭାଷାରେ ମୁଁ ଅତ୍ୟନ୍ତ ମର୍ମାହତ । ଆପଣ ମୋର ମା’; ମୋର ଜନ୍ମଦାତ୍ରୀ, ଆଜି ଯଦି ପୃଥିବୀର ପାଣି, ପବନ ଓ ଉତ୍ତାପରେ ମୁଁ ମଣିଷ ହେବାର ସ୍ୱପ୍ନ ଦେଖୁଥାଏ ତେବେ ସେସବୁ କେବଳ ଆପଣଙ୍କ ଅନୁଗ୍ରହରୁ । ଅଥଚ ଆପଣ ମୋ ପାଇଁ କନ୍ୟା ପାତ୍ରୀ ଠିକ୍‌ କଲେ ମୁଁ ତାକୁ ନାପସନ୍ଦ କରିବି ? ଅବାଧ୍ୟ ହେବି ? ଏ ପ୍ରକାର ଧାରଣା ଆପଣଙ୍କ ମନରେ ପ୍ରବେଶ କରିବା ହିଁ ଅନ୍ୟାୟ । ଜନ୍ମଦେଇ, ଏଡ଼େଟିରୁ ଏଡ଼େଟିଏ କରି ତଥାପିବି ଆପଣ ଆପଣଙ୍କ ପୁଅକୁ ଚିହ୍ନି ପାରିଲେ ନି ? ଯାହା ଉପରେ ଆପଣଙ୍କର ପୂର୍ଣ୍ଣ ଅଧିକାର ସେ କ’ଣ କେବେ ଆପଣଙ୍କ କଥାରୁ ବାହାରି ଯାଇପାରେ ? ଆପଣ ମୋତେ ଯେଉଁଠି ବିବାହ ଦେବା ପାଇଁ ନିଷ୍ପତ୍ତି ନେବେ ମୁଁ ସେଠାରେ ଅବଶ୍ୟ ବିବାହ କରିବି ।

 

କିନ୍ତୁ ମା’ ଗୋଟାଏ କଥା ପାଶୋରି ଯିବେନି । ଉପରର ରୂପ ବା ଧନ ସମ୍ପତ୍ତି ଦେଖି ଭିତରର ମନକୁ କେବେ ପରୀକ୍ଷା କରାଯାଇ ପାରେନା । ଆଜିକାଲିର ଏ ଲାଞ୍ଚ ମିଛ ଯୁଗରେ ଧନ-ସମ୍ପତ୍ତି ପ୍ରାୟ ପ୍ରତ୍ୟେକଙ୍କ ପାଖରେ ଅଛି । ଆଉ ରୂପ... ବିଂଶ ଶତାବ୍ଦୀରେ ପୃଥିବୀରେ ଯେ କେହି ଅସୁନ୍ଦରୀ ଜନ୍ମ ହୋଇଛନ୍ତି ସେ କଳ୍ପନା ମୁଁ କରିପାରେନା ! କାରଣ ଆଜିକାଲିର ଏ ନଗ୍ନ ସଭ୍ୟତା, ନକଲୀ ଫେସନ ଅତି ଅସୁନ୍ଦରକୁ ବି ସୁନ୍ଦର କରି ଥୋଉଛି । ହେଲେ ବାହାରର ଭେଜାଲ ରୂପ କ’ଣ ଭିତର ମନର ମାପକାଠି ହୋଇପାରେ ? ଆପଣମାନଙ୍କ ସମୟରେ ଏପରି ଉଗ୍ର ଆଧୁନିକତା ନଥିଲା ବା ଏପରି ଉଚ୍ଛୃଙ୍ଖଳ ସଭ୍ୟତା ନଥିଲା; କିନ୍ତୁ ଥିଲା ଏକ ସୁନ୍ଦର ଦୁର୍ଲ୍ଲଭ ହୃଦୟ ! ଆଜିକାଲି କେତେଜଣ ଝିଅଙ୍କ ଭିତରେ ସେତକ ଦେଖିବାକୁ ମିଳେ କହିପାରିବେ ? ଆପଣ ଦେଖି ନଥିଲେ ବି ଅନ୍ତତଃ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସି ଶୁଣୁଥିବେ, ‘‘ଅମୁକ ଝିଅଟି ସ୍ୱାମୀକୁ ହାତରେ ରଖି ଶାଶୁ, ଶ୍ୱଶୁରଙ୍କୁ ପଚାରିଲା ନାହିଁ;... ଅମୁକ ଝିଅ ବିବାହ ପରେ ଦିଅର ନଣନ୍ଦଙ୍କୁ ମୋଟେ ଦେଖିସହି ପାରୁନି, ସବୁବେଳେ ସେମାନଙ୍କୁ ଦୁର୍‌ଦୁର୍‌ ମାର୍‌ମାର୍ କରୁଛି; ଅମୁକ ଝିଅ ବିବାହ ପରେ ଶାଶୁ ଶ୍ୱଶୁରଙ୍କୁ ସେବା କରିବା ଦୂରେ ଥାଉ ସେମାନେ ଯଦି ତା’ର ସେବା ନ କରୁଛନ୍ତି ତେବେ ସେ କଳି କରି ଘର ଫଟାଉଛି; ଆଉ ଅମୁକ ଝିଅଟି କେତେ ଭଲ ପରି ଜଣାଯାଉଥିଲା ଅଥଚ ବିବାହ ପରେ କୂଳଟା ହୋଇଗଲା ।’’ –ଇମିତି କେତେ କଥା । ପ୍ରାୟ ପ୍ରତି ଝିଅଙ୍କ ନାମ ସହିତ ଗୋଟିଏ କିଛି ନା କିଛି ଅପକର୍ମ ଲାଗିରହିବା ଆଜିକାଲି ଯୁଗର ସଭ୍ୟତା !

 

ଏପରିସ୍ଥଳେ ଆପଣଙ୍କର ମନୋନୀତ କନ୍ୟାକୁ ମୁଁ ଅସ୍ୱୀକାର ନକଲେ ମଧ୍ୟ ସେ ଯଦି ବିବାହ ପରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଏ ତେବେ ସେତେବେଳର ଅବସ୍ଥାକୁ ଧୈର୍ଯ୍ୟଧରି ଆପଣ ସମ୍ଭାଳି ପାରିବେତ ? ଆପଣ ଚାହୁଁଥିଲେ ଘରକୁ ବୋହୂଟିଏ ଆସିଲେ ଘରର ସମସ୍ତ ଖବର ଅନ୍ତର, ଭଲମନ୍ଦ ବୁଝିବ ଓ ଆପଣଙ୍କର ସେବା କରିବ । କିନ୍ତୁ ଆପଣଙ୍କର ଧାରଣାର ଧାର ନ ଧାରି ସେ ଯଦି ହାଇହିଲ୍‌ ଚପଲ ପିନ୍ଧି ଆପଣଙ୍କ ବଡ଼ବଡ଼ୁଆ ଘରକୁ ଗଲା ? ସକାଳର ‘ବେଡ଼୍‌ ଟି’ ଖାଇବା ପାଇଁ ଆପଣଙ୍କ ଉପରେ ନିର୍ଭର କଲା ? ଆପଣଙ୍କ ଉପଦେଶକୁ ଯଦି ଉପେକ୍ଷା କରି ବ୍ୟଙ୍ଗ ବିଦ୍ରୂପ ସ୍ୱରରେ ଆପଣଙ୍କୁ ଭର୍ତ୍ସନା କଲା ? –କିମିତି ସହିବେ ଆପଣ ? ଲୋକଲଜ୍ଜା ଦୃଷ୍ଟିରୁ ଆପଣ ବା ମୁଁ ତା ପ୍ରତି କୌଣସି କଠୋର ଶାସ୍ତିବିଧାନ କରିପାରିବା ନାହିଁ, ଅଥଚ ଜୀବନସାରା ସନ୍ତୁଳିହୋଇ ମରିବା ! –ଏବେ କୁହନ୍ତୁ, ଏଇଥିପାଇଁ ଆପଣ କ’ଣ ଏତେ ବ୍ୟାକୁଳ ? ଏଇଥିପାଇଁ ଆପଣଙ୍କ ମନରେ ଏତେ ଦହନର ଜ୍ୱାଳା ?

 

ସବୁ ବୃଥା ମା’; ସବୁ ଦୁଇଦିନର ଖେଳ ! ଭଗବାନଙ୍କ ରାଜ୍ୟରେ ପୂର୍ଣ୍ଣଶାନ୍ତି କାହାରିକୁ ମିଳେନା । ଆମକୁ ଏହି ଅପୂର୍ଣ୍ଣତା ଭିତରେ ହିଁ ସତ୍‌ ଓ ଅପାର୍ଥୀବ ଆନନ୍ଦର ଅନୁସନ୍ଧାନ କରିବାକୁ ପଡ଼ିବ ! ଶାଶ୍ୱତ ଶାନ୍ତି ଆମର ଚିର କାମ୍ୟ ହେଉ ।

 

ମୋର ବିବାହ ଯଦି ନିତାନ୍ତ ପ୍ରୟୋଜନ ବୋଲି ବିଚାର କରୁଛନ୍ତି ତେବେ ମୁଁ ସେଥିପାଇଁ ଆପତ୍ତି କରୁନି କି ଅବାଧ୍ୟ ହେଉନି । ବାପାଙ୍କର ମୃତ୍ୟୁପରେ ମୁଁ ଆପଣଙ୍କର ଏକମାତ୍ର ନୟନପିତୁଳା ଓ ସାହାଭରସା । ମୋଠାରୁ ସାମାନ୍ୟ ଆଘାତ ପାଇଲେ ଆପଣ ଯେ ଭୀଷଣ ଭାବରେ ଭାଙ୍ଗି ପଡ଼ିବେ ଏଥିରେ ମୋର ସନ୍ଦେହ ନାହିଁ । ତାପରେ ଆପଣ ଯେତେବେଳେ କୁଳରକ୍ଷା ପାଇଁ ଘରକୁ ବୋହୂଟିଏ ଆଣିବାକୁ ଏତେ ଆଶାୟୀ ହୋଇ ଉଠିଛନ୍ତି ସେଥିରେ ମୁଁ କୌଣସିମତେ ପ୍ରତିବାଦ କରିପାରେନା । ତେବେ ଏତିକି ଆପଣଙ୍କୁ ଅନୁରୋଧ କରି ଜଣାଇବି ଯେ, ମୋତେ ସେପରି କିଛି ଅତିରିକ୍ତ ଗୁଡ଼ାଏ ବୟସ ହୋଇ ଯାଇନି ଯେ ଆପଣ ମୋ ବିବାହ ପାଇଁ ଉଚ୍ଛନ୍ନ ହୋଇ ଉଠୁଛନ୍ତି । ଅନ୍ତତଃ ଆଉ କିଛିଦିନ ଗଡ଼ିଯାଉ । ବ୍ୟସ୍ତତାର କୌଣସି ପ୍ରୟୋଜନ ନାହିଁ । ମୁଁ ଆପଣଙ୍କୁ ଭରସା ଦେଉଛି କୁଳ ନିଶ୍ଚୟ ରକ୍ଷାହେବ । କିନ୍ତୁ କୁଳରକ୍ଷା କରିବାର ଅର୍ଥ ନୁହେଁ ଯେ ଚଞ୍ଚଳମନା ହୋଇ କୌଣସି ସଠିକତାରେ ନ ପହୁଞ୍ଚି କୁଳକୁ ଏକ କୁଳାଙ୍ଗାର ପାଛୋଟି ଆଣିବା ।

 

ପରିଶେଷରେ ଆଉ ପଦିଏ କଥା କହିବି । ଆପଣ ମୋ ପାଇଁ କୌଣସି କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ । ଏତିକି ବିଶ୍ୱାସ ଓ ଭରସା ମୋ ଉପରେ ରଖନ୍ତୁ; ଆପଣଙ୍କ ପୁଅ ଆପଣଙ୍କ ଆଶୀର୍ବାଦରୁ ଏପର୍ଯ୍ୟନ୍ତ କୌଣସି ଅପଥକୁ ଯାଇନି କି ଭବିଷ୍ୟତରେ କେବେ ଯିବ ନାହିଁ । ଜମିଦାରୀ ଆଭିଜାତ୍ୟକୁ ଘୃଣା କରୁଥିଲେ ବା ଜମିବାଡ଼ି ପ୍ରତି ଧ୍ୟାନ ନ ଦେଉଥିଲେ ବି ସେ ତା ନିଜକୁ ଓ ଆପଣଙ୍କୁ ବେଶ୍‌ ଆନନ୍ଦରେ ବଞ୍ଚାଇ ରଖିପାରିବେ । ଆଉ ଆପଣ...... ମୁଁ ଭାବୁଛି ସେଠାକାର ପରିସ୍ଥିତି ଯଦି ଆପଣଙ୍କୁ ଅସହଣୀୟ ହୋଇଉଠୁଛି ବା ଆପଣ ଯଦି ନିଜକୁ ଏକାକିନୀ ମନେ କରୁଛନ୍ତି ତେବେ ପୂର୍ବପୁରୁଷଙ୍କର ସେ କଳଙ୍କିତ ଭିଟାମାଟି ଉପରେ ପଡ଼ିରହି ଯନ୍ତ୍ରଣାରେ ଛଟପଟ ହେବା ଅପେକ୍ଷା ସମସ୍ତ ଦାୟିତ୍ୱ ଗୁମାସ୍ତା ହାତରେ ସମର୍ପଣ କରି ଏଠାକୁ ଚାଲିଆସିଲେ ମୁଁ ଅନ୍ତତଃ ଆପଣଙ୍କର ସେବାକରି ନିଜକୁ କୁତାର୍ଥ ମନେକରନ୍ତି ।

 

ଆପଣଙ୍କ କଲ୍ୟାଣ ଆଶାରେ ରହିଲି ।

 

ଆପଣଙ୍କର ଚରଣସେବକ

ସୁବ୍ରତ ।

 

ପରଦିନ ସକାଳେ ପୋଷ୍ଟର ଚିଠିଖଣ୍ଡି, ପକାଇ ଦେବାକୁ ପ୍ରେସର୍‌ ମ୍ୟାନେଜରଙ୍କୁ ଜଣାଇ ଚିଠିଖଣ୍ଡି ସୁବ୍ରତ ତାଙ୍କ ହାତକୁ ବଢ଼ାଇ ଦେଲା ।

 

ବରହମ୍‌ପୁରରେ ପହୁଞ୍ଚିବା ପୂର୍ବରୁ ସୁଜାତାଦେବୀ ଭାବିଥିଲେ ଯାହା କିଛି ଗୋଟାଏ ଋଚିକର ନିଷ୍ପତ୍ତି ସେ ଗ୍ରହଣ କରିନେବେ । ଦିନ କେତେଟା ଧନଞ୍ଜୟର ଆତିଥ୍ୟ ଗ୍ରହଣ କଲାପରେ ହୁଏତ ସେ ତାଙ୍କର ପନ୍ଥା ଧରି ଆଗେଇ ଯିବେ । କିନ୍ତୁ ହେଲା କ’ଣ ? ସ୍ୱାଧୀନତାର ଯେଉଁ ସ୍ୱପ୍ନ ଦେଖି ସେ ଚନ୍ଦ୍ରକାନ୍ତର ପରାଧୀନତାର ଶୃଙ୍ଖଳକୁ ଫିଙ୍ଗି ଦେଇଥିଲେ, ସେଇ ଜଞ୍ଜାଳର ଶୃଙ୍ଖଳ ପୁଣି ତ ଏଠାରେ ବି ତାଙ୍କ ଗୋଡ଼ରେ ଛନ୍ଦି ହୋଇଗଲାଣି । ସେ ଆଉ ପାଦେ ହେଲେ ଆଗକୁ ଯାଇ ପାରୁନାହାନ୍ତି କି ପଛକୁ ଫେରି ପାରୁନାହାନ୍ତି ।

 

ପ୍ରତିଦିନ ଡାକରେ କିଛି ନା କିଛି ଚିଠି ଧନଞ୍ଜୟ ପାଖରୁ ତାଙ୍କ ନିକଟକୁ ଆସୁଛି ଏବଂ ସେ ସବୁର ଉତ୍ତର ସଙ୍ଗେ ସଙ୍ଗେ ସୁଜାତାଦେବୀଙ୍କୁ ଦେବାକୁ ହେବ । ଏସବୁ ଦାୟିତ୍ୱ ଗ୍ରହଣ କରିବା ପାଇଁ ଯଦିଓ ସେ ପୂର୍ବରୁ ପ୍ରସ୍ତୁତ ନ ଥିଲେ ତଥାପି ଏପରି ପରିସ୍ଥିତିରେ ଆଉ ଏପରି ଭାବରେ ଏ ପ୍ରକାର ଅନୁରୋଧ ଧନଞ୍ଜୟ, କରିବସିଲା ଯାହାକୁ ଗ୍ରହଣ କରି ନେବାକୁ ସେ ତାଙ୍କର ଅନିଚ୍ଛାସତ୍ୱେ ବାଧ୍ୟ ହୋଇଥିଲେ ।

 

ଧନଞ୍ଜୟ କହିଲା ସୁଜାତାଦେବୀ–ଆପଣ ମନରେ କିଛି କଷ୍ଟ କରିବେ ନାହିଁ । ନିଜର ବୋଲି ଆପଣଙ୍କୁ ଭାବି ନେଇ ଏ ପ୍ରକାର କଷ୍ଟ ଆପଣଙ୍କୁ ଦେଉଛି । ଆପଣ ଜାଣନ୍ତି ବ୍ୟବସାୟୀ ହିସାବରେ ମୁଁ କିପରି ସର୍ବଦା ବ୍ୟସ୍ତ । ତେଣୁ ଗୋଟାଏ ସ୍ଥାନରେ ସ୍ଥିର ହୋଇ ବସି ରହିବା ସମ୍ଭବ ନୁହେଁ । ହେଲେ ମୋର ଏ ବରହମ୍‌ପୁର ଘରକୁ ଅନେକ ସମୟରେ ଅନେକ ପ୍ରକାର ଚିଠି ଆସେ-। ସେ ଚିଠିର ଉତ୍ତର ମଧ୍ୟ ତୁରନ୍ତ ଦେବା ଆବଶ୍ୟକ । ଆପଣ ତ ଶିକ୍ଷିତ । ମୋ ବ୍ୟବସାୟ ସମ୍ପର୍କରେ ମଧ୍ୟ ଆପଣଙ୍କର କିଛିଟା ଧାରଣା ଅଛି । ତେଣୁ ଆପଣ ନିଜ ମନରୁ ମୋ ପାଖକୁ ଆସୁଥିବା ସାଧାରଣ ଚିଠି ଗୁଡ଼ିକର ଉତ୍ତର ଦେଇଦେବେ । ଯଦି କିଛି ଜଟିଳ ସମସ୍ୟା ନେଇ ଚିଠି ଆସେ ତେବେ ଆପଣ ତାକୁ କଟକ ଠିକଣାରେ ମୋ ପାଖକୁ ପଠାଇ ଦେବେ । ଏଠାକୁ ଆସୁଥିବା ମୋର ସମସ୍ତ ଚିଠିକୁ ଖୋଲିବାର ଅଧିକାର ଆପଣଙ୍କର ଅଛି । ...ହଁ ଆଉ ଗୋଟାଏ କଥା ! ମୁଁ ଏଠାରେ କିଛି ଟଙ୍କା ବ୍ୟାଙ୍କରେ ଆପଣଙ୍କ ନାମରେ ରଖି ଯାଉଛି । ଆବଶ୍ୟକ ଅନୁସାରେ ଆପଣ ତାକୁ ନିର୍ଦ୍ଦ୍ୱନ୍ଦରେ ଖର୍ଚ୍ଚ କରିପାରିବେ । ମନରେ କିଛି ଭାବିବେ ନାହିଁ । କଥା ମଝିରେ ବାଧା ସୃଷ୍ଟି କରି ସୁଜାତାଦେବୀ କହି ଉଠିଲେ–ଏ କ’ଣ ଆପଣ କରୁଛନ୍ତି ? ଏ ସବୁ ଦାୟିତ୍ୱରେ ମୋତେ ପକାନ୍ତୁ ନାହିଁ । ଅନ୍ୟଜଣେ କିରାଣୀଙ୍କୁ ଏ ଦାୟିତ୍ୱ ଦିଅନ୍ତୁ । ଏଠାରେ ତ କିରାଣୀର ଅଭାବ ନାହିଁ !

 

ଏକ କୁଟୀଳ ହସ ଧନଞ୍ଜୟର ଅଧରରେ ମୁହୂର୍ତ୍ତକ ପାଇଁ ଉଇଁଉଠି ପରକ୍ଷଣରେ ମିଳାଇଗଲା ।

 

ସେ କଣ୍ଠକୁ ପରିଷ୍କାର କରିଆଣି କହିଲା–ମଣିଷକୁ ଏ ଦୁନିଆଁରେ ବଞ୍ଚିରହିବାକୁ ହେଲେ ଦାୟିତ୍ୱ ତା ପାଇଁ ଏକମାତ୍ର ସାହା, ଭରସା ଓ ଅବଲମ୍ବନ । ଆପଣ ଯାହାକୁ ଦାୟିତ୍ୱ ବୋଲି କହୁଛନ୍ତି–ସେ ଦାୟିତ୍ୱ ନୁହେଁ ଆବଶ୍ୟକ । ଜୀବନ ପାଇଁ ନିହାତି ଆବଶ୍ୟକ । ଆପଣ ଥରେ ନିଜେ ଭାବନ୍ତୁ ଦେଖି; କୌଣସି କର୍ମ ନ କରି ଆଳସ୍ୟପୂର୍ଣ୍ଣ ଜୀବନ ଘେନି ଏ ଦୁନିଆଁରେ କେତେ ଦିନ ବଞ୍ଚି ରହିପାରିବେ ? ଆପଣ ଏକା କାହିଁକି ଦୁନିଆଁରେ କୌଣସି ଲୋକ କର୍ମହୀନ ଭାବରେ ବେଶୀଦିନ ରହିପାରେନା । ପରୀକ୍ଷାକରି ଦେଖିବେ ଜଣେ ଲୋକକୁ ଖାଇବାପିଇବାକୁ ଦେଇ ଯଦି କିଛିଦିନ ବେକାର ବସାଇ ରଖିବେ ତେବେ ପରିଶେଷରେ ସେ ପାଗଳ ହୋଇଯିବ ନତୁବା ଆପଣଙ୍କୁ ନ ଜଣାଇ କେଉଁଆଡ଼େ ଚାଲିଯିବ ।

 

ତାର ଏକମାତ୍ର କାରଣ ହେଉଛି ମନୁଷ୍ୟ କର୍ମ ଚାହେଁ । କର୍ମ ମନୁଷ୍ୟକୁ ସୁଖ, ଆନନ୍ଦ ସବୁକିଛି ଦେଇଥାଏ ।

 

ଆପଣ କିଛିଦିନର ଆତିଥ୍ୟ ଗ୍ରହଣକରି ଏଠାକୁ ଆସିଛନ୍ତି; ପୁଣି ଏକାକୀ ! ଏକାକୀ ଜୀବନଟା କେତେ ଦୁଃସହ ସେକଥା ଆପଣ ଚିନ୍ତା କଲେ ବେଶ୍‌ ବୁଝିପାରିବେ । ପୁଣି ଆପଣ ଯେଉଁ ପରିସ୍ଥିତି ଦେଇ ବର୍ତ୍ତମାନ ଗତି କରୁଛନ୍ତି ସେଥିରେ ଆପଣ ପ୍ରତି ମୁହୂର୍ତ୍ତରେ ଚିନ୍ତିତା ଓ ମ୍ରିୟମାଣ ହୋଇ ଉଠୁଥିବେ । ଏପରିସ୍ଥଳେ କୌଣସି କର୍ମ ଭିତରେ ଆପଣ ଯଦି ଜବରଦସ୍ତ ନିଜକୁ ଗୁନ୍ଥି ନ ଦିଅନ୍ତି ତେବେ ଅତୀତର ପ୍ରେତ ଆପଣଙ୍କୁ ସୁସ୍ଥ ମନ ଧରି ବଞ୍ଚିରହିବାର ସୁଯୋଗ ଦେବେତ ? ନିରୋଳରେ କେବଳ ବସିରହି ଶାନ୍ତରେ ସମୟ କାଟି ପାରିବେ ତ ଆପଣ ?

 

ଏ ଦାୟିତ୍ୱ ଆପଣଙ୍କ ଉପରେ ନ ଦେଇ ଆପଣଙ୍କ କହିବା ମୁତାବକ କୌଣସି କିରାଣୀ ହସ୍ତରେ ନ୍ୟସ୍ତ କରିପାରି ଥାଆନ୍ତି ! କିରାଣୀର ଅଭାବବି ମୋତେ ହେବନି । ହେଲେ ଦୁଇଟି କଥା ଭାବି ମୁଁ ଏ କର୍ମର ଦାୟିତ୍ୱ ଆପଣଙ୍କ ଉପରେ ହିଁ ଲଦିଦେଲି । ପ୍ରଥମଟି ହେଲା ବର୍ତ୍ତମାନ ପରିସ୍ଥିତିରେ ଆପଣଙ୍କର ନିରୋଳା କର୍ମହୀନ ଜୀବନ ଜମାରୁ ଶୁଭଙ୍କରୀ ନୁହେଁ । ଚିନ୍ତାର ଚିତା ଭିତରେ ଆପଣଙ୍କୁ ଜଳି ଜଳି ନିଃଶେଷ ହୋଇଯିବାକୁ ମୁଁ ଆଦୌ ଛାଡ଼ି ଦେବିନି । ଆପଣ ଘର ଛାଡ଼ିଛନ୍ତି । ସ୍ୱାଧୀନତା ଆପଣଙ୍କର କାମ୍ୟ । ଏ ପ୍ରକାର ନିର୍ଭୀକତାକୁ ମୁଁ ସ୍ୱାଗତ କରୁଛି । ଆପଣ ଯେଉଁ ଆଶା ମନ ଭିତରେ ନେଇ ସ୍ୱାମୀ ଓ ସନ୍ତାନଙ୍କୁ ବର୍ଜନ କରି ବାହାରକୁ ପାଦ ବଢ଼ାଇଛନ୍ତି ସେ ଆଶାରେ ଇନ୍ଦ୍ରଧନୁର ରଙ୍ଗ ଦେବାର ଦାୟିତ୍ୱ ମୁଁ ନେଲି । ମୁକ୍ତ ଆକାଶର ବିହଙ୍ଗୀପରି ଘୂରି ବୁଲିବାର ସୁଯୋଗ ମୁଁ ଆପଣଙ୍କୁ ଦେବି । ହେଲେ ମୋର ଏତିକି ଅନୁରୋଧ ନିଜକୁ କର୍ମଭିତରେ ହଜାଇ ଦେଇ ଅତୀତକୁ ପ୍ରଥମେ ପାଶୋରି ଯାଆନ୍ତୁ ଆପଣ ! ଆଉ ସେଇଥିପାଇଁ ମୁଁ ଆପଣଙ୍କ ଉପରେ ଲଦି ଦେଉଛି ଏ ଗୁରୁଦାୟିତ୍ୱ ।

 

ପୁଣି ଏ ଦାୟିତ୍ୱ ଆପଣଙ୍କୁ ଦେବାର ଦ୍ୱିତୀୟ କାରଣ ହେଲା; ଆପଣ ମୋର ବନ୍ଧୁପତ୍ନୀ ଦୃଷ୍ଟିରୁ ଯେତେଟା ବିଶ୍ୱସ୍ତା ହେବେ ସେତେଟା ମୁଁ ଜଣେ ବେତନଭୋଗୀ କିରାଣୀଠାରୁ କ’ଣ ଆଶା କରିପାରିବି ? କିରାଣୀଟିଏ ନିଯୁକ୍ତି ଦେବାର ଥିଲେତ ମୁଁ କେଉଁଦିନୁ ନିଯୁକ୍ତି ଦେଇ ସାରିଥାନ୍ତି ! ହେଲେ ବହୁତ ଭାବିଚିନ୍ତି ଦେଇ ନଥିଲି । ବ୍ୟବସାୟ କଲେ ଓ ବ୍ୟବସାୟରେ ବଡ଼ ହେବାକୁ ଇଚ୍ଛା କଲେ ଜୀବନରେ ଅନେକ ବିଷୟରେ ଗୋପନୀୟତା ରକ୍ଷା କରିବାକୁ ପଡ଼େ ! ଆଉ ସେହି ଗୋପନୀୟତା ଯଦି ଭୁଲ୍‌ କ୍ରମେ ବାହାରେ ପ୍ରକାଶ ପାଇଯାଏ ତେବେ ଜୀବନ ବିପନ୍ନ ହୋଇଉଠେ-। ଏପରି କ୍ଷେତ୍ରରେ ଜଣେ ପରମଣିଷ ହାତରେ ମୋର ସମସ୍ତ ଗୋପନୀୟତାକୁ ସମର୍ପଣ କରି ପରିଶେଷରେ ତା’ର ଶୀକାର ହୋଇଥାଆନ୍ତି କାହିଁକି ?

 

ଆପଣ କିନ୍ତୁ ମୋ ପାଇଁ ତ ପରମଣିଷ ନୁହନ୍ତି ? ମୋର ଆପଣଙ୍କ ଉପରେ ଭରସା ଅଛି । ଆପଣ ବଡ଼ ହେବାକୁ ଚାହାନ୍ତି, ମୁକ୍ତ ହେବାକୁ ଚାହାନ୍ତି; ସେ ରାସ୍ତା ମୁଁ ଆପଣଙ୍କୁ ଧରାଇ ଦେଉଛି । ପ୍ରଥମେ ପ୍ରଥମେ ହୁଏତ ଆପଣଙ୍କୁ ଅଡ଼ୁଆ ଲାଗିପାରେ, କିନ୍ତୁ କିଛିଦିନ ପରେ ଅଭ୍ୟାସରେ ପଡ଼ିଗଲେ ଆଉ ଅସୁବିଧା ହେବନି । ମୋ ସହିତ ଆପଣ ହାତ ମିଶାନ୍ତୁ......ବ୍ୟବସାୟରେ ଗୋପନୀୟତା ରକ୍ଷା କରନ୍ତୁ...ଦେଖିବେ ଆପଣଙ୍କର ଭବିଷ୍ୟତ କେତେ ଉଜ୍ଜ୍ୱଳମୟ ହୋଇଉଠିବ ।

 

–ମୋ ନାମରେ ବ୍ୟାଙ୍କ୍‌ରେ ଟଙ୍କା ରଖି ମୋତେ ଖର୍ଚ୍ଚ କରିବାର ସୁବିଧା ଦେବା ଆବଶ୍ୟକ କ’ଣ ? ମୁଁ କ’ଣ ବେତନ ନେଇ ଆପଣଙ୍କ ବ୍ୟବସାୟରେ କାମ କରିବି ? କାହିଁ ମୁଁ ତ କେବେ ଅର୍ଥ ଲୋଡ଼ିନି ଆପଣଙ୍କଠାରୁ ? –ସୁଜାତାଦେବୀ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ପ୍ରଶ୍ନକଲେ ।

 

ଧନଞ୍ଜୟ ମୁହୂର୍ତ୍ତକ ପାଇଁ ଇତଃସ୍ତତଃ ହୋଇଉଠିଲା । ପରକ୍ଷଣରେ ନିଜକୁ ସଂଜତ କରିନେଇ ଛେପ ଢୋକି କହିଲା–ଆପଣ ଏପରି ଛୋଟ କଥାକୁ ମନରେ ସ୍ଥାନ ଦିଅନ୍ତୁନି ସୁଜାତାଦେବୀ ! ଆପଣ କାହିଁକି ମୋର ବେତନଭୋଗୀ କର୍ମଚାରୀ ହେବେ ? ମୁଁ ସାହାଯ୍ୟ ଚାହୁଁଛି–ତେଣୁ ଆପଣ ସାହାଯ୍ୟ କରୁଛନ୍ତି । କିନ୍ତୁ କଥା କଣକି ସୁଜାତାଦେବୀ; ପ୍ରତିଟି କାର୍ଯ୍ୟ ପଛରେ କିଛି ନା କିଛି ଗୋଟାଏ କାରଣ ରହିବା ଯିମିତି ସତ୍ୟ, ଦାନ ସହିତ ପ୍ରତିଦାନ ଲାଗି ରହିବା ମଧ୍ୟ ସିମିତି ଏକ ନିଶ୍ଚିତ ସତ୍ୟ । ଆପଣ ମୋଠାରୁ କିଛି ବିନିମୟରେ ଆଶା କରନ୍ତିନି ମୁଁ ଜାଣେ, ହେଲେ ଆପଣ ଆଶା ନ କଲେ ମଧ୍ୟ କିଛି ନ ଦେଲେ ମୁଁ ଶାନ୍ତି ପାଇପାରିବି ନାହିଁ । ମୁଁ ତ ଆପଣଙ୍କୁ ବେତନ ଦେଉନି; ଯାହା ଦେଉଛି ଏଇ ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତାର ଯତ୍‌କିଞ୍ଚିତ୍‌ ପ୍ରତିଦାନ ବୋଲି ଧରି ନିଅନ୍ତୁ ନା ! ତା ନହେଲେ କର୍ମରେ ମନ ଲାଗିବ ନାହିଁ ଯେ ! –କଥାଟାକୁ ହାଲୁକା କରିନେବା ପାଇଁ ଉଚ୍ଚ ସ୍ୱରରେ ହସିଉଠିଲା ଧନଞ୍ଜୟ !

 

ସୁଜାତାଦେବୀ କିନ୍ତୁ ଏତେ ସହଜରେ ଛାଡ଼ିବାର ପାତ୍ରୀ ନୁହନ୍ତି । ସେ କଥା ଲେଉଟାଇ ପୁଣି କହିଲେ–ଆପଣ କ’ଣ କହୁଛନ୍ତି ମୁଁ ଏହିଠାରେ ସବୁଦିନ ରହି ଆପଣଙ୍କ କାର୍ଯ୍ୟରେ ସାହାଯ୍ୟ କରି ଚାଲିଥିବି ?

 

–ଆରେ ନାଁ, ନାଁ, ନାଁ ! ସେ କଥା ଆପଣଙ୍କୁ କିଏ କହିଲା ? ମୁଁ ତ ଏପରି କଥା କେବେ କଳ୍ପନାରେ ବି ଚିନ୍ତା କରିନାହିଁ । ମୁଁ ଚାହୁଥିଲି ଅନ୍ତତଃ ଆପଣଙ୍କର ଡାଇଭର୍ସ କେଶ୍‌ଟା ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଏଠାରେ ରହିଯାଆନ୍ତୁ । ତାପରେ ଯେଉଁଆଡ଼େ ଚାହିଁବେ ସେଆଡ଼େ ଚାଲିଯିବେ ।

 

ଧନଞ୍ଜୟର ଶେଷ କଥା ପଦକରେ ସୁଜାତାଦେବୀ ନୀରବ ରହିଲେ । ବାସ୍ତବିକ୍‌ ଏ ଅଡ଼ୁଆଟା ନ ତୁଟିଲେ ସେ ଅବା କାହା ପାଖରେ, କିପରି, କେଉଁ ପରିଚୟ ନେଇ ଠିଆ ହେବେ ? ବର୍ତ୍ତମାନ ଚାକିରୀ କଲେ କର୍ମକ୍ଷେତ୍ରରୁ କେତେଥର ଛୁଟିନେଇ କୋର୍ଟକୁ ଦୌଡ଼ୁଥିବେ ? ନିଜକୁ ବଞ୍ଚାଇବାକୁ ଯାଇ ସେ କହିଲେ–ମୁଁ ସବୁ ବୁଝୁଛି, ତଥାପି ଅନ୍ୟ ବ୍ୟବସ୍ଥା କରିଥିଲେ ବୋଧହୁଏ ଭଲ ହୋଇଥାନ୍ତା ।

 

–ଆଉ ସେପରି ବୃଥା ଅନୁରୋଧ କରନ୍ତୁ ନାହିଁ ସୁଜାତାଦେବୀ । ଆପଣଙ୍କୁ ଏତେ ବୁଝାଇବା ପରେ ତଥାପି ଯଦି ମନରେ ଆପଣ କିନ୍ତୁଭାବ ଆଣିବେ ତେବେ ମୋତେ କଷ୍ଟ ଲାଗିବ-। ମୁଁ ଯାହା କରିଛି ବହୁ ଭାବିଚିନ୍ତି କରିଛି । ଆପଣଙ୍କ ପରି ଜଣେ ଉଚ୍ଚଶିକ୍ଷିତା ମୋର ଯେତିକି ବିଶ୍ୱାସଭାଜନ ହେବ ସେତିକି ହୋଇ ପାରିବନି ଅନ୍ୟ ଜଣେ ସାଧାରଣ ଲୋକ ।

 

ହସି ଉଠିଲେ ସୁଜାତାଦେବୀ ।

 

ତାପରେ ନିଜ ସଂସାରକୁ ତ୍ୟାଗ କରି ପର ସଂସାରକୁ ନେଇ ସଂସାରୀ ହୋଇ ଉଠିଲେ ସେ । ଆଜି ଟେଲିଗ୍ରାମ୍‌ତ କାଲି ବ୍ୟାଙ୍କ୍‌ଡ଼୍ରାଫ୍‌ଟ୍‌ ପଅର ଦିନ କନ୍‌ଫିଡ଼େନ୍‌ସିଆଲ୍‌ ଲେଟର । ସବୁର ଗ୍ରହୀତା ସୁଜାତାଦେବୀ । ଉତ୍ତର ପ୍ରେରିକା ସେ । ଛୋଟ ଏକ ବ୍ରାଞ୍ଚ ଅଫିସ୍‌ର ସେ କର୍ତ୍ତ୍ରୀ ହୋଇ ଉଠିଛନ୍ତି ।

 

ବହୁତ ଗାର୍ଡ଼େନ ପାଟି, ଟି ପାର୍ଟି, ସେଇ କୋଠାରେ, ତାଙ୍କରି ତତ୍ତ୍ୱାବଧାନରେ ଅନୁଷ୍ଠିତ ହୁଏ । ଧନଞ୍ଜୟ ସମେତ ଓଡ଼ିଶାର ବହୁ ପ୍ରତିଷ୍ଠିତ ବ୍ୟକ୍ତି ସେଇ ପାର୍ଟିର ମେମ୍ବର । ସମସ୍ତଙ୍କ ସହିତ ଧନଞ୍ଜୟ ସୁଜାତାଦେବୀଙ୍କର ପରିଚୟ କରାଇ ଦେଇଛି । ହସ, ଖୁସି, ଖିଆପିଆ, ଆନନ୍ଦ ଉତ୍ସବରେ ସପ୍ତାହକରୁ ପ୍ରାୟ ଦୁଇ ତିନି ଦିନ ଏଇପରି ମୁଖରିତ ହୋଇ ଉଠେ ।

 

ସୁଜାତାଦେବୀ ଭାବନ୍ତି ଜୀବନର ପ୍ରକୃତ ଅର୍ଥ ଯଦି କେହି ଉପଲବ୍‌ଧି କରିଥାନ୍ତି ତେବେ ସେମାନେ ହେଉଛନ୍ତି ଧନଞ୍ଜୟ ବାବୁ ଓ ତାଙ୍କର ବନ୍ଧୁମାନେ । କେବଳ ଅର୍ଥ ରୋଜଗାର କରି ବ୍ୟାଙ୍କ୍‌ର ବାଲାନ୍‌ସକୁ ଯେ ସେମାନେ ମୋଟା କରୁଛନ୍ତି ତା ନୁହେଁ, ଜୀବନକୁ ମଧ୍ୟ ଉପଭୋଗ କରୁଛନ୍ତି । ଜୀବନରେ ଯଦି ଆନନ୍ଦ ନାହିଁ, ଆନନ୍ଦ ଆହରଣ ପାଇଁ ଯଦି ସୁବିଧା ନାହିଁ, ତେବେ ସେ ଜୀବନ ନୁହେଁ ଏକ ଯନ୍ତ୍ର ।

 

ଆଜି ଏତେଦିନ ପରେ ଜୀବନ କ’ଣ ସେ କଥା ବେଶ୍‌ ଉପଲବ୍‌ଧି କରି ପାରିଛନ୍ତି ସୁଜାତାଦେବୀ । ଉପଲବ୍‌ଧି କରିବାର ସୁଯୋଗ ତାଙ୍କୁ ଧନଞ୍ଜୟ ଦେଇଛି । ପୂର୍ବରୁ ବହୁ ଟଙ୍କା ପଇସା ସେ ନିଜ ହାତରେ ଧରି ପାରିଥିଲେ । ଏବେ ବି ଧରି ପାରୁଛନ୍ତି । କିନ୍ତୁ ତଫାତ୍‌ ଏତିକି ପୂର୍ବରୁ ଯେଉଁ ଟଙ୍କା ସେ ଧରୁଥିଲେ ସେତିକି ଟ୍ରେଜେରୀ ଭିତରେ ସାଇତି ରଖିବା ବ୍ୟତୀତ ଖର୍ଚ୍ଚ କରିବାର ଉପାୟ ସେ ଖୋଜି ପାଉ ନଥିଲେ । କିନ୍ତୁ ଏବେ ତାଙ୍କ ହାତ ଉପରକୁ ଯେଉଁ ଅର୍ଥ ଆସୁଛି ତା’ର ବିନିଯୋଗ କରିବାର ରାସ୍ତା ସେ ପାଇ ପାରିଛନ୍ତି । ଅର୍ଥର ବିନିମୟରେ ସେ ବେଶ୍‌ ଆନନ୍ଦ ଉତ୍ସବରେ ନିଜକୁ ମଜଗୁଲ୍ କରି ରଖୁଛନ୍ତି । ସମ୍ପୂର୍ଣ୍ଣ ସ୍ୱାଧୀନ ଜୀବନ ବିତାଉଛନ୍ତି । ଅର୍ଥ ଧନଞ୍ଜୟର କିନ୍ତୁ ବ୍ୟୟ କରିବାର ଦାୟିତ୍ୱ ତାଙ୍କର । ନିଜର ଇଚ୍ଛା ଅନୁଯାୟୀ ସେ ଧନର ବ୍ୟୟ କରିପାରନ୍ତି । ସେଥିପାଇଁ ତାଙ୍କୁ କାହାରି ଅନୁମତି ନେବାକୁ ହୁଏନା ବା କେହି ତାଙ୍କୁ ଶାସନର ସ୍ୱର ଉତ୍ତୋଳନ କରି ହିସାବ ମାଗେନା । ବରଂ ବେଳେ ବେଳେ ଧନଞ୍ଜୟ କୁହେ, ‘‘ମୁଁ ଏତେ ଟଙ୍କା ଦେଉଛି କିନ୍ତୁ ଆପଣ ଜମାରୁ ଖର୍ଚ୍ଚ କରି ପାରୁନାହାନ୍ତି ସୁଜାତାଦେବୀ । ଧନ ବ୍ୟୟର ଯେତେ ଉପାୟ ଅଛି ସବୁକୁ ଏକତ୍ର ଭାବେ ଅବଲମ୍ବନ କରନ୍ତୁ । ତା ନହେଲେ ଜୀବନର ସମସ୍ତ ସ୍ୱାଦୁ ଆପଣ ପୂର୍ଣ୍ଣ ଭାବରେ ଉପଭୋଗ କରି ପାରିବେ ନାହିଁ । ଲକ୍ଷ୍ମୀଙ୍କର ଅପର ନାମ ଚଞ୍ଚଳା । ସେ ଯିମିତି ଆସେ ସିମିତି ଚଞ୍ଚଳ ଭାବରେ ଚାଲିଯିବାକୁ ଚାହେଁ । ଆଉ ଯେଉଁ ଲୋକ ଏତିକି ନ ବୁଝି କୃପଣ ପରି ସେତକ ସାଇତି ରଖିବାକୁ ଚେଷ୍ଟା କରେ ଲକ୍ଷ୍ମୀ ତା ଉପରେ ଅସନ୍ତୁଷ୍ଟ ହୁଅନ୍ତି । ବେଶୀ ଉପାର୍ଜ୍ଜନ କରିବାର ସୁଯୋଗ ତାକୁ ଦିଅନ୍ତି ନି । ତେଣୁ ମୁଁ ଆପଣଙ୍କୁ ବରାବର କହୁଛି ଯେତେ ପାରୁଛନ୍ତି ଓ ଯେଉଁପରି ଉପାୟରେ ପାରୁଛନ୍ତି ଅର୍ଥ ବ୍ୟୟ କରନ୍ତୁ ! ମଣିଷର ଧର୍ମ ଆନନ୍ଦ ଉପଭୋଗରେ ସର୍ବଦା ମଜ୍ଜି ଯିବାପାଇଁ । ସେଇଥିପାଇଁ ତା’ର ସୃଷ୍ଟି । ଦୁଇ ଦିନର ଜୀବନ ପାଇଁ କୃପଣତା ଶୋଭା ପାଏନା ।’’

 

ବିସ୍ମୟର ଦୃଷ୍ଟି ଉତ୍ତୋଳନ କରି ଧନଞ୍ଜୟକୁ ଚାହାନ୍ତି ସୁଜାତାଦେବୀ । –ବାସ୍ତବିକ୍‌ ଧନଞ୍ଜୟ ବାବୁ କେତେ ଭଲ ମଣିଷ ! କେତେ ଉଦାର...କେତେ ମହାନ୍‌ ! ଆଉ ଚନ୍ଦ୍ରକାନ୍ତ ବାବୁ...

 

ଚନ୍ଦ୍ରକାନ୍ତକୁ ବିବାହ କଲା ପରେ ସେ ଯେପରି ଗୋଟାଏ ଯନ୍ତ୍ର ପାଲଟି ଯାଇଥିଲେ ।

 

ଚନ୍ଦ୍ରକାନ୍ତ କୋର୍ଟକୁ ଯିବା ପର୍ଯ୍ୟନ୍ତ ସୁଜାତାଦେବୀଙ୍କର କାମଥିଲା ତା’ର ଖାଇବା ପିଇବା ଦେଖିବା; ଯିବାପରେ ନିଃସଙ୍ଗ ହୋଇ ଘର ଭିତରେ ପଡ଼ିରହି ଶସ୍ତା ଗଳ୍ପ, ଉପନ୍ୟାସ ପଢ଼ିବା । ସାମୟିକ ପଢ଼ିଲେ ସିନା ସେ ସବୁ ମନକୁ ଖୋରାକ ଯୋଗାଇ ପାରିବ କିନ୍ତୁ ସଦାବେଳେ ପଢ଼ିବାକୁ ବସିଲେ ବିରକ୍ତ ଲାଗିବ । ତେଣୁ ବାକୀ ସମୟ ଶୋଇ ଶୋଇ କଟେ । ତାପରେ ଚନ୍ଦ୍ରକାନ୍ତ ଫେରେ । ତାଙ୍କ ହାତକୁ ଟଙ୍କା ବଢ଼ାଇ ଦିଏ । ଦିନଯାକର ପରିଶ୍ରମର ମୂଲ । ତା (ଚନ୍ଦ୍ରକାନ୍ତ) ହାତରୁ ଟଙ୍କା ନେଇ କ୍ୟାସ୍‌ବାକ୍‌ସରେ ଭର୍ତ୍ତି କରି ଚାବି ଦେଇ ସାମାନ୍ୟ କେତେ ମିନିଟ୍ ଆଳାପ ଆଲୋଚନା ହୁଏ । ତାପରେ ଚନ୍ଦ୍ରକାନ୍ତ ଯାଏ ଲାଇବ୍ରେରୀ ଘରକୁ । ସୁଜାତାଦେବୀ ମୁନ୍ନାକୁଧରି ଅବଶିଷ୍ଟ ସମୟ କଟାନ୍ତି । ପୂଜାରୀ ରୋଷଘରୁ ଡାକ ଛାଡ଼େ । ଖାଇପିଇ ପୁଣି ଶୋଇବା କଥା । ଲାଇବ୍ରେରୀ ଘରୁ ଚନ୍ଦ୍ରକାନ୍ତ କାମ ସାରି ଆସେ । ପୂଜାରୀ ଖାଇବାକୁ ଦିଏ । ସେ ଖାଏ ଶୁଏ । ଏ ହେଲା ଦିନକର ଡାଇରୀ । ଏହିପରି କେତେ ଦିନ ମିଶି ବର୍ଷ ତିନିଟା ସେ ଚନ୍ଦ୍ରକାନ୍ତ ଘରେ ଅଣନିଃଶ୍ୱାସୀ ହୋଇ କଟାଇଛନ୍ତି । ଜେଲ ଦଣ୍ଡ, ସେ ତ ପ୍ରକାରେ ଦଣ୍ଡ କିନ୍ତୁ ନଜରବନ୍ଦୀ ଠାରୁ ଦୁଃସହ ବ୍ୟଥା ଆଉ କିଛି ଥାଇପାରେ ନା ।

 

ବେଳେବେଳେ ପିଲାଟା କିନ୍ତୁ ମନେପଡ଼ୁଛି । କି ସୁନ୍ଦର ଗୁଲୁଗୁଲିଆ ମୁହଁ । କପା ତୁଳା ପରି ସଫା ଦେହ । ପୁଚୁକା ପୁଚୁକା ଗାଲ । ଠୁକୁ ଠୁକୁ ଚାଲି । ଖନ ଖନ ପାଟିରୁ ଦରୋଟି କଥା ‘ମା’ । ମୁନ୍ନାର ସ୍ମୃତି ତାଙ୍କ ମନକୁ ମନ୍ଥନ କରି ପକାଉଛି । ବିଚାରାଟା ମା ଛେଉଣ୍ଡ ହୋଇ ବଡ଼ ହଇରାଣ ହେଉଥିବ । କେତେ ଅନୁନୟ କଲେ, କେତେ ବିକଳ ପ୍ରାର୍ଥନା କଲେ ଯେ ପିଲାଟାକୁ ଅନ୍ତତଃ ମୋ ସଙ୍ଗେ ଛାଡ଼ି ଦିଅ । କିନ୍ତୁ ହୃଦୟକୁ ପଥର କରି, ପୁରୁଷତ୍ୱର ଦ୍ୱାହି ଦେଇ ସେ ମୁନ୍ନକୁ ଛାଡ଼ିବାକୁ ସମ୍ପୂର୍ଣ୍ଣ ଅମତ ହେଲା । ଆଇନ୍‌ର ଲୋକ ପିନା ! ଆଇନତଃ ପୁଅ ଉପରେ ତା’ର ଅଧିକାର ।

 

ନୀରବରେ ମଥା ପୋତି ସେ ଘରୁ ଗୋଡ଼କାଢ଼ି ଚାଲିଆସିଲେ । ତଥାପି ମୁନ୍ନାପ୍ରତି ତାଙ୍କର ମାତୃତ୍ୱ ବେଳେବେଳେ ବିକଳରେ ବାହୁନି ବାହୁନି କାନ୍ଦି ଉଠୁଛି । ଖାଇବା ପାଇଁ ପିଲାଟି ଭାରୀ ଅଝଟିଆ । କୁଆ, ବଣି, ବିଲେଇକୁ ଦେଖାଇ ଦେଖାଇ ସେ କେତେ କଷ୍ଟରେ ତା ପାଟିରେ ଦିଇଟା ଗୁଞ୍ଜି ଦିଅନ୍ତି । ଆଜିକାଲି କ’ଣ ଖାଉଥିବ କେଜାଣି ? ତାଙ୍କୁ ଝୁରି ଝୁରି ନିଶ୍ଚୟ କଣ୍ଟା ହୋଇ ଯିବଣି ! ଅଝଟିଆ ଗୁଣପାଇଁ ନିଶ୍ଚୟ ତାଙ୍କଠାରୁ କେତେ ଗାଳି ମାଡ଼ ଖାଉଥିବ । ସୁଜାତାଦେବୀଙ୍କ ଆଖି କ’ଣରେ ଲୁହ ଜକେଇ ଆସେ, ଆଖି ଆଗରେ ଭାସି ଉଠେ ମୁନ୍ନାର ଢଳ ଢଳ ସଜ ଗୋଲାପ ମୁହଁଟି ଶୁଖି ଯାଇଛି । ଝାଉଁଳି ପଡ଼ିଛି କୁନି କୁନି ଆଖି ଦୁଇଟିରୁ ବୁନ୍ଦା ବୁନ୍ଦା ଲୁହ ମୁକ୍ତାଫୁଲ ଆକାରରେ ଭୂଇଁରେ ଖସି ପଡ଼ୁଛି । ପିଲା ସେ । ଅବୋଧ ଶିଶୁ । ମା’କୁ ନ ଦେଖି ମନ ଭିତରଟା ତା’ର ଖିନ୍‌ଭିନ୍‌ ହୋଇ ଉଠୁଛି । ଜନନୀର ଅନୁପସ୍ଥିତରେ ସେ ହାଡ଼କଣ୍ଟା ହେଲାଣି । ବାପା ଯେତେ ଆନନ୍ଦରେ ରଖିଲେ ବି ଶିଶୁର ମା’ ପାଇଁ ଯେଉଁ ମମତା ତା କ’ଣ ମା’ ବିହୁନେ କେବେ ଅନ୍ୟ କେହି ଦେଇ ପାରିବ ?

 

ସୁଜାତା ଦେବୀଙ୍କୁ ଜଣାପଡ଼େ ସତେ ଯେପରି ମୁନ୍ନା ତାଙ୍କୁ ଦେଖି ଆନନ୍ଦରେ କୁରୁଳି ଉଠୁଛି । ତାଙ୍କ କୋଳକୁ ଡେଇଁ ପଡ଼ିବାପାଇଁ ବ୍ୟାକୁଳ ହୋଇ ଉଠୁଛି । ଥର ଥର କଣ୍ଠରେ କହୁଛି–ମା’ ତୁ ଫେରି ଆ ! ପୁଣି ଆମ ଘରକୁ ଫେରି ଆ ! ମୋତେ କୋଳରେ ବସାଇ ଗେଲ କର....କାଖରେ କାଖେଇ ଜହ୍ନମାମୁଁ ଦେଖା...ତୁ ଫେରି ଆ....ଫେରି ଆ ମା !

 

ଦୁଇ ହାତରେ ମୁହଁକୁ ଚାପି ଧରି ବିଛଣା ଉପରେ ଲୋଟିପଡ଼ି ସୁଜାତାଦେବୀ ଫୁଲି ଫୁଲି କାନ୍ଦି ଉଠିଲେ ।

 

ମନ ଭିତରୁ ତାଙ୍କର ଯେପରି କିଏ ଉପହାସ କରି କହି ଉଠେ–ମୁକ୍ତି ପାଇଛ ନା ସ୍ୱାଧୀନତା ନାମରେ ପରାଧୀନତାର ଶୃଙ୍ଖଳ ପିନ୍ଧି ବସିଛ ? ଏଇ ବିରାଟ କୋଠା ଭିତରେ ଆୟା ଆଉ ବାହାରେ ଗୁର୍ଖା ଦରୁଆନ୍‌ ‘ବାହାଦୂର’ ବ୍ୟତୀତ ଆଉ କିଏ ଅଛି ତୁମର ସାଥୀ ? ସେ ପାଖରେ ଚନ୍ଦ୍ରକାନ୍ତର ସଂସାର ସମ୍ଭାଳିଥିଲ ! ସ୍ୱାଧୀନତା ଥିଲା ! ସେ ସଂସାରରେ ତୁମର କର୍ତ୍ତୃତ୍ୱ ଥିଲା ! କିନ୍ତୁ ଏପାଖରେ ଧନଞ୍ଜୟର ଲେଡ଼ି ପର୍ସନାଲ ଆସିଷ୍ଟାଣ୍ଟ ହୋଇଛ । ପର ଘରେ ଚାକିରୀ କରି ପେଟ ପୋଷିଲା ପରି ରହିଛ ! ଅଜସ୍ର ଅର୍ଥର ଅଧିକାରିଣୀ ହୋଇ, ସ୍ୱେଚ୍ଛାଚାରିଣୀ ପରି ସେ ଅର୍ଥକୁ ବ୍ୟୟ କରି ତମେ ଯେଉଁ ଆନନ୍ଦ ଉପଭୋଗ କରୁଛ ସେ ଆନନ୍ଦ ମାତ୍ର ଦୁଇ ଦିନର ! ଚିରଦିନ ଏ ଆନନ୍ଦ ତୁମକୁ ମିଳିବ ନାହିଁ ! ଆଖି ପିଛୁଳାକେ ସେ ସମସ୍ତ କୁଆଡ଼େ ଉଭେଇ ଯିବ ! କାରଣ ସେ ଅଳୀକ, ସେ ଅସତ୍ୟ, ସେ ଅବାସ୍ତବ, ସେ କ୍ଷଣସ୍ଥାୟୀ । ତା ପରେ... ? ତା ପରେ କ’ଣ ହେବ ତୁମର ଅବସ୍ଥା ? ଧ୍ରୁବକୁ ପରିତ୍ୟାଗ କରି ଅଧ୍ରୁବରେ ଯେପରି ମଜ୍ଜି ଉଠୁଛ–ସେ ଅଧ୍ରୁବର ସତ୍ୟତା କେବେ ନିରେଖି ଦେଖିଛ ତୁମେ ? ଏହାକୁ କ’ଣ କହନ୍ତି ସ୍ୱାଧୀନତା ! .....କ’ଣ ଲାଭ ମିଳୁଛି ଏ ପ୍ରକାର ସ୍ୱାଧୀନତା ବନାମ ପରାଧୀନତାରୁ ?

 

ନିଜ ଘରେ ଶାଗ ମୁଗ ଖାଇ ଶାନ୍ତିରେ ନରହି ପର ଘରେ ପଲୋଉ ଖାଇଲେ ସେଥିରେ ଯଦି କାହାକୁ ତୃପ୍ତି ମିଳୁଥାଏ ତେବେ ସେଠାରେ ମନୁଷ୍ୟତାର ଅଭାବହିଁ ପରିଲକ୍ଷିତ ହୁଏ-

 

ଆଖି ଆଗରେ ପୁଣି ଭାସି ଉଠିଲା ଚନ୍ଦ୍ରକାନ୍ତର ଶୁଖିଲା ମୁହଁ । ମୁହଁରୁ ସରସତା ଲିଭିଛି-। ସୁନ୍ଦର ସୁଠାମ ଦେହ କଳା ପଡ଼ିଯାଇଛି । ସେ ଯେପରି କହୁଛି–‘‘ଜିତା ତୁମେ ଏ କ’ଣ କରି ବସିଲ ? ଘର ସଂସାର କରି ମାନ ଅଭିମାନ କାହାର ନଥାଏ ? ୟା’ ବୋଲି ତୁମେ ଏତେ ଦୂରକୁ ଚାଲିଗଲ ! ଫେରିଆସ ! ତଥାପି ସମୟ ଅଛି ! ମୋ ପାଇଁ ନ ଭାବ କିନ୍ତୁ ତୁମ ମୁନ୍ନା ପାଇଁ ଟିକିଏ ହେଲେ ଚିନ୍ତାକର ! ମା ତୁମେ, ନିଜର ସ୍ତନ୍ୟରୁ ଅମୃତ ଦେଇ ତୁମେ ତାକୁ ମଣିଷ କରିଛ ! କିପରି ତା କଥା ଭୁଲି ରହିପାରୁଛ ? ଚନ୍ଦ୍ରକାନ୍ତ ତୁମ ପାଇଁ ଏବେ ମଧ୍ୟ ତା’ର ହୃଦୟ ଖୋଲା ରଖିଛି-! ତା ଭିତରେ କେବଳ ଜିତାର ସ୍ଥାନ ଅଛି ! ଫେରିଆସ ଜିତା ! ଯାହା ହୋଇ ଯାଇଛି ଯଥେଷ୍ଟ ହୋଇଛି-। ଆଉ କଥାକୁ ବଢ଼ାଅନି–ଫେରିଆସ... !’’

 

ଚମକି ଉଠନ୍ତି ସୁଜାତାଦେବୀ ।

 

ମନ ଭିତରେ ପୁଣି ଧନଞ୍ଜୟର କଥା ପ୍ରତିଧ୍ୱନିତ ହୋଇଉଠେ ।

 

ଗତକାଲି ସପ୍ତାହକର ଶେଷ ଗ୍ରସ୍ତରେ ଧନଞ୍ଜୟ ବ୍ରହ୍ମପୁର ଆସିଥିଲା । ବହୁତ ଡେରିରେ ଅବଶ୍ୟ ସେ କାଲି ଏଠାରେ ଆସି ପହଞ୍ଚିଲା । ସାଙ୍ଗ ହୋଇ ସେକେଣ୍ଡ ସୋ ସିନେମା ଦେଖିବାକୁ ସେମାନେ ଉତ୍କଳ ସିନେମାକୁ ଯାଇଥିଲେ । ବସାକୁ ଫେରୁ ଫେରୁ ରାତି ଗୋଟାଏ ପରେ ହୋଇଗଲା । ଏପ୍ରିଲ୍‌ ମାସର ରାତି । ବହୁତ ଗରମ ପଡ଼ୁଥାଏ । ଆୟା ଖାଇବାର ବନ୍ଦୋବସ୍ତ କରୁ କରୁ ଧନଞ୍ଜୟ ଆରମ୍ଭ କଲା–ଗୋଟାଏ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଉଠିବେ ସୁଜାତାଦେବୀ !

 

–ଏପରି ଗୋଟାଏ କି କଥା ଆପଣ ମୋତେ କହିବେ ଯେ ମୁଁ ଆଶ୍ଚର୍ଯ୍ୟ ହେବି ? କାହିଁ ସେପରି କିଛି ତ ମୁଁ କଳ୍ପନା କରିପାରୁ ନାହିଁ ?

 

–କଳ୍ପନାତୀତ ବୋଲି ତ ଆଶ୍ଚର୍ଯ୍ୟ ହେବେ !

 

ବେଶ୍‌ ଯଦି ମୋତେ ଆଶ୍ଚର୍ଯ୍ୟ କରିବାର କୌଣସି ବିଷୟବସ୍ତୁ ଆପଣ ସାଇତି ରଖିଛନ୍ତି ତେବେ ବ୍ୟାଖ୍ୟା କରନ୍ତୁ । ଦେଖିବା ସେ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେବି କି ନାହିଁ ।

 

–ନାଁ, ସେପରି ମୂଲ୍ୟବାନ୍‌ କଥା ଏତେ ସହଜରେ ଖୋଲି ଦିଆଯାଇ ପାରିବ ନାହିଁ । ସେଥିପାଇଁ କିଛି ପୁରସ୍କାର ଆପଣ ଘୋଷଣା କରିବା ଦରକାର । ତା ନହେଲେ କରିବାର ଉତ୍କଣ୍ଠା ମୋର ରହିବ ନାହିଁ ।

 

–ଆରେ ବାବୁ ପ୍ରଥମେ ଘଟଣାଟା କହିସାରନ୍ତୁ । ବିଷୟବସ୍ତୁର ଓଜନ ଦେଖି ସିନା ପୁରସ୍କାର ଘୋଷଣା କରାଯିବ ? ଆପଣ ଯେଉଁ ବିଷୟ ଶୁଣାଇ ମୋତେ ଆଶ୍ଚର୍ଯ୍ୟ କରିବେ ବୋଲି କହୁଛନ୍ତି ଯଦି ଶୁଣିସାରିବା ପରେ ମୁଁ ଆଶ୍ଚର୍ଯ୍ୟ ନହୁଏ ତେବେ ପୁରଷ୍କାରର ପ୍ରଶ୍ନ ଉଠିବ କାହିଁକି ? –ହସି ହସି ସୁଜାତାଦେବୀ କହିଲେ ।

 

ଧନଞ୍ଜୟ କଣ୍ଠରେ ଆହୁରି ଦୃଢ଼ତା ଆଣି କହିଲା–ମୁଁ କିନ୍ତୁ ଜୋର୍‌ଦେଇ କହୁଛି ମୋ କଥା ଶୁଣିଲା ପରେ ଆପଣ ଯେ କେବଳ ଆଶ୍ଚର୍ଯ୍ୟ ହେବେ ତା ନୁହେଁ–ବହୁତ ଦିନ ପାଇଁ ଆପଣଙ୍କ ମନ ଭିତରେ ଭାବନାର ଖୋରାକ ଭରିଯିବ । ଆଉ....ମୋ ଠାରୁ ଯେତେବେଳେ ଘଟଣାଟା ଶୁଣିଯିବେ ନା, ଆପଣଙ୍କ ହୃତ୍‍ସ୍ପନ୍ଦନ ଶତଗୁଣ ବେଗ ଧରି ବସିବ ।

 

ବେଶ୍‌; ସୁଜାତାଦେବୀ ସହଜ କଣ୍ଠରେ କହିଲେ–ଆଉ ଅଧିକ ଭୂମିକା କରି ଘଟଣା ଉପରେ ସସ୍‌ପେନସ୍‌ ବଢ଼ାଇବାର ଆବଶ୍ୟକତା ନାହିଁ । ବେଟ୍‌ ରହିଲା; ଯଦି ଶୁଣିସାରିବା ପରେ ମୁଁ ଆଶ୍ଚର୍ଯ୍ୟ ହୁଏ ତେବେ ମୁଁ କାଲି ଗୋଟିଏ ପାର୍ଟିର ଆୟୋଜନ କରିବି । ଆଉ ଯଦି ଆପଣଙ୍କ କଥା ମୋ ଉପରେ କୌଣସି ଗୁରୁତ୍ୱ ଆରୋପ କରି ନ ପାରେ ତେବେ ଆପଣ ଲାଗ୍‍ ଲାଗ୍‍ ଦୁଇଦିନ ପାର୍ଟିର ଆୟୋଜନ କରିବେ । କୁହନ୍ତୁ ମୋ କଥାରେ ଏକମତ ତ ?

 

ମଞ୍ଜୁର !

 

ତେବେ କୁହନ୍ତୁ ଏଥର ଆପଣଙ୍କର ବହୁ ଆଶ୍ଚର୍ଯ୍ୟ ମଧ୍ୟରୁ କେଉଁ ଆଶ୍ଚର୍ଯ୍ୟର କାହାଣୀ ଶୁଣାଇବେ ।

 

ଧନଞ୍ଜୟ ସୁଜାତାଦେବୀଙ୍କ ଆଡ଼କୁ ସାମାନ୍ୟ କଣେଇ ଚାହିଁ ଟିକିଏ ହସିଦେଲା ।

 

ସୁଜାତାଦେବୀ ବି ହସିଲେ ।

 

ଗଳା ପରିଷ୍କାର କରିନେଲା ଧନଞ୍ଜୟ । ସଳଖ ହୋଇ ବସିଲା । ମୁହଁକୁ ଥରେ ରୁମାଲରେ ପୋଛିଦେଲା । ସତେ ଯେପରି ଏକ କି ଅଦ୍ଭୁତ, ଅଲୌକିକ କାହାଣୀ ସେ ସୁଜାତାଦେବୀଙ୍କୁ ଶୁଣାଇବ–ଯାହାକି ଏ ପର୍ଯ୍ୟନ୍ତ ପୃଥିବୀରେ କେହି ଶୁଣି ନ ଥିଲେ ବା ଭବିଷ୍ୟତରେ ଶୁଣିପାରିବେ ନାହିଁ ।

 

ସୁଜାତାଦେବୀଙ୍କର ଉତ୍କଣ୍ଠା ବଢ଼ୁଥିଲା ।

 

–ଗତକାଲି ଆମ ବ୍ୟବସାୟର ଗୋଟିଏ ଇନ୍‌କମଟ୍ୟାକ୍‌ସ୍‌ ମକଦ୍ଦମା ସମ୍ପର୍କରେ ମୁଁ ଚନ୍ଦ୍ରକାନ୍ତ ବାବୁଙ୍କ ସହିତ ପରାମର୍ଶ କରିବାକୁ ଯାଇଥିଲି ।

 

ଚନ୍ଦ୍ରକାନ୍ତର ନାମ ଶୁଣି ହଠାତ୍‌ ଅତି ଅସମ୍ଭବ ଭାବରେ ଚମକି ଉଠିଲେ ସୁଜାତାଦେବୀ-। ହୃତ୍‌ସ୍ପନ୍ଦନ ବାସ୍ତବିକ୍‌ ଅତି ଅସ୍ୱାଭାବିକ ଭାବରେ ବଢ଼ି ଉଠିଛି । ସତେଜ-ସୁନ୍ଦର ମୁଖଶ୍ରୀ ଉପରେ ଚଞ୍ଚଳତାର ପ୍ରଲେପ ।

 

–ତେବେ ବର୍ତ୍ତମାନ କୁହନ୍ତୁ ସୁଜାତାଦେବୀ; ମୋ କଥା ଆପଣଙ୍କ ମନରେ କୌତୁହଳ ସୃଷ୍ଟି କରିଛି କି ନା । ପାର୍ଟି ଆପଣ ଦେବେ ତ ?

 

ଈଷତ୍‌ ଲଜ୍ଜାରେ ସୁଜାତାଦେବୀଙ୍କ ମୁଖ ପାଟଳବର୍ଣ୍ଣ ଧାରଣ କରି ଆସୁଥାଏ । ତଳକୁ ମୁହଁପୋତି ସେ କହିଲେ, କଥା ଯେତେବେଳେ ଦେଇଛି ପାର୍ଟି ନିଶ୍ଚୟ ଦେବି । ତେବେ ତା ପରର ଘଟଣାଗୁଡ଼ିକ କୁହନ୍ତୁ ନା ! ମୋ କଥା ସେ ପଚାରୁଥିଲେ ? ମୋ ଭଲମନ୍ଦ ଜାଣିବାକୁ ଚାହୁଥିଲେ-?

 

ଚନ୍ଦ୍ରକାନ୍ତବାବୁ ଜାଣନ୍ତି ଆପଣ ମୋର ଅତିଥି । ଆପଣଙ୍କର ଲଭମନ୍ଦର ପ୍ରଶ୍ନ ପଚାରିବା ଯଦିଓ ଉଠି ନଥିଲା ତଥାପି ସେପରି କିଛି ଗୋଟାଏ ଅଘଟଣ ବି ଘଟିଥିବାର ମୁଁ ତାଙ୍କ ବ୍ୟବହାରରୁ ଅନୁମାନ କରି ପାରିଲି ନାହିଁ । ଏହା ପୂର୍ବରୁ ଯେତେବେଳେ ତାଙ୍କ ସହିତ ମିଶିଛି ଯେପରି ବ୍ୟବହାର ପାଇଛି ଏଥର ସେଥିରେ କିଛି ତୃଟି ମୁଁ ଲକ୍ଷ୍ୟ କରି ପାରିଲି ନାହିଁ । ଘରୁ ପାନ ଠାରୁ ଚାହା ପର୍ଯ୍ୟନ୍ତ ସବୁ ଠିକ୍‌ ରୀତିମତ ମୋ ପାଇଁ ମଗାଇ ସେ ବନ୍ଧୁଚର୍ଚ୍ଚା କରିଥିଲେ ।

 

ବାସ୍ତବିକ୍‌ ମଣିଷ ଭିତରେ ସେ ଏକ ବ୍ୟତିକ୍ରମ ପରି ଜଣାଯାଏ । କାରଣ ଏତେ ବଡ଼ ଧକ୍‌କାରେ ମଣିଷ ଯେପରି ଭାଙ୍ଗିପଡ଼େ ପ୍ରତିହିଂସାପରାୟଣ ହୁଏ ସେସବୁର ଲେସ ପର୍ଯ୍ୟନ୍ତ ତାଙ୍କଠାରେ ଦେଖିଲି ନାହିଁ । ମନେ ମନେ ତାଙ୍କୁ ଅତିମାନବ ବୋଲି ଭାବୁଥିଲି ।

 

କିନ୍ତୁ, ଶୁଣିଲେ ଆପଣ ବିସ୍ମିତ ହେବେ ସୁଜାତାଦେବୀ; ହଠାତ୍‌ ପୂଜାରୀ ଆସି ଚେମ୍ୱାରରେ ଖବର ଦେଲା ଯେ–ବାବୁ ଭିତରକୁ ଆସନ୍ତୁ–ମାଆ ଡାକୁଛନ୍ତି । ଚନ୍ଦ୍ରକାନ୍ତ ବାବୁ ମୋତେ ଛାଡ଼ିଦେଇ ଘର ଭିତରକୁ ଚାଲିଗଲେ । ମନେ ମନେ ଭାବିଲି ଆପଣ ଚାଲି ଆସିବା ପରେ ବୋଧହୁଏ ଚନ୍ଦ୍ରକାନ୍ତବାବୁ କାହାର ପ୍ରଣୟ ପ୍ରାର୍ଥୀ ହୋଇଛନ୍ତି ! ମନରେ ବିଶେଷ କୌତୂହଳ ଜାତହେଲା । କିଛି ସମୟ ପରେ ଅବଶ୍ୟ ଚନ୍ଦ୍ରକାନ୍ତବାବୁ ଫେରି ଆସିଲେ । ଭଦ୍ରତା ଦୃଷ୍ଟିରୁ ତାଙ୍କୁ ତ ଏ ବିଷୟରେ ପଚାରିହେବ ନାହିଁ ? କଥାବାର୍ତ୍ତା ମୋର ସରିଲା, ଫିସ୍‌ ତାଙ୍କ ହାତକୁ ବଢ଼ାଇଦେଇ ମୁଁ ତାଙ୍କଠାରୁ ବିଦାୟନେଇ ଆସିଲି । ହେଲେ ମନରେ ମୋର ତ ସନ୍ଦେହ ଉପୁଜିଛି-! ସେ ସନ୍ଦେହ କୌଣସି ନିଶ୍ଚିତ ସତ୍ୟ ଉପରେ ପ୍ରତିଷ୍ଠିତ ନହେବା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ସମୟ କଟାଇ ପାରିବି ନାହିଁ । ଅଗତ୍ୟା ମୋର ଗୁଇନ୍ଦା ବିଭାଗକୁ କାମରେ ଲଗାଇଦେଲି । ସଂଧ୍ୟାବେଳକୁ ଖବରପାଇଲି ଯେ ତାଙ୍କ ଘରେ ତାଙ୍କ ଗାଁର ଜଣେ ବିଧବା ଯୁବତୀ ଆଶ୍ରିତା ହୋଇ ରହିଛନ୍ତି । ବାସ୍‌; ତା ପରେ ସବୁକଥା ପରିଷ୍କାର ହୋଇଗଲା । ସବୁ ସନ୍ଦେହ ମୋ ମନ ଭିତରୁ ଚାଲିଗଲା । ମାନେ, କଥା କ’ଣ କି ସୁଜାତା ଦେବୀ; ମଣିଷର ସିନା ଅଭାବ ରହିଲେ ସେ ବିଚ୍ଛେଦର ବ୍ୟଥାରେ ବିଚଳିତ କିମ୍ୱା ଦୁଃଖିତ ହେବ, କିନ୍ତୁ ଚନ୍ଦ୍ରକାନ୍ତବାବୁଙ୍କର ଅଭାବ ତ ଭଗବାନ ପୂରଣ କରି ଦେଇଛନ୍ତି–ଧନଞ୍ଜୟ ହସି ଉଠିଲା ।

 

ସେ ହସ ଏକ ସଂକ୍ରାମକ ହସ ।

 

ସେ ହସ ଏକ କଳାନାଗର ହସ ।

 

ସେ ହସ ନାରୀର ନାରୀତ୍ୱପ୍ରତି ଏକ ପୁରୁଷର ଅବଜ୍ଞାର ହସ ।

 

ଆଉ...ସେଦିନର ସେ ହସରେ ଲଜ୍ଜା ଓ ଅପମାନରେ ଯେତିକି ଜଳିପୋଡ଼ି ମଲେ ସୁଜାତାଦେବୀ ତା ଅପେକ୍ଷା ବରଂ କ୍ରୋଧରେ ଚନ୍ଦ୍ରକାନ୍ତ ଉପରେ ଅଧିକ ଜଳି ଉଠିଲେ । ଇସ୍‌ କି ଜଘନ୍ୟ ଲୋକ ! ଏଇଟାକ’ଣ ତାଙ୍କର ଭଲ ପାଇବାର ଶେଷ କଥା ! ଏଇଥିପାଇଁ ସେ ତେବେ କ’ଣ କହୁଥିଲେ ଜୀବନରେ ତୁମ ବ୍ୟତୀତ ଅନ୍ୟନାରୀ ସହିତ ମୋର କେବେହେଲେ ସଂପର୍କ ରହିବ ନାହିଁ !’’ ସୁପୁରୁଷ, ଚରିତ୍ରବାନ ପୁରୁଷଙ୍କର କ’ଣ ଏଇ ହେଉଛି ଏକପତ୍ନୀବ୍ରତ ?

 

ଘୃଣାରେ ଚନ୍ଦ୍ରକାନ୍ତ ପ୍ରତି ମନ ତାଙ୍କର ବିଷେଇ ଉଠିଲା । ଛିଃ–ଏତେ ତଳକୁ ସେ ଯାଇ ପାରନ୍ତି ? ପର ସ୍ତ୍ରୀ, ସେ ପୁଣି ବିଧବା । ମୃତ ପତିର ସ୍ମୃତିରେ ଯାହାର ହୃଦୟ ମଥିତ ହେଉଥିବ ବା ସହିତ ପୁଣି ଗୋପନ ଅଭିସାର ? ଏଇ କ’ଣ ଚନ୍ଦ୍ରକାନ୍ତ ବାବୁଙ୍କର ଶିକ୍ଷା ? ଏଇ ସଂସ୍କୃତି ନେଇ ସେ କ’ଣ ଏକ ସୁସ୍ଥ ସମାଜର ପ୍ରତିନିଧିତ୍ୱ ଦାବୀ କରି ବସିବେ ? ହୁଏତ କେଉଁ ଅନାଥିନୀ ରମଣୀ କୌଣସି ଅସହାୟା ଅବସ୍ଥାରେ ଆଇନ୍‌ର ସହାୟ ପାଇଁ ତାଙ୍କର ଦ୍ୱାରସ୍ଥ ହୋଇଥିବ । ତାରି ଦୁର୍ବଳତାର ସୁଯୋଗ ନେଇ ତାଙ୍କର କ’ଣ ଏପରି ପାଶବିକତା ଶୋଭନୀୟ ହୋଇଛି ? ଛି, ଛି, କେତେ ଘୃଣ୍ୟ ଏଇ ପୁରୁଷ ଜାତିଟା ? ଏମାନଙ୍କୁ ପୁଣି ବିଶ୍ୱାସ କରାଯାଇ ପାରେ ?

 

ଯାହାର ଚରିତ୍ର ଏତେ କୁତ୍ସିତ, ଏତେ ଅମହତ ସେମାନେ ପୁଣି ଜିନ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବସନ୍ତି ? ସ୍ତ୍ରୀର ସ୍ୱଚ୍ଛନ୍ଦ ଗତାଗତକୁ ସେମାନେ ଇତର ଆଖ୍ୟା ଦିଅନ୍ତି ? ସ୍ତ୍ରୀର ଅନ୍ୟ ବାନ୍ଧବୀଙ୍କ ସହିତ ମିଳାମିଶାକୁ ସ୍ୱେଚ୍ଛାଚାରୀତା କୁହନ୍ତି ? ଲଜ୍ଜା ଲାଗେନା ! ସ୍ୱାମୀ ଯଦି ଦେବତା ନହୋଇ ରାକ୍ଷସ ହୁଏ....ସେ ଯଦି ଆଦର୍ଶବାଦୀ ନହୋଇ ନିମ୍ନଗାମୀ ହୁଏ....ତା ଭିତରେ ଯଦି ନରକର ସ୍ଫଳନ ଭରି ରହିଥାଏ ତେବେ ଦୁନିଆଁରେ କେଉଁ ସ୍ତ୍ରୀ ବା ତାଙ୍କୁ ସମ୍ମାନ ଦେବ ? କେଉଁ ରମଣୀ ତାଙ୍କର ପଦଧୂଳି ନେଇ ମଥାରେ ଲେପିବ ? କାହିଁକି ? କାହିଁକି ସେ ଆଜୀବନ ଦାସୀତ୍ୱ ସ୍ୱୀକାର କରିବ ଏକ ଲମ୍ପଟ ପୁରୁଷ ନିକଟରେ ? ପ୍ରଥମେ ନିଜକୁ ଗଢ଼ି ନଜାଣି ଅନ୍ୟକୁ ଗଢ଼ିବାକୁ ଚେଷ୍ଟା କଲେ କୌଣସି ନାରୀ ତାକୁ ବରଦାସ୍ତ କରି ପାରିବ ନାହିଁ ।

 

ମାତ୍ର ଦିନ କେତେଟାର ବ୍ୟବଧାନ । ତା’ର ଭିତରେ ଏତେ ଶୋଚନୀୟ ପତନ ହେଲା ତାଙ୍କର ? ଏପରି ନାରକୀୟ ଅନ୍ଧକାର ଗହ୍ୱରକୁ ଖସିଯାଇ ପାରିଲେ ସେ ? ସୁଜାତାଦେବୀଙ୍କର ଭାବନା ଉଗ୍ର ହୋଇ ଉଠୁଥିଲା । ତାଙ୍କର ନାସିକା ଦେଇ ଖର ନିଶ୍ୱାସ ପ୍ରବାହିତ ହେଉଥିଲା । କପାଳ ଉପରେ କ୍ଷୁଦ୍ର କ୍ଷୁଦ୍ର ଶ୍ୱେଦବିନ୍ଦୁ ଦେଖା ଦେଉଥିଲା ।

 

ଚନ୍ଦ୍ରକାନ୍ତ ବାବୁ ମଣିଷ ରୂପରେ ଏକ ରାକ୍ଷସ । ଏ ସ୍ଫଳନ ତାଙ୍କର ଆକସ୍ମିତ ନୁହେଁ ! ଦିନେ ଓଳିକରେ କାହାର ଚରିତ୍ରର ପତନ ହୋଇ ପାରେନା ! ଏ ତାଙ୍କର ପୁରାତନ କୁ-ଅଭ୍ୟାସ ! ଚରିତ୍ରହୀନତା ନିଶ୍ଚୟ ତାଙ୍କର ଅନେକ ଦିନରୁ ଥିଲା ! ବିବାହ ପରେ ସେ ନିଶ୍ଚୟ ଲୁଚି ଛପି ଏ ପ୍ରକାର କୁ-ସ୍ୱଭାବରେ ଲିପ୍ତ ରହୁଥିଲେ ! ତା’ର ଅଜ୍ଞାତସାରରେ ସେ ସମସ୍ତ ଅଘଟନ ଘଟାଉଥିଲେ-! ପୁରୁଷ ସେ ! ସବୁ ପ୍ରକାର ସ୍ୱାଧୀନତା ତାଙ୍କର ଅଛି । କୋର୍ଟକୁ ଯିବାର ବାହାନାରେ କେଉଁଠାରେ ସେ ପରକୀୟା ପ୍ରୀତିରେ ମଜ୍ଜି ରହିଲେ ବି ଚାରିକାନ୍ଥ ଘେରା କୋଠରୀ ଭିତରେ ବନ୍ଦିନୀ ସ୍ତ୍ରୀ କେବେ ତା’ର ଟେର୍‌ ପାଇ ପାରିବନି !

 

ସେତେବେଳେ ସେ ଏ କର୍ମ ଅପ୍ରକାଶ୍ୟ ଭାବରେ କରୁଥିଲେ, ଏଣିକି ପ୍ରକାଶ୍ୟ ଭାବରେ କରି ବସିଲେଣି । କାରଣ ବାଧା ଦେବାକୁତ ଆଉ କେହି ନାହାନ୍ତି ! ଯାହା ହାତରେ ପ୍ରଚୁର ଅର୍ଥ ରହିଛି, ତାକୁ ବା ଏ ପୃଥିବୀରେ ବାଧାଦେବ କିଏ ?

 

କିନ୍ତୁ ସେ.....(ସୁଜାତା ଦେବୀ) ଅଭିମାନ କରି ସ୍ୱାମୀଙ୍କ ନିକଟରୁ ଦୂରକୁ ଚାଲି ଆସିଥିଲେ ମଧ୍ୟ ମୁହୂର୍ତ୍ତକ ଲାଗି ଏ ପ୍ରକାର ପାପ କାମନା କେବେତ ତାଙ୍କ ଭିତରେ ଜାଗିନି ! ସେ ଧନଞ୍ଜୟ ବାବୁଙ୍କ ସହିତ ଏକତ୍ର ବସବାସ କରୁଛନ୍ତି.....ଏକତ୍ର ସିନେମା ଯାଉଛନ୍ତି....ଏକତ୍ର ଆହାର ବିହାର କରୁଛନ୍ତି–ହେଲେ କ୍ଷଣକପାଇଁ ବି ତାଙ୍କ ଭିତରେ ଦୁର୍ବଳତା ଦେଖାଦେଇନି । ଅବଶ୍ୟ ବେଳେବେଳେ ଧନଞ୍ଜୟ ବାବୁଙ୍କ ଭିତରେ ସାମାନ୍ୟ ଉଚ୍ଛୃଙ୍ଖଳତା ଦେଖାଦିଏ । କଥାବାର୍ତ୍ତା ଭିତରେ କାମନାର ଦିହୁଡ଼ି ଜଳିଉଠେ । ଚାଲିଚଳନରେ କିମିତି ଏକ ଖାପଛଡ଼ା ଭାବର ଉଦୟ ହୁଏ । ହେଲେ ତାଙ୍କର ଉଗ୍ର ନାରୀତ୍ୱ ନିକଟରେ ସେ ଧନଞ୍ଜୟବାବୁଙ୍କର ସମସ୍ତ ରିପୁ ଆପେ ଆପେ ନମ୍ର ହୋଇ ଉଠନ୍ତି । ମନର ଭାବକୁ ତୁଣ୍ଡର ଭାଷାରେ କେବେ ତାଙ୍କ ଆଗରେ କହି ପାରନ୍ତିନି ସେ ।

 

ସୁଜାତାଦେବୀ ନିଜ ଚରିତ୍ର ପାଇଁ ସର୍ବଦା ସଜାଗ ।

 

ସେ ପରପୁରୁଷ ସହିତ ହସି ପାରନ୍ତି, ବସି ପାରନ୍ତି, ମିଶି ପାରନ୍ତି ହେଲେ ନାରୀତ୍ୱ ଉପରେ ସାମାନ୍ୟ ଟିକିଏ ଆଞ୍ଚ ଆସିଲେ ସେ କାଳନାଗୁଣୀ ପରି ଫଣା ଉତ୍ତୋଳନ କରି ଦଂଶନ କରିବାକୁ କେବେ ପଶ୍ଚାତ୍‌ପଦ ହେବେନି ।

 

ସେ ନାରୀ; ସେ ବିବାହିତା; ସେ ସୀତା, ସାବିତ୍ରୀଙ୍କର ବଂଶଧର ।

 

କିନ୍ତୁ ଚନ୍ଦ୍ରକାନ୍ତ ବାବୁ ! ପୁରୁଷ ହୋଇ ତାଙ୍କର ସତ୍‌ପୌରୁଷକୁ ରକ୍ଷାକରି ପାରିଲେନି ! କାମୁକଠାଣୀରେ ପରନାରୀର ଚରଣତଳେ ଶରଣ ନେଲେ ! ଏଭଳି ଚରିତ୍ରହୀନ ଯୁବକ ତାଙ୍କର ସ୍ୱାମୀ ହୋଇଥିଲେ ମଧ୍ୟ ଏବେବି ସୁଜାତାଦେବୀଙ୍କ ପାଇଁ ତାଙ୍କ ମନ ଭିତରେ ସ୍ଥାନ ଅପୂର୍ଣ୍ଣ ରହିଛି ବୋଲି ସେ ବା କିମିତି ଆଉ ବିଶ୍ୱାସ କରିବେ !!!

 

ନାଁ, ଆଉ ନୁହେଁ ! ତାଙ୍କରି ଚାଟୁବାଣୀରେ ସେ ଥରେ ପଥ ହୁଡ଼ିଛନ୍ତି ! ତାଙ୍କରି ପ୍ରରୋଚନାରେ ଥରେ ପାଦ ଖସାଇଛନ୍ତି ! ଏଣିକି ତାଙ୍କୁ କଠିନ ହେବାକୁ ହେବ, ହିମାଚଳଠାରୁ ଆହୁରି ଦୃଢ଼ ହେବାକୁ ପଡ଼ିବ ! ନିଜର ବାଟକୁ ନିଜେ ପରିଷ୍କାର କରି ସେ ଆଗେଇ ଯିବେ !

 

ସୁଜାତାଦେବୀଙ୍କ ଭାବନାର ଧୂମାଳ ଅତି ପ୍ରଖର ବେଗରେ ବହି ଚାଲିଥିଲା । ସେ ଆଉ ଥୟଧରି ବସିରହି ପାରୁ ନଥିଲେ । ତାଙ୍କର ଦୁଇ ନେତ୍ର ଡୋଳା ମଧ୍ୟରୁ ସତେ ଯେପରି ତରଳ ଲାଭାଶ୍ରୋତ ଉଛୁଳି ଆସି ଏଇ ମୁହୂର୍ତ୍ତରେ ପୃଥିବୀର ସମସ୍ତ ଅବିଶ୍ୱାସୀ ପୁରୁଷ ଜାତିକୁ ପୋଡ଼ି ଜାଳି ଭସ୍ମ କରିଦେବ !

 

ଧନଞ୍ଜୟ ଏକ ଦୃଷ୍ଟିରେ ସୁଜାତାଦେବୀଙ୍କୁ ଚାହିଁ ପରିସ୍ଥିତିର ଗୁରୁତ୍ୱ ଅନୁଭବ କରୁଥିଲା । ଏପରି ଅପ୍ରିୟ କଥା କହି ତା’ର ଲାଭ ହେଲା ବା କ୍ଷତି ହେଲା ସେ ବିଷୟ ସେ ମଧ୍ୟ ଆଉ ଚିନ୍ତାକରି ପାରୁ ନ ଥିଲା । ତା’ର ବି ଚିନ୍ତାଶକ୍ତି ଲୋପ ହୋଇ ଆସୁଥିଲା ।

 

ସୁଜାତାଦେବୀଙ୍କ କପୋଳର ଘର୍ମବିନ୍ଦୁ ସମଗ୍ର ଶରୀରକୁ ତାଙ୍କର ଗ୍ରାସକରି ବସିଲାଣି । ଶାଢ଼ୀ, ବ୍ଲାଉସ୍‌ ତିନ୍ତି ଗଲାଣି ବେଦନାର ଶ୍ୱେଦବାରୀରେ । ଦେହ ହାତ ଅବଶ ହୋଇ ଆସୁଛି ସତେ ଯେପରି ।

 

ଆୟା ଆଣି ଖାଦ୍ୟସାମଗ୍ରୀ ରଖିଦେଇ ଗଲା !

 

ସୁଜାତାଦେବୀଙ୍କର ସେଥିପ୍ରତି ଆଉ ଧ୍ୟାନ ନାହିଁ ! ମନର ଜ୍ୱାଳାରେ ଜଠରର ଅଗ୍ନି ଉତ୍ତାପ ହରାଇ ବସିଛି ।

 

ଟ୍ରାନ୍‌ଞ୍ଜିଷ୍ଟର ବାକ୍‌ସ ଉପରେ ଫଟୋ ଷ୍ଟାଣ୍ଡରେ ମୁନ୍ନାର ବଷ୍ଟ୍‌ ଫଟୋ ଥୁଆହୋଇଛି । କୁଲୁକୁଲିଆ ମୁହଁ । ଫୁଲୁକା ଫୁଲୁକା ଗାଲ । ମୁଣ୍ଡରେ କଳାଭଅଁରିଆ ଗୋଚ୍ଛାଏ କେଶ । ଫଟୋ ଭିତରୁ ସେ ହସି ଉଠୁଛି ।

 

ସୁଜାତାଦେବୀ ଆଉ ଧୈର୍ଯ୍ୟଧରି ବସିରହି ପାରିଲେ ନାହିଁ । ହଠାତ୍‌ ଉଠିଯାଇ ଟ୍ରାଞ୍ଜିଷ୍ଟର୍‌ ବାକ୍‌ସ ଉପରେ ମୁନ୍ନାର ବଷ୍ଟ୍‌ ଫଟୋଟିକୁ ଆଣି ନିଜ ବୁକୁ ଉପରେ ଚାପିଧରି ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଉଠିଲେ ।

 

କେତେଦିନ ଧରି ଘର ଭିତରେ ପ୍ରବଳ ଝଡ଼ ସୃଷ୍ଟି ହୋଇଛି । ସୁବୋଧ ବାବୁଙ୍କର ଏକାଜିଦ୍‌ ଝିଅ ତାଙ୍କର ଆଉ ଗୋଡ଼ରେ ଘୁଙ୍ଗୁର ବାନ୍ଧି ମଞ୍ଚ ଉପରକୁ ଯିବ ନାହିଁ । ଝିଅ ତାଙ୍କର ବି. ଏ. ପାଶ୍‌ କରିଛି । ସେତିକି ଯୋଗ୍ୟତା ଆଜିକାଲିକାର ଯେକୌଣସି ଝିଅ ପକ୍ଷରେ କିଛି କମ୍‌ ନୁହେଁ-। ଆଉ ଏଇ ଯୋଗ୍ୟତା ବଳରେ ତାଙ୍କର ଝିଅ ବେଶ୍‌ ଏକ ସୁସ୍ଥ-ସୁନ୍ଦର ଜୀବନ ଧରି ବଞ୍ଚିରହି ପାରିବ । ଭଲ ଚାକିରୀ ଖଣ୍ଡେ ସେ ପାଇପାରିବ । ତଦ୍ୱାରା ଆର୍ଥିକ ସଙ୍କଟ ଦୂର ହେବା ସଙ୍ଗେ ସଙ୍ଗେ ସାମାଜିକ ପ୍ରତିଷ୍ଠା ମଧ୍ୟ ତା’ର ବୃଦ୍ଧି ପାଇବ । ସମସ୍ତିଙ୍କର ସମ୍ମାନ ଓ ଶ୍ରଦ୍ଧାଭାଜନ ହେବ ସେ-। ଆଜିକାଲି ଯୁଗରେ କଳା ପ୍ରତି ସମସ୍ତଙ୍କର ଶ୍ରଦ୍ଧା ଥିଲା ବି କଳାକାର ପ୍ରତି ଯେଉଁ ଘୃଣା ଓ ଅବଜ୍ଞା ରହିଛି ସେଥିରୁ ସେ ଓହରି ଆସିବ । କଳାର ମାଧ୍ୟମରେ ସମସ୍ତିଙ୍କର ମନୋରଞ୍ଜନ କରି ବି ଯଦି ଏ ଦୁନିଆଁରେ ଅପବାଦ, କୁତ୍ସା ଶୁଣିବାକୁ ମିଳେ ତେବେ ସେପ୍ରକାର ପଥକୁ ସେ କାହିଁକି ଆଉ ବୃଥାରେ ସ୍ୱାଗତ ଜଣାଇବ ? ବରଂ ସେପ୍ରକାର ଜୀବନ ଯାତ୍ରାରୁ ତାକୁ ବାହୁଡ଼ି ଆସିବାକୁ ହେବ ।

 

ମାଳବିକାଦେବୀଙ୍କର ଦୃଷ୍ଟିଭଙ୍ଗୀ କିନ୍ତୁ ଅନ୍ୟ ପ୍ରକାର । ସେ କୁହନ୍ତି କଳାର ପ୍ରସାର ଏକ ମହାନ୍‌ କାର୍ଯ୍ୟ । ଭଗବାନଙ୍କର ସେତିକି କରୁଣା ନଥିଲେ କଳାରେ ପାରଦର୍ଶିତା ଲାଭକରି ହୁଏନା-। ସାଧାରଣ ମଣିଷ କଳାର ମର୍ଯ୍ୟାଦା ଦେଇ ପାରେନା; ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରି ପାରେନା, ଏହାର ଅର୍ଥ ନୁହେଁ ଯେ ଏଇ ସାମାନ୍ୟ ନିର୍ବୋଧ-ଅବଜ୍ଞାକୁ ପୁଞ୍ଜିକରି ଜଣେ ପ୍ରକୃତ କଳାକାର କଳା କ୍ଷେତ୍ରରୁ ଓହରି ଯିବ । ପ୍ରକୃତ ହୃଦୟ ନ ଥିଲେ କଳାର ମହତ୍ତ୍ୱ କେହି ଉପଲବ୍‌ଧି କରି ପାରନ୍ତିନି । ସମସ୍ତିଙ୍କର ଏତିକି ବୁଝିବା ଉଚିତ ଯେ ଭଗବାନଙ୍କୁ ପାଇବା ପାଇଁ ଯେତିକି ସାଧନାର ଆବଶ୍ୟକ, କଳା ଶିକ୍ଷା ପାଇଁ ମଧ୍ୟ ଠିକ୍‌ ସେତିକି ସାଧନାର ଲୋଡ଼ା । ଯେଉଁମାନେ କଳାକୁ ଅସମ୍ମାନ କରନ୍ତି, କଳାକାର ଚରିତ୍ରକୁ ଆଲୋଚନାର ବସ୍ତୁ କରି ରଖନ୍ତି, ସେମାନେ ଅବୋଧ, ଅଜ୍ଞାନୀ, ମୂର୍ଖ । ସେମାନଙ୍କର ଏ ପ୍ରକାର ଆକ୍ଷେପରେ କୌଣସି ଗୁରୁତ୍ୱ ଆରୋପ ନକରି ବରଂ ସେମାନଙ୍କର ନିର୍ବୋଧତାକୁ ଆମର କ୍ଷମା ଦେବା ଉଚିତ । ଯେଉଁମାନେ ଆଜି କଳାକାର ଜୀବନକୁ କେନ୍ଦ୍ର କରି କୁତ୍ସା ରଟନାରେ ମୁଖର ହୋଇଉଠୁଛନ୍ତି ସେମାନେ କାଲି ନିଶ୍ଚୟ କଳାର ମହତ୍ତ୍ୱ ବୁଝି ସମ୍ମାନ କରିବେ । ତାଙ୍କ ଭିତରେ ଦିନେ ନା ଦିନେ ନିଶ୍ଚୟ ଜ୍ଞାନର ଉଦୟ ହେବ । ସେମାନେ ନିଜ ନିଜର ଭ୍ରମ ନିଶ୍ଚୟ ବୁଝିପାରି ଅନୁତାପ କରିବେ ।

 

ସେ ପର୍ଯ୍ୟନ୍ତ କଳାକାରକୁ ଅପେକ୍ଷା କରିବାକୁ ପଡ଼ିବ । ସାମାନ୍ୟ ଅପବାଦରେ ବିଚଳିତ ହୋଇ ନଉଠି, ନିଜ ଭିତରେ ଧୈର୍ଯ୍ୟ ଓ ସାହସ ଠୁଳ କରି ନିଜର ସାଧନାରେ ଅଟଳ ରହିବା ସଙ୍ଗେ ସଙ୍ଗେ ଏ ଦୁନିଆଁର ଅଜ୍ଞାନୀ ଜନତାଙ୍କ ବିରୁଦ୍ଧରେ ଶୀତଳ-ସଂଗ୍ରାମ ଚଳାଇବ । ସମୟ ସବୁଦିନେ ସମାନ ଯାଏନା । ଦିନେ ନା ଦିନେ ଦୁନିଆଁ ଦରବାରରେ ସମ୍ମାନିତ ହେବ ସେ । ପୁଷ୍ପମାଲ୍ୟରେ ତା ଗଳାମଣ୍ଡନ ହେବ ।

 

ଏ ସମ୍ପର୍କରେ ସେ ସୁବୋଧ ବାବୁଙ୍କ ସହିତ ବହୁତ ଯୁକ୍ତି କରିଛି । ଦିନ ଦିନ ଧରି ବାପାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଛି । ପିତା ପୁତ୍ରଙ୍କର ବହୁ ମତାନ୍ତର ହୋଇଥିଲେ ମଧ୍ୟ ମାଳବିକାଦେବୀଙ୍କର ମଧ୍ୟ ଏକାଜିଦ୍‌ ସେ ଚାକିରୀ କରି ପାରନ୍ତି, କିନ୍ତୁ ଅଭିନୟ କଳାକୁ କେବେ ବର୍ଜନ କରିପାରିବେ ନାହିଁ । ଯେତେଦିନ ପର୍ଯ୍ୟନ୍ତ ତାଙ୍କ ଭିତରେ ଶକ୍ତିଥିବ, ସେତେଦିନ ପର୍ଯ୍ୟନ୍ତ କଳାର ସାଧନା କରୁଥିବେ ସେ । ନୃତ୍ୟର ମାଧ୍ୟମରେ ସେ ମଣିଷ ଭିତରେ ଅପୂର୍ବ ଉତ୍ସାହ, ଆନନ୍ଦ ଓ ଉଦ୍ଦୀପନା ଖେଳାଇ ଦେଉଥିବେ । କଳାକାର ହିସାବରେ ସେ ସାଧନା ପଥରୁ ଓହରି ଆସି ପାରିବେ ନାହିଁ ।

 

ହେଲେ ବାପାଙ୍କ ସହିତ ଏତେ ଯୁକ୍ତି ତର୍କ, ଏତେ ବୁଝାସୁଝା କରି ମଧ୍ୟ ସୁବୋଧବାବୁ ତାଙ୍କ ଅନୁରୋଧକୁ ହୃଦୟଙ୍ଗମ କରି ପାରି ନାହାନ୍ତି । ମାଳବିକାଦେବୀ ମଧ୍ୟ ବାପାଙ୍କର ଅବାଧ୍ୟ ହୋଇ ନିଷ୍ପତ୍ତିରେ ବେଶୀ ଦୂର ଅଗ୍ରସର ହୋଇପାରି ନାହାନ୍ତି ।

 

ଏ ଭିତରେ ବହୁ ସୌଖୀନ ମଞ୍ଚରୁ ବହୁ ଅନୁରୋଧ ଆସିଛି । ମୋଟା ପାରିଶ୍ରମିକ ପ୍ରଲୋଭନ ବି ସୁବୋଧ ବାବୁଙ୍କ ଆଖି ଆଗରେ ଝଲସି ଉଠିଛି । ସୁବୋଧ ବାବୁ କିନ୍ତୁ ତାଙ୍କର ନିଷ୍ପତ୍ତି ଉପରେ ଅଟଳ ।–ଝିଅ ତାଙ୍କର ଆଉ ନୃତ୍ୟ କିମ୍ୱା ଅଭିନୟ କରିବାକୁ ଯିବ ନାହିଁ । ସେ ବିବାହ କରିବ । ଘରର ଘରଣୀ ହୋଇ ପୁଅ ଝିଅ ନେଇ ସଂସାର କରିବ ।

 

କିଛିଦିନ ଧରି ପତ୍ର-ପତ୍ରିକାରେ ଛାୟା ଓ ମଞ୍ଚ ବିଭାଗରେ ମାଳବିକାଦେବୀଙ୍କର ନାମକୁ ଦେଖିବାକୁ ନପାଇ ତାଙ୍କର ବହୁ ସମ୍ପାଦକମାନଙ୍କୁ ଚିଠିଲେଖି ବ୍ୟତିବ୍ୟସ୍ତ କରି ଦେଲେଣି । ପତ୍ରିକାର ସ୍ଥାନୀୟ ପ୍ରତିନିଧିଗଣ ମାଳବିକାଦେବୀଙ୍କୁ ସାକ୍ଷାତ୍‌ କରି ସେପରି କିଛି ନିଶ୍ଚିତ ଉତ୍ତର ବି ପାଇବାରୁ ନାହାନ୍ତି ।

 

ନାମହୀନ ଏକ ଫାଲ୍‌ଗୁନ ସଞ୍ଜରେ ଏଇ ବିଷୟରେ ଅନୁସନ୍ଧାନ କରିବା ପାଇଁ ଅଗ୍ନିଶିଖାର ସମ୍ପାଦକ ସୁବ୍ରତ ରାଉତରାୟ ମାଳବିକାଦେବୀଙ୍କ ବାସଭବନରେ ପହଞ୍ଚିଲା ।

 

ରିକ୍‌ସାରୁ ଓହ୍ଲାଇ ସୁବ୍ରତ ଗେଟ୍‌ ଫିଟାଇ ଭିତରକୁ ଗଲା । ଏହି ଘର ତା’ର ବହୁ ଦିନର ପରିଚିତ । ଅନେକ ଦିନ ପରେ ଯଦିଓ ସେ ଘରେ ପାଦ ଦେଉଛି ତଥାପି କିଛି ପରିବର୍ତ୍ତନ ଦେଖିପାରୁ ନାହିଁ ।

 

ବାହାର ଘରେ ସୁବୋଧବାବୁ ବସି କୌଣସି ଏକ ଦୈନିକୀ ଉପରେ ଆଖି ବୁଲାଉଥିଲେ ।

 

ସୁବ୍ରତ ଭକ୍ତିରେ ନମସ୍କାର କଲା ।

 

ମୁହଁ ତୋଳି ଚାହିଁଲେ ସୁବୋଧ ବାବୁ ।

 

ଆରେ ସୁବ୍ରତ ବାବୁ ଯେ । ଆସନ୍ତୁ, ଆସନ୍ତୁ, ବସନ୍ତୁ, ବହୁଦିନ ପରେ ଆପଣଙ୍କ ସାକ୍ଷାତ୍‌ ମିଳିଲା ।

 

ନିଜ ଆସନ ଗ୍ରହଣ କରି ସାରି ସୁବ୍ରତ କହିଲା କର୍ମ ବ୍ୟସ୍ତତା ନେଇ ଆପଣଙ୍କୁ ସାକ୍ଷାତ୍‌ କରିବାର ସୁଯୋଗ ପାଇପାରୁ ନଥିଲି ।

 

–ଆଉ ଖବର କ’ଣ ?

 

ସୁବୋଧ ବାବୁଙ୍କ ପ୍ରଶ୍ନର ଉତ୍ତର ନଦେଇ ସୁବ୍ରତ ପ୍ରଶ୍ନ କଲା, ମାଳବିକାଦେବୀ ଅଛନ୍ତି-?

 

–ହଁ ଘରେ ଅଛି ।

 

–ହଠାତ୍‌ ମଞ୍ଚ ପ୍ରତି ତାଙ୍କର ବିତୃଷ୍ଣାପାଇଁ ବହୁ ପାଠକଙ୍କଠାରୁ ଚିଠି ଆସୁଛି । ଆପଣତ ଜାଣନ୍ତି କଳା ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ସମ୍ୱାଦପତ୍ରରେ ‘‘ଛାୟା ଓ ମଞ୍ଚ’’ ବିଭାଗ ଏକ ଅପରିହାର୍ଯ୍ୟ ଅଙ୍ଗହୋଇ ଉଠିଛି । ଆଉ ଛାୟା ଓ ମଞ୍ଚ ବିଭାଗ ସୁଋଚିପୂର୍ଣ୍ଣ ନହେଲେ ପତ୍ରିକାର ପ୍ରସାରରେ ବି ବାଧା ଆସୁଛି । ତେଣୁ ଏ ସମ୍ପର୍କରେ ମାଳିବିକାଦେବୀଙ୍କ ସହିତ ମୋର ସାକ୍ଷାତ୍‌ ଏକାନ୍ତ ଜରୁରୀ ହୋଇ ଉଠିଛି ।

 

ସୁବୋଧ ବାବୁ ନୀରବରେ ସୁବ୍ରତର କଥା ଶୁଣିବା ପରେ କେବଳ ‘ହୁଁ’ ବ୍ୟତୀତ ଆଉ କିଛି ମନ୍ତବ୍ୟ ଦେଲେ ନାହିଁ ।

 

ସୁବୋଧବାବୁ ମାଳବିକାଦେବୀଙ୍କୁ ଘର ଭିତରୁ ଡାକିଲେ ।

 

ଘର ଭିତରୁ ମାଳବିକାଦେବୀ ବାହାରି ଆସି ସୁବ୍ରତକୁ ଦେଖି ଯେତିକି ଆନନ୍ଦିତା ହେଲେ ତାଠାରୁ ଅଧିକ ବିସ୍ମିତା ହୋଇ ଉଠିଲେ । ସୁବ୍ରତ ବାବୁଙ୍କୁ ନମସ୍କାର ଜଣାଇବା ସଙ୍ଗେ ସଙ୍ଗେ ତାଙ୍କ ପାଟିରୁ ବାହାରି ପଡ଼ିଲା–ଆପଣ ? ଗୋଟାଏ ଯୁଗ ହେବ ତ ଆପଣଙ୍କ ସହିତ ସାକ୍ଷାତ ହୋଇନାହିଁ ? କ’ଣ ଇମିତି କାର୍ଯ୍ୟବ୍ୟସ୍ତ ରହୁଥିଲେ ଯେ ଆମେମାନେ ଆପଣଙ୍କର ମନେ ପଡ଼ୁ ନଥିଲୁ ? ହଉ ହଉ ଆସନ୍ତୁ । କୁଣିଆଁଙ୍କ ପରି ବସିରହିଲେ କାହିଁକି ।

 

ସୁବୋଧବାବୁ କହିଲେ–ଯାଆନ୍ତୁ–ଭିତରକୁ ଯାଆନ୍ତୁ । ମାଳ ସହିତ କ’ଣ କଥାବାର୍ତ୍ତା ହେବେ ପରା ?

 

ସୁବ୍ରତ ଭିତରକୁ ପାଦ ବଢ଼ାଇଲା ।

 

ମାଳବିକାଦେବୀ ସୁବ୍ରତକୁ ନେଇ ତାଙ୍କର ବେଡ଼ରୁମ୍‌ରେ ବସାଇ କହିଲେ–ସାମାନ୍ୟ କପେ ଚାହା କରିଆଣେ ? ଆପଣ ଟିକେ ଅପେକ୍ଷା କରନ୍ତୁ ।

 

–ଚାହାର ଫର୍ମ୍ମାଲିଟି ନକରି ବରଂ ବସି ଦିପଦ କଥା ହେଲେ ଉତ୍ତମ ହୁଅନ୍ତା ।

 

ରୋଷଘରକୁ ଯାଉଯାଉ ମାଳବିକାଦେବୀ କହିଲେ ‘‘ଅଗ୍ନିଶିଖାର ସଂପାଦକଙ୍କୁ ଜଣେ ଅକିଞ୍ଚନା ଅଭିନେତ୍ରୀ କପେ ଚାହା ଦେଇ ଅତିଥି ସତ୍କାର କରିବାର ସୁଯୋଗରୁ ଆପଣ ବଞ୍ଚିତା କଲେ ମୁଁ କହିବି ଏହା ଆପଣଙ୍କର ଅବିଚାର । ଆପଣ ଯାହାକୁ ଫର୍ମାଲିଟି ଭାବୁଛନ୍ତି ସେଥିରେ ମୁଁ ଯେ କେତେ ସନ୍ତୋଷ ପାଇବି ସେ କଥା ଆପଣ ବୁଝିବେ ନାହିଁ ।

 

ମାଳବିକାଦେବୀଙ୍କର କଥାରେ ଆତ୍ମୀୟତାର ସ୍ପର୍ଶ ସୁବ୍ରତ ବେଶ୍‌ ଅନୁଭବ କରିପାରୁଥିଲା । ସେ ଆଉ ଅଧିକ ପ୍ରତିବାଦ କଲାନାହିଁ ।

 

ମାଳବିକାଦେବୀ ଚାଲିଗଲେ ।

 

ଏକାକୀ ବସି ସୁବ୍ରତ ଘରର କାନ୍ଥ ଉପରେ ଦୃଷ୍ଟି ଫରାଉଥିଲା । ବିଭିନ୍ନ ପ୍ରକାର ଫଟୋରେ କାନ୍ଥଗୁଡ଼ିକ ଭରି ଉଠିଛି । ସବୁ ଫଟୋ ଗୁଡ଼ିକରେ ଋଚିର ସ୍ପର୍ଶ ଅଛି ।

 

କିଛିସମୟ ପରେ ମାଳବିକାଦେବୀ ପୁଣି ଫେରିଆସିଲେ । ଗୋଟିଏ ଫ୍ଳେଟରେ କିଛି ବିସ୍କୁଟ, କାଜୁବାଦାମ ଏବଂ ଗ୍ଳାସେ ପାଣି ଟେବୁଲ ଉପରେ ଥୋଇ ଦେଇ ସୁବ୍ରତକୁ ସେତକ ଗ୍ରହଣ କରିବାକୁ ଅନୁରୋଧ କଲେ ।

 

ମାଳବିକାର ସ୍ୱପ୍ନ

–କଳାହାଣ୍ଡିରେ ଦୁର୍ଭିକ୍ଷ, ବଲାଙ୍ଗିରେ ମରୁଡ଼ି ପାଇଁ ଲୋକେ ମୁଠାଏ ଚାଉଳ କିମ୍ୱା ଗଣ୍ଡାଏ ଚୂଡ଼ା ନପାଉଥିବାବେଳେ ଯଦି ମୋ ଭାଗ୍ୟରେ ଏତକ ଜୁଟିଛି ତେବେ ଛାଡ଼ିବା ଉଚିତ୍‌ ନୁହେଁ । ତେବେ–ହସି ହସି ସୁବ୍ରତ ବିସ୍କୁଟ ଦି ଖଣ୍ଡ ପାଟିକୁ ନେଲା ।

 

ଟିକିଏ ହସ । ସେତିକି ବିନିମୟ କରି ମାଳବିକାଦେବୀ ଚାହା ଆଣିବାକୁ ଗଲେ ।

 

ସୁବ୍ରତ ଦେଖୁଥିଲା ବୟସର ଛାପ ମାଳବିକାଦେବୀଙ୍କର ଅଙ୍ଗରେ ଲାଗିଲାଣି । ଚର୍ବି ବଢ଼ିଚାଲିଛି । ବର୍ଷିୟସୀ ମହିଳାପରି ଦିଶିଲେଣି ସେ ଏଣିକି ।

 

ଚାହାଆଣି ସୁବ୍ରତ ହାତକୁ ବଢ଼ାଇଦେଇ ନିଜେ କପେ ଚାହା ଧରି ମାଳବିକାଦେବୀ କହିଲେ–ହଠାତ୍‌ ଆପଣଙ୍କର ଦର୍ଶନ ଲାଭରେ ମୁଁ ଭାଗ୍ୟ ବା ଭଗବାନ୍‌ କାହା ନିକଟରେ କୃତଜ୍ଞ ହେବି କୁହନ୍ତୁତ ଦେଖି ।

 

-ଭାଗ୍ୟ କିମ୍ୱା ଭଗବାନ୍‌ କାହା ନିକଟରେ କୃତଜ୍ଞ ନହୋଇ ବରଂ ନିଜର କଳା ନିକଟରେ କୃତଜ୍ଞ ହୁଅନ୍ତୁ ।

 

ମାନେ ?

 

–ଆପଣଙ୍କ ପରି ଜଣେ ଯଶସ୍ୱୀ କଳାକାର ମଞ୍ଚଜଗତରୁ ବହୁଦିନ ଧରି ଅନୁପସ୍ଥିତ ରହିବାରେ ସାରା ଓଡ଼ିଶାରେ ଯେଉଁ ଆତଙ୍କ ଖେଳିଯାଇଛି ସେଥିରେ ବିଚାରା ନିରାଶ୍ରୟ ସମ୍ପାଦକର ଆପଣଙ୍କର ଦର୍ଶନପ୍ରାର୍ଥୀ ନ ହୋଇ ବା ଅନ୍ୟ ଉପାୟ କ’ଣ ଥିଲା ?

 

ହସି ଉଠିଲେ ମାଳବିକାଦେବୀ ।

 

–କେବେଠାରୁ ନିରାଶ୍ରୟ ହେଲେ ଶୁଣେ ?

 

–ମା’ଙ୍କର କୋଳ ଛାଡ଼ି ଯେଉଁଦିନୁ କଟକ ମାଟିରେ ପାଦଦେଲିଣି ଠିକ୍‌ ସେହିଦିନଠାରୁ-

 

–ନୂତନ ଆଶ୍ରୟ କେବେ ଖୋଜିଛନ୍ତି କି ?

 

–ନୂତନ ଆଶ୍ରୟ ? –ପ୍ରାଶ୍ନିକ ଦୃଷ୍ଟିରେ ମାଳବିକାଦେବୀଙ୍କୁ ଚାହିଲା ସୁବ୍ରତ ।

 

–ଏତିକି ବୁଝି ପାରିଲେ ନି ? ମନୁଷ୍ୟର ସର୍ବଦା କୌଣସି ନା କୌଣସି ଏକ ଅବଲମ୍ୱନ ବା ଆଶ୍ରୟ ଲୋଡ଼ା । ଆପଣ ଯେତେବେଳେ ପୁରାତନ ଆଶ୍ରୟ ମା’ଙ୍କ କୋଳ ଛାଡ଼ି ନିରାଶ୍ରୟ ହୋଇ ପଡ଼ିଛନ୍ତି ସେତେବେଳେ ନୂତନ ଆଶ୍ରୟର ଅନ୍ୱେଷଣ ତ ଆପଣଙ୍କର ଲୋଡ଼ା ?

 

–ହଁ ଲୋଡ଼ା ନିଶ୍ଚୟ, କିନ୍ତୁ ଖୋଜିଲେ କ’ଣ ମିଳିବ ?

 

–ମୋର ବିଶ୍ୱାସ, ପ୍ରକୃତ ମନଦେଇ ଖୋଜିଲେ ଆପଣଙ୍କୁ ଆଶ୍ରୟର କେବେ ଅଭାବ ରହିବନି !

 

–ଏଇ ମନ ଯାହା ଚାହେଁ ତା ଯଦି ସଦାବେଳେ ମିଳୁଥାନ୍ତା ତାହାହେଲେ ଦୁଃଖ, ଯନ୍ତ୍ରଣା ଆଉ ଅଶାନ୍ତି ଏଇ ତିନିଟା ଶବ୍ଦ ପୃଥିବୀର ସମସ୍ତ ଭାଷାର ଅଭିଧାନରୁ ହୁଏତ ଉଠିଯାଇଥାନ୍ତା !

 

ସୁବ୍ରତର ଏ ପ୍ରକାର ଇଙ୍ଗୀତପୂର୍ଣ୍ଣ ଉତ୍ତରରେ ମାଳବିକାଦେବୀ କିଛି ସମୟ ପାଇଁ ନୀରବ ହୋଇ ଉଠିଲେ ।

 

ମାଳବିକାଦେବୀଙ୍କର ନୀରବତାରେ ସାମାନ୍ୟ ଅପ୍ରତିଭ ହୋଇ ଉଠି କଥାର ଧାରା ବଦଳାଇଲା ସୁବ୍ରତ । –ଦୁନିଆଁରେ ବହୁଲୋକ ଶାନ୍ତି ସୁଖରେ ଥିଲାବେଳେ ଯଦି ମୋ ପରି ଜଣେ ନିରାଶ୍ରୟ ଫୁଟ୍‌ପାଥରେ ଘୂରି ବୁଲିଲା; ନାଳପାଣି ପିଇ, ଆଓ୍ୱାରା ସାଜିଲା ତେବେ ସେଥିରେ କ’ଣ ବୈଚିତ୍ର୍ୟ ନାହିଁ !

 

–ଆତ୍ମସନ୍ତୋଷ ପାଇଁ ବୈଚିତ୍ର୍ୟର ଦ୍ୱାହି ଦେବା ଅପେକ୍ଷା ଉଦ୍‌ଯୋଗୀ ପୁରୁଷ ହୋଇ ଲକ୍ଷ୍ମୀ ପାଇବାପାଇଁ ଚେଷ୍ଟା କରିବା ଉଚିତ୍‌ ବୋଲି ମହାଜନମାନଙ୍କର ମତ ।–ହସି ହସି ମାଳବିକାଦେବୀ କହିଲେ ।

 

–ମୁଁ ଯଦି କହିବି ସେ ଉଦ୍‌ଯୋଗଟା ପୁରୁଷ ଏକଚାଟିଆ ନ ହୋଇ ଆପଣଙ୍କର ହେଲେ କ୍ଷତିକଣ ? ମଳିମୁଣ୍ଡିଆ ଲୋକ ମୁଁ । ମୋର ଏତେ ପଢ଼ାନାହିଁ ଯେ ବହୁ ଶାସ୍ତ୍ର ଅଧ୍ୟ୍ୟୟନ କରି ମୁନିଋଷିଙ୍କର ଅମୂଲ୍ୟ ପଂକ୍ତିକୁ ଉଦ୍ଧାର କରି ପାରିବି ! ତେବେ ଏତିକି କହି ପାରିବି ଯେ–‘‘କହି ଦେଉଥାଏ ପରକୁ କିନ୍ତୁ ବୁଦ୍ଧ ନ ଦିଶଇ ଘରକୁ’’–ସୁବ୍ରତ ମଧ୍ୟ ମାଳବିକାଦେବୀଙ୍କ ହସର ବଦଳ ସମର୍ଥନରେ ହସିଦେଲା ।

ସୁବ୍ରତ ମୁହଁରେ ହସରୁ ଚେନାଏ ଲାଗି ରହିଛି ।

ଅଗ୍ନିଶିଖାରୁ ସଂପାଦକ, ଉତ୍କଳ ବିଶ୍ୱବିଦ୍ୟାଳୟର ଉଜ୍ଜ୍ୱଳ ଜ୍ୟୋତିଷ୍କ, ଲୁପ୍ତ ଜମିଦାରୀ ବଂଶର ପ୍ରତିନିଧି ସୁବ୍ରତ ରାଉତରାୟ ମୁହଁରେ ହସ ଲାଗି ରହିଛି । ଆଃ ! କି ସୁନ୍ଦର ଦିଶୁଛି !

–ମୁଗ୍‌ଧା-ହରିଣୀର ଡୋଳା ଖେଳାଇ ମାଳବିକାଦେବୀ ସୁବ୍ରତର ହସଲଖା ସତେଜ ମୁହଁଟିକୁ କେବଳ ଦେଖୁଥିଲେ । ପରିପୂର୍ଣ୍ଣ ଚାହାଣୀରେ ଦେଖୁଥିଲେ । ଦେଖି ଦେଖି ନିଜ ଭିତରେ ବିସ୍ମୃତ ହୋଇ ଉଠୁଥିଲେ ସେ ।

ଚାହା ପିଇସାରି କପ୍‌ଟା ଟେବୁଲ ଉପରେ ଥୋଇଦେଇ ସୁବ୍ରତ ପୁଣି ଆରମ୍ଭ କଲା–ଆଚ୍ଛା ମାଳବିକାଦେବୀ; ମୋ ସମ୍ୱାଦପତ୍ରର ଅଗଣିତ ପାଠକ-ପାଠିକା ଆପଣଙ୍କର ଆଜିକାଲି କୌଣସି ସାଂସ୍କୃତିକ ଅନୁଷ୍ଠାନରେ ଯୋଗ ନ ଦେବା ସମ୍ପର୍କରେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ତା’ର କି ଉତ୍ତର ଦେବି କୁହନ୍ତୁତ ଦେଖି !

ସଂବିତ୍‌ ଫେରି ପାଇଲେ ମାଳବିକାଦେବୀ । ନିଜେ ପ୍ରକୃତସ୍ଥା ହେବାକୁ ଚେଷ୍ଟାକଲେ । ବର୍ତ୍ତମାନ ବାସ୍ତବ ପରିସ୍ଥିତି ଉପରେ ସୁବ୍ରତ ବାବୁ ଆଲୋଚନା ଆରମ୍ଭ କରିଦେଲେଣି । ସବୁ ପ୍ରଶ୍ନର ଉତ୍ତର ସତର୍କତାର ସହିତ ଦେବାକୁ ହେବ !

ସଜାଡ଼ି ହୋଇ ବସିଲେ ମାଳବିକାଦେବୀ ।

 

–ପାଠକମାନଙ୍କର ପ୍ରଶ୍ନ ସାଧାରଣତଃ ସଂପାଦକଙ୍କ ପାଇଁ ଉଦ୍ଦିଷ୍ଟ; ଏବଂ ମୋର ଯେପରି ମନେହୁଏ ସଂପାଦକ ହିଁ ସେ ସବୁର ଉତ୍ତର ପାଇଁ ଦାୟୀ ।

 

–କିନ୍ତୁ ପ୍ରଶ୍ନଟା ଯେଉଁଠି କୌଣସି ବ୍ୟକ୍ତି ପ୍ରତି ଉଦ୍ଦିଷ୍ଟ ଥାଏ ଏବଂ ସଂପାଦକ ସେ ବ୍ୟକ୍ତି ବିଶେଷଙ୍କର କାର୍ଯ୍ୟ ପ୍ରତି ଅବହିତ ନଥାଆନ୍ତି ତେବେ ସେଠାରେ ପାଠକମାନଙ୍କର ପ୍ରଶ୍ନକୁ ସଂପାଦକ ନେଇ ଉଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ପାଖରେ ବାଢ଼ିବା ପାଇଁ ବାଧ୍ୟ ହୁଅନ୍ତି ଓ ସେ ବ୍ୟକ୍ତିବିଶେଷଙ୍କଠାରୁ ଉତ୍ତର ଆଶା କରନ୍ତି ! ନୁହେଁ କି ?

 

ମାଳବିକାଦେବୀ ଭାବୁଥିଲେ ପାଠ ପଢ଼ିବା ସମୟରେ ସୁବ୍ରତ ବାବୁ ଯାହା ଥିଲେ ବର୍ତ୍ତମାନ ଜୀବନର ବାସ୍ତବ କ୍ଷେତ୍ରକୁ ଆସି ମଧ୍ୟ ସେଥିରେ କୌଣସି ପରିବର୍ତ୍ତନ ନାହିଁ ।

 

ମାଳବିକାଦେବୀଙ୍କ ଭାବନାରେ ବାଧା ଆଣି ପୁଣି ତୁଣ୍ଡ ଖୋଲିଲା ସୁବ୍ରତ–ଆପଣ କାହିଁକି କେତେଦିନଧରି କୌଣସି ମଞ୍ଚରେ କିମ୍ୱା ଚଳଚିତ୍ରରେ ଅଂଶଗ୍ରହଣ କରୁନାହାନ୍ତି ?

 

–କୌଣସି ସାଂସ୍କୃତିକ ଅନୁଷ୍ଠାନରେ ଯୋଗଦେବାଟା ମୋର ସଂପୂର୍ଣ୍ଣ ଇଚ୍ଛାଧୀନ ଓ ବ୍ୟକ୍ତିଗତ । ପାଠକମାନଙ୍କର ତେଣୁ ଏଥିପାଇଁ ମୁଣ୍ଡ ଖେଳାଇବା ଆଦୌ ଉଚିତ ନୁହେଁ ।

 

–ଉଚିତ ଅନୁଚିତ ଆପଣ ବୁଝି ପାରିବେନି ମାଳବିକାଦେବୀ । ପ୍ରତିଭାଟା ଆପଣଙ୍କର ନିଜସ୍ୱ ନିଶ୍ଚୟ କିନ୍ତୁ କଳାକାର ଯେତେବେଳେ ନିଜ ପ୍ରତିଭାବଳରେ ପ୍ରତିଷ୍ଠିତ ହୋଇଯାଏ ସେତେବେଳେ ତା କଥା ଦେଶବାସୀ ଭାବି ବସିବାରେ କୌଣସି ବୈଚିତ୍ର୍ୟ ନାହିଁ ?

 

–ଆପଣଙ୍କର ଦେଶବାସୀ କଳାକାର ପାଇଁ କେବଳ ଭାବନ୍ତି ନା ତା’ର ବଞ୍ଚିବା ପାଇଁ କିଛି ବ୍ୟବସ୍ଥା କରନ୍ତି ?

 

–ଆପଣଙ୍କର ଏ ପ୍ରକାର ମନ୍ତବ୍ୟର ମୁଁ କୌଣସି ଅର୍ଥ ଖୋଜି ପାଉନାହିଁ । କଳାକାର ଦେଶପାଇଁ କ’ଣ କରନ୍ତି ମୁଁ ବୁଝି ପାରିନାହିଁ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ନ ଥାଇ ନିଃସ୍ୱାର୍ଥ ଭାବରେ ବୋଧହୁଏ ସେମାନେ କୌଣସି କାର୍ଯ୍ୟ କରନ୍ତି ନାହିଁ । ଟିକେଟ କାଟି ଦେଶବାସୀ ଆପଣଙ୍କର ଲଳିତ କଳାକୁ ଉପଭୋଗ କରନ୍ତି । ଏହାଦ୍ୱାରା ସେମାନେ କ’ଣ ଏକ ପ୍ରକାର ଦାନ ଆପଣଙ୍କ କଳା ପ୍ରତି କରୁନାହାଁନ୍ତି ?

 

–ଆପଣଙ୍କ ମତ ଅନୁସାରେ କଳାକାର ଯଦି ଶ୍ରମିକ ଶ୍ରେଣୀଭୁକ୍ତ ହୁଏ ତେବେ ଜଣେ ମୂଲିଆ ପାଇଁ ଦେଶବାସୀଙ୍କର ଏତେ ଦରଦ କାହିଁକି ?

 

–ଅଭିଜାତସଂପନ୍ନା କଳାକାର ହିସାବରେ ଆପଣ ସେ ଶ୍ରେଣୀଭୁକ୍ତ ନହୋଇ ପାରନ୍ତି, କିନ୍ତୁ ଅଧିକାଂଶ ପେଷାଦାର ମଞ୍ଚର ଶିଳ୍ପୀମାନଙ୍କୁ ଏକ ପ୍ରକାର ଶ୍ରମିକ କହିଲେ କୌଣସି ଅତ୍ୟୁକ୍ତି ହେବନାହିଁ ।

 

ଆଦର୍ଶ ଆଉ ବାସ୍ତବ ଭିତରେ ଥିବା ତଫାତ୍‌ଟାକୁ ମାଳବିକାଦେବୀ ସୁବ୍ରତ ବାବୁଙ୍କର କଥାରୁ ଦେଖୁଥିଲେ ।

 

ସୁବ୍ରତର ଅନୁରୋଧରେ ମଞ୍ଚ ଉପରୁ ତାଙ୍କର ଅନୁପସ୍ଥିତିର କାରଣ ଦର୍ଶାଇବାକୁ ଯାଇ ମାଳବିକାଦେବୀ ସେ ଦୁର୍ଦ୍ଦିନର କାହାଣୀ ବର୍ଣ୍ଣନା କଲେ । ଧନଞ୍ଜୟର ଅଶ୍ଳୀଳ ବ୍ୟବହାରରେ ସେ କିପରି ମର୍ମାହତ ଓ ଅପମାନିତ ହେଲେ ବର୍ଣ୍ଣନା କରୁ କରୁ ଆଖି ତାଙ୍କର ଲୁହରେ ଛଳ ଛଳ ହୋଇ ଉଠିଲା । ସେ କହିଲେ–ସେଦିନ ନାଟକଟି ମଞ୍ଚସ୍ଥ ହୋଇ ପାରି ନ ଥିବାରୁ ସମ୍ପାଦକ ମହାଶୟ ବାପାଙ୍କ ପ୍ରତି କେତେକ ଆପତ୍ତିଜନକ କଟୁ ମନ୍ତବ୍ୟ କଲେ ଯହିଁରେ ଏ ବୁଢ଼ା ବୟସରେ ବାପା ଏକ ପ୍ରକାର ଭାଙ୍ଗି ପଡ଼ିଛନ୍ତି । ତାଙ୍କର ଏକାଜିଦ୍‌ ମୁଁ ଆଉ ଯାହା କରେ ପଛେ କିନ୍ତୁ ଅଭିନୟ କରିବି ନାହିଁ । କାରଣ ଅଭିନୟ କଲେ ନିଜର ପ୍ରତିଷ୍ଠା ବଢ଼େନି; ବରଂ ଅଭିନେତ୍ରୀର ବଂଶପରମ୍ପରା ବିପକ୍ଷରେ ବହୁ ଅଶ୍ଳୀଳ ମନ୍ତବ୍ୟ ଶୁଣିବାକୁ ହୁଏ । ଓଡ଼ିଶା ଆମର ସେତେ ଉନ୍ନତ ହୋଇନାହିଁ କିମ୍ୱା ଓଡ଼ିଶାର ନାଗରୀକମାନଙ୍କର ମନ ସେତେ ମାର୍ଜ୍ଜିତ ନୁହେଁ ଯେ ଅଭିନେତ୍ରୀକୁ ଉପଯୁକ୍ତ ସମ୍ମାନ ସେମାନେ ଦେବେ ! ଆମେ କଳାକାରମାନେ ପାରିଶ୍ରମିକ ପାଇଁ ଚୁକ୍ତି କରିସାରିବା ପରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆମକୁ କିଣିନେଲେ ବୋଲି ଭାବି ବସନ୍ତି । ସେମାନେ ଆମ ଉପରେ ଯଥେଷ୍ଟ ଅଦଉତି ଆରମ୍ଭ କଲେସୁଦ୍ଧା ଆମେମାନେ ଆପତ୍ତିବି କରିପାରିବୁ ନାହିଁ । ସେମାନେ ଭାବନ୍ତି ସତେଅବା ତାଙ୍କର ମନର ଭୋକ ମେଣ୍ଟାଇବା ପାଇଁ ବାରବନିତାଟିଏ ପାଇଗଲେ ! ଏହିପରି ବହୁ ଅନୁଷ୍ଠାନରେ ଯୋଗଦେଇ ମୁଁ ଗୋଟିଏ ଶବ ସାଜିଛି ଏବଂ ମୋ ଚାରି ପାଖରେ ବହୁ ଶାର୍ଦ୍ଦୁଳ ମୋର ମାଂସ ଆଶାରେ ଜିଭକୁ ଓଠରେ ମାରି ଚାହିଁ ବସିଥିବାର ଲକ୍ଷ୍ୟ କରିଛି । ପିଲାଦିନୁ ମାଆଙ୍କୁ ଖାଇଛି । ମାଆର ସ୍ନେହ ଦେଇ ବାପା ମୋତେ ଗଢ଼ିଲେ ସିନା କିନ୍ତୁ ପ୍ରକୃତ ଶାସନ କରି ପାରିଲେ ନାହିଁ । ସେ ମୋତେ ଆରମ୍ଭରୁ ସ୍ୱାଧୀନତା ଦେଇଛନ୍ତି । ମୋ ମନ ମୁତାବକ ମୋତେ ଗଢ଼ିଛନ୍ତି । କୌଣସି କାର୍ଯ୍ୟରେ ମୋତେ ବାଧା ଦେଇ ନାହାନ୍ତି । ବୋଧହୁଏ ବର୍ତ୍ତମାନ ତାଙ୍କର ଏକ କୃତକର୍ମ୍ମ ପାଇଁ ସେ ଅନୁତାପ କରୁଛନ୍ତି ! ମନେ ମନେ ଭାବୁଥିବେ ମୁଁ ତାଙ୍କର ପୁଅ ନୁହେଁ ଝିଅ–ଆଉ ଝିଅ ପିଲାମାନଙ୍କୁ ଏତେଟା ସ୍ୱାଧୀନତା ଦେବା କେଡ଼େ ନିର୍ବୋଧତା !–ଏକ ନିଃଶ୍ୱାସରେ ମାଳବିକାଦେବୀ ଏତକ କହିଗଲେ ।

 

ବହୁ ଦିନରୁ ସଞ୍ଚିତ ହୋଇ ରହିଥିବା ତାଙ୍କର ପୁଞ୍ଜିଭୂତ ବେଦନା ଯେପରି ଫୁତ୍କାର ମାରି ବାହାରକୁ ବାହାରି ପଡ଼ିବାକୁ ଚାହୁଁଥିଲା !

 

ଦୁର୍ଘଟଣାର ଏକ ଦୀର୍ଘ ବକ୍ତୃତାକୁ ଖୁବ୍‌ ସଂକ୍ଷିପ୍ତରେ ମାଳବିକାଦେବୀ ବର୍ଣ୍ଣନା କରିଗଲେ-। ନୀରବ ଶ୍ରୋତା ସାଜି ସୁବ୍ରତ ସବୁ ଶୁଣୁଥିଲା । ମାଳବିକାଦେବୀଙ୍କର ସମାଜ ପ୍ରତି ଅଭିଯୋଗ, ଦେଶବାସୀଙ୍କ ପ୍ରତି ଅବିଶ୍ୱାସ, ଆଉ ପରିବାରରେ ସେ ପୁଅ ନହୋଇ ଝିଅ ହେବାର ଆତ୍ମଗ୍ଳାନି ସବୁ ଚୁମ୍ୱକରେ ସେ କହିଗଲେ ।

 

ନିଷ୍ଠୁର, ନିର୍ମ୍ମମ ତାଙ୍କର ଅଭିଯୋଗ !

 

ସବୁ ଶୁଣି ସାରିବାପରେ ସୁବ୍ରତ କହିଲା–ସହିଷ୍ଣୁତା ନାରୀର ଭୂଷଣ । ପ୍ରତି ପୁରୁଷ ଅସହିଷ୍ଣୁ, ଅଧୈର୍ଯ୍ୟ ହୁଏ ବୋଲି ନାରୀକୁ ସର୍ବଂସହା କୁହେ । ଧରିତ୍ରୀ ପରି ସବୁ ସହି ନାରୀ......

 

–ଜନନୀ ହୁଏ; ଏଇଆ ତ କହିବେ ? ସୁବ୍ରତ ପାଟିରୁ କଥା ଛଡ଼ାଇ ନେଇ ମାଳବିକାଦେବୀ କହିଲେ–ଏହିପରି ଗୁଡ଼ାଏ ଆଦର୍ଶର ପଦାବଳୀ ଥାଇ ପୁରାଣ ପଢ଼ିଲେ ସାମୟିକ ମନକୁ ସୁଖଦେବ ସିନା କିନ୍ତୁ ବାସ୍ତବ ସଂଘର୍ଷରେ ଜର୍ଜ୍ଜରିତ ଗୋଟାଏ କ୍ଳାନ୍ତ ପ୍ରାଣକୁ କ’ଣ ଶୀତଳତାର ପ୍ରଲେପ ଦେଇ ପାରିବ ?

 

ସୁବ୍ରତ ମ୍ଳାନ ହସ ହସିଲା ।

 

ମାଳବିକାଦେବୀ କିନ୍ତୁ ଏପ୍ରକାର ଅହେତୁକ ହସର ଅର୍ଥ କିଛି ବୁଝିପାରିଲେ ନାହିଁ । ତାଙ୍କ ଜୀବନର ଏହିଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ହୁଏତ ସୁବ୍ରତଠାରୁ ସେ ସମବେଦନା ଆଶା କରିଥିଲେ । ତାଙ୍କର ହିତାକାଂକ୍ଷୀ ରୂପେ ସେ ଅନ୍ତତଃ ତାଙ୍କ ସହିତ ତାଳଦେଇ ସମାଜ ପ୍ରତି ଅଭିଯୋଗ ବାଢ଼ିଥାନ୍ତା ! ହେଲେ ସୁବ୍ରତ ତାଙ୍କୁ ନିରାଶ କରିଛି ଦେଖି ସେ ମନେମନେ ଦୁଃଖିତ ହେଲେ । ତାଙ୍କ ଜୀବନର ଏଡ଼େ ବଡ଼ ଗୁରୁତର ଘଟଣାରେ ସୁବ୍ରତ କିପରି ଆଦୌ ଗୁରୁତ୍ୱ ଆରୋପ କରି ନପାରିଲେ !!

 

ମାଳବିକାଦେବୀଙ୍କ ମୁହଁକୁ ଚାହିଁ ସୁବ୍ରତ ଖୁବ୍‌ ଜୋର୍‌ରେ ହସି ଉଠିଲା । ହସୁ ହସୁ କହିଲା–ଏଇଥିପାଇଁ କହନ୍ତି ଅବଳା ଦୁର୍ବଳା ।

 

ମାନେ ? କ୍ରୋଧ ଓ ଅଭିମାନରେ ଜର୍ଜରିତା ଏକ ଆହତ କୁରଙ୍ଗୀ ଠାଣୀରେ ମାଳବିକାଦେବୀ ପ୍ରଶ୍ନକଲେ ।

 

ଅବିଚଳିତ ଭାବରେ ସୁବ୍ରତ କହିଲା–ଏ ସମାଜ ପାଖରେ ଅଭିଯୋଗ କରି କିଛି ଲାଭ ଅଛି ? ସମାଜରେ ବଞ୍ଚିବାକୁ ହେଲେ ନିଜର ସ୍ଥିତି ପାଇଁ ନିଜକୁ ସଂଗ୍ରାମ କରିବାକୁ ହେବ ! ଯେଉଁମାନେ ବିପ୍ଳବକରି ପାରନ୍ତି ନାହିଁ, ଯେଉଁମାନଙ୍କର ପ୍ରତିଶୋଧ ନେବାର ମନୋବୃତ୍ତି ନଥାଏ ସେମାନେ ଅଭିଯୋଗକରି ବସନ୍ତି; ଅନ୍ୟଠାରୁ ନ୍ୟାୟପାଇବା ପାଇ ହାତ ପାତନ୍ତି ! ସମାଜର ଅତ୍ୟାଚାରରେ ତୁମେ ନିର୍ଯ୍ୟାତିତା ହୋଇ ପଳାୟନର ପନ୍ଥା ଧରି ଏ ଅଭିଯୋଗ ପୁଣି ସମାଜ ନିକଟରେ କରିବା ପାଇଁ ଆମର ଏ ଅବ୍ୟବସ୍ଥିତ ସମାଜର କ’ଣ ସାମର୍ଥ୍ୟ ଅଛି ?

 

ସମସ୍ତ ଅଭିମାନ ସଙ୍ଗେ ସଙ୍ଗେ ମାଳବିକାଦେବୀଙ୍କ ମନରୁ ଅପସରି ଗଲା । ମୁହଁର ମସୃଣ-ଶୁଭ୍ର ତ୍ୱକ୍‌ ଉପରେ ଆନନ୍ଦର ରେଖା ଫୁଟି ଉଠିଲା । ହୁଏତ ସଂସାରରୂପୀ ଜଟିଳ ବୀଜଗଣିତର ଏକ ଅମୀମାଂସିତ ଅଙ୍କର ସମାଧାନ ସୁତ୍ର ସେ ହଠାତ୍‌ ପାଇଗଲେ ।

 

ସୁବ୍ରତ କହି ଚାଲିଥାଏ–ଧନଞ୍ଜୟ ତୁମ ନିକଟରେ ଖରାପ ହୋଇପାରେ; ତା’ର ଚରିତ୍ରର ସ୍ଫଳନ ତୁମ ଆଖିରେ ଧରା ପଡ଼ିଯାଇ ପାରିଥାଏ; କିନ୍ତୁ ସେଦିନର ଅନୁଷ୍ଠାନରେ ସେ ଥିଲା ବରଣୀୟ ଅତିଥି ! ତା’ର ଦାନକୁ ଗୋଟିଏ ଶିଶୁଅନୁଷ୍ଠାନ ହାତ ପାତି ଚାହିଁ ରହିଥିଲା ! ତା’ର ଆନନ୍ଦ ପାଇଁ, ତା’ର ସନ୍ତୁଷ୍ଟି ପାଇଁ ସେଦିନ ନାଟକର ଆୟୋଜନ ହୋଇଥିଲା ! ସେମାନେ ତୁମକୁ ଡାକି ନେଇଥିଲେ । ନାଟକରେ ଅଂଶଗ୍ରହଣ କରିବାର ଉଚିତ ପାରିଶ୍ରମିକ ବି ସେମାନେ ତୁମକୁ ଦେଇଥିଲେ । ହେଲେ ଗୋଟାଏ ଖିଆଲର ବଶବର୍ତ୍ତୀ ହୋଇ ଯେ ନିଜର କର୍ତ୍ତବ୍ୟ କରିବାରେ ତୃଟିକରେ ତାକୁ ଯେଉଁ ଭଳି ଅନୁତାପ କରିବାକୁ ହୁଏ, ଆଜି ସେଇଭଳି ଅନୁତାପର ଅଗ୍ନିରେ ତୁମେ ତିଳ ତିଳ ହୋଇ ପୋଡ଼ି ମରୁଛ ! ଧନଞ୍ଜୟର କିଛି କ୍ଷତି ହୋଇଛି କି ? ଯେଉଁ ଘଟଣାକୁ ତୁମେ ଗୁରୁତର ବୋଲି ଭାବି ହେଉଛ ହୁଏତ ସେଇ ଦୁର୍ଘଟଣାକୁ ସେ ତା’ର କାର୍‌ର ଷ୍ଟାର୍ଟ ଦେବା ସଙ୍ଗେ ସଙ୍ଗେ ଭୁଲି ଯାଇଥିବ ! ତୁମେ ମଧ୍ୟ ସେଦିନ ନାଟକରେ ଅଂଶ ଗ୍ରହଣ କରିଥିଲେ ତୁମର କଳାକାର ଜୀବନରେ ଯେତିକି ପୂର୍ଣ୍ଣତା ଆସି ପାରିଥାନ୍ତା, ଅଭିମାନକରି ଅଂଶଗ୍ରହଣ ନକରି ସେତକ କ’ଣ ପାଇପାରିଲ ! ତୁମେ ଦୁର୍ଗାଙ୍କପରି ଶକ୍ତିମୟୀ ହୁଅ ! ସମାଜରେ ଧନଞ୍ଜୟ ଭଳି ବହୁ ମହିଷାସୁର ଜନ୍ମଲାଭ କରିଛନ୍ତି; ଯେଉଁମାନେକି ନାରୀକୁ ଜନନୀ ରୂପେ ନଦେଖି ସମ୍ଭୋଗ ସାମଗ୍ରୀ ରୂପେ ଦେଖି ଆସିଛନ୍ତି । ସେମାନଙ୍କର ଧ୍ୱଂସ ପାଇଁ ତୁମକୁ ଶୂଳଧାରଣ କରିବାକୁ ହେବ ! ମହିଷାମର୍ଦ୍ଦିନୀ ରୂପେ ଦୁନିଆଁର ରଙ୍ଗମଞ୍ଚରେ ଅବତୀର୍ଣ୍ଣା ହେବାକୁ ହେବ ! ପୁରାଣରେ ପଢ଼ିଥିବ ଯେଉଁଠି ଦୁଷ୍ଟଦାନବମାନଙ୍କର ଉତ୍ପାତରେ ମହୀରେ ଅଶାନ୍ତିର ଦାବାଗ୍ନି ଜଳି ଉଠିଛି ସେହିଠାରେ ନାରୀ ତା’ର ପ୍ରଧାନ ଭୂମିକା ବାଛି ନେଇଛି । ସେଇ କେବଳ ତା’ର ରୂପବଳରେ କୁହ, ଗୁଣ ବଳରେ କୁହ କିମ୍ୱା ଶକ୍ତି ବଳରେ କୁହ, ବୀର୍ଯ୍ୟବାନ ପୁରୁଷକୁ ନିଷ୍କ୍ରିୟ କରି ପାରିଛି ! ତା’ର କାର୍ଯ୍ୟର ଶିଥିଳତା ଆଣି ଦେଇଛି ! ଆଖିରେ ରୂପର ମାୟା ସୃଷ୍ଟି କରି, ମନରେ ସମ୍ଭୋଗର ସ୍ୱପ୍ନ ଜଗାଇ ଯେତେବେଳେ ନାରୀ, ପୁରୁଷ ଭିତରର ଦୈତ୍ୟକୁ ଧ୍ୱଂସ କରିବାକୁ ଅଗ୍ରସର ହୁଏ, ସେତେବେଳେ ସେ ଅବତୀର୍ଣ୍ଣା ହୁଏ ଦୁର୍ଗା ରୂପରେ । ଯାନୁଯୌବନର ସ୍ପର୍ଶ ତ ଦୁଷ୍ଟମାନେ ପାଇପାରନ୍ତି ନାହିଁ ବରଂ ସେଇ ଦୁଃସାହସ ପାଇଁ ଶେଷରେ ପ୍ରାଣ ବିସର୍ଜନ କରନ୍ତି !

 

ତୁମେ ସେଇ ନାରୀ । ସେଇ ଆଦ୍ୟାଶକ୍ତିର ଅଂଶସମ୍ଭୁତା । ମୋର ଆଶା ଓ ବିଶ୍ୱାସ ତୁମେ କେବଳହିଁ ଧନଞ୍ଜୟଭଳି କେତେଟା ଦୁଷ୍ଟ ଦାନବଙ୍କୁ ତୁମର ଶାଣିତ ତରବାରୀ ସାହାଯ୍ୟରେ ସଂହାର କରିପାରିବ । –ଉତ୍ତେଜିତ ସୁବ୍ରତ ଏତିକିକହି ନିଃଶ୍ୱାସ ମାରିଲା । ସତେ ଅବା ଗୋଟାଏ ସଭାରେ ସେ ଜ୍ୱାଳାମୟୀ ଭାଷଣ ଦେଉଥିଲା ।

 

ମାଳବିକାଦେବୀ ସୁବ୍ରତ କଥାର ପ୍ରତିପଦକୁ ପରୀକ୍ଷା କରି ଦେଖୁଥିଲେ । ପ୍ରତି ପଦରେ ଯେପରି ଗଭୀର ବାସ୍ତବତା ଭରି ରହିଛି ! ସେ ଯେପରି କହୁଛନ୍ତି; ଉଠ–ଜାଗ୍ରତ ହୁଅ-ଆଗେଇ ଚାଲ–ନିଷ୍କ୍ରିୟ ହୋଇ ବସି ରହିଲେ ତୁମେ ପଛେଇ ଯିବ ! ଦୁନିଆଁ ତୁମକୁ ଛାଡ଼ି ଆଗେଇଯିବ ! ଦୁନିଆଁ ସଙ୍ଗେ ପାଦ ମିଳାଇ ଚାଲିବାକୁ ହେଲେ ନିଜକୁ ସେପରି ଭାବରେ ଗଢ଼ି ନେବାକୁ ପଡ଼ିବ !

 

ରାତ୍ରି ଆଗେଇ ଚାଲିଛି । ହାତ ଘଣ୍ଟାକୁ ସୁବ୍ରତ ଚାହିଁଲା । ଘଣ୍ଟା କଣ୍ଟା ନଅଟା ଟପିଗଲାଣି । ଯିବା ପାଇଁ ପ୍ରସ୍ତୁତ ହେଲା ସେ ।

 

–ମୋ କଥା ଶୁଣି କ’ଣ ନିଷ୍ପତ୍ତି ଗ୍ରହଣ କଲ ? ସଂଗ୍ରାମରେ ଆୟୁଧ ଧରିବ ନାଁ ରଥ ଫେରାଇ, ଆତ୍ମସମର୍ପଣକରି, ପରାଜିତ ସୈନିକର ଗ୍ଳାନି ନେଇ ବଞ୍ଚିରହିବ ?

 

ମାଳବିକାଦେବୀଙ୍କର ଅଧର–ଦଳ କମ୍ପି ଉଠିଲା । ଆନତ ଆନନ ସାମାନ୍ୟ ଉର୍ଦ୍ଧ୍ୱକୁ ତୋଳି ଦୃଢ଼ କଣ୍ଠରେ କହିଲେ–ମୁଁ ମୋର ନିଷ୍ପତ୍ତିରେ ଅଟଳ ରହିବି ! କଳା ନାମରେ କଳଙ୍କ ବୋଳିବାକୁ ଦେବି ନାହିଁ ! ମୋତେ ପୁଣି ରଙ୍ଗମଞ୍ଚ ଉପରେ ଅଭିନୟ କରିବାକୁ ହେବ ! ଏ ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ ! ଯେଉଁ ଆଶାନେଇ ଆପଣ ମୋତେ ଆଜି ଜାଗ୍ରତ କରି ଦେଇଗଲେ, ସେ ଭରସା ମୋ ଉପରେ ସବୁଦିନ ରଖିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି !

 

–ଧନ୍ୟବାଦ୍‌ । ଯାହାହେଉ ପାର୍ବତୀଙ୍କର ତପସ୍ୟା ଭାଙ୍ଗି ପାରିଥିବାରୁ ଆଜିର ଘଟଣା ମୋ ମନ ଡାଏରୀରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ ।

 

–ଶିବଙ୍କ ବ୍ୟତୀତ ପାର୍ବତୀଙ୍କ ତପସ୍ୟା ଭାଙ୍ଗିବାକୁ ଦୁନିଆଁରେ ଆଉ କାହାର ଶକ୍ତି ଥାଇପାରେ ? –ଭାଷାରେ ଇଙ୍ଗିତ ଭରି କହିଲେ ମାଳବିକାଦେବୀ ।

 

–ଆଶାକରେ ମଙ୍ଗଳମୟ ରୂପେ ତୁମେ ମୋତେ ସଦାବେଳେ ଗ୍ରହଣ କରୁଥିବ । –ଯିବାପାଇଁ ଆସନ ଛାଡ଼ୁ ଛାଡ଼ୁ ହସି ହସି କହିଲା ସୁବ୍ରତ ।

 

ଆଉ ପୁଣି ସାକ୍ଷାତ କେବେ ହେବ ? ମାଳବିକାଦେବୀଙ୍କ ସ୍ୱରରେ ପ୍ରଶ୍ନବାଚୀ ।

 

–ନାରୀ ସିନା ଚଳଚଞ୍ଚଳ । କିନ୍ତୁ ପୁରୁଷ ସଦା ସ୍ଥିର । ତେଣୁ ଯେତେବେଳେ ତୁମର ଅନ୍ୟ କୌଣସି ପୋଗ୍ରାମ ନଥିବ ଇଚ୍ଛା କଲେ ଅଫିସରେ କିମ୍ୱା ବସାରେ ସାକ୍ଷାତ୍‌ ହୋଇ ପାରିବ ।

 

–ଏଇଠି କଟକରେ ଅଛନ୍ତି, ଅଥଚ ମଝିରେ ମଝିରେ ଆସି ଆମ ଘରଆଡ଼େ ବୁଲି ଯାଉଥିଲେ କ୍ଷତି କ’ଣ ହୁଅନ୍ତା ? ଆପଣଙ୍କର ସେଇ ଛାତ୍ର ଜୀବନର ଖାମ୍‌ଖିଆଲୀ ଢଙ୍ଗ ଏବେ ବି କ’ଣ ଗଲାନି ?

 

ମାଳବିକାଦେବୀଙ୍କଠାରୁ ବିଦାୟ ନେଇ ଯାଉ ଯାଉ ସୁବ୍ରତ କହିଲା–କଥାରେ ଅଛି ‘‘ମଣିଷ ପ୍ରକୃତି ମଲେ ତୁଟେ ।’’

 

ମୁନ୍ନା ରାହାଧରି କାନ୍ଦୁଛି ।

 

ଯେତେ ବୁଝାଇଲେ ସୁଦ୍ଧା ପିଲାଟା ବୁଝୁନାହିଁ ! ବଡ଼ ଅଝଟ ଲଗାଉଛି ! ଯାହା ବୁଝିଥିବ ସେଇଆ–ଦୁନିଆ ଫାଟିଗଲେ ବି ଯାହା ଜିଦ୍‌ ଧରିଥିବ ସେଇଟା ହେଲେ ଯାଇ ହେବ !

 

ସେଦିନ ଏଇ ଅଝଟିଆ, ନଟଖଟିଆ, ଅବଲୋକରା ମୁନ୍ନାକୁ ବୁଝାଇ ବୁଝାଇ ସୁଲି ଥକି ଯାଇ କହିଲା–ବାପ ଗୁଣ ନେଇ ପୁଅ ନା; ଆଉ ଭଲ କେଉଁଠୁ ଆସିବ ? ଆମ୍ୱ ଗଛରେ କ’ଣ ପଣସ ଫଳିବ ? ବାପ ଯେପରି ଏକଜିଦିଆ ପୁଅ ସେପରି ଅବୁଝା । ଆଜହୁଁ ଏଡ଼େତ, ପୁଣି ଦିନକାଳ ଅଛି....

 

ମେ ମାସର ଖରା । ପ୍ରଚୁର ଗରମ । ଗମ୍‌ ଗମ୍‌ ଝାଳ ଦେହରୁ ବହି ଚାଲିଛି । ବଡ଼ ବ୍ୟସ୍ତ ଲାଗୁଛି । ଫ୍ୟାନ୍‌ ଦେଲେ ସେଥିରୁ କେବଳ ଗରମ ପବନ ବାହାରୁଛି । ବିଞ୍ଚଣା ଖଣ୍ଡେ ହାତରେ ଧରି ବୁଲାଇ ବୁଲାଇ ହାତ ଥକି ପଡ଼ିଲାଣି ! ଏଥିରେ ଏ ଅଝଟିଆ ପିଲାଟା ଶୋଉ ନାହିଁ ! ଯେତେ ଚେଷ୍ଟାକଲେ ସେଇ ଏକାଜିଦ୍‌ ! ଖାଲି କାନ୍ଦ-କାନ୍ଦ ! ବିସ୍କୁଟ, ଟଫି, ଲଞ୍ଜେସ୍‌–ସବୁ ଫୋପାଡ଼ି ଦେଉଛି ! ଖେଳଣା ଦେଖିଲେ ବିଗିଡ଼ି ଯାଉଛି ! ସୁଲି ବ୍ୟସ୍ତ ହୋଇ ଉଠିଲାଣି ।

 

ବାହାରେ ଡାକ ପିଅନ ଡାକୁଛି ।

 

ସୁଲି ଦାଣ୍ଡକବାଟ ଫିଟାଇ ଚିଠି ଥାକକଯାକ ଆଣିଲା । ଚନ୍ଦ୍ରକାନ୍ତର ଚେମ୍ୱାରର ଟେବୁଲ ଉପରେ ଡାକକୁ ସଜାଡ଼ି ଥୋଇଲା ।

 

କୁଆ, ବଣି ଶଙ୍ଖି ବିଲେଇକୁ ଦେଖାଇ ନାନା ପ୍ରକାର କଥାର ସୃଷ୍ଟି କରି କିଛି ସମୟ ମୁନ୍ନାକୁ ଛାତିରେ ପକାଇ ବୁଲାଇବା ପରେ ଦୁଷ୍ଟଟା ଏବେ ଆଖି ବୁଜୁଛି ।

 

ସୁଲି ମୁନ୍ନାର ପିଠି ଥାପୁଡ଼େଇବାରେ ଲାଗିଲା । ଧୋ ବାୟା ଗୀତ ବୋଲି ମୁନ୍ନାର ପାତଳ ନିଦକୁ ଗଭୀର କରି ଦେଲା । ଖଟ ଉପରେ ମୁନ୍ନାକୁ ଶୁଆଇ ଦେଇ ନିଜ ଦେହକୁ ତା ପାଖରେ ମେଲିଦେଲା ।

 

ସେପାଖ କାନ୍ଥରେ ଏନ୍‌ଲାର୍ଜକରା ସୁଜାତା ଓ ଚନ୍ଦ୍ରକାନ୍ତର ଯୁଗଳ ଫଟୋ ଝୁଲୁଛି ।

 

ସୁଲି ଭାବୁଥିଲା ଏ ଘରକୁ ବୋହୂ ହୋଇ ଆସିବାର ଦିନ କେତେଟା ପରେ ହୁଏତ ଚନ୍ଦ୍ରଭାଇ ଜିତା ନୂଆ’ଉଙ୍କ ସଙ୍ଗେ ଏ ଫଟୋ ନେଇଥିଲେ । ଫଟୋ ଭିତରୁ ଜିତା ନୁଆ’ଉ ମୁଚୁମୁଚୁ ହସି ଉଠୁଛନ୍ତି ଲାଜୁଆ ଆଖିପତା ତାଙ୍କର ନଇଁ ପଡ଼ିଛି । ଏଇ ଫଟୋକୁ ଦେଖିଲେ କିଏ କହିବ ଯେ ପାଠୋଇ ବୋଲି ତାଙ୍କର ଗର୍ବ ଅଛି, ଅହଂକାର ଅଛି ? ମୁହଁକୁ ଦେଖିଲେ ଜଣାପଡ଼ୁଛି କେତେ ନିରୀହ, ଶାନ୍ତ ଆଉ ସରଳ ତା’ର ଜିତା ନୂଆ’ଉ ।

 

ସୁଲିକୁ ଜଣାପଡ଼ିଲା ଫଟୋ ଭିତରୁ ଜିତା ନୂଆ’ଉ ହସି ହସି କହୁଛନ୍ତି–ସୁଲି; କିପରି ଏ ଜୀବନ ଚାଲିଛି ? ଘରର ଲକ୍ଷ୍ମୀ ମୁଁ ! ଚଣ୍ଡାଳ ସାଇକୁ ମହାଲକ୍ଷ୍ମୀ ଗଲେ ବୋଲି ଜଗନ୍ନାଥ ବଡ଼ ଦେଉଳରୁ ତାଙ୍କୁ ତଡ଼ି ଦେଇଥିଲେ । ଲକ୍ଷ୍ମୀଠାକୁରାଣୀ ଘରର ବୋହୂ ହୋଇ ସଦାବେଳେ ଗମ୍ଭିରୀ ଭିତରେ ନ ରହିବା ତାଙ୍କର କୁଆଡ଼େ ଦୋଷ ହୋଇଥିଲା ! ସାଇସାଇ ବୁଲିଲେ ବୋଲି ଶେଷରେ ଜଗନ୍ନାଥ ମହାପ୍ରଭୁ ରାଗିଲେ ! ରୋଷବହି ଦେଉଳ ମନାକଲେ । ଲକ୍ଷ୍ମୀ ବାପଘରକୁ ଚାଲିଗଲେ । ଲକ୍ଷ୍ମୀଛଡ଼ା ହୋଇ ଜଗନ୍ନାଥ ଦିନାକେତେ ବୁଲିଲେ । କେତେ ଦୁଖକଷ୍ଟ ସହିଲେ । ସବୁତ ତୁମେ ଜାଣିଥିବ ! ଲକ୍ଷ୍ମୀପୁରାଣ ପଢ଼ିଥିବ ! ଟିକିନିଖି କରି ସବୁ ଚରିତ ସେଥିରେ ଲେଖାଅଛି । ତାକୁ ପଢ଼ିଲେ ସମସ୍ତେ କୁହନ୍ତି କୁଆଡ଼େ ଆଖିରୁ ଲୁହ ବହିପଡ଼େ ! ମନରୁ ଜଗନ୍ନାଥ ଆଉ ଲକ୍ଷ୍ମୀ ଠାକୁରାଣୀଙ୍କ ଦୁଃଖ ପାଇଁ ଆହା ପଦ ବାହାରେ ! କେତେ କଷ୍ଟ ଜଗନ୍ନାଥ ସହି ନାହାନ୍ତି ? ଲକ୍ଷ୍ମୀଙ୍କ ଦେହ ସହୁଛି କିପରି ? ଲକ୍ଷ୍ମୀ କ’ଣ ପାଷାଣୀ ? କାଠ ପଥରରେ ତାଙ୍କର ମନ କ’ଣ ଗଢ଼ା ହୋଇଛି ? ତାଙ୍କ ମନରେ କ’ଣ ସ୍ୱାମୀ ପ୍ରତି ଏତେ ଟିକିଏ ମାୟା, ମମତା, ସ୍ନେହ ଓ ଭକ୍ତି ନାହିଁ ?

 

ବିଧବା ଲୋକ ତୁମେ; କେତେ ପୋଥି ପୁରାଣ ପଢ଼ୁଥିବ ! ସବୁ ଜାଣୁଥିବ ! ଜଗନ୍ନାଥଙ୍କର ଦୋଷଥିଲା କି ନଥିଲା ସେକଥା ତୁମେ ପରେ ଜାଣିଥିବ !

 

ପୁଣି ସମୟ ଆସିଲା ଯେତେବେଳେ ବଡ଼ ଠାକୁରେ ନିଜର ଭ୍ରମ ବୁଝିପାରି ଲକ୍ଷ୍ମୀ ଠାକୁରାଣୀଙ୍କୁ ଦେଉଳକୁ ପାଛୋଟି ନେଲେ, ସବୁ ଦୋଷ ମାନିଲେ । ଆଉ ଲକ୍ଷ୍ମୀଛଡ଼ା ହୋଇ ଜଗନ୍ନାଥ କଷ୍ଟ ପାଇଲେ ନାହିଁ । ଆନନ୍ଦ ବଜାରରେ ମହାର୍ଦ୍ର ପ୍ରଚୁର ମିଳିଲା । ଆଉ ଅଭାବ ହେଲାନାହିଁ ।

 

ସେପରି ସମୟ ଆସିବ ଯେତେବେଳେ ଯିଏଯାହାର ସେ ତାହାର ହେବ ! ଧୋବାକୁ ମାଇପ ମିଳିବ ଖାଲି କୁମ୍ଭୀର କଥା ଜଣାପଡ଼ିବ !

 

ମନେ ମନେ ହୁଏତ ହସୁଥିବ ଯେ ନୂଆ’ଉ ଛୋପରୀ ହୋଇ ଏପରିଗୁଡ଼ାଏ କ’ଣ କହୁଛି ! ପୁଣି ଆଉଧାଡ଼ିଏ ମୁଁ ପୁରାଣରୁ କହୁଛି ଶୁଣ । ମୁଁ ତ କଲେଜ ପଢ଼ୁଆ ଝିଅ ! ତୁମପରି ପୁରାଣ ଶାସ୍ତ୍ର ପଢ଼ିନାହିଁ । କିନ୍ତୁ ଓଡ଼ିଆ ଘରର ଝିଅ ହିସାବରେ ଯେତିକି ଶୁଣିଛି ସେତିକି ତୁମକୁ କହୁଛି । ଗୁଣ୍ଡିଚା ଯାତ କଥା ଜାଣିଥିବ ? ଜଗନ୍ନାଥ ମହାପ୍ରଭୁ ଭଉଣୀ ସୁଭଦ୍ରାକୁ ନେଇ ମାଉସୀ ମା ଘରକୁ ଯାତ କରିଗଲେ । ନଅଦିନ ରହିଲେ । ସାଙ୍ଗରେ ସ୍ତ୍ରୀଙ୍କୁ ନେଲେ ନାହିଁ । ମହାଲକ୍ଷ୍ମୀଙ୍କଠାରେ କ’ଣ ବା ଆବଶ୍ୟକତା ଅଛି ? କିନ୍ତୁ ରକତମାଉଁସର ମଣିଷ ନହୋଇ ବି ମହାଲକ୍ଷ୍ମୀ ଜଗନ୍ନାଥଙ୍କର ଏପରି କର୍ମରେ ରୋଷ ଘେନିଲେ । ଭଉଣୀକୁ ନେଇ ଗୁଣ୍ଡିଚାଯାତ୍ରା କରିଥିବାରୁ ହିଂସାରେ ଯାଇ ମାଉସୀମାଙ୍କ ଘରଠାରେ ରାତ୍ରିରେ ଲୁଚିକରି ରଥାଭାଙ୍ଗି ଦେଇଗଲେ-। ତହିଁରେ ମହାପ୍ରଭୁଙ୍କର ଚେତା ଘରେ ଚଇତନ ପଶିଲା ନାହିଁ । ଲକ୍ଷ୍ମୀ ଠାକୁରାଣୀ ଗମ୍ଭୀରା ଭିତରେ ରାଗରେ ରକତ ଚାଉଳ ଚୋବାଇ ବାଟ ଜଗି ଚାହିଁ ରହିଲେ । କେବେ ଜଗନ୍ନାଥ ଫେରିବେ ? ଦିନଦିନ ହୋଇ ନ ଦିନ ବିତିଗଲା । ଜଗନ୍ନାଥ ଭଉଣୀଙ୍କୁ ନେଇ ଦେଉଳ ଦୁଆରେ ବାହୁଡ଼ା ବିଜେ କରି ପହଞ୍ଚିଲେ । କିନ୍ତୁ ହାୟ ! ଦେଉଳ ଦୁଆର ଭିତରୁ ବନ୍ଦ । ଲକ୍ଷ୍ମୀଠାକୁରାଣୀ ଦେଉଳ ଦ୍ୱାର ନ ଖୋଲନ୍ତି ! କହିଲେ ଯେଉଁ ଭଉଣୀକୁ ସାଙ୍ଗରେନେଇ ଯାଇଥିଲ ସେଇ ଭଉଣୀ ସଙ୍ଗେ ଚିରଦିନ କଟାଅ । ବିବାହିତା ସ୍ତ୍ରୀର ଆବଶ୍ୟକତା ତୁମର ନାହିଁ । ଅଭିମାନ କରି ଜଗନ୍ନାଥଙ୍କ ଚରିତ୍ର ପ୍ରତି କଟୁ ମନ୍ତବ୍ୟ କଲେ ! ଭାଇ ଭଉଣୀର ପବିତ୍ର ସମ୍ପର୍କରେ ମନ ତାଙ୍କର ସନ୍ଦେହୀ ହୋଇ ଉଠିଲା !

 

ଜଗନ୍ନାଥ ମହାପ୍ରଭୁ କହିଲେ–ସୁଭଦ୍ରା ମୋର ଭଉଣୀ ! ତୁମ ସହିତ ମୋର ଯେଉଁ ସଂପର୍କ ସେ ସଂପର୍କ କ’ଣ ଭାଇ ଭଉଣୀ ଭିତରେ ସମ୍ଭବ ? ତୁମେ ମିଛରେ ମୋତେ ଦୋଷ ଦିଅନା ! ଯେଉଁ ଉଲୁଗୁଣା ତମେ ମୋତେ ଦେଉଛ ସେଇଟା କାଳ କାଳକୁ ରହିଯିବ !

 

ପ୍ରକୃତରେ ସୁଲି କାଳ କାଳକୁ ସେକଥା ରହିଯାଇଛି । ନଚେତ୍‍ ତୁମକୁ ଏକଥା ଶୁଣାଇବାକୁ ମୁଁ ସାହାସ କରିଥାନ୍ତି କିମିତି ?

 

ଦେବ ଅଂଶରେ ଯେଉଁମାନେ କୁଆଡ଼େ ଜନ୍ମ ହୁଅନ୍ତି ସେମାନଙ୍କର ଈର୍ଷା, ଦ୍ୱେଷ, ଘୃଣା କିଛି ନଥାଏ । ଏଇ ଅଲକ୍ଷଣ ଖାଲି ରକତମାଉଁସଧାରୀ ମଣିଷଙ୍କଠାରେ ଥାଏ । ଲକ୍ଷ୍ମୀ ଠାକୁରାଣୀ ତ ଦେବତା ! ତାଙ୍କ ମନରେ ଏ ଅବିଗୁଣଗୁଡ଼ାକ ଆସିଲା କିପରି ? ମୁଁ ଭାବୁଛି ନାରୀ ମାତ୍ରକେ ପ୍ରତ୍ୟେକ ବୋଧହୁଏ ସନ୍ଦେହୀ । ଦିନେ ଯଦି ସ୍ୱାମୀର ସିନିହ, ସୁଆଗ, ଶରଧା ନ ପାଆନ୍ତି ତେବେ ବାୟାଣୀ ହୋଇ ଯାଆନ୍ତି । ନୁହେଁ ? ମୁଁ ତ ଛାରଛିକର ମଣିଷ ! ସେଥିରେ ପୁଣି ମାଇପି ଜନମ ପାଇଛି ! ତୁମେ ଯଦି ସୁଭଦ୍ରା ସାଜ ଆଉ ତୁମ ଭାଇ ଜଗନ୍ନାଥ ହୁଅନ୍ତି ତେବେ ମୁଁ କ’ଣ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ନେଇ ସେଇ କଥାଗୁଡ଼ାକ ଭାବି ପାରିବି ନାହିଁ ?

 

ଶେଷ ପ୍ରଶ୍ନରେ ଯେପରି ଚମକି ଉଠିଲା ସୁଲି ! ଜିତା ନୂଆବୋଉ କେତେ ବଡ଼ କଥା ନକହିଲେ ! ଛିଃ ଛି । –କି ପାପ କଥା ସେ ଶୁଣିବାକୁ ପାଇଲା !

 

ଜିତା ନୂଆ’ଉ ଯାହା କହିଲେ ମିଛ ତ କିଛି ନୁହେଁ ! ଜଗନ୍ନାଥଙ୍କର ସୁଭଦ୍ରା ରକ୍ତର ଭଉଣୀ ! ସେଠାରେ ଯଦି ଏଇ ସନ୍ଦେହ ଉପୁଜିଲା ତେବେ ସେ ତ କେତେ ପର-ସାତପର-କେଉଁ ଆଳିଆ ଲେଖାରେ ବାଳଆ ଭଉଣୀ ।

 

ଜିତା ନୂଆବୋଉ ଠିକ୍‌ କହିଛନ୍ତି !

 

ଦେହରେ ତା’ର ରଙ୍ଗ ଅଛି । ଭଗବାନ ତାକୁ ରୂପ, ଯଉବନ କେଉଁଥିରେ କମ୍‌ କରି ନାହାନ୍ତି । ବିଧବା ଖାଲି ଦେହରେ ହୋଇଛି, କିନ୍ତୁ ମନରେ... ?

 

ବିଧବା ହେଲେ ତ ଦେହର ରଙ୍ଗ ମଉଳି ଯାଏନି କିମ୍ୱା ମନର ତୃଷ୍ଣା ସଂପୂର୍ଣ୍ଣ ଲୋପ ହୁଏ ନାହିଁ ? ମଣିଷ ସଦାବେଳେ ମଣିଷ । ମନୁଷ୍ୟ ଭିତରେ ଯେ ଦେବତ୍ୱର ଆଶାକରେ ସେ ନିଜକୁ ନିଜେ ଠକେ ! ଜିତା ନୂଆ’ଉଙ୍କର ଏ ଘର । ଏ ସଂପତ୍ତି ଆଉ ଏ ଘର କରଣା, ସବୁଥିରେ କେବଳ ତାଙ୍କରହିଁ ଅଧିକାର ରହିଛି ! ତାଙ୍କ ଘର କରଣାରେ ସୁଲି କିଏ ? ଆପେ ଆପେ ଗୁଞ୍ଜି ହୋଇ ଏ ଘରେ ପଶିଛି । ଦୈବ ଯୋଗକୁ ସିନା ନୂଆ’ଉ ଏ ଘରେ ନାହାନ୍ତି ବୋଲି ସେ ମାଲିକାଣୀ ସାଜିଛି ? ତାଙ୍କରି ଚାବି ନେନ୍ଥାକୁ କାନି ଅଗରେ ବାନ୍ଧି ଗନ୍ତେଇତିଆଣୀ ହୋଇ ଭଣ୍ଡାର ଘରୁ ଜିନିଷ ହାତଟେକି ପୂଜାରୀ ହାତକୁ ବଢ଼ାଇ ଦେଉଛି ?

 

ପୁରୁଷ ବଡ଼ ଭୋକିଲା ଜାତି । ସୁନ୍ଦରୀ ସ୍ତ୍ରୀଟିର ଦେଖିଲେ ଲୋଭେଇ ଯାଆନ୍ତି । ଓଠରେ ଜିଭ ମାରନ୍ତି ।

 

ଗୋଟିଏ ପିଲାର ମାଆ ସେ । କିଛି ବୁଢ଼ୀ ହୋଇ ଯାଇନାହିଁ । ଦୁନିଆଁ ଆଖି ସେତେ ପବିତ୍ର ନୁହେଁ ଅନ୍ତତଃ ଯେତେଟା ସେ ଭାବିବସିଛି । ଜିତା ନୂଆ’ଉ କାହିଁକି, ଗାଁରେ ସାଇପଡ଼ିଶାରେ ଲୋକେ କ’ଣ କୁହାକୁହି ହେଉ ନ ଥିବେ ! ଦେହରେ ତା’ର ଯୌବନ ଅଛି ! ନ କହିବାର ଲୋକେ କହି ବସିବେ !

 

ନିଜର ସ୍ତ୍ରୀକୁ ଛାଡ଼ି ଚନ୍ଦ୍ରଭାଇ କେତେଦିନ ଏପରି ରହିବେ ? ତାଙ୍କ ଘରେ ତାକୁ ସ୍ଥାନ ଦେବାରେ ତାଙ୍କର ଉଦ୍ଦେଶ୍ୟ ବୋଧହୁଏ ମହତ୍‌ ନୁହେଁ ! ଦୀପକୁ ତାଙ୍କ ଘରେ ଛାଡ଼ି ଦେଇ ଘରକୁ ଫେରିଯିବା ପାଇଁ ସେ ଆସିଥିଲା । ଏ ଘରେ ସବୁଦିନ ପାଇଁ ରହିବା ମନ ଘେନି ସେ କ’ଣ ଆସିଥିଲା ? ତା ଦୁଃଖ ଧନ୍ଦା ତାକୁ ବଡ଼ ! ତା ଅଲଣା ବାସି ତୋରାଣି ତା’ର ଅମୃତ । ସବୁଦିନର ଶାଗପଖାଳକୁ ଛାଡ଼ି କେତେଟା ଦିନ ପାଇଁ ପର ଓଳିତଳେ, ପର କଂସାରେ ଖିରୀ ଖେଚୁଡ଼ି ଖାଇବାପରେ ଏତିକି ଲାଭ ମିଳିଛି ଯେ ସେ ଲୋକଙ୍କ ଆଖିରେ ଅସତୀ ହୋଇଛି ।

 

ଗାଁରେ ବୁଢ଼ା, ବୁଢ଼ୀ, ଘରକଲା ମାଇପି ପର୍ଯ୍ୟନ୍ତ ସମସ୍ତେ କଥା ହେଉଥିବେ–ଚନ୍ଦ୍ରଭାଇ କାହିଁକି ତାଙ୍କ ସ୍ତ୍ରୀକୁ ଆଣୁ ନାହାନ୍ତି ? ଘର କରି ସ୍ୱାମୀ ସ୍ତ୍ରୀରେ କାହାର ପଦେ ପଦେ ନ ହୁଏ ? ୟା ବୋଲି ଏଇ ଦୁନିଆଁରେ ସମସ୍ତେ ସ୍ୱାମୀ ସ୍ତ୍ରୀ ହୋଇ ରହନ୍ତି ନା ଘରସଂସାର ଛାଡ଼ି ଜଙ୍ଗଲକୁ ପଳାଇ ଯାଆନ୍ତି ? ଏଇ ଛଡ଼ାଛଡ଼ି ପାଇଁ କ’ଣ ଚନ୍ଦ୍ର ପାଠୋଈ ବୋହୂ ବାହା ହୋଇଥିଲା ? ନିଜ ଇଚ୍ଛାରେ ବାହାହୋଇ କିଏ କାହାର ସ୍ତ୍ରୀକୁ ଛାଡ଼ି ରହିଲାଣି ନା ଚନ୍ଦ୍ର ରହନ୍ତା ! ସ୍ତ୍ରୀ ପରା ଘରେ କଅଁଳା ବାଛୁରୀ ଛାଡ଼ି ଦେଇ ଯାଇଛି ! ମନ ଛକପକ ହେଉଥିବ ଆସିବାକୁ ! ଚାରିବର୍ଷର ଘର କଲା ସ୍ତ୍ରୀ, ସେ କ’ଣ ଜାଣିନି କେତେ ପାଣିରେ କେତେ ପଙ୍କ ? ସବୁ ଏଇ ହୁନ୍ଦରୀ ସୁଲିର କାଣ୍ଡ ! ଶଶୁଘରେ ପାଦ ଦେଇ ବରଷ କେତେଟାରେ ସ୍ୱାମୀକୁ ଖାଇଲା । ବାପଘର କୁଳରେ ବି ପାଣି ଟୋପାଏ ଦେବାକୁ କେହି ନାହିଁ । ଦୁଇ କୁଳକୁ ଖାଇ ସାରିଲା ପରେ ମନର ଓରିମାନ ମେଣ୍ଟିଲା ନାହିଁ ଯେ ଶେଷରେ ଯାଇ ଚନ୍ଦ୍ର ଘରେ ପହଞ୍ଚିଛି । ତା ଘରେ ପହଞ୍ଚି ଲଗାଇ ଦେଇଛି ନାଟ । ଚନ୍ଦ୍ରକୁ ହାତେଇ ନେଇଛି ! ରୂପ ତ ଅଛି ! ସେଇ ଛଟକ ବଳରେ ଚନ୍ଦ୍ରକୁ ବଶ କରିଛି ! ବିଧବା ହୋଇ ସିନା ଥାନ ଲୁଗା ପିନ୍ଧୁଛି; ମୁଣ୍ଡରେ ସିନା ସିନ୍ଦୂର ନାଉନି; କିନ୍ତୁ ଭିତରେ ସଉକିନୀର ସୁଅ ଛୁଟୁଛି ।

 

ନିଆଁ ପାଖରେ ଘିଅ ନ ତରଳି କେତେଦିନ ରହି ପାରିବ ? ସେ ତ ଫେର୍‌ ଦିନାକେତେ ସଂସାର କରିଥିଲା ! ସ୍ତ୍ରୀକୁ ଛାଡ଼ି ରହିଲେ ପୁରୁଷ ମନରେ କେତେ କଷ୍ଟ ହୁଏ ସେ କ’ଣ ଜାଣିନି ? ଘରକୁ ସୁନ୍ଦର ଘରଣୀ ଥିଲେ । ବାହା ହେଲା ପରେ ସ୍ୱାମୀ ସ୍ତ୍ରୀ ଏକାଠି ଚଳିଲାପରେ ଛାଡ଼ବାଡ଼ ହୋଇ ଚଳିବା କେଡ଼େ କଷ୍ଟ ଅନୁଭବୀ ମାତ୍ରେ ସମସ୍ତେ କହିବେ । ସୁଲି ତ ଭୋକିଲା ! ବୟସଥାଇ ବିଧବା ହେଲେ ଯମଯନ୍ତ୍ରଣା ସଙ୍ଗେ ସମାନ । ଏ ମନ ବୟସର ପିଞ୍ଜରାରେ ବନ୍ଦୀ ହୋଇ ରହି ପାରେନା-ମୁକ୍ତି ଚାହେଁ–ଅନ୍ୟସଙ୍ଗେ ମିଶି ଉଡ଼ିବାକୁ ବ୍ୟାକୁଳ ହୋଇ ଉଠେ !

 

ଅନାବନା ଚିନ୍ତାରେ ସୁଲିର ମୁଣ୍ଡଟା ଗରମ ହୋଇ ଉଠିଲା । ସେ ଚିତ୍କାର କରି ଉଠିଲା–ନୂଆ’ଉ ମୁଁ ମୁକ୍ତି ଚାହେଁ–ମୋର ଦରକାର ନାହିଁ ଏ ଘରର ଜଞ୍ଜାଳ ! ତୁମେ ଏ ଘରର ମହାଲକ୍ଷ୍ମୀ ! ଫେରି ଆସ ତୁମେ ! ତୁମ ଦେଉଳ ହସି ଉଠୁ ! ମୁଁ ସୁଭଦ୍ରାଙ୍କ ପରି ନଣନ୍ଦ ହୋଇ ତୁମର ସ୍ନେହ ପାଇବାକୁ ଚାହେଁ !

 

ଦୁଇ ହାତର ପାପୁଲ ଭିତରେ ମୁହଁକୁ ଗୁଞ୍ଜି କଇଁ କଇଁ ହୋଇ ସୁଲି କାନ୍ଦି ଉଠିଲା ।

 

ମୁନ୍ନା ଚମକି ଉଠିଲା । କଅଁଳିଆ ନିଦ ତା’ର ଭାଙ୍ଗିଗଲା । ନିଦ ମଳ ମଳ ହୋଇ ଜୁଳୁଜୁଳୁ ଆଖିରେ ସେ ତା ଅପା ମୁହଁକୁ ଚାହିଁ ରହିଲା ।

 

ସେ ଅବୋଧ ଦୃଷ୍ଟିରେ ସୁଲି ଦେଖିବାକୁ ପାଇଲା ଗୋଟିଏ ଅସହାୟ, ମାତୃସ୍ନେହରୁ ବଞ୍ଚିତ ଶିଶୁର ବିସ୍ମୟ !

 

ମୁନ୍ନାକୁ ସୁଲି ଛାତି ଉପରକୁ ତୋଳି ନେଇ ତା ମୁହଁରେ ଅସଂଖ୍ୟ ବୋକ ଦେଇଗଲା ।

 

ଓଡ଼ିଶାର ରଙ୍ଗମଞ୍ଚରେ କିଛିଦିନ ଧରି ଦେଖାଯାଇଥିବା ଶିଥିଳତା ଅପସରି ଯାଇଛି । ଦର୍ଶକମାନଙ୍କ ଭିତରେ ଉତ୍ସୁକତା ଫେରି ଆସିଛି । ବୁକିଂ କାଉଣ୍ଟର ପାଖରେ ଟିକେଟ ପାଇଁ ଭିଡ଼ ଜମି ଉଠିଛି ।

 

ଛାୟା ଓ ମଞ୍ଚ ବିଭାଗ ପୁଣି ମାଳବିକାଦେବୀଙ୍କର ପ୍ରଶସ୍ତିରେ ପଞ୍ଚମୁଖ ହୋଇ ଉଠିଲାଣି । ଚଳଚିତ୍ର ପ୍ରଯୋଜନା ବେଳେ ଆଉ ନାୟିକା ପାଇଁ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ ।

 

ଚଳଚିତ୍ରର ପ୍ରଯୋଜକଙ୍କଠାରୁ ମଞ୍ଚର ମାଲିକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଆନନ୍ଦ ଉତ୍ସାହ ଖେଳି ଯାଇଛି ।

 

ଆନନ୍ଦ କିନ୍ତୁ ପାଇ ପାରି ନାହାନ୍ତି ସୁବୋଧବାବୁ ! ପରାଜିତ ମନ ନେଇ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ସେ ।

 

ଦୀର୍ଘଦିନ ଧରି ସଂସାରର ବନ୍ଧୁର ପଥରେ ଚାଲି ଚାଲି ଏଇ ଅନୁଭୂତି ସୁବୋଧବାବୁ ପାଇଛନ୍ତି ଯେ ଝିଅକୁ ଜ୍ୱାଇଁ ପାଖରେ ଦେଖିଲେ ଯେତେ ଆନନ୍ଦ ମିଳେ, ସେ ଆନନ୍ଦ ମିଳି ନପାରେ ଝିଅର ଚାକିରୀରେ ବା ପାଦରେ ଘୁଙ୍ଗୁର ବାନ୍ଧି ନାଚିବାରେ ।

 

ମାଳବିକା ଯେ କାହିଁକି ସଂସାରୀ ହେବାପାଇଁ ବିମୁଖ ତା’ର କାରଣ ସୁବୋଧବାବୁ ବହୁ ଚେଷ୍ଟା କରି ମଧ୍ୟ ବୁଝିପାରୁ ନଥିଲେ । ଗତାୟୁ ଜୀବନରେ ସେ ଚାହୁଁଥିଲେ ଝିଅ ତାଙ୍କର ଘର ସଂସାର କରିଥାନ୍ତା । ନାତି ନାତୁଣୀଙ୍କ କଳିଗୋଳ, ହସ ଖୁସିରେ ଘର ତାଙ୍କର ପୂରି ଉଠୁଥାନ୍ତା । ଶୂନ୍ୟ ଘରେ ଏକାକୀ ବସି ବସି ତାଙ୍କୁ ସମୟଟା ବିରକ୍ତିକର ମନେ ହେଉ ନଥାନ୍ତା । ପୁଅ ତ ନାହିଁ-। କୋଳକୁ ସଂଙ୍ଖାଳି ବୋଲି ଝିଅଟିଏ । ଏକରୁ ଦୁଇନାହିଁ କି ଛିଣ୍ଡି ଗଲେ ଗଅଁଠାଇବାକୁ ନାହିଁ-। ମଲାବେଳେ ହୁଏ ତ ନାତିଟିଏ ଥିଲେ ତା ହାତରୁ ନିଆଁ ଟିକିଏ ପାଇଥାନ୍ତେ ! ଏତିକି ତାଙ୍କର ଅନ୍ତିମ କାମନା ଥିଲା ।

 

କିନ୍ତୁ ହାୟ ! ମଣିଷ ଯାହା ଖୋଜେ ତାହା ସଦାବେଳେ ପାଏନି । ନଖୋଜିଲା ଜିନିଷ ବଳେ ବଳେ ମିଳିଯାଏ ।

 

ସୁବୋଧବାବୁ ସୃଷ୍ଟିର ମୌଳିକତାକୁ ବିଶ୍ଳେଷଣ କରୁଥିଲେ ।

 

ମାଳରମାଆ ଯଦି ତାକୁ ଶୈଶବରୁ ଛେଉଣ୍ଡ କରିଯାଇ ନଥାନ୍ତେ ତେବେ ହୁଏତ ଅବସ୍ଥା ଏପରି ହୋଇନଥାନ୍ତା ! ସେ ନିଶ୍ଚୟ ମାଳକୁ ଉଚ୍ଚଶିକ୍ଷାରୁ ବଞ୍ଚିତ କରିଥାନ୍ତେ ! ନୃତ୍ୟ ଗୀତଭଳି ସ୍ୱାଧୀନ ସଂସ୍ଥାରେ ଯୋଗ ଦେବାନିମିତ୍ତ ବାରଣ କରିଥାନ୍ତେ ! ଏତେବେଳକୁ ହୁଏତ ମାଳକୁ କୌଣସି ସୁପାତ୍ରରେ ଦାନକରି ସେମାନଙ୍କର ସୁଖ ଦେଖି ହସି ଉଠୁଥାନ୍ତେ ! ଶାଶୁ ଘରର ବୋହୂ ସାଜି ମାଳ ତାଙ୍କର ଚଳୁଥାନ୍ତା । ପ୍ରତି ଚିଠିରେ ବୋଉ ପାଖକୁ କେତେ ଜିନିଷର ଫରମାସ କରୁଥାନ୍ତା । ‘‘ବାପାଙ୍କୁ ପଠାଇ ଦେବୁ, କେବେ ମୋତେ ନେବୁ, ତୋ ନାତି କୁନା ହସିଲାଣି । ବଡ଼ ଦୁଷ୍ଟ ହୋଇଛି । ମୋତେ ଚିଠି ଖଣ୍ଡେବି ଲେଖାଇ ଦେଉନି । ବୋଉ, ବାପାଙ୍କୁ କହିବୁ–ଝିଅକୁ ବୋଧହୁଏ ପର ଘରକୁ ପଠାଇ ଦେଇ ନିଶ୍ଚିନ୍ତ ହୋଇଗଲେ । ସଙ୍ଗରେ ନ ଖାଇଲେ ସେ ଖାଉ ନ ଥିଲେ ଏବେ କିପରି ମୋତେ ଛାଡ଼ି ଏତେଦିନ ହେବ ଅଛନ୍ତି ?’’ ଏଇପରି ଗୁଡ଼ାଏ ସାଂସାରିକ କଥା ଲେଖି ଚିଠି ଦେଉଥାନ୍ତା । ପ୍ରତି ଚିଠିରେ ଥାଆନ୍ତା ସ୍ନେହ, ଭକ୍ତି, ଅଭିମାନ, ଅଳି ଓଜର ପୂର୍ଣ୍ଣ କେତେ କଥା । ପଢ଼ୁ ପଢ଼ୁ ସେ ହସି ଉଠୁଥାନ୍ତେ । ମାଳବୋଉ ବାଧ୍ୟ କରି କହନ୍ତେ–ତୁମକୁ କାଲି ଯିବାକୁ ହେବ ! ପିଲାଟା ଝୁରି ଝୁରି କଣ୍ଟା ହୋଇ ଯିବଣି । ମୋ ଧନକୁ କେତେ ଦିନ ହେବ ମୁଁ ଦେଖିନି । ତୁମେ ଯାଅ ନେଇ ଆସିବ ।

ସୁବୋଧବାବୁଙ୍କ ଆଖି ଛଳ ଛଳେଇ ଉଠିଲା ।

କାନ୍ଥରେ ମାଳବିକା କରିଥିବା ଏମ୍ୱ୍ରଏଡ଼ୋରୀ ଉପରେ ଆଖିପଡ଼େ । ଯାହାର ଅର୍ଥ ଅତୀତ ମୃତ, ଭବିଷ୍ୟତ ଅନାଗତ ଏବଂ ବର୍ତ୍ତମାନ ଜୀବିତ । ତେଣୁ ବର୍ତ୍ତମାନ କଥା ଚିନ୍ତାକର । ନିଜର ବିବେକର ନିର୍ଦ୍ଦେଶ ମାନି ଚଳ । ଏଇ ସଂସାରରେ ତାହାଲେ ତୁମେ ବିଜୟୀ ହେବ । କେଉଁ ମହର୍ଷିଙ୍କ ଅମୁଲ୍ୟ ବାଣୀ ଏ ମନୁଷ୍ୟକୁ ଦୁନିଆଁରେ ଆଗେଇ ଯିବା ନିମିତ୍ତ ପ୍ରେରଣା ଦିଏ । ମୃତ ଅତୀତରେ ଇତିହାସକୁ ସ୍ମରଣ କରି ମନରେ ହା ହୁତାଶ ଛୁଟାଇବାକୁ ଦିଏ ନାହିଁ, କିମ୍ୱା ଅନାଗତ ଭବିଷ୍ୟତ ବିଷୟରେ ଆତଙ୍କିତ ହେବାକୁ ଦିଏ ନାହିଁ । ଏଇ ବାଣୀ କହେ ଉପସ୍ଥିତ କ୍ଷେତ୍ରରେ କାମ କରିଯାଅ । ବିବେକ ଓ ବୁଦ୍ଧିକୁ ସତ୍‌ ପଥରେ ପରିଚାଳିତ କର । ପାପ ପୁଣ୍ୟର ବିଚାର କର । ବର୍ତ୍ତମାନର ବିଚାର ଆସନ୍ତା କାଲିର ଇତିହାସରେ ହେବ ।

ସୁବୋଧବାବୁ ରୁମାଲରେ ଆଖି ପୋଛିଲେ । ଝିଅ କ’ଣ କାହା ହାଣ୍ଡିରେ ଚାଉଳ ପକାଇନି ? କେବଳ ନିଜ ଘରେ ରୋଷାଇ କରି ନିଜେ ଖାଉଥିବ ? ପର ଘରେ ବୋହୂ ହୋଇ ଭାତ ରାନ୍ଧି, ପରିବେଷଣ କରି ସେମାନଙ୍କ ମୁହଁରେ ସନ୍ତୋଷର ହସ ଫୁଟାଇ ପାରିବନି ? ତା’ର ଜନ୍ମ କ’ଣ କେବଳ ନିଜର ସୁଖ ପାଇଁ ?

ପଡ଼ିଶା ଘରର ଅନାଦି ବାବୁଙ୍କ ସ୍ତ୍ରୀ ସେଦିନ ତାଙ୍କ ବାବୁଙ୍କୁ କହୁଥିଲେ–ଝିଅକୁ କ’ଣ ବାହା କରିବାକୁ ମନ ହେଉନି ? ମନେ ମନେ ବୋଧହୁଏ ଭାବୁଛ ଝିଅ ତୁମର ଚାମୁଚରେ ଦୁଧ ପିଉଛି ? ପାଠ ପଢ଼ାଉଛ–ପଢ଼ାଉଥାଅ ! ଶେଷରେ ଦେଖିବ ମାଳବିକା ପରି ତୁମ ମୁଣ୍ଡକୁ ଯଦି ସେ ଚୋବାଇ ନ ଖାଇଛି ତେବେ ମୋତେ କହିବ ? ଝିଅକୁ ପାଠ ପଢ଼ା, ଯେପର୍ଯ୍ୟନ୍ତ ଉପଯୁକ୍ତ ଜ୍ୱାଇଁ ନ ମିଳିଛି । ଦେଖୁନ ସୁବୋଧ ବାବୁଙ୍କୁ ? ବାପ ହୋଇ ଝିଅ ଅର୍ଜ୍ଜନ ଖାଇବାକୁ କିପରି ତାଙ୍କୁ ସୁଖ ଲାଗୁଛି ? ଝିଅ କ’ଣ ତୁଣ୍ଡ ଲେଉଟାଇ କହନ୍ତା–ବାପା ମୁଁ ବାହା ହେବି ! ବଅସ ଆସିଲେ ସମସ୍ତେ ବାହା ହୁଅନ୍ତି ! ସେଇ ବଅସର ପାହାଚ ଦେଇ ତୁମେ ତ ବାପା ହୋଇଛ ?

ଉତ୍‌କର୍ଣ୍ଣ ହୋଇ ସୁବୋଧବାବୁ ଅନାଦିବାବୁଙ୍କ ସ୍ତ୍ରୀଙ୍କ କଥା ଶୁଣୁଥିଲେ । ସୁସ୍ଥ ସମାଜର ସେ ବି ଜଣେ ପ୍ରତିନିଧି । ନିର୍ଭୀକ ଭାବରେ ସେ ତାଙ୍କର ମତ ବ୍ୟକ୍ତ କରିଛନ୍ତି । ତାଙ୍କୁ ଜଣାଗଲା ଯେପରି ଅନାଦି ବାବୁଙ୍କ ସ୍ତ୍ରୀଙ୍କର କଥା ତାଙ୍କର କଲିଜାକୁ କାଟି ଟିକିଟିକି କରି ପକାଉଛି ।

–ପରଚର୍ଚ୍ଚା ନକରି ନିଜକଥାହିଁ କହ । ଏଇ ପଦକ କହି ଯଦି ଅନାଦିବାବୁ ବାଧା ଦେଇ ନଥାନ୍ତେ ତେବେ ହୁଏତ ତାଙ୍କ ସ୍ତ୍ରୀଙ୍କ ମୁହଁରୁ ଆଉ କିଛି ଅଧିକ ଶୁଣିବାକୁ ପଡ଼ିଥାଆନ୍ତା !

 

ଟଳି ଟଳି ନିଜ ରୁମ୍‌କୁ ଫେରି ସେଦିନ ସେ ତାଙ୍କର ପିତୃତ୍ୱକୁ ଶତଧିକାର କରିଥିଲେ । ନିଜର ବ୍ୟର୍ଥ ପିତୃତ୍ୱ ପାଇଁ ନିଜକୁ ଅପରାଧୀ ବୋଲି ମନେ କରିଥିଲେ ।

 

ସୁବୋଧବାବୁ ସ୍ଥିରକଲେ ଝିଅକୁ ଝିଅଭଳି ସବୁଦିନପାଇଁ ନରଖି ସବାରୀରେ ବସାଇ ପର ଘରକୁ ବୋହୂ କରି ପଠାଇବାରେ ପିତୃତ୍ୱର ଯେତିକି ସାର୍ଥକତା ଆସିବ ତାଠାରୁ ଅଧିକ ସାର୍ଥକ ହେବ ଝିଅର ନାରୀଜନ୍ମ ।

 

ମାଳବିକାଦେବୀ ସେଦିନ ରିହର୍‌ସାଲ୍‌ରୁ ଫେରି ନଥାନ୍ତି ।

 

ରାତି ଯଥେଷ୍ଟ ହେଲାଣି । ସୁବୋଧବାବୁଙ୍କ ଆଖି ପତାରେ ତନ୍ଦ୍ରା ତା’ର ସ୍ପର୍ଶ ବି ଦେଇପାରି ନାହିଁ ।

 

ମାଳକୁ ସେ ବହୁବାର ପ୍ରଶ୍ନ କରିଛନ୍ତି । ତା’ର ବିବାହ ପାଇଁ ଉପଯୁକ୍ତ ଦୁଇ ଚାରିଜଣ ପାତ୍ର ସେ ନିଜେ ମନୋନୀତ କରି ମାଳ ଆଗରେ ଥୋଇଛନ୍ତି । ପ୍ରକାରାନ୍ତରେ ସୁବ୍ରତ କଥା ବି ଉଠାଇଛନ୍ତି । କିନ୍ତୁ ହାୟ ! ସେଇ ଗୋଟିଏ ଉତ୍ତର ସେ ବରାବର ପାଇ ଆସିଛନ୍ତି–ମୋର ଯଦି କେଉଁଠାରେ ଭୁଲ୍‌ ରହିଲା ତେବେ ଆପଣ ମୋତେ ସେଥିପାଇଁ ଶାସ୍ତି ଦିଅନ୍ତୁ ପଛେ କିନ୍ତୁ ଆପଣଙ୍କର କୋଳଛଡ଼ା ମୋତେ କରନ୍ତୁ ନାହିଁ । ଆପଣଙ୍କୁ ଏପରି ଅସହାୟ ଅବସ୍ଥାରେ ଛାଡ଼ି ମୁଁ କୁଆଡ଼େ ଯାଇ ପାରିବି ନାହିଁ ।

 

–କେତେଦିନ ଏପରି ପିଲା ବୁଦ୍ଧିଧରି ନାଚି କୁଦି ଖେଳୁଥିବୁ ? ସଂସାରପାଇଁ ତୋର ତ କିଛି ଦାୟିତ୍ୱ ଅଛି ?

 

–ମୁଁ ସମସ୍ତଙ୍କ ଆଖିରେ ବୁଢ଼ୀ ହୋଇପାରେ କିନ୍ତୁ ମୋ ବାପାଙ୍କ ଆଗରେ ମୁଁ ତ ପିଲା ! ସଂସାରର ଦାୟିତ୍ୱ ଆପଣ ତ ବୁଝୁଛନ୍ତି ! ମୁଁ କ’ଣ ଆପଣଙ୍କଠାରୁ ବେଶୀ ଦାୟିତ୍ୱ ସମ୍ପାଦନ କରି ପାରିବି ?

 

–ମୁଁ କ’ଣ ସବୁଦିନ ଥିବି ?

 

–ଆପଣ ସବୁଦିନ ବଞ୍ଚି ରହନ୍ତୁ ବୋଲି ମୁଁ ଭଗବାନଙ୍କୁ ପ୍ରାର୍ଥନା କରେ ।

 

ସୁବୋଧବାବୁ ସେଦିନ ଏକ ଅସହାୟ ଦୃଷ୍ଟିରେ ମାଳ ମୁହଁକୁ ଚାହିଁ ରହିଥିଲେ ।

 

ଆଖିରେ ଆଖିଏ ଲୁହ, ଛାତିରେ ଛାତିରେ କୋହ ଧରି ମାଳବିକା ତାଙ୍କର ଛାତି ଉପରକୁ ଢଳି ପଡ଼ିଲା । ସ୍ରୋତସ୍ୱନୀ ପରି ଲୁହ ତା’ର ଆଖିରୁ ଝରି ତାଙ୍କର ପଞ୍ଜାବୀଟା ଓଦା କରିଦେଲା ।

 

ପିତୃତ୍ୱର ଅହଙ୍କାରୀ ମନ ତାଙ୍କର ପାଗଳ ହୋଇ ମେଷ ଶାବକ ପାଲଟି ଗଲା... ।

 

ତ୍ରସ୍ତା କପୋତୀଟି ଭଳି ଝିଅ ତାଙ୍କର ସେଦିନ ତାଙ୍କରି ବକ୍ଷର ଆଶ୍ରୟ ଲୋଡ଼ୁଥିଲା ।

 

ସେଇଦିନୁ ଏ ପ୍ରଶ୍ନ ପୁନରାୟ ପଚାରିବାକୁ ସେ ମାଳକୁ ସାହାସ କରିପାରି ନାହାଁନ୍ତି । ସେଇଟା ତାଙ୍କର ଦୁର୍ବଳତା ହୋଇ ପାରେ କିମ୍ୱା ସ୍ନେହର ଆଧିକ୍ୟ ନେଇ ହୋଇପାରେ !

 

ବାହାରେ କବାଟର ଝଞ୍ଜିର ଝଣ ଝଣ ହେଲା ।

 

ପୋଷ୍ଟାଲ୍‌ ରିକ୍ରିଏସନ୍‌ କ୍ଳବରୁ ରିହଲ୍‌ସାଲ୍‌ ସାରି ବୋଧହୁଏ ମାଳବିକା ଫେରିଲା ।

 

ସୁବୋଧବାବୁ କବାଟ ଫିଟାଇବାକୁ ଗଲେ ।

 

ଘର ଭିତରକୁ ପଶିଆସିଲା ମାଳବିକା । ସାଙ୍ଗରେ ଜଣେ ତରୁଣ–ସୁପୁରୁଷ ।

 

ସୁବୋଧବାବୁ ତାଙ୍କର ଚଷମାର ମୋଟା କାଚ ଦେଇ ଟିକେ ନିରେଖି ଦେଖିବାକୁ ଚେଷ୍ଟା କଲେ ।

 

ଯୁବକର ସଭକ୍ତି ପ୍ରମାଣ ଗ୍ରହଣ କରୁ କରୁ ସୁବୋଧବାବୁ ଦେଖିଲେ ତରୁଣ ଜଣକ ତାଙ୍କରି ପରିଚିତ–ଧନଞ୍ଜୟ ।

 

ଧନଞ୍ଜୟ ମାଳବିକାଦେବୀଙ୍କ ସହ ଘର ଭିତରକୁ ଚାଲିଗଲା ।

 

ନିର୍ବୋଧ ଭାବରେ ସୁବୋଧବାବୁ ବାହାରକୁ ଚାହିଁ ରହିଲେ । ଗେଟ୍‌ ନିକଟରେ ମୁନିସିପାଲିଟି ଇଲେକ୍‌ଟ୍ରିକ୍‍ ବତୀ ଜଳି ଉଠିଛି–ଘର ଆଗରେ ଧନଞ୍ଜୟର ଫିଆଟ୍‌କାର୍‌ ଥୁଆ ହୋଇଛି । କାର ଭିତରୁ ବାହାରକୁ ମୁହଁ କାଢ଼ି ଜିଭ ଲହ ଲହ କରି ଶାର୍ଦ୍ଦୁଳରୂପୀ ଏକ ଆଲସିସିଆନ୍‌ କୁକୁର ପଛ ସିଟ୍‌ରେ ବସିଛି । ଧନଞ୍ଜୟର ଆଭିଜାତ୍ୟର ନମୁନ୍ନା ଏ–ଅହମିକାର ପଦକ ।

 

ଦିନକୁ ଦିନ ମାଳର କାର୍ଯ୍ୟକଳାପ ସୁବୋଧବାବୁଙ୍କ ଆଖିରେ ପ୍ରହେଳିକା ସୃଷ୍ଟି କରୁଛି । ମାଳବିକା ମନଇଚ୍ଛା ସବୁ କରି ଯାଉଥିବ ଆଉ ସେ କେବଳ ପଥରପରି ସବୁ ସହି ଯାଉଥିବେ ? ତାହା ଏଣିକି ଆଉ ହେବନାହିଁ । ଏତେଟା ସ୍ୱେଚ୍ଛାଚାରୀତା ନାରୀ ଜୀବନ ପାଇଁ ଜମାରୁ ଶୁଭଙ୍କରୀ ନୁହେଁ । ତାଙ୍କୁ ଏଣିକି ସମସ୍ତ ମାୟା ମମତାକୁ ଭୁଲିଯିବାକୁ ହେବ ! ପାଷାଣ ପରି ହୃଦୟକୁ କଠିନ କରି ମାଳକୁ ଶାସନ କରିବାକୁ ହେବ !

 

ସେ ପାଖ ଘରେ କଳ କଳ ହସ ଶୁଭୁଛି ।

 

ସୁବୋଧ ବାବୁ ଭାବୁଥିଲେ–ଏଇ ଧନଞ୍ଜୟ ପାଇଁ ସେଦିନ ଗୋଟାଏ ପ୍ରବଳ ଝଡ଼ ବହିଗଲା । ଶୁଷ୍କପତ୍ର ପରି ସେ ନିଜର ଅସ୍ତିତ୍ୱ ହରାଇ ସେଦିନର ଘୂର୍ଣ୍ଣିରେ ଘୂରିବାକୁ ଲାଗିଥିଲେ । ସେଦିନ ଦୁର୍ନୀତିଗ୍ରସ୍ତ ଶିଳ୍ପପତି ଧନଞ୍ଜୟର ପ୍ରବଳ ବିରୋଧ ମାଳବିକା କରୁଥିଲା । ସେଦିନର ଦୁର୍ବ୍ୟବହାର ପରେ ସେ ଆଶାକରି ନଥିଲେ ଯେ ଦୁଇଟି ବିପରିତ ଧର୍ମ୍ମୀ ମନର ପୁଣି ଏ ଅସମ୍ଭବ ମିଳନ ହେବ !

 

କିନ୍ତୁ ଆଜି ଏକଣ ସେ ଦେଖୁଛନ୍ତି !

 

ଧନଞ୍ଜୟ ଓ ମାଳବିକାର ବନ୍ଧୁତ୍ୱରେ ସୁବୋଧବାବୁ ଯେତିକି ବିସ୍ମିତ ହେଉଥିଲେ ତା ଅପେକ୍ଷା ପରିମାଣର ଭୟାବହତା ନେଇ ଆତଙ୍କିତ ହୋଇ ଉଠୁଥିଲେ ଯଥେଷ୍ଟ ବେଶୀ ।

 

ମନେମନେ ସେ ସୁବ୍ରତ ଉପରେ ଭୀଷଣ ବିରକ୍ତ ହୋଇଉଠୁଥିଲେ । ସେଇ ଅଶିଷ୍ଟ ଯୁବକ ସେଦିନ ଆସି ମାଳର ମୁଣ୍ଡ ବିଗାଡ଼ି ଦେଇ ଚାଲିଗଲା । ଯେଉଁ ନାଚ ଓ ଗୀତକୁ ସେ ଛିଃ କରି ଦେଇ ଏତେଦିନ ଧରି ଘରେ ବସି ରହିଥିଲା ସେଥିପ୍ରତି ସେଦିନ ସେ ପୁଣି ତା ମନରେ ମମତା ଜଗାଇ ଦେଇଗଲା । ମାଳବିକା ସଙ୍ଗେ ସାକ୍ଷାତ୍‌ କରିବାକୁ ସୁବ୍ରତକୁ ଅନୁମତି ଦେଇ ସେ ବି ଏକ ବିରାଟ ଭୁଲ୍‌ କରି ବସିଛନ୍ତି ! ନଚେତ୍‌ ଏତେବେଳକୁ ତାଙ୍କ ଝିଅର ଗତି ଭିନ୍ନମୁଖୀ ହୋଇ ସାରନ୍ତାଣି । କିଛି ନ ହୋଇଥିଲେ ମାଳକୁ ସେ ବିବାହ କରିବା ପାଇଁ ପ୍ରବର୍ତ୍ତାଇ ପାରିଥାନ୍ତେ । ମାଳ ତାଙ୍କର ବୋହୂ ସାଜି ଆଜି ସ୍ୱାମୀ, ଶ୍ୱଶୁର, ଯାଆ, ନଣନ୍ଦ ନେଇ ତା’ର ଘର-ସଂସାର କରୁଥାନ୍ତା ।

 

ମାଳବିକା ସହିତ ଧନଞ୍ଜୟର ନିରୋଳା ବାକ୍ୟାଳାପ ସୁବୋଧବାବୁଙ୍କ ପକ୍ଷରେ ବେଦନାମୟ ହୋଇଉଠୁଥିଲା । ସେ ଅସ୍ଥିର ହୋଇ ଉଠୁଥିଲେ ।

 

କିଛି ସମୟ ପରେ ଧନଞ୍ଜୟ ଘର ଭିତରୁ ବାହାରକୁ ଫେରି ଆସିଲା । ସୁବୋଧବାବୁଙ୍କୁ ପ୍ରମାଣକରି ବିଦାୟ ନେଲା ।

 

ଘୃଣାରେ ମୁହଁ ଫେରାଇଲେ ସୁବୋଧବାବୁ ।

 

ମାଳବିକାଦେବୀ ଧନଞ୍ଜୟକୁ ବିଦାୟ ଦେବାପାଇଁ ଫାଟକ ପର୍ଯ୍ୟନ୍ତ ଗଲେ ।

 

ଅଫୁରନ୍ତ ହସ । ବିଦାୟକାଳୀନ ମଧୁର ସଂଭାଷଣ–ସବୁ ସୁବୋଧବାବୁଙ୍କୁ ଶୁଣାଯାଉଥିଲା ।

 

କାର୍‌ରେ ଷ୍ଟାର୍ଟ ଦେଲା ଧନଞ୍ଜୟ ।

 

ମାଳବିକା ଫେରି ଆସୁଛି.....

 

ସୁବୋଧବାବୁଙ୍କ କଣ୍ଠରୁ ବଜ୍ରନିର୍ଘୋଷ ଗମ୍ଭୀରବାଣୀ ଶୁଣାଗଲା–ଏଠାକୁ ଆ ମାଳ !

 

ବିନୀତ ଭାବରେ ମାଳବିକାଦେବୀ ଠିଆହେଲେ ।

 

–ତୁ ଏସବୁ କ’ଣ କରି ଯାଉଛୁ ? ମୁଁ କ’ଣ ତୋତେ ଏଇଥିପାଇଁ ସ୍ୱାଧୀନତା ଦେଇଥିଲି-?

 

–ଆପଣଙ୍କ ପ୍ରଦତ୍ତ ସ୍ୱାଧୀନତାର ମୁଁ ତ ଅପବ୍ୟବହାର କରୁନାହିଁ ବାପା ?

 

–ଯେଉଁ ଧନଞ୍ଜୟ ଦିନ କେତେଟା ତଳେ ତୋ ଆଖିରେ ଚରିତ୍ରହୀନ, ଲମ୍ପଟ ଥିଲା, ଯାହାର ମୁଖ ଦର୍ଶନ କରିବାକୁ ତୁ ଘୃଣା କରୁଥିଲୁ, ସେ କିପରି ଏତେ ଶୀଘ୍ର ତା’ର ଚରିତ୍ରକୁ ସଂଶୋଧନ କରି ପାରିଲା ? କେଉଁ ସ୍ୱାର୍ଥର ବଶବର୍ତ୍ତୀ ହୋଇ ଏତେ ଚଞ୍ଚଳ ତାକୁ କ୍ଷମା ଦେଇ ପାରିଲୁ ତୁ ? ତାଠାରୁ କ’ଣ ମୋଟା ଅଙ୍କର ଆର୍ଥିକ ସାହାଯ୍ୟ ତୋର ଲୋଡ଼ା ?

 

–ବାପା !!! ଚିତ୍କାର କରି ଉଠିଲେ ମାଳବିକାଦେବୀ ।

 

–ଏଇଟା ରଙ୍ଗମଞ୍ଚ ନୁହେଁ ବା ତୋର ଅଭିନୟ ଦେଖିବାର ଅବସ୍ଥାରେ ଆଜି ମୁଁ ନାହିଁ । ବହୁତ ଅଭିନୟ ତୋର ଦେଖିଛି । ଖୁବ୍‌ ନିଖୁଣ ଅଭିନୟ ତୁ କରିପାରୁ । ଅନ୍ତତଃ ତୋ ବାପା ପାଖରେ ତୁ ଅକପଟ ହେବୁ ବୋଲି ମୁଁ ଆଶା କରୁଛି ।

 

–ସେ ଭରସା ମୋ ଉପରେ ରଖନ୍ତୁ ବାପା । ଆପଣଙ୍କ ସୁନାମରେ ମୁଁ କଦାପି କଳଙ୍କ ବୋଳିବିନି । ଯେଉଁ ଦିନ ଆପଣ ଶୁଣିବାକୁ ପାଇବେ ଯେ ଆପଣଙ୍କ ଝିଅ ମାଳବିକା ତା’ର ଚରିତ୍ର ହରାଇ ବସିଛି ସେଦିନ ସେ ଆଉ ଏ ଦୁନିଆଁରେ ନଥିବ । କଣ୍ଠ ଥରି ଉଠୁଥିଲା ମାଳବିକାଦେବୀଙ୍କର । ଆଖିରେ ଆଖିଏ ଲୁହ ଢଳ ଢଳ ହେଉଥିଲା ।

 

–ଧନଞ୍ଜୟ ସଙ୍ଗେ ତୋର ଏ ଅବାଧ ମିଳାମିଶାଟାକୁ ମୁଁ ପସନ୍ଦ କରୁନି ମା ! ମୋ ଅପେକ୍ଷା ଏହାର କାରଣ ତୁ ବୋଧହୁଏ ବେଶୀ ଜାଣୁ । ସୁବୋଧବାବୁଙ୍କ କଣ୍ଠ କୋମଳ ହୋଇ ଆସୁଥିଲା । ଦୁନିଆଁରେ ସେ ମାଳ ଆଖିରେ ଲୁହ ବ୍ୟତୀତ ଆଉ ସବୁ ସହ୍ୟ କରି ପାରନ୍ତି ।

 

–ଧନଞ୍ଜୟ ସହିତ ମିଳାମିଶାରେ ମୋର ଆନ୍ତରିକତା ନାହିଁ ବାପା ! ଅଭିନେତ୍ରୀ ମୁଁ । ଅଭିନୟ କରୁଛି ।

 

ଅଶ୍ରୁସିକ୍ତ ନୟନରେ ମାଳବିକାର ଗହଳିଆ କେଶର ଅରଣ୍ୟ ଉପରେ ନିଜ ଅଙ୍ଗୁଳିର ମୃଦୁ ଚାଳନା କରୁଥିଲେ ସୁବୋଧବାବୁ ।

 

ଏକ ମର୍ଡ଼ରକେଶର ଆର୍ଗୁମେଣ୍ଟ ସେଦିନ ଅଦାଲତରେ ଚାଲିଥାଏ । ବହୁତ ଲୋକ ଜମିଥାନ୍ତି ଆର୍ଗୁମେଣ୍ଟ ଶୁଣିବାପାଇଁ । ଚନ୍ଦ୍ରକାନ୍ତ ବୁଦ୍ଧିର ପରୀକ୍ଷା ଚାଲିଥାଏ ।

 

ଘରକୁ ଫେରୁ ଫେରୁ ସେଦିନ ଚନ୍ଦ୍ରକାନ୍ତର ଅସମ୍ଭବ ବିଳମ୍ୱ ହୋଇଥିଲା ।

 

ଚନ୍ଦ୍ରକାନ୍ତର ଅପେକ୍ଷାରେ ସୁଲି ବାହାରକୁ ଚାହିଁ ଚାହିଁ ଅତିଷ୍ଠ ହୋଇ ଉଠୁଥିଲା ।

 

ସଂଧ୍ୟା ବେଳୁ ମୁନ୍ନାଟା ଆଜି କାହିଁକି ଶୋଇ ପଡ଼ିଛି ।

 

ପାଖ ଘରେ ଦୀପୁ ବସି ପାଠପଢ଼ା ଆରମ୍ଭ କରିଦେଇଛି ।

 

ବାହାରେ କାର୍‌ର ହର୍ଣ୍ଣ ଶୁଣାଗଲା ।

 

ଚନ୍ଦ୍ରଭାଇ ବୋଧହୁଏ ଆସିଗଲେ ।

 

ସୁଲି ଚଞ୍ଚଳ ହୋଇ ଉଠିଲା ।

 

ଗ୍ୟାରେଜ୍‌ରେ କାର୍‌ଟା ରଖି ଚନ୍ଦ୍ରକାନ୍ତ ଯୋତା ମଚ୍‌ ମଚ୍‌ କରି ବେଡ଼୍‌ରୁମ୍‌କୁ ଚାଲିଗଲା-। ଯାତାରୁ ଲେସ୍‌ ଫିଟାଇ ଡ୍ରେସ୍‌ ବଦଳାଇଲା ।

 

ଆଜ୍ଞାଧୀନ ଭଉଣୀ ସୁଲି ଚାହାନେଇ ହାଜର ହେଲା ।

 

ଟିପୟ୍‌ ଉପରେ ଚା’କୁ ରଖିବାକୁ ଅଙ୍ଗୁଳିଦ୍ୱାରା ଇଙ୍ଗିତ ଦେଇ ଚନ୍ଦ୍ରକାନ୍ତ କ୍ଳାନ୍ତିରେ ଗୋଟାଏ ନିଃଶ୍ୱାସ ମାରି କହିଲା–ବୁଝିଲୁ ସୁଲି, ଆଜି ମଣିଷର ଦଫା ଶେଷ୍‌ । ଗୋଟାଏ ବଡ଼ଧରଣର ମର୍ଡ଼ରକେଶ୍‌ର ଆର୍ଗୁମେଣ୍ଟ ଚାଲିଥିଲା । ଦିନ ଦୁଇଟାରୁ କୋର୍ଟରେ ହାକିମ ଆଗରେ ଠିଆ ହୋଇଛି ଯେ ଏଇ ବର୍ତ୍ତମାନ ଛୁଟି ମିଳିଲା ।

 

-ସନ୍ଧ୍ୟା ପର୍ଯ୍ୟନ୍ତ କଚେରୀ ହେଉଥିଲେ ହେଉଥିବ ! ବିଳମ୍ୱ ପାଇଁ ମୁଁ ତ ତୁମକୁ କୈଫିୟତ୍‌ ମାଗୁନି ? ଆଗତୁରା କାହିଁକି କହି ହେଉଛ ଯେ ଦେଉଳରେ କିଏ ନା ମୁଁ କଦଳୀ ଖାଇନି ? ସେଇତକ କୈଫିୟତ୍‌ ମାଗିବାର ଯାହାର ଅଧିକାର ଅଛି ତାରି ଅନୁପସ୍ଥିତିର ସୁଯୋଗ ନେଇ ତୁମେ ସିନା ଏପରି ଦୁଷ୍ଟ ହୋଇଉଠିଛ । ମନଇଚ୍ଛା ଘରକୁ ଆସୁଛ । ସମୟ ଅସମୟ ନାହିଁ । ସବୁବେଳେ ଖାଲି କହି ହେଉଛ କାମ–କାମ । ଅଭିମାନ ମିଶିଥିଲା ସୁଲିର କଣ୍ଠରେ ।

 

ଚାହା କପ୍‌ରେ ଚୁମକ୍‌ ଦେଇ ଦେଇ ଚନ୍ଦ୍ରକାନ୍ତ କହିଲା–ତୁ ତାହେଲେ କହୁଛୁ ମୁଁ ବିନା କାର୍ଯ୍ୟରେ ବିଳମ୍ୱ କରୁଛି ? ମୋର ଦାୟିତ୍ୱ ଜ୍ଞାନ କିଛି ନାହିଁ ?

 

–ମିଛତ ମୁଁ କହିନି....

 

–ଦିନେ ତୋ ନୂଆ’ଉ ମୋତେ ଏପରି ଅବିଶ୍ୱାସ କରୁଥିଲା ।

 

–ତାର ପରିଣତିରେ ତୁମେ ତାଙ୍କୁ ଘରୁ ବାହାର କରି ଦେଲ । ଏୟାନା ? ଚନ୍ଦ୍ରକାନ୍ତ ମୁହଁରୁ କଥା ଛଡ଼ାଇ ନେଇ ସୁଲି କହିଲା ।

 

–ମୁଁ ବାହାର କରିଦେଲି ? ତୁ ବି ସୁଲି ଏକଥା କହିପାରିଲୁ ?

 

–ତୁମେ ବାହାର କରି ନ ଦେଇଥିଲେ ସେ କ’ଣ ମନକୁ ଚାଲି ଯାଉଥିଲେ ?

 

–ସବୁ ଶୁଣି, ସବୁ ଜାଣି, ଏ ଘରେ ବର୍ଷେକାଳ ରହିବା ପରେ ତୁ ବି ମୋତେ ଅପର ଲୋକଙ୍କ ଭଳି ଅପବାଦ ଦେଇ ପାରିଲୁ ? ଚନ୍ଦ୍ରକାନ୍ତ କଣ୍ଠରେ ବ୍ୟଥାର ପରାଶ ।

 

–ହାତ ଧରି ଯାହାକୁ ଘରକୁ ଆଣିଥିଲ, ହସ ଖୁସିରେ ଯାହା ସଙ୍ଗେ ଚାରିବର୍ଷ ବିତାଇ ଦେଲ ସେ ତ ନିଜର ହୋଇପାରିଲା ନାହିଁ ! ଆଉ ମୁଁ ତ ରାସ୍ତା କଡ଼ରେ ବୁଲୁଥିଲି । ଆଶ୍ରାପାଇଁ ତୁମ ଓଳିତଳେ ହାତ ପାତି ଠିଆ ହୋଇଛି–ମୁଁ କିପରି ଆପଣାର ହେବି କହିଲ ?

 

ମାନେ ? ଏ ସବୁ ତୁ କ’ଣ କହୁଛୁ ?

 

–ମୁଁ ତ ଭୁଲ୍‌ କିଛି କହୁ ନାହିଁ ? କେବଳ ଏତିକି କହୁଛି ତୁମେ ମୋତେ ଏ ଜଞ୍ଜାଳରୁ ମୁକ୍ତି ଦିଅ । ମୁଁ ଯେପରି ଏ ଘରକୁ ଆସିଥିଲି ସେମିତି କାଲି ଚାଲିଯିବି । ଦୀପକୁ ମଣିଷ କରିବାର ଦାୟିତ୍ୱ ତୁମେ ନେଇଛ । ତୁମ ଭଳି ମାମୁଁ ଥିଲେ ସେ କେବେ ଅଶିକ୍ଷିତ ହୋଇ ଲଫଙ୍ଗା ପରି ରାସ୍ତାରେ ବୁଲିବ ନାହିଁ–ଏ ବିଶ୍ୱାସ ମୋର ଅଛି । ସୁଲି ଆଖିରେ ଆଖିଏ ଲୁହ ଢଳ ଢଳ ହେଉଥିଲା-

 

ସୁଲି ଆଖିରେ ଲୁହ !! କ’ଣ ତା’ର ଅସୁବିଧା ହୋଇଛି ଯାହା ଫଳରେ ସେ ଅଶ୍ୱସ୍ତି ଅନୁଭବ କରୁଛି ! ଏ ଘରୁ ଚାଲିଯିବା ପାଇଁ ଜିଦ୍‌ ଧରୁଛି ! ଚନ୍ଦ୍ରକାନ୍ତ ମନରେ ଅସଂଖ୍ୟ ପ୍ରଶ୍ନବାଚୀ ।

 

କିଏ କ’ଣ ତୋତେ କହିଲା ?

 

–ଅଞ୍ଚଳ କାନିରେ ଚଞ୍ଚଳ ଲୁହ ପୋଛି ସୁଲି କହିଲା–ଏଘରେ ମୋତେ କହିବାକୁ କିଏ ଅଛି ? ମଣିଷ ବୋଲି ଦୁଇଜଣ ଆମେ । ତୁମେ ତ କହିନ କହିବ କିଏ ? ସହର ବଜାର ଯାଗାରେ କେଉଁ ସାଇ ପଡ଼ିଶା ଅଛନ୍ତି ଯେ କହି ବସିବେ ? ଯିଏ ଯେଝା ଧନ୍ଦାରେ ବ୍ୟସ୍ତ । ଏଠାରେ କେହି କାହାର ହାନି ଲାଭ ବୁଝନ୍ତି ନାହିଁ । ଯିଏ କହନ୍ତା କରନ୍ତା ତାକୁ ତ ତୁମେ ଦୂରେଇ ଦେଇଛ.........

 

–ତୋ କଥାର ମର୍ମ ମୁଁ ତ କିଛି ବୁଝି ପାରୁନି !

 

–ବୁଝିବାକୁ ତ କେବେ ଚେଷ୍ଟା କରିନାହିଁ–ବୁଝିବ କିପରି ? ସୁରୁଖୁରୁରେ ସଂସାର ତୁମର ଗଡ଼ି ଚାଲିଛି । ତେଣୁ ନିଶ୍ଚିନ୍ତ ହୋଇ ବସିଛ । ମୁଁ କ’ଣ ଅଚିନ୍ତା ହୋଇ ତୁମ ଭଳି ବସି ପାରିବି ? ମୋର ତ ଫେର୍‌ ସଂସାର ଅଛି ? ସବୁ ଦିନ କ’ଣ ତୁମ ପାଖରେ ପଡ଼ି ରହିଥିବି ? ଦାସୀ, ପୋଇଲୀ ପରି ଖଟି ଖାଉଥିବି ?

 

–ଦାସୀ, ପୋଇଲୀ ଭାବରେ ଯଦି କେଉଁଦିନ ତୋତେ ବ୍ୟବହାର ଦେଖାଇଥିବି ମୋତେ ଅନ୍ତତଃ କ୍ଷମା ଦେବୁ ସୁଲି ! ତୁ ଏଘରକୁ ଆସିଲା ବେଳେ ଯେପରି କୌଣସି ବାଧା ନଥିଲା, ସେପରି ଏ ଘରର ବନ୍ଧନ ତୁଟାଇ ଯିବା ପାଇଁ ବି ମୋର ଆପତ୍ତି ନାହିଁ । ତୁ କାହିଁକି ମୋ ପାଇଁ ସନ୍ତୁଳି ହୋଇ ମରିବୁ ? ତୋର ତ ଭବିଷ୍ୟତ ଅଛି; ତୋର ତ ସଂସାର ଅଛି ! ଦୁଃଖରେ ଚନ୍ଦ୍ରକାନ୍ତର କଣ୍ଠ ଥରି ଉଠୁଥିଲା ।

 

–ମୋତେ ଭୁଲ୍‌ ବୁଝନି ଚନ୍ଦ୍ରଭାଇ । ତୁମକୁ ନିନ୍ଦିଲେ ଅହିନର୍କରେ ପଡ଼ିବି । ଦେବତା ତୁମେ, ମଣିଷ ନୁହଁ । ଯେ ପର୍ଯ୍ୟନ୍ତ ନୂଆ’ଉ ଏ ଘରର ଦାୟିତ୍ୱ ନ ନେଇ ମୁଁ ନେଇଥିବି ଏ ଲୋକମାନେ କ’ଣ ତୁମକୁ ଦେବତା ରୂପରେ ଦେଖୁଥିବେ ? ନିଜ ଘରକୁ ନିଚିପର କରି ଯତ୍ନନେଲେ ତାକୁ କହନ୍ତି ଘରଣୀ ! କିନ୍ତୁ ପରଘରକୁ ନିଜ ଘରପରି ଯେ ମଣେ ତାକୁ ଲୋକେ କହନ୍ତି ପୋଇଲୀ । ଚନ୍ଦ୍ରଭାଇ ଆଚ୍ଛା କୁହତ କେତେଦିନ ଦୁନିଆଁ ଆଖିରେ ଧୂଳିଫିଙ୍ଗି ତୁମେ ଏମିତି ଚଳିବ ? ଲୋକେ ସିନା ତୁମ ମୁହଁରେ କହୁ ନାହାନ୍ତି ବା ମୋ ଆଗରେ କହୁ ନାହାଁନ୍ତି । କିନ୍ତୁ ପଛରେ କ’ଣ କଥା ହେଉ ନଥିବେ ଯେ କି ଉଦ୍ଦେଶ୍ୟ ନେଇ ମୁଁ ଏଠାରେ ପଡ଼ିରହିଛି ଆଉ କେଉଁ ମର୍ମ୍ମରେ ତୁମେ ନୂଆ’ଉଙ୍କୁ ଏଠାକୁ ଆଣୁନାହିଁ ! ଲୋକଙ୍କ ମୁହଁରେ ତୁମେ କିମ୍ୱା ମୁଁ କେହି ବାଡ଼ବତା ଦେଇ ପାରିବା ନାହିଁ ।

 

ଅପଲକ ଚାହାଣୀରେ ସୁଲି ମୁହଁକୁ କିଛି ସମୟ ଚାହିଁ ରହିବା ପରେ ଚନ୍ଦ୍ରକାନ୍ତ ଗମ୍ଭୀର ସ୍ୱରରେ କହିଲା–ତୁ ଏତେ ନୀଚ ସୁଲି ? ଏତେ ନିମ୍ନସ୍ତରର ଭାବନା ତୋର ବୋଲି ମୁଁ ପୂର୍ବରୁ କେବେ କଳ୍ପନା କରି ପାରି ନଥିଲି ।

 

ସତ୍ୟ କହିଲେ ଯଦି ଅପରାଧ ହୁଏ ତେବେ ସେ ଅପରାଧକୁ ମୁଁ ଗ୍ରହଣ କରିନେବି ଚନ୍ଦ୍ରଭାଇ ।

 

ଚନ୍ଦ୍ରକାନ୍ତ ଝଡ଼ ଭଳି ସେ ଘରୁ ବାହାରି ଚାଲିଗଲା । ଆଖିରୁ ତା’ର ଧାର ଧାର ହୋଇ ଲୁହ ବହି ଚାଲିଥାଏ ।

 

ଚନ୍ଦ୍ରକାନ୍ତ ମନରେ ଚମକ ଲାଗିଲା । ସୁଜାତାର ଚିଠି କ’ଣ ସୁଲି ପଢ଼ିବାକୁ ପାଇଛି କି-? ଅଳ୍ପ କେତେଦିନ ତଳେ ଏଇ କୁତ୍ସିତ ଆକ୍ଷେପ ଭରି ସୁଜାତା ତା ପାଖକୁ ଚିଠି ଲେଖିଥିଲେ । ଏଇ ଅପବାଦ ସେ ବି ଦେଇଥିଲା ତାକୁ ।

 

ସୁଜାତା ଲେଖିଥିଲା–ନିଜର ଭଉଣୀ ଠାରୁ ଅନ୍ୟ ତରୁଣୀକୁ ଯଦି ବେଶି ଆଦର ବା ସ୍ନେହ କରାଯାଏ ତେବେ ସେ ସ୍ନେହକୁ ମହାଜନମାନେ ପ୍ରେମର ଆଖ୍ୟା ଦେଇଥାନ୍ତି । ଭଉଣୀ ଆଢ଼ୁଆଳରେ ସେ ତରୁଣୀଟି ପ୍ରେମିକା ସାଜେ । ତାପାଇଁ ବୁକୁ ବଥାଏ । ହୃଦୟରେ ଦରଦ ଆସେ-। ଆପଣା ପରହୁଏ–ଦୁନିଆଁଟାକୁ ଭଲ୍‌ ବୁଝିବାକୁ ମଣିଷ ବାଧ୍ୟ ହୁଏ । ଆଖିର ଆଢ଼ୁଆଳର ମଣିଷ ମନରୁ ଦୂରେଇ ଯାଏ । ଅତୀତର ସ୍ନେହ, ମମତା ସ୍ମରଣ ହୋଇ ପାରେ ନାହିଁ । ଆଉ ଖୁବ୍‌ କ୍ୱଚିତ୍‌ ଲୋକ ଏପରି ଭୁଲ୍‌ କରି ବସନ୍ତି ଯେପରି ତୁମେ ମୋ ପ୍ରତି କରି ବସିଛ ।

 

ସୁଲି ତୁମର ଜନ୍ମିତ ଭଉଣୀ ନୁହେଁ । ସେ କିଛି ବୁଢ଼ୀ ହୋଇ ଯାଇନାହିଁ । ମନରୁ ତା’ର ଭୋକ ମରିନାହିଁ କିମ୍ୱା ଅଙ୍ଗରୁ ରଙ୍ଗ ଝରି ନାହିଁ । ଦେହରେ ସିନା ସେ ବିଧବା ହୋଇଛି କିନ୍ତୁ ମନରେ ସେ ବିଧବା ନୁହେଁ । ତା ରକ୍ତରେ ଏବେ ବି ନିଆଁ ଲାଗୁଥିବ !

 

ତେବେ କେଉଁ ଆଶାରେ, କେଉଁ ଭରସାରେ ତୁମେ ଜଣେ ଯୁବତୀ–ବିଧବାକୁ ଆଶ୍ରା ଦେଇଛ ?

 

କେତେଘଣ୍ଟା ମାତ୍ର ମୁଁ ପରପୁରୁଷଙ୍କ ସଙ୍ଗେ ମିଶୁଥିଲି ବୋଲି ସେଥିପାଇଁ ତୁମର ଅନୁମତି ଲୋଡ଼ା ହେଉଥିଲା ! ଅନୁମତି ତୁମର ନନେଇ ମୁଁ ବାନ୍ଧବୀମାନଙ୍କ ଘରକୁ ଚାଲିଯାଇଥିଲି ବୋଲି ତୁମ ବିଚାରରେ ଅସତୀ ହେଲି ! ମୋର ଚରିତ୍ରରେ ତୁମେ ସ୍ଫଳନ ଦେଖିପାରିଲ ! ହେଲେ ଛାତିରେ ହାତ ଦେଇ କହିପାରିବ ମାସ ମାସ ଧରି ତୁମେ ଜଣେ ଯୁବତୀ ସହ ଏକତ୍ର ବାସକରି ବି ତୁମର ଚରିତ୍ର କ’ଣ ଉଜ୍ଜ୍ୱଳ ରହିଛି ?

 

ନାରୀ କେବଳ କାନ୍ଦି ଜାଣେ ନାହିଁ କନ୍ଦାଇବି ଜାଣେ ! ତୁମର ଏକଥା ଜାଣିବା ଉଚିତ୍ ଯେ ଆଘାତ ପାଇଲେ ପ୍ରତ୍ୟେକ ପ୍ରାଣୀ ପ୍ରତିଆଘାତ ଦେବାପାଇଁ ବ୍ୟାକୁଳ ହୋଇ ଉଠନ୍ତି ।

 

ଟେବୁଲର ଡ୍ରୟାର୍‌ଟା ଭିଡ଼ି ଆଣିଲା ଚନ୍ଦ୍ରକାନ୍ତ । ଡ୍ରୟାର୍‌ ଭିତରେ ସେଇପରି ସେହିଠାରେ ଚିଠିଖଣ୍ଡ ଥୁଆ ହୋଇଛି । କିଛି ପରିବର୍ତ୍ତନ ବି ହୋଇନାହିଁ ।

 

ଚନ୍ଦ୍ରକାନ୍ତର ମନ ଭିତରୁ ଯେପରି ଚିତ୍କାରକରି କିଏ କହି ଉଠିଲା–ସୁଲି ଏ ଚିଠିକୁ ଆଦୌ ସ୍ପର୍ଶ କରିନାହିଁ । ଏଇ ଘରେ ଗୋଟିଏ ବର୍ଷ ବିତାଇବା ଭିତରେ ସୁଲି ତା’ର ଅନୁପସ୍ଥିତିରେ ଚେମ୍ୱାରକୁ ଆସିନାହିଁ କିମ୍ୱା କୌଣସି ଜିନିଷକୁ ସ୍ପର୍ଶ ବି କରିନାହିଁ ।

 

ତେବେ ସୁଲିର ଏ ଅଚାନକ ଆକ୍ରମଣ କାହିଁକି ?

 

ହଠାତ୍‌ ଘର ଭିତରକୁ ପଶି ଆସିଲା ସୁଲି । କାନ୍ଦି କାନ୍ଦି ଆଖି ଦୁଇଟା କୁମ୍ଭାଟୁଆ ଆଖି ପରି ଲାଲ ଦିଶୁଛି । କାନ୍ଦୁ କାନ୍ଦୁ ସେ କହିଲା–ମୋତେ କ୍ଷମା କର ଚନ୍ଦ୍ରଭାଇ; ତୁମକୁ ଅପବାଦ ମୁଁ ଦେଇ ନାହିଁ କିମ୍ୱା ଦେବାର ଦୁଃସାହାସ ବି କରିନାହିଁ । ଗାଆଁରେ ପାଞ୍ଚ ପଚିଶ ଜଣ ଯାହା ଭାବୁଥିବେ ସେଇକଥା ମୁଁ କହିଲି । ତୁମେ ଯେଉଁ ଉଦାରତା କଥା ଭାବୁଛ ତାହା କ’ଣ ଆମ ସମାଜରେ ସମ୍ଭବ ? ତୁମେ ଯାଅ–ନୂଆବୋଉଙ୍କୁ ନେଇ ଆସ । ମୋର ପ୍ରାର୍ଥନା ଏ ବାଇଆ ବୁଦ୍ଧି ଛାଡ଼ ।

 

–ତୁ ସୁଲି ଲୋକ ଅପବାଦକୁ ଡରି ଏ ଘରୁ ଚାଲିଯାଇ ପାରୁ କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଚନ୍ଦ୍ରଭାଇ ତୋର ପ୍ରସ୍ତୁତ ଅଛି । ନୂଆବୋଉଙ୍କୁ ତୋର ମୁଁ ଏ ଘରୁ ତଡ଼ି ଦେଇ ନଥିଲି–ତେଣୁ ଖୋସାମତ କରି ଯାଇ ଆଣିବାର ପ୍ରଶ୍ନ ଉଠୁନାହିଁ । ଇଂରାଜୀରେ ଗୋଟିଏ କଥା ଅଛି–ଶିଶୁ, ନାରୀ ଓ କାପୁରୁଷଙ୍କର ଅଶ୍ରୁହିଁ ସମ୍ୱଳ । ତୁ ନାରୀ ! ନୀରବ ଅଶ୍ରୁ-ତର୍ପଣ ତୁମମାନଙ୍କ ପକ୍ଷରେ ଶୋଭାପାଏ । କିନ୍ତୁ ମୁଁ ତ କାପୁରୁଷ ନୁହେଁ ! ମୋର ବିଚାର ବିବେକ କଦାପି ତୋର ଅଶ୍ରୁରେ ବିଚଳିତ ହେବ ନାହିଁ । ଆଜି ମୋର ଆଖିରେ ତୁ ଯେଉଁ ଅଶ୍ରୁର ବନ୍ୟା ଛୁଟାଇ ଦେଲୁ ସେ ଅଶ୍ରୁ ଏକ ଅସହାୟର ସ୍ମାରକୀ ନୁହେଁ କିମ୍ୱା ଦୁର୍ବଳତାର ପରିଚାୟକ ନୁହେଁ । ସେ ହେଉଛି ତୋ ପାଇଁ ମୋ ମନ ଭିତରେ ଥିବା ଆଦର, ସ୍ନେହ ଆଉ କଲ୍ୟାଣର ଅଶ୍ରୁ । ରୁମାଲରେ ଚନ୍ଦ୍ରକାନ୍ତ ନିଜର ଆଖି ପୋଛିଲା ।

 

–ତୁମେ ତାହାହେଲେ ନୂଆ’ଉଙ୍କୁ ଆଣିବାକୁ ଯିବ ନାହିଁ ?

 

–ନା-ନା-ନା–ଚିତ୍କାର କରି ଉଠିଲା ଚନ୍ଦ୍ରକାନ୍ତ ।

 

–ଏମିତି କେତେଦିନ ଚଳିବ ? ଏଥିରେ କ’ଣ ଭାବୁଛ ତୁମର ମାନ ସମ୍ମାନ ବଢ଼ୁଛି ?

 

–ମାନ ଆଉ ସମ୍ମାନ ଏ ଦୁଇଟା ମୋର ବ୍ୟକ୍ତିଗତ । ତା’ର ଲାଭକ୍ଷତିର ହିସାବ ମୁଁ ରଖିବି । ଦୁନିଆଁ ସାରା ସେଥିପାଇଁ ବ୍ୟସ୍ତ ହେଲେ ମୁଁ କ’ଣ କରି ପାରିବି ? ସବୁ କଥାରେ ଦୁନିଆଁକୁ ସନ୍ତୋଷ କରିବା ମୋର ଧର୍ମ ନୁହେଁ ।

 

–ମୁଁ ତାହାହେଲେ ନିଜେ ଯିବି । ନୂଆ’ଉଙ୍କ ପାଦତଳେ ପଡ଼ି କହିବି ‘‘ସବୁଦୋଷ ଆମର । ତୁମେ ଫେରିଆସ । ତୁମ ଘରର ଦାୟିତ୍ୱ ତୁମେ ନିଅ ।’’–ନରମ କଣ୍ଠରେ ସୁଲି କହିଲା ।

 

ସୁଜାତା ପାଖକୁ ତୁ ଯିବାରେ ମୁଁ ବାଧା ଦେବି ନାହିଁ । କିନ୍ତୁ ତୋ ନୂଆବୋଉ ଯଦି କହିବସିବ ଯେ ନିଜ ଭଉଣୀଠାରୁ ଅନ୍ୟ ତରୁଣୀକୁ ଯିଏ ବେଶୀ ସ୍ନେହକରେ ତାକୁ ପ୍ରେମିକ କୁହନ୍ତି-! –ତୁ ସମ୍ଭାଳି ପାରିବୁ ସେ ଆଘାତ ?

ନିର୍ବାକ ହୋଇ ସୁଲି ଚନ୍ଦ୍ରକାନ୍ତ ମୁହଁକୁ ଚାହିଁ ରହିଲା । ଯେଉଁ ଶର ସେ ନିଜେ ନିକ୍ଷେପ କରିଥିଲା ସେଇ ଶର ପୁଣି ତା ପାଖକୁ ଲେଉଟି ଆସିଛି । ଏଥରକୁ ମିଶାଇ ସେ ବହୁବାର ଚନ୍ଦ୍ରଭାଇଙ୍କୁ ଅନୁରୋଧ କରିଛି କିନ୍ତୁ ଚନ୍ଦ୍ରଭାଇ ତାଙ୍କର ନିଷ୍ପତ୍ତି ଉପରେ ଅଚଳ, ଅଟଳ ।

ସେପାଖ ଘରେ ମୁନ୍ନା କାନ୍ଦି ଉଠିଲା ।

ନିଦ ଭାଙ୍ଗିଲାଣି ବୋଧହୁଏ ! ନିଦ ମଳ ମଳ ଆଖିରେ ସୁଲିକୁ ଖୋଜୁଖୋଜୁ ହୁଏତ ପଲଙ୍କ ତଳକୁ ଗଡ଼ି ପଡ଼ିବ ।

କଥା ସେଇଠାରେ ରହିଲା । ସୁଲି ବ୍ୟସ୍ତହୋଇ ମୁନ୍ନା ପାଖକୁ ଦଉଡ଼ିଗଲା ।

ମାଳବିକାଦେବୀ ଚିଠି ଲେଖିଛନ୍ତି ।

ପଢ଼ୁଥିଲା ସୁବ୍ରତ ।

ମାଳବିକାଦେବୀଙ୍କ ଲେଖିଛନ୍ତି–ଧନଞ୍ଜୟବାବୁଙ୍କର ଏକ ଗାର୍ଡ଼ନ ପାର୍ଟିରେ ଯୋଗ ଦେବାପାଇଁ ମୁଁ ବ୍ରହ୍ମପୁର ଆସି ରହି ଯାଇଛି । ଧନଞ୍ଜୟବାବୁଙ୍କର ଆତିଥ୍ୟରେ ମୁଁ ମୁଗ୍‌ଧ ହୋଇଛି ମୋର ଧାରଣା ନଥିଲା ଧନଞ୍ଜୟବାବୁ ଏତେ ଚାଲାକ୍‌, ଏତେ ବୁଦ୍ଧିମାନ୍‌ ଆଉ ଏତେ ନିର୍ଭୀକ...

ବହୁଦିନର ତିକ୍ତତାକୁ ସେ ଏତେ ଶୀଘ୍ର ଭୁଲି ଯାଇ ପାରିବେ ବୋଲି ମୁଁ କଳ୍ପନା କରି ନ ଥିଲି । ଏଠାରେ ତାଙ୍କର ଏକ ଦ୍ୱିତଳ ପ୍ରାସାଦ ଅଛି । ସେହିଠାରେ ଆପାତତଃ ରହୁଛି । ବହୁଦିନଧରି ଅଭିନୟର ବ୍ୟସ୍ତତା ଭିତରେ ଅଣନିଶ୍ୱାସୀ ହୋଇଉଠିବା ପରେ ଏଠାରେ ଅନ୍ତତଃ ନିରୋଳାରେ ଟିକିଏ ବିଶ୍ରାମ ନେଉଛ ।

 

ହଁ ଧନଞ୍ଜୟବାବୁଙ୍କ କଥା ଦି’ପଦ ଲେଖିଛି । ସେ କେବଳ ଚାଉଳ କଳ ମାଲିକ ବୋଲି ଆମେ ସମସ୍ତେ ଜାଣିଥିଲେ । କିନ୍ତୁ ପ୍ରକୃତ ସେଇଟା ତାଙ୍କର ପ୍ରକୃତ ପରିଚୟ ନୁହେଁ । ସେ ଜଣେ ଅସାଧାରଣ ମନୁଷ୍ୟ । କ’ଣ ସେ ନକରନ୍ତି ଆଉ କ’ଣ ଅବା ନକରି ପାରିବେ ? ସେ ସିନା ମନ୍ତ୍ରୀ, କି ଏମ୍‌. ଏଲ୍‌. ଏ. ନୁହଁନ୍ତି, କିନ୍ତୁ ମନ୍ତ୍ରୀ; ଏମ୍‌. ଏଲ୍‌. ଏ କିଏ ହେବେ ତା’ର ଚିଠା ସେ ପ୍ରସ୍ତୁତ କରନ୍ତି-। ପ୍ରାୟ ଅଧିକାଂଶ ଦିନ ଏଠାରେ ବିଭିନ୍ନ ନେତାଙ୍କ ସହ ତାଙ୍କର ଆଳାପ ଆଲୋଚନା ହୁଏ-। କୋଇଲା ଡିପୋ ପରମିଟ୍‌; କିରୋସିନିର ହୋଲ୍‌ସେଲ ଏଜେନ୍‌ସି; ସରକାରଙ୍କର ଧାନ ପରଚେଜିଙ୍ଗ୍‌ ଏଜେନ୍‌ସି; ଚିନି, ଅଟା ସୁଜି ପ୍ରଭୃତି କଣ୍ଟ୍ରୋଲ ଜିନିଷ ବିକ୍ରି କରିବାର ଡିଲରସିପ୍‌ ପାଇଁ ବହୁତ ଲୋକ ଆସି ତାଙ୍କ ପାଖରେ ଭିଡ଼ ଜମାନ୍ତି । ସମସ୍ତଙ୍କୁ ପ୍ରତିଶ୍ରୁତି ଦିଅନ୍ତି । କେତେକଙ୍କର ଅନୁରୋଧ ରକ୍ଷା ବି କରନ୍ତି । ଏ ସବୁ ଘରୋଇ ବ୍ୟାପାର ବୁଝିବକୁ ତାଙ୍କର ଜଣେ ମହିଳା ପ୍ରାଇଭେଟ୍‌ ସେକ୍ରେଟାରୀ ଅଛନ୍ତି । ସେ ସଂକ୍ରାନ୍ତୀୟ କାଗଜପତ୍ର ତାଙ୍କ ବ୍ୟତୀତ ଆଉ କେହି ଜାଣନ୍ତି ନାହିଁ ।

 

ସେ ଭଦ୍ରମହିଳା ମଧ୍ୟ ଏଠାରେ ରହନ୍ତି । ତାଙ୍କ ସହିତ ମୋର ଆତ୍ମୀୟତା ଧୀରେ ଧୀରେ ଜମିଉଠୁଛି । ତାଙ୍କ ବିଷୟ ତଳେ ଲେଖିଲି ।

 

ସମସ୍ତ ଗୋପନୀୟ କାଗଜପତ୍ର ତନଖି କରୁଥିବା, ଅତି ବିଶ୍ୱାସୀ ଏଇ ଭଦ୍ର ମହିଳା ଜଣକ ହେଉଛନ୍ତି ଧନଞ୍ଜୟ ବାବୁଙ୍କର ବନ୍ଧୁପତ୍ନୀ । ଶୁଣି ବିସ୍ମିତ ହେବ ଯେ ସେ ମହିଳା ଜଣଙ୍କ ମଧ୍ୟ ତୁମର ବନ୍ଧୁପତ୍ନୀ ।

 

ଚିଠିଟି ପଢ଼ୁପଢ଼ୁ ସୁବ୍ରତ ଚମକି ଉଠିଲା । ଧନଞ୍ଜୟପରି ଜଣେ ଅଶିଷ୍ଟ ଯୁବକ ସହିତ ତା’ର ଜଣେ ବନ୍ଧୁପତ୍ନୀ ବାସକରୁଛନ୍ତି !!

 

ସୁବ୍ରତ ପୁଣି ପଢ଼ିଲା–ତୁମର ସେଇ ବନ୍ଧୁପତ୍ନୀଙ୍କ କଥା କହୁଛି । ସ୍ୱାମୀ ତାଙ୍କର କଟକରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ସାମାନ୍ୟ କାରଣରୁ ସ୍ୱାମୀ ସ୍ତ୍ରୀ ଭିତରେ ମତାନ୍ତର ହୋଇ ମନୋମାଳିନ୍ୟ ସୃଷ୍ଟି ହୁଏ । ଅଭିମାନରେ ଘରଦ୍ୱାର, ସ୍ୱାମୀ ଏବଂ ଏକମାତ୍ର ଶିଶୁପୁତ୍ରକୁ ତ୍ୟାଗ କରି ସେ ଏଠାରେ ଧନଞ୍ଜୟବାବୁଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି ।

 

ପ୍ରଥମକରି ତାଙ୍କସହ ମୋର ପରିଚୟ ହେବାଦିନ ସେ ମୋତେ ଆଦୌ ବିଶ୍ୱାସ କରୁ ନଥିଲେ । ମୁଁ ଅଭିନେତ୍ରୀ, ଏତିକି ଜାଣିବାପରେ ସେ ମୋତେ ମନେ ମନେ ଘୃଣା କରୁଥିଲେ । ଖୁବ୍‌ ଗମ୍ଭୀର ରହୁଥିଲେ ଓ ଖୁବ୍‌ ଅଳ୍ପ କଥାବାର୍ତ୍ତା ମୋ ସଙ୍ଗେ କରୁଥିଲେ ।

 

ମୁଁ ତାଙ୍କୁ ଏଠାରେ ଦେଖିବାପରେ ମୋର ଯଦିଓ ତାଙ୍କ ପ୍ରତି କୌଣସି ଅଭିଯୋଗ ବା ଇତର ମନୋଭାବ ନଥିଲା ତଥାପି ମୋତେ ସେ ଘୃଣା କରୁଥିବାର ଜାଣିପାରି ନାରୀ ପ୍ରକୃତି ନେଇ ପ୍ରତିଶୋଧପରାୟଣା ହୋଇଉଠିଲି । ଅଭିନେତ୍ରୀ ହେଲେ ବି ମୁଁ ତ ଜଣେ ନାରୀ !

 

ଅଭିନେତ୍ରୀ ମୁଁ । ଅବାସ୍ତବକୁ ବାସ୍ତବରେ ରୂପ ଦିଏ । ଦର୍ଶକ ଆଖିରୁ ଲୁହ ଝରାଏ । ପାଟିରେ ପାଟିଏ ହସ ବି ଭରିଦିଏ । ନୁହେଁ କି ?

 

ଧନଞ୍ଜୟବାବୁଙ୍କୁ ନେଇ ମୋର ଅଭିନୟ ଆରମ୍ଭ କଲି । ତାଙ୍କୁ ଏକାନ୍ତ ଆପଣାର କରିପାରିଛି ବୋଲି ସେଇ ଭଦ୍ରମହିଳାଙ୍କୁ ମୋର ଚାଲିଚଳନ ଜରିଆରେ ଜଣାଇଦେଲି ।

 

ନାରୀ ତ ସେ ! କିଛି କାଠ ପଥର ନୁହଁନ୍ତି ! ସହି ପାରୁଛନ୍ତି କେତେକେ !

 

ଅଭିମାନ ଅବା କରିଥାନ୍ତେ କିନ୍ତୁ ସେ ଅଧିକାର ତାଙ୍କର ନାହିଁ; କାରଣ ଅଭିମାନ କରି ଏ ଘରେ ସେ ଆଶ୍ରିତା । ପୁଣି ଅଭିମାନ କଲେ ଆଶ୍ରା ମିଳିବା ମୁଷ୍କିଲ । (ନିଜର ପରିଣିତ ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ନିକଟରେ ଅଭିମାନ କଲେ ନାରୀକୁ ପରାଜୟ ସ୍ୱୀକାର କରିବାକୁ ହୁଏ ।)

 

ତାଙ୍କର ଅବସ୍ଥା ଦେଖି ଦୟା ହେଲା । ମୋର ଅହଂକାରର ନାଗ ସାପ ତା ଫଣାକୁ ବନ୍ଦ କରି ମନର ପେଡ଼ିରେ ସୁନା ପିଲାଟି ପରି ପଶିଗଲା । ମୁଁ ମୋ ଆଡ଼ୁ ପ୍ରଥମେ ତାଙ୍କ ସହିତ ଆତ୍ମୀୟତା ସୃଷ୍ଟି କରିବାକୁ ଆରମ୍ଭ କଲି ।

 

ସେ ସଙ୍ଗେ ସଙ୍ଗେ ମୋତେ ବାନ୍ଧବୀ ରୂପରେ ଗ୍ରହଣ କଲେ ।

 

ଗୋଟିଏ କୋଠା ଭିତରେ ଦୁଇଟି ନାରୀ ଏକତ୍ର ବସବାସ କଲେ ଆତ୍ମୀୟତା ଅବଶ୍ୟ ବୃଦ୍ଧି କରିବାକୁ ହୋଇଥାଏ !

 

ତାଙ୍କ ସହିତ ମିଳାମିଶା ପରେ ଧନଞ୍ଜୟବାବୁଙ୍କର ଅସଲ ରୂପ ମୁଁ ଜାଣି ପାରିଲି । ଧନଞ୍ଜୟବାବୁଙ୍କୁ ଚତୁର ନକହି ଧୂର୍ତ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ । ସକଳ ପ୍ରକାର ପାପ, ଦୁର୍ନୀତିକୁ ସେ ଅର୍ଥ ଆଗରେ ତୁଚ୍ଛ ମନେ କରନ୍ତି । ସେ ବେଳେ ବେଳେ କହନ୍ତି ‘‘ଯେଣୁ ମଣିଷ ହୋଇ ଭୁଲ୍‌ କରିବାଟା ସ୍ୱାଭାବିକ ତେଣୁ ଭୁଲ୍‌ ପାଇଁ ଅନୁଶୋଚନା କରିବା ନିରର୍ଥକ । ସଦାବେଳେ ସତ୍ୟ କହିବାଟା ଆଦର୍ଶ ହେଉ କିନ୍ତୁ ଯେଉଁ ସତ୍ୟ ସମସ୍ତିଙ୍କର ପ୍ରିୟ ନୁହେଁ ତାକୁ କୁହା ନଯାଉ–’’ ଏ ଯେପରି ନୀତିବାକ୍ୟ, ସେପରି ମୋର ମତ ନିଜକୁ ରକ୍ଷା କରିବାକୁ ହେଲେ ଆବଶ୍ୟକୀୟ ମିଥ୍ୟା କହିଲେ ପାପ ହେବନାହିଁ କିମ୍ୱା ବେଦ ଅଶୁଦ୍ଧ ହୋଇଯିବ ନାହିଁ । –ଏହିଭଳି ନୀତିର ସେ ସ୍ତାବକ ଏବଂ ପ୍ରବର୍ତ୍ତକ ।

 

ଜୀବନରେ ବହୁ ପୁଷ୍ପକୁମାରୀଙ୍କୁ ସେ ଯେ ଖାଲି ଆଘ୍ରାଣ କରିଛନ୍ତି ତା ନୁହେଁ, ଆଘ୍ରାଣ ଓ ଆକଣ୍ଠ ମଧୁପାନ ପରେ ପଦଦଳିତ କରି ରାସ୍ତା କରର ଆବର୍ଜ୍ଜନା ମଧ୍ୟକୁ ଫିଙ୍ଗି ଦେଇଛନ୍ତି ।

 

ହଁ ଭୁଲି ଯାଉଛି–ଏଇ ବାନ୍ଧବୀର କଥା ତୁମ ପାଖକୁ ପରା ଲେଖୁଛି ! ଲେଖୁ ଲେଖୁ ଏଣୁ ତେଣୁ ଗୁଡ଼ାଏ କଥା ଆସି ମନରେ ଜୁଟି ଯାଉଛି । ତେଣୁ ଲେଖିହୋଇ ଯାଉଛି । ହଁ, ବିଚାରୀଟି ସାମାନ୍ୟ କେତେ ପଦ ବାକ୍ୟ ବିନିମୟ ପରେ ସ୍ୱାମୀଙ୍କୁ ତ୍ୟାଗ କରି ଚାଲି ଆସିଲା । ଆଶା କରିଥିଲା ଦିନ କେତେଟା ପରେ ତା’ର ରାଗ ଓ ଅଭିମାନ ଉପରେ ଭଟ୍ଟା ପଡ଼ିଲେ ସେ ନିଶ୍ଚୟ ଫେରି ଯାଇଥାନ୍ତା ! ସ୍ୱାମୀ ତା’ର ମନ ବହଲେଇ କରି ଦି ପଦ ଗେହ୍ଲାଳିଆ କଥା କହିଥିଲେ ସେ ନିଶ୍ଚୟ ତାଙ୍କ ହାତ ଧରି ଚାଲି ଯାଇଥାନ୍ତା ।

 

ବାହା ହୋଇ ଯିଏ ସଂସାର କରନ୍ତି ସେ କ’ଣ ସବୁଦିନ ପାଇଁ ରାଗରୋଷ କରି ରହିପାରନ୍ତି ?

 

ତୁମେତ ବହୁତ ପାଠ ପଢ଼ିଛ ! ମଁ ତୁମ ନିକଟରେ କେଡ଼େ ଛାର ମାତ୍ର । ଭାବ ନାହିଁ ଯେ ମୁଁ ନାରୀ ବୋଲି ନିଜକୁ ନୂନବୋଧ କରୁଛି କିମ୍ୱା ନମ୍ରନ୍ତି ଫଳିନୋ ବୃକ୍ଷାଃ ର ଉଦାହରଣ ମନକୁ ନେଇ ମୋତେ ଜ୍ଞାନୀ ମନେକରିବା ପାଇଁ ଏପରି ଲେଖୁଛି ! ମୁଁ ସତ କଥା କହୁଛି । ତୁମେ ସମ୍ୱାଦପତ୍ରର ସମ୍ପାଦକ । ପଢ଼ିବା, ଲେଖିବା ତୁମର ପେଷା । ମୁଁ କିନ୍ତୁ ଅନ୍ୟ ଦିଗର ଯାତ୍ରୀ । ଅଭିନୟ କଳା ଗବେଷଣା ମୋର ବୃତ୍ତି । ତୁମେ ପୁସ୍ତକ ପଢ଼ି ଜ୍ଞାନ ଅର୍ଜ୍ଜିବସିଲ । ମୁଁ ବହୁପୁରୁଷଙ୍କ ସହ ମିଶି ବାସ୍ତବଜ୍ଞାନ ଅର୍ଜ୍ଜନ କଲି । –ଏଇ ସ୍ୱାମୀ, ସ୍ତ୍ରୀ ଭିତରେ ଥିବା ସ୍ନେହ ମମତା ବା ଭଲପାଇବାର କଥା ମୁଁ କହୁଛି ।

 

କହିପାରିବ ତୁମେ–କାହାପାଇଁ ନାରୀ କୂଳ ଛାଡ଼ି ଅକୂଳରେ ଭାସିଯାଏ ? କାହାପାଇଁ ବାରନାରୀ ସାଜି ମୁହଁରେ କୃତ୍ରିମ ହସ ଲେପି ବିପଣୀ ଖୋଲିବସେ ? କାହାପାଇଁ ସେ ଦୁନିଆଁରେ ବିଷର ବୀଜାଣୁ ବୁଣି ଦିଏ ?

 

ଏଥିପାଇଁ ଯଦି କିଏ ଦାୟୀ ତେବେ ମୁଁ କହିବି–ସେ ହେଉଛି ପୁରୁଷ ।

 

ସ୍ତ୍ରୀକୁ ବିବାହ କଲାପରେ ସ୍ୱାମୀର ସ୍ତ୍ରୀ ପ୍ରତି ଯେ ବହୁତ କିଛି କର୍ତ୍ତବ୍ୟ ଅଛି ସେ କଥା ସେ ଭୁଲିଯାଏ । ନାରୀକୁ ଉପଭୋଗର ସାମଗ୍ରୀ ରୂପେ ଭାବିନିଏ । ନିଜର ମନର ଭୋକକୁ ନାରୀ ଦେହରେ ମେଣ୍ଟାଇ ନିଏ । କିନ୍ତୁ ନାରୀର ମନକୁ ଚିହ୍ନେ ନାହିଁ ।

 

ଏଇ ପ୍ରକାର ସମ୍ପର୍କକୁ ମୁଁ ତ ଭଲପାଇବା କହିପାରିବି ନାହିଁ ?

 

ନାରୀ ବିବାହପରେ ବଧୂ ସାଜି ପୁରୁଷର ଘରଣୀ ହେଲା । ନୂଆ ନୂଆ ଦିନାକେତେ ପ୍ରୀତି ପରିହାସ, କଉତୁକ ଲାଗିଲା । ତାପରେ ନାରୀ ହେଲା ଗର୍ଭବତୀ । ପୁରୁଷର ଭୋଗ୍ୟା ହୋଇ ଶେଷରେ ସେ ନିଜ ଜୀବନକୁ ମରଣ ମୁହଁକୁ ପେଲି ଦେଲା ।

 

ଆଉ ପୁରୁଷ ଦର୍ପରେ ହସି ଉଠିଲା ।

 

ନାରୀ ଗର୍ଭବତୀ ହେଲା । ସାଦା କାଗଜ ପରି ତା’ର ମୁହଁ ପାଣ୍ଡୁର ଦିଶିଲା । ଦଶମାସ କାଳ ସ୍ୱାମୀଙ୍କର ଅଦଉତିର ସ୍ୱାକ୍ଷରକୁ ବହନ କରି ସ୍ତ୍ରୀର ଦିନ ସରିଲା ନାହିଁ । ଓଳିଏ ଖାଇଲେ ଓଳିଏ ଖାଏ ନାହିଁ । ବସିଲେ ଉଠି ପାରେନାହିଁ । ତାରି ରକ୍ତରୁ ଆଧାର ଦେଇ ସ୍ୱାମୀଙ୍କର ବଂଶକୁ ବଞ୍ଚାଏ ।ଶେଷରେ ପ୍ରସବ ଯନ୍ତ୍ରଣାରେ ଅତିଷ୍ଠା ହୋଇ ଉଠେ । ବିକଳରେ ଆଉଟି ପାଉଟି ହେଉ ହଉ ତାକୁ ଦଶ ଦିଗ ଅନ୍ଧାର ଦିଶେ । ସତେ କ’ଣ ଯମ ଦୁଆରୁ ସେ ଲେଉଟି ଆସି ପାରିବ ?

 

ଯଦି ଭାଗ୍ୟ ଭଲ ତ ସୁରୁଖୁରୁରେ ସ୍ତ୍ରୀ ପ୍ରସବ କରେ, ନଚେତ୍‌ ଆଖିରୁ କେରି କେରି ଲୁହ ଝାରି ସ୍ତ୍ରୀର ମୃତ୍ୟୁ ହୁଏ । ତା’ର ଭଲ ପାଇବାର ଚୂଡ଼ାନ୍ତ ନିଷ୍ପତ୍ତି ଏହିଠାରେହିଁ ହୁଏ ।

 

କହି ପାରିବ ନାରୀର ଏ ଯେଉଁ ତ୍ୟାଗ, ପୁରୁଷର ପ୍ରୀତି ପାଇଁ ଏଇ ଯେଉଁ ଆତ୍ମବଳୀ, ତା’ର ପ୍ରତିଦାନ କ’ଣ ପୁରୁଷ ଦେଇ ପାରିଛି ?

 

ସେହିଭଳି ସ୍ୱାର୍ଥପର ପୁରୁଷ ଜାତି ଭିତରୁ ତୁମର ବନ୍ଧୁ ମଧ୍ୟ ଜଣେ । ଯାହାଙ୍କ ଭିତରେ ସହିଷ୍ଣୁତାରୁ ତିଳେ କି ଉଦାରତାରୁ କାଣିଚାଏ ନାହିଁ । ଖାଲି କହିବୁଲନ୍ତି ସବୁ ସହିବାପାଇଁ ନାରୀର ଜନ୍ମ । ସେ ସର୍ବଂସହା ହେବ । ଯେପରି ନାରୀ ମାଆ ହେଲା ବୋଲି ସେ ମାଟି ! ତା’ର ପ୍ରାଣ ନାହିଁ, ସୁଖ ଦୁଃଖ ଅନୁଭବ କରିବାର ଶକ୍ତି ନାହିଁ, ଭଲ ପାଇବାର ଉତ୍ସ ତା ମନର ଝରଣାରେ ନାହିଁ !

 

ତାଙ୍କ ଦୃଷ୍ଟିରେ ନାରୀ ବୋଧହୁଏ କିମ୍ଭୁତକିମାକାର ଏକ ଜୀବ । ଯାହାକୁ ଆଖି ଦେଖାଇ ଶାସନ କରି ହେବ, ପିଲାମାନଙ୍କର ସେବା କରିବା ପାଇଁ ଆୟା ସାଜିବାକୁ ହେବ, ରୋଷାଇ ଘରେ ପୂଜାରୀର ଅଭାବକୁ ସେ ଦୂର କରିପାରିବ, ପୁଣି ମନର କ୍ଷଣିକ ଦୁର୍ବଳତାକୁ ସନ୍ତୁଷ୍ଟ କରି ପାରିବ । କିନ୍ତୁ ତାକୁ ମନ ଦେଇ ଭଲ ପାଇହେବ ନାହିଁ କିମ୍ୱା ତା’ର ଦାବୀପ୍ରତି ଧ୍ୟାନ ଦେଇହେବ ନାହିଁ !

 

ମୋ ମତରେ ଭଲପାଇବା ହେଉଛି ନାରୀର ଜୀବନ କିନ୍ତୁ ପୁରୁଷର ଏକ ଖିଆଲ ।

 

ବୋଧହୁଏ ଏଇଥିପାଇଁ ଏ ଜ୍ୱାଳା ସୃଷ୍ଟି ହୋଇଛି । ମୁଁ ଅବଶ୍ୟ କହୁନାହିଁ ଯେ ସବୁ ପୁରୁଷଙ୍କର ଏକ ମନ, ଏକ ପ୍ରକୃତି । ତେବେ ସାଧାରଣତଃ ସେମାନେ ଏଇ ପ୍ରକୃତିର । ନାରୀ ଉପରେ ପୁରୁଷତ୍ୱର ଜାହିର କଲାବେଳେ ଅନ୍ତତଃ ସେମାନେ ନାରୀକୁ ତା’ର ତ୍ୟାଗ ପାଇଁ ସାମାନ୍ୟ ଉଦାରତା ଦେଖାଇବା ଆବଶ୍ୟକ । ଟିକିଏ ପିଠି ଆଉଁସା, ଦି’ପଦ ଥଟ୍ଟାଳିଆ କଥା, ସାମାନ୍ୟ ମୁଚୁ ମୁଚୁ ହସରେ ସ୍ତ୍ରୀ ଜାତିଟା ପୁରୁଷର କ୍ରୀତଦାସୀ ହୋଇଯାଏ, ପୁରୁଷର ଅନୁଗମନ କରେ । କେବଳ ତ ଅନୁଗମନ ନୁହେଁ, ଦରକାର ପଡ଼ିଲେ ବିପଦକୁ ମଧ୍ୟ ଡେଇଁ ପଡ଼େ ।

 

ତୁମ ବନ୍ଧୁଙ୍କର ସେତକ ଅଭାବ ଥିଲା । ମୋର ବାନ୍ଧବୀଟିକୁ ସେ ଯଦି ଏତକ ଦେଇ ପାରିଥାନ୍ତେ ତେବେ ଏତେ ବଡ଼ ପ୍ରଳୟ କାହିଁକି ସୃଷ୍ଟି ହୋଇଥାନ୍ତା ? ଛାଡ଼ପତ୍ର ଦେବାଯାଏଁ କଥା କାହିଁକି ଯାଇଥାନ୍ତା ? ଅବଶ୍ୟ ଦୁନିଆଁରେ ଦରଦୀ ବନ୍ଧୁ କମ୍‌ ମିଳନ୍ତି ! ଛଳନାପୂର୍ଣ୍ଣ ସମବେଦନରେ ଆନ୍ତରିକତା ନଥାଏ ! କେତେକ ଲୋକ ଦୁଃଖକୁ ଉପହାସ କରିବାପାଇଁ ସମବେଦନା ଦେଖାନ୍ତି । ମନର ଅଶାନ୍ତି–ନିଆଁରେ ଘିଅ ଢାଳନ୍ତି । ମନ ବିଦ୍ରୋହ କରି ଉଠେ । ପ୍ରତିକ୍ରିୟାଶୀଳ ହୋଇ ଉଠେ-! କିନ୍ତୁ ଯିଏ ଲଗାମ୍‌ଛଡ଼ା ମନକୁ ଆଶ୍ୱାସନା ଦେଇ ସତ୍‌ବାଟରେ ନେଇ ଛିଣ୍ଡିଯିବା ସୂତାକୁ ଯୋଡ଼ି ବସେ ତାରିଠାରେ ହିଁ ଦରଦ ସମ୍ଭବ । ତାକୁ ହିଁ ବନ୍ଧୁ କହନ୍ତି ।

 

ମୋ ବାନ୍ଧିବୀଙ୍କର ଧନଞ୍ଜୟବାବୁ ଦରଦୀ ବନ୍ଧୁ ନୁହଁନ୍ତି । ତାଙ୍କ ସମବେଦନାରେ ଉପହାସ ଜଡ଼ିତ ରହିଛି । ନିଜର ସ୍ୱାର୍ଥ ସାଧନର ହୀନପ୍ରଚେଷ୍ଟା ରହିଛି । ଅବଶ୍ୟ ବାନ୍ଧବୀ ମୋର ଏକଥା ଖୁବ୍‌ ବିଳମ୍ୱରେ ବୁଝି ପାରିଲେ ।

 

ଯେଉଁ ଦେଶରେ ସ୍ୱାମୀର ଭଲପାଇବାକୁ ସବୁଦିନ ଗୁଣି ହେବାପାଇଁ ସ୍ତ୍ରୀ ବିଧବା ହୋଇ ରହିବାକୁ ପସନ୍ଦ ନକରି ସ୍ୱାମୀର ମୃତ୍ୟୁ ପରେ ନିଆଁରେ ପୋଡ଼ି ହୋଇ ମରୁଥିଲା, ସେ ଦେଶର ପାଣି ପବନରେ କ’ଣ ଛାଡ଼ପତ୍ର ସମ୍ଭବ ହୋଇପାରେ ?

 

ଧନଞ୍ଜୟବାବୁ ମୋର ବାନ୍ଧବୀଙ୍କୁ ପ୍ରତିକ୍ରିୟାଶୀଳ କରିବାକୁ ଯାଇ ଫେଲ୍‌ ମାରିଛନ୍ତି । ନିଜର ପଳ ପଳ ରକ୍ତ ନିଗାଡ଼ି ଯେଉଁ ଶିଶୁଟିକୁ ସେ ଛାଡ଼ି ଆସିଛନ୍ତି ସେଇ ତାଙ୍କ ମନରେ ଆଣୁଛି ଦୁର୍ବଳତା । ଫେରିଯିବା ପାଇଁ ସେ ଆଣୁଛି ଅଶେଷ ବ୍ୟାକୁଳତା ।

 

ବଧୂର ମନ ଓ ମାଆର ମନ ଭିତରେ ଯେ ବହୁତ ତଫାତ୍‌ ରହେ ! ଏକଥା ତାଙ୍କ ସହିତ କଥାବାର୍ତ୍ତା ପରେ ମୁଁ ବୁଝି ପାରିଲି । ତାଙ୍କର ଗୁଲୁଗୁଲିଆ ପୁଅ ପାଇଁ ସେ ବ୍ୟସ୍ତ ହୁଅନ୍ତି । ତାରି ଦରୋଟି ବଚନ ଶୁଣିବାକୁ ପାଗଳିନୀ ହୋଇ ଉଠନ୍ତି । ତାରି ଦୁଷ୍ଟାମୀ ଦେଖିବା ପାଇଁ ବ୍ୟାକୁଳ ହୋଇ ଉଠନ୍ତି ।

 

ଅତୀତର ସ୍ମୃତି କହୁ କହୁ ସେ କାନ୍ଦି ପକାନ୍ତି ।

 

ମୋ ବାନ୍ଧବୀଙ୍କର କଥା ତ ଶୁଣିଲ ! ହୁଏତ ତୁମେ ଭାବୁଥିବ ନାରୀ ଭାବରେ ମୁଁ ତାଙ୍କ ପାଇଁ ଓକିଲାତି କରି ଏପରି ଲେଖୁଛି । ଏକଦିଗଦର୍ଶୀ ହୋଇଛି । ପକ୍ଷପାତ ବିଚାର କରୁଛି । କିନ୍ତୁ ତାହା ନୁହେଁ । ତୁମ ବନ୍ଧୁଙ୍କ କଥା ବି କହୁଛି ଶୁଣ ।

 

ମଣିଷ ଦୁନିଆଁକୁ ଆସିଲେ ଖାଲି ତା’ର କ’ଣ ଗାଡ଼ି, କୋଠା, ଆଉ ମୋଟା ବ୍ୟାଙ୍କ୍‌ ବାଲାନ୍‌ସ ଦରକାର ? ଏତକ ନଥିଲେ କ’ଣ ମଣିଷ ଜୀବନରେ ପୂର୍ଣ୍ଣତା ଆସେ ନାହିଁ ? ବନ୍ଧୁ ତୁମର ଏଇ ମୋହରେ ଭାସିଗଲେ । ପଛରେ ତାଙ୍କର ଯେ ଗୋଟାଏ ସଂସାର ଅଛି ସେକଥା ସଂପୂର୍ଣ୍ଣ ରୂପେ ଭୁଲିଗଲେ ।

 

ସାଙ୍ଗ ନାହିଁ, ସାଥୀ ନାହିଁ, ମନ ଖୋଲି ଦି’ପଦ କଥା ହୋଇ ମନର ଭାବନାକୁ ଏପଟ ସେପଟ କରିବାକୁ ଚାରି ଆଡ଼କୁ ଆଖି ବୁଲାଇଲେ–କେହି ନାହିଁ । ଏଥିରେ ଚାରିକାନ୍ଥ ଭିତରେ ବନ୍ଦିନୀ ହୋଇ ମଣିଷ ବଞ୍ଚିଥାଆନ୍ତା କିପରି ? ଶିକ୍ଷିତା ନାରୀ ସେ ! ସାମାନ୍ୟ ସ୍ୱାଧୀନତା ଚାହିଁ ବସିବା ସ୍ୱାଭାବିକ୍‌ । ତାଙ୍କୁ ସେଥିରୁ ନିବୃତ୍ତ କରିବାରେ ମନୁଷ୍ୟତା ଥିଲା ପରି ମୋର ମନେ ହେଉ ନାହିଁ । ଦାମ୍ପତ୍ୟ ଜୀବନରେ ଥରେ ସନ୍ଦେହ ଉଙ୍କି ମାରିଲେ ସେ ସନ୍ଦେହ ସୁନାର ସଂସାରକୁ ଛାରଖାର କରିଦିଏ ।

 

ନାରୀ ମନ ବଡ଼ ତରଳ । ଆଶ୍ରୟ ପାଇଁ ସେ ସର୍ବଦା ଆଧାର ଖୋଜୁଥାଏ । ଥରେ ଆଧାର ପାଇଲେ ସେଠାରୁ ତା ମନ ଫେରିଆସି ପାରେ ନାହିଁ । ବିବାହ ପରେ ଖୁବ୍‌ କମ୍‌ ସ୍ତ୍ରୀ ଲୋକଙ୍କର ଏପରି ସ୍ଫଳନ ଘଟିଥାଏ । ଏଇ କମ୍‌ ଲୋକଙ୍କ ଭିତରେ ମୋର ବାନ୍ଧବୀ ଯେ ନ ଯିବେ ତା ମୁଁ କହୁନି । କାରଣ ସେ ନାରୀ ହେଲେ ବି ମଣିଷ ଆଉ ଭୁଲ୍‌ କରିବା ମଣିଷର ଧର୍ମ୍ମ ।

 

ମୁଁ କିନ୍ତୁ ତୁମକୁ ଗୋଟିଏ ପ୍ରଶ୍ନ କରିବି । ଯଦି ଏପରି ସ୍ଫଳନ ଘଟିଥାଏ ତେବେ ସେଥିପାଇଁ କ’ଣ ତୁମର ବନ୍ଧୁ ଦାୟୀ ନୁହଁନ୍ତି ! ମୁକ୍ତ କଣ୍ଠରେ ସେ ଅସ୍ୱୀକାର କରି ପାରିବେ ଯେ ଏ ସତ୍ୟକୁ ? ନିଜେ ଚନ୍ଦ୍ରସେଣାର ପ୍ରତିନିଧିତ୍ୱ କଲାପରେ ସିନା ରାଧା କଳଙ୍କିନୀ ହେଲେ ? ପର ପୁରୁଷ ପ୍ରୀତିରେ ପାଗଳିନୀ ହୋଇ ଉଠିଲେ ?

 

ତୁମର ବନ୍ଧୁଙ୍କର ଗୁଣ କ’ଣ ସରିଲାଣି କି ! ଲେଖିବସିଲେ ପୋଥିଟିଏ ହେବ । କଥାରେ କହନ୍ତି ଦଣ୍ଡଦେବାର କ୍ଷମତା ଯାହାର ଥିବ ତା’ର ପୁଣି କ୍ଷମାଦେବାର ଶକ୍ତିଥିବା ଉଚିତ୍‌ । ସ୍ୱାମୀ ହିସାବରେ ସ୍ତ୍ରୀକୁ ଶାସନ କରିବାର ଯେତିକି କ୍ଷମତା ତୁମ ବନ୍ଧୁଙ୍କର ଥିଲା, ପରମୁହୂର୍ତ୍ତରେ ତାଙ୍କର ଭଲମନ୍ଦ, ସୁଖ ଦୁଃଖ ବୁଝିବାର ସେତିକି ଦାୟିତ୍ୱଜ୍ଞାନ ତାଙ୍କର କ’ଣ ରହିବା ଉଚିତ ନଥିଲା-! କିନ୍ତୁ ତୁମର ବନ୍ଧୁ ସେ ସବୁ କିଛି କଲେ ନାହିଁ । ଯେତିକି ଅଧିକାର ଜାହିର୍‌ କଲେ ସେତିକି ମମତା ଦେଇ ସ୍ତ୍ରୀର ମନ ବୁଝିବାକୁ ସେ କୁଣ୍ଠିତ ହେଲେ । ବନ୍ଧୁ ପତ୍ନୀଙ୍କଠାରୁ ଶୁଣିବାକୁ ମିଳୁଛି ତୁମର ସ୍ନେହାସ୍ପଦ ବନ୍ଧୁ ଜନୈକ ବିଧବା ତରୁଣୀଙ୍କୁ ଘରେ ଆଶ୍ରୟ ଦେଇ ବେଶ୍‌ ଆନନ୍ଦରେ ଅଛନ୍ତି-

 

ନିଜର ପରିଣୀତା ସ୍ତ୍ରୀର ଅନୁପସ୍ଥିତିରେ ଜଣେ ଅସହାୟା ବିଧବାକୁ ଯେ ନିଜ ଘରେ ଆଶ୍ରୟ ଦିଏ ତା’ର ଉଦ୍ଦେଶ୍ୟ ଯେତେ ମହତ୍‌ ହେଉନା କାହିଁକି ତା’ର ଚରିତ୍ରକୁ ସନ୍ଦେହ କରାଯାଇ ପାରିବ କି ନାହିଁ ତା’ର ନିଷ୍ପତ୍ତି ତୁମେ କରିବ ।

 

ପରପୁରୁଷ ପାଖରେ ମୋର ବାନ୍ଧବୀ ଅଛନ୍ତି । ତାଙ୍କର ଚରିତ୍ରର ସ୍ଫଳନ ହେବଣି ବୋଲି ହୁଏତ ତୁମେ, ତୁମର ବନ୍ଧୁ ଓ ତଥାକଥିତ ସମାଜ ବି କହିପାରେ । ଆପଣାଇଚ୍ଛାରେ ଶ୍ରୀରାମଙ୍କୁ ତ୍ୟାଗକରି ସୀତା ଲଙ୍କାକୁ ନଯାଇ ବି ତାଙ୍କଠାରେ ଏ ଦୋଷ ସମାଜ ଦେଲା । ପ୍ରତ୍ୟେକ ହିନ୍ଦୁ ସେ କଥା ଜାଣନ୍ତି । ଲୋକଙ୍କ କଥାରେ ବିଶ୍ୱାସ କରି ତଥା ନିଜ ଉପରେ ବିଶ୍ୱାସର ଅଭାବ ହେତୁ ରାମଚନ୍ଦ୍ର ସୀତାଙ୍କର ସତୀତ୍ୱର ପରୀକ୍ଷା କଲେ । ସୀତା ଯଦି ମୋର ବାନ୍ଧବୀଙ୍କ ଭଳି ରକ୍ତ ମାଂସର ନାରୀ ହୋଇଥାନ୍ତେ ଏବଂ ଅଗ୍ନିର ଦାହିକା ଶକ୍ତି ଆଜିକାଲି ପରି ସେତେବେଳେ ଯଦି ଥାଆନ୍ତା, ସୀତାଙ୍କର ଚରିତ୍ର ନିଖୁଣ ହେଲେ ବି ଅଗ୍ନି କ’ଣ ତାଙ୍କୁ ପୋଡ଼ି ପାଉଁଶ କରି ଦେଇ ନଥାନ୍ତା ?

 

ରାମଚନ୍ଦ୍ର ଯଦି ପର ସ୍ତ୍ରୀକୁ ଭଉଣୀ କରି ପାଖରେ ସୀତାଙ୍କ ଅନୁପସ୍ଥିତିରେ ରଖିଥାଆନ୍ତେ ତେବେ ତାଙ୍କର ଚରିତ୍ର ଯେତେ ଉଜ୍ଜ୍ୱଳ ହେଉନା କାହିଁକି ଧୋବଣୀକୁ ଧୋବା ଦୋଷ ଦେଲାବେଳେ ଧୋବଣୀ ବିଚାରୀ ତ ପଦେ ହେଲେ କହି ପାରିଥାନ୍ତା !

 

ବର୍ତ୍ତମାନ ମନାନ୍ତର ଏପରି ଅବସ୍ଥାକୁ ଯାଇଛି ଯେ ପରସ୍ପର ପରସ୍ପରକୁ ଛାଡ଼ପତ୍ର ଦେବା ନିମନ୍ତେ କୋର୍ଟ କଚେରୀର ଆଶ୍ରୟ ନେଇଛନ୍ତି । ତୁମର ବନ୍ଧୁ ବିଶିଷ୍ଟ ଆଡ଼ଭୋକେଟ ଏବଂ ବାନ୍ଧବୀ ମୋର ଉଚ୍ଚଶିକ୍ଷିତା । ପାଶ୍ଚାତ୍ୟ ଶିକ୍ଷାରେ ପାରଦର୍ଶିତା ଲାଭ କରିଥିବାରୁ ବୋଧହୁଏ ଭାରତୀୟ ମାଟିରେ ଶୋଇ ରହି ବିଲାତର ସ୍ୱପ୍ନ ଦେଖୁଛନ୍ତି ।

 

ଆଉ ଏକ ଡାଇଭର୍ସ କଥା...ଶୁଣିଲେ ହସମାଡ଼େ । ସେମାନେ ବୁଝି ପାରନ୍ତି ନାହିଁ ଯେ ବିଲାତର ଜଳବାୟୁ ଏବଂ ଭାରତର ଜଳବାୟୁ ଭିତରେ ଆକାଶ ପାତାଳର ବ୍ୟବଧାନ ।

 

ସାମୟିକ ସିନା ସ୍ତ୍ରୀ ମନର ଅହମିକା ନେଇ ବାନ୍ଧବୀ ମୋର ତାଙ୍କର ସ୍ୱାମୀଙ୍କୁ ଭର୍ତ୍ସନା କରନ୍ତି କିନ୍ତୁ ମୁଁ ବେଶ୍‌ ବୁଝି ପାରିଛି ତାଙ୍କ ଅନ୍ତରରେ ସ୍ୱାମୀଙ୍କ ପାଇଁ ଏବେ ବି ପ୍ରେମ, ପ୍ରୀତି, ଶ୍ରଦ୍ଧା ଆଉ ଭକ୍ତି ଅତୁଟ ରହିଛି । ସେଥିପାଇଁ ତାଙ୍କ ଆଖିରେ ବେଳେ ବେଳେ ଲୁହ ଦେଖାଦିଏ । ଭାରତର ପାଣି କହେ ସ୍ୱାମୀ ଦେବତା, ଭାରତର ପବନ କହେ ସ୍ୱାମୀହିଁ ସ୍ତ୍ରୀର ଇହ ଆଉ ପରକାଳର ସାଥୀ । ଜନ୍ମ-ଜନ୍ମାନ୍ତର ଧରି ଉଭୟଙ୍କର ସଂପର୍କ ।

 

ବନ୍ଧୁଙ୍କର ନାମ ଶୁଣିବାକୁ ହୁଏତ ତୁମର ଉତ୍କଣ୍ଠା ବଢ଼ିବଣି । ଚିଠିଟାକୁ ଆଉ ଅଧିକ ଦୀର୍ଘକରିବାପାଇଁ ମୁଁ ମଧ୍ୟ ଉଚିତ୍‌ ମନେକରୁନାହିଁ । ଏ ବନ୍ଧୁ ତୁମର ଆଉ କେହି ନୁହନ୍ତି–ଆଡ଼ଭୋକେଟ ଚନ୍ଦ୍ରକାନ୍ତ ବାବୁ ।

 

ଚନ୍ଦ୍ରକାନ୍ତ !!! –ଚମକି ଉଠିଲା ସୁବ୍ରତ ।

 

ଚିଠିଖଣ୍ଡ ପୁଣି ପଢ଼ିବାକୁ ଆରମ୍ଭ କଲା ସେ । ଏଥର ମାଳବିକାଦେବୀ ବିଷୟବସ୍ତୁଉପରେ ଲେଖାର ଗୁରୁତ୍ୱ ଦେଇଛନ୍ତି ।

 

–କେବଳ ଯେ ଧନଞ୍ଜୟବାବୁ ଚାଉଳ କଳାବେପାର କରନ୍ତି କିମ୍ୱା ବିଭିନ୍ନ ଏଜେନ୍‌ସି ଦିଆନିଆରେ ଦଲାଲୀ କରନ୍ତି ତାହାନୁହେଁ । ତାଙ୍କର ବି ଓଡ଼ିଶାର ବଡ଼ବଡ଼ ସହରରେ ଚୋରା ମଦର କାରବାର ଅଛି । ସେହି ବ୍ୟବସାୟ ବଳରେ ସେ ଆଜି ବଳୀୟାନ୍‌ ! ଖଦଡ଼ର ଖୋଳ ଭିତରେ ମହାତ୍ମାଗାନ୍ଧୀଙ୍କର ନିଶାନିବାରଣ ନୀତିର ସଫଳତା କାମନା କରି ଯେତେକ ନେତା ଦିନ ଆଲୁଅରେ ଜନତା ଆଗରେ ଠିଆ ହୋଇ ଜନତାକୁ ଯୋଡ଼ ହସ୍ତରେ ନିବେଦନ କରନ୍ତି, ସେଇମାନେ ରାତିହେଲେ ଧନଞ୍ଜୟବାବୁଙ୍କ କୋଠାକୁ ଆସନ୍ତି । ବିନା ପଇସାରେ ବିଦେଶୀ ସାମ୍ପେନ ପିଅନ୍ତି । ମଉଜ କରନ୍ତି । ଆଭିଜାତ୍ୟର ବାଣ ଫୁଟାନ୍ତି । ଆଉ ସାମ୍ପେନ ତା’ର କ୍ରିୟା ଆରମ୍ଭ କରିବାକ୍ଷଣି ନିଜର ନିଜତ୍ୱକୁ ହରାଇ ବସନ୍ତି । ଆଉ ଧନଞ୍ଜୟବାବୁ ନିଜର ବ୍ୟବସାୟ ବୁଦ୍ଧିଖଟାଇ ସେହି ମୁହୂର୍ତ୍ତରେ ତାଙ୍କର ସବୁ କିଛି ସ୍ୱାର୍ଥ ହାସଲ କରି ନିଅନ୍ତି ।

 

ସଂଧ୍ୟାଯାଇ ରାତି ବି ପାହେ । ସକାଳୁ କୁଆ କା-କା-ଡାକଦେଲେ ଧନଞ୍ଜୟବାବୁ ଓଡ଼ିଶା ମାଟିରେ ଏକ ଶକ୍ତିଶାଳୀ ପୁରୁଷ ହୋଇ ଉଠନ୍ତି । ତାଙ୍କ ନିକଟରେ ଅଜେୟ ହୋଇ କିଛି ରହେନାହିଁ ।

 

ହଉ ରହିଲି ! ତାଙ୍କ କାହାଣୀ ଲେଖି ବସିଲେ ଗୋଟାଏ ପୋଥି ହେବ । କେତେ ଲେଖିବି ଆଉ ? ସବୁତ ସଂକ୍ଷେପରେ ଲେଖି ଗଲିଣି । ମୋଟାମୋଟି ଗୋଟାଏ ଧାରଣା ତୁମ ମନରେ ଆସିଯିବଣି ! ହଁ, ଆଉ ଏକ କଥା ଲେଖୁଛି; ଆଜି ଆକସ୍ମିକ ଏ ଚିଠିଟିରେ ‘ତୁମେ’ ସମ୍ୱୋଧନ ଦେଖି ନିଶ୍ଚୟ ବିସ୍ମିତ ହୋଇ ଉଠିଥିବ ! କିନ୍ତୁ ସତ କହିବାକୁ ଗଲେ...ମାନେ ମୋ ମନର କଥା କହିବାକୁ ଗଲେ–ତୁମକୁ ଆଉ ଆପଣ ଡାକିବାକୁ ଭଲ ଲାଗୁନାହିଁ । ଆପଣାର ହେଲା ପରେ ‘ତୁମେ’ର ମର୍ଯ୍ୟାଦା କ’ଣ କମ୍‌ ?

 

ଶେଷରେ ତୁମକୁ ଗୋଟିଏ ଛୋଟ ଅନୁରୋଧ କରିବି । ମୋର ଦୀର୍ଘଦିନର ଅନୁପସ୍ଥିତି ଫଳରେ ବାପା ହୁଏତ ଅସ୍ୱସ୍ତି ବୋଧ କରୁଥିବେ । ବିଚଳିତ ହୋଇ ଉଠୁଥିବେ । ବୁଢ଼ାଲୋକ କିନା ତେଣୁ ସମୟ ସମୟରେ ନିଜ ଉପରେ ଆସ୍ଥା ରହୁ ନଥିବ । ସୁବିଧା ଦେଖି ଘରଆଡ଼େ ଯାଇ ବୁଲି ଆସିବ । ତାଙ୍କୁ ଆଶ୍ୱସ୍ତ କରି ପାରିଲେ ମୁଁ ସୁଖୀ ହେବି ।

 

ଏ ଦୀର୍ଘ ଚିଠିଟା ପଢ଼ିବାକୁ ସୁବ୍ରତକୁ ଖୁବ୍‌ ଅଳ୍ପ ସମୟ ଲାଗିଲା ।

 

ଚିଠି ଖଣ୍ଡି ଆଉଥରେ ପଢ଼ିବାକୁ ସୁବ୍ରତର ଇଚ୍ଛାହେଲା । ମାଳବିକାଦେବୀଙ୍କର ବୁଦ୍ଧିକୁ ତାରିଫ୍‌ ନ କରି ରହି ପାରିଲା ନାହିଁ ।

 

ଚନ୍ଦ୍ରକାନ୍ତ ସଙ୍ଗେ ସେ ମିଶିଛି, ହସିଛି, ଖେଳିଛି, ଅଥଚ ଚନ୍ଦ୍ରକାନ୍ତ ଏ ପର୍ଯ୍ୟନ୍ତ ତା ନିଜ ବିଷୟରେ ତାକୁ କିଛି କହି ନାହିଁ ତ !

 

ଚନ୍ଦ୍ରକାନ୍ତ ବୋଧହୁଏ ନିଜର ଇଜ୍ଜତକୁ ଡରି ତାଠାରେ ଏକଥା ଗୋପନ ରଖିଥିଲା ! ମନେ ମନେ ସୁବ୍ରତ ଭାବିଲା ସେ ସିନା ବାହା ହୋଇନାହିଁ କିନ୍ତୁ ବରଯାତ୍ରୀରେ କ’ଣ ଯାଇନାହିଁ ? ସଂସାରୀ ହୋଇନାହିଁ ବା ପିଲାଛୁଆ ନେଇ ସୁଖ ଦୁଃଖର ସଂସାର ସିନା ପାତି ବସି ନାହିଁ, କିନ୍ତୁ ସଂସାରର ଜଞ୍ଜାଳ କଥା କ’ଣ ଉପଲବ୍‌ଧି କରି ପାରିନି ? ଗୋଟିଏ ଦୁଗ୍‌ଧପୋଷ୍ୟ ଶିଶୁକୁ ନେଇ ଚନ୍ଦ୍ରକାନ୍ତ ଯେ କି ହଇରାଣ ହେଉଥିବ ତାହା କେବଳ କଳ୍ପନା କରି ବସିଲେ ବୁଝିହେବ ନାହିଁ । ମାଳବିକାଦେବୀ ଚିଠିରେ ଚନ୍ଦ୍ରକାନ୍ତକୁ ଦୋଷୀ କରିଛନ୍ତି । ଚନ୍ଦ୍ରକାନ୍ତର ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରକାନ୍ତରେ ଅନୁରୋଧ କରିଛନ୍ତି ।

(ଚନ୍ଦ୍ରକାନ୍ତ ଯେଣୁ ମାନଭଞ୍ଜନ କରି ଜାଣୁନାହିଁ ତେଣୁ ତା’ର ପ୍ରେମ, ପ୍ରୀତିର ମୂଲ୍ୟ ମାଳବିକାଦେବୀଙ୍କ ଭାଷାରେ ଅର୍ଥହୀନ ।)

ହସର କ୍ଷୀଣ ଧାରଟିଏ ସୁବ୍ରତର ଅଧରର ଉପକୂଳରେ ଉକୁଟି ଉଠି ମିଳାଇଗଲା । ଚିଠି ଖଣ୍ଡି ଲଫାପା ଭିତରେ ଭର୍ତ୍ତି କରୁ କରୁ ସେ ଗୁଣୁଗୁଣୁ ହୋଇ ଗାଇ ଉଠିଲା–ଧୀରେ ଧରି ସଖୀକର କହୁଛନ୍ତି ଦୂତୀକୁ........

ମାଳବିକାଦେବୀଙ୍କର ଚିଠିର ଉତ୍ତର ସେଦିନ ସୁବ୍ରତ ଲେଖୁଥିଲା ।

ମୋତେ ଆପଣରୁ ‘ତୁମେ’ କରିପାରି ଥିବାରୁ ମୁଁ ତୁମକୁ ପ୍ରଥମେ ସ୍ନେହ ଜଣାଉଛି । ତୁମ ଚିଠିର ବିବରଣୀ ସବୁ ପୁଙ୍ଖାନୁପୁଙ୍ଖ ଭାବରେ ପଢ଼ିଗଲି । ବେଶ୍‌ ଆମୋଦ ଲାଗିଲା । ଅନେକଗୁଡ଼ିଏ ତଥ୍ୟ ତୁମେ ପରିବେଷଣ କରିଛ । ତା’ର ଉତ୍ତର ମୁଁ ଦେଉଛି ଶୁଣ:

ପ୍ରେମ ଓ ଭଲପାଇବା ଏ ବିଷୟ ନେଇ ଯେଉଁସବୁ କଥା ଲେଖିଛ ସେ ସବୁ ମୁଁ ମୋର ପଢ଼ା ଜ୍ଞାନରେ ପାଇନାହିଁ । ଆଉ ବାସ୍ତବ ଅଭିଜ୍ଞତା ତ ମୋର ଆଦୌ ନାହିଁ । ଦୁନିଆଁରେ ମାତ୍ର ଜଣେ ତରୁଣୀ ସହିତ ଏ ପର୍ଯ୍ୟନ୍ତ ମୁଁ ମିଶି ପାରିଛି ଆଉ ସେ ଜଣକ ହେଉଛ ତୁମେ ।

ତୁମରି କଥା ଅନୁସାରେ ତୁମେ ଅଭିଜ୍ଞତାରୁ ଜାଣିଛ ଓ ମୁଁ ମଧ୍ୟ ପଢ଼ା ବହିରୁ ଜାଣିଛି ଯେ ଦାନର ପ୍ରତିଦାନ ଅଛି । କ୍ରିୟାର ପ୍ରତିକ୍ରିୟା ସବୁକ୍ଷେତ୍ରରେ ବିଦ୍ୟମାନ । ଯିଏ ଯାହାକୁ ଯେତେ ନିବିଡ଼ ଭାବରେ ଭଲପାଏ ସେ ମଧ୍ୟ ତାକୁ ସେତିକି ନିବିଡ଼ ମନ ନେଇ ସ୍ନେହ କରିଥାଏ । ଏଇଆତ-? ବେଶ୍‌, ତେବେ କୁହ ଦେଖି ରଙ୍ଗମଞ୍ଚରେ ତୁମେ ଅବତୀର୍ଣ୍ଣ ହୋଇଛ, ବହୁ ରୂପରେ, ବହୁ ଭଙ୍ଗୀରେ । ତୁମକୁ ଯେଉଁମାନେ ଭଲ ପାଇଛନ୍ତି, ଫ୍ରେମ୍‌ ଭିତରେ କାଚ ତଳେ ତୁମର ରୂପକୁ ବନ୍ଦୀ କରି ଚାହିଁ ଚାହିଁ ଦିନ ଆଉ ରାତି ଭିତରେ ତଫାତ୍‌ ବି ଦେଖି ପାରି ନାହାନ୍ତି, ସେମାନଙ୍କୁ ତୁମେ କ’ଣ ସେତିକି ଭଲ ପାଅ ? ବୋଧହୁଏ ନୁହେଁ । କାରଣ ସେମାନଙ୍କ ଭିତରୁ ଅଧିକାଂଶକୁ ତୁମେ ଜାଣିନାହଁ ।

ସବୁ ନିୟମ କ’ଣ ସବୁଠାରେ ସଦାବେଳେ ସମାନ ରହେ ?

 

ବିଭାହୋଇ ଆସିଲା ପରେ ସବୁ ସ୍ୱାମୀ ସ୍ୱାର୍ଥପର ହୋଇ ଉଠନ୍ତି । ପହିଲୁ ପହିଲୁ ରୂପସୀ ତରୁଣୀର ପ୍ରେମରେ ଛନ୍ଦି ହୋଇ ତାକୁ ଏକାନ୍ତ ଭଲ ପାଇ ବସନ୍ତି । ଦୁନିଆଁରେ ଯେତେ ସୁନ୍ଦରୀ ସ୍ତ୍ରୀ ଥିଲେ ମଧ୍ୟ ନିଜର ସ୍ତ୍ରୀ ଆଗରେ ସମସ୍ତେ ତୁଚ୍ଛ ମନେ ହୁଅନ୍ତି । ଚାରିକାନ୍ଥ ଭିତରେ ସ୍ତ୍ରୀକୁ ଆବଦ୍ଧ କରି ପୁରୁଷ ଭାବେ ସ୍ତ୍ରୀ ତା’ର ଏକାନ୍ତ ନିଜର ହୋଇ ରହୁ । ତାହାରି ସଙ୍ଗେ ମିଶୁ । ତାରି ସଙ୍ଗରେ ହସୁ । କିନ୍ତୁ ଅନ୍ୟ ପୁରୁଷର ଆଖି ତା ସ୍ତ୍ରୀ ଉପରେ ନପଡ଼ୁ ।

 

ସୁନ୍ଦର ଜିନିଷ ଦେଖିଲେ କାହାର ଲୋଭ ହେବନାହିଁ କହିଲ ?

 

ସେତେବେଳେ ଯଦି ସ୍ତ୍ରୀ କହି ବସିବ–ମୋତେ ଛାଡ଼ିଦିଅ–ମୁଁ ସ୍ୱାଧୀନ ଭାବରେ ବାହାରେ ପରିଭ୍ରମଣ କରିଆସିବି; ତେବେ ପୁରୁଷ କ’ଣ ଅନୁମତି ଦେଇ ପାରିବ ?

 

ଭଲ ପାଇବାଟା ସର୍ବଦା ନିଜସ୍ୱ । ସେହିଠାରେ ମଣିଷ ସ୍ୱାର୍ଥପର ହୋଇଉଠେ । ଏଇ ଭଲପାଇବା ନେଇ ଦେଖୁଥିବା ପ୍ରତ୍ୟହ ଖବରକାଗଜରେ ଆତ୍ମହତ୍ୟାଠାରୁ ହଣାହଣି ପର୍ଯ୍ୟନ୍ତ କେତେ ଚାଞ୍ଚଲ୍ୟକର ଖବର ବାହାରୁଛି ।

 

କାହିଁକି ଏସବୁ ଘଟୁଛି ?

 

ପୁରୁଷ ଚାହେଁ ତାକୁ ଯେ ହସି ହସି କଥା କହିବ, ତା’ର ଦୁଃଖ ବେଳେ ତାକୁ ମଜ୍ଜେଇ ରଖିବ, ତାକୁ ସେ ବୁକୁଭରା ପ୍ରୀତି ଅଜାଡ଼ି ଦେବ । ସେଥିପାଇଁ ସ୍ନେହୀ ସ୍ୱାମୀମାନେ କ୍ଳାନ୍ତ ଓ ପରିଶ୍ରାନ୍ତ ହୋଇ କହନ୍ତି–‘‘ତୁମେ ଆଉ ଯାହା କରନା କାହିଁକି ମୁଁ ଅଫିସ୍‌ରୁ ଆସିଲାବେଳେ ପ୍ରଫୁଲ୍ଲ ରହିବ ! ହସ ହସ ମୁହଁରେ ମୋତେ ପାଛୋଟି ନେବ ! ସେତିକିରେ ମୋର ଆନନ୍ଦ ।’’

 

ଶାଗ ଭାତ କରି ମୁଠାଏ ଖାଇଲେ ପେଟ ପୂରିବ କିନ୍ତୁ ମନର ଖାଦ୍ୟ ପରା ଅଲଗା ! ମନଟା ବଡ଼ ଗେଲବସରି, ଅଲିଅଳୀ, ସୁକୁମାରୀ । ତା’ର ଦରକାର କଅଁଳ ଛନଛନ ସୁଷମ ଖାଦ୍ୟ;–ହସ, ଖୁସି, ପ୍ରୀତି ସଂଭାଷଣ ।

 

ଯେଉଁଠାରେ ଭଲପାଇବା ଥାଏ, ଯାହା ମନରେ କୋମଳତା ଥାଏ ସେହିମାନଙ୍କୁ ହିଁ କେବଳ ଭଲପାଇ ହୁଏ । ସ୍ୱାମୀ, ସ୍ତ୍ରୀ ହୋଇ ସଂସାର କଲାବେଳେ ଏଇ କଥାପ୍ରତି ସଜାଗହେବା ଆବଶ୍ୟକ ।

 

ତୁମେ ଲେଖିଛି ସ୍ତ୍ରୀ ଦଶମାସ ଗର୍ଭକଷ୍ଟ ସହିଲା । ପ୍ରସବ ଯନ୍ତ୍ରଣାରେ ଅତିଷ୍ଠା ହୋଇ ଶେଷରେ ପିଲାଟିକୁ ଜନ୍ମ ଦେଇ ସଂସାରରୁ ବିଦାୟ ନେଲା । ଏଥିପାଇଁ ସେ ପୁରୁଷ ନିକଟରେ ବିରାଟ ତ୍ୟାଗ କରିଗଲା । ତା’ର ଭଲପାଇବାର ଚୂଡ଼ାନ୍ତ ଆତ୍ମୋତ୍ସର୍ଗ ସେ ଦର୍ଶାଇଗଲା । ସେଥିପାଇଁ ପୁରୁଷ ସ୍ତ୍ରୀ ପାଖରେ କୃତଜ୍ଞହେବା ଆବଶ୍ୟକ । କାରଣ ସ୍ତ୍ରୀର ଭଲପାଇବା ପୁରୁଷଠାରୁ ଯଥେଷ୍ଟ ମହତ୍ତର । କିନ୍ତୁ ମୁଁ ଗୋଟିଏ କଥା କହିବି, ମନରେ କଷ୍ଟ କରିବ ନାହିଁ । ଚପଳତା ହେଲେ ମୋତେ କ୍ଷମାଦେବ । ଭଗବାନ ଯଦି ସେ ପ୍ରକାର ଗର୍ଭଧାରଣ ଶକ୍ତି ନାରୀକୁ ନ ଦେଇ ପୁରୁଷକୁ ଦେଇଥାନ୍ତେ ତେବେ ପୁରୁଷ ବି ଭଲପାଇବାର ଚୂଡ଼ାନ୍ତ ମହାନୁଭବତା ଦେଖାଇବାକୁ ସମର୍ଥ ହୋଇ ପାରନ୍ତା ।

ସ୍ରଷ୍ଟାଙ୍କ ବିଧାନ ଅନୁସାରେ ତୁମେ ମାଆ ହେଉଛ ଆଉ ଆମେମାନେ ବାପା ହେଉଛେ-। ପ୍ରୀତି କହ, ଭଲପାଇବା କହ, ସମ୍ଭୋଗ ସୁଖ କହ–ଏ ସବୁପ୍ରକାର ଉତ୍ତେଜନା ପୁରୁଷର ଓ ସ୍ତ୍ରୀର ସମାନ । କେହି ତେଣୁ କାହା ପ୍ରତି ତ୍ୟାଗ କରେ ନାହିଁ ।

ଦିଆନିଆର ସଂସାରରେ ଭୁଲ୍‌ ବୁଝାମଣା ହୁଏ । ପରସ୍ପର ଚେଷ୍ଟାକରି ସେ ଭୁଲ ବୁଝାମଣାର ଅକାଳ ବଉଦଟାକୁ ହଟାଇ ଦେବା ଆବଶ୍ୟକ । ଏଇ ମନାନ୍ତରରେ କେବଳ ଚନ୍ଦ୍ରକାନ୍ତର ଦୋଷ ନାହିଁ, ସୁଜାତାଦେବୀଙ୍କର ମଧ୍ୟ ଦୋଷ ଅଛି । ଦୁଇଆଡ଼ୁ ଦୋଷ ନଥିଲେ କ’ଣ ଘଟଣା ଏତେଦୂର ପର୍ଯ୍ୟନ୍ତ ଯାଇପାରେ ?

ତୁମେ ପରା କହୁଛ–ସହିବା ଗୁଣରେ ସ୍ତ୍ରୀ ଜାତି ଧରିତ୍ରୀ ସଙ୍ଗେ ସମାନ ! କହିଲ, ସହିଷ୍ଣୁତାର ଅଭାବ କ’ଣ ସୁଜାତାଦେବୀଙ୍କ ନିକଟରେ ହୋଇନାହିଁ ? ବିଜୁଳି ଆଲୋକ ଜାଳିବା ପାଇଁ ଯେପରି ନେଗେଟିଭ୍‌ ଆଉ ପଜିଟିଭ୍‌ର ଦରକାର ହୁଏ ସେପରି ସଂସାରକୁ ସୁଖମୟ କରିବାକୁ ହେଲେ ସ୍ତ୍ରୀକୁ କେତେକାଂଶରେ ନିଜର ସ୍ୱାଧୀନ ଭାବନା, ସ୍ୱାଧୀନ ଚିନ୍ତାରେ ପରିବର୍ତ୍ତନ ଆଣିବାକୁ ପଡ଼େ ।

ପୁରୁଷ ଓ ସ୍ତ୍ରୀ ଦୁହେଁ ଯଦି ସ୍ୱାଧୀନ ହୁଅନ୍ତି ତେବେ ଘର କାହାକୁ ନେଇ ଚଳିବ ?

ମୁଁ କହୁନାହିଁ ଯେ ପୁରୁଷ ୟା’ବୋଲି ସ୍ତ୍ରୀକୁ ତା’ର ନ୍ୟାଯ୍ୟ ଦାବୀ ଦେବାରେ କୁଣ୍ଠା କରିବ କିମ୍ୱା ଅଯଥା ପୌରୁଷର ଅହମିକା ନେଇ ସ୍ତ୍ରୀ ଉପରେ ମନଇଚ୍ଛା ଅତ୍ୟାଚାର କରିବ !

ଅଭିମାନ କରି ସୁଜାତାଦେବୀ ଚାଲିଗଲେ । ଘର ସଂସାରକରି ମାନଅଭିମାନ ଏପରି ହୁଏ ! ତାଙ୍କ ପକ୍ଷରେ କିଛି ନିଆ ହୋଇନାହିଁ । ସେ ଯଦି ଧନଞ୍ଜୟ ବସାରେ ନ ପହଞ୍ଚି ତାଙ୍କ ବାପାଙ୍କ ନିକଟକୁ ଯାଇଥାନ୍ତେ ତେବେ ଶ୍ୱଶୁରାଳୟରେ ଚନ୍ଦ୍ରକାନ୍ତ ପହଞ୍ଚିବାରେ ତା’ର ପୌରୁଷ ଆହତ ହୋଇ ନଥାନ୍ତା । ସେଠାରେ ପହଞ୍ଚି ସୁଜାତା ଦେବୀଙ୍କର ଅଭିମାନ ଭାଙ୍ଗିବାପାଇଁ ସେ କୁଣ୍ଠାବୋଧ କରି ନଥାନ୍ତା । ଭଲପାଇବାଟା ସଂପୂର୍ଣ୍ଣ ନିଜସ୍ୱ ହେତୁ ଯେତେ ନିବିଡ଼ ବନ୍ଧୁ ହେଲେ ମଧ୍ୟ ଚନ୍ଦ୍ରକାନ୍ତ ଓ ଧନଞ୍ଜୟ ଭିତରେ ତଫାତ୍‌ ନିଶ୍ଚୟ ରହିବ । ଅଭିମାନରେ ବନ୍ଧୁପତ୍ନୀ ଚାଲିଗଲେ-। ତାଙ୍କୁ ଆଶ୍ରୟ ଦେବାରେ ଧନଞ୍ଜୟର ଯେତିକି ଉଦାରତା ପ୍ରକାଶ ପାଇଛି ତା ଅପେକ୍ଷା ତାଙ୍କର କୋମଳ ମନକୁ ନେଇ ଖେଳି ବସିବାରେ ନିଷ୍ଠୁରତା ଅଧିକ ଦେଖା ଦେଇଛି । ସୁଜାତାଦେବୀଙ୍କୁ ବୁଝାଇ ଶୁଝାଇ ଯଦି ଚନ୍ଦ୍ରକାନ୍ତର ଦ୍ୱାର ନିକଟରେ ଧନଞ୍ଜୟ ପହଞ୍ଚି ପାରିଥାନ୍ତା ତେବେ ଦୁହିଁଙ୍କ ଭିତରେ ବନ୍ଧୁତ୍ୱ ଆହୁରି ନିବିଡ଼ ହୋଇଥାନ୍ତା । ସୁଜାତାଦେବୀଙ୍କର କୋମଳ ମନରେ ବିଷର ବୀଜାଣୁ ବୁଣି ଦେଇ ଛାଡ଼ପତ୍ର ଦେବାର ଯେଉଁ ଓକିଲ୍‌ ନୋଟିସ୍‌ ଦିଆଯାଇଛି ତା’ର ପରିଣାମରେ ଧନଞ୍ଜୟ କ’ଣ ଚନ୍ଦ୍ରକାନ୍ତର ଆଉ ବନ୍ଧୁହୋଇ ରହିଛି ନା ରହିବ ?

 

ପ୍ରଥମେ ଧନଞ୍ଜୟର ଚନ୍ଦ୍ରକାନ୍ତ ବନ୍ଧୁ, ତାପରେ ସୁଜାତାଦେବୀ ବନ୍ଧୁ ପତ୍ନୀ ।

 

ମୋ ମତରେ ଅପର ସ୍ତ୍ରୀକୁ ନିଜର ସ୍ତ୍ରୀ ଅପେକ୍ଷା ଅଧିକ ମମତା ଦେଖାଇଲେ ତାକୁ ପରକୀୟା ପ୍ରୀତି କହନ୍ତି । ସେହିଠାରେ ମୁଁ କହେ ଚରିତ୍ରର ସ୍ଫଳନ ହୁଏ । ମାନବିକତାର ବହୁତ ତଳକୁ ମଣିଷ ଓହ୍ଲାଇଯାଏ । ବଣ୍ୟ ପଶୁ ପରି ମଣିଷ ଇତର ହୁଏ ।

 

ବିଚାର, ବିବେକ, ସଦ୍‌ବୁଦ୍ଧି ଏଇ ତିନିଟାଏ ଅଭାବରେ ତ ମଣିଷ ପଶୁ ପାଲିଟିଯାଏ !!

 

ସୁଜାତାଦେବୀ ସାମୟିକ ଚନ୍ଦ୍ରକାନ୍ତ କଥା ଭାବୁଛନ୍ତି ବୋଲି ଲେଖିଛ । ସାମୟିକ ନୁହେ ସର୍ବଦା ସେ ତାଙ୍କ କଥା ଭାବୁଛନ୍ତି । ଯେଣୁ ମନରୁ ତାଙ୍କର ଅଭିମାନର ମାତ୍ରା କମିନାହିଁ ତେଣୁ ସଂପୂର୍ଣ୍ଣ ରୂପେ ସେ ଚନ୍ଦ୍ରକାନ୍ତର ପ୍ରୀତି ପାଇଁ ଝୁରୁଛନ୍ତି ବୋଲି କହିବାକୁ କୁଣ୍ଠାବୋଧ କରୁଛନ୍ତି ।

 

ମୁନ୍ନାକୁ ଭଲପାଉଛନ୍ତି ! ତା’ର ଅନୁପସ୍ଥିତିରେ ମନରେ ବେଦନା ଆଣୁଛନ୍ତି ! କିନ୍ତୁ କହି ପାରିବ ମୁନ୍ନା ଆଉ ଚନ୍ଦ୍ରକାନ୍ତ ଭିତରେ ସମ୍ପର୍କ କ’ଣ ?

 

ଚନ୍ଦ୍ରକାନ୍ତର ରକ୍ତରୁ ମୁନ୍ନା ସମ୍ଭୂତ । ଏକ ମନ, ଏକ ପ୍ରକୃତି ନେଇ ମୁନ୍ନା ଜନ୍ମ ହୋଇଛି । ମୁନ୍ନା ଭିତରେ ସେ ଚନ୍ଦ୍ରକାନ୍ତକୁ ଦେଖି ପାରିବେ । ଯିଏ ଯାହାକୁ ଭଲ ନପାଏ ସେ ତା’ର ଚାଲିଚଳନ, ଏପରିକି ତା ସହିତ ମଧୁର ସମ୍ପର୍କ ଥିବା ବ୍ୟକ୍ତିଙ୍କୁ ବି ଘୃଣାକରେ । ସେ ଲୋକର ଭଲପାଇବା ଦ୍ରବ୍ୟ ଅନ୍ୟ ଆଖିରେ ବିଷପରି ଦିଶେ । କହିଲ–ଚନ୍ଦ୍ରକାନ୍ତକୁ ସୁଜାତାଦେବୀ ଯଦି ଭଲପାଆନ୍ତି ନାହିଁ ତେବେ ତାଙ୍କରି ରକ୍ତରୁ ସମ୍ଭବ ମୁନ୍ନାକୁ ସେ କିପରି ଝୁରୁଛନ୍ତି ?

 

ମୁଁ ତ ସଂସାରୀ ହୋଇନାହିଁ ! ତୁମେ ମଧ୍ୟ ଅଘୋରୀ ହୋଇ ରାଜ୍ୟସାରା ବୁଲୁଛ ! ତେଣୁ ତୁମ ଓ ମୋଭଳି ଦୁଇଜଣ ଅନଭିଜ୍ଞ, ଅପରିପକ୍ୱଙ୍କ ଭିତରେ ସଂସାର ସମ୍ପର୍କରେ ଏଇଭଳି ଗୁଡ଼ାଏ ତଥ୍ୟ ବିଷୟରେ ଯୁକ୍ତିକଲେ, ଆମ ଦୁହିଁଙ୍କର ଚଷୁକୁଟିବାହିଁ ସାର ହେବ ।

 

ପଢ଼ି ଖୁସି ହେଲି ଯେ ଧନଞ୍ଜୟ ବିଷୟରେ ତୁମେ ବହୁତ ତଥ୍ୟ ସଂଗ୍ରହକରି ପାରିଛ । ଅଭିନେତ୍ରୀ ଯେ ବେକଳ ଅଭିନୟ କରେ ଏବଂ ସମାଜକୁ ସତ୍‌ ଓ ସାଧୁ ମାର୍ଗରେ ପରିଚାଳିତ କରିବା ପାଇଁ ତା’ର କିଛି ଅବଦାନ ନାହିଁ ଏକଥା ମୁଁ ଆଜି ସ୍ୱୀକାର କରି ପାରିବି ନାହିଁ । ମୋର ଧାରଣା ନଥିଲା ଯେ ଧନଞ୍ଜୟ ପରି ଓଡ଼ିଶାର ଜଣେ ବିଶିଷ୍ଟ ଶିଳ୍ପପତି ଏପରି ଚୋରା ମଦ ବ୍ୟବସାୟଠାରୁ ଆରମ୍ଭକରି ଚୋରା ସୁନା କାରବାରରେ ମଧ୍ୟ ଲିପ୍ତ ଥିବ !

 

ଦୁର୍ନୀତି, ଦୁରାଚାରର ସୀମା ଅଛି ! ସୀମା ଲଙ୍ଘିଲେ ପ୍ରତ୍ୟେକ ଜିନିଷର ପତନ ଅନିବାର୍ଯ୍ୟ । ଗୀତାରେ ଭଗବାନ ଶ୍ରୀକୃଷ୍ଣ ସେଥିପାଇଁ କହିଛନ୍ତି–ଯଦା ଯଦାହିଁ ଧର୍ମ୍ମସ୍ୟ ଗ୍ଳାନିର୍ଭବତି ଭାରତ–ଅଭ୍ୟୁଥାନ ମଧର୍ମ୍ମସ୍ୟ ତଦାତ୍ମନଂ ସୃଜାମ୍ୟହଂ । ମୁଁ କହୁନାହିଁ ଭଗବାନ ଏ କଳି ଯୁଗରେ ଅବତାର ଗ୍ରହଣ କରି ଏ ଦୁର୍ନୀତିଗ୍ରସ୍ତ ସାମାଜିକ ରାକ୍ଷସଙ୍କୁ ବଧ କରନ୍ତୁ । କିନ୍ତୁ ଏଇ ସମାଜ ଭିତରେ ଏଇ ଲୋକଙ୍କ ଭିତରେ ବି ଆତ୍ମା ଅଛି । ଦର ବୃଦ୍ଧିରେ ଚାଉଳ କିଣି ନ ପାରିଲେ, ତେଲ କିଣି ନପାରିଲେ, ଲଜ୍ଜା ଢାଙ୍କିବାକୁ ବସନ ଖଣ୍ଡେ ନପାଇଲେ ସେ ଆତ୍ମା ବି ବିପ୍ଳବ କରି ବସିବେ । ଆଉ କ୍ରୋଧରେ ସେମାନେ ନିଶ୍ଚୟ ଏଇ ବୁର୍ଜେୟାମାନଙ୍କ ତାଙ୍କର ବିଳାସର ସିଂହାସନରୁ ତଳକୁ ଭିଡ଼ି ଓଟାରୀ ଆଣି ଠିଆ କରାଇ ଦେବେ । କାରଣ ମାନବିକତାର ଅଧିକାର ପ୍ରତ୍ୟେକଙ୍କର ସମାନ ସମାନ ରହିବା ଆବଶ୍ୟକ ।

 

ଭାଗବତରେ ଅଛି–ସକଳ ଘଟେ ନାରାୟଣ ଅଛନ୍ତି । ତେଣୁ ଯେଉଁଠାରେ ଗଣ ଜାଗି ଉଠିବ ସେଠାରେ ଜଣ ଶାସନ କେତେଦିନ ଚାଲିବ ? ସମାଜବାଦ କେବଳ ବକ୍ତୃତାର ଭାଷଣ ହୋଇ ରହିବ ନାହିଁ । ସମୟ ବଦଳୁଛି । ତୁମେ, ଆମେ ବି ବଦଳୁଛେ । ଜମିଦାର ମହାପାତ୍ର ରାଧାକାନ୍ତ ରାଉତରାଙ୍କର ସୁଯୋଗ୍ୟ ସନ୍ତାନ ହୋଇ ମୁଁ ବି କଲମ ନବିସ୍‌ ହୋଇଛି । ମୋର ଫମ୍ପା ଅହମିକା ମିଳାଇ ଗଲାଣି । ଆଉ ଘରେ ପୁଷ୍ପାଭିଷେକ ହେଉନାହିଁ କିମ୍ୱା ବେଠି, ବେଗାରୀ ଖାଟିବାକୁ ଲୋକମାନେ ମୋ ଦୁଆରକୁ ଆସୁନାହାନ୍ତି । ଯେଉଁ ଗାଁରେ ପାଞ୍ଚ ପଚିଶ ଜଣ ମୋ ବାପାଙ୍କ କଥାରେ ଶାସିତ ହେଉଥିଲେ ସେହିଠାରେ ପାଞ୍ଚପଚିଶଙ୍କ କଥାରେ ସେଇ ଗାଁଆର ଜମିଦାରଙ୍କର ପୁଅ ମୁଣ୍ଡ ହଲାଇ ହଁ କରିବାକୁ ବାଧ୍ୟ ହେଉଛି । ଚାନ୍ଦା, ଭେଦା ଆଦାୟ କରିବାରେ ଓ ମେଳାମଉତ୍ସବରେ ସେମାନଙ୍କସହ ଅଣ୍ଟାଭିଡ଼ି ଠିଆ ହେବାକୁ ବାଧ୍ୟ ହେଉଛି । ସେହିପରି ଓଡ଼ିଶା ସରକାରଙ୍କର ପେନ୍‌ସନ୍‌ଭୋଗୀ ଜଣେ ପଦସ୍ଥ କର୍ମ୍ମଚାରୀଙ୍କର କନ୍ୟାହୋଇ ତୁମେ ବି ତୁମର ପରମ୍ପରାକୁ ଭାଙ୍ଗି ଚୂରମାର୍‌ କରି ଦେଇଛ । ତୁମେ ଗୋଡ଼ରେ ଘୁଘୁଂର ବାନ୍ଧିଛ ! ହାତରେ ରଙ୍ଗ ମାଖିଛ । ନୃତ୍ୟର ତାଳେ ତାଳେ ଲକ୍ଷ୍ୟ ଜନତାଙ୍କୁ ମୁଗ୍‌ଧ କରିଛ । ଏସବୁ ପରିବର୍ତ୍ତନ ତ ଫେର୍‌ ସମ୍ଭବ ହୋଇ ପାରିଛି ?

 

ପ୍ରତ୍ୟେକ ପ୍ରାଣରେ ଅସନ୍ତୋଷର ତୂର୍ଯ୍ୟନାଦ ମନ୍ଦ୍ରିତ ହୋଇ ଉଠିଲାଣି । ଦେଶର କେତେଜଣ ମୁନ୍ନାଫାଖୋର, କଳାବଜାରୀ କେତେଦିନ ପାଇଁ ବା ଏପ୍ରକାର କୃତ୍ରିମ ଅଭାବ ସୃଷ୍ଟି କରି ଜନସାଧାରଣଙ୍କୁ ଠକି ପାରିବେ ? ରାତିରେ ଦସ୍ୟୁସାଜି ଦିନ ଆଲୁଅରେ ସେମାନେ ଆଉ ଦାତା ସାଜି ପାରିବେ ନାହିଁ କି ନେତା ହୋଇ ପାରିବେ ନାହିଁ ।

 

ତୁମ ଘରକୁ ଯାଇଥିଲି । ବାପା ଭଲଅଛନ୍ତି । ସେ ତ ଖାପଛଡ଼ା ଲୋକ ! ତୁମକୁ ପୁଣି ମୁଁ ମଞ୍ଚ ଉପରକୁ ଫେରିଆସିବାକୁ ପ୍ରେରଣା ଦେଇଥିବାରୁ ସେ ମୋ ଉପରେ ବଡ଼ ଖପ୍‌ପା ।

 

ମୋ ବିଷୟରେ ବିଶେଷ କିଛି ଲେଖିବା ନିଷ୍ପ୍ରୟୋଜନ । ଖାଲି ବଞ୍ଚିଛି ଆଉ ସାଧ୍ୟମତେ ଦେଶସେବା କରି ପାରୁଛି ଏତିକି ଜାଣିଲେ ବୋଧହୁଏ ଯଥେଷ୍ଟ ହେବ ।

 

ତୁମଠାରୁ ପ୍ରଥମ ପତ୍ର ଜୀବନରେ ପାଇଲି, ସେ ପୁଣି ଏଡ଼େ ରସାଳ ହେବବୋଲି କଳ୍ପନା କରିପାରି ନଥିଲି । ତୁମ ପତ୍ର ପରି ମୋ ପତ୍ର ଯେ ତଥ୍ୟପୂର୍ଣ୍ଣ ଓ ମନୋଜ୍ଞ ହେବ ସେ ଆଶା ମୁଁ କରିନାହିଁ । ଉତ୍ତର ନ ଦେବାଟା ସୌଜନ୍ୟତାର ବିରୁଦ୍ଧ ଭାବି ଦି’ପଦ ଲେଖି ଦେଇଛି ।

 

ତୁମ ଓ ମୋ ଭିତରେ ଯେଉଁ ସଂପର୍କ ଗଢ଼ି ଉଠିଛି ସେଥିରେ ଲୌକିକତା ଦୃଷ୍ଟିରୁ ଚିଠିର ଭୁଲ୍‌ ପାଇଁ କ୍ଷମା ମାଗିବାର ଆବଶ୍ୟକତା ନାହିଁ ।

 

ଚିଠିଖଣ୍ଡି ଆଉଥରେ ପଢ଼ିବାକୁ ସୁବ୍ରତର ଧୈର୍ଯ୍ୟ ନଥିଲା । ସେଇଟିକୁ ଲଫାପାରେ ଭର୍ତ୍ତିକରି ସେଦିନ ପୋଷ୍ଟ କରିଦେଲା ।

 

ଚନ୍ଦ୍ରକାନ୍ତ କାର୍‌ରେ ବେଗ ବଢ଼ାଇଦେଲା ।

 

ସଂଧ୍ୟା ସମାଗତ ପ୍ରାୟ ! ମନଭିତରେ ଶାନ୍ତିର ଲେସ ନାହିଁ । ତଥାପି ସେ କୋର୍ଟକୁ ଯାଇଥିଲା । କୋର୍ଟରେ ଯେତିକି କାମ କରିଛ ସବୁ ଭିତରେ ଅନ୍ୟମନସ୍କତା ଭାବ ପରିସ୍ଫୁଟ । କାମ ପ୍ରତି ସତେ ଯେପରି ସ୍ପୃହା, ଆଗ୍ରହ–ସବୁ ତା’ର ମରିଯାଇଛି !

 

ଯଦି ସୁଲି ତା ଘରକୁ ଫେରିଯାଏ ତେବେ ମୁନ୍ନାକୁ ନେଇ ସେ କିପରି ବଞ୍ଚିବ ? ସୁଜାତା ଚାଲିଯିବା ପରଠାରୁ ସୁଲି ଆସି ତା’ର ବିଶୃଙ୍ଖଳ ଜୀବନକୁ ଶୃଙ୍ଖଳିତ କରିଥିଲା । ମୁନ୍ନାଟା ଅନ୍ତତଃ ତାରି ସ୍ନେହ ପାଇ ବଢ଼ି ଆସୁଥିଲା ତ...

 

ଯଦି ସୁଲି ଚାଲିଯାଏ...

 

ଆଉ ବିଶେଷ କିଛି ଚନ୍ଦ୍ରକାନ୍ତ ଭାବି ପାରିଲା ନାହିଁ । ସୁଜାତା ପ୍ରତି ତା ମନରେ ଯେ ଦରଦ ନାହିଁ ବା ତା’ର ଭଲପାଇବା, ସ୍ନେହମମତା ପ୍ରତି ଏବେ ଯେ ଚନ୍ଦ୍ରକାନ୍ତ ସମ୍ମାନ ଦିଏ ନାହିଁ ସେ କଥା ନୁହେଁ । କିନ୍ତୁ ଧନଞ୍ଜୟ ପାଖରେ ଚାକିରୀକରି ସୁଜାତା ତା’ର ସମସ୍ତ ବାଟକୁ ରୁଦ୍ଧ କରି ଦେଇଛି ।

 

କେଉଁ ରୂପ, କେଉଁ ମନ ନେଇ ସେ ଧନଞ୍ଜୟ ନିକଟରେ ଠିଆ ହୋଇ ହାତପାତି କହି ବସିବ–ଭାଇ ଜିତାକୁ ମୋର ଫେରାଇ ଦେ ! ମୋର ସଂସାରକୁ ଜାଳି ପୋଡ଼ି ଛାରଖାର କରି ଦେନାହିଁ !

 

ଆଉ ତା’ର ଏପ୍ରକାର ଅନୁରୋଧ ଶୁଣି ଧନଞ୍ଜୟ ଯଦି ଏକ ବେପରୁଓ୍ୱା ହସରେ ତା’ର ପୁରୁଷକାରକୁ ବିକ୍ଷତ କରେ ତେବେ ସେ ସହ୍ୟକରି ପାରିବ ତ ?

 

ଛକ ଉପରେ ଭୀଷଣ ଲୋକାରଣ୍ୟ । ଚନ୍ଦ୍ରକାନ୍ତ କାର୍‌ର ଗତି ମନ୍ଥର କଲା ।

 

‘ଅଗ୍ନିଶିଖା’ କାଗଜର ଭୀଷଣ ବିକ୍ରି ଚାଲିଛି ।

 

ହକ୍‌କର ଗଳା ଫଟାଇ ଚିତ୍କାର କରି ଡାକୁଛି–ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଧନଞ୍ଜୟ ଭଞ୍ଜ ଚୋରାମଦ ଓ ଚୋରା ସୁନା କାରବାରରେ ଅଭିଯୁକ୍ତ ହୋଇ ଗିରଫ୍‌ ହୋଇଛନ୍ତି ।

 

ଚନ୍ଦ୍ରକାନ୍ତର କୌତୁହଳ ବଢ଼ିଲା ।

 

କାର୍‌ ଭିତରେ ରହି ଖଣ୍ଡିଏ କାଗଜ ହକ୍‌କରଠାରୁ କିଣିଲା ।

 

ସୁବ୍ରତର କାଗଜ ‘ଅଗ୍ନିଶିଖା’ । ସେଥିରେ ଧନଞ୍ଜୟର ଗିରଫଦାରୀ ସମ୍ୱାଦ ବାହାରିଛି । ଉତ୍କଣ୍ଠାରେ ଚନ୍ଦ୍ରକାନ୍ତ ସେଇ କାର୍‌ ଭିତରେ ବସି କାଗଜର ସବ୍‌-ହେଡ଼୍‌ ଲାଇନ୍‌ଗୁଡ଼ିକୁ ପଢ଼ିବାକୁ ଆରମ୍ଭ କଲା–

 

ଚୋରାମଦ ଓ ଚୋରା ସୁନା କାରବାର ଆଉ ସରକାରଙ୍କୁ ବହୁତ ବିକ୍ରି ଟିକସ ଫାଙ୍କିଥିବା ଅଭିଯୋଗରେ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଶ୍ରୀ ଧନଞ୍ଜୟ ଭଞ୍ଜ ଗିରଫ ହୋଇଛନ୍ତି । ତାଙ୍କର ବ୍ରହ୍ମପୁର କୋଠାକୁ ପୋଲିସ୍‌ ଘେରାଉ କରି ବହୁ ରହସ୍ୟପୂର୍ଣ୍ଣ ତଥ୍ୟ ଆବିଷ୍କାର କରିଛନ୍ତି । ଏଥିସହ କେତେକ ବିଶିଷ୍ଟ ରାଜନୈତିକ କର୍ମ୍ମୀ ସଂପୃକ୍ତ ଥିବାର ଅନୁମାନ କରାଯାଉଛି । ଓଡ଼ିଶାର ସୁପରିଚିତା ଅଭିନେତ୍ରୀ ମାଳବିକାଦେବୀ ଓ ଧନଞ୍ଜୟବାବୁଙ୍କ ଲେଡ଼ି ପର୍ସନାଲ ଆସିଷ୍ଟାଣ୍ଟ ସୁଜାତାଦେବୀଙ୍କର ଉଦ୍ୟମରେ ଏହି ରହସ୍ୟ ଧରା ପଡ଼ିଥିବାରୁ ରାଜ୍ୟସରକାର ସେମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

ସବିଶେଷ ବିବରଣୀ ବସାରେ ପଢ଼ିବବୋଲି ଭାବି ଚନ୍ଦ୍ରକାନ୍ତ ଆକ୍‌ସିଲେଟର ଚାପି ପୁଣି ଗାଡ଼ିର ଗତି ବଢ଼ାଇଦେଲା ।

 

ରାତ୍ରିର ଶେଷ ପହର ।

 

ଚନ୍ଦ୍ରକାନ୍ତ ଘର ଗେଟ୍‌ ଆଗରେ ଚନ୍ଦ୍ରକାନ୍ତ କାର୍‌ର ହର୍ଣ୍ଣ ଶୁଭିଲା ।

 

ନିଦ ମଳମଳ ଆଖିରେ ଚନ୍ଦ୍ରକାନ୍ତ ଶୋଇବା ଘରର ଝରକା ଫିଟାଇଲା ।

 

କାର ଭିତରୁ ସୁବ୍ରତ ଚନ୍ଦ୍ରକାନ୍ତର ନାମଧରି ଚିତ୍କାର କରୁଛି ।

 

ଏତେ ରାତ୍ରିରେ ସୁବ୍ରତ ? କାହିଁକି ଆସିଛି ? –ଏକ ଅହେତୁକ ଆଶଙ୍କାରେ ଚନ୍ଦ୍ରକାନ୍ତ ଶିହିରି ଉଠିଲା ।

 

ବୋଧହୁଏ ସୁବ୍ରତ କୌଣସି ଏକ ଅଘଟଣର ସମ୍ମୁଖୀନ ହୋଇ ସାହାଯ୍ୟ ଆଶାରେ ତା ପାଖକୁ ଧାଇଁ ଆସିଛି । ନତୁବା ଶେଷ ରାତ୍ରିର ସ୍ୱପ୍ନ ତେଜି ସେ କାହିଁକି ଏ ପର୍ଯ୍ୟନ୍ତ ଛୁଟି ଆସିଥାଆନ୍ତା !

 

ଷ୍ଟେଆରକେସ୍‌ ଦେଇ ତଳକୁ ଆସୁଆସୁ ଚନ୍ଦ୍ରକାନ୍ତ ଭାବୁଥିଲା–ଧନଞ୍ଜୟ କ’ଣ କିଛି ହୀନ ଉପାୟର ଆଶ୍ରୟ ନେଇ ସୁବ୍ରତ ଉପରେ ତା ମନର ଓରିମାନ ମେଣ୍ଟାଉଛି ? ଦୁର୍ନୀତି କରିବାରେ ଯେ ସିଦ୍ଧହସ୍ତ ତା ହାତରେ ତ ଗୁଣ୍ଡାର ଅଭାବ ନଥିବେ ! ଆଉ ସେମାନଙ୍କ ସାହାଯ୍ୟରେ ସେ ବୋଧହୁଏ ମାଳବିକାଦେବୀଙ୍କର ପ୍ରତିଶୋଧ ନେଇଛି ସୁବ୍ରତ ଉପରେ ! ତେବେ ତାପରେ ତ ତା ପାଳି ଆସିଯିବ ! କାରଣ ସୁଜାତା ବି ତା’ର ଦୁର୍ନୀତିକୁ ଲୋକଲୋଚନକୁ ଆଣିବାରେ ସାହାଯ୍ୟ କରିଛି !

 

ଗେଟ୍‌ ଫିଟାଇ ଚନ୍ଦ୍ରକାନ୍ତ କାର୍‌ ନିକଟରେ ପହଞ୍ଚିଲା ।

 

ସୁବ୍ରତ କାର୍‌ ଭିତରୁ ଓହ୍ଲାଇ ପଡ଼ି କାର୍‌ର ପଛ ସିଟର ଦରଜା ଖୋଲିଦେଲା ।

 

ସୁଜାତାଦେବୀଙ୍କୁ ତଳକୁ ଓହ୍ଲାଇ ଦେଇ ମାଳବିକାଦେବୀ କହିଲେ–ନମସ୍କାର ଚନ୍ଦ୍ରକାନ୍ତବାବୁ । ଆପଣଙ୍କର ସୁଜାତାଦେବୀଙ୍କୁ ଏଥର ସମ୍ଭାଳନ୍ତୁ । ଯେପରି ସେ ପୁଣି ରୋଷକରି ଚାଲି ନଯାଆନ୍ତି ! ପୋଲିସ ପକ୍ଷରୁ ସେ ଜଣେ ଅସଲ ସାକ୍ଷୀ । ତାଙ୍କୁ ଆଉ ହାତଛଡ଼ା କରିବେ ନାହିଁ ।

 

ସୁବ୍ରତ ଗାଡ଼ି ଭିତରେ ବସିରହି ହସି ହସି କହି ପକାଇଲା–ମାଳବିକାଦେବୀଙ୍କ କଥାରେ ଭଳି ନଯାଇ ସୀତାଙ୍କୁ ଅଗ୍ନିରେ ପରୀକ୍ଷା କରି ତାପରେ ସିଂହାସନରେ ବସାଇବୁ ବନ୍ଧୁ....

 

ଚନ୍ଦ୍ରକାନ୍ତ ନିର୍ବାକ । ତାକୁ ଜଣାପଡ଼ୁଥାଏ ସତେ ଅବା ସେ ଏକ ସ୍ୱପ୍ନ ରାଜ୍ୟରେ ବିଚରଣ କରୁଛି !

 

ହଉ ଭାଇ ଯାଉଛୁ ! ଅଶୁଭ ରାତ୍ରି ପାହିଲାଣି–ତୁମ ଉଭୟଙ୍କୁ ଶୁଭ ସକାଳର ଅଭିନନ୍ଦନ ଜଣାଉଛୁ ।

 

ସୁବ୍ରତ ଟ୍ୟାକ୍‌ସି ଡ୍ରାଇଭର୍‌କୁ ଗାଡ଼ିରେ ଷ୍ଟାର୍ଟ ଦେବାପାଇଁ ଇଙ୍ଗିତ କଲା ।

 

ତଥାପି ଚନ୍ଦ୍ରକାନ୍ତ ତୁଣ୍ଡରେ ଉତ୍ତର ନାହିଁ । ସେ ସ୍ଥାଣୁ ପାଲଟି ଯାଇଛି !

 

ଲଜ୍ଜା ଓ ଅନୁଶୋଚନାରେ ସୁଜାତାଦେବୀ ତଳକୁ ମୁହଁ ପୋତି ଠିଆ ହୋଇଛନ୍ତି ।

 

ନୀରବରେ କେତୋଟି ମୁହୂର୍ତ୍ତ ବିତିଗଲା ।

 

ଚନ୍ଦ୍ରକାନ୍ତ ଏଥର ନିଜର ଜଡ଼ତା ପ୍ରଥମେ ତୁଟାଇ ସୁଜାତାଦେବୀଙ୍କ ପ୍ରୀଡ଼ାବନତ ମୁଖ-ପଦ୍ମକୁ କ୍ଷଣକପାଇଁ ଚାହିଁନେଲା । ତାଙ୍କ ହାତକୁ ନିଜ ହାତମୁଠାରେ ଧରି ବାଷ୍ପ ଗଦ୍‌ଗଦ୍‌ କଣ୍ଠରେ କହିଲା–ଏ ଘର ତୁମର ! ଏ ସଂସାର ତୁମର ! ନିଜ ଘରକୁ ଯିବାରେ ଏତେ ସଙ୍କୋଚ କାହିଁକି ଜିତା-?

 

ବାତ୍ୟା ଆନ୍ଦୋଳିତା ଲତା ପରି ସୁଜାତାଦେବୀ ଚନ୍ଦ୍ରକାନ୍ତର ଛାତି ଉପରେ ଲତେଇ ଗଲେ । ଲଜ୍ଜା, ସଙ୍କୋଚ ଓ ଅନୁଶୋଚନାର ତୀବ୍ର ପ୍ରତିକ୍ରିୟାରେ ତାଙ୍କର ସମଗ୍ର ଶରୀର ରମ୍ଭାପତ୍ର ପରି କମ୍ପି ଉଠୁଥିଲା । ଚନ୍ଦ୍ରକାନ୍ତର ବିଶାଳ ବକ୍ଷ ଉପରେ ମୁହଁ ଗୁଞ୍ଜି ସେ କେବଳ ଫୁଲି ଫୁଲି କାନ୍ଦୁଥିଲେ ।

 

ତଥାପି ତାଙ୍କର ସେ ଅଶ୍ରୁକୁ କାତରତାର ଅଶ୍ରୁ କୁହାଯାଇ ପାରେନା ! ସେ ଅଶ୍ରୁ ଏକ ବ୍ୟଥା-ବତୁରା ବିରହିଣୀର ଆକସ୍ମିକ ମିଳନ-ସୁଖର ଅଶ୍ରୁ....ସେ ଅଶ୍ରୁ ପ୍ରେମ, ପ୍ରୀତି ଓ ଭଲପାଇବାର ଅଶ୍ରୁ....ସେ ଅଶ୍ରୁ ପରିପୂର୍ଣ୍ଣ ଆନନ୍ଦର ଅଶ୍ରୁ !

 

ଭିତରକୁ ଯାଉ ଯାଉ ଚନ୍ଦ୍ରକାନ୍ତ ପୂର୍ବ ଦିଗକୁ ହାତ ଦେଖାଇ କହିଲା–ଦେଖ ଜିତା; ଏ ଯେଉଁ ନୂତନ ସୂର୍ଯ୍ୟ ଆକାଶର ବୁକୁ ଚିରି ଜନ୍ମ ନେଉଛି, ତାକୁଇ ଚାହିଁ ଆଜି ଆମେ ଆମ ନୂତନ ଜୀବନପାଇଁ ଶପଥ ନେବା ! ଅତୀତରେ ଯାହା ଘଟିଯାଇଛି ସେ ସବୁକୁ ରାତ୍ରିର ଏକ ଦୁଃସ୍ୱପ୍ନ ପରି ପାଶୋରି ଯିବା ଆମେ ।

 

ସୁଜାତା ଦେବୀ କୌଣସି ଉତ୍ତର ନ ଦେଇ କେବଳ ଟିକିଏ ହସିଦେଲେ ।

 

ଫୁଲ ତୋଳିବାକୁ ସୁଲି ବଗିଚାକୁ ଆସୁ ଆସୁ ଫେରିଯାଉଥିଲା । ଚନ୍ଦ୍ରକାନ୍ତ ଡାକ ପକାଇ କହିଲା–ନେ, ତୋ ନୂଆବୋଉକୁ ଘରକୁ ନେ ସୁଲି । ତୋରି ଜିଦ୍‌ ରହିଲା । ଶେଷରେ ମୋତେ ଯାଇ ତୋ ନୂଆବୋଉର ହାତ ଧରି ପାଛୋଟି ଆଣିବାକୁ ହେଲା....

 

ସୁଲି ହସି ହସି କହିଲା–ମୋ ନଣନ୍ଦପୁଟୁଳି ସୁଟ୍‌କେଶଟା ନୂଆବୋଉ ଏଥର ଆଣି ନଥିଲେ ମୁଁ କିନ୍ତୁ ବାଟ ନ ଛାଡ଼େ...

 

ଚନ୍ଦ୍ରକାନ୍ତ ଓ ସୁଜାତା ଏକସଙ୍ଗରେ ହସିଉଠିଲେ ।

Image